Bhubaneswar Buzz

ଗାଁର କଥା – ସାହିତ୍ୟକୁ ପାହାଚ : A beautiful Blog by Chandra Sekhar Dash

ଗଭୀର ରାତିରେ ମୋ ରୁମ ଭିତରେ ମୁଁ ଖଟରେ ନିଘୋଡ ନିଦରେ ଶୋଇଥାଏ। ଟିକିଏ ଦୂରରେ କବାଟ ପାଖ ରେ ଲଣ୍ଠନକୁ ନିସ୍ତେଜ କରି, ତା କାଚକୁ ଲଗାଇ ବହିଟିଏ ରଖିଥାଏ। ମୁହଁରେ ଆଲୁଅ ପଡିବ ନାହିଁ ବୋଲି। ଶୀତ ଦିନ । ଦେହରେ ଚାଦରଟା ଢାଙ୍କି ଦେଇଥାଏ। ମଝି ରାତିରେ ନିଦ ଭାଙ୍ଗିଗଲା ମାତ୍ରେ, ଜାଣି ପାରିଲି ମୋ ନଳି ଗୋଡରେ କିଏ ହାତଟାଏ ଦାବି ରଖିଛି ।ଧିର ଚାପ ଅନୁଭବ କରୁଥିଲି। ହାତଟା ଉଠିଯାଉନି ।

ଚୋର ଘରେ ପଶିଛି, ଆଉ ଟିକିଏ ପରେ ଛୁରୁ ଭୁଶି ଏ ସ୍କୁଲ ପିଲାକୁ ମାରିବ । ହଲଚଲ ହେଲେ ମାରିବ, ଖୁବ ଯୋରରେ ପାଟି କରି ଅନ୍ୟମାନଙ୍କୁ ଉଠାଇବାକୁ ଚେଷ୍ଟା କଲେ ବି ମାରିବ। ଏ ବଂଶର ଏକମାତ୍ର ପୁତ୍ରକୁ ହତ୍ୟା କରିବାକୁ କାହିଁକି ଚୋରଟା ଘରେ ପଶିଛି, ହେ ଭଗବାନ, ରକ୍ଷାକର ।

ଗୋଡ ଯଦି ହଲାଇଦିଏ, ହୁଏତ ଚୋରଟା ଭାବିପାରେ,
ନିଦ ବାଉଳାରେ ଏମିତି ହୁଏ ବୋଲି । କିଛି ନକରି ପାରେ।
କଲିଜାଟାକୁ ଦମ୍ଭକରି, ସେଇଆ କଲି । ନଳି ଗୋଡ ଉପରେ ଶୋଇଧିବା ବିରାଡିଟା ଖଟ ତଳକୁ ଡେଇଁ ପଡିଲା ଓ ଧଡ ଧଡ ହେଉଥିବା ଛାତିଟା, କ୍ଷଣକରେ ଆଶ୍ୱସ୍ତ ହୋଇଗଲା ।

ମନରେ ଚୋରଭୟ ସୃଷ୍ଟି କରୁଥିବା ଡିଟେକଟିଭ୍ ବହି ପଢୁ ପଢୁ ଆରମ୍ଭ ହୋଇଥିଲା, ଅଣପାଠ ପାଠ ବହି ପଢିବାର ସଉକ । ସେ ସମୟ ଥିଲା ମାଇନର ସ୍କୁଲର ଶେଷ ବେଳ। ଗାଁ ପାଠାଗାରରେ ଛୋଟ ଛୋଟ ଡିଟେକଟିଭ୍ ବହି ଅନେକଥାଏ।
ଓଃ, କି ଚୁମ୍ବକୀୟ ଶକ୍ତି ସେ ବହିମାନଙ୍କରେ। ଥରେ ଆରମ୍ଭ କଲେ, ନ ସାରି ରହି ହେଉନଥିଲା।

” ରାତିର ଅନ୍ଧକାର ଭେଦ କରି ଶୁଭିଲା ରିଭଲଭରର ଗୁଡୁମ୍ ଗୁଡମ୍ ଶଦ୍ଦ । ପୁଲିସ ଇନସପେକ୍ଟର ସତ୍ୟବ୍ରତ ମହାପାତ୍ର ଏ ରହସ୍ୟର ପରଦା ହଟାଇବା ପାଇଁ ପ୍ରସ୍ତୁତ—— ”

ଏତିକି ଛାଡି, ସେ ସବୁ ବହିର ନାୟକ, ନାୟୀକା କି ବିଷୟ ବସ୍ତୁ, ମାନସ ପଟରୁ ଅନେକ ଦିନରୁ ପୋଛି ହୋଇଗଲାଣି ।
ମନେ ଅଛି ସେଦିନର କୌତୁହଳ ଓ ଶିହରଣ । ବହଟି ଡେକ୍ସ ତଳକୁ ରଖି, ସାର୍ ମାନେ ନ ଜାଣି ପାରିଲା ଭଳି , କିଛି ସମୟ ତାଙ୍କ ଆଡକୁ, ଆଉ କିଛି ସମୟ ବହିକୁ ଚାହିଁ, ପଢି ସାରିବାର ନିଶାରେ ପାଗଳ ହୋଇଯାଉଥିଲି। ସେ ବହି ଗୁଡିକ ସଂଧ୍ୟାବେଳକୁ ଜଣକ ବ୍ୟାଗରୁ ଅନ୍ୟ ଜଣକ ବ୍ୟାଗକୁ ଖପ୍ ଖାପ୍ ଡେଇଁ ପଡୁଥିଲେ ।

ଯେଉଁ ଡିଟେକଟିଭ ବହି ଲେଖକଙ୍କ କଥା ମନେ ପଡୁଛି, ସେ ହେଲେ କଲିକତା ନିବାସୀ ଶ୍ରୀ କଣ୍ଡୁରୀ ଚରଣ ଦାସ । ପ୍ରଥମେ ତାଙ୍କର ବହି ପଢି ଥିଲି । ଗୋଟିଏ ଖାତାରେ ଲେଖୁଥିଲି, ପଢିଥିବା ବହିର ନାଁ, ଲେଖକ ଓ ପଢିବା ତାରିଖ। ପଚାଶ ବର୍ଷ ତଳର ସେ ଖାତାରେ ଲେଖିଥିବା ତାଙ୍କର କିଛି ବହିର ନାମ ହେଉଛି —
‘ ଦିନେ ରାତିରେ’, ‘ସେଇ ଝିଅଟି’ , ‘ଲାଲ ସଙ୍କେତ’ , ‘ଲାଲ ଫିତା’ , ‘ଲାଲ ସିଂହର ମାୟା ଚକ୍ର’ , ‘ପାପର ସମାଧି’, ‘ମିସ୍ ଅଳକାନନ୍ଦା’, ‘ଜତୁ ଗୃହ’, ‘ରକ୍ତ ଗୋଲାପ, ରଙ୍ଗୀନସୁରା’, ‘ଚିତ୍ରାଙ୍ଗଦାର ଆତ୍ମହତ୍ୟା’ ଆଦି।

୧୯୮୪/୮୫ ମସିହାରେ କଲିକତାରେ ଇନକମ ଟାକସ ବିଭାଗରେ କାମ କଲା ବେଳେ, ଏକ ଫାଇଲରେ କଣ୍ଡୁରୀ ଚରଣ ଦାସଙ୍କ ନାମ ଲେଖା ଯାଇଥିବା ଦେଖିଲି । ତାଙ୍କର ସେ ବର୍ଷ ଆୟକର ରିଟର୍ନ ସ୍କୃଟିନିରେ ପଡିଥାଏ । ଭୁବନେଶ୍ୱରରେ ନୂଆଘର ତିଆରିର ଖର୍ଚ ଯାଞ୍ଚ ହେବାକୁ ଥିଲା। ତାଙ୍କର ଓକିଲଙ୍କଠାରୁ ବୁଝି ନେଲି ଏ ସେହି ଲୋକ, ଯିଏ ମୋ ମନରେ ସ୍କୂଲ ବେଳରୁ ଏତେ ଡର ଭୟ ସୃଷ୍ଟି କରିଥିଲେ ଯେ, ମୁଁ ଅନେକ ବର୍ଷ ଯାଏ ରାତିରେ ଶୋଇବା ପୂର୍ବରୁ ଆଲମାରି ପଛରେ କାଳେ ଚୋର ଲୁଚିଥିବ, ତାହା ଦେଖିକରି , ନିଶ୍ଚିତ ହୋଇ ଶୋଇବାକୁ ଯାଉଥିଲି।

ମୋର ଅନୁରୋଧ ରକ୍ଷାକରି, ଶ୍ରୀ ଦାସ ଅଫିସକୁ ଆସିଥିଲେ। ଅଣପାଠ ବହି ପଢିବା, ତାଙ୍କରି ବହି ପଢାରୁ, ଆରମ୍ଭ କରିଥିଲି ବୋଲି, ତାଙ୍କୁ କୃତଞ୍ଚତା ଜଣାଇଥିଲି। ତା ପରେ ଆଉ ଦେଖା ହୋଇନି।

ପ୍ରାୟ ପଚିଶି ବର୍ଷ ପରେ, ବମ୍ବେରେ ଥାଏ। ବ୍ରହ୍ମପୁରରୁ ବାହାରୁଥିବା ‘ ବିଜୟା ‘ ମାସିକ ପତ୍ରିକାର ଏକ ସଂଖ୍ୟାରେ, ପ୍ରକାଶକ ଏବଂ ସମ୍ପାଦକମାନଙ୍କର ସ୍ମରଣୀୟ ଘଟଣାର କାହାଣୀ ବାହାରିଥାଏ। ସେଥିରେ କଣ୍ଡୁରୀ ଚରଣ ଦାସଙ୍କ ନାମ ଦେଖି ତାଙ୍କ ଅନୁଭୁତି ପଢିଲି। ସେ ତାଙ୍କର ଅନେକ ଅନୁଭୁତି ଲେଖିଥିଲେ। ତା ଭିତରେ, ଭକଲିକତାରେ ତାଙ୍କୁ ଜଣେ ଓଡିଆ ଇନକମ ଟାକସ ଅଫିସର ବଞ୍ଚେଇ ଦେଇଥିଲେ ବୋଲି, ନାମ ନନେଇ, ସେ ସ୍ମୃତି ଚାରଣ କରିଥିଲେ।

୨୦୧୪ ମସିହା ମେ ମାସ ୨୬ ତାରିଖରେ ସେ ଶେଷ ନିଶ୍ୱ।ସ ତ୍ୟାଗ କରିଥିଲେ ବୋଲି ଛୋଟିଆ ଖବରଟିଏ ଦେଖି ମନ ବହୁତ ଦୁଃଖ ହୋଇଥିଲା। ଡିଟେକଟିଭ ବହି ସାହିତ୍ୟର ମର୍ଯ୍ୟଦା ପାଏ କି ନାହିଁ, ବିଚାର କରିବା ଦରକାର ନାହିଁ। କାରଣ ୧୯୬୭- ୭୧ ମସିହା ବେଳକୁ, ବିଭୁତି ପଟ୍ଟନାୟକ, କାହ୍ନୁ ଚରଣ, ଗୋପୀନାଥ ମହାନ୍ତି ପ୍ରଭୁତିଙ୍କର ଉପନ୍ୟାସ ସବୁ ପଢି, ସାହିତ୍ୟର ପ୍ରଥମ ପାହାଚରେ ପାଦ ଦେବା ପାଇଁ, ମୋ ଭଳି ଅନେକ ହୁଏତ କଣ୍ଡୁରୀ ଚରଣଙ୍କର ଡିଟେକଟିଭ ବହିରେ ହାତରଖିଥିବେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Comments

comments