ଖୁଦୁରୁକୁଣୀ ଓଷା ଓଡ଼ିଶାର ଅତି ପ୍ରାଚୀନ ତଥା ଖାଣ୍ଟି ଓଡ଼ିଆ ଓଷା ମଧ୍ୟରୁ ଗୋଟିଏ । ଓଡିଶାର ପୁରପଲ୍ଲୀରେ ଭାଦ୍ରବ ମାସର ପ୍ରତି ରବିବାର ଦିନ ପାଳିତ ହୋଇଥାଏ । ଏହି ବ୍ରତକୁ କୁଆଁରୀ ଝିଅ ମାନେ ମା ମଙ୍ଗଳାଙ୍କ ପାଖରେ ନିଜ ଭାଇ ମାନଙ୍କର ଶୁଭ ମନାସୀ ପାଳନ କରିଥାନ୍ତି । ଏକ ଉତ୍କଳୀୟ ସାଧବ ପରିବାରର କାହାଣୀ ଆଧାରରେ ଏହି ବ୍ରତର କିମ୍ବଦନ୍ତୀ ଗୋପୀନାଥ ଦାସଙ୍କ ଲିଖିତ ତଥା ପ୍ରତିଟି ଓଡ଼ିଆ ଘରେ ସୁପରିଚିତ ‘ବୃହତ ତଅପୋଇ ବା ଖୁଦୁରୁକୁଣୀ ଓଷା’ ବହି ଗୀତରୁ ଜାଣିବାକୁ ମିଳେ । ପ୍ରଥମ ପାଳିରେ ଦୁର୍ଗାଙ୍କର ମହିଷାସୁର ବଧ ବାବଦରେ ବଖଣାଯାଇଅଛି । ୨ୟ ପାଳିଟି ହେଉଛି “ତଅପୋଇ”, ଏଥିରେ ଏହି ସାଧବ ଝିଅର ଦୟନୀୟ କାହାଣୀ, ଭାଉଜମାନଙ୍କର ଦୂରାଚାର, ସାନ ଭାଉଜଙ୍କ ଦୟା ଓ ତଅପୋଇର ଉଦ୍ଧାର ଆଦି ବଖଣାଯାଇଅଛି । ଏହି ଦୁଇଟି ପାଳି ଏହି ଓଷାରେ ପଢ଼ାଯାଇଥାଏ । ପ୍ରଥମଟିରେ ଦୁର୍ଗାଙ୍କର ଅସୁର ଶକ୍ତିର ବିନାଶ ଓ ଦ୍ଵିତୀୟଟିରେ ତଅପୋଇର ଦୁଃଖ, କଷଣକୁ ସହିବା ଓ ତାହାପରର ଆନନ୍ଦ ଏହି ଓଷାର ମୁଖ୍ୟ ବିଷୟ ।
ବିଷ୍ଣୁ ଜାଣିବାକୁ ଉତ୍ସୁକ ହେବାରୁ ଲକ୍ଷ୍ମୀ ଏହି ଓଷାର ମହିମା ତାଙ୍କ ମୁଖରେ ବଖାଣନ୍ତି । ବିଷୟବସ୍ତୁଟି ଏହିପରି:
ଉତ୍କଳ ଭୂଖଣ୍ଡରେ ତିଳଧ୍ଵଜ ନିଜ ପ୍ରଜାଙ୍କ ସହ ସୁଖରେ କାଳ କାଟୁଥିଲେ । ସେ ରାଜ୍ୟର ଶତ୍ରୁ ନଥିଲେ । ଧନଧାନ୍ୟରେ ଥିଲା ରାଜ୍ୟ ପରିପୂର୍ଣ୍ଣ । ରାଜ୍ୟରେ ପୋଇଲି ବି ପାଟ ଶାଢ଼ୀ ପିନ୍ଧୁଥିଲା । ସେ ରାଜ୍ୟର ବହୁତ ସାଧବ ଥିଲେ । ଯେଉଁମାନେ ବୋଇତରେ ବେପାର ବଣିଜ କରୁଥିଲେ ।
ସେ ରାଜ୍ୟରେ ଥିଲେ ଜଣେ ସାଧବ ଯାହାଙ୍କ ନାମ ତନୟବନ୍ତ । ପତ୍ନୀ ଶକୁନ୍ତଳା, ଅଲିଅଳି କନ୍ୟା ତଅପୋଇ, ସାତ ପୁଅ ଓ ଏକଠୁ ଆରେକ ବଳି ସୁନ୍ଦରୀ ସାତ ବୋହୁଙ୍କୁ ନେଇ ଥିଲା ତାଙ୍କ ଖୁସିର ପରିବାର । ଦିନକର ଘଟଣା ରାଜ୍ୟର ମନ୍ତ୍ରୀଙ୍କ ଝିଅ ସହ ବାଉଁଶ କୁଲେଇରେ ଖେଳୁଥିବା ବେଳେ ରାଣ୍ଡି ବ୍ରହ୍ମଣୀର କୁଦୃଷ୍ଟି ପଡ଼େ । ସୁନା କୁଲେଇ ବଦଳରେ ବାଉଁଶ କୁଲେଇ ଧରିଥିବାରୁ ତାକୁ ବାହୁନି ଦେଇ ଆସେ । କୁଲେଇ ଭାଙ୍ଗି ତଅପୋଇ ଗମ୍ଭୀରା ଭିତରେ ମନ ମାରି ବସେ ।
“ବୋଇଲେ କାହିଁ ପାଇଁ ମାଏ । ଶୋଇଛୁ ଋଷିଲା ପରାଏ ।।
ଗଢ଼ାଇ ଦେବି ଭାଙ୍ଗିଥିଲେ । ଖୋଜାଇଦେବି ହଜିଥିଲେ।।”
ତଅପୋଇକୁ ବୁଝାଶୁଝା କରି ପନ୍ଦର ଦିନରେ ସୁନାଚାନ୍ଦ ଗଢ଼ାଇବା ପାଇଁ ପିତା ପ୍ରତିଶ୍ରୁତି ଦିଅନ୍ତି । ଚାନ୍ଦ ଗଢ଼ା ଆଗେଇ ଚାଲେ । ସାଧବଙ୍କ ଅଧା ଚାନ୍ଦେ ଓ ମାତାଙ୍କ ପୂର୍ଣ୍ଣଚାନ୍ଦେ ମୃତ୍ୟୁ ହୁଏ । ଧନ ସାରିବାକୁ ବସିଲା ସାଧବେ ବଣିଜ କରିବାକୁ ଚିନ୍ତା କରି ବୋଇତ ମେଲିଲେ । ତଅପୋଇର ସେବା ଭାର ସାତ ସାଧବାଣୀଙ୍କ ଭରସାରେ ଦେଇ ମଙ୍ଗଳାଙ୍କୁ ସୁମରି ପୂର୍ବକୁ ବୋଇତ ମେଲନ୍ତି । ଯାଇ କୁଶଳ ଦ୍ବୀପରେ ପହଂଚି ସେଠାରେ ବିକାକିଣା କରନ୍ତି ।
ଏଣେ ତଅପୋଇର ସେବାରେ ସାତ ଭାଉଜ ନିମଗ୍ନ ଥାଆନ୍ତି । ଦିନେ ସ୍ୱର୍ଗର କନ୍ୟା ରାଣ୍ଡି ବ୍ରାହ୍ମଣୀ ବେଶରେ ଆସି ଭାଉଜଙ୍କ ମନରେ ବିଷ ବୁଣାନ୍ତି । ତଅପୋଇକୁ ଦୋଳିଝୁଲାରୁ ବିଦା କରି ନିର୍ଯାତନା ଦେବା ଆରମ୍ଭ କରିଦିଅନ୍ତି ।
“ନଦେଲେ ସୁଗନ୍ଧ ଚନ୍ଦନ । ନଦେଲେ ଅଳଙ୍କାରମାନ ।।
ମୁଣ୍ଡକୁ ନଦେଲେ ସେ ତେଲ । ନଦେଲେ ପିନ୍ଧିବାକୁ ଭଲ ।।
ବଣକୁ ଛେଳି ଚରାଇ ପଠାଇଦେଲେ । ମୂଷାମାଟି ଭରା ଭାତ ତାର ଭାଗ୍ୟ ହେଲା । ସାନ ଭାଉଜ ନୀଳେନ୍ଦ୍ରୀ ଏକା ତାର ପାଳି ଦିନ ଭଲ ମୁଠେ ଖାଇବାକୁ ଦିଏ । ଏଇମିତି ଦିନ କଟି ଭାଦ୍ରବ ମାସ ଆସିଲା । ଚରାଉଥିବା ଛେଳି ଘରମଣି ହଜିଲା । ବଡ଼ ଭାଉଜଙ୍କ ଗାଳି ଶୁଣି ବିଜୁଳି ମାରୁଥିବା ଅନ୍ଧାର ରାତିରେ ପୁଣି ଜଙ୍ଗଲକୁ ଫେରେ । ଜଙ୍ଗଲରେ ରାତିବିତେ । ରବିବାର ସକାଳ ହୁଏ । ଖୋଜୁ ଖୋଜୁ ତଅପୋଇ ଆସି ପହଞ୍ଚେ ମଙ୍ଗଳାଙ୍କ କୋଠିରେ ଯେଉଁଠି ବାଳଝିଅ ମିଳି ଓଷା କରୁଥିଲେ ।
“ଖୁଦୁରୁକୁଣୀ ଏ ଅଟଇ । ଯାହା ମାଗିବ ତାହା ପାଇ ।।
ଏଥିରେ ଦେବତା ମଙ୍ଗଳା । ରଖନ୍ତି ବୁଡ଼ିବାର ଭେଳା ।।”
ଓଷାର ମହିମା ଜାଣି ମଙ୍ଗଳାଙ୍କୁ ମଗାନ୍ତେ ବାଟରେ ଘରମଣିକୁ ଭେଟହୁଏ । ତଅପୋଇ ଏଇମିତି ପାଞ୍ଚ ପାଳି ଖୁଦ ଭଜା ନେଇ କୋଠିରେ ହାଜର ହୁଏ ଓ ଭାଇଙ୍କ ଶୁଭ ମନାସେ । କିନ୍ତୁ ଧର୍ଯ୍ୟ ହରାଏ ।
” ଏହା ଦେଖିଣ ତଅପୋଇ । ଉଚେଣ ଉଠିଲା ବୋବାଇ ।।
ପିଅର ଅଧା ଚାନ୍ଦେ ମଲେ । ମାତାହିଁ ପୁରା ଚାନ୍ଦେ ମଲେ ।।
ବୋଇତେ ସାତଭାଇ ଗଲେ । ଭାଉଜେ ଏତେ କଷ୍ଟ ଦେଲେ ।।
ନିଶ୍ଚେ ଏ ବନରେ ମରିବି । ଘରକୁ ଆଉ କିମ୍ପା ଯିବି ।।
ଏମନ୍ତେ କହି କାନ୍ଦେ ବାଳୀ । ଶବଦେ ବନସ୍ତ ଉଛୁଳି ।।
ବିଧାତା ଏ ଦୟନୀୟ ସମୟ ଦେଖି ସାତ ଭାଇଙ୍କୁ ବୋଇତ ସହ କୂଳରେ ପହଁଚାଇଲେ । ସାତଭାଇ କୂଳରୁ କାହାର କାନ୍ଦଣା ଶବଦ ଶୁଣିବାକୁ ପାଇଲେ । ପାଖକୁ ଆସନ୍ତେ ଚିହ୍ନି ପାରନ୍ତିନି ଭାଇମାନେ । ପରିଚୟ ପାଇଁ ଭଉଣୀକୁ କୋଳେଇ ନିଅନ୍ତି । ସାଧବଙ୍କ ଫେରିବା କଥା ସାଧବାଣୀଙ୍କ କାନରେ ପଡ଼େ । ବୋଇତ ବନ୍ଦାପନା ପାଇଁ ଛୁଟି ଆସନ୍ତି କୂଳକୁ । ସାନକୁ ଛାଡ଼ି ଛଅ ସାଧବାଣୀଙ୍କୁ ଶାସ୍ତି ଦେବାକୁ ମନସ୍ଥ କରନ୍ତି ସାଧବେ । ତଅପୋଇକୁ ସଜେଇ ମଙ୍ଗକୋଣରେ ଛୁରୀ ଧରି ବସାନ୍ତି ।
“ଦେବତା ଅଛନ୍ତି ମଙ୍ଗ କୋଣେ । ବନ୍ଦାଅ ଯାଇ ଜଣେ ଜଣେ ।
ପ୍ରଥମେ ବଡ଼ ସାଧବାଣୀର ନାକ ବଉଳି ଛେଦନ ହୁଏ । ଏଇମିତି ପରକୁ ପର ଛଅ ଭାଉଜଙ୍କ ନାକ ଛେଦନ୍ତି ତଅପୋଇ । ସେହି ସେହି ରାତିରେ ନାକ କଟାଇ ଷଡ଼ସାଧବାଣୀ ଅରଣ୍ୟରେ ରୋଦନ ଓ ପଶ୍ଚାତପ କରନ୍ତି । ପରେ ଭୟରେ ମୁର୍ଛା ଯାଆନ୍ତି । ସକାଳେ ବିରୂପା ଶବର ଏମାନଙ୍କ ଏପରି ଅବସ୍ଥା ଦେଖି ଶିବଙ୍କୁ ଗୁହାରି କଲା । ଶିବ ଶବରର ଭକ୍ତିରେ ପ୍ରସନ୍ନ ହୋଇ ଷଡ଼ନାରୀଙ୍କୁ ଜୀବନ ଦାନ ଦିଅନ୍ତି । ସେମାନେ ସେହିଠାରୁ ନିଜ ବାପଭାଇ ଗମନ କରନ୍ତି ଓ ନିଶ୍ଚିନ୍ତ ରୁହନ୍ତି ।
ତଅପୋଇର ବିଭାଘର ବେଳ ଆସେ । ବିରଞ୍ଚି ସାଧବର ପୁଅ ରତ୍ନାକରକୁ ପାତ୍ର ଭାବେ ଖୋଜନ୍ତି ଭାଇମାନେ । ବିଧିବିଧାନ ସହ ବିବାହ ସମ୍ପନ୍ନ ହୁଏ । ଅଷ୍ଟମଙ୍ଗଳା ଦିନ ତଅପୋଇକୁ ଷୋହଳ ବର୍ଷ ପୁରେ ଓ ଶାପର ଅବଧି ଶେଷ ହୁଏ । ତାର ଗନ୍ଧର୍ବ ସ୍ୱାମୀ ସେହି ସମୟକୁ ଜଗିବସିଥାଏ । ସମୟ ହେବା କ୍ଷଣି ତଅପୋଇକୁ ଉଠାଇନିଏ । ଭାଇମାନେ ଆଶ୍ଚର୍ଯ୍ୟ ହୁଅନ୍ତି ଓ ହୃଦୟଙ୍ଗମ କରନ୍ତି ଯେ ଏହା ଦେବତାଙ୍କ ମାୟା । ଏସବୁ ନବୁଝି କୂଳ ବଧୂଙ୍କ ନସିକା କଟାଇ ତାଙ୍କୁ ଘଉଡ଼ାଇଦେଲୁ କହି ମାନସ୍ତାପ କରନ୍ତି । ସେମାନଙ୍କୁ ବୁଝାସୁଝା କରି ଘରକୁ ଫେରାଇ ଆଣନ୍ତି । ତା ପରଠୁ ପ୍ରତି ରବିବାର ସାଧବ ସାଧବାଣୀ ମିଶି ମଙ୍ଗଳା ଓଷା କରନ୍ତି ।
ଗାଁର ପ୍ରାୟ ସମସ୍ତ ସାହିରେ ଓଷାକୋଠୀମାନ ଅଛି । ଅନେକ କାଳରୁ ଚଳିଆସୁଛି ଏହି ପରମ୍ପରା । ଏହି ଦିନ ସକାଳୁ କୁଆଁରୀ ଝିଅମାନେ ଖୁଦୁରୁକୁଣି ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା କଣ୍ଟିଆଳି କାକୁଡ଼ି ଆଦି ଭୋଗ ଅର୍ପଣ କରିଥାନ୍ତି । ତଅପୋଇ ଖୁଦ ଭଜା ଦେଇ ମଙ୍ଗଳାଙ୍କୁ ଉପାସନା କରିଥିବାରୁ ଖୁଦଭଜା ଠାକୁରାଣିଙ୍କର ସବୁଠୁ ପ୍ରିୟ ବୋଲି ମନେ କରାଯାଇଥାଏ ଓ ତାହାଙ୍କୁ “ଖୁଦରଙ୍କୁଣି” ବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ କୁହାଯାଇଥାଏ ଯାହା ପାଇଁ ତାହାଙ୍କର ନାମ ଖୁଦୁରୁକୁଣି ହୋଇଅଛି ।
ଏହି କାହାଣୀ କଳିଙ୍ଗର ଗୌରବମୟ ବୋଇତ ଜରିଆରେ ନୌବାଣିଜ୍ୟର ଗାରିମା ମଣ୍ଡନ କରେ । କଳିଙ୍ଗର ସାଧବ ପୁଅମାନେ ବୋଇତରେ ଜାଭା ମାଳୟ ସୁମାତ୍ରା, ବୋର୍ନିଓ ଆଦି ଦୂରଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ଭଲରେ ଭଲରେ ସ୍ବଗୃହ ପ୍ରତ୍ୟାଗମାନ କରିବାକୁ କୂଳ ଦେବୀ ମା ମଙ୍ଗଳା ଏକ ମାତ୍ର ସାହା । ସେହି ଦିନଠାରୁ କୁଆଁରୀଙ୍କ ଖୁଦୁରୁକୁଣୀ ଓଷା ମାଧ୍ୟମରେ ପୂଜିତ ହେଉଛନ୍ତି । ବୋଇତ ସିନା ନାହିଁ, ଏ ଓଷା ବିଧି କଳିଙ୍ଗ ନୌବାଣିଜ୍ୟ ଆରମ୍ଭ ସମୟର ମୂକସାକ୍ଷୀ ଯାହା ଖୁଦୁରୁକୁଣୀ ଗୀତ ମାଧ୍ୟମରେ ଏବେ ବି ବଞ୍ଚିରହିଛି ।
——————————————————————————————————————–
Author NISTHA RANJAN DASH (@DashNistha on twitter)
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPost. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…