ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ (ଅଶୋକାଷ୍ଟମୀ) ତିଥିରୁ ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ ରୁକୁଣା ରଥଯାତ୍ରା । ଏହି ରଥଯାତ୍ରାରେ ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଓ ଲକ୍ଷ୍ମୀରୂପୀ ରୁକ୍ମିଣୀ ରଥାରୂଢ଼ ହୋଇ ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି । ରୁକ୍ମିଣୀଙ୍କ ନାମ ଅନୁସାରେ ଏହି ରଥର ନାମ ରୁକୁଣା ରଥ ହୋଇଛି । ଉତ୍ସବରେ ଲିଙ୍ଗରାଜଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା ହେତୁ ଏହି ତିଥିର ନାମ ଅଶୋକାଷ୍ଟମୀ । ଏକାମ୍ର ପୁରାଣରେ ବର୍ଣ୍ଣିତ ଅଛି ଯେ, ନେତ୍ରଉତ୍ସବ ରାତି (ରଥଯାତ୍ରା ପୂର୍ବ ରାତି)ରେ କୌଣସି ବନ୍ଧ୍ୟାନାରୀ ମରିଚିକୁଣ୍ଡରେ ଉଲଗ୍ନ ହୋଇ ସ୍ନାନ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୁଏ । ଏଥି ଯୋଗୁଁ ମରିଚି କୁଣ୍ଡର ପ୍ରଥମ ଗରା ଜଳ ଖୁବ ଉଚ୍ଚଦରରେ ନିଲାମ ହୋଇଥାଏ ।
ଲୋକବାକ୍ୟରେ ପ୍ରଚଳିତ ଅଛି ଯେ, “ରୁକୁଣା ରଥ ଅଣଲେଉଟା ଆଉ ନଫେରେ” । ଜଗନ୍ନାଥଙ୍କ ନନ୍ଦିଘୋଷ ପରି ଦକ୍ଷିଣ ମୋଡ଼ ନେଇନଥାଏ । ବାହୁଡ଼ା ଦିନ ରଥର ପଛପଟେ ଦ୍ଵାର ଖୋଲାଯାଇ ରଥର ଆଗପାଖର ସାଜସଜ୍ଜାକୁ ଆଣି ପଛ ପାଖରେ ଲଗାଇ ଘୋଡା ଜୋଚାଯାଏ । ରଥର ପଛପାଖକୁ ସମ୍ମୁଖ କରି ଠାକୁରଙ୍କୁ ବାହୁଡ଼ାଇ ଅଣାଯାଏ ।
ଶହଶହ ବର୍ଷ ଧରି କେବଳ ଭୁବନେଶ୍ଵରରେ ପାଳିତ ହେଉଥିବା ଏହି ରଥଯାତ୍ରା ପୁରୀର ଜଗନ୍ନାଥଙ୍କ ରଥଯାତ୍ରାଠାରୁ ମଧ୍ୟ ପୁରୁଣା ବୋଲି ପ୍ରମାଣ ମିଳେ । ସମଗ୍ର ବିଶ୍ଵରେ ଲିଙ୍ଗରାଜ ଶିବଙ୍କର ଏପରି ଏକ ରଥଯାତ୍ରା ଦେଖିବାକୁ ବିରଳ । ଏହା ପାଳନର ପ୍ରକୃତ ତାତ୍ପର୍ଯ୍ୟ ଗବେଷକମାନେ ଏଯାଏଁ ସ୍ପଷ୍ଟ କରିପାରିନାହାନ୍ତି ।
——————————————————————————————————————–
By Nitu Ranjan Dash
Visual Anthropologist
Delhi University