ରାଧାନାଥଙ୍କ ସମୟରେ ଓଡ଼ିଆ ଭାଷା ଆନ୍ଦୋଳନ ସକ୍ରିୟ ରୂପ ନେଇଥିଲା । ଓଡ଼ିଆ ଭାଷା, ସେତେବେଳେ ବଙ୍ଗଳା ଭାଷା ତୁଳନାରେ ମଧ୍ୟଯୁଗୀୟ ସାହିତ୍ୟପୁଷ୍ଟ ଥିଲେ ମଧ୍ୟ କିଛି ବଙ୍ଗାଳୀ ଶିକ୍ଷାବିତ ଓଡ଼ିଆ ଭାଷାକୁ ବିଲୁପ୍ତ କରିବାକୁ ଏବଂ ଓଡ଼ିଶା ବିଦ୍ୟାଳୟମାନଙ୍କରେ ଶିକ୍ଷାର ମାଧ୍ୟମ ବଙ୍ଗଳା କରିବାକୁ ଚକ୍ରାନ୍ତ କଲେ । କେବଳ ସେତିକି ନୁହେଁ ବଙ୍ଗଳାର ଏକ ଉପଭାଷା ଓଡ଼ିଆ ଭାବେ ପ୍ରମାଣ କରିବାକୁ ଭାଷାଗବେଷକଙ୍କୁ ଉସ୍କାଇଲେ । ସେତେବେଳେ ଓଡ଼ିଶା ଶାସନ ଖଣ୍ଡରେ ମାତ୍ର ସାତ ଜଣ ଓଡ଼ିଆ ସ୍କୁଲ ଶିକ୍ଷକ ଅବସ୍ଥାପିତ ଥିଲେ । ଓଡ଼ିଶା ସ୍କୁଲମାନଙ୍କରେ ବଙ୍ଗଳା ଶିକ୍ଷକଙ୍କ ସଂଖ୍ୟା ତୁଳନାରେ ବହୁତ ଅଧିକ ଥିଲା । ଏମିତିକି ଗ୍ରାମାଞ୍ଚଳରେ ବଙ୍ଗାଳି ଶିକ୍ଷକଙ୍କ ସଂଖ୍ୟା ମଧ୍ୟ ବେଶୀ ଥିଲା । ବଙ୍ଗାଳି ଶିକ୍ଷକଙ୍କ ଦ୍ବାରା ଓଡ଼ିଆ ଛାତ୍ରଙ୍କୁ ବଙ୍ଗଳା ପାଠ୍ୟ ପୁସ୍ତକ ପଢ଼ିବାକୁ ବାଧ୍ୟ କରାଗଲା । ରାଧାନାଥ ରାୟ ସେତେବେଳେ ଓଡ଼ିଶା ସ୍କୁଲ ଅସୋସିଏସନର ଇନସ୍ପେକ୍ଟର ଭାବେ ଯୋଗଦେଲେ । ରାଧାନାଥ ବଙ୍ଗୀୟ ହେଲେ ମଧ୍ୟ ଓଡ଼ିଆ ପ୍ରତିଥିଲା ତାଙ୍କର ଅହେତୁକ ଦୁର୍ବଳତା ଥିଲା । ସେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଓ ମହାନିୟତାକୁ ହୃଦୟଙ୍ଗମ କରିପାରିଥିଲେ । ସେତେବେଳେ ବିଦ୍ୟାଳୟରେ ବଙ୍ଗଳା ପାଠ୍ୟ ପୁସ୍ତକ ପ୍ରଚଳନକୁ ବିରୋଧ କରି ଓଡ଼ିଆ ବହି ବ୍ୟବହାର ପାଇଁ ଚାପ ପକେଇଥିଲେ ।
ଜନ ବିମସ ସେତେବେଳେ ଇଷ୍ଟଇଣ୍ଡିଆ କମ୍ପାନୀର ଅଧିକାରୀ ଥିଲେ । ଯେ କି ତୁଳନା କରି ଜାଣିପାରିଲେ ଯେ ବଙ୍ଗଳା ଅପେକ୍ଷା ଓଡ଼ିଆ ଭାଷା ଅତି ପ୍ରାଚୀନ ଏବଂ ଉତ୍କୃଷ୍ଟ । ରାଧାନାଥଙ୍କ ଲେଖାଲେଖି ଜନ ବିମସଙ୍କ ନଜରକୁ ଆସିବା ପରେ ଓଡ଼ିଆ ଭାଷାରେ ସାହିତ୍ୟ ରଚନା ପାଇଁ ବିମସ ପରାମର୍ଶ ଦେଲେ । ସେସମୟରେ ରାଧାନାଥ ରାୟ, ମଧୁସୂଦନ ରାଓ ଏବଂ ଫକୀରମୋହନ ସେନାପତି ନିଜର ସାହିତ୍ୟ ସମ୍ଭାର ବୃଦ୍ଧି କରି ଭାଷା ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ । ଭାଷା ମାଫିଆଙ୍କ ବିରୋଧରେ ଲଢେଇ କରି ଓଡ଼ିଶାରେ କୁଚକ୍ରାନ୍ତ ରଚୁଥିବା ଗୋଷ୍ଠୀକୁ ଉଚିତ ଜବାବ ଦେଇଥିଲେ ।
କବିବର ରାଧାନାଥ (୧୮୪୮-୧୯୦୮) ରୀତି ଯୁଗର ଶେଷ ପ୍ରତିନିଧି ଭାବେ ଓଡ଼ିଆ ସାହିତ୍ୟ ଜଗତରେ ଅବିର୍ଭାବ ହୋଇଥିଲେ । ସେ ପ୍ରାଚୀନ କାବ୍ୟ ସାହିତ୍ୟ ପରମ୍ପରାକୁ ବିଦାୟ ଦେଇ ନବ ସାହିତ୍ୟର ମୂଳଦୁଆ ପକେଇଥିଲେ । ଉନ୍ନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ସେ ପାଶ୍ଚାତ୍ୟ ସାହିତ୍ୟ ଦ୍ବାରା ବିଶେଷ ଭାବେ ଅନୁପ୍ରାଣିତ ହୋଇଥିଲେ । ଉର୍ଦ୍ଦୁ, ପାର୍ସୀ ଶିକ୍ଷା ପିଲାବେଳୁ ତାଙ୍କୁ ମିଳିଥିଲା ତା ସହ ଇଂରାଜୀ, ସଂସ୍କୃତ ବଙ୍ଗଳା ଏବଂ ଓଡ଼ିଆ ଭାଷାରେ ତାଙ୍କର ଅସାଧାରଣ ପାଣ୍ଡିତ୍ୟ ଥିଲା । ପ୍ରଥମେ ବଙ୍ଗାଳି ଭାଷାରେ କବିତା ଲେଖାଲେଖି ଆରମ୍ଭ କରି ପରେ ଓଡ଼ିଆ ଭାଷାକୁ ଆଦରି ନେଇଥିଲେ । ତାପରେ ଓଡ଼ିଆ ସାହିତ୍ୟ ଜଗତ ନୂଆ ଏକ ଯୁଗରେ ପ୍ରବେଶ କରିଥିଲା । ସେ ତାଙ୍କର ପ୍ରଥମ ଗଦ୍ୟ ‘’ବିବେକୀ ୧୮୭୩ରେ ଏବଂ ୧୮୮୫ରେ ପ୍ରଥମ କାବ୍ୟ ‘’କେଦାରଗୌରୀ’’ ପ୍ରକାଶ କଲେ । ମାତ୍ର ୧୮ ବର୍ଷ ବୟସରେ ବଙ୍ଗଳା ଭାଷାରେ ଅନେକ କବିତାରେ ଭରା ‘’କବିତାବଳୀ’’ ପୁସ୍ତକ ରଚନା କରିଥିଲେ । ସେ ଏକାଧାରରେ ଇଂରାଜୀ, ସଂସ୍କୃତ, ବଙ୍ଗଳା ଏବଂ ଓଡ଼ିଆ ସାହିତ୍ୟ ସୃଷ୍ଟି କରିଥିଲେ । ତାଙ୍କ ରଚିତ ମହକାବ୍ୟ ‘’ମହାଯାତ୍ରା’’ ସହିତ ‘’ଚିଲିକା’’, ‘’ଦରବାର’’, ‘’ଉର୍ବଶୀ’’, ‘’ନନ୍ଦିକେଶ୍ଵରୀ’’, ‘’କେଦାରଗୌରୀ’’, ‘’ଯଯାତି କେଶରୀ’’ ଏକାଧିକ କାବ୍ୟାବଳୀରେ ଓଡ଼ିଆ ସାହିତ୍ୟ ଭଣ୍ଡାର ସମୃଦ୍ଧ ହୋଇଥିଲା । ସଂସ୍କୃତରେ ଜାତୀୟ କବିତା ‘’ସର୍ବେଷାଂ ନୋ ଜନନୀ…’’(?), ‘’କଳକୀ ସ୍ତୋତ୍ରମ’’, ‘’ଧବଳେଶ୍ଵର ମଣ୍ଡିତମ’’, ‘’ହଂସଧ୍ବଜ ରଚନା’’, ଏବଂ ‘’ମେଘଦୂତ’’ ଭଳି ଅନେକ ମହାକାବ୍ୟ ରଚନା କରିଛନ୍ତି ।
ଉତ୍କଳର ପ୍ରାକୃତିକ ଦୃଶ୍ୟ ବର୍ଣ୍ଣନା ତାଙ୍କୁ ଅମର କରି ରଖିବ । ତାଙ୍କ ରଚନାର ମାଧୁର୍ଯ୍ୟ, ପଦଲାଳିତ୍ୟ, ସାରଲ୍ୟ ଓ ସୁରୁଚି ପାଠକ ମାତ୍ରକୁ ହିଁ ମୁଗ୍ଧ କରେ । ଚରିତ୍ର ଚିତ୍ରଣରେ ସେ ସମ୍ପୁର୍ଣ୍ଣ ସିଦ୍ଧହସ୍ତ ଥିଲେ । ଓଡ଼ିଆ ସାହିତ୍ୟରେ ପ୍ରବେଶ ପରେ ଜଣେ ଜାତୀୟ ସ୍ତରୀୟ ପ୍ରଥମ ଓଡ଼ିଆ କବି ଭାବେ ସମଗ୍ର ଭାରତ ବର୍ଷରେ ପରିଚିତ ହୋଇଥିଲେ । ଆଧୁନିକ ସାହିତ୍ୟର ଦିଗଦର୍ଶକ ଓ ଓଡ଼ିଆ ଭାଷା ପ୍ରାଣ ପୁନଃ ପ୍ରତିଷ୍ଠାତା କବିବର ରାଧାନାଥ ରାୟ ପ୍ରତିଟି ଓଡ଼ିଆଙ୍କ ପାଇଁ ଚୀରକାଳ ପ୍ରେରଣା ପ୍ରଦାୟକ ହୋଇ ରହିବେ ଏଥିରେ ସନ୍ଦେହ ନାହିଁ ।
ଏଥିସହ ତାଙ୍କୁ ସ୍ମରଣ କରି ତାଙ୍କ ୧୬୮ତମ ଜୟନ୍ତୀ ଅବସରରେ ଆମେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ।
———————————————————————————————————————–
ପ୍ରସଙ୍ଗଟିକୁ ଲେଖିଛନ୍ତି ନିଷ୍ଠା ରଞ୍ଜନ ଦାଶ (@DashNistha on twitter)
ସେ ଜଣେ ଓଡ଼ିଆ ଭାଷା ଓ ସଂସ୍କୃତିପ୍ରେମୀ । #OdiaPost ହାଶଟାଗ ଲଗାଇ Facebook, Twitter ଏବଂ Google ରେ ଖୋଜିଲେ ତାଙ୍କ ଲିଖିତ ପ୍ରସଙ୍ଗ ସବୁ ପାଇ ପାରିବେ । ଆପଣଙ୍କ ମତାମତ [email protected] କିମ୍ବା ଆମ ୱେବସାଇଟରେ (ଏଇଠି ପ୍ରସଙ୍ଗ ତଳେ) ଦେଇପାରିବେ । ଧନ୍ୟବାଦ । Happy reading…