ପୂଣ୍ୟଭୂଇଁ ଓଡ଼ିଶା ଯାହାର ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସନାତନ ଚତୁର୍ଧାମ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ଅଦ୍ୟାଵଧି ବଞ୍ଚିରହିଛି ଭାରତର ପ୍ରାଚୀନତମ ତଥା ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ, ଯେଉଁଠି ପ୍ରଚଳିତ ଓଡ଼ିଆ ଭାଷା ଆଜିର ଏକମାତ୍ର ଉତ୍ତର ଭାରତୀୟ ଶାସ୍ତ୍ରୀୟ ଭାଷା , ଯାହାର ପଟ୍ଟଚିତ୍ର ଶାସ୍ତ୍ରୀୟ ଵିଦିତ, ଯାହାର ଓଡ଼ିଶୀ ସଙ୍ଗୀତରେ ରହିଛି ଶାସ୍ତ୍ରୀୟତା । ଅସଂଖ୍ୟ ଲୋକ ଗୀତ ଓ ନୃତ୍ୟ ମଧ୍ୟ ରହିଛି । ଓଡ଼ିଶାର ଏହି ସଵୁ ସାଂସ୍କୃତିକ ଉତ୍କର୍ଷର ନିଷ୍କର୍ଷରେ ଗୀତଟିଏ :
ଏଇ ଓଡ଼ିଶା ଭୂଇଁ ଏଇ ଓଡ଼ିଶା ଭୂଇଁ
ଏଇ ଓଡ଼ିଶା ଭୂଇଁ ଏଇ ଓଡ଼ିଶା ଭୂଇଁ
ଯାହାର କୋଳେ ଜନମ ମୋର
ଯା କୋଳେ ଜୁଇ ଜଳିଵା ସାର
ସେଇଟି ମୋର
ସରଗ ପୁର
ତା ପରି ଆଉ କେ ନାହିଁ
ଏଇ ଓଡ଼ିଶା ଭୂଇଁ ଏଇ ଓଡ଼ିଶା ଭୂଇଁ
ମାଟି ଗାଏ ପାଇକର ଵୀରତ୍ୱ ଗାଥା
ଦେଇଛି ଶୀର କେଵେ ନଇନି ମଥା
ଜୟୀ ରାଜଗୁରୁ ବକ୍ସି ସୁରେନ୍ଦ୍ର ସାଏ
ବାଜି ରାଉତଙ୍କ ଵାର୍ତ୍ତା ହୃଦ ଥରାଏ
ଯୁଦ୍ଧର ନୀତି
ଯୋଦ୍ଧାର ଖ୍ୟାତି
ଐତିହ୍ୟେ ଯା’ ଅଛି ରହି
ଏଇ ଓଡ଼ିଶା ଭୂଇଁ ଏଇ ଓଡ଼ିଶା ଭୂଇଁ
ସୁନ୍ଦର ସବୁଜ ଵନ ଗିରି ଆକାଶ
ଖଣିଜ ସମ୍ପଦ ଭରା ଖଣି ଖାଦାନ
ତଟିନୀ ଗାଉଛି ଵନ୍ଦେ ଓଡ଼ିଶା ସୁର
ସାଗର ଧୋଉଛି ନିତି ଚରଣ ତାର
ମୂର୍ଚ୍ଛନା ତୋଳେ
ସର୍ଵ ମଙ୍ଗଳେ
ଜୟ ଜଗନ୍ନାଥ ଗାଇ
ଏଇ ଓଡ଼ିଶା ଭୂଇଁ ଏଇ ଓଡ଼ିଶା ଭୂଇଁ
ତାରକସି ପଟ୍ଟଚିତ୍ର କଳା ସାହିତ୍ୟ
ଓଡ଼ିଶୀ ସଙ୍ଗୀତ ଆଉ ଓଡ଼ିଶୀ ନୃତ୍ୟ
ଚାନ୍ଦୁଆ ସମ୍ବଲପୁରୀ ଵସ୍ତ୍ର ଵୟନ
କୋଣାର୍କ ଭାସ୍କର୍ଯ୍ୟ ଚାରୁ କଳା ନିପୁଣ
କଳା ଶାସ୍ତ୍ରୀୟ
ଭାଷା ଶାସ୍ତ୍ରୀୟ
ଜଗତେ ମିଳିଵ କାହିଁ
ଏଇ ଓଡ଼ିଶା ଭୂଇଁ ଏଇ ଓଡ଼ିଶା ଭୂଇଁ