Bhubaneswar Buzz

ଗାଁର କଥା – (୧୭) ଅସହାୟର ଆଶ୍ରୟ beautiful blog in Odia by Chandra Sekhar Dash

 

ଅନ୍ୟ ସହରକୁ ଯାଉଥିବା ଶେଷ ବସ୍, ପୁରୀରୁ ରାତି ଆଠଟା ପାଖାପାଖି ଛାଡ଼ିଦେଇଥାଏ। କାମ ସରିବାକୁ ଡେରି ହୋଇଗଲା। ଶେଷ ବସରେ ଯାଇ ହେଲାନି। ବନ୍ଧୁ ବାନ୍ଧବ, ସାଙ୍ଗସୁଖମାନଙ୍କ ଘରେ, ଏ ସମୟରେ ପହଞ୍ଚିଲେ, ଭଲ ଦିଶିବନାହିଁ। ଗାଁକୁ କେମିତି ଫେରିବି, ଚିନ୍ତାରେ ଚାଲୁ ଚାଲୁ ପୁରୀ ରେଳ ଷ୍ଟେସନରେ ପହଞ୍ଚି ଯାଇଥାଏ।
ସାଢେ ନଅଟା ରାତିରେ ଏକ ପାସେଜ୍ଞର ଟ୍ରେନ ପୁରୀରୁ ଛାଡ଼ିବ ବୋଲି ଯଣା ପଡ଼ିଲା। ଷ୍ଟେସନରେ ହାତ ଗଣତି ଲୋକ ଥାଆନ୍ତି। କେତେକ ବେଞ୍ଚରେ ଶୋଇ ଥାଆନ୍ତି । ଆଉ କେତେ ଜଣ ଏପଟ ସେପଟ ହେଉ ଥାଆନ୍ତି। ଜଣେ ହେଲେ ଚିହ୍ନା ମୁହଁ ଦେଖା ଯାଉ ନଥାଏ।
ରାତିରେ ବିଜୁଳି ଆଲୁଅରେ ସେ ଲୋକମାନଙ୍କୁ ଦେଖିହୁଏ, କିନ୍ତୁ, ସେମାନଙ୍କର ପ୍ରକୃତ ଚେହେରାରେ, ସନ୍ଦେହର ଆସ୍ତରଣ ଘେରି ଯାଇଥିବା ଭଳି ମନେହୁଏ।
ଆଜି ପ୍ରଥମ ଥର ପାଇଁ, ଏତେ ରାତିରେ, ଟ୍ରେନରେ ପୁରୀରୁ ସାକ୍ଷିଗୋପାଳ ଯାଇ , ସେଠାରୁ ଆଠ କିଲୋମିଟର ଚାଲି ଚାଲି, ଗାଁକୁ ଫେରିବାକୁ ପଡିବ। ଉପାୟ ଶୂନ୍ୟ। କାମ ସରୁ ସରୁ ବିଳମ୍ବ ହେଲା। ପୁରୀରେ ରାତିରେ ରହିବା ପାଇଁ ସୁବିଧା ନାହିଁ। ତେଣୁ ଗାଁକୁ ନ ଫେରିବାର ପ୍ରଶ୍ନ ଉଠୁ ନଥିଲା।
ଅତୀତରେ, ପୁରୀରେ, ବନ୍ଧୁ ଓ ସାଙ୍ଗମାନଙ୍କ ଘରେ ଅନେକ ରାତି ଅନାହୂତ ଅତିଥି ହୋଇସାରିଛି। ଆଉଥରେ କିଛି ବାହାନା କରି କାହାକୁ ଦେଖା କଲେ, ନିଶ୍ଚୟ ରାତ୍ରି ଯାପନ ପାଇଁ କୁଣ୍ଠିତ ନିମନ୍ତ୍ରଣ ମିଳିବ। ଏ ଜଗନ୍ନାଥ ଧାମ ଟି!
ଏଣେ ଟ୍ରେନର ଗାର୍ଡ ସବୁଜ ଲଣ୍ଠନ ହଲାଇ, ଶୁଶୁରି ବଜାଇଲେଣି । ବସିଥିବା ବେଞ୍ଚର ସାମନା ଡବାରେ ଚଢ଼ି ଗଲି।
ଧିରେ ଧିରେ ଛୁକ୍ ଛୁକ୍ ଶଦ୍ଦ କରି ଗାଡ଼ି ଗଡ଼ି ଚାଲିଲା। ଡ଼ବା ଭିତରଟାରେ ଆଉ ଦୁଇ ତିନି ଜଣ, ଏଣେ ତେଣେ ବସିଥାଆନ୍ତି। ଡବାଟି ଅନ୍ଧାର । ଆଲୁଅ ଆସିଲା ନାହିଁ। ଜଣିକିଆ ସିଟରେ ବସି ଝରକା ବାହାରକୁ ଚାହିଁଥାଏ। କେଉଁଠି କେମିତି ଗୋଟାଏ ଦିଇଟା ଘରେ ଇଲେକଟ୍ରି ଲାଇଟ, ଚଳନ୍ତା ଗାଡିରୁ ଦେଖା ଯାଉଥାଏ। ନ ହେଲେ, ସବୁ ଅନ୍ଧକାର।
ଆଗରେ ଥିବା ଲମ୍ବା ସିଗନାଲ ଖୁଣ୍ଟିରୁ ସବୁଜ ଆଲୋକ ଦେଖାଗଲା। ମାଳତୀପାଟପୁର ଷ୍ଟେସନ ଆସୁଛି। ପାସେଜ୍ଞର ଟ୍ରେନଟି ଏଠାରେ ରହିବ। ଏ ଏତେ ଛୋଟ ଷ୍ଟେସନ ଯେ, ଚାରି ପାଞ୍ଚଟା ଡବା ଛାଡ଼ି ଦେଲେ, ଗାଡ଼ିର ଅବଶିଷ୍ଟ ଡବାସବୁ ପ୍ଳାଟଫର୍ମ ବାହାରେ ରହେ। କଟ କଟ ଡାକ ଡାକି, ଗାଡ଼ିଟି ବ୍ରେକ୍ ମାରି ରହିଲା ମାଳତୀପାଟପୁରରେ। ଷ୍ଟେସନର କୋଳରେ ଠିଆ ହେବାର ଭାଗ୍ୟ, ସେ ଅନ୍ଧାରୁଆ ଡବାଟିର ନଥିଲା। ଅନ୍ଧାର ଓ ଅଜ୍ଞାତଙ୍କଠାରୁ, ଆଲୋକିତ ଡବାକୁ ଯିବାପାଇଁ, ବିଳମ୍ବ ନକରି ସେ ଡବାରୁ ଓହ୍ଲାଇ ପଡ଼ିଲି। ଦୁଇଟା ଡବା ଛାଡ଼ି, ଆଉ ଏକ ଡବାରେ ବସିଲି।
ଟ୍ରେନ ମାଳତୀପାଟପୁର ଛାଡ଼ି, ଜାନକାଦେଇ ପୁର (ଚନ୍ଦନପୁର) ଅତିକ୍ରମ କରି, ସାକ୍ଷିଗୋପାଳ ପହଁଚିଗଲା। ରେଳ ଯାତ୍ରା ଶେଷ। ଗାଡ଼ିରୁ ଜଣେ କିଏ ଓହ୍ଲାଇ ବଜାର ଆଡ଼ ରାସ୍ତାରେ ଦ୍ରୁତଗତିରେ ଆଗେଇ ଯାଉଥାଏ। ଟ୍ରେନଟି, ସାକ୍ଷିଗୋପାଳରୁ କାହାକୁ ନ ନେଇ ଚାଲିଗଲା। ରାତି ଦଶଟା । ଷ୍ଟେସନରୁ ଦୂରକୁ ଯେତେ ଯିବି, ଅନ୍ଧକାର ସେତେ ବଢ଼ି ବ। ହାତରେ ଟର୍ଚ୍ଚ ନାହିଁ। ଗାଉଁଲି ରାସ୍ତାରେ ଅନ୍ଧାର ରାତିରେ, ଆକାଶର ତାରା ଓ ପାଖର ଜୁଳୁଜୁଳିଆ ପୋକର ଆଲୁଅ ହିଁ ସାହାରା।
ନା, ଏ ଅନ୍ଧାରରେ ଗାଁକୁ ଚାଲି ଚାଲି ଯାଇ ହେବନାହିଁ। ଦିନର ଯିଏ ପରିଚିତ ଆପଣାର ରାସ୍ତା, ସେ, ରାତିରେ ଅଜଣା ଭୟ ଓ ବିପଦରେ ଭରା ।
ଷ୍ଟେସନର ଯାତ୍ରୀ ବିଶ୍ରାମାଗାରରେ ରହିଯିବାଟା ହିଁ ଠିକ୍ ହେବ। ପ୍ଳାଟଫର୍ମକୁ ଲାଗି ଆଜବେଷ୍ଟସ ଛାତର ବିଶ୍ରାମାଗାର ।ବାସ୍ତବରେ ସେ ଘର ନୁହେଁ, ଘର ଆକାରର ଷ୍ଟେସନକୁ ପ୍ରବେଶ ପଥ। ଲାଇଟ ଜଳୁଥାଏ । ଫାନ ବୁଲୁଥାଏ। କାନ୍ଥକୁ ଲାଗି ଦୁଇଟା ବୁଲା କୁକୁର ଶୋଇଥାଆନ୍ତି। ଜିନିଷ ପତ୍ରକୁ ମୁଣ୍ଡ ତଳେ ରଖି, ବେଞ୍ଚ ଗୁଡ଼ିକ ଉପରେ ଲୋକମାନେ ଶୋଇଯାଇଥାଆନ୍ତି। ଗୋଟିଏ ଖୁଣ୍ଟି ପାଖରେ, ଆମ ଗାଁ ପାଖର ଜଣିଏ ବେପାରୀ, ତଳେ ଗାମୁଛା ପକାଇ, ଏଣେ ତେଣେ ଚାହିଁ, ନିଦକୁ ଅପେକ୍ଷା କରିଥାଏ। ହୃଦବୋଧ ହୋଇ ଗଲା, ସିମେଣ୍ଟର ଚଟାଣରେ,ଗୋଡ଼ ହାତ ମେଲାଇ, ଉପର ଆଜବେଷ୍ଟସର ଢେଉ ଗଣୁ ଗଣୁ, ଗଣତି ସରିବ ନାହିଁ କି ନିଦ ଆସିବ ନାହିଁ। ସେଭଳି ତପସ୍ୟା କରିବା ପୂର୍ବରୁ, ପ୍ଳାଟଫର୍ମରେ ଟିକିଏ ବୁଲି ବୁଲି କ୍ଳାନ୍ତ ହେବାକୁ ମନ ହେଲା।
ରାତି ବଢ଼ି ଚାଲିଥାଏ। ଏଗାରଟା ଟପିଲାଣି। ଜାମୁକୋଳିଆ ରଙ୍ଗର ପାଣ୍ଟ ସାର୍ଟ ପିନ୍ଧିଥିବା ସିଗନାଲ ମାନ, ଗୋବିନ୍ଦ, ଆଗେଇ ଆସୁଥାଆନ୍ତି। ସେ, ମୋ ନନାଙ୍କର ଚିହ୍ନା ପରିଚିତ। ଏତେ ରାତିରେ ମତେ ପ୍ଳାଟଫର୍ମରେ ଦେଖି, ସେ ଚିହ୍ନି ପାରିଲେ। ଭଲ ମନ୍ଦ ପଚାରି ବୁଝିନେଲେ। ତାଙ୍କ ସାଙ୍ଗରେ ଆସିବାକୁ କହିଲେ। ପ୍ଲାଟଫର୍ମର ବନ୍ଦ ହୋଇଯାଇଥିବା ଚା ଦୋକାନ ପରେ ଥିବା ଘର ପର୍ଯ୍ୟନ୍ତ, ତାଙ୍କ ସାଥିରେ ଆସିଲି। ପ୍ରବେଶ ଦ୍ୱାର ଉପରେ ‘ପ୍ରଥମ ଶ୍ରେଣୀ ବିଶ୍ରାମାଗାର’ ଲେଖାଥାଏ। ଛୋଟ ଘରଟିଏ।ସେ ଘରେ ଦୁଇଟା ଆରାମ ଚୌକି, ଉପରମୁହାଁ ଅଧା ଧନୁ ଭଳି ପଡ଼ି ଥାଏ।। ଚୌକିର ହାତ ପଟା ତଳୁ ଆଉ ଏକ ପଟା ଆଗକୁ ବାହାରିଯାଏ । ଗୋଡ଼ ଲମ୍ବାଇ ତା ଉପରେ ରଖି ହେବ। ସତେ ଯେମିତି ବଙ୍କା ଖଟଟାଏ। ମଝିରେ ଗୋଟିଏ ଗୋଲ ଟେବୁଲ । ସେ ଘରେ ଆଉ ଚାରିଟା ମୋଟା କଳା ରଙ୍ଗର ସାଧା ଚୌକି। ଭିତରକୁ ଲାଗି ଗାଧୁଆଘର। ଗୋବିନ୍ଦ କହିଲେ — ‘ଏ ବେତ ବୁଣା ବଙ୍କା ଚୌକିରେ ଗୋଡ଼ ହାତ ଲମ୍ବାଇ ଶୋଇ ଯାଅ। ସକାଳୁ ଉଠି ଗାଁକୁ ଚାଲିଯିବ। ଏଣିକି ସଦାବେଳେ ସନ୍ଧ୍ୟା ପୂର୍ବରୁ ଘରକୁ ଫେରିବାକୁ ଚେଷ୍ଟାକର। ବାପା ମା କେତେ ଦୁଃଶ୍ଚିନ୍ତାରେ ଥିବ

ଏ ଥିଲା ୧୯୭୦ ମସିହାର କାହାଣୀ। ଆଜି ଯାତାୟତ ପାଇଁ ଗାଁ ମାନଙ୍କୁ ପିଚୁ ରାସ୍ତା । ଯିବାଆସିବା ପାଇଁ କେତେ ପ୍ରକାରର ଯାନ ବାହାନ। କି ଦିନ କି ରାତି, ଯେତେବେଳେ ଯେଉଁ ଆଡ଼େ ଚାହିଁବ, ଯାଇପାରିବ। ଆଜିକାଲି ଟ୍ରେନରେ ପୁରୀରୁ ବା ପୁରୀକୁ ଯିବା ଆସିବା କରିବା, ଭୁବନେଶ୍ୱରବାସୀଙ୍କର ପସନ୍ଦ ନୁହେଁ। ଚାରିଥାକିଆ ରାଜପଥ ହେବା ପରଠାରୁ, ଗାଁ ଆଉ ପୁରୀ, ଲାଗେ ପାଖ ବଗିଚାର ଆରପଟେ ବୋଲି।

କିଏ ଜାଣେ, ଆଜି ଏକ ଅସହାୟ ବାଳକ ପାଇଁ, ରାତିରେ ଆଶ୍ରୟ ଦେବାକୁ ସେମିତି ଜଣେ ଗୋବିନ୍ଦ ମିଳିବେ କି ନାହିଁ।
********************************************
ଶ୍ରୀ ଚନ୍ଦ୍ର ଶେଖର ଦାଶ
ଭୁବନେଶ୍ୱର
ତାରିଖ- ୮/୯/୨୦୧୭

Comments

comments