୧୮୯୯ରେ ସମ୍ବଲପୁର ଅଞ୍ଚଳରେ ଭୟାବହ ଦୁର୍ଭିକ୍ଷ ଦେଖାଦେଇଥିଲା । ଏହା ୧୮୬୬ ମସିହାରେ ଘଟିଯାଇଥିବା ଉପକୂଳ ଓଡ଼ିଶାର ନ’ଅଙ୍କ ଦୁର୍ଭିକ୍ଷ ଭଳି ମନୁଷ୍ୟକୃତ ଥିଲା । ୧୮୯୦ରେ ଝାରସୁଗୁଡ଼ା ଦେଇ ବମ୍ବେ-କଲିକତା ରେଳପଥ ନିର୍ମାଣ ହେବାପରେ ୧୮୯୪ରେ ଝାରସୁଗୁଡ଼ାଠାରୁ ସମ୍ବଲପୁରକୁ ରେଳପଥ ନିର୍ମାଣହେଲା । ଫଳରେ ଏହି ଅଞ୍ଚଳରୁ ଉତ୍ପାଦିତ ଶସ୍ୟକୁ ସଂଗ୍ରହକରି ରେଳମାଧ୍ୟମରେ ପଠାଇ ଦିଆଗଲା । ଅଥଚ ଆବଶ୍ୟକ ସମୟରେ ଶସ୍ୟ ଆମଦାନୀର କୌଣସି ବ୍ୟବସ୍ଥା କରାଯାଇ ନଥିଲା । ଖାଦ୍ୟ ରପ୍ତାନୀହାର ଏଭଳି ମାତ୍ରାରେ ବୃଦ୍ଧିପାଇଲା ଯେ ମାତ୍ର ୩/୪ବର୍ଷ ପରେ ଯେଉଁ ଭୟଙ୍କର ଦୁର୍ଭିକ୍ଷ ଦେଖାଦେଲା, ସେଥିରେ ସମ୍ବଲପୁର ଜିଲ୍ଲାର ୮ ଲକ୍ଷ ମଧ୍ୟରୁ ୧ ଅକ୍ଟୋବର ୧୮୯୯ ରୁ ୩୦ ସେପ୍ଟେମ୍ବର୧୯୦୦ମଧ୍ୟରେ ୬୨ହଜାର୯୨୪ଜଣ ଓଡ଼ିଆ ପ୍ରାଣ ହରାଇ ଥିବାବେଳେ ଏହାର ୫ଗୁଣ ସ୍ୱଚ୍ଛଳ ଓଡ଼ିଆ ସବୁକିଛି ହରାଇ ନିଃସ୍ୱ ହୋଇଯାଇଥିଲେ । ଏପରିକି ଏମାନେ ସରକାରଙ୍କୁ ବିଭିନ୍ନ ନିବେଦନ ଓଡ଼ିଆଭାଷାରେ ଲେଖି ପଠାଉଥିବାରୁ ଅଣଓଡ଼ିଆ କିରାଣୀଦଳ ଏହିସବୁ ଦରଖାସ୍ତକୁ ଚିରି ଦେଉଥିଲେ କିମ୍ବା ନାଲିଫିତା ତଳେ ଲୁଚାଇ ରଖି ଦେଉଥିଲେ । ଜିଲ୍ଲା ମୁଖ୍ୟପ୍ରଶାସନିକ କାର୍ଯ୍ୟାଳୟରେ କିରାଣୀ ଥିବା ଦାଶରଥି ମିଶ୍ର ଏ ସମ୍ପର୍କିତ ତଥ୍ୟ ଭାଇ ଶ୍ରୀପତି ମିଶ୍ରଙ୍କ ମାଧ୍ୟମରେ ଅନ୍ୟମାନଙ୍କୁ ସୂଚନା ଦେଇ ହିନ୍ଦୀଭାଷୀ କର୍ମଚାରୀଙ୍କ ଚକ୍ରାନ୍ତ ବିରୁଦ୍ଧରେ ଜନମତ ସୃଷ୍ଟି କରିବାରେ ଚେଷ୍ଟିତ ଥିଲେ । ଆଉଜଣେ ଓଡ଼ିଆପ୍ରାଣ ବ୍ୟକ୍ତିତ୍ୱ ତଥା ସମ୍ବଲପୁରର ଅତିରିକ୍ତ ସହକାରୀ କମିଶନର ବୈକୁଣ୍ଠନାଥ ପୂଜାରୀ ୧୯୦୧ର ଜନଗଣନା କାର୍ଯ୍ୟରେ ଉପୁଜିଥିବା ବିଶୃଙ୍ଖଳାର ତଦାରଖ ଦାୟିତ୍ୱରେ ଥିବାବେଳେ ରାତିରାତି ଅନିଦ୍ରା ହୋଇ ଗ୍ରାମାଞ୍ଚଳର ସାଧାରଣ ନିରୀହ ଓଡ଼ିଆଙ୍କୁ କୌଣସି ପ୍ରଲୋଭନର ବଶବର୍ତ୍ତୀ ନ ହୋଇ ଭୟ ଓ ଆଶଙ୍କାରହିତ ଭାବେ ନିଜ ମାତୃଭାଷା ଓଡ଼ିଆ ବୋଲି ଜନଗଣନାକାରୀଙ୍କୁ ଦୃଢ଼ଭାବେ କହିବାପାଇଁ ପରାମର୍ଶ ଦେଉଥିଲେ । ଏହି ସୂଚନା ଜିଲ୍ଲାପାଳ ପାଇବାରୁ ପୂଜାରୀ ମହାଶୟଙ୍କୁ ଜବଲପୁର ବଦଳି କରାଗଲା । ସେହିପରି ଯୁବନେତୃତ୍ୱ ତଥା ଆଇନଜୀବୀ ଚନ୍ଦ୍ରଶେଖର ବେହେରା ମଧ୍ୟ ଓଡ଼ିଆଭାଷାର ସ୍ଥିତି ରକ୍ଷାପାଇଁ ବାହାରି ପଡ଼ିଲେ । ୧୯୦୧ବେଳକୁ ହିନ୍ଦୀଭାଷୀଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସାଧାରଣ ଜନତାଙ୍କ ଭିତରେ ଏଭଳି ଆଲୋଡ଼ନ ସୃଷ୍ଟି ହେଲା ଯେ, ମଇମାସରେ ମଦନମୋହନ ମିଶ୍ରଙ୍କ ନେତୃତ୍ୱରେ ଓ ୨୯ଜୁଲାଇ ୧୯୦୧ରେ ବ୍ରଜମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ନାଗପୁର ଚିଫ କମିଶନର ଫ୍ରେଜର ସାହେବଙ୍କୁ ଓଡ଼ିଆଭାଷାର ପୁନଃ ପ୍ରଚଳନପାଇଁ ଦାବିପତ୍ର ପ୍ରଦାନ ପୂର୍ବକ ନିଜ ଅଧିକାର ସାବ୍ୟସ୍ତ କରିବାକୁ ବାହାରି ପଡ଼ିଲେ । ଓଡ଼ିଆତ୍ୱର ଆବେଗରେ ହଜିଯାଇଥିବା ୫ଜଣ ବ୍ୟକ୍ତି କେତେବେଳେ ଚାଲିଚାଲି, କେତେବେଳେ ଟାଙ୍ଗାଗାଡ଼ି କିମ୍ବା ରେଳଗାଡ଼ି ଯୋଗେ ଦୀର୍ଘପଥ ଅତିକମ୍ର କରି୧୬ସେପ୍ଟେମ୍ବର୧୯୦୧ରେ ଶିମଳାଠାରେ ପହଞ୍ଚିଲେ । ମାତ୍ର ଶିମଳାରେ ଉଭୟ ବଡ଼ଲାଟ ଲର୍ଡ କର୍ଜନ ଓ ମଧ୍ୟପ୍ରଦେଶ ଗଭର୍ଣ୍ଣର ଆଣ୍ଡ୍ୟୁ ଫ୍ରେଜର ଉପସ୍ଥିତ ଥିଲେ ମଧ୍ୟ ସାକ୍ଷାତ ପାଇପାରି ନ ଥିଲେ । ତେବେ ପୂର୍ବରୁ ସମ୍ବଲପୁରର କଲେକ୍ଟର ତଥା ଏହି ସମୟରେ ମଧ୍ୟପ୍ରଦେଶର ଗଭର୍ଣ୍ଣରଙ୍କ ଘରୋଇ ସଚିବ ଭାବେ ନିଯୁକ୍ତି ପାଇଥିବା କ୍ରମ୍ପଟ ସାହେବଙ୍କ ପରାମର୍ଶ କ୍ରମେ ଦାବିପତ୍ର ପ୍ରଦାନ କରି ସମ୍ବଲପୁର ଫେରି ଆସିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ସମୟରେ ଶିମିଳାଠାରେ ଚାଲିଥିବା ‘ସର୍ବଭାରତୀୟ ଶିକ୍ଷାନୀତି’ ସଂପର୍କିତ ସମ୍ମିଳନୀରେ ବଡ଼ଲାଟ କର୍ଜ୍ଜନ ମଧ୍ୟପ୍ରଦେଶ ସରକାର ଆଣ୍ଡ୍ୟୁ ଫ୍ରେଜରଙ୍କୁ ମଧ୍ୟପ୍ରଦେଶ ଅଧିନସ୍ଥ ନାଗପୁରରେ ମରାଠୀ ଓ ସିରରେ ତେଲୁଗୁ ଭାଷା ପ୍ରଚଳନ ହେଉଥିବା ବେଳେ ସମ୍ବଲପୁରରେ ଓଡ଼ିଆଭାଷା ପ୍ରଚଳନ ନ ହେବ କାହିଁକି ବୋଲି ସ୍ପଷ୍ଟୀକରଣ ଚାହିଁଥିଲେ । ଓଡ଼ିଆଭାଷା ପ୍ରଚଳନକୁ ଦୃଢ଼ବିରୋଧ କରୁଥିବା ଫ୍ରେଜର ଏହାର ଉତ୍ତର ଦେଇପାରି ନ ଥିଲେ । ତେଣୁ ଏହାପରେ ସେ ନିଜ ପ୍ରତ୍ୟକ୍ଷ ଅନୁଭୂତିକୁ ନିରପେକ୍ଷ ରଖିବାପାଇଁ ସିଧାସଳଖ ସମ୍ବଲପୁର ଆସି ବିଭିନ୍ନ ଜନତାଙ୍କଠାରୁ ମତାମତ ସଂଗ୍ରହ କରିଥିଲେ । ୨୬ ତାରିଖ ସକାଳେ ତାଙ୍କୁ ସମ୍ବଲପୁରବାସୀଙ୍କଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଗଲା ।
‘ସମ୍ବଲପୁର ହିତୈଷିଣୀ’ ବର୍ଣ୍ଣନାନୁସାରେ- “ମାନ୍ୟବର ଫ୍ରେଜର ସାହେବ ଯହିଁ ଯହିଁ ଗଲେ, ସେଠାରେ ଓଡ଼ିଆମାନଙ୍କର ହୃଦୟନିହତି ମର୍ମାନ୍ତିକ ବେଦନାଜନିତ ଆର୍ଭିନାଦ ଶ୍ରବଣ କଲେ । ଓଡ଼ିଆଙ୍କ ଦୁଃଖରେ ତାଙ୍କର ହୃଦୟ ବିଗଳିତ ହେଲା । ସେ ତତ୍କ୍ଷଣାତ୍ ବୁଝିପାରିଲେ ଯେ, ଓଡ଼ିଆଙ୍କର ଦୁଃଖ କାଳ୍ପନିକ ନୁହେଁ, କିନ୍ତୁ ହୃଦୟଜାତ ଏବଂ ସ୍ୱାଭାବିକ ।” ସମ୍ବଲପୁରବାସୀ ଓଡ଼ିଆମାନଙ୍କର ଭାଷାନିମିତ୍ତି ଗଭୀର ଉଦ୍ବେଗ ଲକ୍ଷ୍ୟ କରି କହିଥିଲେ, “ଆମ୍ଭେ ଆପଣମାନଙ୍କର ଦେଶରେ ଉପସ୍ଥିତ ହୋଇ ଆପଣମାନଙ୍କ ଭାଷା ପରିବର୍ତ୍ତନ ଜନିତ ଦୁଃଖକଷ୍ଟ ବିଷୟରେ ଅନୁସନ୍ଧାନ କଲୁ । ଆପଣମାନେ ପ୍ରକୃତରେ କଷ୍ଟ ଅନୁଭବ କରୁଛନ୍ତି ଏବଂ ଏତଦ୍ ଦୃଷ୍ଟିରେ ଆମ୍ଭେ ସମ୍ବଲପୁରରେ ଓଡ଼ିଆ ପୁନଃପ୍ରଚଳନ ନିମନ୍ତେ ନିକଟରେ ଗଭର୍ଣ୍ଣର ଜେନେରାଲ ବାହାଦୁରଙ୍କ ନିକଟକୁ ଲେଖୁଅଛୁ । ଆପଣମାନେ ମନେକରନ୍ତୁ ଯେ ଓଡ଼ିଆ ଆଜିଠାରୁ ସମ୍ବଲପୁରର ଅଦାଲତ ଭାଷା ହେଲା । ଆପଣ ଜାଣିରଖନ୍ତୁ,ଜାନୁଆରୀମାସ ପ୍ରଥମ ତାରିଖଠାରୁ କାଗଜପତ୍ର ଓଡ଼ିଆରେ ଲିଖିତ ହେବାର ଆଦେଶ ଅବିଳମ୍ବେ ପ୍ରଚାରିତ ହେବ ।” (ହିତୈଷିଣୀ, ୧୬ ଅକ୍ଟୋବର ୧୯୦୧, ପୃ-୯୦)
ଦୀର୍ଘ ଛଅବର୍ଷର ନିର୍ବାସନଦଣ୍ତ ପରେ ଓଡ଼ିଆଙ୍କ ମୁଖରେ ଓଡ଼ିଆଭାଷା ପୁନଃ ପ୍ରଚଳିତ ହେଲା । ଆଣ୍ଡ୍ୟୁ ଫ୍ରେଜର ନିଜକଥା ଅନୁସାରେ ଅକ୍ଟୋବର ୧୯୦୧ରେ ନିଜ ଭାଷା ଓ ଜାତୀୟତା ମତାମତ ବଡ଼ଲାଟଙ୍କୁ ଦେବାପରେ ବଡ଼ଲାଟଙ୍କ ଆଦେଶାନୁସାରେ ୧ଜାନୁଆରୀ୧୯୦୩ରୁ ଓଡ଼ିଆଭାଷା ସମ୍ବଲପୁରରେ ଲାଗୁ ହେବା ସହ୫୦ଟି ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଆଶିକ୍ଷା ପ୍ରଚଳନ ହେଲା । ଏହି ସମୟବେଳକୁ ଫ୍ରେଜର ଛୋଟଲାଟ (ବଙ୍ଗଳାର ଗଭର୍ଣ୍ଣର) ହୋଇ ସାରିଥିଲେ । ସମ୍ବଲପୁରବାସୀଙ୍କ ପ୍ରତି ଫ୍ରେଜରଙ୍କ ଅନୁକୂଳ ଭାବନାର ସୁଯୋଗ ନେବାକୁ ଓଡ଼ିଆଗଣ ବାହାରିପଡ଼ିଲେ । ଫଳରେ ୮ ଜାନୁଆରୀ ୧୯୦୪ ରିଖ ସକାଳ ଆଠଟାରେ ସମ୍ବଲପୁର ଜିଲ୍ଲାସ୍କୁଲରେ ଅନୁଷ୍ଠିତ ବୈଠକରେ ଗୃହୀତ ପ୍ରସ୍ତାବ ଫ୍ରେଜରଙ୍କ ନିକଟକୁ ପଠାଇଥିଲେ । ଯାହାକୁ ସେ ଗୃହୀତ କରାଇ ଦେଇଥିଲେ । ଭାଷା ଆନ୍ଦୋଳନରେ ସଫଳ ହେବାପରେ ସମ୍ବଲପୁରକୁ ଓଡ଼ିଆ ଭୂଖଣ୍ଡରେ ମିଶାଇବାପାଇଁ ଶକ୍ତି ମିଳିଗଲା ।
“ସମ୍ବଲପୁରରେ ହିନ୍ଦୀଭାଷା ପ୍ରଚଳନ ବିରୁଦ୍ଧରେ ପ୍ରଥମ ସ୍ୱର ଉତ୍ତୋଳନ ଓ ସମ୍ବଲପୁରକୁ ଓଡ଼ିଶା ସହ ମିଶାଇ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଚନ୍ଦ୍ରଶେଖର ବେହେରାଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଲା ।”
ଚନ୍ଦ୍ରଶେଖର ବେହେରା (୧୮୭୩-୧୯୩୬) ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଅସହଯୋଗ ଆନ୍ଦୋଳନର ଜଣେ ସକ୍ରିୟ ସଦସ୍ୟ ଥିଲେ । ଓଡ଼ିଶାରେ କଂଗ୍ରେସର ପ୍ରତିଷ୍ଠା ତାଙ୍କ ଦିଗଦର୍ଶନରେ ହୋଇଥିଲା । ସମ୍ବଲପୁରରେ ଆଞ୍ଚଳିକ ସ୍ତରର ସ୍ୱାଧୀନତା ସଂଗ୍ରାମ କାର୍ଯ୍ୟକଳାପକୁ ସେ ଜାତୀୟ କଂଗ୍ରେସ ସହ ମିଶ୍ରଣ କରିଥିଲେ । ୧୯୨୮ରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ପ୍ରଥମ ଗସ୍ତ ଅବସରରେ ଚନ୍ଦ୍ରଶେଖର ବେହେରାଙ୍କ ଘରେ ଅବସ୍ଥାନ କରିଥିଲେ ।
ଗୋପବନ୍ଧୁଙ୍କ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନା ସମସାମୟିକ ସେ ସମ୍ବଲପୁରରେ ନାସନାଲ ସ୍କୁଲ ଅଫ ସମ୍ବଲପୁର ପ୍ରତିଷ୍ଠା କରିଥିଲେ । ସେ ମହାତ୍ମା ଗାନ୍ଧୀଙ୍କ ଆଗରୁ ଅସ୍ପୃଶ୍ୟତା ବିରୋଧରେ ଲଢ଼େଇ ଆରମ୍ଭ କରିଥିଲେ । ଅସ୍ପୃଶ୍ୟତା ବିରୋଧରେ ଗଣଆନ୍ଦୋଳନ ଡାକରା ଦେଇଥିଲେ । ଏକ ହରିଜନ ଆଶ୍ରମ ମଧ୍ୟ ପ୍ରତିଷ୍ଠା କରିଥିଲେ । ସେ ବ୍ରାହ୍ମଣବାଦର ବିରୋଧୀ ଥିଲେ ଓ ସେଥିପାଇଁ ତାଙ୍କୁ ଏକଦା ଦଣ୍ଡିତ ହେବାକୁ ମଧ୍ୟ ପଡ଼ିଥିଲା ।କିନ୍ତୁ ତାଙ୍କ ଚିନ୍ତାଧାରା ନିଜ ସମୟ ଠାରୁ ବହୁ ଆଗରେ ଥିଲା । ନିର୍ଭୀକତା ସ୍ପଷ୍ଟବାଦିତା, ସଚ୍ଚୋଟତା ଚନ୍ଦ୍ରଶେଖରଙ୍କ ଆଦର୍ଶ ଥିଲା ।
ଭାଷା ଭିତ୍ତିକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ତଥା ଓଡ଼ିଶାରେ ସମ୍ବଲପୁରର ମିଶ୍ରଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ ଉତ୍କଳ ସମ୍ମିଳନୀର ଜଣେ ନେତା ଥିଲେ । ସମ୍ବଲପୁରରେ ହିନ୍ଦୀ ଭାଷା ପ୍ରଚଳନ ପାଇଁ ହୋଇଥିବା ଉଦ୍ୟମ ବିରୋଧରେ ସେ ପ୍ରଥମେ ସ୍ବର ଉତ୍ତୋଳନ କରିଥିଲେ । ବିଭିନ୍ନ ପ୍ରଦେଶରେ ମିଶିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ସ୍ବତନ୍ତ୍ର ଓଡ଼ିଶା ଗଠନ ପାଇଁ ହୋଇଥିବା ସଂଗ୍ରାମରେ ସେ ଜଣେ ଆଗ ଧାଡ଼ିର ସଦସ୍ୟ ଥିଲେ ।
ସମ୍ବଲପୁରର ମୁନିସିପାଲିଟିର ନଗରପାଳ (ଚେୟାରମ୍ୟାନ) ଭାବେ ଗୁରୁଦାୟିତ୍ୱ ତୁଲାଇଥିଲେ । ସେ ଜଣେ ଦକ୍ଷ ଓକିଲ ଥିଲେ । ସମ୍ବଲପୁର ଅଞ୍ଚଳର ପ୍ରଥମ ଓକିଲ ଭାବେ ୧୯୦୧ ମସିହା ସେପ୍ଟେମ୍ବର ୨୩ ତାରିଖରେ କାର୍ଯାରମ୍ଭ କରିଥିଲେ ।୧୯୦୮ ଡିସେମ୍ବର ୨୩ ତାରିଖରେ ଚନ୍ଦ୍ରଶେଖରଙ୍କ ନେତୃତ୍ବରେ ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ ଗଠିତ ହୋଇଥିଲା । କେବଳ ପ୍ରଥମ ଓକିଲ ଭାବେ ନୁହେଁ, ସମ୍ବଲପୁରର ଭାଷା ଆନ୍ଦୋଳନର ମୁଖ୍ୟ ସୂତ୍ରଧର, ସମ୍ବଲପୁର ମୁନିସିପାଲିଟିର ପ୍ରଥମ ନିର୍ବାଚିତ ଅଧ୍ୟକ୍ଷ, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସଂସ୍କାରକ ଭାବେ ଚିରସ୍ମରଣୀୟ ହୋଇ ରହିବେ । ଏଥିପାଇଁ ତାଙ୍କୁ ପଶ୍ଚିମ ଓଡ଼ିଶାର ବରପୁତ୍ର କହିଲେ ଅତ୍ୟୁକ୍ତି ହେବନାହିଁ ।
*ଚନ୍ଦ୍ରଶେଖର ବେହେରାଙ୍କ ଆଗାମୀ ୧୪୫ ତମ ଜନ୍ମ ଜୟନ୍ତୀ: ୨୦ ମଇ ୨୦୧୭ ଓ ଶ୍ରାଦ୍ଧବାର୍ଷିକୀ: ୨୩ ଜାନୁଆରୀ*
(ଏହି ଲେଖାଟିର କିଛି ଅଂଶ ସୁବ୍ରତ କୁମାର ପୃଷ୍ଟିଙ୍କ “ଭାଷା ଓ ଜାତୀୟତା” ବହିରୁ ଅଣାଯାଇଛି ।)
——————————————————————————————————————–
Author NISTHA RANJAN DASH (@DashNistha on twitter)
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPost. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…