Bhubaneswar Buzz

ଗାଁର କଥା – (୧୩) ଭାର୍ଗବୀର ଦୁଃଖ beautiful blog in Odia by Chandra Sekhar Dash

 

ମହାନଦୀର ଅଣନତୁଣୀ ହେଲା ଭାର୍ଗବୀ ନଦୀ। ଆମ ଗାଁକୁ ଦୁଇ ପଟୁ ଘେରି ରହିଛି। ଭାର୍ଗବୀକୁ ଚିରି ଯେଉଁ ନୂଆ ନଈ ଖୋଳା ହେଇଛି, ସେ ଆମ ଗାଁର ପୂର୍ବପଟେ, ଯୌବନ ଶୂନ୍ୟ ଅବସ୍ଥାରେ, ଜନ୍ମ ସମୟରୁ ସମୁଦ୍ର ଆଡକୁ ଲମ୍ବି ଯାଇଛି। ସେ ନୂଆ ନଈ ହେବା ପୂର୍ବରୁ, ପିଲାଦିନେ ଭାର୍ଗବୀର କେତେ ରଙ୍ଗରୂପ ଦେଖିଥିଲୁ। ଆଜି କାହିଁକି ସେ କଥା ଭାରି ମନେ ପଡୁଛି।

ଭାର୍ଗବୀର ରୂପ ନ ଦେଖିଥିଲେ ବୁଝି ହେବନି । ସେ କଟକଠାରେ କାଠଯୋଡି ଭଳି, ଭୋକିଲା ଶୋଷିଲା ଓ ହାଡୁଆ ନୁହେଁ। କୋଡିଏ ଫୁଟ ହେବ ଗଭୀର ତାର ଧାର, ଶହେ ଫୁଟରୁ ଅଧିକ ଓସାର ତାର ଶଯ୍ୟା। ବର୍ଷା ଦିନମାନଙ୍କୁ ଛାଡି ଦେଲେ, ତାର ନୀଳ ଜଳ ସ୍ରୋତ, ସବୁ ସମୟରେ ତା ସାଙ୍ଗରେ ଖେଳିବାକୁ ସତେ ଯେମିତି ଡାକୁଥାଏ।

ଭାର୍ଗବୀର ଧାରକୁ ଲାଗି ଦୁଇ ପଟେ ଘଞ୍ଚ ତୋଟା। ଆମ୍ବ, ପଣସ, ପୁଲାଙ୍ଗ, ନିମ୍ବ ଆଦି ବିରାଟ ଗଛମାନଙ୍କ ଭିତରେ କାଁ ଭାଁ ସୁନାରୀ ଫୁଲ ଗଛ। ବର୍ଷା ଋତୁରେ, କାଳେ ନଦୀ ଅମାନିଆ ହୋଇ ଗାଁ ବା ଧାନ କ୍ଷେତ ଆଡେ, ବୁଲି ଯିବାକୁ ମନ ବଳାଇବ, ସେ ବିପଦ ଜନକ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ, ଦୁଇ ପଟର ତୋଟା ପରେ ରହିଛି ଉଚ୍ଚ ନଦୀ ବନ୍ଧ। ବର,ଓସ୍ତ, ନିମ୍ବ, ଜାମୁ ଆଉ ପୁଲାଙ୍ଗ ଆଦି ବିଶାଳ ଗଛ ନଈବନ୍ଧର ଦୁଇପଟେ ରହି, ମାଟି ବନ୍ଧକୁ ପଥର ଭଳି ଶକ୍ତ କରିଥାଆନ୍ତି।

ନଈରେ ଭରା ବଢି ପାଣି ଆସେ। ବଢିପାଣିର ପରିମାଣକୁ, ଗାଁ ଲୋକେ ମାପନ୍ତି ‘ପାଆ’ ହିସାବରେ। ନଈ ଭିତରେ ଠିଆହେଲେ, ଯଦି ଥଳକୁଳ ନ ପାଇଲା, ତା ହେଲେ ପାଏ ପାଣି, ତୋଟାକୁ ପାଣି ଲାଗିଲେ ଦୁଇ ପାଆ, ନଈ ବନ୍ଧତଳୁ ଚାରି ହାତ ଉଚ୍ଚ ପାଣି ମାଡି ଆସିଲେ ତିନି ପାଆ, ନଈ ବନ୍ଧକୁ ଛୁଇଁବାକୁ ହାତେ ଦୁଇ ହାତେ ପାଣି ପହଁଞ୍ଚିଲେ, ଚାରି ପାଆ। ତା ଠାରୁ ଅଧିକ ବଢି ପାଣି ଅମାପ ଓ ଧ୍ୱଂସର କାରଣ।

ସ୍କୁଲ ଛୁଟି ହେବା ପରେ, ଗାଁରେ ହଲା ହୁଏ ନଈର ବଢି ପାଣିରେ ଅଗ୍ନି ମଟର ଛୁଟି ଯାଉଛି । ପିଲାମାନେ ଦୌଡି ଆସନ୍ତି ଗତିଶୀଳ ଅଗ୍ନି ମଟରକୁ ଦେଖିବାକୁ। କାରଣ ଅନ୍ୟ ଦିନମାନଙ୍କରେ ଅଗ୍ନି ମଟର ନଦୀରେ ଯାଏନି। ଏତେ ଉଚ୍ଚ ନଈ ବନ୍ଧ ଉପରକୁ ଉଠି, କମି କମି ଯାଉଥିବା ଫଟ ଫଟ ଶଦ୍ଦ ଆଡକୁ ଚାହିଁଲା ବେଳକୁ, ଅଗ୍ନିମଟର ନଈର ବାଙ୍କ ପାର ହୋଇ ଅଦୃଶ୍ୟ ହୋଇ ଯାଥାଏ। ଚନ୍ଦନପୁରଠାରେ କେତେଟି ଅଗ୍ନିମଟର, ଶୁଖିଲା ନଈରେ ଅଲୋଡା ହୋଇ ପଡି ରହିଥିବା, ଅନ୍ୟ ଋତୁ ମାନଙ୍କରେ ଦେଖିବାକୁ ମିଳୁଥିଲା । କିନ୍ତୁ ସେହି ସ୍ଥାନରୁ ଓ ଭାର୍ଗବୀ ବକ୍ଷରୁ ଅଗ୍ନିମଟର ( ମଟର ଲଞ୍ଚ) ଚିରଦିନ ପାଇଁ ଅଦୃଶ୍ୟ ହୋଇଗଲାଣି।

ବଢି ସମୟରେ ପିଲାମାନେ ନିରାଶ ହୁଅନ୍ତି ନାହିଁ। ନଈରେ ଭାସି ଆସୁଥାଏ ବିରାଟ କାଠ ପଟାଳି। ଦଶପଲ୍ଲା ଜଙ୍ଗଲର ବିଶାଳ ଗଛମାନଙ୍କର ଗଣ୍ଡି ସବୁ ବନ୍ଧାହୋଇ ପଟାଳି ହୋଇଥାଏ। ପଟାଳିଆ ତା ଉପରେ ଛୋଟ କୁଡିଆଟିଏ କରି, ଉଠା ଚୁଲିରେ ରାତ୍ରୀ ଭୋଜନ ତିଆର କରୁଥାଏ। ଚାରି ପାଆ ନଈରେ, ପଟାଳି ଉପର ଚୁଲିରୁ ଉଠୁଥିବା ଧୁଆଁ, ଆମକୁ ଆଶ୍ଚର୍ଯ୍ୟ କରାଉଥିଲା। ଇଛା ହେଉଥିଲା, ପଟାଳିଆ ଆମକୁ ପଟାଳିରେ ବସାଇବାକୁ ଡାକନ୍ତା କି!

ଗାଁର ମୁରବୀମାନେ କହନ୍ତି, ସେ କାଠସବୁ ଯାଏ ପୁରୀରେ ତିନି ଠାକୁରଙ୍କର ରଥ ଯାତ୍ରାର ରଥ ନିର୍ମାଣରେ ଲାଗିବା ପାଇଁ। ଏଇତି ପାଇଁ ବୟସ୍କ ସ୍ତ୍ରୀଲୋକମାନେ କାଠ ପଟାଳି ଦେଖି, ‘ଆହେ ଜଗନାଥେ, ଆହେ କଳା ଠାକୁରେ’ ବୋଲି ମୁଣ୍ଡରେ ଦୁଇ ହାତ ଯୋଡି ବାରମ୍ବାର ନମସ୍କାର କରନ୍ତି। ମାଳତୀପାଟପୁର ଠାରେ ଜଗନ୍ନାଥ ସଡକ ଉପରେ ଥିବା ପୋଲ ପାଖରେ, ସେ କାଠ ପଟାଳି ସେବେ ଲାଗୁ ଥିବାରୁ , ତାହାର ନାଁ କାଠ ପୋଲ ଥିଲା। କିନ୍ତୁ ଭାର୍ଗବୀର ଭରା ବଢୀରେ, ଅନେକ ବାଉଁଶ ପଟାଳି ଆସିଥାଏ ଗଡଜାତ ଅଞ୍ଚଳରୁ। ବାଉଁଶ ବନିକମାନେ ଚନ୍ଦନପୁରଠାରେ ସେ ବାଉଁଶକୁ କିଣି ନେଇ ବେପାର କରନ୍ତି। ୧୯୭୦ ଦଶକର ଆରମ୍ଭରୁ
ନଈରେ ପଟାଳି ଆସିବା ବନ୍ଦ ହୋଇ ଗଲେଣି।

ଗାଁ ସ୍କୁଲରୁ ତୃତୀୟ ଶ୍ରେଣୀ ପାସ୍ କଲା ପରେ, ନଦୀ ଆରପଟ ସ୍କୁଲରେ ପାଠ ପଢିବାକୁ ଆମ ଗାଁରୁ ଅନେକ ପୁଅ ଝିଅ ଯାଉଥାଆନ୍ତି। ଚାରି ପାଆ ନଈରେ ଡ଼ଙ୍ଗାରେ ବସି ଆରପଟକୁ ଯିବାକୁ ପଡେ। ନଈ ଫୁଲି ଉଠିଥାଏ। ମଝି ନଈରେ ମେଞ୍ଚା ମେଞ୍ଚା ଧଳା ଫେଣ ଭାସି ଯାଉଥାଏ। ଗଛ ପତ୍ର ସହ ଅଦରକାରି ଜିନିଷ ଭାସି ଯାଉ ଯାଉ, କୂଳରେ ଥରେ ଥରେ ଲାଗିଯାଏ। ମଝି ନଈରେ ପାଣି ଉପରେ ବିରାଟ ପଦ୍ମପତ୍ର ଭଳି ଗୋଲାକାର ଭୁଦ ଭୁଦ ଖେଳିଯାଏ। ବେଳେ ବେଳେ ନଈ ବାଙ୍କରେ ବଡ଼ ଗଭୀର ଭଉଁରି ହୋଇ ନାଉରିଆ ଆଉ ପଟାଳିଆଙ୍କୁ ବହୂତ ସତର୍କ ରହିବାକୁ ସୂଚାଇ ଦିଏ। ତଥାପି ସେ ବିପଦ ଅବସ୍ଥାରେ, ସ୍କୁଲ ଛୁଟି ବୋଲି ଘୋଷଣା ହୁଏନି।

ବାନା, ବଇଁଶୀ, ଓ ଲିଙ୍ଗା ତିନି ଭାଇ, ଓ ପରେ ସେମାନଙ୍କର ପୁଅମାନେ ପାଳିକରି ଡ଼ଙ୍ଗାରେ ନଈ ପାରି କରାନ୍ତି। ସୁଅର ପ୍ରତିକୂଳରେ କିଛି ବାଟ ଆଗକୁ ନାହା ବାହି ନେଇ, କାତକୁ ରଖି, ଆହୁଲା ସାହାଯ୍ୟରେ କୌଶଳର ସହ ସେମାନେ ସ୍କୁଲ ପିଲା ଓ ବାଟୋଇଙ୍କୁ ନଈ ପାରି କରୁଥିଲେ। ଯେବେ ନଈ ବଢି ପାଣି ଅତି ଭୟଙ୍କର ହୁଏ ଓ ନାଉରିଆ ଉପରେ ଭରସା ରହେନି, କିଛି ନୌକା ଆରୋହୀ ଆଣିଥିବା ଫୁଲ ନଈ ସୁଅରେ ଭସାଇ ଦେଇ, ଜୀବନରେ ନଦେଖିଥିବା ଗଙ୍ଗା ନଦୀକୁ ସ୍ମରଣ କରି, ‘ଗଙ୍ଗା ମାତାକି ଜୟ, ଗଙ୍ଗାମାତା ରକ୍ଷା କର’ କହି ନଈ ସ୍ରୋତକୁ ପ୍ରଣାମ କରୁଥିଲେ। ନାଉରିଆମାନେ ମଝିରେ ମଝିରେ ପିଲାମାନଙ୍କୁ ନାଆରେ କାତ ମାରିବାକୁ ବା ଆହୁଲା ପକାଇବାକୁ ସୁଯୋଗ ଦେଇ, ଭବିଷ୍ୟତରେ ଦକ୍ଷ ନାବିକ ହେବାକୁ ପରୋକ୍ଷରେ ଉତ୍ସାହିତ କରୁଥିଲେ। ଏବେ ପ୍ରାୟ ପଚାଶ ବର୍ଷ ପରେ, ଆଜି ସ୍କୁଲ ସଂଖ୍ୟା ବହୂତ, ନଈ ଉପରେ ଅନେକ ପୋଲ। ନଈ ପାରି ଅନାବଶ୍ୟକ, ନୌକା ଓ ନାବିକ ଦେଖିବାକୁ ସ୍ୱପ୍ନ।

ଚାରିପାଆ ନଈରେ ଦିନେ ବଳଙ୍ଗାଠାରେ, ଡ଼ଙ୍ଗାରେ ବସି ନଦୀ ପାର ହେଉଥାଏ। ଅସ୍ତ ହେଉଥିବା ଲାଲ ସୂର୍ଯ୍ୟ, ବହୁଦୁର ପର୍ଯ୍ୟନ୍ତ ନଈ ପାଣି ଉପରେ ଝୁଲୁ ଥିବାର ସେ ରମଣୀୟ ଦୃଶ୍ୟ ଆଜି ବି ରଙ୍ଗିନ ଚଳଚିତ୍ର ଭଳି ମନରେ ଭାସି ଉଠେ। ସେ ବଢି ଓ ସେ ଡଙ୍ଗା ପାରି, ବର୍ତ୍ତମାନର ପ୍ରକୃତି ଓ ପରିବେଶର ଅମେଳ ପରିପେକ୍ଷୀରେ, ଅତୀତର ସ୍ମୃତି ହୋଇ ରହି ଯାଇଛି।

୧୯୭୧ ମସିହାରେ ଜୁଲାଇ କି ଅଗଷ୍ଟ ମାସ। ପୁରୀର ସାମନ୍ତ ଚନ୍ଦ୍ର ଶେଖର କଲେଜରେ, ମାଟ୍ରିକ ପରୀକ୍ଷା ପରେ ନାଁ ଲେଖିବାକୁ ଥାଏ। ଭୀଷଣ ନଈ ବଢି। ବାହାରେ ଅବିଶ୍ରାନ୍ତ ବର୍ଷା । ଚନ୍ଦନ ପୁରକୁ ଯାଇ ସେଠାରୁ ବସରେ ପୁରୀ ଯିବା ବ୍ୟତିତ ଅନ୍ୟ ଉପାୟ ନଥାଏ। ମୋର ପ୍ରିୟ ଦଦେଇ ମତେ ସାଥିରେ ନେଇ, ଆମ ଗାଁଠାରୁ ୧୦ କିଲୋମିଟର ଦୂର ଚନ୍ଦନପୁର ପର୍ଯ୍ୟନ୍ତ ଭଡା ଡ଼ଙ୍ଗାରେ ଆଣିଥିଲେ।ସେଦିନର ନଈ ଉପରେ ନୌକା ଯାତ୍ରା ଆଜି କାହାଣି ଭଳି ଲାଗୁଛି।

ଖୁବ ଛୋଟ ଥିଲା ବେଳେ, ଥରେ ସେହି ଦଦେଇଙ୍କ ସହ ସେମିତି ଡଙ୍ଗାରେ ବସି ଗାଁରୁ ଚନ୍ଦନପୁର ଆସିଥିଲି। ଗୟାଶ୍ରାଦ୍ଧ କରିବାକୁ ଦଦେଇ ଚନ୍ଦନପୁର ଆସି ସେଠାରୁ ରେଳ ଗାଡିରେ ଯିବାର ଥିଲା। ଅନ୍ଧାର ହୋଇଆସୁଥାଏ। ଚନ୍ଦନପୁର ପାଖ ହେବାରୁ, ଦୂରରେ ଇଲେକଟ୍ରି ଲାଇଟ ଦେଖାଗଲା। ଦଦେଇଙ୍କ ମୁହଁରୁ ଗୟା, ବନାରସ, ଆଲାହାବାଦ ଆଦି ନାଁ ଶୁଣି ମୋର ପିଲା ମନରେ, ସେ ଇଲେକଟ୍ରି ଲାଇଟ ସବୁ ସେହି ସହର ଗୁଡିକର ବୋଲି ବହୁତ ଦିନ ଧରି ନେଇଥିଲି।

ଭାର୍ଗବୀରେ ଦୀର୍ଘ ପଥ ନୌକା ଯାତ୍ରା କରିବାର ଇଛା କାହା ମନରେ ହେଉନଥିବ। ଜଳ ଧାରର ଦୁଇପଟେ ସବୁଜ ବନାନୀ। ନଦୀ ପଠାରେ କେତେ ପ୍ରକାରର ଫସଲ। ଠାଏ ଠାଏ ହଳଦିଆ ଶୋରିଷ ଫୁଲ ଫୁଟି ନଈ ପଠା ରଙ୍ଗୀନ । ନୌକା ଯାତ୍ରା ସର୍ବଦା ଆକକର୍ଷଣୀୟ ଥିଲା। କିନ୍ତୁ ଥରେ ମାତ୍ର ଭାର୍ଗବୀରେ ଚନ୍ଦନପୁର ଠାରୁ ଆମ ଗାଁ ପର୍ଯ୍ୟନ୍ତ ଡଙ୍ଗାରେ ଆସିବାର ସୁଯୋଗ ମିଳିଥିଲା। ସେତେବେଳେ ଜଳସ୍ତର ବହୁତ କମିଯାଇଥାଏ। ସେହି ଦଦେଇଙ୍କର ଦଶାହ ନିମନ୍ତେ, ୧୯୭୨ ମସିହାରେ ଦୁଃଖଦ ପରିସ୍ଥିତିରେ, ଚନ୍ଦନପୁର ବଜାରରୁ ସୌଦାପତ୍ର କିଣି ଡ଼ଙ୍ଗାରେ ଯାତ୍ରା ଆରମ୍ଭ କରିଥିଲୁ। ସନ୍ଧ୍ୟା ହେଇଆସୁଥାଏ। ସ୍ରୋତର ବିପରିତ ଦିଗରେ ନାଉରୀଆ କାତମାରି ନାହା ବାହି ନେଉଥାଏ। ଯାତ୍ରା ଆଦୌ ରୋମାଞ୍ଚକର ଲାଗୁନଥିଲା। ନଈ କୂଳିଆ ମଶା ପ୍ରତି ମୁହୂର୍ତ୍ତରେ ଆକ୍ରମଣ ଜାରି ରଖି ସେମାନଙ୍କର ଶକ୍ତି ଆଗରେ ହାର ମାନିବାକୁ ଯେମିତି ବାଧ୍ୟ କରୁଥାଆନ୍ତି।

ସମୟକ୍ରମେ ଭାର୍ଗବୀର ବଢିପାଣି ଗବକୁଣ୍ଡ କଟ୍ ବାଟେ, ୧୯୬୪-୬୫ ବେଳକୁ ଖୋଳା ହୋଇଥିବା ନୂଆ ନଈରେ, ସମୁଦ୍ରକୁ ମୁହାଁଇବାରୁ, ବନ୍ୟାର ପ୍ରକୋପ କମିଗଲା। ଚାରି ପାଆ ବନ୍ୟା ଅତୀତର କାହାଣୀ ହୋଇ ରହିଗଲା। ପୁଣି ମହାନଦୀର କଅଣ ହେଲା କେଜାଣି, ପର୍ଯ୍ୟାପ୍ତ ପରିମାଣର ବନ୍ୟାଜଳ ଆଉ ଆସିଲା ନାହିଁ। ଏବେ ନଈ ବନ୍ଧର ମାଟି ରାସ୍ତା ଉପରେ ପିଚୁ ରାସ୍ତା ନିର୍ମାଣ ହୋଇଗଲାଣି। ଛୋଟ ତିନି ବା ଚାରି ଚକିଆ ମଟର ଗାଡିରେ ବ୍ୟବସାୟିକ ଜିନିଷ ବୁହା ହେବାରୁ, ଡଙ୍ଗାରେ ମାଲ ବୁହା ଆପେ ଆପେ ବନ୍ଦ ହୋଇଗଲାଣି। ନୂଆ ନଈର ଜନ୍ମଠାରୁ, ପୁରୁଣା ଭାର୍ଗବୀର ଶାରୀରିକ ପରିବର୍ତ୍ତନ ଘଟିଲା। ଯେଉଁଠାରେ ଗଭୀର ଜଳରାଶି ରହୁଥିଲା, ସେ ପୋତିହୋଇ ବାଲିଚର ହୋଇଗଲା। ଯେଉଁଠାରେ ଖୋଜେ ପାଣି ରହୁଥିଲା, ସେଠି ପାଣିର ଗଭୀରତା ବଢିଗଲା। ନଈ ବନ୍ଧରେ ଥିବା ନଳା ଦେଇ, ବଢିପାଣି ଗାଁମାନଙ୍କର ଧାନ କ୍ଷେତକୁ ଆଉ ମାଡିଲା ନାହିଁ। ଗଡିଆ ପୋଖରୀରେ ବଢି ପାଣି ପଶିବା ବନ୍ଦ ହୋଇଗଲା।

ବର୍ଷା ଦିନକୁ ଛାଡି ଦେଲେ, ଅନ୍ୟ ସମୟରେ ଆମ ଗାଁଠାରୁ ତଳଆଡକୁ ଭାର୍ଗବୀ ଯେମିତି ଶ୍ରୀହୀନ। ଯେଉଁଠି ଏହାର ଚମକୁଥିବା ଧୂସର ବାଲୁକା ରାଶି ରହିଛି ବା ଯେଉଁଠାରେ ନଦୀଜଳ ଭିତରକୁ ଟ୍ରାକ୍ଟର ଆସିପିରୁଛି, ସେଇଠି ନୂଆକରି ଆରମ୍ଭ ହୋଇଛି ଭାର୍ଗବୀ ଉପରେ ବାଲି-ବ୍ୟବସାୟୀଙ୍କର ଉତ୍ପାତ ଓ ଅତ୍ୟାଚାର। ଦିନରାତି ଟ୍ରାକ୍ଟରରେ ବୁହାଚାଲିଛି ନଈ ବକ୍ଷରୁ ବାଲି ଓ ସମୟେ ସମୟେ ନଈ ପଠାରୁ ମାଟି। ବନ୍ୟା ନ ଆସିବାରୁ ଏପରି ଅବକ୍ଷୟ ଭାର୍ଗବୀକୁ କ୍ଷତବିକ୍ଷତ କରି ଦେବାରେ ଲାଗିଛି।ଆଉ କଅଣ ଭାର୍ଗବୀରେ ଚାରି ପାଆ ବନ୍ୟା ଆସିବ ଓ ଏହାର ଅବକ୍ଷର ରୋକି ହେବ !
*******************************
ଶ୍ରୀ ଚନ୍ଦ୍ର ଶେଗଖର ଦାଶ
ତାରିଖ- ୭/୮/୨୦୧୭
ଭୁବନେଶ୍ୱର

Comments

comments