Bhubaneswar Buzz

#OdiaPost : ଧନୁ ସଂକ୍ରାନ୍ତିରେ ହୁଏ ମୁଆଁ ଭୋଗ । ଧନୁମୁଆଁ ପାଇଁ ପ୍ରସିଦ୍ଧ ଗଞ୍ଜାମ ଜିଲ୍ଲା

Dhanu muan 2

Pic courtesy: Swetapadma Satpathy

Dhanu muan

ପୌଷ ମାସର ପ୍ରଥମ ଦିନ ଧନୁସଂକ୍ରାନ୍ତି ଭାବେ ପାଳନ କରାଯାଏ । ଏଇ ଦିନ ସୂର୍ଯ୍ୟ ଧନୁ ରାଶିକୁ ଚଳନ କରନ୍ତି । ସୂର୍ଯ୍ୟ ଏଇ ଦିନର ଉପାସ୍ୟ । ଗଙ୍ଗା ଯମୁନା, ଗୋଦାବରୀ ଆଦି ପବିତ୍ର ନଦୀମାନଙ୍କରେ ଶ୍ରଦ୍ଧାଳୁ ପୁଣ୍ୟ ମନେକରି ବୁଡ଼ ପକାଇଥାନ୍ତି । କଳାବାରିରେ ମେଢ଼ି ଖୁଣ୍ଟ ନିକଟରେ ମୁଆଁ ପୂଜା ହୁଏ । ଏହି ଦିବସଠାରୁ ପୁରୀ ଶ୍ରୀମନ୍ଦିର ଜଗନ୍ନାଥଙ୍କ ପହିଲି ଭୋଗ ଆରମ୍ଭ ହୋଇ ଉତ୍ତରାୟଣ ସଂକ୍ରାନ୍ତି ବା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ । ପହିଲି ଭୋଗରେ ମୁଖ୍ୟତଃ ବଡ଼ଝିଲି, ଅମାଲୁ, ଗଇଣ୍ଠା, ମଣ୍ଡା, ଆରିସା, କାକରା, ଝଡ଼େଇ ନେଦା ଓ ବଡ଼ି ଆଦି ଭୋଗ କରାଯାଇଥାଏ । କଣ୍ଟିଲୋ ନୀଳମାଧବ ଓ କାକଟପୁର ମଙ୍ଗଳା, ଜାରକାର ଲକ୍ଷ୍ମୀ ନାରାୟଣ, ଆଠଗଡ଼ର ସର୍ପେଶ୍ବରଙ୍କ ନିକଟରେ ମଧ୍ୟ ପହିଲି ଭୋଗ ହୁଏ ।

ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିର ସମେତ ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ଲାଗେ । ସଂଯୋଗୀ ବାବାଙ୍କ ଛତିଆରେ ପଞ୍ଚଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ ଏହି ଦିନରୁ ଆରମ୍ଭ ହୁଏ । ୧୯୪୭ମସିହାରୁ ପ୍ରତି ବର୍ଷ ଏହି ମାସରେ ବରଗଡ଼ଠାରେ ପ୍ରସିଦ୍ଧ ଧନୁଯାତ୍ରା ଆୟୋଜିତ ହେଉଛି ।

“ଧନୁ ମାସ ହେଲା ହନୁ ନଚଳିଲା କହିବାକୁ ବଡ ଲାଜ ମୁଁ ଆଁ କରିଅଛି ମୁଆଁ ଖାଇବାକୁ ଦେବାହେଉ ମହାରାଜ।” ~ଉତ୍କଳଘଣ୍ଟ ଯଦୁମଣି

ଧନୁ ସଂକ୍ରାନ୍ତିର ପ୍ରସିଦ୍ଧି ମୁଆଁ ଭୋଗ ପାଇଁ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କଠୁ ଆରମ୍ଭ କରି ବିଭିନ୍ନ ଦେବଦେବୀଙ୍କ ପାଖରେ ଭୋଗ ଲଗାଯାଏ । ଘରକୁ ଘର ମୁଆଁ ଦିଆନିଆ ହୁଏ । ମନ୍ଦିର ପୂଜକ ମୁଆଁ ପୂଜାକରି ଘରେ ଘରେ ବାଣ୍ଟନ୍ତି । ପୁଷ ମାସରେ ଧାନ ଅମଳ ପରେ ‘ଉଖୁଡ଼ା’ ବା ‘ମୁଆଁ’ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ଵ । ଧନୁ ମୁଆଁ ପାଇଁ ଗଞ୍ଜାମ ଜିଲ୍ଲା ସମଗ୍ର ରାଜ୍ୟରେ ପ୍ରସିଦ୍ଧ । ଦେଶୀ ଘିଅ, ଗୁଡ଼/ଚିନି ଶିରା, ଲିଆ, ନଡ଼ିଆ ପାତି, କାଜୁ ବାଦାମ, ଚିନା ବାଦାମ, ଅଳେଇଚ ଲବଙ୍ଗ ଆଦି ସ୍ୱାଦଷ୍ଟ ମସଲାରେ ପ୍ରସ୍ତୁତ ହୁଏ ଧନୁ ମୁଆଁ ।

ପିଢ଼ି ପରେ ପିଢ଼ି ପ୍ରଚୁର ଆଖୁ ଚାଷ ହେଉଛି ଗଞ୍ଜାମର ଆସିକା ( ଆସ୍କା ) ଅଞ୍ଚଳରେ । ତେଣୁ ଧନୁ ମୁଆଁ ପାଇଁ ଦରକାରୀ ଗୁଡ଼ / ଚିନି ପାଇଁ ମୁଖ୍ୟ ଉତ୍ସ ପାଲଟିଛି ଆସିକା । ଅନେକ ଧୁଣୀର ମୁଆଁ କାରୀଗର ଆସିକାରେ ଦେଖିବାକୁ ମିଳନ୍ତି । ବର୍ଷକେ ତିନିମାସ ପାଇଁ ହେଲେ ବି ମୁଆଁ ତିଆରି ସେମାନଙ୍କ କୌଳିକ ବୃତ୍ତି । ପୂର୍ବରୁ ଧନୁମୁଆଁ ଗୁଡ଼ରେ ପ୍ରସ୍ତୁତ ହେଉଥିଲା । ବ୍ରିଟିଶ ଅମଳରେ ରାଜ୍ୟର ପ୍ରଥମ ଚିନିକଳ ୧୮୨୪ ମସିହାରେ ଆସିକାଠାରେ ସ୍ଥାପିତ ହେବା ପରେ ଗୁଡ଼ ବଦଳରେ ଚିନିର ପ୍ରୟୋଗ ଆରମ୍ଭ କରିଥିଲେ ଆସିକାର କାରୀଗରମାନେ । କହିବାକୁ ଗଲେ ଆସିକା ଚିନିକଳ ମୁଆଁ ପ୍ରସ୍ତୁତିକୁ ଭିନ୍ନ ରୂପ ଦେଇଛି ।

ସୁସ୍ୱାଦୁ ଆସିକା ଧନୁ ମୁଆଁର ପ୍ରସ୍ତୁତି ପ୍ରଣାଳୀ ଅତି ସ୍ୱତନ୍ତ୍ର । ଦୀପାବଳୀ ପରଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ତିନିମାସ ମୁଆଁ କାରିଗରମାନେ କାର୍ଯ୍ୟରେ ଲାଗି ପଡ଼ନ୍ତି । ତିଆରିପାଇଁ ବ୍ୟବହାର କରନ୍ତି ପାରମ୍ପରିକ ଓ ଆଧୁନିକ ଉପକରଣ ସବୁ । ବିଭିନ୍ନ ଆକୃତିରେ ଧନୁମୁଆଁ ଦେଖିବାକୁ ମିଳେ । ଏଥିରେ ପଡ଼ିଥିବା ନଡ଼ିଆ ପାତି, ମୁଆଁକୁ ସ୍ୱତନ୍ତ୍ର ଏକ ପରିଚୟ ଦିଏ । ଏହା ଏତେ କଠିନ ଥାଏ ଯେ ସାଇଜରେ କାଟିବା ପାଇଁ ବଡ଼ ଗୁଆକାତି ବ୍ୟବହାର କରାଯାଏ ।
ବିକ୍ରିବଟା ପାଇଁ କାରିଗର ବିଶେଷ ଧ୍ୟାନ ଦିଅନ୍ତି । ସ୍ଥାନୀୟ ବଜାରରେ ବଡ଼ ଧରଣର ବ୍ୟବସାୟ ହୁଏ । କୁଇଣ୍ଟାଲ କୁଇଣ୍ଟାଲ ମୁଆଁ ସମଗ୍ର ଓଡ଼ିଶା ଓ ଓଡ଼ିଶା ବାହାରକୁ ରପ୍ତାନି ହୋଇଥାଏ । ବଡ଼ ଦୁଃଖର କଥା ପଶ୍ଚିମବଙ୍ଗର ଜୟନଗର ମୁଆଁ, ଏକ ସାଧାରଣ ମୁଆଁଟିଏ ହୋଇ ଜିଆଇ (Geographic Indications GI) ମାନ୍ୟତା ପାଇଥିଲେ ମଧ୍ୟ ଓଡ଼ିଶା ତରଫରୁ ଧନୁମୁଆଁର ଜିଆଇ ଟାଗ ପାଇଁ କୌଣସି ପ୍ରୟାସ କରାଯାଇନାହିଁ । ଜିଆଇ ଟାଗ ମିଳିଲେ ସମଗ୍ର ଭାରତରେ ଧନୁମୁଆଁ ପରିଚିତ ହୋଇପାରନ୍ତା । ଚିନି, ଦେଶୀ ଘିଅ, କାଜୁ ବାଦାମ ଓ ଅନ୍ୟ ଉପାଦାନ ଗୁଡ଼ିକର ଦରଦାମ ବୃଦ୍ଧି ଫଳରେ ମୁଆଁର ମୂଲ୍ୟ ବଢ଼ିଛି ଯାହା ଏବେ କିଲୋ ପ୍ରତି ୮୦ରୁ ୧୦୦ ଟଙ୍କା ଛୁଇଁଛି । ବଦଳୁଥିବା ସମୟରେ ଧନୁମୁଆଁ ଲୋକପ୍ରିୟ ଓଡ଼ିଆ ମୁଆଁ ମର୍ଯ୍ୟଦା ପାଇବା ସହ ଏହାର ଚାହିଦା ମଧ୍ୟ ଆଶାତୀତ ଭାବେ ବଢ଼ିଛି ।

———————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments