Bhubaneswar Buzz

ଶଙ୍ଖ ଡେଣା : A story of Dreams – Odia short story by Chandra Sekhar Dash

ଯନ୍ତ୍ରଣାରେ ଛଟପଟ ହୋଇ କେତେ ଦିନ ରହିବାକୁ ହେବ, ଭାବି ହେଉ ନଥାଏ। ଗର୍ଭ ଯନ୍ତ୍ରଣାର କଷ୍ଟଠାରୁ ଅଧିକ। ପେଟ ଫାଟି ଯିବ କି ମୁଣ୍ଡ ଫାଟି ଦହି ବାହାରି ଆସିବ। ହୁଏତ ଛାତି ଫାଟି ହୃତପିଣ୍ଡଟା ପିଚ୍ ପିଚ୍ ରକ୍ତରେ ସବୁ ଭିଜେଇ ଦେବ। କିନ୍ତୁ ସେମିତି କିଛି ହେଉ ନଥାଏ ।

ଯେତେ ଗଳ୍ପ, କବିତା, ଉପନ୍ୟାସ ପଢ, ଯେତେ ମନେ ମନେ ହିନ୍ଦି ସିନେମାର ଅସଫଳ ନାୟକ ବୋଲି ନିଜକୁ ଭାବ ବା ଆଉ ଦେଖା ଯାଉ ନଥିବା ‘ତାଙ୍କ’ କଥା ଭାବ, ମାନସ-ଗର୍ଭରୁ ସିଜାରିଆନ କରି ବାହାର କଲେ ବି ହେବ କିଛି ହେବାର ନଥିଲା ।

ଛାତ୍ର ଅବସ୍ଥାର ସେ ସମୟରେ , ଖାଲି କାଗଜ ଉପରେ, କାଳିରେ ଭରା କଲମଟା, ଟିକିଏ ବି ଘୁଞ୍ଚିଲା ନାହିଁ। ଏମିତି ଯନ୍ତ୍ରଣାରେ ଛଟପଟ ହୋଇ, ସାମନ୍ତ ଚନ୍ଦ୍ର ଶେଖର କଲେଜର ଏକ ନମ୍ବର ହଷ୍ଟେଲରେ, ରାତିରେ ଶୋଇ ଯାଇଥାଏ। ୧୯୭୧-୭୩ ମସିହାର କଥା।

ଆଃ କି ଆନନ୍ଦ! ଯାହାର ପ୍ରତିକ୍ଷା କରି ଏତେ କଷ୍ଟ ପାଉଥିଲି, ସେ ଜନ୍ମ ନେଲା । କଟିଗଲା ଅପବାଦର ଭୟ। ଉତ୍ସାହ ଓ ଉନ୍ମାଦରେ ଶରୀର ପୁଲକିତ ହେଲା । ସ୍ୱପ୍ନରେ ସରସ୍ୱତୀ ଦେଖାଇଦେଲେ, ସାରା ଜୀବନ ପାଇଁ ସାଇତି କରି ରଖିବାକୁ ଗେଟିଏ ଗଳ୍ପର ନାଁ ଟି ମାତ୍ର- ‘ଶଙ୍ଖ ଡେଣା ‘ ।

ସେ କଲମରୁ କାଳି ସୁଖି ଗଲା ପଛେ, ଅକ୍ଷରଟିଏ ବି ଲେଖି ହେଲାନି । ଗପ ବା କବିତା ଜନ୍ମ ନେଲେ ନାହିଁ। ଜୀବନରେ ଖାଲି ସ୍ୱପ୍ନ ଆଉ ସ୍ୱପ୍ନ ଛାଇ ହୋଇଗଲା।

ପୁଣି ସେହି ୧୮୭୧-୭୩ ମସିହା କଥା। ସାର କ୍ଳାସରେ ପଢାଇଦେଇଗଲେ ଏକ ଇଂଗ୍ରାଜି କବିତା । ବେଧହୁଏ କାନାଡା ଦେଶର କବି, ବର୍ଣନା କରିଥିଲେ ତାଙ୍କ ଦେଶର କେଉଁ ଏକ ନଦୀ କୂଳରେ ଦଳେ ଚଢେଇ ଉଡି ଉଡି ନଦୀ ଉପରେ ଥିବା ପୋଲ ତଳ ଦେଇ ଗେଟିଏ ଦିଗରୁ ଅନ୍ୟ ଦିଗକୁ ଉଡି ଯାଉଥିବାର ଦୃଶ୍ୟ। କି ମନୋରମ ବର୍ଣନା । କି ସ୍ୱର୍ଗୀୟ ସେ ଦୃଶ୍ୟ।

ଦୁଇ ଦିନ ପରର ଘଟଣା। ଭାର୍ଗବୀ ନଦୀ କୂଳରେ, ହାଟ ସାହି ଗାଁର ଘାଟ ଉପର ତୋଟାରେ, ମୁଁ ଆରାମ କରୁଥାଏ। ନଦୀ ଉପରେ ପୋଲଟିଏ ହୋଇ ଯାଇଛି। ଦଳେ ବଣି ଚଢେଇ ହାଟସାହି ଗାଁ ପଟୁ ଉଡିଆସି ,ନଦୀ ଆରପଟେ ଥିବା ଆମ ଗାଁ ଆଡ଼କୁ ଉଡିଗଲେ। ଯେମିତି ଆମ ଇଂଗ୍ରାଜୀ ଅଧ୍ୟାପକ ଆମକୁ ବୁଝାଇ ଦେଇଥିଲେ। ତା ପରେ ଠକ୍ କରି ସ୍ୱପ୍ନଟି ଭାଙ୍ଗିଗଲା।

କଲେଜ ବଦଳିଗଲା, କଟକର ରେଭେନସା କଲେଜ। ଜ ହଷ୍ଟେଲ ହେଲା ପଶ୍ଚିମ ଛାତ୍ରାବାସ । ବିଜ୍ଞାନ ଛାଡି ନେଲି ରାଜନୀତି
ବିଜ୍ଞାନ ।୧୯୭୪-୬୫ ମସିହା । ଦେଶ ବିଦେଶ ଖବରର ଚର୍ଚାରେ ରୁଚି ବଢିଲା।

ପଶ୍ଚିମ ଜର୍ମାନୀର ଚାନସେଲର ଉଇଲି ବ୍ରାଣ୍ଟ୍ ଶାନ୍ତି ପାଇଁ ନୋବେଲ ପୁରସ୍କାର ପାଇଥାଆନ୍ତି। ବହୁତ ଜ୍ଞାନୀ ଲୋକ ବୋଲି ଯାଣିଥାଏ। ତାଙ୍କ ଲେଖା ଦି ଧାଡି ନ ପଢିଥିଲେ ମଧ୍ୟ, ତାଙ୍କ ନାଁ ଶୁଣିଲେ ଭାରି ଗର୍ବ ଲାଗୁଥିଲା। ସେ ଏ ଭଳି ଉପାସକକୁ ଛାଡିବା ଲୋକ ନୁହଁନ୍ତି।

ସେ ରାତିର ଘଟଣା। ସହରର ଏକ କୋଣରେ କିଛି ଦଶ ବାର ମହଲା କୋଠା ଘର। ଘରପାଖରକୁ ଲାଗି ବଡ଼ ପାଚେରି ଓ ତା ଆର ପଟେ ଏକ ପ୍ରଦର୍ଶନୀ ପଡିଆ। ପଡିଆ ଭିତରେ ପାଚେରୀ ପାଖକୁ ଲାଗି ଦୀର୍ଘକାୟ ଦେବ ଦାରୁ ଗଛ ଗୁଡାଏ। ଗଛର ଉପରଦୁଇଟି ଡାଳରେ ଦୁଇଟି ସୁନ୍ଦର ଓ ମଜଭୁତ ଚୌକି। ପଡିଆରେ କଅଣ ଗୋଟିଏ ପ୍ରଦର୍ଶନୀ ଚାଲିଥାଏ। ପ୍ରବେଶ ଦ୍ୱ।ରଠାରୁ ଟିକିଏ ଦୂରରେ ଗୁପଚୁପ ବାଲା ପାଖରେ ଭିଡ ଜମିଥାଏ।

ସେ ଦୁଇ ଚୌକିରେ ଉଇଲି ବ୍ରାଣ୍ଟ୍ ଓ ମୁଁ ବସିଥାଉ । କୌତୁହଳରେ ତାଙ୍କୁ ପଚାରି ଦେଲି ଇଂଗ୍ରାଜୀରେ – ‘ସାର୍, ଦୟାକରି କହିବେ କି ଆପଣ ଶାନ୍ତି ପାଇଁ ନୋବେଲ ପ୍ରାଇଜ କିପରି ପାଇଲେ?’

ଅତି ପ୍ରସନ୍ନ ହୋଇ, ଉଇଲି ବ୍ରାଣ୍ଟ୍ ମତେ ତଳକୁ ଓହ୍ଲାଇ ଯାଇ କହିବେ ବୋଲି ଆଶ୍ୱ।ସନା ଦେଲେ। ମୋ ଆଗରେ ଆଗରେ ସେ ଚାଲି ଚାଲି , ସେହି ଗୁପଚୁପ ବାଲାକୁ ଅତିକ୍ରମ କରିଗଲେ। ଭିଡରେ ପଛରେ ଳହିଗଲି ଯେ, ସେ କୁଆଡେ ଗଲେ ଆଉ ଦେଖି ପାରିଲି ନାହିଁ। ନିଷ୍ଠୁର ସ୍ୱପ୍ନଟା ସେହିଠି ଭାଙ୍ଗିଗଲା।

୧୯୮୧ ମସିହା କଥା । ଅଳ୍ପ ବୟସୀ, ସୁନ୍ଦରୀ ରାଜକୁମାରୀ ଡାଏନାଙ୍କର ବାହାଘର ବିଷୟରେ ଅନେକ ଗୁଡିଏ ଲେଖା ବାହାରୁଥାଏ। ସୁସଜ୍ଜିତ ଘୋଡାଗାଡିରେ ବସି ବ୍ରିଟେନର ରାଜକୁମାରଙ୍କ ସହ ରାଜ କୁମାରୀ ଡାଏନା, ଚର୍ଚରେ ବାହା ହୋଇ, ରାଜପଥରେ ଜନତାକୁ ଦର୍ଶନ ଦେଇ ଆଗୋଉ ଆସୁଥାଆନ୍ତି ।
ସେ ସମୟର ସେ ଦୃଶ୍ୟ ଆଖିରେ ଆଜି ବି ଝଟକୁଛି। ଭାରତରୁ
କାଶ୍କୀରର ବିରଳ ପସ୍ମିନା ସାଲ ପରି ଅନେକ ମୂଲ୍ୟବାନ ଜିନିଷ ସେମାନଙ୍କୁ ଉପହାର ଦିଆଯାଇଥିବାର ଖବରପଢି ପଢି ମନ କଅଣ ହୋଇ ଯାଉଥାଏ।

ଉପହାରକୁ ଏକ ସୁନ୍ଦର ଫାଇବରର ଗ୍ଳାସ ବାକ୍ସ ଭିତରେ ରଖି, ରାଜକୁମାରୀ ଡାଏନାଙ୍କୁ ଦେବାଲାଗି, ସେମାନଙ୍କ ଘୋଡାଗାଡି ଆସୁଥିବା ରାସ୍ତା ଯେଉଁଠି ଟିକିଏ ବାଙ୍କିଥିଲା, ସେଇଠି ଠିଆ ହୋଇଥାଏ । ଯେମିତି ସେ ନିକଟେଇ ଆସିଲେ, ଆଗକୁ ଯାଇ ବଢାଇ ଦେଲି ସେ ଅମୂଲ୍ୟ ଉପହାରଟି।

‘ମାଡାମ୍, ଏ ବାକସରେ ଆଛି ପୃଥିବୀର ସବୁଠାରୁ ବିରଳ, ଦୂର୍ମୂଲ୍ୟ, ଗାଢ ନୀଳ ବର୍ଣ୍ଣର ଜୀବନ୍ତ କଙ୍କଡା ବିଛା, ଯାହାକୁ ମୁଁ ଆମ ସାମନାଘର ଡିହରେ ପିଲା ବେଳେ, ୧୯୫୯ କି ୧୯୬୦ ମସିହାରେ, ମାଟି ଖୋଳୁ ଖୋଳୁ ପାଇଥିଲି ଓ ଆଜି ପର୍ଯ୍ୟନ୍ତ ସାଇତି ରଖିଥିଲି।’

ଏତିକି କହି ଉପହାରଟି ତାଙ୍କୁ ବଢାଇ ଦେଲି। ତା ପରର ଘଟଣା ଦେଖିବାକୁ ଅପେକ୍ଷା ନକରାଇ, ସ୍ୱପ୍ନଟା ହଠାତ୍ ମିଳେଇ ଯାଇଥିଲା।

ଏବେ ଆଖି ବନ୍ଦ କଲେ ଆଉ ସ୍ୱପ୍ନ ଆସେନାହିଁ । ଆଖି ଖୋଲିଲେ ବି କଳ୍ପନାର ଡେଣା, ନ ଉଡାଇ, ନିଶ୍ଚଳ ‘ଶଂଖ ଡେଣା’ ହୋଇଯାଏ।

Comments

comments