ଓଡ଼ିଶା ଉପକୂଳରୁ ୧୦ କିମି ଦୂରରେ କଳିଙ୍ଗ ସାଗରରେ ଅବସ୍ଥିତ ଦୁଇ କିଲୋମିଟର ଦୈର୍ଘ୍ୟ ଏବଂ ୩୯୦ ଏକର (୧.୬ ବର୍ଗ କିମି) କ୍ଷେତ୍ରଫଳ ବିଶିଷ୍ଟ ଦ୍ବୀପ ହେଉଛି ହୁଇଲର । ଅଧୁନା ଏହା ଭାରତର ସର୍ବାଧୁନିକ କ୍ଷେପଣାସ୍ତ୍ର ପରୀକ୍ଷଣ ସ୍ଥଳୀ ଭାବେ ପରିଚୟ ପାଇଛି । ଏହି ଦ୍ବୀପରୁ ଉତକ୍ଷେପଣ ହେଉଥିବା କ୍ଷେପଣାସ୍ତ୍ର ମଧ୍ୟରେ ଅଛି ଅଗ୍ନି, ଆକାଶ, ବ୍ରହ୍ମୋସ, ନିର୍ଭୟ, ପ୍ରହାର, ପୃଥିବୀ, ସୌର୍ଯ୍ୟ, ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା (AAD) ଏବଂ ପୃଥିବୀ – ବାୟୁ ପ୍ରତିରକ୍ଷା (PAD) ।
୧୯୮୦ ମସିହା ବେଳକୁ ଭାରତ ସରକାର ଅଗ୍ନି କ୍ଷେପଣାସ୍ତ୍ର ପାଇଁ ଏକ ଅତ୍ୟାଧୁନିକ ପରୀକ୍ଷଣ ସ୍ଥଳ ଅନୁସନ୍ଧାନରେ ଥିଲେ । ୧୯୮୬ରେ ମଧ୍ୟବର୍ତ୍ତିକାଳ ପାଇଁ ଦୁଇଟି କମ୍ପ୍ଲେକ୍ସ ଚାନ୍ଦିପୁରଠାରେ ପ୍ରତିଷ୍ଠା ପରେ ୧୯୯୩ ମସିହାରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, କାଲାମଙ୍କ ଅନୁରୋଧ କ୍ରମେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ହୁଇଲର ଦ୍ବୀପ ପ୍ରଦାନ କରିଥିଲେ । ତା’ପରଠାରୁ ଅବଦୁଲ କାଲାମ କ୍ଷେପଣାସ୍ତ୍ର ବିକଶିତ କରିବାରେ ଭାରତର ଅଗ୍ରଣୀ ବୈଜ୍ଞାନିକ ସାଜି ହୁଇଲର ଦ୍ବୀପକୁ ନିଜ କର୍ମଭୂମି (Theatre of action) କରିଥିଲେ । ତାଙ୍କ ଜୀବନର ଅଧିକାଂଶ ସମୟ ପ୍ରତିରକ୍ଷା ଗବେଷଣାରେ ନିୟୋଜିତ ଥିଲା । ଅନେକ ଶକ୍ତିଶାଳୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରକୁ ପର କରିଥିଲେ । ତାଙ୍କ ତତ୍ତ୍ୱାବଧାନରେ ୧୯୯୩ ମସିହା ନଭେମ୍ବର ୩୦ରେ ସ୍ଥଳଭାଗରୁ ସ୍ଥଳଭାଗ ଲକ୍ଷ୍ୟଭେଦି କ୍ଷେପଣାସ୍ତ୍ର ‘ପୃଥିବୀ’, ମୁଖ୍ୟ ସ୍ଥଳ ଭାଗରୁ ଉତକ୍ଷେପ ହୋଇ ଜନବସତି ଶୁନ୍ୟ ହୁଇଲର ଆଇସଲ୍ୟାଣ୍ଡରେ ଓହ୍ଲାଇଥିଲେ ।
*ଦ୍ବୀପର ଚାରିପଟେ ଶାନ୍ତ ସମୁଦ୍ର ଓ ବନ୍ୟ ପରିବେଶ ତାଙ୍କୁ ଅନେକ କବିତା ରଚନା କରିବାକୁ ପ୍ରେରଣା ଯୋଗାଇଥିଲା ଯାହା ତାଙ୍କ ଜୀବନୀ ‘ମାଇଁ ଜର୍ଣ୍ଣି (My Journey)’ ରୁ ଜଣାପଡ଼େ ।*
ପୂର୍ବରୁ ବ୍ରିଟିଶ କମାଣ୍ଡାଣ୍ଟ ଲ୍ୟୁଟେନାଣ୍ଟ ହୁଇଲରଙ୍କର ନାମ ଅନୁସାରେ ଏହାର ନାମ ହୁଇଲର ହୋଇଥିଲା । ଅବଦୁଲ କାଲାମଙ୍କ ମୃତ୍ୟୁ ପରେ ତାଙ୍କ ସମ୍ମାନାର୍ଥେ ତାଙ୍କ ନାମାନୁସାରେ ଏହି ଆଇସଲ୍ୟାଣ୍ଡର ପୁନଃ ନାମକରଣ ହୋଇଥିଲା । ପ୍ରତିରକ୍ଷା କ୍ଷେତ୍ରରେ କାଲାମଙ୍କ ଉଲ୍ଲେଖନୀୟ ଅବଦାନ, ଏହି ଦ୍ଵୀପରେ ଦୀର୍ଘଦିନ ଅବସ୍ଥାନ, ସେ ସାଉଁଟିଥିବା ସଫଳତାରେ ଏହି ଦ୍ବୀପର ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିବାରୁ ୪ ସେପ୍ଟେମ୍ବର ୨୦୧୫ରେ ଏହି କ୍ଷେତ୍ରକୁ ଓଡ଼ିଶା ସରକାର ‘ଅବଦୁଲ କାଲାମ ଆଇସଲ୍ୟାଣ୍ଡ’ରେ ନାମିତ କରିଥିଲେ ।
ଵି କେ ସାରସ୍ୱତ, ନୀତି ଆୟୋଗ ସଦସ୍ୟ, ୩୫ ବର୍ଷ ଧରି କାଲାମଙ୍କ ସହଯୋଗୀ କ୍ଷେପଣାସ୍ତ୍ର ବୈଜ୍ଞାନିକ ଥିଲେ ଏବଂ ପରେ ଡିଆରଡିଓ (DRDO) ର ଡ଼ାଇରେକ୍ଟର ଜେନେରାଲ ଅବସ୍ଥାପିତ ହୋଇଥିଲେ । ୧୯୯୩ ମସିହାରେ କାଲାମଙ୍କ ପରାମର୍ଶ କ୍ରମେ ସାରସ୍ୱତ ତାଙ୍କର ସହକର୍ମୀଙ୍କ ସହ ଜନବସତି ଶୁନ୍ୟ ଦ୍ବୀପଟିଏ ଖୋଜୁ ଖୋଜୁ ଏହି ଦ୍ବୀପକୁ ଠାବ କରିଥିଲେ । ସାରସ୍ୱତ ନିଜ ୧୯୯୩ ମସିହାର ଏକ ସ୍ମୃତିକୁ ମନେ ପକାଇ କୁହନ୍ତି ୨୫୦ ଟଙ୍କାରେ ଡଙ୍ଗା ଭଡ଼ା କରି କଳିଙ୍ଗସାଗର ( ଏବେର ବଙ୍ଗୋପସାଗର)ରେ ବାଟବଣା ହୋଇ ସେହି ଦ୍ଵୀପରେ ପହଞ୍ଚିଥିଲେ । ସେଠାରେ ରାତିଟିଏ କଟାଇ କଦଳୀ ଖାଇ ଜୀବନ ରକ୍ଷା କରିଥିଲେ । ଦ୍ବୀପଟି ସ୍ଥଳଭାଗରୁ ସମ୍ପୂର୍ଣ୍ଣ ଅଦୃଶ୍ୟ ଥିଲା । କାଲାମ ତାଙ୍କ ବହି “Ignited Minds: Unleashing the Power Within India”ରେ ଉଲ୍ଲେଖ କରିଛନ୍ତି, “ସାରସ୍ୱତ ଓ ସାଲବନ ସେହି ଦ୍ବୀପର ଏକ ଗଛରେ ବଙ୍ଗଳାଦେଶର ପତାକା ଦେଖିବାକୁ ପାଇଥିଲେ । ସେହି ଦ୍ବୀପକୁ ବିଦେଶ ଧୀବରଙ୍କ ଆତଯାତ ହେଉଥିବାର ଅନୁମେୟ ହେଉଥିଲା । ମୋ ବନ୍ଧୁମାନେ ସେହି ପତାକାକୁ ତୁରନ୍ତ ହଟାଇଦେଇଥିଲେ ।”
——————————————————————————————————————–
By
Nistha Ranjan Dash
@DashNistha on twitter
Find more like this. Search using : #OdiaPost