ଭାଦ୍ରବ ମାସ ପୂର୍ଣ୍ଣିମାକୁ ଭାଗବତ ଜନ୍ମଦିନ ରୂପେ ଓଡ଼ିଶାରେ ପାଳନ କରାଯାଏ । ଏହି ଦିନ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିବା କଥିତ ଅଛି । ଓଡ଼ିଆ ଭାଷାର ପ୍ରସାର କରିବା ଦିଗରେ ଏବଂ ଓଡ଼ିଆମାନଙ୍କ ଭଗବତ ସଂହତି ରକ୍ଷା କରିବା ଦିଗରେ ଓଡ଼ିଆ ଭାଗବତର ଅବଦାନ ଅସୀମ । ଓଡ଼ିଆ ଭାଗବତ ଓଡ଼ିଆ ଭାଷାର ଚିରନ୍ତନ ଅମୂଲ୍ୟ ବିଭବ । ଓଡ଼ିଆ ଜାତିର ଜୀବନ ଧାରାରେ ମିଶିଛି ଭାଗବତ । ପୂର୍ବେ ଭାଗବତ ପ୍ରତି ଓଡ଼ିଆଘରେ ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ, ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ମଧ୍ୟ ଭାଗବତ ପାଠ କରାଯାଉଥିଲା । ଏବେବି ଅନ୍ତିମ ଶଯ୍ୟା ନିକଟରେ ଭାଗବତ ବୋଲାଯିବାର ଭାବନା ଓ ବିଶ୍ବାସ ଅତୁଟ ରହିଛି ।
ଓଡ଼ିଆ ଜାତି ପାଇଁ ଜଗନ୍ନାଥଙ୍କ ପ୍ରେରିତ ଭାବେ ପୁରୀଠାରୁ ୧୪ କିମି ଦୂର କପିଳେଶ୍ଵରପୁର ଶାସନ ଗ୍ରାମରେ ପିତା ଭଗବାନ ଦାସ ଓ ମାତା ପଦ୍ମାବତୀ ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ଅତିବଡୀ ଜଗନ୍ନାଥ ଦାସ । ତାଙ୍କ ଜନ୍ମତିଥିକୁ ନେଇ ବିଭିନ୍ନ ମତ ରହିଥିଲେ ମଧ୍ୟ ସେ ୧୪୯୨ ମସିହାରେ ପବିତ୍ର ରାଧାଷ୍ଟମୀ ତିଥିରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିଲେ ଓ ମାତ୍ର ୫୯ ବର୍ଷ ବୟସରେ ୧୫୫୨ରେ ଇହଲୀଳା ସମ୍ବରଣ କରିଥିଲେ ବୋଲି ଏକ ମତବାଦ ଅଛି । ତେଣୁ ସମଗ୍ର ଓଡ଼ିଶାରେ ୧୯୯୨ ମସିହାରେ ଜଗନ୍ନାଥ ଦାସଙ୍କ ୫୦୦ତମ ଜନ୍ମ ଜୟନ୍ତି ପାଳନ ହୋଇଥିଲା । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ସେ ହେଉଛନ୍ତି ଚୈତନ୍ୟଙ୍କ ସମସାମୟିକ ପଞ୍ଚଦଶ ଶତାବ୍ଦୀର କବି ଓ ଭକ୍ତି ଧାରାର ଆବାହକ ପଞ୍ଚ ଶଖାଙ୍କ ମଧ୍ୟରୁ ଜଣେ ।
ଜଗନ୍ନାଥ ଦାସ ପଞ୍ଚମ ବର୍ଷରେ ବିଦ୍ୟାରମ୍ଭ କରିଥିଲେ । ସେ ପ୍ରଥମେ ଗ୍ରାମ ଚାଟଶାଳୀରେ ବର୍ଣ୍ଣପାଠ ଓ ଅଙ୍କ ଆଦି ଶିଖିଥିଲେ । ଉପନୟନ ପରେ ପିତାଙ୍କ ନିକଟରେ ଅମରକୋଷ, ଅଭିଧାନ ଏବଂ କଳାପ ଓ ବର୍ଦ୍ଧମାନ ନାମକ ଦୁଇଟି ସଂସ୍କୃତ ବ୍ୟାକରଣ ସମ୍ପୂର୍ଣ୍ଣ କଣ୍ଠସ୍ଥ କରିଥିଲେ । ନିକଟବର୍ତ୍ତୀ ବ୍ରାହ୍ମଣ ଶାସନକୁ ପ୍ରତିଦିନ ଯାଇ ଯଜୁର୍ବେଦ ଓ ସାମବେଦର ସଂହିତାମାନ ମଧ୍ୟ ସେ ଅଧ୍ୟୟନ ଓ କଣ୍ଠସ୍ଥ କରିଥିଲେ । ନ୍ୟାୟ ବେଦାନ୍ତ ଆଦି ଦର୍ଶନଶାସ୍ତ୍ର ଏବଂ ମହାଭାରତ ରାମାୟଣ ଆଦି ଧର୍ମଶାସ୍ତ୍ର ସମସ୍ତ ପଢ଼ିବା ପରେ ସେ ଭାଗବତ ଅଧ୍ୟୟନ କରିଥିଲେ । ସେ ଜଗନ୍ନାଥ ଦର୍ଶନ ନିମନ୍ତେ ଶ୍ରୀକ୍ଷେତ୍ର ପୁରୀକୁ ନିତି ଆସୁଥିଲେ । ମନ୍ଦିର ଭିତର ବେଢ଼ାରେ ସେ ବଟଗଣେଶଙ୍କ ନିକଟରେ ବସି ଶ୍ରାମଦ ଭାଗବତ ପାଠ କରୁଥିଲେ । ଜଗନ୍ନାଥ ଦାସଙ୍କ ପିତା ଭଗବାନ ଦାସ ବଡ଼ଦେଉଳରେ ପୁରାଣପଣ୍ଡା ଥିଲେ । ତାଙ୍କ ଅନ୍ତେ ଜଗନ୍ନାଥ ଦାସ ପୁରାଣପଣ୍ଡା ହେଲେ । ବ୍ୟାସଦେବ ରଚିତ ସଂସ୍କୃତ ଶ୍ରୀମଦ ଭାଗବତ ଓଡ଼ିଆ ଭାଷାଭାଷୀଙ୍କ ନିକଟରେ ଆଦୃତ ହୋଇପାରିନଥିଲା ତଥାପି ଶ୍ରୀମନ୍ଦିର ବେଢାରେ ଏହାର ନିତି ସଞ୍ଜେ ପଠନ ହେଉଥିଲା । ଜଗନ୍ନାଥ ଦାସ ସଂସ୍କୃତ ଭାଗବତକୁ ଶ୍ରୋତାମଣ୍ଡଳୀରେ ସରଳ ଓଡ଼ିଆ ଭାଷାରେ ଉପସ୍ଥାପନ କରୁଥିଲେ । ଜଗନ୍ନାଥଙ୍କ ମାଆ ଓଡ଼ିଆ ଭାଷାରେ ପଦ୍ୟରୂପରେ ଶୁଣିବା ପାଇଁ ପୁଅକୁ ନିର୍ଦ୍ଦେଶ ଦେଲେ । ବିଧବା ମା’ ବାର୍ଦ୍ଧକ୍ୟର ପୁଣ୍ୟ ସଞ୍ଚୟ ଆଶାରେ କୃଷ୍ଣଚରିତ ଶୁଣିବାକୁ ଆଶାୟୀ ହେବାରୁ ଜଗନ୍ନାଥ ଦାସ ଜନନୀର ଅଭିଳାଷ ପୂରଣ ନିମନ୍ତେ ଅଧ୍ୟାୟେ ଅଧ୍ୟାୟେ ପଦ୍ୟାନୁବାଦ ଶୁଣାଇବାକୁ ଲାଗିଲେ । ସେହି ପଦ୍ୟାନୁବାଦ ଭାଗବତ ଗ୍ରନ୍ଥର ରୂପ ନେଲା । ଜଗନ୍ନାଥ ଦାସ ଗୋସ୍ଵାମୀ ବଟ ଗଶେଶଙ୍କ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ । ରଚନାଟି ବାରଟି ଖଣ୍ଡରେ ବିଭକ୍ତ କରି ପ୍ରତି ଖଣ୍ଡରେ ୧୦ ରୁ ୩୦ ଟି ଅଧ୍ୟାୟ, ପ୍ରତି ଅଧ୍ୟାୟରେ ୫୦ ରୁ ୩୦୦ ଛନ୍ଦ ରଚିଲେ ।
ଶ୍ରୀ ଚୈତନ୍ୟ ଦେବ ପୁରୀଠାରେ ଅବସ୍ଥାନ କରୁଥିବା ସମୟରେ ଏକଦା ଦେଖିଲେ ବଡ଼ ଦେଉଳ ବେଢ଼ା ମଧ୍ୟସ୍ଥ ଅକ୍ଷୟ ବଟମୂଳରେ ବସି ଉନେଇଶ ବର୍ଷୀୟ ଜଗନ୍ନାଥ ଦାସ ଗୋପଲୀଳାରୁ ବ୍ରହ୍ମାସ୍ତୁତି ଗାନକରୁଛନ୍ତି । ସେହି କ୍ଷଣି ଚୈତନ୍ୟଦେବ ଜଗନ୍ନାଥଙ୍କ ଭକ୍ତିପ୍ରବଣତାରେ ମୁଗ୍ଧ ହୋଇ ‘ଅତିବଡ଼’ ଉପାଧିରେ ଡାକିଲେ । ତଦବଧି ଜଗନ୍ନାଥ ଦାସ ଅତିବଡ଼ୀ ଜଗନ୍ନାଥ ଦାସ ନାମରେ ଖ୍ୟାତ ହେଲେ ।
ଜଗନ୍ନାଥଙ୍କ ମନ୍ଦିର ବେଢ଼ାରେ ନିତି ଭାଗବତ ପାଠ ହୁଏ । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି/ ଭାଗବତ ଗାଦି ବା ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଲା । ଜଗନ୍ନାଥ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ପୁରୀର ସାତଲହଡ଼ି ମଠରେ ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ଏହି ଭାଗବତ ଟୁଙ୍ଗି ପ୍ରଥମେ ଆତ୍ମପ୍ରକାଶ କଲା । କ୍ରମେ ସମଗ୍ର ଓଡ଼ିଶାରେ ଗଢ଼ି ଉଠିଲା । ଭାଗବତର ନିତ୍ୟ ଅଭ୍ୟାସକୁ ସମ୍ଭବ କରିବାପାଇଁ ପ୍ରତ୍ୟେକ ଗ୍ରାମରେ ଭାଗବତ ଟୁଙ୍ଗି ନାମରେ ଏକ ସ୍ୱତନ୍ତ୍ର ଘର ନିର୍ମାଣ କରାଗଲା । ଏଠାରେ ଓଡ଼ିଆ ଭାଗବତକୁ ବିଧିବତ ପୂଜା କରି ରଖାଗଲା ଓ ପ୍ରତିଦିନ ସଞ୍ଜବେଳେ ଲୋକେ ଏକତ୍ର ହୋଇ ଏହାର ପଠନ ଓ ଶ୍ରବଣ କଲେ । ଭାଗବତ ଟୁଙ୍ଗୀର ଦାୟିତ୍ୱ ନେଲେ ବାନପ୍ରସ୍ଥାଶ୍ରୟୀ ପ୍ରୌଢ଼ମାନେ । ପାଠୁଆ-ଅପାଠୁଆ, ଯୁବକ-ବୃଦ୍ଧ ଜାତି ବର୍ଣ୍ଣ ନିର୍ବିଶେଷରେ ଏଇ ଘର ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଲା । ଏହାଛଡ଼ା ଗାଁର ସମସ୍ତଙ୍କୁ ଏଇଠୁ ନୈତିକ ଶିକ୍ଷା ମିଳିଲା, ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନ ଯାପନର ଗୁରୁମନ୍ତ୍ର ସେମାନେ ଏଇଠୁ ଶିଖିଲେ । ପୁରାଣ ଶାସ୍ତ୍ର ଚର୍ଚ୍ଚା ସେମାନଙ୍କର ଚେତନାର ବିକାଶ କରିବା ସହିତ ସେମାନଙ୍କୁ ଆନନ୍ଦିତ ଓ ସୁସ୍ଥ ରହିବାର ଅନେକ ସୂତ୍ର ଶିଖାଇଥିଲା । ଝାଞ୍ଜ, ଗିନି, ଖଞ୍ଜଣୀ,କରତାଳ, ମୃଦଙ୍ଗ ବ୍ୟବହାର କରି ସଙ୍ଗୀତ ଓ ଗାୟନ- କୀର୍ତ୍ତନ ଶିକ୍ଷାର ସୂତ୍ରପାତ ଏଇ ଘରୁ ହିଁ ହେଲା । ଆଜି ବି ଗାଁ ଗାଁରେ ଲୋକେ ଭାଗବତ ସପ୍ତା, ପାରାୟଣ ଓ ହରି ହାଟ ଆଦି ମାଧ୍ୟମରେ ଏହାର ପଠନ ଓ ଶ୍ରବଣ କରିଥାନ୍ତି ।
ଭାଗବତକୁ ସାମାଜିକ ଜୀବନଧାରା ଅନ୍ତର୍ଗତ କରିବା ନିମନ୍ତେ ଭଗବତ୍ ଗାଦି ବା ଟୁଙ୍ଗି ର ସୃଷ୍ଟି । ଏହା ସେତେବେଳେ ଗ୍ରାମ୍ୟ ଜୀବନ ର ପ୍ରାଣ କେନ୍ଦ୍ର ରୁପେ ପରିଚିତ ହେବା ସହିତ ଆଧ୍ୟାତ୍ମିକ ମନୋରଞ୍ଜନ ର ଏକ ମାଧ୍ୟମ ଥିଲା । ମାତ୍ର ବର୍ତ୍ତମାନ ବିଡମ୍ବନା ଏହା ଯେ, ସମାଜିକ ଓ ମାନସିକ ପରିବର୍ତ୍ତନ ହେତୁ ଏହା ମୂଳ ପରମ୍ପରାଠାରୁ ଅନେକ ଦୂରରେ । ଓଡ଼ିଆ ଜାତିର ଏବଂ ଓଡ଼ିଶାର ଭାଗବତ ଟୁଙ୍ଗି ପରମ୍ପରା ଆମ ପୂର୍ବ ପୁରୁଷଙ୍କର ପରମ୍ପରା । ସମାଜରେ ଧର୍ମ ଶୃଙ୍ଖଳା ଏବଂ ଲୋକ ଚରିତ୍ର ଗଢ଼ିବାରେ ରହିଆସିଛି ଏହାର ଅତୁଳନୀୟ ଅବଦାନ । ହେଲେ ଆଜି ଏ ଭଳି ମହାନ ପରମ୍ପରା ଅବହେଳା କାରଣରୁ କ୍ଷୟ ହବା ଦିଗରେ ଅଗ୍ରସର । ବାସ୍ତବରେ ଆନ୍ତରିକତାର ସହ ଆତ୍ମ ସମୀକ୍ଷା କରି ଦୃଢମନା ହୋଇ କାର୍ଯ୍ୟ କଲେ ଏହାର ଅବକ୍ଷୟିତ ରୂପ ଓ ପୂର୍ବ ସାଂସ୍କୃତିକ ପରିବେଶର ଯେ ପୁନରୁଦ୍ଧାର ହୋଇପାରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।
——————————————————————————————————————–
Author NISTHA RANJAN DASH (@DashNistha on twitter)
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPost. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…