ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ପବିତ୍ର ମାଘ ସପ୍ତମୀ, ୨୩ ଫେବୃଆରୀ ୧୭୬୦ ମସିହାରେ ଯାଜପୁରର ବାଲିଆ ଗ୍ରାମରେ ପିତା ଶ୍ରୀଯୁକ୍ତ ଇନ୍ଦ୍ରଜିତ ସାମନ୍ତ ସିଂହାର ଏବଂ ମାତା ଶ୍ରୀମତୀ ତୁଳସୀ ଦେବୀଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସାହିତ୍ୟ ପ୍ରତିଭା ଏବଂ ଲେଖନୀଚାଳନା ବାଲ୍ୟକାଳରୁ ଲୋକଲୋଚନକୁ ଆସିଥିଲା। ମାତ୍ର ୧୪ ବର୍ଷ ବୟସରେ “ବାଘ ଗୀତ” “ଚଢେଇ ଗୀତ” ଏବଂ “ବୋଲେ ହୁଁ” ଭଳି କେତେକ ରଚନା ପ୍ରକାଶ ପାଇଥିଲା। ତାଙ୍କର ଅବିସ୍ମରଣୀୟ ରଚନା ମାନଙ୍କ ମଧ୍ୟରୁ “ବିଦଗ୍ଧ ଚିନ୍ତାମଣି”, “ପ୍ରେମ ଚିନ୍ତାମଣି”, “ପ୍ରେମ କଳା”, “ରସବତି”, “ସୁଲକ୍ଷଣା” ଏବଂ “ପ୍ରେମତରଙ୍ଗିଣୀ” ଅନ୍ୟତମ। ଅଭିମନ୍ୟୁ ଥିଲେ ରୀତିଯୁଗ ସାହିତ୍ୟର ଜଣେ ଅସାଧାରଣ ଏବଂ ଅଦ୍ୱିତୀୟ ସ୍ରଷ୍ଠା। ଓଡ଼ିଆ ସାହିତ୍ୟ ଜଗତରେ ତାଙ୍କର ଅବଦାନ ଅତୁଳନୀୟ।
ତାଙ୍କର ଲେଖାଗୁଡ଼ିକ ସାଧାରଣତଃ ରାଧା କୃଷ୍ଣଙ୍କ ପ୍ରେମମୟ ଜୀବନ, ଗାଁ ପରିବେଶ, ସାଧାରଣ ଲୋକ, ଇତ୍ୟାଦି ଉପରେ ସଂକଳିତ। ସେ ତାଙ୍କର ଲେଖା ମାଧ୍ୟମରେ ସାଧାରଣ ଜନଜୀବନର ସମସ୍ୟା ଆଦିମାନ ଅତି ଚମତ୍କାର ଏବଂ ନିଖୁଣ ଭାବେ ପ୍ରକାଶ କରିଥାନ୍ତି। ଆଜି ଯଦି ଓଡ଼ିଆ ଭାଷାକୁ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟୀୟ ସ୍ତରରେ ମାନ୍ୟତା ମିଳିଛି ଏବଂ ଓଡ଼ିଆ ଭାଷାର ଅସ୍ତିତ୍ବ ବଜାୟ ରହିଛି, ସେଥିରେ ଅଭିମନ୍ୟୁଙ୍କ ପରି କାବ୍ୟପୁରୁଷ ମାନଙ୍କର ଭୂମିକା ଅନ୍ୟତମ ଏବଂ ଚିରସ୍ମରଣୀୟ।
ଆଜି ଓଡ଼ିଆ ଭାଷାର ଯଶ ରଖିବା ପାଇଁ ଆମେ “ଭାଷା ଆନ୍ଦୋଳନ” ତ କରୁଛୁ, ମାତ୍ର ପରିତାପର ବିଷୟ ହେଉଛିଯେ ଆମ ଓଡ଼ିଆ ଭାଷାକୁ ଯଶ ଦେଇଥିବା ସେଇ ଯୁଗାନ୍ତକାରୀ ସ୍ରଷ୍ଠା ମାନଙ୍କୁ ଅନ୍ଧାରର ଆଢୁଆଳକୁ ଠେଲି ଦେଇଛୁ। ମୁଁ, ଅଭିମନ୍ୟୁଙ୍କ ଜୀବନ ଶୈଳୀକୁ ପାଖରେ ଦେଖିନି ସତ କିନ୍ତୁ ଅଭିମନ୍ୟୁଙ୍କ ସେଇ ପବିତ୍ର ଜନ୍ମ ଭୂମିକୁ ଖୁବ ପାଖରୁ ଅନୁଭବ କରିଛି। ମୋର ଜନ୍ମ ସ୍ଥାନ ଏବଂ ଅଭିମନ୍ୟୁଙ୍କ ଜନ୍ମ ସ୍ଥାନର ଅନ୍ତର ମାତ୍ର ୮-୯ କି.ମି., ଏଣୁ ସେଇ ପବିତ୍ର ଜନ୍ମ ମାଟିର ସ୍ପର୍ଶ ପାଖରୁ ଅନୁଭବ କରିଛି। ଅଭିମନ୍ୟୁଙ୍କ ଜନ୍ମ ସ୍ଥାନ ବାଲିଆ ଗ୍ରାମକୁ ସେଇ ପ୍ରବାଦପୁରୁଷଙ୍କ ନାମରେ ନାମିତ କରାଯାଇଛି, “ଅଭିମନ୍ୟୁ ବାଲିଆ”, ସରକାରଙ୍କ ଦ୍ୱାରା। କେବଳ ସେତିକି ନୁହେଁ, ଅଭିମନ୍ୟୁ ସାମନ୍ତ ସିଂହାର ଉଚ୍ଚବିଦ୍ୟାଳୟ, ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ମଧ୍ୟ ସ୍ଥାପନ କରାଯାଇଛି। ମାଟି ମାଆର ଏଭଳି ଯୁଗପୁରୁଷ ମାନଙ୍କୁ ସାଧାରଣ ଜନତା ମାନଙ୍କ ମଧ୍ୟରେ ପରିଚିତ ଏବଂ ଜୀବିତ ରଖିବା ପାଇଁ ସରକାରଙ୍କ ଏପରି ସାଧୁ ପ୍ରୟାଶ ଧନ୍ୟବାଦର ପାତ୍ର। ମାତ୍ର, ଆଜି ୨୦୧୭ ମସିହା ଅଭିମନ୍ୟୁଙ୍କ ଜନ୍ମର ୨୫୭ ବର୍ଷ ବିତି ଯାଇଛି, ଅବଶୋଷ ଏବଂ ପରିତାପର ବିଷୟ ହେଉଛିଯେ “ଅଭିମନ୍ୟୁ ବାଲିଆ” ଗ୍ରାମରେ ଆଉ ଅଭିମନ୍ୟୁଙ୍କ ଭୂମିକା ନାହିଁ, “ଅଭିମନ୍ୟୁ ବାଲିଆ” ଏବେ ଅଭିମନ୍ୟୁଙ୍କ ପରି ଖ୍ୟାତି ସମ୍ପର୍ଣ ହୋଇ ରହିନାହିଁ, ନା “ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ” ଅଭିମନ୍ୟୁଙ୍କ ପରି ପ୍ରତିଭା ସୃଷ୍ଟି କରିବାରେ ସଫଳ ହୋଇଛି। ଉଭୟ “ଅଭିମନ୍ୟୁ ବାଲିଆ” ଏବଂ “ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ”ରେ ନିଜେ ଅଭିମନ୍ୟୁ ସଂଜ୍ଞାହୀନ।
ଏଇତ ଥିଲା ଅଭିମନ୍ୟୁଙ୍କ ସଂଜ୍ଞା ନିଜ ଗ୍ରାମର କୋଳ କୋମଳରେ। ଏପରି ଅନେକ ଉଦାହରଣ ମିଳିବ। ଆଜି ଆମ କର୍ମମୟ ଜୀବନର ମାନସପଟରେ ସାହିତ୍ୟର ସଂଜ୍ଞା ସମୁଦ୍ରର ଘୋ ଘୋ ଗର୍ଜନ ପାଖରେ ଝିଙ୍କାରିର ଝିଁ ଝିଁ ଶବ୍ଦ ସହ ତୁଳନୀୟ। ଆଜିର ନାନାଦି ଗଣମାଧ୍ୟମ ଯୁଗରେ ଆମେ ଆଉ ଯାଜପୁରିଆ, କଟକିଆ କି ଓଡ଼ିଆ ହୋଇ ନାହୁଁ ବରଂ ଫେସବୁକିଆ ଟୁଇଟରିଆ ହୋଇଯାଇଛୁ। ଆମକୁ ଗାଁ ପୋଖରୀ ତୁଠ, ଗାଁ ମୁଣ୍ଡ ବରଗଛ କି ଆମ୍ବତୋଟା ଭଲ ଲାଗୁନାହିଁ। ସ୍ମାର୍ଟସିଟିର ନବସ୍ଶ୍ଚୁମ୍ବୀ ଅଟାଳିକାର ମହକରେ ମୋହିତ ଆମେ। ସ୍ମାର୍ଟ ସିଟିରୁ ମନେପଡ଼ିଲା ଆମ ଖରାଦିନିଆ ସ୍ମାର୍ଟ ସିଟି ଭୁବନେଶ୍ୱର କଥା। ଖରାଦିନିଆ ସ୍ମାର୍ଟସିଟି କହିବାରେ ଏକ କୌତୁକିଆ ଅର୍ଥ ହେଉଛି ଏଇଆ ଯେ, ଏଠି ଅଷାଢ଼ାଏ ବର୍ଷାରେ ରାସ୍ତା ବୁଡି ପାଣି ଆଂଠୁଏ। କଥା ହେଲା ଏମିତି। ନିକଟ ଅତୀତରେ ଏପରି ଏକ ଅଭାବନୀୟ ପଦକ୍ଷେପ ସରକାରଙ୍କ ତରଫରୁ ମଧ୍ୟ ଦେଖିବାକୁ ମିଳିଥିଲା। ଆମ ନୂଆ ସ୍ମାର୍ଟ ସିଟି ଭୁବନେଶ୍ୱରରେ “ଅଭିମନ୍ୟୁ ସାମନ୍ତ ମାର୍ଗ” କୁ ପୁନଃ ନାମକରଣ କରାଯାଇ “ସେଣ୍ଟ ମଦର ଟେରେସା ମାର୍ଗ” ରେ ନାମିତ କରାଯାଇଥିଲା। ମାଟି ମାଆର କାବ୍ୟପୁରୁଷ ମାନଙ୍କ ପ୍ରତି ସରକାରଙ୍କ ଏପରି ତିରସ୍କାର ଅତ୍ୟନ୍ତ ନିନ୍ଦନୀୟ। ଉଭୟ ସାହିତ୍ୟକାର ଏବଂ ଇତିହାସକାରଙ୍କ ମହଲରୁ ସରକାରଙ୍କୁ ନିନ୍ଦା ମିଳିଥିଲା।
ସାହିତ୍ୟ ପ୍ରତି ତାଙ୍କ ଉଲ୍ଲେଖନୀୟ ଅବଦାନ ଯାଜପୁର ତଥା ଓଡ଼ିଶା ପାଇଁ ଗର୍ବ ଏବଂ ଚିରସ୍ମରଣୀୟ। ଏଇ ଥିଲା ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ଜୀବନୀର କିଛି କଥା କିଛି ବ୍ୟଥା।
“ବାଲିଆ ବୋଲି ଯେ ଏକ ନଗର, ତହିଁ ନୃପତି ସାମନ୍ତ ସିଂହାର” — ବାଘ ଗୀତ,ବିଦଗ୍ଧ ଚିନ୍ତାମଣି
ଇ-ମେଲ: [email protected]
ଯୋଗାଯୋଗ: +୮୮୬ – ୯୬୫୦୧୦୫୪୯