Bhubaneswar Buzz

ହୃଦୟର ଭାଷା – ମାତୃଭାଷା

ହୃଦୟର ଭାଷା – ମାତୃଭାଷ

ହୃଦୟର ଭାଷା – ମାତୃଭାଷା
ଵିଶ୍ଵରେ ପ୍ରଚଳିତ ପ୍ରତ୍ୟେକ କଥିତ ଭାଷା ଏକ ସ୍ୱତନ୍ତ୍ର ସଂସ୍କୃତିର ପରିଚୟ ଵହନ କରିଥାନ୍ତି । ଆମ ସଭିଙ୍କ ପାଇଁ ମାତୃଭାଷା ହେଉଛି ଏକ ମୂଲ୍ୟବାନ ସମ୍ପଦ ମଧ୍ୟରୁ ଗୋଟିଏ । ଏହି ସମ୍ପଦକୁ ସଂରକ୍ଷିତ ରଖି ପରଵର୍ତ୍ତୀ ପିଢ଼ି ପାଇଁ ଅଗ୍ରସାରିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ।

ଏକାଧିକ ଭାଷା ଶିକ୍ଷା କରିଵା ଆମ ପାଇଁ ଅନେକ ଲାଭଦାୟକ ହୋଇଥାଏ । ଭାଷା ଏକ ଝରକା ସଦୃଶ । ଏକ ନୂଆ ଭାଷା ଯୋଗେ ଦୁନିଆକୁ ଦେଖିପାରୁ, ନିଜ ଚିନ୍ତା ଵ୍ୟାପ୍ତ କରିପାରୁ, ଅନ୍ୟ ସଂସ୍କୃତି ଚଳଣି, ପ୍ରଥା, ଵିଶ୍ଵାସକୁ ସହଜରେ ବୁଝିପାରୁ । ସବୁଠୁ ବଡ଼ କଥା ହେଉଛି, ଅନ୍ୟ ଭାଷା ଜାଣିଵା ଦ୍ୱାରା, ଆମ ମାତୃଭାଷାକୁ ଆମେ ଆହୁରି ଭଲ ଭାଵେ ବୁଝିପାରୁ ବୋଲି ପ୍ରମାଣିତ ହୋଇଛି । ଗଵେଷକମାନେ ଦର୍ଶାଇଛନ୍ତି ଯେ, ଅନେକ ଶିଶୁ ଆଞ୍ଚଳିକ ଶୈଳୀ ସହ ସମାନ୍ତରାଳ ଭାଵେ ଦ୍ଵିତୀୟ କିମ୍ବା ତଦୁର୍ଦ୍ଧ୍ଵ ଭାଷା ଶିକ୍ଷା କରନ୍ତି ।

ଵ୍ୟକ୍ତିତ୍ବ ଗଠନରେ ମାତୃଭାଷାର ଵିଶେଷ ପ୍ରଭାଵ ରହିଛି । ଜନ୍ମ ପୂର୍ଵରୁ ଜନନୀ ଜଠରେ ଥିବା ସମୟରେ ଯେଉଁ ମଧୁର ସ୍ବରଗୁଡ଼ିକ ସହ ଆମେ ପରିଚିତ ହୋଇଥାଉ, ତାହା ଆମର ପ୍ରଥମ ଭାଷା । ଏହା ଆମ ଚିନ୍ତା ଓ ଭାଵଗୁଡ଼ିକୁ ଵିକଶିତ କରିଵାରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ । ଶିଶୁକୁ ତା’ର ମାତୃଭାଷା ମାଧ୍ୟମରେ ଯାହା କୁହାଯାଏ, ତାହାକୁ ପାଥେୟ କରି ଶିଶୁର ମନସ୍ତାତ୍ତ୍ବିକ ଏବଂ ଵ୍ୟକ୍ତିତ୍ବ ଵିକାଶ ଘଟେ । ମନସ୍ତତ୍ତ୍ୱଵିତମାନେ କୁହନ୍ତି, ଶିଶୁମାନଙ୍କ ଆଗରେ ଶବ୍ଦ ଓ ଵାକ୍ୟ ପ୍ରୟୋଗ ଵେଳେ ଵିଶେଷ ଯତ୍ନଶୀଳ ହେଵା ଉଚିତ । ପ୍ରଥମ କରି ଯେଉଁ ଭାଷା ଦ୍ୱାରା ଶିଶୁଟି ତା’ର ଚାରିପାଖ ଦୁନିଆକୁ ବୁଝିଲା, ନିଜ ଦକ୍ଷତା ଓ କଳ୍ପନା କରିଵା ଵିକଶିତ କଲା, ଅସ୍ତିତ୍ୱର ଧାରଣା କଲା, ଯେଉଁ ଭାଷା ମାଧ୍ୟମରେ ପ୍ରଥମେ ଅଵଗତ ହେଲା, ତାହା ହେଉଛି ତା’ର ମାତୃଭାଷା । ସେଇ ଆଧାରରେ ଶିଶୁ ନିଜର ପ୍ରଥମ ଅନୁଭଵ, ଆନନ୍ଦ, ଭୟ ଏବଂ ପ୍ରଥମ ଶବ୍ଦ ତାହାର ମାତୃଭାଷା ମାଧ୍ୟମରେ ହିଁ ପ୍ରକାଶ କରିଥାଏ । ନିଜ ଚିନ୍ତା, ଭାଵ ଏବଂ ଚେତନାକୁ ରୂପ ଦେଵାରେ ମାତୃଭାଷାର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମ ଜୀଵନର ସବୁଠୁ ବେଶି ମହତ୍ତ୍ୱପୂର୍ଣ୍ଣ ସୋପାନ ହେଉଛି ବାଲ୍ୟକାଳ, ଯେଉଁ ସମୟରେ ମାତୃଭାଷା ସମତାଳରେ ଵିକଶିତ ହୋଇଥାଏ । ସ୍ନେହ, କରୁଣା, ଠାର ମାଧ୍ୟମରେ ଏବଂ ସବୁଠୁ ମହତ୍ତ୍ୱପୂର୍ଣ୍ଣ ମୌଖିକ ଭାଷା ମାଧ୍ୟମରେ ଶିଶୁ ଓ ତା’ର ଅଭିଭାଵକ (ଵିଶେଷ କରି ତା’ର ମା’) ମଧ୍ୟରେ ଏକ ନିବିଡ଼ ସମ୍ପର୍କ ସ୍ଥାପିତ ହୁଏ । ଯେତେଵେଳେ ଜଣେ ଲୋକ ନିଜ ମାତୃଭାଷାରେ କଥା ହୁଅନ୍ତି, ହୃଦୟ, ମସ୍ତିଷ୍କ ଏବଂ ଜିଭ ମଧ୍ୟରେ ଏକ ସିଧାସଳଖ ସମ୍ବନ୍ଧ ସ୍ଥାପିତ ହୁଏ । ଆମର ଵ୍ୟକ୍ତିତ୍ବ, ଚରିତ୍ର, ଶାଳୀନତା, ଲଜ୍ଜାଶୀଳତା, ଦୋଷତ୍ରୁଟି, ଦକ୍ଷତା ଏବଂ ଅନ୍ୟ ସମସ୍ତ ଲୁକ୍କାୟିତ ଵିଶେଷତ୍ୱଗୁଡ଼ିକ ମାତୃଭାଷା ମଧ୍ୟମରେ ସାର୍ଥକ ପରିପ୍ରକାଶ ହୋଇଥାଏ । କାରଣ ମାତୃଭାଷାର ଧ୍ଵନି କାନକୁ ଓ ଅର୍ଥ ହୃଦୟକୁ ଭରସା ଓ ଵିଶ୍ଵାସ ଦେଇଥାନ୍ତି ।

ନେଲସନ ମଣ୍ଡେଲା କୁହନ୍ତି, “ଯଦି ଆପଣ ଲୋକଟିକୁ ସେ ବୁଝିପାରୁଥିଵା ଏକ ଭାଷାରେ କୁହନ୍ତି, ତାହା ତାଙ୍କ ମସ୍ତିଷ୍କକୁ ଯାଏ । ଯଦି ଆପଣ ଲୋକଟିକୁ ତାଙ୍କ ନିଜ ଭାଷାରେ କୁହନ୍ତି, ତାହା ତାଙ୍କ ହୃଦୟକୁ ଯାଏ ।”

ଏଇ କଥାକୁ ସମର୍ଥନ କରି ଏକ ରୋଚକ ଆଲେଖ୍ୟ ଉପରେ ମୋର ଦୃଷ୍ଟି ପଡ଼ିଲା । ୟୁରୋପୀୟ ୟୁନିଅନରେ କାମ କରୁଥିଵା ୧୫ଜଣ ଇଟାଲୀୟ ଦ୍ଵିଭାଷୀୟ ଅନୁଵାଦକ(ଇଂଲିଶ-ଇଟାଲୀ)ଙ୍କୁ ନେଇ ଏହି ଗଵେଷଣା ହୋଇଥିଲା । ଯହିଁରେ ସମସ୍ତ ଅନୁଵାଦକ ଇଂଲିଶ ଭାଷାରେ ଗଭୀର ଦକ୍ଷ ଥିଲେ I ଯେତେଵେଳେ ସେମାନଙ୍କ ସମ୍ମୁଖରେ ‘ନିଜ ଭାଷାରେ (ଦେଶୀ ଶବ୍ଦ)’ ବନାମ ‘କହୁଥିବା ଅନ୍ୟ ଭାଷା’ରେ ଶବ୍ଦ ଉପସ୍ଥାପନ କରାଗଲା, ଅଧ୍ୟୟନରୁ ଅଦ୍ଭୁତପୂର୍ଵ ଭାଵେ ମସ୍ତିଷ୍କ ଗତିଵିଧିରେ ଭିନ୍ନତା ଦୃଷ୍ଟି ଗୋଚର ହେଲା । ଏକ ଶବ୍ଦ ପ୍ରଦର୍ଶନର ୧୭୦ମିଲି ସେକେଣ୍ଡ ପରେ ଗଵେଷକ ମସ୍ତିଷ୍କର ବାମ ଭାଗରେ ଵୈଦ୍ୟୁତିକ ଗତିଵିଧିରେ ଏକ ଶିଖର ରେକର୍ଡ଼ କଲେ । ତାହା ସେହି ସ୍ଥାନ, ଯେଉଁଠାରେ ଅର୍ଥ ଵ୍ୟାଖ୍ୟାନ ହେଵା ପୂର୍ଵରୁ (ଶବ୍ଦର ଏକକ ଭାଵେ) ମସ୍ତିଷ୍କ ଅକ୍ଷର ଚିହ୍ନିଥାଏ । ଯେତେଵେଳେ ଶବ୍ଦଗୁଡ଼ିକ ଇଟାଲୀୟ ଥିଲା (ଯାହାକୁ ସେମାନେ ୫ଵର୍ଷ ଵୟସ ପୂର୍ଵରୁ ଶିଖିଥିଲେ), ମସ୍ତିଷ୍କ ତରଙ୍ଗଗୁଡ଼ିକର ଉଚ୍ଚ ଏମ୍ପ୍ଲିଚୁଡ ରେକର୍ଡ଼ ହୋଇଥିଲା । କେମିତି ବାଲ୍ୟକାଳରେ ଓ ପ୍ରୌଢ଼କାଳରେ ଶିକ୍ଷା କରିଥିଵା ଭାଷାକୁ ମସ୍ତିଷ୍କ ଭିନ୍ନ ଭିନ୍ନ ଭାଵେ ଆହରଣ ଓ ମନେପକେଇ ପାରୁଛି, ସେଇ ଫଳାଫଳ ପ୍ରକାଶ ପାଇଥିଲା । ଏହା ଥିଲା Alice Mado Proverbio, a professor of cognitive electrophysiology at the Milano-Bicocca ‘ଙ୍କ ଗବେଷଣା । ମସ୍ତିଷ୍କ ପ୍ରାକ ଚିତ୍ର, ଧ୍ଵନି, ଭାଵ ଆଦି ଅଣମୌଖିକ ଜ୍ଞାନ ସାଇତି ରଖିଵା ଵେଳେ ମଧ୍ୟ ମସ୍ତିଷ୍କ ମାତୃଭାଷାକୁ ଆହରଣ କରେ । ଏହାର ଅର୍ଥ ହେଉଛି ଯେ, ଦେଶୀ ଭାଷା ମସ୍ତିଷ୍କ ଭିତରେ ସଂଘୀୟ ଶୃଙ୍ଖଳା ସୃଷ୍ଟି କରିଵାକୁ ପ୍ରେରିତ କରେ ଯାହା ଵର୍ଦ୍ଧିତ ଵୈଦ୍ୟୁତିକ ଗତିବିଧି ଆକାରରେ ଦୃଷ୍ଟିଗୋଚର ହୁଏ । ପ୍ରୋଵେର୍ବିଓ କୁହନ୍ତି, “ଆମ ମାତୃଭାଷା ହେଉଛି ତାହା, ଯାହା ମାଧ୍ୟମରେ ଆମେ ଚିନ୍ତାକରୁ, ସ୍ୱପ୍ନ ଦେଖୁ ଏବଂ ଭାଵକୁ ଅନୁଭଵ କରୁ ।”

ଶିଶୁଟି ତାହାର ପିତାମାତା, ପରିଵାର, ସମ୍ପର୍କୀୟ, ସଂସ୍କୃତି, ଇତିହାସ, ପରିଚୟ ଏବଂ ଧର୍ମ ସହ ତା’ର ମାତୃଭାଷା ମାଧ୍ୟମରେ ଯୋଡ଼ି ହୁଏ । ଦେଶୀୟ ଭାଷା ଶିଶୁକୁ ସମାଜ ସଂସ୍କୃତି ସହ ଯୋଡ଼େ ଏବଂ ତାହାର ପରିଚୟକୁ ଆକାର ଦିଏ । ପ୍ରଵାସୀମାନଙ୍କଠାରେ ଯେଉଁମାନେ ନିଜ ଦେଶୀୟ ଭାଷା ଭଲ ଭାଵେ ଜାଣନ୍ତି ନାହିଁ, ସେମାନଙ୍କଠାରେ ପରିଚୟର ସଙ୍କଟ ଦେଖାଦିଏ । ଶିଶୁଟି ତାହାର ନିଜ ଭାଷାକୁ ଭଲଭାଵେ ଜାଣିନଥିଲେ, ସେ ତା’ର ସଂସ୍କୃତିରେ ଭଲ ଭାବେ ବୁଝିଛି ବୋଲି ଆମେ କହିପାରିଵା ନାହିଁ । ସତ୍ୟ ଏଇଆ ଯେ, ଭାଷା ଓ ସଂସ୍କୃତିର ସମ୍ପର୍କର ସମ୍ବନ୍ଧ ଅତି ଗଭୀର । ସଂସ୍କୃତିକୁ ସଂରକ୍ଷଣ, ଉପସ୍ଥାପନ ଓ ସାଂସ୍କୃତିକ ସମ୍ବନ୍ଧ ପ୍ରତିଷ୍ଠା କରିଵାରେ ମାତୃଭାଷା ଏକ ଶକ୍ତିଶାଳୀ ଅସ୍ତ୍ର । ନିଜ ସଂସ୍କୃତି, ଭାଷା, ଇତିହାସ ଅଚେତନ ଶିଶୁମାନେ ଦେଶ, ସମାଜ, ପରିଵାର ଓ ନିଜଠାରେ ଭରସା ହରାଇଥାନ୍ତି । ଅନ୍ୟ ଏକ ପରିଚୟ ଆଧାରରେ ବଞ୍ଚିଵା ଛଡ଼ା ସେମାନଙ୍କର ଅନ୍ୟ କିଛି ଉପାୟ ନଥାଏ । ଶିଶୁଟି ବେଶି ଭଲ ଭାଵେ ଜାଣିଥିଵା ଭାଷା, ସଂସ୍କୃତି ଆଧାରରେ ନିଜକୁ ପରିଚୟ ଦିଏ । ସେଇ ଶିଶୁ ଅନେକ କ୍ଷେତ୍ରରେ ହୃଦୟଙ୍ଗମ କରେ ଯେ, ନା ସେ ଏକୁଳର ନା ସେକୁଳର ।

ଯିମ କୁମିନଙ୍କ ମତରେ, “ଦୃଢ଼ ମାତୃଭାଷା ଜ୍ଞାନ ଥିଵା ଛାତ୍ରଛାତ୍ରୀ ଵିଦ୍ୟାଳୟରେ ପଢ଼ାଯାଉଥିଵା ଭାଷାରେ ଭଲ ଦକ୍ଷତା ପ୍ରଦର୍ଶନ କରିଥାନ୍ତି । ଦେଖାଯାଇଛି, ପ୍ରଵାସୀ ପିତାମାତା ଅଵା ଅଭିଭାଵକମାନେ ପିଲାଙ୍କ ସହ ସମୟ ବିତାଇ ମାତୃଭାଷାରେ କାହାଣୀ ଶୁଣେଇଵା, ଆଲୋଚନା କରିଵା ଦ୍ୱାରା ପିଲାଙ୍କଠାରେ ମାତୃଭାଷାର ଶବ୍ଦଜ୍ଞାନ, କଳ୍ପନା ଶକ୍ତି ଵିକଶିତ ହୁଏ । ଫଳରେ ପିଲାମାନେ ଵିଦ୍ୟାଳୟକୁ ଭଲ ଭାଵେ ପ୍ରସ୍ତୁତ ହୋଇ ଆସିଥାନ୍ତି, ଵିଦ୍ୟାଳୟରେ ଅନ୍ୟ ଭାଷାରେ ଶିକ୍ଷା ଗ୍ରହଣରେ କୌଣସି ଅସୁଵିଧା ସମ୍ମୁଖୀନ ହୋଇନଥାନ୍ତି ଓ ପଢ଼ାପଢ଼ିରେ ଉତ୍କର୍ଷ ଲାଭ କରନ୍ତି ।”

ମାତୃଭାଷା ମାଧ୍ୟମରେ କୌଣସି ଭାଷାରେ ଵାକ୍ ଵିନିମୟ କରିଵା ଦକ୍ଷତା ଆସେ । ଭାଷାର ଗ୍ରହଣ/ଆୟତ୍ତ, ଵ୍ୟଵହାର ଏବଂ ପ୍ରୟୋଗ ସହ ଭାଷାର ଅତି ସୂକ୍ଷ୍ମ ସ୍ତର ସହ ପରିଚିତ ହୋଇଥାଏ । ଏହା ମାଧ୍ୟମରେ ଅନ୍ୟ ଭାଷାକୁ ଆୟତ୍ତ କରିଵା ସହଜ ହୋଇଥାଏ । ପ୍ରାଥମିକ ଭାଷାରେ ବଳିଷ୍ଠ ଭିତ୍ତିଜ୍ଞାନ ଦ୍ୱାରା ଵିଦ୍ୟାଳୟରେ ପରିଚିତ ହେଉଥିଵା ‘ଅନ୍ୟ ଭାଷା’କୁ ଶିକ୍ଷା କରିଵା, ପଢ଼ାପଢ଼ିରେ ଭଲ କରିବା ପାଇଁ ଶକ୍ତି ଯୋଗାଏ । କାରଣ ପିଲାଙ୍କ ସାକ୍ଷରତା ଜ୍ଞାନ ଏବଂ ଦକ୍ଷତା ନିଜ ମାତୃଭାଷରୁ ଵିଦ୍ୟାଳୟରେ ପରିଚିତ ହେଉଥିଵା ‘ଅନ୍ୟ ଭାଷା’କୁ ରୂପାନ୍ତରିତ ହୋଇଥାଏ । ପିଲାମାନେ ନିଜ ପ୍ରାଥମିକ ଶିକ୍ଷାକାଳରେ ଦୁଇ କିମ୍ବା ତତୋଧିକ ଭାଷା ଜ୍ଞାନ ଵିକଶିତ କରିପାରିଲେ, ସେମାନେ ଭାଷାକ୍ଷେତ୍ରରେ ଗଭୀରକୁ ଯାଇ ପାରନ୍ତି ଏବଂ ଭାଷାକୁ ନିଜ ଇଚ୍ଛା ମୁତାବକ ପରିଵର୍ତ୍ତିନ କରି ଵିଭିନ୍ନ ଉପାୟରେ ପ୍ରୟୋଗ ଓ ଉପସ୍ଥାପନ କରିପାରନ୍ତି । ସେମାନେ ଭାଷାମାନଙ୍କରେ ସମାନତା ଓ ଭିନ୍ନତା ଠଉରେଇ ପାରନ୍ତି ।
ପ୍ରଥମ ଭାଷାକୁ ଅଵହେଳା କରି ଦ୍ଵିତୀୟ ଭାଷାକୁ ପ୍ରାଧାନ୍ୟ ଦେଲେ ପିଲାଙ୍କଠାରେ ନିଜକୁ କିଛି ଵିଶେଷ ପରିସ୍ଥିତି ଓ ଵିଷୟରେ ଭଲ ଭାଵେ ଵ୍ୟକ୍ତ କରିଵାରେ ଅସୁବିଧା ଦେଖାଦିଏ । ନିଜ ମାତୃଭାଷାରେ ମୌଖିକ ଓ ଶୈକ୍ଷିକ ପ୍ରୟୋଗ କ୍ଷେତ୍ରରେ ପଛୁଆ ରୁହନ୍ତି ଏବଂ ତାଙ୍କ ଉପରେ ଲଦି ଦିଆଯାଇଥିଵା ‘ଅନ୍ୟ ଭାଷା’ରେ ନିଜକୁ ସହଜ ବୋଧ କରନ୍ତି । ପରଵର୍ତ୍ତୀକାଳରେ (ପିଲାମାନେ ବଡ଼ ହେଲା ପରେ) ନିଜ ପିଲା ସହ ଭାଷାଗତ ଵ୍ୟଵଧାନ ଥିଵା ପିତାମାତା ହୃଦୟଙ୍ଗମ କରନ୍ତି, ଯାହା ଵୃଦ୍ଧି ପାଇ ମନସ୍ତାତ୍ତ୍ବିକ ଓ ଭାବାଵେଗିକ ଵିଛିନ୍ନତା ଆଣିଥାଏ ।

ପିଲାମାନେ ମାତୃଭାଷା ଶିଖିଵା ଦିଗରେ କି କି ପଦକ୍ଷେପ ନେଵେ, ପ୍ରଵାସୀ ପିତାମାତାଙ୍କ ପାଇଁ କିଛି ପରାମର୍ଶ:

– ପିଲାମାନେ ନିଜ ମାତୃଭାଷାକୁ କିପରି ଭଲ ପାଇଵେ ସେଥିପ୍ରତି ଉତ୍ସାହିତ କରିଵେ ।
– ଦ୍ଵିତୀୟ ଭାଷା ବାହାର ଦୁନିଆ ପାଇଁ ଛାଡ଼ିଦେଵେ ଓ ନିଜ ଘରେ ମାତୃଭାଷାରେ କଥାହେଵେ ।
– ନିଜେ ସ୍ୱାଧୀନ ଭାଵେ ଲେଖା ପଢ଼ା ଶିଖିଵା ପର୍ଯ୍ୟନ୍ତ ପିତାମାତା ପିଲାଙ୍କ ସହ ମାତୃଭାଷାରେ ଲେଖା ପଢ଼ାରେ ସହଯୋଗ କରିଵେ ।
– ପିଲାଙ୍କୁ କାହାଣୀ ଶୁଣେଇଵେ, ରୋଚକ ଵିଷୟ ଆଲୋଚନା କରିଵେ । ଯେହେତୁ ପିଲାମାନେ ବାଲ୍ୟକାଳରେ ବଡ଼ମାନଙ୍କ କଥା ଶୁଣିଵାକୁ ପସନ୍ଦ କରନ୍ତି , ଏହା ସେମାନଙ୍କଠାରେ ମୌଖିକ ଓ ଶବ୍ଦଜ୍ଞାନର ଦକ୍ଷତା ଵୃଦ୍ଧି କରିଵ ।
– ଘରେ ମାତୃଭାଷାରେ ଲିଖିତ ବହିପତ୍ର ରଖିଵେ ।
– ପୁରସ୍କାର ଵ୍ୟଵସ୍ଥା ରଖିଵେ ଓ ପିଲାଙ୍କ ମଧ୍ୟରେ ମାତୃଭାଷାକୁ ନେଇ ପ୍ରତିଯୋଗିତା କରାଇଵେ ।
– ପିଲାମାନଙ୍କୁ ମାତୃଭାଷାରେ ଗୀତ ଶୁଣାଇଵେ ।
– ଯେଉଁ କେନ୍ଦ୍ରମାନଙ୍କରେ ମାତୃଭାଷାରେ ପାଠପଢ଼ା ଵା ଅନ୍ୟ ଶିକ୍ଷା ଦିଆଯାଉଛି, ପିଲାମାନଙ୍କୁ ସେଠାକୁ ଛାଡ଼ିଵେ ।
– ମାତୃଭାଷା ଵ୍ୟଵହାର କରୁଥିଵା ଲୋକ/ପରିଵାରଙ୍କ ସହ ସପରିଵାର ମଝିରେ ମଝିରେ ସମୟ ଅତିଵାହିତ କରିଵେ ।
– ପିତାମାତାମାନେ ମାତୃଭାଷା ପ୍ରତି ନିଜ ଆଶା ଓ ଆକାଂକ୍ଷାକୁ ପିଲାର ଶିକ୍ଷକଙ୍କ ସହ ଆଲୋଚନା କରିଵେ । ଵୃତ୍ତିଧାରୀ ହିସାଵରେ ସେମାନେ ଆପଣଙ୍କ ପିଲାକୁ ଵିଭିନ୍ନ ଉପାୟରେ ମାତୃଭାଷା ଶିଖିଵାକୁ ସହାୟତା କରିପାରିଵେ ।

– ନିଷ୍ଠା ରଞ୍ଜନ ଦାଶ
(ସ୍ପିଚ ଲାଙ୍ଗୁଏଜ ପାଥୋଲୋଜିଷ୍ଟ / ଥେରାପିଷ୍ଟ)

Comments

comments