ଖରାଦିନ ଆସିଲେ ଛକ ବଜାର ରାସ୍ତା ଘାଟ ଆଦିରେ ସ୍ଥାନୀୟ ଜନସାଧାରଣ, ବିଭିନ୍ନ ବେସରକାରୀ ଓ ସରକାରୀ ସଂସ୍ଥାମାନଙ୍କ ସହଯୋଗରେ ସାମୟିକ ଜଳଛତ୍ରମାନ ପ୍ରତିଷ୍ଠା କରାଯାଏ । ଏଇ ଜଳଛତ୍ରଗୁଡ଼ିକରେ ପାଣି ବଦଳେଇବା, ପରିଷ୍କାର ପରିଚ୍ଛନ୍ନତା ରଖିବା, ଛାୟା ଓ ଶୀତଳତା ଆଦିର ସୁବନ୍ଦୋବସ୍ତ କରିବା, ପରିଚାଳକଙ୍କ ଗୁରୁ ଦାୟିତ୍ୱ ହୋଇଥାଏ । ଉଚିତ ପରିଚାଳନା ହୋଇପାରିଲେ ହିଁ ଛତ୍ରଟି ଲୋକଙ୍କ ସେବାରେ ଲାଗିପାରେ । ପଥିକମାନେ ସେଠାରେ ପାଣି ପିଇ ଟିକେ ଶାନ୍ତିରେ ବିଶ୍ରାମ ନେଇପାରିଲେ ହିଁ ଛତ୍ର ସ୍ଥାପନାର ଉଦ୍ଦେଶ୍ୟ ସାର୍ଥକ ହୋଇଥାଏ । ସାଧାରଣତଃ ଦେଖାଯାଏ ଯେ, ଖରାଦିନେ ରାଜ୍ୟର ପ୍ରାୟ ଅଧିକାଂଶ ଜଳଛତ୍ର ନାମକୁ ମାତ୍ର ସ୍ଥାପନ ହୋଇ ଅଲୋଡ଼ା ଭାବେ ପଡ଼ିରହେ । ସ୍ଥାପନ କରି ସାରିବା ପରେ ଏହାର ସୁପରିଚାଳନା ପାଇଁ କେହି ବିଶେଷ ଦୃଷ୍ଟି ଦିଅନ୍ତି ନାହିଁ । ପୁଣି ଖରାଦିନ ଚାଲିଗଲେ ଏ ଜଳଛତ୍ର ସବୁକୁ ଉଠାଇଦିଆଯାଏ । ଖରାଦିନ ବ୍ୟତୀତ ଅନ୍ୟ ଦିନମାନଙ୍କରେ ପଥିକମାନଙ୍କ ଜଳକଷ୍ଟ ନିବାରଣ ପାଇଁ କେହି କେବେ ଚିନ୍ତା କରିନଥାନ୍ତି ।
ସମ୍ବଲପୁର – ବରଗଡ଼ ୬ ନମ୍ବର ଜାତୀୟ ରାଜପଥର ପିସି ବ୍ରିଜ ବୁର୍ଲା ଛକଠାରେ ଏପରି ଏକ ଜଳଛତ୍ର ଦେଖିବାକୁ ମିଳିବ ଯାହା ବାର ମାସ ଯାକ ଲୋକଙ୍କ ସେବାରେ ଲାଗିପାରୁଛି । ରାସ୍ତାକଡ଼ର ଅନେକ ଜଳଛତ୍ର ମଧ୍ୟରୁ ଜୟଦେବ ସାହୁଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଏଇ ଜଳଛତ୍ରଟିର ନିଆରାପଣ ଆପେ ବାରିହୋଇପଡ଼େ । ଜୟଦେବ ଦୀର୍ଘ ଦୁଇବର୍ଷ ହେବ ଏହି ଛତ୍ରକୁ ନିଜ ଉଦ୍ୟମରେ ସଫାସୁତୁରା ଓ ସାଜସଜ୍ଜାରେ ଆକର୍ଷଣୀୟ କରି ଯତ୍ନ ନେଇଆସୁଛନ୍ତି । ଏଥିପାଇଁ ସେ କାହାଠୁ କୌଣସି ସାହାଯ୍ୟ ସହଯୋଗ କେବେ ଆଶା କରି ନାହାନ୍ତି । ବର୍ଷ ତମାମ ଏଇ ଜଳଛତ୍ରଟି ଲୋକଙ୍କ ସେବାରେ ଲାଗି ସେମାନଙ୍କୁ ତୃପ୍ତ କରୁଛି । ଜୟଦେବଙ୍କ ଏଇ ପରୋପକାର କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ପରିସରକୁ ଆସିଛି ।
ବରଗଡ଼ ଜିଲ୍ଲା ଭଟଲି ବ୍ଲକ କେନଲାପାଲି ପଞ୍ଚାୟତର କନକବିରା ଗାଁର ବାସିନ୍ଦା ହେଉଛନ୍ତି ଜୟଦେବ ସାହୁ । ଦୁଇ ଝିଅଙ୍କୁ ବିଭାଦେବା ପରେ ପତ୍ନୀ ଓ ପୁତ୍ରଙ୍କୁ ନେଇ ତାଙ୍କର ଛୋଟ ପରିବାର । ୨୦୧୫ରେ ପୁଅକୁ ଯୁକ୍ତ ତିନି ପଢ଼ାଇବା ସକାଶେ ଘର ଛାଡ଼ି ବୁର୍ଲା ଚାଲିଆସିଥିଲେ ସେ । ଗାଁରେ ଚାଷ କାମକରି ଗୁଜୁରାଣ ମେଣ୍ଟାଉଥିବା ଜୟଦେବ ବୁର୍ଲା ଆସି ରୋଜଗାର ପନ୍ଥାଟିଏ ଖୋଜୁ ଖୋଜୁ ଦିନେ ଜନଗହଳି ଶୁନ୍ୟ ପିସି ବ୍ରିଜ ପାଖ ଜାତୀୟ ରାଜପଥ ଉପର ବୁର୍ଲା ଛକଠାରେ ଅଟକି ଯାଇଥିଲେ । ସେଠାରେ ସେଇ ଉଦୁଉଦିଆ ଖରାଦିନରେ ପାଣି ପାଇଁ ଡହଳବିକଳ ହୋଇପଡ଼ିଥିଲେ । ଦେଖିଲେ ଆଖପାଖରେ ଜଳ ଉତ୍ସ ଥିଲେବି ସେ ଜଳ ପାନୀୟ ଉପଯୋଗୀ ନଥିଲା । ବହୁ କଷ୍ଟରେ ସେଠୁ ୧ କିମି ଦୂର ଏମସିଏଲ ଛକକୁ ଯାଇ ପାଣି ପିଇ ନିଜର ତୃଷ୍ଣା ମେଣ୍ଟାଇଥିଲେ । ବାଟୋଇମାନଙ୍କ ଜଳ କଷ୍ଟ ସମସ୍ୟା ସେଦିନ ତାଙ୍କୁ ବ୍ୟଥିତ କରିଥିଲା । ସେବେଠୁ ସେ ନିଷ୍ପତ୍ତି ନେଲେ ସେହି ରାଜପଥ ଦେଇ ଯାଉଥିବା ବାଟୋଇଙ୍କୁ ଜଳ ସେବା ଯୋଗାଇଦେବେ । ଜଳଦାନ କରି ପୁଣ୍ୟ କମାଇବେ । ତା ପରଠୁ ସେ ତାଙ୍କ କାମରେ ଲାଗିପଡ଼ିଲେ । ସେଇ ଛକରେ ଗଛ ଛାଇ ତଳେ ଗୋଟିଏ ଚାଳିଆ କରି ମାଠିଆ ବସାଇ ଜଳ ଛତ୍ରଟିଏ ସ୍ଥାପନ କଲେ । ସୌଭାଗ୍ୟର କଥା ତାଙ୍କ ମାଠିଆ ସଂଖ୍ୟା ଆଜି ୫ଟିରେ ପହଞ୍ଚିଛି । ଗଛ ଛାଇ ତଳେ ବସିବା ପାଇଁ ତାଙ୍କ ନିର୍ମିତ ୩୦ ଫୁଟର ଏକ ଚିତ୍ରିତ କଂକ୍ରିଟ ପିଣ୍ଡି, ଆଗରେ ସୁସଜ୍ଜିତ ଗାଲିଚା, ପରିଷ୍କାର ଓ ସୁନ୍ଦର ପରିବେଶ ପଥିକ ମନକୁ ସତେଜତାର ସ୍ପର୍ଶ ଦିଏ । ବାଟୋଇମାନେ ସେଇ ଛାଇ ତଳେ ବିଶ୍ରାମ ନେଇ ପାଣି ମନ୍ଦେ ପିଇବା ପାଇଁ ଆକର୍ଷିତ ହୁଅନ୍ତି । ଆହୁରି ମଧ୍ୟ ସ୍ୱଳ୍ପ ଦରରେ ଜୟଦେବଙ୍କ ହାତ ତିଆରି ବେଲ ପଣାର ଆନନ୍ଦ ଉଠାଇବାକୁ ଅନେକ ଇଛାକରିଥାନ୍ତି ।
ଜୟଦେବ ଆର୍ଥିକ ଭାବେ ସ୍ୱଚ୍ଛଳ ନୁହନ୍ତି ତଥାପି ତାଙ୍କ ପରିବାର ଏଇ ମହତ କାର୍ଯ୍ୟ ପାଇଁ ସର୍ବଦା ପୂର୍ଣ୍ଣ ସହଯୋଗ ଦେଇଆସିଛନ୍ତି । ସ୍ତ୍ରୀ କୌଶଲ୍ୟା ପ୍ରତ୍ୟହ ଦୁଇବେଳା ଏକ କିମି ଦୂର ଏମସିଏଲ ଛକଠାରୁ ପାଣି ବୋହି ଆଣିଥାନ୍ତି । ଜଳଛତ୍ର ପାର୍ଶ୍ଵରେ ଖୋଲିଥିବା ଏକ ଚାହା ପାନ ଦୋକାନରୁ ତାଙ୍କ ଗୁଜୁରାଣ ମେଣ୍ଟିଥାଏ । ତାଙ୍କର ପୂରା ଦିନଟି ଏଇ ଛତ୍ରରେ ହିଁ କଟିଯାଏ ।
ସାମର୍ଥ୍ୟ ଥିଲେ ପରର ଉପକାର କରିବା ପାଇଁ କାହାକୁ ମନା କରନ୍ତି ନାହିଁ ଜୟଦେବ । ଏଥିରେ ତାଙ୍କୁ ପୁଣ୍ୟ ମିଳେ ବୋଲି ସେ କୁହନ୍ତି । ଶରୀରରେ ବଳ ଥିବା ପର୍ଯ୍ୟନ୍ତ ଜଳଛତ୍ର ପାଇଁ କାହାକୁ ହାତ ପତାଇବେ ନାହିଁ ବୋଲି ପଣ କରିଛନ୍ତି । ଗାଁ ଛାଡ଼ି ବୁର୍ଲାକୁ ଆସିବା ପୂର୍ବରୁ ତାଙ୍କ ଗାଁରେ ଅନାଥ ଆଶ୍ରମଟିଏ ଖୋଲି ୧୦ ଜଣ ପିଲାଙ୍କୁ ପାଠ ପଢ଼ାଉଥିଲେ । ଆର୍ଥିକ ସମସ୍ୟା ଦେଖାଦେବାରୁ ଆଶ୍ରମ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । ଆଗକୁ ପୁଅ ରୋଜଗାର କ୍ଷମ ହୋଇ ପରିବାରରେ ଆର୍ଥିକ ସ୍ୱଚ୍ଛଳତା ଆଣିଲେ ଅନ୍ନଛତ୍ର ଖୋଲିବାକୁ ଜୟଦେବ ଲକ୍ଷ୍ୟ ରଖିଛନ୍ତି । ଇଛା, ଆନ୍ତରିକତା ଓ ସେବା ମନୋଭାବ ଥିଲେ ଜଣେ ନିଜ କାମ ସହ ସମାଜ ପାଇଁ ମଧ୍ୟ ଅନେକ କିଛି କରିପାରିବ । ତେଣୁ ଜୟଦେବଙ୍କ ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ ବୋଲି ଆମେ ଅନୁମାନ କରୁଛୁ ।
——————————————————————————————————————–
By
Nistha Ranjan Dash
@DashNistha on twitter
Find more like this. Search using : #OdiaPost