Bhubaneswar Buzz

ଭାଷା ଜ୍ଞାନ-୧ A beautiful blog by Chandra Sekhar Dash on usage of Odia language in internet

 

ସିନେମାଟିର ନାୟକ ଜଣେ ଶିକ୍ଷକ ଥିଲେ। ସେ ତାଙ୍କ ପତ୍ନୀଙ୍କ ଶବାଧାର ପଛରେ ଆସୁ ଥାଆନ୍ତି। ନଦୀ କୂଳରେ ଶଶ୍ମାନ। କୂଳକୁ ଯିବା ପାଇଁ ତଳକୁ କେତେକ ପାହାଚ ଗଡିଯାଇଛି। ପାହାଚ କଡରେ ସିମେଣ୍ଟ ପାଚେରୀରେ କିଛି ଲେଖା ଦେଖି ଶିକ୍ଷକ ମହାଶୟ ଅଟକିଗଲେ। ଭୁଲ ବନାନଥିବା ଶଦ୍ଦ ଗୁଡିକୁ ଦେଖି, ସେ ସେହି ଗୁଡିକୁ ସଂଶୋଧନ କରିବା ପାଇଁ ଆଗେଇବାକୁ ଲାଗିଲେ। ସେହି ସମୟର କର୍ତ୍ତବ୍ୟକୁ ଉପେକ୍ଷା କରି, ଶିକ୍ଷକ କାନ୍ଥ-ଲେଖାରେ ଥିବା ଭୁଲ ସୁଧାରିବାକୁ ଯିବା କଥାଟା, ଶବ ବାହକମାନଙ୍କର ପସନ୍ଦ ନ ହେବାରୁ ସେମାନେ ଶିକ୍ଷକଙ୍କୁ ତାଗିଦ କରିଥିଲେ। ନାମ ମନେ ନପଡୁଥିବା ସେହି ସିନେମାର ଏହି ଅଂଶଟି ମତେ ବହୁତ ପ୍ରଭାବିତ କରିଥିଲା ଏବଂ ଚାଳିଶି ବର୍ଷରୁ ଅଧିକ ସମୟ ପରେ ମଧ୍ୟ ବ୍ୟଥିତ କରୁଛି। ମୋ ଭାଷାରେ ଲେଖିଲା ସମୟରେ ଅନେକ ବନାନ ଭୁଲ କରି ବସୁଛି, ଯଦିବା ମୁଁ ସ୍କୁଲରେ ଓଡ଼ିଆ ଭାଷାରେ ପାଠ ପଢିଥିଲି।
ଇଣ୍ଟରନେଟରେ ଓଡ଼ିଆ ଲିପି ବ୍ୟବହାର ଆରମ୍ଭ ହେଲା ପରଠାରୁ, ଓଡ଼ିଆରେ ଅନେକ ଲେଖା ଦେଖିବାକୁ ମିଳୁଛି। ମୋ ଭଳି ଅନେକ ବନ୍ଧୁ ଓଡ଼ିଆ ଲିପିରେ ଲେଖିବାକୁ ପସନ୍ଦ କରୁଛନ୍ତି। ଇଣ୍ଟରନେଟରେ ଓଡିଆରେ ଲେଖୁଥିବା ଲେଖକମାନଙ୍କୁ ତିନୋଟି ଗୋଷ୍ଠୀରେ ଭାଗ କରାଯାଇପାରେ। ପ୍ରଥମ ଗୋଷ୍ଠୀରେ ସେହି ଲେଖକମାନେ ଅଛନ୍ତି ଯେଉଁମାନେ ସର୍ବଦା ଓଡିଆରେ ଲେଖାଲେଖି କରୁଥିଲେ, ଏବେ ନେଟରେ ଲେଖା ଜାରି ରଖିଛନ୍ତି। ଦ୍ବିତୀୟ ଗୋଷ୍ଠୀରେ ଅଛନ୍ତି ସେହିମାନେ, ଯେଉଁମାନେ କର୍ମ କ୍ଷେତ୍ରରେ ପ୍ରବେଶ କରିବାପରେ ଓଡ଼ିଆରେ ଲେଖାଲେଖି କରିବାର ଅବକାଶ ପାଇ ନଥିଲେ ଏବଂ ଅବସର ପରେ ଇଣ୍ଟରନେଟରେ ଓଡ଼ିଆ ବ୍ୟବହାର କରୁଛନ୍ତି। ମୁଁ ନିଜକୁ ସେହି ଦଳର ବୋଲି ମନେକରେ। ତୃତୀୟ ଗୋଷ୍ଠୀରେ ଅଛନ୍ତି ଇଂରାଜୀ ମାଧ୍ୟମରେ ପଢିଥିବା କିଛି ବ୍ୟକ୍ତି ଯେଉଁମାନେ ତାଙ୍କ ସ୍କୁଲରେ ଓଡିଆ ଭାଷା ଶିଖିଥିଲେ କେବଳ ପରୀକ୍ଷାରେ ପାସ କରିବା ପାଇଁ; କିନ୍ତୁ ଏବେ ଭାଷାକୁ ଭୁଲିବାକୁ ଚାହୁଁ ନାହାନ୍ତି। ସେମାନେ ଓଡିଆରେ ଲେଖିବାର ପ୍ରୟାସ କରୁଛନ୍ତି ବା ଲେଖୁଛନ୍ତି। ଚିଠି, ଖାତା ବା କାଗଜପତ୍ରରେ ଲେଖୁଥିଲେ, ଯଦି ବନାନ ଭୁଲ ହୋଇଯାଏ, ହୁଏତ ସୀମିତ ପାଠକଙ୍କ ବ୍ୟତୀତ ଆଉ କେହି ଜାଣିପାରିବେ ନାହିଁ। କିନ୍ତୁ ଫେସବୁକ, ହ୍ବାଟ୍ସ ଅପ୍, ନେଟରେ ବ୍ଳଗ ଓ ଅନ୍ୟ ଲେଖା ଆଜି ଏକାଧିକ ପାଠକଙ୍କର ପାଖରେ ପହଞ୍ଚି ଯାଉଛି। ମାତ୍ରା ଓ ଅକ୍ଷରର ଭୁଲ ପ୍ରୟୋଗରେ ତିଆରି ଅନେକ ଶଦ୍ଦ ଲେଖାମାନଙ୍କରେ ରହିଯାଉଛି। ଅଶୁଦ୍ଧ ଲେଖା ଘୂରିବୁଲୁଛି, ଭାଷା ଓ ଭାଷାର ପରିବେଶକୁ ପ୍ରଦୂଷିତ କରି ଦେଉଛି। କିଏ ଶୁଦ୍ଧ କିଏ ଅଶୁଦ୍ଧ ଜାଣିବା ସମ୍ଭବ ହେଉନି। ଭାଷାର ସ୍ୱାସ୍ଥ୍ୟ ଖରାପ ହେବା ଜଣା ପଡିଲାଣି। ଉଦାହରଣ ବହୁତ ଅଛି, ଏଠି ଉଲ୍ଲେଖ କରିବା ଅନାବଶ୍ୟକ।

ଯେହେତୁ ମୁଁ ନିଜକୁ ଉପରେ ଲିଖିତ ଦ୍ୱିତୀୟ ଗୋଷ୍ଠୀରେ ସଦସ୍ୟ ବୋଲି ଭାବେ, ମୋ ମନରେ ଏକ ପ୍ରଶ୍ନ ଉଠିଲା। ମୋର ବନାନ ଦକ୍ଷତା ପରୀକ୍ଷା କରିବା ଆବଶ୍ୟକ। କିପରି କରିବି ଭାବୁଥାଏ। କିଛି ଦିନ ପୂର୍ବେ ଓଡ଼ିଆ ଭାଷା ପ୍ରତିଷ୍ଠାନ, ୨୦୧୪ ମସିହାରେ ‘ଓଡ଼ିଆ ବର୍ଣବୋଧ’, ମୂଳ ରଚନା ଭକ୍ତକବି ମଧୁ ସୂଦନ ରାଓ, ନେଟରେ ଅପଲୋଡ କରିଥିଲେ। ମୁଁ ତାକୁ ଡାଉନଲୋଡ କରିଥିଲି। ସେହି ବହିକୁ ଲାପଟପରେ ଖୋଲିକରି ପଢିବାକୁ ସ୍ଥିର କଲି। ମନେ ମନେ ଭାବିନେଲି ଯେ ସେହି ବହିଟି ପ୍ରଥମରୁ ପଢିବି। ବହିରେ ଥିବା ବିଭିନ୍ନ ମାତ୍ରା ଓ ଯୁକ୍ତାକ୍ଷର ଗଠନ କ୍ରମ ଅନୁସାରେ ପଢିବି। ପ୍ରତିଟି ବିଭାଗରେ ଲେଖାଥିବା ଶଦ୍ଦର ଗଠନ ଓ ବନାନ ଶୁଦ୍ଧ ବୋଲି ଗ୍ରହଣ କରିବି। ତା ପରେ ନିଜକୁ ପଚାରିବି ଯଦି ଏହି ପୃଷ୍ଠା ବା ବିଭାଗରେ ଲେଖାଥିବା ଶଦ୍ଦକୁ ମତେ କିଏ କାଗଜ କଲମ ଧରି ଲେଖିବା ପାଇଁ ଡାକିଥାଆନ୍ତା, ତାହାଲେ ମୁଁ ସେହି ଶଦ୍ଦକୁ କିପରି ଲେଖି ଥାଆନ୍ତି। ଯେପରି ଲେଖିଥାଆନ୍ତି ତାହା ମନେ ମନେ ସ୍ଥିର କରିନେବି। ତାପରେ, ‘ବର୍ଣବୋଧ’ ଅନୁସାରେ ତାହା ଠିକ କି ଭୁଲ ତାହା ପରଖି ଦେଖିବି। ଉଦ୍ଦେଶ୍ୟ ହେଲା ‘ବର୍ଣବୋଧ’ରେ ଥିବା ଶଦ୍ଦକୁ ମୁଁ ଭୁଲ ବନାନ କରି ଲେଖୁଛି କି ନାହିଁ ଜାଣିବା। ଏଥର ସେହି ପରୀକ୍ଷା ଆରମ୍ଭ କରିବା।

(୧) ଡ, ଢ, ଡ଼, ଢ଼ – ଏହି ଦୁଇଟି ଅକ୍ଷର ତଳେ ଗୋଟିଏ ବିନ୍ଦୁ ରିହିଲେ ତାହାର ଉଚ୍ଚାରଣ ଅଲଗା ହୁଏ। ଅଭିଜ୍ଞତାରୁ ଜାଣୁଛି ‘ଓଡ଼ିଶା’ ଶଦ୍ଦରେ ଥିବା ‘ଡ’ ତଳେ ବିନ୍ଦୁଟି ନଥିଲେ ଆଖିକୁ ଅସୁନ୍ଦର ଦିଶେ। କିନ୍ତୁ ମୋର ମୋଟ ଉପରେ ମନେ ପଡୁନି ‘ଡ’ ଓ ‘ଢ’ ତଳେ ବିନ୍ଦୁ ଦେଇ କୌଣସି ଶଦ୍ଦରେ ଲେଖିବା। ଅଥଚ ‘ଚ’ ତଳେ ବିନ୍ଦୁଟିଏ ଦେଇ ‘ଚନ୍ଦ୍ର’ ଅନେକ ଥର ଲେଖିଛି। ‘ବର୍ଣବୋଧ’ରେ ‘ଚ’ ତଳେ ବିନ୍ଦୁ ନାହିଁ। ‘ଡ’ ଓ ‘ଢ’ ତଳେ ଯେଉଁଠାରେ ଆବଶ୍ୟକ, ସେଠାରେ ବିନ୍ଦୁ ନ ଦେବା ଓ ‘ଚ’ ତଳେ ବିନ୍ଦୁ ଦେବାର ଅପପ୍ରୟୋଗ ଦୁଇଟି ପୁରାତନ ଭୁଲ। ଏହି ବିନ୍ଦୁ ଦୁଇଟି ଓଡ଼ିଆ ଲିପିର ଆପେଣ୍ଡିସାଇଟିସ୍ ଭଳି ମନେ ହୁଏ, କାଟି ଦେଲେ ଭଲ ହେବ ବୋଧହୁଏ।

(୨) ୱ- ବର୍ଣବୋଧରେ ‘ୱ’ ଅକ୍ଷର ଲେଖା ଅଛି। ଏତେ ପ୍ରାଚୀନ ଏ ଅକ୍ଷର! ତଥାପି ଏଠାରେ ସ୍ବୀକାର କରିବାକୁ ଲଜ୍ଜାକର ମଣୁ ନାହିଁ ଯେ ଏହି ଅକ୍ଷର ମୁଁ କେବେ ଓଡ଼ିଆ ଲିପିରେ ବ୍ୟବହାର କରିଥିଲି ବୋଲି। ବୋଧହୁଏ ଏ ଅକ୍ଷରଟି ଆଦୌ ପଢି ନଥିଲି। ଏବେ କେଉଁଠି କେଉଁଠି ଏହାକୁ ଦେଖି ମନେ ହେଉଛି ଯେ ଓଡ଼ିଆ ଲିପିରେ ଥିବା ଦୁଇଟି ‘ବ’ ମଧ୍ୟରୁ , ଗୋଟିକର ଉଚ୍ଚାରଣ ‘ୱ’ ଭଳି ହୁଏ ବୋଲି ସେହି ‘ବ’ କୁ ‘ୱ’ ରେ ପରିଣତ କରାଯାଇଛି। ନହେଲେ ‘ୱେବସାଇଟ’ ‘ୱିକେଟ’ ଲେଖିବା କିପରି! ଗୁଗୁଲ ଇଣ୍ଡିକ କିବୋର୍ଡରେ ଓଡିଆ ଲିପିର ଦୁଇଟି ‘ବ’ରୁ ଗୋଟିଏ ‘ବ’ ଅଛି, ଅନ୍ୟଟି ‘ୱ’ ହୋଇଯାଇଛି।

(୩) ଆ- କାର – ଏହି ମାତ୍ରା ଲଗାଇ ଶଦ୍ଦ ଲେଖିବା କଷ୍ଟ ନୁହେଁ। ‘ବର୍ଣବୋଧ’ରେ ‘ହ’ ଓ ‘ୱ’ ଏବଂ ‘ତ’ ଓ ‘ୱ’ ରେ ଆ-କାର ଦେଇ ଦୁଇଟି ଶଦ୍ଦ ଲେଖା ଅଛି। ଗୁଗୁଲ ଇଣ୍ଡିକ କିବୋର୍ଡ଼ରେ ‘ୱ’ରେ ଆ-କାର ଦେଇ ହେଉନାହିଁ । ତଥାପି ମତେ ଏ ଶଦ୍ଦ ଲେଖିବାକୁ ହୋଇଥିଲେ ବୋଧହୁଏ ମୁଁ ହାଉଆ ଓ ତାଉଆ ଲେଖିଥାଆନ୍ତି। ବର୍ଣବୋଧରେ ‘ୱ’ରେ ଆ-କାର ଥାଇ ଶଦ୍ଦ ଗଠନ ହୋଇଥିବାରୁ ଏହି ଶଦ୍ଦ ଶୁଦ୍ଧ ଭାବରେ ଲେଖିପାରି ନଥାନ୍ତି।
(୪) ହ୍ରସ୍ୱ ଇ-କାର – ଏହି ମାତ୍ରା ଥିବା ଅଧିକାଂଶ ଶଦ୍ଦ ନିର୍ଭୁଲ ଭାବେ ଲେଖି ହୁଏ । କିନ୍ତୁ ଶାଢ଼ୀ, କୋଠରୀ ପାଚେରୀ ଆଦି ଶଦ୍ଦରେ ହ୍ରସ୍ୱ ଇ-କାର ବଦଳରେ ଦୀର୍ଘ ଈ-କାର ହୁଏ ନାହିଁ , ଏହା ମୋର ଜଣେ ଘନିଷ୍ଠ ବନ୍ଧୁ ନ କହିଥିଲେ, ମୁଁ ତାହା ବାରମ୍ବାର ଲେଖି ଚାଲିଥାଆନ୍ତି।
(୫) ଦୀର୍ଘ ଈ-କାର – ଯଦି ଫଣୀ, କାହାଳୀ, କଟୁରୀ ଲେଖିବାକୁ ପଡନ୍ତା ତାହାଲେ ମୁଁ ନିଶ୍ଚିନ୍ତ ଭାବେ ଫଣି, କାହାଳି, କଟୁରି ଲେଖିଥାଆନ୍ତି। ଗତ ମେ ମାସ ୩ ତାରିଖ ଦିନ ହୋଇଥିବା ବାତ୍ୟାର ନାଁ ‘ଫଣି’ ବୋଲି ସବୁ ସମ୍ବାଦ ପତ୍ରରେ ଲେଖା ହେଉଥିଲା ଏବଂ ଆଜିଯାଏଁ ଚାଲିଛି। ମନରେ ସନ୍ଦେହ ହେଉଛି ବର୍ଣବୋଧର ‘ଫଣୀ’ ବନାନ କଣ ଭୁଲ? ନା, ବର୍ଣବୋଧରେ କୌଣସି ବନାନ ଭୁଲ ନୁହେଁ ବୋଲି ଧରି ନେଇଛି। ଏହି ବହିଟି ପଢି ଶିଶୁଟିଏ ଓଡିଆ ଭାଷା ଶିଖେ। ପୁଣି ଥରେ ବୟସ୍କମାନେ ଏହି ବହିଟି ପଢ଼ି ବନାନ ସବୁକୁ ପୁନଃ ପରୀକ୍ଷା କରିନେଲେ କ୍ଷତି ନାହିଁ।

ଅବଶ୍ୟ ଯାହାର ସମାଧାନ ଏ ବହିରେ ନାହିଁ, ସେମିତି ଉଦାହରଣ ବହୁତ ଅଛି। ଯଥା – ବେଶି ନା ବେଶୀ, ସାକ୍ଷି (ଯେପରି ସାକ୍ଷିଗୋପାଳରେ ଅଛି) ନା ସାକ୍ଷୀ । ଏହାର କାରଣ ହ୍ରସ୍ୱ ଇ-କାର ଓ ଦୀର୍ଘ ଈ-କାର ବ୍ୟବହାରର ସୂତ୍ର ଶିକ୍ଷା-ସୋପାନର ଉପର ସ୍ତର ପାଇଁ ରହିଛି; ଶିକ୍ଷା ଆରମ୍ଭ କରୁଥିବା ଶିଶୁ ପାଇଁ ନୁହେଁ। କେଉଁ ସମୟରେ ସେ ସୂତ୍ର କେଉଁ ବ୍ୟାକରଣ ବହିରେ ପଢିଥିଲୁ କି ମୋଟ ଉପରେ ପଢି ନଥିଲୁ, ସେ ସବୁ ଆଜି ମନେ ପଡୁନାହିଁ। ଅଭିଜ୍ଞତାର ଅଭାବ ବା ଅଜ୍ଞତା କାରଣରୁ, ଶଦ୍ଦ ବ୍ୟବହାର ସମୟରେ କେଉଁଠାରେ ହ୍ରସ୍ୱ ଇ-କାର ହେବ ବା ଦୀର୍ଘ ଈ-କାର ହେବ, ତାହା ଅନେକ ସମୟରେ ଅସୁବିଧାରେ ପକାଏ।
(୬) ଦୀର୍ଘ ଉ-କାର- ‘ବର୍ଣବୋଧ’ ବହିରେ ଲେଖା ଅଛି ମୂତ, ପୂରା, ଭୂତ, ସମୂହ, ମୟୂର, ଦୂବ, ଯୂଇ ଫୁଲ, ସିନ୍ଦୂର। ଏହି ଶଦ୍ଦ ଗୁଡିକୁ କାହାଠାରୁ ଶୁଣିକରି ଲେଖିଥିଲେ ମୁଁ ଦୀର୍ଘ ଉ-କାର ବଦଳରେ ହ୍ରସ୍ୱ ଉ-କାର ଲେଖିଥାଆନ୍ତି। ଏବେ ବନାନ ପ୍ରତି ସଜାଗ ହେବାରୁ ଦୁଇଟି ବହୁଳ ବ୍ୟବହୃତ ଶଦ୍ଦର ବନାନ ଦେଖି ବିଶ୍ୱାସ କରି ହେଉନି ଯେ ସେଥିରେ ହ୍ରସ୍ୱ ଉ-କାର ଲେଖିବା ଭୁଲ, ଦୀର୍ଘ ଉ-କାର ଠିକ୍। ଏହି ଦୁଇଟି ଶଦ୍ଦ ହେଲା – ଶାଶୂ, ବୋହୂ।
(୭) ଫଳା ଯୋଗ – ବିଭିନ ବ୍ୟଞ୍ଜନ ବର୍ଣ ଅକ୍ଷର ମଧ୍ୟରୁ କେତେକ ଅକ୍ଷରକୁ ଶଦ୍ଦ ଗଠନରେ ଫଳା ଭାବରେ ବ୍ୟବହାର କରାଯାଇ ଶଦ୍ଦ ସୃଷ୍ଟି କରାଯାଏ। ଏହି ଫଳା ଯୋଗ କଲେ ଯୋଗ ହେଉଥିବା ଅକ୍ଷରମାନଙ୍କ ମଧ୍ୟରୁ କେତେକଙ୍କର ନିଜ ରୂପ ରହେ, ଯଥା ଗଳ୍ପରେ- ‘ପ’ ଫଳା, କଷ୍ଟରେ – ‘ଟ’ ଫଳା, ଶ୍ରେଷ୍ଠରେ- ‘ଠ’ ଫଳା। କିନ୍ତୁ ନ, ବ, ମ, ର ଆଦି ଫଳା ଯୋଗ ବେଳେ ଏହି ଅକ୍ଷର ବଦଳରେ ନିର୍ଦ୍ଦିଷ୍ଟ ଚିହ୍ନ ବ୍ୟବହାର ହୁଏ। ଏହି ଫଳାମାନଙ୍କର ନମୂନା ହେଲା ହ୍ନ- ‘ନ’ ଫଳା’ ହ୍ୱ- ‘ବ’ ଫଳା’ ହ୍ମ- ‘ମ’ ଫଳା, ହ୍ର- ‘ର’ ଫଳା । ଗୁଗଲ ଇଣ୍ଡିକ କିବୋର୍ଡ଼ରେ ଏହି ଫଳା ଗୁଡିକ ପୃଥକ ଭାବେ ନାହିଁ।

ଫଳା ଯୋଗ ଥିବା କେତୋଟି ଶଦ୍ଦ ଉପରେ ନଜର ପଡିଲା। ୟ-ଫଳା ଲାଗି ନ୍ୟାଯ୍ୟ, ସାହାଯ୍ୟ ଆଦି ଶଦ୍ଦ ଲେଖାଯାଇଛି। ‘ସାହାଯ୍ୟ’ ଶଦ୍ଦଟି ଶୁଣି କରି ନିର୍ଭୁଲ ଲେଖି ପାରିଥାଆନ୍ତି। କିନ୍ତୁ ‘ନ୍ୟାଯ୍ୟ’ ଲେଖିବାକୁ ପଡିଥିଲେ ‘ନ୍ୟାର୍ଯ୍ୟ’ ଲେଖି ଭୁଲ କରିବା ନିଶ୍ଚିତ ଥିଲା। ଲ-ଫଳା ଲାଗିଥିବା ଏକ ଶଦ୍ଦ ‘ଉଲ୍ଲଂଘନ’ । ଏ ଶଦ୍ଦଟି ବିନା ଦ୍ବିଧାରେ ‘ଉଲଂଘନ’ ଲେଖି ଦେଇଥାଆନ୍ତି। କିନ୍ତୁ ‘ପ୍ରଫୁଲ୍ଲ’କୁ ‘ପ୍ରଫୁଲ’ ଲେଖି ନଥାଆନ୍ତି। ‘ବର୍ଣବୋଧ’ ବହିରେ ନ- ଫଳା ଓ ମ- ଫଳା ଥିବା ଉଦାହରଣରେ ‘ନ’ ଓ ‘ମ’ ପାଇଁ ଉଦ୍ଦିଷ୍ଟ ଚିହ୍ନର ବ୍ୟବହାର ହୋଇଛି। ‘ରତ୍ନ’ ଓ ‘ଆତ୍ମା’ – ଏ ଦୁଇଟି ଶଦ୍ଦ ‘ବର୍ଣବୋଧ’ରେ ଅନ୍ୟ ପ୍ରକାରରେ ଲେଖାଯାଇଛି। ସେହି ବହିରେ ‘ରତ୍ନ’ ଶଦ୍ଦରେ ତ ତଳେ ‘ନ’ ଚିହ୍ନ ଏବଂ ‘ଆତ୍ମା’ ଶଦ୍ଦ ପାଇଁ ତ ତଳେ ‘ମ’ ଚିହ୍ନ ରହିଛି। ଏହି ଲେଖକ ରତ୍ନ ଓ ଆତ୍ମା ‘ବର୍ଣବୋଧ’ରେ ଯେପରି ଲେଖା ହୋଇଛି ସେହିପରି ଆଜି ପର୍ଯ୍ୟନ୍ତ ଲେଖୁନଥିଲା କିମ୍ବା ସେପରି ଲେଖା ଠିକ, ତାହା ଜାଣି ନଥିଲା। ଅପର ପକ୍ଷରେ ଗୁଗୁଲ ଇଣ୍ଡିକ କିବୋର୍ଡ଼ରେ ‘ରତ୍ନ’ ଓ ‘ଆତ୍ମା’ ଶଦ୍ଦ ଦୁଇଟି ଲେଖି ହେଉଛି ଏବଂ ଏହି ଲେଖକ ସେହିପରି ଏହି ଶଦ୍ଦ ଦୁଇଟିକୁ ଲେଖେ। ‘ ନ’ ଫଳା ଓ ‘ମ’ ଫଳା’ ଲଗାଇ ଦୁଇ ପ୍ରକାରରେ ଯୁକ୍ତାକ୍ଷର ଲେଖାଯାଇ ପାରେ ଏବଂ ଦୁଇଟି ଜାକ ଯୁକ୍ତାକ୍ଷରର ଗଠନ ଶୁଦ୍ଧ, ଏହା ଓଡିଆ ଭାଷା ଶିକ୍ଷା ପାଇଁ ସାମାନ୍ୟ ଜଟିଳତା ସୃଷ୍ଟି କରୁଛି ବୋଲି ମନେହୁଏ।

ଆହୁରି ଅନେକ ଯୁକ୍ତାକ୍ଷର ରହିଛି ତାହାର ନୀତିଗତ ଗଠନ ଓ ‘ପ୍ରଚଳିତ ଗଠନ’ର ଉଦାହରଣ ‘ବର୍ଣବୋଧ’ରେ ରହିଛି। କିଛି ଉଦାହରଣ ଏଠାରେ ଉଲ୍ଲେଖଯୋଗ୍ୟ — ଅର୍ଦ୍ଧ-ଅର୍ଧ, ମୂର୍ଚ୍ଛା-ମୂର୍ଛା, କାର୍ଯ୍ୟ-କାର୍ଯ, ସୂର୍ଯ୍ୟ-ସୂର୍ଯ। ଅନେକ ଯୁକ୍ତାକ୍ଷର ନିୟମ ଅନୁସାରେ ଲେଖିବା କଷ୍ଟଦାୟକ। କିନ୍ତୁ ‘ପ୍ରଚଳିତ ଶଦ୍ଦ ଗଠନ’ ଏତେ ପ୍ରଚଳିତ ଭଳି ଲାଗୁନାହିଁ, ଯଥା- କାର୍ଯ, ସୂର୍ଯ। କେଉଁଠି ‘କାର୍ଯ୍ୟ’କୁ ‘କାର୍ଯ’ ବା ‘ସୂର୍ଯ୍ୟ’କୁ ‘ସୂର୍ଯ’ ପଢିଥିବା ମନେ ପଡୁନାହିଁ, ଲେଖିବା ତ ଦୂର କଥା। ଏହି ଆଲୋଚନାର ଅର୍ଥ ହେଲା ଯୁକ୍ତାକ୍ଷର ଗୁଡିକର ଠିକ ବନାନ କରିବା ଅନେକଙ୍କ ପାଇଁ ନିଶ୍ଚିତ ରୂପେ ଏକ କଠିନ ଆହ୍ବାନ।
ଉପରୋକ୍ତ ବର୍ଣ୍ଣନାରୁ ହୃଦବୋଧ ହେଉଛି ଯେ ଅଧୀନର ଓଡିଆ ଭାଷାରେ ଦକ୍ଷତା କମ ଅଛି। ‘ବର୍ଣବୋଧ’ ବହିର ଆହୁରି ଅନେକ ଅଧ୍ୟାୟ ବାକି ଅଛି। ତାହାକୁ ପୃଷ୍ଠଭୂମି କରି ଓଡ଼ିଆ ଭାଷାର ଅନ୍ୟ କେତୋଟି ଦିଗ ଉପରେ ପରବର୍ତ୍ତୀ ଲେଖାରେ ଆଲୋକ ପାତ କରାଯିବ।
**********
ଶ୍ରୀ ଚନ୍ଦ୍ରଶେଖର ଦାଶ
ଭୁବନେଶ୍ୱର
ତାରିଖ-୫/୭/୨୦୧୯

Comments

comments