ମାଘ ସପ୍ତମୀରୁ ମାଘ ପୂର୍ଣ୍ଣିମା ନଅଦିନ ଧରି ଖଣ୍ଡଗିରି-ଉଦୟଗିରି ପାଦ ଦେଶରେ ହେଉଥିବା କୁମ୍ଭମେଳା, ଖଣ୍ଡଗିରି ମେଳା ନାମରେ ପରିଚିତ । ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଖଣ୍ଡଗିରିଠାରେ କାହିଁ କେଉଁ ଆବାହମାନ କାଳରୁ ଅନୁଷ୍ଠିତ ହୋଇଆସୁଛି କୁମ୍ଭମେଳା । ମେଳାରେ ସାଧୁସନ୍ଥଙ୍କ ସମାବେଶ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ସହ ଖଣ୍ଡଗିରିର ମାହାତ୍ମ୍ୟ ଅନେକ ବଢ଼ିଯାଏ ।
ଏହି ମେଳାର ଅାଧାର ହେଉଛି ତପସ୍ୱୀ ଦର୍ଶନ । ବିଶ୍ୱାସ କରାଯାଏ ତପସ୍ୱୀମାନେ ହେଉଛନ୍ତି ଭଗବାନଙ୍କ ଅବତାର । ତେଣୁ ତପସ୍ୱୀ ଦର୍ଶନକୁ ଭଗବାନଙ୍କ ଦର୍ଶନ ବୋଲି ଧରିନିଅାଯାଏ । ଏହି ଧାରଣାକୁ ନେଇ ଖଣ୍ଡଗିରି କୁମ୍ଭମେଳା ପ୍ରତିଷ୍ଠିତ ବୋଲି ମତ ପ୍ରକାଶପାଏ । ଲୋକକଥାରୁ ଯାହା ଜଣାଯାଏ, ପୂର୍ବକାଳରେ ଏହି ପବିତ୍ର ତିଥିରେ ସାଧୁସନ୍ଥମାନେ ଅର୍କକ୍ଷେତ୍ର ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପରେ ଉଦୟଗିରିରେ ଅବସ୍ଥାନ କରି ସୂର୍ଯ୍ୟପୂଜା କରୁଥିଲେ । କାରଣ ଅର୍କକ୍ଷେତ୍ରରେ ଉଦିତ ସୂର୍ଯ୍ୟଙ୍କ ପହିଲି କିରଣ ସିଧାସଳଖ କୁଅାଡ଼େ ଉଦୟଗିରିରେ ହିଁ ପଡ଼େ । ତେଣୁ ଏଠାରେ ସୂର୍ଯ୍ୟପୂଜା କଲେ କୋଟି ପୁଣ୍ୟ ମିଳେ ବୋଲି ବିଶ୍ୱାସ କରାଯାଏ ।
ଅନ୍ୟ ଏକ ପୌରାଣିକ ତଥ୍ୟାନୁସାରେ କୃଷ୍ଣପୁତ୍ର ଶାମ୍ବ ମାଘସପ୍ତମୀ ତିଥିରେ ସୂର୍ଯ୍ୟଙ୍କ ମୂର୍ତ୍ତି ପ୍ରତିଷ୍ଠା କରି ପୂଜାର୍ଚ୍ଚନା ପୂର୍ବକ ଭୁବନେଶ୍ୱରରେ ଥିବା କପିଳମୁନିଙ୍କ ଆଶ୍ରମରେ ଅବସ୍ଥାନ କରିଥିଲେ I ମହାମୁନି କପିଳ ଶାମ୍ବଙ୍କୁ ‘ଖଣ୍ଡଖିରୀ’ ଖାଇବା ପାଇଁ ଦେଇ ସନ୍ତୁଷ୍ଟ କରିଥିଲେ I ଖଣ୍ଡଖିରୀ ନାମର ଅପଭ୍ରଂଶ ହୋଇ ଏହା ଖଣ୍ଡଗିରି ନାମଧାରଣ କରିଥିବା ଜନଶ୍ରୁତିରୁ ଜଣାଯାଏ I
ଏଠାରେ କପିଳମୁନୀଙ୍କ ପୂଜିତ ଶିବଲିଙ୍ଗ ‘ କପିଳେଶ୍ୱର ’ ନାମରେ ଖ୍ୟାତି ଲାଭ କରିଛନ୍ତି I ଏହି ପାହାଡ଼ର ପାତାଳଗଙ୍ଗା, ଗୁପ୍ତଗଙ୍ଗା ଭଳି ବିଭିନ୍ନ ଜଳଉତ୍ସରେ ବୁଡ଼ ପକାଇବା ବି ଅର୍କକ୍ଷେତ୍ରରେ ବୁଡ଼ ପକାଇବା ସହ ସମାନ ବୋଲି ବିଶ୍ୱାସ କରାଯାଏ । ତେଣୁ ଅତୀତରେ ଏଠାରେ ସନ୍ଥମାନେ ସମ୍ମିଳିତ ହେଉଥିଲେ ଓ ସେମାନଙ୍କ ଦର୍ଶନ ତଥା ସାନ୍ନିଧ୍ୟ ଲାଭ କରିବା ଲକ୍ଷ୍ୟରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଥିଲା । ବହୁ ସ୍ଥାନୀୟ ଲୋକ ବି ଏଠାରେ ଜମା ହେଉଥିଲେ । ଏଥିରୁ ହିଁ ମେଳାର ସୃଷ୍ଟି ।
ଖଣ୍ଡଗିରି-ଉଦୟଗିରି ପାଦ ଦେଶରେ ସାଧୁସନ୍ଥମାନେ ପୂର୍ବେ ସିଦ୍ଧି ଳାଭ କରୁଥିଲେ । ବର୍ଷ ବର୍ଷ ଧରି ତପସ୍ୟାରେ ବସୁଥିଲେ । ଏହି ସମୟରେ ସାଧୁସନ୍ଥମାନେ ମାଘ ସପ୍ତମୀରେ ବୁଡ଼ ପକାଇ ଖଣ୍ଡଗିରିରେ ସୂର୍ଯ୍ୟ ଦେବତାଙ୍କୁ ପ୍ରାତଃ ଦର୍ଶନ କରୁଥିଲେ । ସେହି ଅନୁଯାୟୀ ଶତାଧିକ ସାଧୁସନ୍ଥ ଖଣ୍ଡଗିରିରେ ସୂର୍ଯ୍ୟ ଦର୍ଶନ କରିଥାନ୍ତି ।
ଖଣ୍ଡଗିରି ତପୋଭୂମିଭାବେ ପରିଚିତ । ଏକାଦିକ୍ରମେ ଏହି ପୀଠ ଶକ୍ତିପୀଠ ଓ ଜୈନପୀଠଭାବେ ପରିଚିତି ଲାଭ କରିଛି । ଏଠି ମା’ ବାରଭୂଜାଙ୍କ ପୂଜାର୍ଚ୍ଚନା ସହ ଜୈନ ଉପାସକମାନଙ୍କ ପୂଜା ବି ଅନୁଷ୍ଠିତ ହୋଇଅାସୁଛି । ତେଣୁ କୁହାଯାଏ ଜୈନ ଉପାସକ ହେଲେ ବି ତତ୍କାଳୀନ କଳିଙ୍ଗ ସମ୍ରାଟ କରକନ୍ଦୁ ଏବଂ ପରେ ମହାମେଘବାହାନ ଐର ଖାରବେଳ ସାଧୁସନ୍ଥମାନଙ୍କ ପାଇଁ ଉଦୟଗିରି ପାହାଡ଼ରେ ବିଭିନ୍ନ ଗୁମ୍ଫା ନିର୍ମାଣ କରାଇଥିଲେ ଏବଂ ସେମାନଙ୍କ ରାଜତ୍ୱ କାଳରୁ ହିଁ ଏହି କୁମ୍ଭମେଳାର ଅାକର୍ଷଣ ବଢ଼ି ଚାଲିଥିଲା ।
ଅନନ୍ତକେଶରୀଙ୍କ ରାଣୀହଂସପୁର ଯାତ୍ରା: ଜାଗମରା ଗ୍ରାମର ଅାରାଧ୍ୟ ଦେବତା ଅନନ୍ତକେଶରୀଙ୍କ ରାଣୀହଂସପୁର ଯାତ୍ରା ହେଉଛି ଏହି ମେଳାର ଅନ୍ୟତମ ଅାଧ୍ୟାତ୍ମିକ ଦିଗ । ସପ୍ତମୀ ତିଥି ରାତିରେ, ଅନନ୍ତକେଶରୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଉଦୟଗିରି ପାହାଡ଼ସ୍ଥିତ ରାଣୀ ଗୁମ୍ଫାରେ ରାଣୀ ହଂସପୁରକୁ ଯାତ୍ରା କରିଥାଅାନ୍ତି । ଗୁମ୍ପାରେ ସ୍ନାନ କରିବା ପରେ ଦେବୀ ବାରଭୂଜାଙ୍କ ନିକଟରେ ଯଜ୍ଞ ଆରମ୍ଭ ହୋଇଥାଏ । ସେଠାରେ ମାତ୍ର କିଛି ଘଣ୍ଟାର ରହଣୀ ପରେ ପଭୁ ଅନନ୍ତକେଶରୀ ପୁଣି ବିଳମ୍ୱିତ ରାତିରେ ମନ୍ଦିରକୁ ବାହୁଡ଼ି ଅାସିବା ପରମ୍ପରା ରହିଛି ।
ସାଧୁ ମେଳା ଓ ସାଧୁ ସମ୍ମିଳନୀ: ମେଳା ପୂର୍ବରୁ ସାଧୁସନ୍ଥମାନେ ପାହାଡ ଗୁମ୍ଫାରେ ରହି ଭଜନ କୀର୍ତ୍ତନ କରିଥାନ୍ତି । ଅଖଣ୍ଡ ଧ୍ୱନୀ ଜାଳି ସାଧୁସନ୍ଥମାନେ ତପସ୍ୟାରତ ଥାଆନ୍ତି । ମାଘ ସପ୍ତମୀ ଦିନ ବୁଡ଼ ପକାଇ ସୂର୍ଯ୍ୟଙ୍କୁ ପ୍ରାତଃ ଦର୍ଶନ କରିଥାନ୍ତି । କୁମ୍ଭମେଳା ଅପସରରେ ଦେବୀ ବାରଭୂଜାଙ୍କ ନିକଟରେ ସବୁବର୍ଷ ସାଧୁ ସମ୍ମିଳନୀ ଅନୁଷ୍ଠିତ ହୁଏ । ଏଥିପାଇଁ ବିଭିନ୍ନ ଅଞ୍ଚଳର ସାଧୁସନ୍ଥମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ । ଏହି ନଅଦିନ ବ୍ୟାପୀ ଏକ ଯାଗଯଜ୍ଞ ଓ ବିରାଟମେଳାର ଆୟୋଜନ ହୋଇଥାଏ I ଅଦ୍ୟାପି ଏଇ ମାଘସପ୍ତମୀ ତିଥିରେ ସାଧୁସନ୍ଥମାନେ ଏକତ୍ର ହୋଇ ବିଭିନ୍ନ ଧର୍ମାଲୋଚନା ଓ ଯାଗଯଜ୍ଞରେ ଭାଗନେଇ ବିଭିନ୍ନ ଧାର୍ମିକ ପରିବେଶ ସୃଷ୍ଟି କରିଥାନ୍ତି I
- Pic: Rabindranath biswal
- Pic by : Subrat panigrahi
- Pic by Siddharh panda
- Pic by Debayan pal
- Pic by Debayan pal
ମେଳାର ଆକର୍ଷଣ:
ମାଘସପ୍ତମୀ ପରେ ଛଅଦିନ ମହାମେଘବାହାନ ଐରଖାରବେଳଙ୍କ ଗୌରବମୟ ଇତିହାସର ସ୍ମୃତିଚାରଣ କରାଯାଇ ସରକାରଙ୍କ ସଂସ୍କୃତି ବିଭାଗ ତଫରୁ ଜାତୀୟ ଖାରବେଳ ଉତ୍ସବ ୨୦୦୬ ମସିହାରୁ ଆୟୋଜନ ହେଉଛି ।
କିଣାବିକା ପସରା: ଏହି ମେଳା ଉପଲକ୍ଷେ ବ୍ୟସାୟୀଙ୍କ ପସରା ସବୁ ମେଲିଥାଏ । ଦୋକାନ, ବଜାରଠାରୁ ଅାରମ୍ଭ କରି ମୀନାବଜାରର । ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ଖାଦ୍ୟ, ଘର ସାଜସଜ୍ଜା ଉପକରଣ ଓ ଛୋଟ ପିଲାମାନଙ୍କ ପାଇଁ ଦୋଳି ଆଦି ଦୋକାନ ଖୋଲେ ।
ଅପେରା: ଓଡ଼ିଅା ଯାତ୍ରାଜଗତର ସମସ୍ତ ନାମୀ ଦାମୀ ଅପେରା ପାର୍ଟିମାନଙ୍କର ପ୍ରତିଯୋଗିତା ଏହି ମେଳାରେ ଦେଖିବାକୁ ମିଳେ । ମେଳା ଉପଲକ୍ଷେ ୫ଟି ପେଣ୍ଡାଲରେ ପ୍ରାୟ ୧୨ ନାମୀ ଅପେରା ପାର୍ଟି ନିଜ ନିଜ ଶକ୍ତି ପ୍ରଦର୍ଶନ କରିଥାନ୍ତି । ଗୋଟିଏ ପେଣ୍ଡାଲରେ ୩ ହଜାରରୁ ଅଧିକ ଦର୍ଶକ ଯାତ୍ରା ଉପଭୋଗ କରନ୍ତି । ମେଳା ସମୟରେ ପ୍ରାୟ ୧୦ଲକ୍ଷ ଦର୍ଶକ ପ୍ରତି ଦିନ ଯାତ୍ରା ଦେଖନ୍ତି ।
——————————————————————————————————————–
By Nitu Ranjan Dash
Visual Anthropologist
Delhi University