ରାଜ୍ୟର ବିଭିନ୍ନ କଲେଜମାନଙ୍କରେ ନିକଟରେ ଘଟୁଥିବା ନିର୍ବାଚନୀ ହିଂସା ବାବଦରେ ଆପଣ ଅବଗତ ଥିବେ । ଏସବୁ ଏବେର ନୂଆ କଥା ନୁହେଁ ଅତୀତରେ ରାଜ୍ୟର ବଡ଼ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ଵବିଦ୍ୟାଳୟ ବହୁଥର ଜାତୀୟସ୍ତରରେ ଲଜ୍ଜିତ ହୋଇଛି । କେବଳ କଲେଜ ପରିସରରେ ହିଂସା ସୀମିତ ରହୁନାହିଁ । ଅପରପକ୍ଷଙ୍କୁ ଧମକ, ମରଣାନ୍ତକ ଆକ୍ରମଣ, ବସ ପୋଡ଼ି, ଏଟିଏମ ମେସିନ, ବ୍ୟାଙ୍କ, ସରକାରୀ ଅଫିସ ଆଦି ଭଙ୍ଗାରୁଜା ଏମିତିକି ହସ୍ପିଟାଲ ମଧ୍ୟ ଆକ୍ରମଣରୁ ବାଦ ପଡ଼ୁନାହିଁ । କହିବାକୁ ଗଲେ ହିଂସା ଛାତ୍ରଛାତ୍ରୀମାନଙ୍କ ମନରେ ବିଷ ମଞ୍ଜି ବୁଣି ଏତେ କମ ବୟସରୁ କବଳିତ କରୁଛି । ଦେଶର ଭବିଷ୍ୟତ ଅଯଥାରେ ନଷ୍ଟ ଆଡ଼କୁ ଗତି କରୁଛନ୍ତି । ଲାଗେ ହିଂସା ଓ ଦୁର୍ନୀତି ତାର କ୍ଷେତ୍ର ଏଇଠୁ ହିଁ ପ୍ରସ୍ତୁତ କରୁଛି ।
ତେବେ ଶିକ୍ଷିତ ଛାତ୍ରଛାତ୍ରୀଙ୍କଠାରୁ ଏ ସମାଜ କଣ ଆଶାକରେ? ସାଧାରଣ ଜନତାଙ୍କ ଥାଏ ଏପରି ଅନେକ ପ୍ରଶ୍ନ । ଛାତ୍ର ସମାଜ ଏତେ ଉଗ୍ରମୁଖା କାହିଁକି? ବନ୍ଦ ପାଳନ ବେଳେ ନିଜ ସମ୍ପତିକୁ ନଷ୍ଟ କରିବା ପାଇଁ କାହାର ହାତ ଯିବକି? ସରକାରୀ ସମ୍ପତି ନଷ୍ଟ କରି ପାଆନ୍ତି କଣ? ପବିତ୍ର ଶିକ୍ଷା ଅନୁଷ୍ଠାନ ଓ ନିର୍ବାଚନରେ ନ୍ୟସ୍ତସ୍ବାର୍ଥ ଥିବା କୁଚକ୍ରୀ ରାଜନୈତିକ ବ୍ୟକ୍ତିବିଶେଷଙ୍କ ହସ୍ତକ୍ଷେପ କାହିଁକି? ନିର୍ବାଚନ ପୁର୍ବରୁ ହଷ୍ଟେଲ ଛାତ୍ରଛାତ୍ରୀ ଶୁନ୍ୟ ହୋଇଯାଏ କାହିଁକି? ନିର୍ବାଚନ ମତଦାନ ହାର କମ କାହିଁକି? ବର୍ଷକେ ଗୋଟିଏ ମାସ ନିର୍ବାଚନ ପିଛା ନଷ୍ଟ କରିଦିଆଯାଏ କାହିଁକି? ଅନ୍ୟପକ୍ଷରେ ମଧ୍ୟ ଦେଖାଯାଇଛି ଅତୀତରେ ଏପରି ଆତଙ୍କ ସୃଷ୍ଟିକାରୀ ଛାତ୍ରଗୋଷ୍ଠୀଙ୍କ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ରାଜନୈତିକ ଚାପ ହେଉ କି ଛାତ୍ରଙ୍କ ପ୍ରତ୍ୟକ୍ଷ ଧମକ ହେଉ ନିର୍ବାଚନ ପରେ ସବୁ ଶିଥିଳ ପଡ଼ିଯାଏ, ଯେମିତି ସମସ୍ତ ଆତଙ୍କିଙ୍କୁ କ୍ଷମା ମିଳିଗଲା । ଶିକ୍ଷା ଅନୁଷ୍ଠାନ ଏକ ସୁସ୍ଥ ପରିବେଶ ହୋଇ ରହୁନାହିଁ କାହିଁକି?
କଲେଜ ନିର୍ବାଚନର ମୂଳ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ଦାବୀ ଓ ସମସ୍ୟାଗୁଡ଼ିକୁ ସେମାନଙ୍କ ମାଧ୍ୟମରେ ସମାଧାନ ସହ ପାଣ୍ଠିର ସୁବିନିଯୋଗ କରିବା । କିନ୍ତୁ ଯେଉଁମାନେ ଓଡ଼ିଶାର ଏପରି ଶିକ୍ଷାନୁଷ୍ଠାନ ସହ ସଂଶ୍ଲିଷ୍ଠ ଅଛନ୍ତି ସେମାନେ ହୃଦବୋଧ କରନ୍ତି ଯେ ପ୍ରାର୍ଥୀମାନଙ୍କଠାରୁ ଯୁକ୍ତାତ୍ମକ ଫଳ ଆଶା ବହୁତ କମ । କାରଣ ନିର୍ବାଚିତ ପ୍ରାର୍ଥୀ ଦୁର୍ନୀତି ପ୍ରିୟ ଅଟନ୍ତି । ଅନେକ ସଂସ୍ଥାଠାରୁ ଲାଞ୍ଚନେଇଥାନ୍ତି । ହିଂସା ଘଟାନ୍ତି । ସରକାରୀ ସମ୍ପତି ଭଙ୍ଗାରୁଜା କରି ନଷ୍ଟ କରନ୍ତି । ରେଗୁଲାର କ୍ଲାସରେରେ ବ୍ୟାଘାତ ସୃଷ୍ଟି କରନ୍ତି । ତେବେ ବାସ୍ତବ ଠାରୁ ଦୂରେଇ ଯାଉଥିବା ଏପରି ନିର୍ବାଚନ କରାଯିବ କାହିଁକି?
ଓଡ଼ିଶାରେ ଏମିତି କେତୋଟି ହାତଗଣତି ଶିକ୍ଷାନୁଷ୍ଠାନ ଅଛି ଯେଉଁଠି ଏପରି ନିର୍ବାଚନୀ ଉପରେ ଅଙ୍କୁଶ ଲାଗିଛି ଏବଂ ନିୟନ୍ତ୍ରିତ ହୋଇ ପରୋକ୍ଷ ଭାବେ ନିର୍ବାଚନ ସମ୍ଭବ ହେଉଛି । ସମ୍ବଲପୁର ଜିଏମ କଲେଜ, ଛାତ୍ର ସଂସଦ ନିର୍ବାଚନ ପାଇଁ ଏପରି ଏପରି ଉପାୟ ଅବଲମ୍ବନ କରୁଛନ୍ତି । ଏହାଦ୍ୱାରା ନିର୍ବାଚନ କୌଣସି ଗଣ୍ଡଗୋଳ କିମ୍ବା ହୋ ହାଲ୍ଲା ମଧ୍ୟରେ ନହୋଇ ଖୁବ୍ ଶାନ୍ତିପୂର୍ଣ୍ଣ ଭାବେ ହୋଇଆସୁଛି । ସମ୍ପୃକ୍ତ ନିର୍ବାଚନ ପ୍ରକ୍ରିୟାକୁ ନାକ କମିଟି ଉଚ୍ଚ ପ୍ରଶଂସା କରିଛନ୍ତି ।
ଅତୀତରେ ଜିଏମ କଲେଜ ନିର୍ବାଚନ ବେଳେ ହିଂସା ଦେଖାଦେଇଥିଲା ଓ ନିର୍ବାଚନ ଖୁବ୍ ଖର୍ଚ୍ଚ ବହୁଳ ହେବାରେ ଲାଗିଲା । ୧୯୯୮ମସିହାରେ ନିର୍ବାଚନକୁ କେନ୍ଦ୍ର କରି ଏକ ଗଣ୍ଡଗୋଳ ସଂଗଠିତ ହେଲା ତଥା ଶଙ୍କର୍ଷଣ ଦାଶଙ୍କୁ ହତ୍ୟା କରାଗଲା । ଯାହାକୁ ନେଇ ୧୯୯୯ ମସିହାରୁ ସିଧାସଳଖ ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ କରି ଦିଆଗଲା । ଏହା ପରେ ଆଉ ଗଣ୍ଡଗୋଳ କିମ୍ବା ହିଂସାର କୌଣସି ସ୍ଥାନ ନାହିଁ । କିଛିବର୍ଷ ପରେ ପରୋକ୍ଷ ନିର୍ବାଚନ ଆରମ୍ଭ ହେଲା । ୨୦୧୪ ମସିହାରେ ସ୍ୱୟଂଶାସିତ ଗଙ୍ଗାଧର ମେହେର କଲେଜ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପରିଣତ ହେବା ପରେ ମଧ୍ୟ ଏହାର ପୂର୍ବ ନିର୍ବାଚନୀ ପ୍ରକ୍ରିୟାରେ ନିର୍ବାଚନ ଚାଲୁରହିଲା ।
ପ୍ରତିବର୍ଷ ଗୋଟିଏ ଇଲେକ୍ଟୋରାଲ, କଲେଜ ଛାତ୍ର ସଂସଦ ପ୍ରତିନିଧିମାନଙ୍କୁ ମନୋନୀତ କରନ୍ତି । ଉପସ୍ଥାନ ଏବଂ ଶିକ୍ଷାଗତ ପାରଦର୍ଶିତାକୁ ବିଚାରକୁ ନେଇ ପ୍ରତ୍ୟେକ କ୍ଲାସ ଦୁଇଜଣ ଲେଖାଏଁ ପ୍ରତିନିଧିଙ୍କୁ ମନୋନୟନ କରନ୍ତି । ଏହି ମନୋନୀତ ପ୍ରତିନିଧିଙ୍କୁ ନେଇ ଇଲେକ୍ଟୋରାଲ କଲେଜ ଗଠିତ ହୁଏ । କେବଳ ଏଥିରୁ ହିଁ ଛାତ୍ର ପ୍ରତିନିଧିମାନେ ବିଭିନ୍ନ ପଦପଦବୀ ସକାଶେ ମନୋନୟନ ପତ୍ର ଦାଖଲ କରନ୍ତି । ପ୍ରେସିଡେଣ୍ଟ, ସେକ୍ରେଟାରୀ ଏବଂ ଅନ୍ୟ ପଦ ପଦବୀ କେବଳ ପ୍ରତିନିଧିମାନଙ୍କ ଦ୍ବାରା ଭୋଟ ଯୋଗେ ବଛାହୁଅନ୍ତି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜଣେ ବରିଷ୍ଠ ଅଧ୍ୟାପକଙ୍କୁ ପରାମର୍ଶଦାତା ମନୋନୀତ କରନ୍ତି । ଏହି ପରାମର୍ଶଦାତା ଅନ୍ୟ ଅଧ୍ୟାପକମାନଙ୍କ ସହଯୋଗ କ୍ରମେ ନିର୍ବାଚନ ପରିଚାଳନା କରନ୍ତି । ଏପରି ପରୋକ୍ଷ ନିର୍ବାଚନ ପ୍ରକ୍ରିୟା, ପ୍ରତିନିଧିଙ୍କ ବୈଶିଷ୍ଟ୍ୟକୁ ପୁର୍ଣ୍ଣତଃ ପ୍ରତିପାଦନ କରିବା ସହ ହିଂସା କମ କରିଥାଏ ।
ତେବେ ଏବେ ସମୟ ଆସିଛି । ରାଜ୍ୟର ସମସ୍ତ କଲେଜରେ ପରୋକ୍ଷ ନିର୍ବାଚନ ପାଇଁ ସରକାର ଥରେ ଚିନ୍ତା କରିବା ଉଚିତ । ଅତି କମରେ ହିଂସାଠୁ ଶିକ୍ଷା ଅନୁଷ୍ଠାନଗୁଡ଼ିକ ଦୂରେଇ ରହିପାରିଲେ ଛାତ୍ରଛାତ୍ରୀଙ୍କ ବିଦ୍ୟା ଅର୍ଜନର ମହତ ଉଦ୍ଦେଶ୍ୟ ସାର୍ଥକ ହୋଇପାରିବ ।
———————————————————————————————————————–
ପ୍ରସଙ୍ଗଟିକୁ ଲେଖିଛନ୍ତି ନିଷ୍ଠା ରଞ୍ଜନ ଦାଶ (@DashNistha on twitter)
ସେ ଜଣେ ଓଡ଼ିଆ ଭାଷା ଓ ସଂସ୍କୃତିପ୍ରେମୀ । #OdiaPost ହାଶଟାଗ ଲଗାଇ Facebook, Twitter ଏବଂ Google ରେ ଖୋଜିଲେ ତାଙ୍କ ଲିଖିତ ପ୍ରସଙ୍ଗ ସବୁ ପାଇ ପାରିବେ । ଆପଣଙ୍କ ମତାମତ [email protected] କିମ୍ବା ଆମ ୱେବସାଇଟରେ (ଏଇଠି ପ୍ରସଙ୍ଗ ତଳେ) ଦେଇପାରିବେ । ଧନ୍ୟବାଦ । Happy reading…