ଦୁନିଆରେ ଆମ ଚାରିପାଖେ ବାସ୍ତବିକ ଜୀବନର ହିରୋଙ୍କ ସଂଖ୍ୟ ପ୍ରକୃତରେ କିଛି କମ ନୁହେଁ । ଅନେକ ସମୟରେ ଆମ ନଜର ତାଙ୍କ ଉପରେ ପଡ଼ିନଥାଏ କାରଣ ମୁଖ୍ୟ ସ୍ରୋତର ମିଡ଼ିଆ ସେମାନଙ୍କୁ ଧ୍ୟାନ ହିଁ ଦେଇନଥାନ୍ତି । ହିରୋ ଅନ୍ୟମାନଙ୍କ ଜୀବନ ସକାରାତ୍ମକ ଭାବନାରେ ଭରିଦିଅନ୍ତି । ଏପରି ଏକ ରିୟଲ ଲାଇଫ ହିରୋ ହେଉଛନ୍ତି ସତୀଶ । ତାଙ୍କ ଜୀବନ କାହାଣୀ ସେଇ ମାନଙ୍କ ଲାଗି ପ୍ରେରଣାଦାୟୀ ଯେଉଁମାନେ ଛୋଟ ଛୋଟ ସମସ୍ୟାରେ ନିଜକୁ ହତାଶ ନିରାଶ ମନେକରନ୍ତି, ବେଳେବେଳେ ଆତ୍ମହତ୍ୟା ପାଇଁ ମଧ୍ୟ ଆଗେଇ ଆସନ୍ତି । ସତୀଶ ନିଜର ଅକ୍ଷମତାକୁ ପାରି ହୋଇ ଯେଉଁଭଳି ପଦକ୍ଷେପ ନେଲେ ତାହା ସମସ୍ତଙ୍କ ପାଇଁ ଗୋଟେ ପ୍ରେରଣା ।
୩୫ ବର୍ଷୀୟ ଗୋଟା ସତୀଶ କୁମାର ଓଡ଼ିଶା ରାୟଗଡ଼ା ସହର ରୟତ କଲୋନୀର ବାସିନ୍ଦା ଅଟନ୍ତି । ଏମବିଏ ପଢ଼ିବା ପରେ ଏକ ଘରୋଇ ବ୍ୟାଙ୍କରେ ଚାକିରୀ ଆରମ୍ଭ କରି ଏବେ ସ୍ୱାସ୍ଥ୍ୟ ପ୍ରକଳ୍ପରେ କାର୍ଯ୍ୟ କରୁଛନ୍ତି । ସେ ଟଲିଉଡ଼ ତାରକା ପବନ କଲ୍ୟାଣଙ୍କ ଜଣେ ଦୃଢ଼ ପ୍ରସଂଶକ ଅଟନ୍ତି । ଅତୀତର ଘଟଣା – ସେ ୨୪ ବର୍ଷ ବୟସରେ ବିଶାଖାପାଟଣାରେ ଏମବିଏ ପଢ଼ୁଥିବା ସମୟରେ ଦିନେ ଛୁଟିରେ ଘରକୁ ଆସିଥିଲେ । ଟ୍ରେନରୁ ଓହ୍ଲେଇବା ସମୟରେ ଦୁର୍ଘଟଣା ଘଟି ତାଙ୍କର ଦୁଇଟି ଯାକ ଗୋଡ଼ ନଷ୍ଟ ହୋଇଯାଇଥିଲା । ମାନସିକ ଦୁଶ୍ଚିନ୍ତାରେ କିଛି ମାସ ସଂଘର୍ଷ କରି ପରେ କୃତ୍ରିମ (ପ୍ରୋସ୍ଥେଟିକ) ଗୋଡ଼ ଲଗାଇ ଚାଲିବାକୁ ନିଷ୍ପତ୍ତି ନେଲେ । ଏମିତି କିଛି ଦିନ ପରେ ଦିନେ ଲିମକା ବୁକ ଅଫ ରେକର୍ଡ଼ସରେ ଉଭୟ ଭିନ୍ନକ୍ଷମ ଓ ସାଧାରଣ ବର୍ଗରେ ଏକକ ମୋଟର ସାଇକେଲ ଅରୋହୀ ( solo motorcycle rider ) ଭାବେ ଏକ ରେକର୍ଡ଼ କରିବା ପାଇଁ ମନସ୍ଥ କଲେ । ଏହି ଦୁଃସାହସିକ ଯାତ୍ରା ପାଇଁ ଅର୍ଥ ଲୋଡ଼ା ପଡ଼ିଲା । ସେଥିପାଇଁ ବିଭିନ୍ନ ଅନୁଷ୍ଠାନକୁ ସାହାଯ୍ୟ ମାଗି ଅର୍ଥ ଯୋଗାଡ଼ରେ ଲାଗିପଡ଼ିଲେ । ତାଙ୍କ କଥା ଜାଣିବା ପରେ ଟଲିଉଡ଼ ସିନେତାରକା ପବନ କଲ୍ୟାଣ, ଏଇ ପ୍ରେରଣାଦାୟକ ଯାତ୍ରା ପାଇଁ ୫ଲକ୍ଷ ଟଙ୍କା ସହ ସାହାଯ୍ୟର ହାତ ବଢ଼ାଇଥିଲେ । ଅଲ ଇଣ୍ଡିଆ ରାଇଡ଼ର୍ସ କ୍ଲବ ମଧ୍ୟ ଯଥା ସମ୍ଭବ ସହାୟତା କଲେ । ସହଯୋଗ ସମର୍ଥନ ପାଇ ଏକ ଦୁଃସାହସିକ ଯାତ୍ରାରେ ବାହାରି ପଡ଼ିଲେ ।
୨ ସେପ୍ଟେମ୍ବର ୨୦୧୬ରେ ତାଙ୍କ ନିଜ ୩୫୦ ସିସି ରୟାଲ ଏନଫିଲଡ଼ ବୁଲେଟ ବାଇକରେ ତାଙ୍କ ନିଜ ସହର ରାୟଗଡ଼ାରୁ ଯାତ୍ରା ଆରମ୍ଭ କରି ଫେବୃଆରୀ ୧୨ରେ ଲକ୍ଷ୍ୟ ପୂରଣ ସହ ଭାରତ ଭ୍ରମଣ ସାରି ନିଜ ମାଟିକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସୂଚନା ଥାଉ କି ଠିକ ୧୨ବର୍ଷ ପୂର୍ବେ ଅର୍ଥାତ ୨ ସେପ୍ଟେମ୍ବର ୨୦୦୫ରେ ତାଙ୍କର ଟ୍ରେନ ଦୁର୍ଘଟଣାଟି ଘଟିଥିଲା । ସଂଯୋଗ ବଶତଃ ପବନ କଲ୍ୟାଣଙ୍କ ଜନ୍ମଦିନ ସେଇ ସେପ୍ଟେମ୍ବର ୨ ରେ ।
ସେ ୫୦,୦୦୦କିମି ଅତିକ୍ରମ କରିବାକୁ ମାତ୍ର ପାଞ୍ଚ ମାସ ଦଶ ଦିନ ସମୟ ନେଇଥିଲେ । ତାଙ୍କ ଯାତ୍ରାପଥରେ ସେ ଭାରତର ୨୯ଟି ସହର ଏବଂ ୫ଟି କେନ୍ଦ୍ର ଶାସିତ ଅଞ୍ଚଳ ଅନ୍ତର୍ଭୁକ୍ତ । ଭାରତ ଭ୍ରମଣ ସମ୍ପୂର୍ଣ୍ଣ କରିବା ସହ ଗିନିଜ ବିଶ୍ୱ ରେକର୍ଡ଼ ବହିର ‘କୌଣସି ଦେଶରେ ଅଧିକ ଦୂରତା ଯାତ୍ରା’ ବିଭାଗରେ ପୂର୍ବର ରେକର୍ଡ଼ ୩୮,୦୦୦କିମି କୁ ଅତିକ୍ରମ କରି ରେକର୍ଡ଼ସରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିବାକୁ ସକ୍ଷମ ହୋଇଥିଲେ ।
ସେ କୁହନ୍ତି, ” ରେକର୍ଡ଼ ନିଶା ପୂର୍ବରୁ ଅସହାୟତା ଦୁଶ୍ଚିନ୍ତାରେ ବୁଡ଼ିରହୁଥିଲି । କିଛି ମାସ ଧରି ମୁଁ ଅନ୍ୟମାନଙ୍କ ଉପରେ ପୁରା ନିର୍ଭରଶୀଳ ରହିଲି । ଯାହା ମୋତେ ଜମାରୁ ଭଲ ଲାଗୁନଥିଲା । ମୁଁ ମୋ ନିଜ କାମ ନିଜେ କରିବାକୁ ଚାହୁଁଥିଲି । ଦିନେ ଖବର କାଗଜ ପଢ଼ୁପଢ଼ୁ ଏକ କିଶୋର ବାଳକ ଆତ୍ମହତ୍ୟା କରୁଥିବାର ଖବର ମୋ ଆଖିରେ ପଡ଼ିଲା । ଅତି ଛୋଟିଆ ଘଟଣାକୁ ନେଇ ସେ ଭାଙ୍ଗି ପଡ଼ି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲା । ଏଇଟା ସେଇ ସମୟ ଥିଲା ଯେଉଁଦିନ ମୁଁ ମିଷ୍ପତ୍ତି ନେଲି ଯେ ଏଭଳି କୋମଳ ମତି ପିଲାଙ୍କ ପାଇଁ ଏକ ପ୍ରେରଣା ଦାୟକ ପଦକ୍ଷେପ ନେବି ।
ନିରାଶ, ଅସହାୟତା କାରଣରୁ ଆଜିକାଲି ଯୁବକମାନେ ଆତ୍ମହତ୍ୟା କରିବା ଖବର ଶୁଣିଲେ ମୋତେ ଭାରି କଷ୍ଟ ହୁଏ । ମୁଁ ଏମାନଙ୍କ ପାଇଁ ଏକ ପ୍ରେରଣା ହେବାକୁ ଚାହୁଁଛି । ମୁଁ ସେମାନଙ୍କୁ ଜଣାଇବାକୁ ଚାହୁଁଛି ଯଦି ମୁଁ ମୋ ଜୀବନର ସବୁ ପ୍ରତିବନ୍ଧକ ହଟାଇ ଆଗକୁ ବଢ଼ି ପାରୁଛି ତେବେ ସେମାନେ ମଧ୍ୟ ସବୁ ବାଧା ଅତିକ୍ରମ କରିପାରିବେ ।”
୫୦,୦୦୦ କିମି ଭାରତ ଭ୍ରମଣ ଲକ୍ଷ୍ୟ ପୁରା କରିବା ପରେ ମାଉଣ୍ଟ ଏଭେରେଷ୍ଟ ଚଢ଼ିବା ପାଇଁ ସେ ଇଛା ରଖିଛନ୍ତି । ସେ କୁହନ୍ତି ରେକର୍ଡ଼ଟି ଭିନ୍ନକ୍ଷମ ଶ୍ରେଣୀର ନୁହେଁ । ଏହା ସାଧାରଣ ଶ୍ରେଣୀର । ଅସମର୍ଥତା ମନର ଏକ ଭାବନା ମାତ୍ର । ମୋତେ ଯେକୌଣସି ବାଇକ ଦିଅନ୍ତୁ ମୁଁ ଅଚିନ୍ତାରେ ଚଳେଇ ପାରିବି । ମୋତେ ଭିନ୍ନକ୍ଷମ ବୋଲି ଭାବନ୍ତୁ ନାହିଁ । ଯଦି ମୁଁ ଏମିତି କାମ କରିପାରୁଛି ତେବେ ଅନ୍ୟ ଜଣେ କିଛି ବି କରି ଦେଖେଇପାରିବ ”। ଆମେ ବି ତାଙ୍କ ଏହି ଉକ୍ତି ସହ ସହମତ ।
——————————————————————————————————————–
By Nitu Ranjan Dash
Visual Anthropologist
Delhi University