ପୂର୍ଵେ ଶ୍ରାଵଣ ମାସରେ ଓଡ଼ିଆ ଲୋକେ ଅନେକ ପର୍ଵ ପାଳୁଥିଲେ । ଏଵେ ସେଇ ସବୁ ସ୍ଥାନ ଉତ୍ତର ଭାରତରୁ ଉତ୍ପତ୍ତି ଲାଭ କରିଥିଵା କିଛି ପର୍ଵ ନେଇଯାଇଛି । ସେଥିମଧ୍ୟରୁ କାଉଡ଼ି ଯାତ୍ରା ଓ ରକ୍ଷା ବନ୍ଧନ ଅନ୍ୟତମ । ସମୟକ୍ରମେ ନୂଆ ନୂଆ ପର୍ଵ ଓଡ଼ିଆ ଲୋକଙ୍କୁ ଆକର୍ଷିତ କରୁଛି, ପୁରୁଣାରୁ ଆଗ୍ରହ ତୁଟିଯାଉଛି । ଧର୍ମ ଉପରେ ଆଧାରିତ ପର୍ଵ ବଦଳରେ ଵ୍ୟଵସାୟୀକ ପର୍ଵ ଲୋକପ୍ରିୟ ହେଉଛି । ଵର୍ତ୍ତମାନ ଅନୁଶୀଳନ କରାଗଲେ ଜାଣିଵା ଯେ, ଓଡ଼ିଶାର ପୁରପଲ୍ଲୀରେ ଆଗକାଳରେ ପାଳିତ ହେଉଥିଵା ଶ୍ରାଵଣ ମାସର ଖାଣ୍ଟି ଓଡ଼ିଆ ପର୍ଵପର୍ଵାଣୀର ପାଳନ ଅନେକାଂଶରେ କମିଯାଇଛି ।ଶ୍ରାଵଣମାସରେ ପାଳିତ ହେଉଥିଵା କେତେକ ମୁଖ୍ୟ ଓଡ଼ିଆ ପର୍ଵଗୁଡ଼ିକୁ ଜାଣନ୍ତୁ…
-
୧) ଅନ୍ନଦାନ ଏକାଦଶୀ —
ଶ୍ରାଵଣ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଦରିଦ୍ର ଜନଙ୍କୁ ଅନ୍ନଦାନ ଦେଵାର ମହନୀୟ ଵ୍ରତ ପାଳନ ହେଉଥିଲା । ଏହାକୁ ଗାନ୍ଧାରୀ ଏକାଦଶୀ ମଧ୍ୟ କୁହାଯାଏ । ଓଡ଼ିଶାରେ ଏହି ଏକାଦଶୀକୁ ଚକ୍ରବୁଲା ଏକାଦଶୀ କୁହାଯାଇଥାଏ । କାରଣ ଏ ଦିନ ଜଗନ୍ନାଥଙ୍କ ପ୍ରତିନିଧିସ୍ବରୂପ ସୁଦର୍ଶନଚକ୍ରକୁ ଵିମାନରେ ପୁରୀର ସାତ ସାହିରେ ବୁଲାଯାଏ । ତେଵେ ଆଜି ପ୍ରୋକ୍ତ ଅଧିକାଂଶ ଉପଯୋଗୀ ପର୍ଵ ଲୁପ୍ତ ହୋଇଅଛି ।
-
୨) ଆଖେଟକ ପର୍ଵ —
ଶ୍ରାଵଣ ଶୁକ୍ଳ ତ୍ରଯୋଦଶୀ ଦିନ ଆଖେଟେକ ପର୍ଵ ପାଳନ କରାଯାଉଥିଲା । ଏହି ଦିନ କ୍ଷତ୍ରିୟ ଓ କାରିଗରମାନେ ଅସ୍ତ୍ରଶସ୍ତ୍ରାଦିର ପୂଜା କରୁଥିଲେ । ଆଜି ଏ ପର୍ଵ ମଧ୍ୟ ଲୁପ୍ତ ହୋଇ ସାରିଛି ।
-
୩) ପଵିତ୍ରାରୋପଣ ଚତୁର୍ଦ୍ଦଶୀ —
ଶ୍ରାଵଣ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଶ୍ରୀଲିଙ୍ଗରାଜଙ୍କ ଭଗଵାନଙ୍କର ଯାତ୍ରା ହେଉଥିଲା । ଶ୍ରାବଣ ଶୁକ୍ଳ ଦ୍ବାଦଶୀ ତିଥିରେ ଵିଷ୍ଣୁ ପ୍ରଭୃତି ଦେଵତାଙ୍କୁ ପଇତା ପିନ୍ଧାଯାଏ । ତେଵେ ଯେଉଁ ଦିନଠୁଁ ପ୍ରଭୁଙ୍କ ଭକ୍ତ ପ୍ରାଚୀନ ପର୍ଵ ଛାଡ଼ି ବାହାରିଆ ଅର୍ଵାଚୀନ ପରଵ ପଛରେ ଗୋଡ଼େଇଛନ୍ତି ସେଇଦିନଠୁଁ ଏହାଙ୍କର ଅନେକ ପର୍ଵ ଏଵଂ ଏହି ପ୍ରଭୁ ନିଜେ ଅଵହେଳିତ ଅଛନ୍ତି ।
-
୪)ଜାଗୁଳାଈ ପଞ୍ଚମୀ —
ଶ୍ରାବଣ ଶୁକ୍ଳ ପଞ୍ଚମୀଦିନ ଏହି ପର୍ଵ ପାଳନ ହେଉଥିଲା । ଆଗେ ଏ ଦିନ ରାତିରେ ଗ୍ରାମର ଭଣ୍ଡାରି ଗୋଟିଏ ମାଟିର ଜାଗୁଆଳି ମୂର୍ତ୍ତି ନିର୍ମାଣ କରି ଗ୍ରାମର ଦ୍ବାରେ ଦ୍ବାରେ ନେଇ ବୁଲାଉଥିଲା ଓ ଗୃହସ୍ଥମାନଙ୍କୁ ଦ୍ବାରରେ ଉକ୍ତ ଠାକୁରାଣୀଙ୍କୁ ଚକୁଳି ପୂଜା ଦିଆଯିଵା ପରେ ଉକ୍ତ ପ୍ରତିମାକୁ ନେଇ ପାଣିରେ ପକାଇ ଦେଉଥିଲା । କିନ୍ତୁ ବାହାରିଆ ପର୍ଵଟେ ପାଳୁ ପାଳୁ ଦେଖାଶିଖା ଓଡ଼ିଆ ଜାତି ନିଜ ପର୍ଵଟା ଗୋଟାପଣେ ପାଶୋରି ଦେଲା ।
-
୫) ଝୁଲଣ ଯାତ୍ରା —
ଆଗେ ଝୁଲଣ ଯାତ୍ରା ଓଡ଼ିଶାର ଘରେ ଘରେ ପ୍ରସିଦ୍ଧ ଥିଲା । ଯେଉଁଦିନଠୁ ଭାଙ୍ଗ ଗଞ୍ଜେଇଖିଆ ଠାକୁରଙ୍କ ନାଆଁ ବଦନାମ କଲେଣି ସେଇ ଦିନଠୁ ଏ ପର୍ଵର ପ୍ରସିଦ୍ଧି ଅନେକାଂଶରେ କମିଯାଇଛି । ଆଜି ଓଡିଶାର ଲୋକ ଝୁଲଣ ଯାତ୍ରା କ’ଣ ଜାଣିଵାକୁ ଅଭିଧାନ ଅଣ୍ଡାଳନ୍ତି ସେଥିରେ ଲେଖାଥାଏ “ଶ୍ରାଵଣ ଶୁକ୍ଲଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ରାଧାକୃଷ୍ଣ ଯୁଗଳ ମୂର୍ତ୍ତିଙ୍କର ଦୋଳିରେ ଝୁଲିବା ଉତ୍ସବକୁ ଝୁଲଣ ଯାତ୍ରା କୁହାଯାଏ” ।।
-
୬) ନାଗ ପଞ୍ଚମୀ —
ଓଡ଼ିଶାରେ ନାଗଗୋତ୍ରୀ ଲୋକ ଅଧିକ । ସେମାନେ ଵିଶେଷ ଭାଵେ ନାଗପଞ୍ଚମୀ ପାଳୁଥିଲେ । ଏହା ଶ୍ରାବଣ କୃଷ୍ଣପଞ୍ଚମୀ ତିଥିରେ ପାଳିତ ହେଉଥିଲା ଏଵଂ ଏହାର ଅନ୍ୟ ନାମ ମନସା ପଞ୍ଚମୀ । ଏ ଦିନ ନାଗପୂଜା ଓ ମନସା ପୂଜା ହେଉଥିଲା । ମତାନ୍ତରେ କେହି କେହି ଶ୍ରାବଣ ଶୁକ୍ଳପଞ୍ଚମୀ ଵା ଜାଗୁଳେଇ ପଞ୍ଚମୀ ଦିନ ଏ ପୂଜା କରୁଥିଲେ । ତେଵେ ଦେଵୀ ପୁରାଣମତେ ଆଷାଢ଼ କୃଷ୍ଣପଞ୍ଚମୀ ଦିନ ନାଗପଞ୍ଚମୀ ତିଥି ପଡ଼ିଥାଏ । ଏ ଦିନ ଅଷ୍ଟନାଗ ଵା ତ୍ରୟୋଦଶ ନାଗ ସିଝୁଗଛମୂଳେ ପୂଜା କରାଯାଉଥିଲା। ଏଦିନ ଘରେ ନିମ୍ବପତ୍ର ଆଣି ରଖାଯାଉଥିଲା ଓ ଖିଆଯାଉଥିଲା ମଧ୍ୟ । ଲୋକ ଵିଶ୍ଵାସ ଥିଲା ଏ ପର୍ଵ ପାଳିଲେ ଵର୍ଷକ ପାଇଁ ସର୍ପଭୟ ରହେ ନାହିଁ ।
-
୭) ମନ୍ଵନ୍ତରା ପର୍ଵ —
ଏ ପର୍ଵ ଆଷାଢ଼ ଶୁକ୍ଳଦଶମୀ, ଶ୍ରାଵଣ କୃଷ୍ଣଅଷ୍ଟମୀ ଓ ଭାଦ୍ର ଶୁକ୍ଳତୃତୀୟାରେ ଅନୁଷ୍ଠିତ ହେଉଥିଲା । ଆଜି ଏହା ଅନେକାଂଶରେ ଲୁପ୍ତ ।
-
୮) ଶ୍ରାଵଣ ମାଣଵସା —
କେତେକ ଅଞ୍ଚଳରେ ଶ୍ରାଵଣ ମାସର ଗୁରୁଵାରରେ ମାଣଵସା ଓଷା ହେଉଥିଲା । ତାହା ଏଵେ ଅଛି କି ଲୁପ୍ତ ହେଲାଣି ପାଠକ କହିଵେ ।
-
୯) ହରିଆଲି ଉଆଁସ / ହରେଇଲି ଉଆଁସ —
ପଶ୍ଚିମାଞ୍ଚଳର ଵିଶିଷ୍ଟ ପର୍ଵ ହରିଆଲି ଓ ସାତପୁରି ଅମାବାସ୍ଯା ଵା ଶ୍ରାଵଣ ଅମାଵାସ୍ଯା ଭାଵେ ଖ୍ୟାତ ପର୍ଵଟି ଅଛି କି ନାହିଁ ତାହା ସ୍ପଷ୍ଟ ନୁହେଁ । ଆଗେ ସ୍ଥାନୀୟ ଲୋକ ଏ ଅମାବାସ୍ଯା ଦିନ ଗ୍ରାମର ଗାଈ ଚରାଇବଵ ଲୋକ ଶତାଵରୀ ଡାଳ ଆଣି ଗ୍ରାମର ପ୍ରତ୍ଯେକ ଵ୍ଯକ୍ତିଙ୍କ ଘରେ ଖୋସିଯାଉଥିଲା । ଲୋକଵିଶ୍ବାସ ଥିଲା ଏହାଦ୍ବାରା ଗ୍ରାମଵାସୀମାନେ କୁଶଳରେ ରହନ୍ତି । କିନ୍ତୁ ଆଜି ପ୍ରତ୍ୟେକ ଓଡ଼ିଆ ଲୋକ ହିନ୍ଦିଆ ହନୁକରଣରେ ବାଇ ନିଜ ପର୍ଵ ଦିଶେନି ।
-
୧୦) ଗହ୍ମା ପୂର୍ଣ୍ଣିମା —
ଏ ମାସର ସବୁଠାରୁ ମୁଖ୍ୟ ଦିନ । କିନ୍ତୁ ଓଡ଼ିଆ ଲୋକଙ୍କଦ୍ଵାରା ସବୁଠାରୁ ଅଧିକ ଅଵହେଳିତ ନିଜସ୍ଵ ପର୍ଵ ହେଲା ଗହ୍ମା ପୂନେଇଁ । ଉତ୍ତର ଭାରତରେ ଗୋପଳନର ଭାଷଣ ଦିଅନ୍ତି ଓଡ଼ିଶାରେ ଏହି କଥାକୁ ପର୍ଵାକାରରେ ପାଳନକରି ଲୋକଙ୍କୁ ଶିକ୍ଷା ଦିଆଯାଉଥିଲା । ଆଗେ ଓଡ଼ିଶାର ଵ୍ଯକ୍ତି ଵିଶେଷ ନିଜ ନିଜ ଗୃହରେ ଏହିଦିନ ସମସ୍ତେ ବଳଦେବଙ୍କୁ ପୂଜା କରୁଥିଲେ । ଗ୍ରାମପ୍ରାନ୍ତରେ ଗୋଟିଏ ହସ୍ତପଦ ଅଙ୍କିତ ବଳଦ ଶୋଇଵା ଆକାରର ମୃତ୍ତିକାସ୍ତୂପ ନିର୍ମାଣ କରାଯାଇ ଏଠାରେ ଗ୍ରାମର ସାଧାରଣ ବଳଦେବ ପୂଜା ଓ ଭୋଗ ହୁଏ ଓ ଗୋଟିଏ ଅଣ୍ଡିରା ବାଛୁରିକୁ ଏ ସ୍ତୂପକୁ ଆଡ଼ବାଗରେ ଡ଼ିଆଁଉଥିଲେ ଓ ସେଠାରେ ହୋଇଥିବା ଭୋଗ ଗ୍ରାମବାସୀମାନଙ୍କ ମଧ୍ଯରେ ବଣ୍ଟନ କରାଯାଉଥିଲା । ଆଜି କିନ୍ତୁ ରାକ୍ଷୀ ଭଳି ବାହାରିଆ ପର୍ଵ ଯୋଗୁଁ ଆମ ମାଟିର ପର୍ଵ ଆମଦ୍ଵାରା ହିଁ ଅଵହେଳିତ ।
ପ୍ରୋକ୍ତ ଅଧିକାଂଶ ପର୍ଵ ଶ୍ରାଵଣ ମାସରେ ପଡ଼େ ହେଲେ ଯେଉଁଦିନଠୁ ବାହାରିଆ ପର୍ଵ ପାଳନ ବଢି଼ଛି ସେଇଦିନଠାରୁ ଏସବୁ ପର୍ଵ ପାଳନ ଅନେକାଂଶରେ ହ୍ରାସ ପାଇଅଛି । ଓଡ଼ିଆ ଲୋକେ ନିଜେ ଏସବୁ ପର୍ଵ ଛାଡ଼ି ଦେଇଛନ୍ତି । ବାହାରର ଅଲୋଡା଼ ଵସ୍ତୁ ଗ୍ରହଣ କରିଵାକୁ ଯାଇ ଆପଣାର ମୂଲ୍ଯଵାନ ଵସ୍ତୁ ତ୍ଯାଗ କେଉଁଠିକାର ପାଣ୍ଡିତ୍ଯତା ?