Bhubaneswar Buzz

ଓଡ଼ିଶାର ରଜପର୍ବ: ଏକ ମାତୃ କୈନ୍ଦ୍ରିକ ସଭ୍ୟତାର ମହନୀୟ ପରମ୍ପରା a blog on #RajaParba by Debajani Mohanty

ମା ଏବଂ ଭଉଣୀମାନଙ୍କୁ ରଜ ପର୍ବର ହାର୍ଦ୍ଦିକ ଅଭିନନ୍ଦନ ।
ରଜ ଓଡ଼ିଶାର ଗୋଟିଏ ସ୍ଵତନ୍ତ୍ର ଊତ୍ସବ । ଆମର ଖାଣ୍ଟି ଓଡ଼ିଆ ପର୍ବଗୁଡ଼ିକ ମଧ୍ୟରୁ ଗୋଟିଏ । ଏହାର କିଛି ମହତ୍ଵ ଆଜି ମୁଁ ଆପଣ ମାନଙ୍କର ସମ୍ମୁଖରେ ଉପସ୍ଥାପନ କରିବାକୁ ଯାଉଛି, ଯାହାକୁ ଆପଣ କୌଣସି ପୁସ୍ତକ, କୌଣସି ୱେବସାଇଟରେ ଆଜି ପର୍ଯ୍ୟନ୍ତ ଜାଣିବାକୁ ପାଇନଥିବେ ।
କୁହାଯାଏ, ଆଜିଠାରୁ ୩୫୦୦ ବର୍ଷ ପୂର୍ବରୁ ଆମ ଭାରତ ବର୍ଷରେ କେବଳ ଦ୍ରାବିଡ଼ମାନେ ରାଜୁତି କରୁଥିଲେ । ଆର୍ଯ୍ୟମାନେ ଆସିବାପରେ ଏହି ଦୁଇଟି ବର୍ଗ ମଧ୍ୟରେ ହେଲା ତୁମୁଳ ସଂଘର୍ଷ । ଫଳରେ ଆର୍ଯ୍ୟମାନେ ଉତ୍ତର ଭାରତରେ ନିଜର ଆସନ ସୁଦୃଢ଼ କଲାବେଳେ, ଦ୍ରାବିଡ଼ମାନେ ଧିରେ ଧିରେ ଦକ୍ଷିଣକୁ ପ୍ରସ୍ଥାନ କଲେ । ଆମେ ଯେଉଁମାନେ ନିଜକୁ ଓଡ଼ିଆ ବୋଲି କହୁଛୁ, ବହୁତ ଐତିହାସିକଙ୍କ ମତରେ ଆମେ ମୂଳତଃ ଦ୍ରାବିଡ଼ ଅଟୁ । ଆମର ଖାଦ୍ୟ, ବସ୍ତ୍ର ଏବଂ ଚଳଣି ବେଶି ଦକ୍ଷିଣର ସଭ୍ୟତା ସହ ସାମଞ୍ଜସ୍ୟ ରଖେ । ଏହା ମଧ୍ୟରୁ ଗୋଟେ ବହୁତ ବଡ଼ କଥା ହେଉଛି ଆମର ପିତୃ ଏବଂ ମାତୃ କୈନ୍ଦ୍ରିକ ସମାଜ । ସେତେବେଳେ ଆର୍ଯ୍ୟମାନଙ୍କର ସମାଜ ପିତୃ କୈନ୍ଦ୍ରିକ ଓ ଦ୍ରାବିଡ଼ମାନଙ୍କର ମାତୃ କୈନ୍ଦ୍ରିକ ଥିଲା । ଏବେବି ଇଣ୍ଡୋନେସିଆର ସୁମାତ୍ରା ଦ୍ଵୀପ ଏବଂ ସିଆଚେନ ଅଞ୍ଚଳ ଯେଉଁଠିକି ଅଶୋକଙ୍କ ସମୟରେ ଅନେକ ଓଡ଼ିଆ ଲୋକ ପ୍ରବାସ କରିଥିଲେ, ସେହିସବୁ ଅଞ୍ଚଳରେ ରହୁଥିବା ପ୍ରାୟ ୪୦ ଲକ୍ଷ ଲୋକ ମାତୃ କୈନ୍ଦ୍ରିକ ସମାଜରେ ବଞ୍ଚୁଛନ୍ତି । ଯଦିଓ ଏବେ ଏତେ ହଜାର ବର୍ଷ ଭିତରେ ଧୀରେ ଧୀରେ ଦ୍ରାବିଡ଼ମାନେ କିଛି ଆର୍ଯ୍ୟ ସଂସ୍କୃତିକୁ ନିଜର କରି ପିତୃ କୈନ୍ଦ୍ରିକ ଚିନ୍ତାଧାରାକୁ ଜୀବନ ଧାରଣରର ପନ୍ଥା ଏବଂ ଅଭିନ୍ନ ଅଙ୍ଗ କରିନେଇଛନ୍ତି, ତଥାପି ଏବେ ବି ଭାରତରେ କିଛି କିଛି ଅଞ୍ଚଳରେ ମାତୃ କୈନ୍ଦ୍ରିକ ସଭ୍ୟତା ତିଷ୍ଠିରହିଛି ।
ରଜ ହଉଚି ସେହି ମାତୃ କୈନ୍ଦ୍ରିକ ଜୀବନ ଧାରଣା ଶୈଳୀର ଗୋଟେ ଅବଶେଷ ।
କୃଷି, ନାରୀର ପ୍ରଜନନ ପ୍ରକ୍ରିୟା ସହ ତୁଳନୀୟ । କିନ୍ତୁ ଗର୍ଭବତୀ ହେବା ପୂର୍ବରୁ ନାରୀ ରାଜସ୍ୱାଳା ହୁଏ । ଆମେ ସମସ୍ତେ ଜାଣିଛୁ କି, ରଜ ପର୍ବ ଏକ ରାଜସ୍ୱାଳା ନାରୀର କଷ୍ଟ ଏବଂ ମହତ୍ଵକୁ ପ୍ରତିଫଳନ କରେ । କୁହାଯାଏ, ରଜ ପର୍ବର ଏହି ୪ ଦିନ ଭୂଦେବୀ (ଯିଏ କି ନାରୀର ଏକ ରୂପ) ରାଜସ୍ଵାଳା ହୁଅନ୍ତି । ସେଥିପାଇଁ ଏହି ସମୟରେ କୃଷି କିମ୍ବା ଯେକୌଣସି ଭୂମି ସମ୍ବନ୍ଧୀୟ କାର୍ଯ କରିବାକୁ ବାରଣ କରାଯାଏ । କାରଣ ତାହା ରାଜସ୍ୱାଳା ଭୂଦେବୀଙ୍କର କଷ୍ଟ ବୃଦ୍ଧିକରିବ । ଏପରିକି ଗଛରୁ ଫୁଲ ତୋଳିବା ଏବଂ ପାଦରେ ଚପଲ ପିନ୍ଧିବା ମଧ୍ୟ ମନା ହେଇଥାଏ ।
ରଜ ଉତ୍ସବ ନାରୀ ମାନଙ୍କ ପାଇଁ ଖୁବ ଆନନ୍ଦର ଅବସର ସମୟ । ଏହି ୪ ଦିନରେ ନାରୀ ମନକୁ ତାଙ୍କର ନୀତିଦିନର କାର୍ଯ୍ୟରୁ ବିରତି ଦିଆଯାଏ । ରଜ ଊତ୍ସବର ଚର୍ତୁର୍ଥ ଦିନ ସୁଧା ମୌସୁମୀ ବାୟୁ ଓଡ଼ିଶାରେ ଆସି ପହଞ୍ଚିଯାଏ ଏବଂ ଭୂଦେବୀ ବା ଭୂମି କୃଷି ପାଇଁ ଅନୁକୂଳ ହେଇଯାନ୍ତି । ଏହା ପରେ ଓଡ଼ିଶାରେ କୃଷି କାର୍ଯ ଆରମ୍ଭ ହୁଏ ।
ଆଜି ଏକବିଂଶ ଶତାବ୍ଦୀରେ ଯେତେବେଳେ ଧନଧାନ୍ୟରେ ପରିପୂର୍ଣ୍ଣ ପାଶ୍ଚାତ୍ୟ ଦେଶମାନଙ୍କରେ ଏବେ ବି ନାରୀ କର୍ମଚାରୀମାନଙ୍କୁ ମାସରେ ୨ ଦିନର menstruation leave ପାଇଁ ଲଢ଼ିବାକୁ ପଡ଼ୁଛି, ସେତେବେଳେ ଏହି ପ୍ରାଚୀନ ଉତ୍ସବ ଓଡ଼ିଶାବାସୀଙ୍କର ନାରୀର କଷ୍ଟ ପାଇଁ ସହାନଭୂତିକୁ ଦର୍ଶାଏ । ରଜ ଓଡ଼ିଆଜାତିର ନାରୀ ପ୍ରତି ସମ୍ମାନ ବୋଧକୁ ଦର୍ଶାଏ । ଏହି ପ୍ରଥା ସେସମୟରେ ଆରମ୍ଭ ହେଇଥିଲା, ଯେତେବେଳେ ରାଜସ୍ୱାଳା ନାରୀର କଷ୍ଟ ନିବାରଣ କରିବା ପାଇଁ କୌଣସି ଔଷଧି ନଥିଲା । ରାଜସ୍ୱାଳା ନାରୀର କଷ୍ଟକୁ ବୁଝିବା, ନୂତନ ବସ୍ତ୍ର କିଣିଦେବା ଏବଂ ରଜର ଦୋଳି ତଥା ଆନନ୍ଦ ଉଲ୍ଲାସ ପାଇଁ ଅବସର ଦେବା ଆଦି ସମଗ୍ର ଦୁନିଆରେ କେବଳ ଆମ ରାଜ୍ୟ ଓଡିଶାରେ ହିଁ ହୁଏ । ଯଦିଓ ଏହି ସମୟରେ ଆସାମର କାମାକ୍ଷା ଦେବୀ ମନ୍ଦିରରେ ମଧ୍ୟ ପର୍ବ (ଆମ୍ବୁବାଚି ମେଳା) ପାଳନ ହୁଏ, କିନ୍ତୁ ଏତେ ଭବ୍ୟ ଆକାରରେ ଏହି ପର୍ବକୁ କେବଳ ଓଡ଼ିଆମାନେ ପାଳନ୍ତି ।
ଆଧୁନିକ ସଭ୍ୟତା ଆସିବା ପରେ ଧୀରେ ଧୀରେ ଆମେ ଆମର ନିଜ ସଂସ୍କୃତି ଭୁଲିଚାଲିଛୁ । ମୁଁ ଛୋଟ ଥିଲାବେଳେ ଯେଉଁ ରଜ ଏତେ ଆନନ୍ଦ ଏବଂ ଉଲ୍ଲାସ ସହ ସମଗ୍ର ଓଡ଼ିଶାରେ ପାଳିତ ହେଉଥିଲା, ଏବେ ଭୁବନେଶ୍ୱର ଛାଡ଼ନ୍ତୁ, ଗାଁ ଗଣ୍ଡାରେ ମଧ୍ୟ ସେତେ ହର୍ଷଉଲ୍ଲାସର ସହ ପାଳନ କରାଯାଉନାହିଁ । ମୋର ଅଶେଷ ଧନ୍ୟବାଦ ଆମର କିଛି ଓଡ଼ିଆ ଭାଇ ଭଉଣୀମାନଙ୍କୁ ଯେଉଁମାନେ କି ଏହି ପ୍ରାଚୀନ ପରମ୍ପରାର ଚାଲୁରଖିବାକୁ ନିଜ ବହୁମୂଲ୍ୟ ସମୟ ଆଉ ଅର୍ଥ ଖର୍ଚ୍ଚ କରି ଆମ ସମସ୍ତଙ୍କୁ ଏକତ୍ରିତ କରୁଛନ୍ତି ଏବଂ ଏହାର ବିଷୟବସ୍ତୁ ସମ୍ବଧରେ ସଚେତନତା ଜାଗ୍ରତ କରୁଛନ୍ତି । ମୋର ଦୃଢ଼ ବିଶ୍ୱାସ, ଯେପରି ଇଂଲଣ୍ଡ ନିବାସୀ Easter ଆଉ Christmas କୁ ଭୁଲନ୍ତି ନାହିଁ, ଯେମିତି Chinese ମାନେ Lantern festival କୁ ଭୁଲନ୍ତି ନାହିଁ, ଆଉ ଯେମିତି ମୁସଲମାନମାନେ ରମଜାନକୁ ଭୁଲନ୍ତି ନାହିଁ, ସେମିତି ଆମେ ଓଡ଼ିଆମାନେ ଆମର ନିଜତ୍ୱକୁ କେବେ ଭୁଲିବା ନାହିଁ । ରଜ ପର୍ବ ଆମର ଗୌରବ, ଆମ ନାରୀ ଜାତିର ଗୌରବ, ଆମ ଓଡିଶା ମାଟିର ଗୌରବ । ମୁଁ ଆଶା କରୁଛି ଯେ ଆମେ କେବଳ ନିଜେ ଏହାକୁ ପାଳନ କରିବାନି; ଆମର ସନ୍ତାନ ସନ୍ତତି ଏବଂ ସେମାଙ୍କର ପରବର୍ତ୍ତୀ ପିଢ଼ି ଏହି ପର୍ବକୁ ପାଳନ କରିବେ ଏହାର ପ୍ରୋତ୍ସାହନ ଆମେ ଦେବୁ । ଆମେ ଆମର ଜାତିର ନାମ ଉଜ୍ଜଳ କରିବୁ ଏବଂ ସମଗ୍ର ବିଶ୍ୱକୁ ଆମର ଏହି ସୁନ୍ଦର ଏବଂ ଉତ୍କୃଷ୍ଟ ମାତୃପ୍ରୀତି ସମ୍ପର୍କରେ ଅବଗତ କରେଇବୁ ।
ବନ୍ଦେ ଉତ୍କଳ ଜନନୀ

Debajani Mohanty

Winner of “Aarya” award, an epitome of nobility, purity and preciousness, year 2017 by Nobel Laureate Shri Kailash Satyarthi and Authoress of the critically acclaimed historical fiction “The Curse of Damini”, Debajani Mohanty is an engineering graduate from VSSUT Burla, Odisha. Working as a senior I.T. professional with NIIT Technologies Ltd, Delhi she has a roaring career of more than one and half decades in the industry. A world traveler and humanist, Debajani dreams to see every woman in India to be educated & financially independent so that half of the day-to-day life issues of women would come to an end. Debajani is happily married and lives in Delhi/NCR with her husband, in-laws and two daughters.

http://www.debajanimohanty.com

https://www.facebook.com/debajani.rastogi

https://twitter.com/debimr75

Comments

comments