ଓଡ଼ିଆମାନେ ଗଣେଶ ଚତୁର୍ଥୀ ଓ ବସନ୍ତ ପଞ୍ଚମୀ ତିଥିକୁ ଛୋଟ ପିଲାଙ୍କ ଵିଦ୍ୟାରମ୍ଭ ପାଇଁ ଏକ ଶୁଭ ବେଳା ବୋଲି ବିଶ୍ୱାସ କରନ୍ତି । ଓଡ଼ିଆଙ୍କ ଵିଦ୍ୟାରମ୍ଭ, ପାରମ୍ପରିକ ଭାବେ ଵିଧିଵିଧାନ ଅନୁଯାୟୀ ଅନୁଷ୍ଠିତ ହୁଏ । ଶିଶୁର ବୋଧ ଆସିବା ପରେ ଏପରି ଏକ ପବିତ୍ର ଦିନରେ ପିଲାଙ୍କୁ ନିଜ ଜୀବନରେ ଶିକ୍ଷାର ମହତ୍ତ୍ୱ ବୁଝାଯାଏ । ଏହି ଦିନ ପିଲାମାନେ ଖଡ଼ି ଧରି ଅକ୍ଷର ଲେଖା ଶିଖିବା ଆରମ୍ଭ କରିଥାନ୍ତି ।
ଏହି ଦିନ ସମୂହ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ବିଭିନ୍ନ ମନ୍ଦିର ଓ ପୂଜାସ୍ଥଳୀମାନଙ୍କରେ ଆୟୋଜିତ ହୁଏ । ସକାଳୁ ପିତାମାତାମାନେ ପିଲାଙ୍କୁ ଗାଧୋଇ ପାଧୋଇ ନୂଆ ଜାମା ପିନ୍ଧାଇ ପ୍ରସ୍ତୁତ କରନ୍ତି । କେହି କେହି ପିଲାଙ୍କୁ ପୂର୍ବରୁ ଲଣ୍ଡା ମଧ୍ୟ କରେଇ ଥାଆନ୍ତି । ଗୁରୁଜନମାନେ ନାନା କଥା କହି ପିଲାକୁ ବିଦ୍ୟାରମ୍ଭ ପାଇଁ ଉତ୍ସାହିତ କରନ୍ତି । ଖଡ଼ି, ସିଲଟ, ଛଞ୍ଚା, ଧୂପ ଦୀପ, ଫୁଲ ଆଦି ପୂଜା ସରଞ୍ଜାମ, ଭୋଗରାଗ ସହ ଦକ୍ଷିଣା ନେଇ ପହଞ୍ଚନ୍ତି ପୂଜାସ୍ଥଳୀରେ । ଗଣେଶ ବା ସରସ୍ୱତୀଙ୍କ ମଙ୍ଗଳାଚରଣ ଓ ପୁଷ୍ପାଞ୍ଜଳି ପରେ ଖଡ଼ି ସିଲଟ ପୂଜା ହୁଏ । ଆଚାର୍ଯ୍ୟ ସ୍ତୁତି ପଠନ କରି କୁନି ପିଲାଙ୍କ ହାତ ଧରି ସିଲଟ ଉପରେ ଲେଖିବାରେ ସହଯୋଗ କରନ୍ତି । ଖଡ଼ିରେ ‘ଓଁ ଶ୍ରୀ’, କେହି କେହି କେବଳ ତିନୋଟି ମୁଣ୍ଡଳୀ ବୁଲେଇ ଦିଅନ୍ତି ବା ସିଦ୍ଧରସ୍ତୁ ଲେଖନ୍ତି । ଓଁ ଲେଖିବାର ଅର୍ଥ ହେଉଛି, ଏହା ସୃଷ୍ଟିର ମୂଳ ତତ୍ତ୍ୱ ଓ ଶ୍ରୀ ଏହାର ରୂପ । ତିନୋଟି ମୁଣ୍ଡଳୀ ହେଉଛି ବ୍ରହ୍ମା, ଵିଷ୍ଣୁ ଓ ମହେଶ୍ୱର । ସିଦ୍ଧରସ୍ତୁ ଅର୍ଥ ଵିଦ୍ୟା ସିଦ୍ଧି ହେଉ । ଲେଖି ସାରିବା ପରେ ଠାକୁର ଓ ଆଚାର୍ଯ୍ୟଙ୍କୁ ପ୍ରଣାମ କରି ଆଶୀର୍ଵାଦ ଭିକ୍ଷାକରନ୍ତି ଓ ଦକ୍ଷିଣା ଦେଇ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଦକ୍ଷିଣ ଓଡ଼ିଶାରେ ଏହି ଵିଧି ଭିନ୍ନ ଏକ ଢଙ୍ଗରେ ଦେଖିବାକୁ ମିଳେ । ଆଚାର୍ଯ୍ୟ ପିଲାଙ୍କୁ ଅରୁଆ ଚାଉଳ ପୂର୍ଣ୍ଣ ପିତ୍ତଳ ଥାଳିରେ ହଳଦୀ ଖଣ୍ଡଟିଏ ଧରି ଅକ୍ଷରଟିଏ ଲେଖାନ୍ତି । ଏଠାରେ ଚାଉଳର ଅର୍ଥ ଉତ୍ପାଦକତା ଓ ହଳଦୀର ଅର୍ଥ ପବିତ୍ରତାକୁ ସୂଚାଏ । ଉତ୍ପାଦକତା ଓ ପବିତ୍ରତା ହେଉଛି ଶିକ୍ଷାର ମୂଳ ମନ୍ତ୍ର ଅଟେ ।
ଖଡ଼ି ଛୁଆଁ ବିଧି ପରେ ପିଲାମାନେ ଚାଟ ବା ଛାତ୍ର ବୋଲାନ୍ତି । ଚାଟଶାଳୀ ବା ବିଦ୍ୟାଳୟରେ ଭର୍ତ୍ତି ହୁଅନ୍ତି । ଏହି ଦିନୁ ଛାତ୍ର ପ୍ରତ୍ୟହ ବସ୍ତାନୀ ଧରି ଅବଧାନ ବା ଓଝାଙ୍କ ପାଖକୁ ଯାଇ ଶିକ୍ଷା ଗ୍ରହଣ କରିବା ନିତିଦିନିଆ ହୁଏ । ଅତୀତର ଗୁରୁକୂଳ ପରମ୍ପରାରେ ଖଡ଼ି ଛୁଆଁ ପରେ ଵିଦ୍ୟାର୍ଥୀ ଗୁରୁକୂଳରେ ଯୋଗ ଦେବା ଵିଧି ଥିଲା ।
ଵିଶ୍ବର ବିଭିନ୍ନ ପ୍ରାନ୍ତ ତଥା ଅଷ୍ଟ୍ରେଲିଆର ବ୍ରିସବେନ, କାନବେରା, ସିଡନୀ, ମେଲବର୍ଣ୍ଣ , ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗେ ଓ ଓଡ଼ିଆମାନେ ରହୁଥିବା ଅନେକ ସହର, ଓଡ଼ିଶା ସମେତ ମୁମ୍ବାଇ, ବେଙ୍ଗାଳୁରୁ, କଲିକତା, ସୁରତ, ଦିଲ୍ଲୀ ଆଦି ସ୍ଥାନରେ ଜାକଜମକରେ ଏହି ବିଧି ପାଳନ ହୋଇଥାଏ । ଆମ ନିଆରା ପରମ୍ପରାକୁ ବଜାୟ ରଖିବା ପାଇଁ ଏବେ ମଧ୍ୟ ବିଦେଶରେ ଖଡ଼ି ଓ ସିଲଟ ଖଣ୍ଡେ ଯୋଗାଡ଼ କରିବାକୁ କୌଣସି ଓଡ଼ିଆ ପରିବାର ପଛାନ୍ତି ନାହିଁ ।
#OdiaPost ପ୍ରତ୍ୟେକ ପୂଜା ପାଇଁ ପଞ୍ଚାମୃତ ଲୋଡ଼ା । ଜାଣନ୍ତୁ ମହତ୍ତ୍ୱ ଓ ପ୍ରସ୍ତୁତି ପ୍ରଣାଳୀ
——————————————————————————————————————–
By Nitu Ranjan Dash
Visual Anthropologist
Delhi University