Bhubaneswar Buzz

#OdiaPostAt11 ପୁରୀର ସାହିଯାତ ଓ ଶ୍ରୀକ୍ଷେତ୍ର ମହୋତ୍ସବ – ଓଡ଼ିଆ ପାରମ୍ପରିକ ସମରାଭ୍ୟାସ ସହ ନାଗା ମୁଖ୍ୟ ଆକର୍ଷଣ

sahi jata puri

Keeping a centuries old tradition alive Puri hosts festival of Sahi Jata that blends spirituality and performing arts. Read more about this in Odia below:

ଜଗନ୍ନାଥଙ୍କ ରଥଯାତ୍ରା ପରେ ଏହା ହେଉଛି ପୁରୀର ଦ୍ଵିତୀୟ ବଡ଼ ଯାତ୍ରା । ଏଥିରେ ବିପୁଳ ଜନସମାଗମ ହୁଏ । ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ଶ୍ରୀକ୍ଷେତ୍ର ମହୋତ୍ସବରେ ପାରମ୍ପରିକ ସାହିଯାତର ବାଦ୍ୟ, ସମରକଳା ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଦୁଲୁକି ଉଠୁଛି ଶ୍ରୀକ୍ଷେତ୍ର ମହୋତ୍ସବ ମଞ୍ଚ । ସାହି ଯାତ ୨୦୧୬ ବର୍ଷ ପାଇଁ ଅପ୍ରେଲ ୧୪ ରୁ ୨୪ ପର୍ଯ୍ୟନ୍ତ ପାଳନ ହେଉଛି ।

ସାହି ଯାତ ଉତ୍କଳୀୟ ଜଗନ୍ନାଥ ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ପରିଚିତ । ପୁରୀରେ ସାହିଯାତ ଚୈତ୍ର ଶୁକ୍ଳ ଅଷ୍ଟମୀ ଠାରୁ ବୈଶାଖ କୃଷ୍ଣ ଦ୍ଵିତୀୟା ପର୍ଯ୍ୟନ୍ତ ନବଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ । ୧୨୩୦ ଖ୍ରୀଷ୍ଟାବ୍ଦରେ ଅନନ୍ତ ବର୍ମା ଚୋଡ଼ଗଙ୍ଗଦେବଙ୍କ ସମୟରୁ ଏହା ଆରମ୍ଭ ହୋଇଥିଲା ବୋଲି ରେକର୍ଡ଼ରୁ ସୂଚନା ମିଳେ । ଶ୍ରୀକ୍ଷେତ୍ରର ସାହି ଯାତର ପରମ୍ପରା ବାଲ୍ମୀକି ରାମାୟଣ ପର୍ଶୁରାମଙ୍କ ବର୍ଣ୍ଣିତ ରୂପ ସହ ଜଗନ୍ନାଥଙ୍କ  ନାଗାର୍ଜୁନ(ନାଗା) ବେଶ ସାଦୃଶ୍ୟ ରହିଥିବାରୁ ତାହା  ରାମାନନ୍ଦଙ୍କ ପ୍ରଭାବରେ ଆରମ୍ଭ ହେଇଛି ବୋଲି ଅନୁମାନ କରାଯାଏ । ଏହି ସାହି ଯାତ ସମୟରେ ପୁରୀ ସହରର ସାତଟି ସାହିରୁ ବାହାରୁ ଥିବା ପଟୁଆର ଓ ଯାତ୍ରା ଆଦି ସାହିଗୁଡ଼ିକରେ ସେମାନଙ୍କ କଳାକୌଶଳ ଆଦି ପ୍ରଦର୍ଶନ କରିଥାଆନ୍ତି । ସାହିଯାତରେ ସମରକଳା, ଲୋକକଳା, ଲୋକନୃତ୍ୟ, ଲୋକଗୀତ ତଥା ଲୋକବାଦ୍ୟ ପରମ୍ପରାର ସମ୍ମିଳିତ ରୂପ ଦେଖିବାକୁ ମିଳିଥାଏ ।

ଶ୍ରୀରାମ ନବମୀଠାରୁ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷହେବା ପରେ ଆଜ୍ଞାମାଳ ପାଇ ରାମ ଓ ଲକ୍ଷ୍ମଣଙ୍କ ଚଳନ୍ତି ବିଗ୍ରହ ପାଲିଙ୍କିରେ ବିଜେହୋଇ ଜଗନ୍ନାଥବଲ୍ଲଭ ମଠକୁ ଯାଇଥାନ୍ତି । ସେଠାରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତା ବିବାହ, ପର୍ଶୁରାମ ଲୀଳା, ବନବାସ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡ଼ି ହନୁମାନ ଲୀଳା ଓ ରାବଣ ବଦ୍ଧ ଆଦି ସାହିଯାତର ପ୍ରମୁଖ ଲୀଳାମାନ ସମ୍ପନ୍ନ ହୋଇଥାଏ । ଲୀଳା ସମ୍ପନ୍ନ ହେବାପରେ ପୁନଃ ବାହୁଡ଼ି ଆସନ୍ତି ।

ଶ୍ରୀରାମ ନବମୀ ଅବସରରେ କାଳିକାଦେବୀ ସାହିରୁ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଓ ବିଶ୍ଵାମିତ୍ର ବାହାରି ଶ୍ରୀମନ୍ଦିରକୁ ଯିବା ସହ ସହର ପରିକ୍ରମା କରିଥାନ୍ତି । ଦଶମୀ ତିଥିରେ ହରଚଣ୍ଡିସାହି ଆଖେଡ଼ା ପକ୍ଷରୁ ଯଜ୍ଞରକ୍ଷା ପର୍ବ ଓ ଋଷ୍ୟଶୃଙ୍ଗ ଯାତ୍ରା ଲାଗି ନାକ କାନ ନୃତ୍ୟ ଅନୁଷ୍ଠିତ ହୋଇଥାଏ । ଏକାଦଶୀ ତିଥିରେ ହରଚଣ୍ଡିସାହି ଆଖେଡ଼ା ପକ୍ଷରୁ ପର୍ଶୁରାମ ଲୀଳା ପ୍ରଦର୍ଶିତ ହୋଇଥାଏ । (ଓଡ଼ିଆ ଉଇକିରୁ ସଂଗ୍ରହ)

ପୁରୀ ରଜା ପୂର୍ବେ ଶ୍ରୀମନ୍ଦିରକୁ ଯବନମାନଙ୍କ ଠାରୁ ରକ୍ଷାକରିବା ପାଇଁ ଆଖଡା, ଜଗାଘର ଆଦି ପ୍ରତିଷ୍ଠା କରିଥିଲେ । ସେତେବେଳେ ପୁରୀର ଜଗନ୍ନାଥଙ୍କ ଦେଉଳ କଡ଼ରେ ସାତଟି ସାହି ଥିଲା । ବର୍ତ୍ତମାନ ଏହି ସଂଖ୍ୟା ୪୨ ରେ ପହଞ୍ଚିଛି । ଏହି ସାହିଯାତରେ ବାସେଳି ସାହି, କାଳିକାଦେବୀ ସାହି, ହରଚଣ୍ଡି ସାହି, କୁଣ୍ଢେଇବେଣ୍ଟ ସାହି, ମାର୍କଣ୍ଡେଶ୍ଵର ସାହି,  ଦୋଳମଣ୍ଡପ ସାହି, ବାଲି ସାହି, ଗୌଡ଼ବାଡ଼ ସାହି ଓ ମାଟି ମଣ୍ଡପ ସାହି ସାମିଲ ହୋଇଥାନ୍ତି ।

Sahi jaata puri shri jagannatha bbsrbuzz

ଏହି ପୁରୁଣା ସାତଟି ସାହିରେ ଅଛି ସ୍ଥାୟୀ ଜାଗା ଘର ଅସ୍ଥାନ । ଏଠାରେ କୁସ୍ତି କସରତ ଅଭ୍ୟାସ ହୁଏ । ଦେବୀ ଦୂର୍ଗା ଓ ହନୁମାନ ଏଠାରେ ପୂଜା ପାଆନ୍ତି । ପ୍ରତ୍ୟେକ ସାହିର ନିଜ ନିଜ ପତାକା ଥିଲା । ଏକଦା ଏହି ସାହିମାନେ ମିଶି ଶ୍ରୀମନ୍ଦିରକୁ ମୁସଲିମମାନଙ୍କ ଠାରୁ ସୁରକ୍ଷିତ ରଖିଥିଲେ । ସାହି ଯାତ ସେମାନଙ୍କ କଳା କୌଶଳକୁ ପ୍ରଦର୍ଶନ କରିବାର ଏକ ଅବସର ମାତ୍ର । ଏହି ସମୟରେ  ପାରମ୍ପରିକ ଅସ୍ତ୍ରଶସ୍ତ୍ର ବାହାରେ ପ୍ରଦର୍ଶନ ହୁଏ  । ଆଖଡାକାରୀମାନେ ବୀର ବେଶରେ ସଜ୍ଜିତ ହୁଅନ୍ତି । ସେମାନେ ମୁଖ୍ୟ ରାସ୍ତାରେ ହାତୀ, ଘୋଡ଼ା, ଧ୍ବଜବାହକ, ମଶାଲଧାରୀ, ବିର ବାଦ୍ୟରର ତାଳେ ତାଳେ ଶଙ୍ଖ ମହୁରୀ ଆଦି ବଜାଇ ନୃତ୍ୟ କରି ଏକ ବିରାଟ ଶୋଭାଯାତ୍ରାରେ ବହାରନ୍ତି । ସେହି ସମୟରେ ଆଖଡା ଅଭ୍ୟାସ କରୁଥିବା ସାହି ନିଜ ସାହିର ଶାନ୍ତିଶ୍ରୁଙ୍ଖଳା ଦାୟିତ୍ବ ତୁଲେଇଥାନ୍ତି ।

ପ୍ରତ୍ୟେକ ସାହିକୁ ରାମାୟଣର ଏକ ଏକ ବିଷୟ ପରିବେଷଣ ପାଇଁ ବଣ୍ଟା ଯାଇଥାଏ । ଏହି କାହାଣୀର ଭିନ୍ନ ଭିନ୍ନ ଅଧ୍ୟାୟ ସାହି ସାହି ହୋଇ ପୁରା ହୋଇଥାଏ  । ଏହି ଶୋଭାଯାତ୍ରାରେ ସମସ୍ତ ସାହିର କଳାକାର ରାମ, ଲକ୍ଷ୍ମଣ, ସିତା ଆଦି ବେଶରେ ଭୁଷିତ ବହାରନ୍ତି  । ହରଚଣ୍ଡି ସାହିର ପର୍ଶୁରାମ, ବାଲିସାହିର ରାବଣ, ଦୋଳମଣ୍ଡପ ସାହିର ମାୟା ରାବଣ ଆଦିର ସ୍ବତନ୍ତ୍ରତା ଅଛି ।

ଏହି ସାହିଯାତ ଉତ୍ସବରେ ନାଗା ବେଶ ହେଉଛି ମୁଖ୍ୟ ଆକର୍ଷଣ । ନାଗା ହେଉଛି ଚଉଡା ଛାତି, ଲମ୍ବା ନାକ, ବଳିଷ୍ଠ ବାହୁ ଥିବା ଏକ ଡେଙ୍ଗା ଓ ମଜଭୁତ ମଣିଷ । ଛାତିରେ ବାଘର ଚମଡା ଓ ପାଉଁଜି ଭାବେ ଗଛର ବକ୍କଳ ପରିଧାନ କରିଥାନ୍ତି । ସୁନା ଓ ରୁଦ୍ରାକ୍ଷ ମାଳିରେ ମାଳା, ବାଘ ନଖ, ପ୍ରବାଳ, କାନ୍ଧରେ ତୁଣୀର, ତ୍ରିଶୁଳ, ବର୍ଚ୍ଛା, ପତାକା, ବକ୍ର ଛୁରୀ, ବାରୁଦ ପାତ୍ର, ଏବଂ ଦେଶୀ ବନ୍ଧୁକ ଧାରଣ କରନ୍ତି । ଯୁଦ୍ଧ ପାଇଁ ନାଗା ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏକ ଯୋଦ୍ଧା । ସେ ବୀର ବାଦ୍ୟର ତାଳେ ଆଗୋଉ ଥାଆନ୍ତି । ଏହା ମାନସପଟରେ ଓଡ଼ିଆଙ୍କ ବେଶଭୁଷା ଓ ବିରତ୍ବର କାହାଣୀ ଉଜ୍ଜିବିତ କରେ । ସୂଚନା ଥାଉ କି ପ୍ରଭୁ ଜଗନ୍ନାଥ ମଧ୍ୟ କାର୍ତ୍ତିକ ମାସରେ ବର୍ଷକୁ ଥରେ ନାଗା ବେଶରେ ସଜେଇ ହୁଅନ୍ତି ।

ଏହି ଯାତ୍ରାରେ କେବଳ ରାବଣର ମୁକୁଟ କାଗଜରେ ତିଆରି । ପ୍ରାୟ ୬୦ କିଗ୍ରା ଏବଂ ସମଗ୍ର ଶରୀରର ବେଶଭୁଷା ଦେଢ଼ କୁଇଂଟାଲରୁ କମ ହେବନି ।  ଅଭିନୟ କରୁଥିବା କଳାକାର ଏହି ଭାର କେବଳ ସମ୍ଭାଳେ ନାହିଁ ନୃତ୍ୟ ପରିବେଷଣ ସହ ନିର୍ଭୁଲ ଭାବେ ସଂସ୍କୃତ ପଦ୍ୟ ଉଚ୍ଚାରଣ ମଧ୍ୟ କରିଥାଏ । ନାଗା ମେଢ଼ଗୁଡ଼ିକ ସହ ସତସତିକା ହାତ ହତିଆର ସହ ନୃତ୍ୟରତ ଦୁର୍ଗା ମେଢ଼, ଏବଂ ଅନ୍ୟ ଦେବତା ଭାବେ ପଞ୍ଚମୁଖ ଗଣେଷ ଆକର୍ଷଣର କେନ୍ଦ୍ର ଅଟନ୍ତି ।

ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ନାଗା, ଆଖଡା ସଂସ୍କୃତି ରଦ୍ଧିମନ୍ତ କରିବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ର ମହୋତ୍ସବ ଆୟୋଜିତ ହେଉଛି । ପର୍ଯ୍ୟଟକଙ୍କ ଲାଗି ଗୋଟିଏ ମଞ୍ଚରେ ସାହିମାନଙ୍କ ପରିବେଷଣର ବ୍ୟବସ୍ଥା କରାଯାଇଛି । ଏଥି ସହ ଅନ୍ୟାନ୍ୟ ଲୋକ ନୃତ୍ୟ, ଶଙ୍ଖ ବାଦନ, ଆଖଡା ସଂଗୀତ, ଗୋଟିପୁଅ ନାଚ, ଖଣ୍ଡା ଲଢ଼େଇ, ଲଉଡ଼ି ଖେଳ, କସରତ, ମେଢ଼ ନୃତ୍ୟ, ମୁଖା ନାଚ ଦର୍ଶକମାନେ ଉପଭୋଗ କରନ୍ତି ।

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments