A permanent contribution of Odisha to our cultural heritage is Bhima Bhoi, Poet-prophet of Mahima dharma, who wielded his pen against the prevailing social injustice, religious bigotry, and caste discrimination. With his firm belief in one God, one society, one religion, he led this movement from Khaliapali Ashrama. The goal of his mission is “Jagata Uddhara” (liberation of entire world).
“Let my soul be condemned to hell But let the universe be redeemed”
This soul stirring couplet finds pride of place in the parliament hall of India.
ଭୀମ ଭୋଇ ଜଣେ ମଧ୍ୟଯୁଗୀୟ କବି, ସେ ସନ୍ଥ-କବି ଭାବରେ ପରିଚିତ । ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁ ଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ସେ ଖୁବ ସରଳ ଓ ନିରାଡାମ୍ବର ଭାବରେ ଜୀବନ ଯାପନ କରି ମାନବ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କ ରଚନା ଅନୁଯାୟୀ କୌଣସି ଏକ ମହିମା ଗୋସାଇଁ ତାଙ୍କୁ ମହିମା ଧର୍ମ ବା ଅଲେଖ ଧର୍ମର ପ୍ରଚାର କରିବାପାଇଁ ଆଦେଶ ଦେଇଥିଲେ । ମହିମା ଗୋସାଇଁଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ସେ ଖଲିଆପାଲି ଠାରେ ସତ୍ୟ ମହିମା ଧର୍ମର ବିକାଶରେ ମୁଖ୍ୟ ଭୂମିକା ନିଭାଇଥିଲେ ।
ସନ୍ଥ କବି ଭୀମ ଭୋଇ ୧୮୫୦ ଖ୍ରୀଷ୍ଟାବ୍ଦରେ ସୋନପୁରର ଜଟାସିଂଗାଠାରେ ଏକ ଆଦିବାସୀ କନ୍ଧ ପରିବାରରେ ଜନ୍ମଲାଭ କରିଥିଲେ । କିମ୍ବଦନ୍ତୀ ଓ ଜନଶ୍ରୁତି ମୁତାବକ ଭୀମ ଭୋଇ ବାଲ୍ୟକାଳରୁ ବଡ଼ ଦୁଃଖ ଓ କଷ୍ଟରେ କାଳାତିପାତ କରିଥିଲେ । ଦାରିଦ୍ର୍ୟ , ଖାଦ୍ୟାଭାବ ଓ ବସନ୍ତ ରୋଗରେ ପିଡ଼ିତ ହୋଇ ବାଲ୍ୟକାଳରୁ ସେ ଦୃଷ୍ଟି ଶକ୍ତି ହରାଇ ବସିଥିଲେ । ସେ ନିଜ ପିତାଙ୍କୁ ହରାଇଥିଲେ ଓ ମାତା ମଧ୍ୟ ତାଙ୍କୁ ଛାଡି ଅନ୍ୟ ସ୍ଥାନକୁ ଚାଲିଗଲେ । ଫଳତଃ ସେ ଅନ୍ୟ ଘରେ ବାଲ୍ୟ ବୟସରୁ ଗୋରୁ ଜଗି ସେ ଜୀବନ ବିତାଉଥିଲେ । ସେ ପରେ ମହିମା ଧର୍ମ ଗ୍ରହଣ କରି ଧର୍ମ ପ୍ରଚାର ପାଇଁ ସେ ଅନେକ ଭଜନ ଓ ଜଣାଣ ରଚନା କରିଥିଲେ । ତାଙ୍କ ରଚନା ମଧ୍ୟରେ ଶ୍ରୁତି ନିଷେଧ ଗୀତା, ନିର୍ବେଦ ସାଧନ, ଆଦି ଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ଅନାଦି ସଂହିତା, ଭୀମ ଭୋଇ ମାଳିକା, ସ୍ତୁତି ଚିନ୍ତାମଣି ଓ ବହୁ ଚଉତିଶା ପ୍ରସିଦ୍ଧି ଲାଭ କରିଛି । ଭୀମଭୋଇଙ୍କ ଭଜନରେ ଭକ୍ତି ଓ ବିଶ୍ଵମାନବବାଦ ଦେଖାଯାଇଥାଏ । ତାଙ୍କ ସମୟରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ଭୀମ ଭୋଇଙ୍କ ରଚନାଗୁଡ଼ିକର ଅବଦାନ ଅନସ୍ବୀକାର୍ଯ୍ୟ ।
ଏକ ଈଶ୍ଵର, ଏକ ସମାଜ, ଏକ ଧର୍ମ ବାର୍ତ୍ତା ନେଇ “ଜଗତ ଉଦ୍ଧାର’’ (liberation of entire world)ନିମିତ୍ତ ତାଙ୍କ ଅଭିଯାନ ଖଳିଆ ପଲ୍ଲୀ ଅଶ୍ରମରୁ ଆରମ୍ଭ ହୋଇଥିଲା । ହିଂସା, ସମାଜର କୁସଂସ୍କାର ଜାତିଆଣ ଭେଦଭାବ ବିରୋଧରେ ନିଜର ଲେଖନୀ ଚାଳନ କରିଥିଲେ ।
ଶୁଣାଯାଏ ୪ ବର୍ଷବୟସରେ ସେ ଏକ ଅଦ୍ଭୁତ ଯୋଗୀଙ୍କ ଦର୍ଶନ ପାଇଲେ । ତାଙ୍କଠାରେ ଶଙ୍ଖ, ଚକ୍ର ଚିହ୍ନ ଏବଂ ବାହୁରେ ମାଟି ପାତ୍ର ଧରିଥିବାର ଦେଖିଲେ । ସେ ଥିଲେ ମହିମା ଗୋସାଇଁଙ୍କ ସହ ଏହାଥିଲା ତାଙ୍କର ପ୍ରଥମ ଭେଟ ।
ବିଲରେ କାମ କରି କରି ବାଲ୍ୟ କାଳ ଗଡି ଚାଲିଲା । ୧୨ ବର୍ଷ ବୟସରେ ସ୍ଥାନୀୟ ଅଂଚଳରେ ଗାଈ ଚରାଇବା କାମ କଲେ । କୌଣସି ପ୍ରାଥମିକ ଶିକ୍ଷା ପାଇପାରିନଥିଲେ କିନ୍ତୁ ତାଙ୍କର ଥିଲା ବିଚକ୍ଷଣ ସ୍ମରଣ ଶକ୍ତି । ପିଲାବେଳୁ ଗୀତ ଗାଇବା ତାଙ୍କ ରୁଚିରେ ପରିଣତ ହୋଇ ସରିଥିଲା । କବିତା ମାଧ୍ୟମରେ ମହିମା ଧର୍ମ ପ୍ରଚାର କରିବା ପୁର୍ବରୁ ନିଜ ଅଂଚଳରେ ଜଣେ ଗାୟକ ଭାବେ ଲୋକପ୍ରିୟ ହୋଇଥିଲେ ।
ପଶ୍ଚିମ ଓଡ଼ିଶାର ଲୋକଗୀତ ଶୈଳୀରେ ରାଧାକୃଷ୍ଣଙ୍କ ପ୍ରେମଭରା ସଂଗୀତ ଯଥା ରସରକେଳି, ଡାଲଖାଇ, ଜାଇଫୁଲ ଇତ୍ୟାଦି ତାଙ୍କ କିଶୋର ଅବସ୍ଥାରେ ଜନମାନସକୁ ତାଙ୍କର ପ୍ରଥମ ଭେଟି ଥିଲା ।
ନିଜ ଗାଁରେ ଥିବା ଭାଗବତ ଟୁଙ୍ଗୀ ବାହାରେ ଘଣ୍ଟା ଘଣ୍ଟା ବସି ଗୀତରେ ଥିବା ଟିକିନିଖି ପଦକୁ ପଦ ସବୁ ମନେରଖୁଥିଲେ ।
୧୮୬୨ରେ ଢ଼େଙ୍କାନାଳର କପିଳାସ ପର୍ବତ ପାଦଦେଶରେ ମହିମା ଗୋସାଇଁ ମହିମା ଧର୍ମ ପ୍ରଚାର ପ୍ରସାର ପାଇଁ ଆଶ୍ରମ ଆରମ୍ଭ କଲେ । ବୌଦ୍ଧର ଗୋବିନ୍ଦ ବାବାଙ୍କୁ ନିଜ ପ୍ରଥମ ଅନୁଚର କରିବା ପରେ ଏକଦା ଏକ ରାତିରେ ଭୀମଙ୍କ ଗୃହ କାଙ୍କଣପଡ଼ା(ଗ୍ରାମଡିହି)କୁ ଆସିଥିଲେ । ସେଇଠି ଭୀମ ଭୋଇଙ୍କୁ କବିତା ରଚନା ପାଇଁ ଆଶିର୍ବାଦ ଦେଇ ନିଜ ଅନୁଚର କଲେ । ବୋଧହୁଏ ଏହି ଘଟଣା ହିଁ ତାଙ୍କ ନିର୍ବେଦ ସାଧନାର ପ୍ରଥମ ଅଧ୍ୟାୟ । ଏହା ମାଧ୍ୟମରେ ୧୬ ବର୍ଷ ବୟସରେ ତାଙ୍କ କବିତା ଲେଖିବାର ମୂଳଦୂଆ ପଡ଼ିଥିଲା ।
ଲୋକଲୋଚନରୁ ଜଣାଯାଏ ଭୀମଭୋଇ ଥରେ ଅଜାଣତରେ ଏକ କୂପରେ ପଡ଼ି ଯାଇଥିଲେ ଏବଂ ସେଥିରୁ ବାହାରିବା ପାଇଁ ମନା କରିଥିଲେ ଯେପର୍ଯ୍ୟନ୍ତ ଯାଏ ମହିମା ସ୍ଵାମୀ ତାଙ୍କୁ ଉଦ୍ଧାର କରିବାକୁ ଆସିନାହାନ୍ତି । ଶେଷରେ ମହିମା ସ୍ବାମୀ ସେହି ବାଟ ଦେଇ ଯାଉଥିବା ବେଳେ ଆସି ତାଙ୍କୁ ଉଦ୍ଧାର କରିଥିଲେ । ସେହି କନ୍ଧରା ଗ୍ରାମର କୁଅ ଏବେ ନବୀକରଣ ହୋଇ ସ୍ମୃତି ଉଦ୍ଦେଶ୍ୟରେ ସଂରକ୍ଷିତ ରହିଛି ।
ଭୀମ ଭୋଇ ନିଜ ଭଜନରେ ନିଜକୁ ଶୁନ୍ୟ ବ୍ରହ୍ମର ମାନବ ରୂପ ଭାବେ ବିଦିତ କରିଛନ୍ତି । ପରେ ସେ ମହିମା ଧର୍ମର ପ୍ରଚାରକ ରୂପେ ନିଜକୁ ଉପସ୍ଥାପନ କରନ୍ତି । ପୂର୍ବ ଓ ପଶ୍ଚିମ ଓଡ଼ିଶାରେ ଗାଁ ଗାଁ ବୁଲି ନିଜ ଅନୁଗାମୀଙ୍କ ସହ ଧର୍ମ ପ୍ରଚାରରେ ବାହାରି ପଡ଼ିଥିଲେ । ଜଣେ ଧର୍ମ ପ୍ରଚାରକ ଓ କବି ଭାବେ ସବୁଠି ପରିଚିତ ହୋଇଥିଲେ ।
ମହିମା ଗୋସାଇଁଙ୍କ ଆଦେଶ କ୍ରମେ ମୋଢିଗ୍ରାମ ଢ଼େଙ୍କାନାଳର ଅନ୍ନପୁର୍ଣ୍ଣା ମହିମା ଧର୍ମ ଗ୍ରହଣ କରି ଭୀମ ଭୋଇଙ୍କ ସହଚର ଭାବେ ରହି ଆଶ୍ରମର ଦେଖାରଖା କଲେ । ପରେ ଶ୍ରଦ୍ଧାଳୁଙ୍କ ନିକଟରେ ମା ଅନ୍ନପୁର୍ଣ୍ଣା ଭାବେ ପରିଚିତ ହେଲେ ।
୧୮୭୬ ଫାଲଗୁନ ଶୁକ୍ଲପକ୍ଷ ଦଶମୀ ତିଥିରେ ଯୋରନ୍ଦାଠାରେ ମହିମା ଗୋସାଇଁ ତାଙ୍କ ପାର୍ଥିବ ଶରୀର ତ୍ୟାଗ କରନ୍ତେ ଆଶ୍ରମ ପରିସରରେ ବକ୍କଳଧାରୀ ଓ କୌପୁନିଧାରୀଙ୍କ ମଧ୍ୟରେ ପ୍ରଭୁତ୍ଵ ଓ ଅନ୍ୟାନ୍ୟ ପରିଣତିକୁ ନେଇ ବିବାଦ ସୃଷ୍ଟି ହେବା ଫଳରେ ଭୀମ ଭୋଇଙ୍କୁ ମାର୍ମିକ ଅଘାତ ଲାଗିଥିଲା । ଫଳରେ ସେ ନିଜର ଏକ ଆଶ୍ରମ ତିଆରି କରିବାକୁ ନିଷ୍ପତି ନେଇଥିଲେ । ଭୀମ ଭୋଇ ବିନିକା ନାମକ ଏକ ସ୍ଥାନକୁ ନିଜ ଅନୁଗାମୀଙ୍କ ସହ ଅସି କିଛି ଦିନ ରହିଥିଲେ ତା ପରଠୁ ସେହି ସ୍ଥାନ ମହିମା ଗଳିରୂପେ ନାମିତ ହୋଇଛି ।
ବିନିକା ନିକଟ ଗୋଲଣ୍ଡାରେ ତାଙ୍କୁ ଆତିଥେୟ ମିଳିଲା । ଗ୍ରାମ ଗୌନ୍ତିଆ(ମୁଖିଆ) ତାଙ୍କ ଜମି ଦାନ କରିବାରୁ ସେଇଠି ଏକ ଆଶ୍ରମ ସ୍ଥାପନ କଲେ ।
ମଧ୍ୟବର୍ତ୍ତୀ ସମୟରେ ଭୀମ ଭୋଇ ସୁମେଧା ଓ ରୋହିଣୀ ଭାବେ ଦୁଇ ଜଣ ସହାୟକ ମହିଳା ପ୍ରଚାରକ ପ୍ରାପ୍ତ ହେଲେ । ପରେ ସେମାନଙ୍କୁ ଯଥାକ୍ରମେ ପୁତ୍ର ଓ କନ୍ୟା ସନ୍ତାନର ଆଶିର୍ବାଦ ଦେଇଥିଲେ ।
୧୮୭୭ ମସିହାରେ ଥରେ ଭୀମ ଦାସ ଓ ବକ୍କଳଧାରୀ ସାଧୁ ସେମାନଙ୍କ ସାଙ୍ଗମାନଙ୍କ ସହ ଆସି ଅଭିଯୋଗ କଲେ ଯେ ଭୀମ ଭୋଇ ତାଙ୍କ ଭଉଣୀ ଅନ୍ନପୁର୍ଣ୍ଣାଙ୍କୁ ଅପହରଣ କରିଛନ୍ତି ବୋଲି । ଫଳରେ ସେଠାରେ ଉତ୍ତେଜନା ଦେଖାଯାଇଥିଲା ଯାହା ନାଗା ଆକ୍ରମଣ ଭାବେ ଜଣାଯାଏ । ପରେ ଗୁଲୁଣ୍ଡା ଛାଡ଼ି ଭୀମ ଭୋଇ ଚାଲିଯାଇଥିଲେ । ନିଜ ଅନୁଗାମୀ ଓ ପରିବାର ସହ ଅଙ୍ଗ ନଦୀ ପାରହୋଇ ସୁବର୍ଣ୍ଣପୁର ଜିଲ୍ଲାର ଖାଲିଆପଲ୍ଲୀଠାରେ ପହଞ୍ଚିଲେ । ଲୋଚନ ବାଗର୍ତ୍ତୀ (ଖଲିଆପଲ୍ଲୀର ଗଉଁତିଆ) ସମସ୍ତଙ୍କୁ ଯଥୋଚିତ ସମ୍ମାନ ଦେଇ ପାଛୋଟି ନେଇଥିଲେ । ଭୀମ ଭୋଇଙ୍କ ଆଶ୍ରମ ପାଇଁ ଏକ ଜମି ମଧ୍ୟ ଦାନ କଲେ । ଭୀମ ଭୋଇ ସେହି ଗ୍ରାମରେ ପାଦଦେବା କ୍ଷଣି ବଗାର୍ତ୍ତୀ ପରିବାରରେ ଏକ ପୁତ୍ର ସନ୍ତାନ ଜନ୍ମନେଇଥିଲା । ତାର ନାମ ଭୀମ ବାଗର୍ତ୍ତୀ ରଖାଯାଇଥିଲା ।
ମରଣ ପର୍ଯ୍ୟନ୍ତ ଖଲିଆପଲ୍ଲିକୁ ନିଜ ବାସସ୍ଥାନରୂପେ ବାଛିଲେ ଭୀମ ଭୋଇ । ଆଉ ବୈରାଗୀ ହୋଇନଥିଲେ ଜୀବନ ସଂସାର ଓ ଈଶ୍ବରଙ୍କ ମଧ୍ୟରେ ସମ୍ବନ୍ଧ ବ୍ୟାଖ୍ୟା କଲେ । ସେଠାରେ ସେ ପ୍ରାର୍ଥନା, ପ୍ରବଚନ ଏବଂ ସମାଜ ପାଇଁ ଗୀତ ରଚନା କରିଚାଲିଲେ । ଅନ୍ନପୁର୍ଣ୍ଣା ଧର୍ମଚର୍ଚ୍ଚା ସହ ଆଶ୍ରମର ଉତ୍ତରୋତ୍ତର ଦାୟିତ୍ବ ତୁଲାଇଲେ ।
ଭୀମ ଭୋଇଙ୍କ ହୁକୁମ କ୍ରମେ ୪ ଜଣ ଶାସ୍ତ୍ରୀ (ବସୁ ପଣ୍ଡା, ହରି ପଣ୍ଡା, ମାର୍କଣ୍ଡ ଦାସ, ଏବଂ ଧର୍ମାନନ୍ଦ ଦାସ ) ଭୋଇଙ୍କ ମୁଖ ନିସୃତ ୪ ଟି ଭଜନକୁ ଲିପିବଦ୍ଧ କରି ରଖିବା ପାଇଁ ଲେଖନୀ ସାହାଯ୍ୟରେ ତାଳ ପତ୍ରରେ ଲେଖିବା ଆରମ୍ଭ କଲେ । ଏମିତି ପ୍ରୟାସ ଇତିହାସରେ ବୋଧେ ପ୍ରଥମ ଥିଲା ।
ମହିମା ଧର୍ମର ଯଦିଓ କୌଣସି ଧର୍ମଗ୍ରନ୍ଥ ନାହିଁ ସେ କବିତା ଓ ଭଜନ ମାଧ୍ୟମରେ ଧର୍ମର ଆଚରଣ ଓ ନିୟମକୁ ବଖାଣି ଚାଲିଲେ । ତାଙ୍କ କବିତା ଗୁଡ଼ିକରେ ମହିମା ଧର୍ମକୁ ବ୍ୟାଖ୍ୟା କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ମାଧ୍ୟମରେ ଶୁଷ୍କ ଧର୍ମକୁ ସରଳ ସାବଲୀଳ ଶୈଳୀରେ ଭାବନାତ୍ମକ ଦିଗ ସହ ଯୋଡ଼ି କବିତାଗୁଡ଼ିକ ଆତ୍ମାତୃପ୍ତି କରିବାକୁ ଯଥେଷ୍ଟ ଥିଲା । ପୁରପଲ୍ଲୀରେ ଏସବୁ ଅଦୃତ ହୋଇଥିବାର ସନ୍ଦେହ ନାହିଁ ।
ଭୀମ ଭୋଇ ମଧ୍ୟ ଅନେକ ଭଜନ ବଙ୍ଗଳାରେ ଲେଖାଯାଇଛି । ତାଙ୍କ ସରଂଚନାରେ “ମହିମା ବିନୋଦ” ଉଭୟ ବଙ୍ଗଳା ଓ ଓଡ଼ିଆ ମିଶାରେ ଲେଖା ଯାଇଛି । ତାଂକର କିଛି ଲେଖା ତାମିଲ ଭାଷାରେ ମଧ୍ୟ ଅନୁଦିତ ହୋଇଛି ଆଜି ମଧ୍ୟ ଆନ୍ଧ୍ରର ବିଜୟନଗର ଅଞ୍ଚଳରେ ଏହି ଭଜନଗୁଡ଼ିକୁ ଲୋକେ ବୋଲୁଥିବାର ଦେଖାଯାଏ ।
ସୋନପୁର ରଜା ନୀଳଧର ସିଂହଦେବଙ୍କ ଜନୈକ ଦେୱାନ, ଖଲିଆପଲ୍ଲୀ ଆଶ୍ରମରେ ଏହି ଦେବ ଉପାସନା କାରଣ ପାଇଁ ଏକ ସମସ୍ୟା ଭାବେ ଉଭା ହୋଇଥିଲେ । ଭୀମଙ୍କ ଅତି ଅନୁଗାମୀ ବାସୁ ପଣ୍ଡା ଓ ହରି ପଣ୍ଡା ଏହାର ସାମନା କରିଥିଲେ । ଭୀମ ଭୋଇ ଦୃଢ଼ତାର ସହ କହିଥିଲେ ‘’ ମୁଁ କେଉଁ ଶାସକର ଯାଗିରିଦାର ନୁହେଁ ନା ଜଣେ ଗୁଲାମ , ଧନିକର ଆଜ୍ଞାଧିନ ଚାକର ମଧ୍ୟ ନୁହେଁ ମୁଁ କେବଳ ଜଣଙ୍କ ଆଦେଶ ମାନେ ସେ ହେଉଛନ୍ତି ମୋର ଗୁରୁ ।“
ବେଳେବେଳେ ସେ ଜଣେ ମାନବପ୍ରେମୀ ବିପ୍ଲବୀ ଭାବେ ଉଭା ହେଉଥିଲେ । ସେ ମୂର୍ତ୍ତି ପୂଜା ଓ ବ୍ରାହ୍ମଣ ଦ୍ବାରା କର୍ମକାଣ୍ଡକୁ ବିଶ୍ବାସ କରୁନଥିଲେ । ପ୍ରକୃତିରେ ପ୍ରତେକଟି ବସ୍ତୁରେ ଈଶ୍ବରୀୟ ଜୀବସତ୍ତାକୁ ଖୋଜି ବସୁଥିଲେ । ମଣିଷ –ମଣିଷ ମଧ୍ୟରେ ବିଭେଦ ଓ ଦୂରତାକୁ କମେଇବାକୁ ପ୍ରୟାସ କରିଥିଲେ । ସମାଜରେ ନାରୀଙ୍କ ଅଗ୍ରଗତି, ନାରୀଶିକ୍ଷାର ପ୍ରଚାର ବି ତାଙ୍କ ଦେଇ ଦେଖିବାକୁ ମିଳୁଥିଲା ।
କେବଳ ଓଡ଼ିଆ ନୁହେଁ ସମସ୍ତ ସାହିତ୍ୟରେ କବିତା ମାଧ୍ୟମରେ ତାଙ୍କ ମାନବବାଦୀ ବିଚାର ତାଙ୍କୁ ଅମର କରି ରଖିବ ।
“Let my soul be condemned to hell But let the universe be redeemed”
‘’ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ।
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’’
ଏହି ଆତ୍ମସ୍ପର୍ଶୀ ବାଣୀ ଭାରତର ସମ୍ବିଧାନ କୋଠରୀରେ ସ୍ଥାନିତ ହୋଇ ମାନବବାଦର ବାର୍ତ୍ତା ବହନ କରି ଗୌରବ ମଣ୍ଡନ କରୁଛି ।
ଏହା ସ୍ବୀକାର ଯୋଗ୍ୟ ଯେ ତାଙ୍କର କିଛି କାର୍ଯ୍ୟ ବିଲୁପ୍ତ ପ୍ରାୟ । ତଥାପି ସ୍ତୁତି ଚିନ୍ତାମଣି, ବ୍ରହ୍ମନିରୁପଣ ଗୀତ, ଆଦିଅନ୍ତ ଗୀତ, ଚଉତିସା ଗ୍ରନ୍ଥମାଳା, ନିର୍ବେଦ ସାଧନା, ଶୃତି ନିଷେଧ ଗୀତ, ମନୁସଭା ମଣ୍ଡଳ, ମହିମା ବିନୋଦ ୪ ଖଣ୍ଡ (ପ୍ରକାଶ ହୋଇନାହିଁ)ବୃହତ ଭଜନ ମାଳା ଏବଂ ବଙ୍ଗଳା ଆଠ ଭଜନ ଆଦି ତାଙ୍କ ପ୍ରତିଭାର ପରିଚୟ ଦିଏ । ସ୍ତୁତି ଚିନ୍ତାମଣି ତାଙ୍କର ପ୍ରମୁଖ ଅବଦାନ ବୋଲି ଧରାଯାଏ । ଏଥିରେ ୨୦୦୦ ଛନ୍ଦ ବିଶିଷ୍ଟ ୨୦୦ ବୋଲି ଅଛି । ଏହା ତାଙ୍କ ଜୀବନ, ଧର୍ମ, ଏବଂ ଦର୍ଶନରେ ଗୁନ୍ଥା ।
୧୮୯୫ ମସିହା ଫାଲଗୁନ ଚତୁର୍ଦ୍ଦଶୀ ତିଥିରେ ମାତ୍ର ୪୫ ବର୍ଷ ବୟସରେ ପରିବାର ଓ ଅନୁଗାମୀଙ୍କ ଗହଣରେ ଶେଷ ନିଶ୍ବାସ ତ୍ୟାଗ କଲେ । ବାସୁ ପଣ୍ଡା ଓ ହରି ପଣ୍ଡାଙ୍କ ପୌରୋହିତ୍ୟରେ ଆଶ୍ରମ ପରିସରରେ ତାଙ୍କ ଶବକୁ ସମାଧି ଦିଆଗଲା । ଅନେକ ସକ୍ରିୟ ଅନୁଗାମୀ ବିଂଶ ଶତାବ୍ଦୀରେ ପ୍ରଥମାର୍ଦ୍ଧରେ ଜଣକୁ ଜଣ ସ୍ବର୍ଗବାସୀ ହେଲେ । ପ୍ରତ୍ୟେକଙ୍କ ପାଇଁ ସେଇଠି ସମାଧି ସ୍ଥାପନ ହେଲା । କେବଳ ମା ଅନ୍ନପୁର୍ଣ୍ଣାଙ୍କ ପାର୍ଥିବ ଶରୀରକୁ ଭୀମ ଭୋଇଙ୍କ ସମାଧି (ଏବେକାର ମୁଖ୍ୟ ସମାଧି ମନ୍ଦିର)କଡ଼ରେ ପୋତି ଦିଆଗଲା ।
ଖଲିଆପଲ୍ଲୀ ସ୍ଥିତ ଏହି ପ୍ରସିଦ୍ଧ ପୀଠକୁ ଏବେସୁଦ୍ଧା ଗମନାଗମନ ବ୍ୟବସ୍ଥା ସୁବନ୍ଦୋବସ୍ଥ ହୋଇପାରି ନାହିଁ । କିନ୍ତୁ ଜଣେ ଆଗନ୍ତୁକ ଏଠିକାର ସ୍ଥପତିରେ ଅଭିଭୂତ ହୋଇଯିବ । ଏହି ଅଶ୍ରମ ଅଲେଖ ଧର୍ମୀଙ୍କ ପାଇଁ ମକ୍କା ସଦୃଶ ଏବଂ ଭୀମ ଭୋଇ ଯୀଶୁ ସଦୃଶ । ଏହି ସ୍ଥାନ ବାବଦରେ ଅନେକ ରୋଚକ କାହାଣୀମାନ ଶୁଣିବାକୁ ମିଳେ । ପ୍ରତି ବର୍ଷ ଚୈତ୍ର ପୂର୍ଣ୍ଣିମା (ଇଂରାଜୀ ଜାନୁଅରୀ – ଫେବୃୟାରୀ ମାସରେ ପଡ଼େ) ରେ ବହୁତ ଭିଡ଼ ପରିଲକ୍ଷିତ ହୁଏ ।
ଯେଉଁଠାରେ ଭୀମ ଭୋଇ ଗୀତ ରଚନା କରୁଥିଲେ ସେଠାରେ ଏକ ପାଦୁକା ମନ୍ଦିର ସ୍ଥାପନ ହୋଇଛି । ସେଠାରେ ଭୀମ ଭୋଇ ଓ ମା ଅନ୍ନପୁର୍ଣ୍ଣାଙ୍କ ରୂପା ଅଛାଦିତ କଠାଉ ପୂଜା ପାଉଛି ।
ମାଘ ପୂର୍ଣ୍ଣମୀରେ ଭୀମ ଭୋଇ ଓ ମା ଅନ୍ନପୁର୍ଣ୍ଣା ଶ୍ରଦ୍ଧାଳୁଙ୍କ ଦ୍ବାରା ୧୦୮ କଳସ ଶୋଭାଯାତ୍ରା ସହ ପୂଜିତ ହୁଅନ୍ତି । କେବଳ ଓଡ଼ିଶା ନୁହେଁ ସୁଦୂର ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଆସାମ ଆଦିରୁ ଧର୍ମାବଲମ୍ବୀ ଏଥିରେ ଖଲିଆପଲ୍ଲୀ ଆଶ୍ରମର ପାଦୁକା ପୂଜା ଉତ୍ସବରେ ଯୋଗ ଦିଅନ୍ତି । ଏହି ମେଳା ପ୍ରସିଦ୍ଧ ମାଘମେଳା ଭାବେ ପରିଚିତ ।
ଏବେ ମଧ୍ୟ ଓଡ଼ିଶା ଓ ଓଡ଼ିଶା ବାହାରେ ହଜାର ହଜାର ଲୋକ ମହିମା ଧର୍ମଦିକ୍ଷା ଗ୍ରହଣ କରିଛନ୍ତି ।
ଆଧ୍ୟାତ୍ମ ବାଦୀ ବ୍ରହ୍ମ ବାଦୀ ଚେତନା , ନିର୍ବିକାର ଉପାସନାର ପୂଜାରୀ ଥିଲେ । ଭୀମ ଭୋଇ ସାରା ବିଶ୍ୱରେ ଆଧ୍ୟାତ୍ମିକବାଦୀ ପ୍ରକାଣ୍ଡ ଅଧିକାରୀ ଥିଲେ । ମାନବ ଜାତି ପାଇଁ ଭୀମ ଭୋଇଙ୍କ ଜୀବନ ଉତ୍ସର୍ଗ ଥିଲା ।
(Stills from docudrama on saint poet Bhima Bhoi. Telegraph pictures)
୨୦୧୪ରେ ଏକ ତାଙ୍କ ବାବଦରେ ଏକ ଦୁଇ ଭାଷୀ ଡକ୍ୟୁଡ୍ରାମା ପ୍ରସ୍ତୁତ କରାଯାଇଥିଲା । ତାଙ୍କ ନାମରେ ରେଢ଼ାଖୋଲ ଠାରେ ଏକ ମହାବିଦ୍ୟାଳୟ ସ୍ଥାପନ ହୋଇଛି । ଭୁବନେଶ୍ବରରେ ଦୃଷ୍ଟିହୀନମାନଙ୍କ ପାଇଁ ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ଖୋଲିଛି । ଭିନ୍ନକ୍ଷମ ସମର୍ଥ ଅଭିଯାନ ଯୋଜନା ଓଡ଼ିଶା ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଛି । ତଥାପି ସେ ମହାପୁରୁଷଙ୍କୁ ଓଡ଼ିଆଜାତି ଯେତିକି ସମ୍ମାନ ଦେବା କଥା ସେତିକି ଦେଇନାହିଁ ।
ଏବେ ସମ୍ବଲପୁରରେ ପ୍ରସ୍ତାବିତ ଚାଉଁରପୁର-ମାଲତୀଗୁଣ୍ଡେରପୁର ମହାନଦୀ ପୋଲକୁ ସନ୍ଥକବି ଭୀମ ଭୋଇଙ୍କ ନାମରେ ନାମିତ କରିବା ପାଇଁ ପ୍ରସ୍ତାବ ଉଠିଛି ।
Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…