ସ୍କୁଲରେ ଅନ୍ୟ ଦିନମାନଙ୍କ ଅପେକ୍ଷା ଅଧିକ ଗହଳ ଚହଳ ଲାଗିଥାଏ। ସ୍କାଉଟ ଶିକ୍ଷକ, ନଈ ବନ୍ଧରୁ ସ୍କୁଲ ହତାକୁ ଥିବା ଗଡାଣିରେ, ସ୍କାଉଟପିଲାଙ୍କୁ ଦୁଇ ଧାଡ଼ିରେ ଠିଆ କରାଇ, ତିନି ଚାରିଥର ଶୁଶୁରି ବଜାଇ, ବିଭିନ୍ନ ପ୍ରକାର କମାଣ୍ଡ ଦେଇ ସାରିଲେଣି। ସ୍କାଉଟ ପିଲାମାନେ ମଧ୍ୟ ସେହି ଅନୁସାରେ, ସାବଧାନ ଓ ଅସାବଧାନ ରିତିରେ, ନିଜକୁ ପ୍ରସ୍ତୁତ କରି ସାରିଲେଣି। ସାଇକଲରେ ସ୍କୁଲର ଜଣେ ଯୁବକ-ସାରେ ଆସି କିଛି ଖବର, ସ୍କାଉଟ ଶିକ୍ଷକଙ୍କ କାନରେ କହି, ସ୍କୁଲ ଅଫିସ ଆଡ଼କୁ ମାଡି ଆସିଲେଣି। କ୍ଷଣକରେ ସବୁ ପିଲାମାନଙ୍କୁ ସ୍କୁଲର ବଡ଼ ହଲରେ ନୀରବରେ ବସିରହିବା ପାଇଁ ଆଦେଶ ମିଳିଗଲା। ସ୍ୱାଗତ ସଙ୍ଗୀତ ଗାଇବାକୁ ଥିବା ଛାତ୍ରୀମାନେ ପ୍ରସ୍ତୁତ। ଦୁଇଜଣ ବୟସ୍କ ଛାତ୍ର, ହାରମୋନିୟମ ଓ ତାବଲା ଉପରେ ବଜାଇବା ପାଇଁ ହାତ ଚଳାଇଲେଣି। ହେଡ଼ମାଷ୍ଟ୍ରେ, ଅନ୍ୟ ତିନିଜଣ ମାଷ୍ଟରଙ୍କୁ ନେଇ ନଈ ବନ୍ଧ ଉପରକୁ ତରତରରେ ଉଠିଗଲାଣି।
ରିକ୍ସାଟିଏ, ଜଣେ ଭଦ୍ର ବ୍ୟକ୍ତି ଓ ସ୍କୁଲର ବିଜ୍ଞାନ ଶିକ୍ଷକଙ୍କୁ ବସାଇ, ନଈ ବନ୍ଧର ଗଡାଣି ପାଖରେ ପହଁଚିଲା। ସ୍କାଉଟ ଶିକ୍ଷକ ତାଙ୍କୁ ‘ଜୟ ହିନ୍ଦ୍’ କହି ସାଲୁଟ ମାରିଲେ। ବିଗୁଲ ବଜାଉଥିବା ପିଲାଟି ତିନିଥର – ତୁର୍ ତୁର୍, ତୁର୍ ତୁର, ତୁର୍ ତୁର – କଲାବେଳେ, ଡ୍ରମ ବଜାଇବା ପିଲାଟି ତା ସାଙ୍ଗରେ ତାଳ ଦେଲା।
ହେଡ଼ମାଷ୍ଟ୍ରେ, ଭଦ୍ରବ୍ୟକ୍ତିଙ୍କୁ ନମସ୍କାର କରି ସ୍କୁଲ ଭିତରକୁ ପାଛୋଟି ଆଣିଲେ। ସେମାନେ ଗଡାଣି ରାସ୍ତାର ମଝିରେ ଯାଉଥିଲେ। ସେମାନେ ଯେମିତି ଆଗୋଉ ଥାଆନ୍ତି, ଧାଡିରେ ଠିଆ ହୋଇଥିବା ତାଙ୍କ ନିକଟତମ, ସ୍କାଉଟ ପିଲାଙ୍କ ଭିତରୁ ଦୁଇଜଣ ବୁଲିଯାଇ, ଆଗନ୍ତୁକଙ୍କ ପଛରେ ଧାଡ଼ି କରି ସ୍କୁଲର ଅଫିସ ଘର ପର୍ଯ୍ୟନ୍ତ, ତାଙ୍କୁ ପାଛୋଟି ନେଲେ।
କିଛି ସମୟ ପରେ ହେଡ଼ମାଷ୍ଟ୍ରେ ଭଦ୍ରବ୍ୟକ୍ତିଙ୍କୁ ତାଙ୍କ ଅଫିସ ରୁମରେ, ଗାଁ ଗୁଡିଆ ପ୍ରସ୍ତୁତ ମିଠା ଓ ପଇଡ଼ ପାଣିରେ ଆପ୍ୟାୟିତ କରି, ସ୍କୁଲର ହଲ ଭିତରକୁ ଆଗେଇ ଆଣିଲେ ଓ ବ୍ଳାକବୋର୍ଡ଼ ସାମାନାରେ ପଡ଼ି ଥିବା ମଝି ସିଟରେ ତାଙ୍କୁ ବସାଇ, ନିଜେ ଓ ସ୍କୁଲ ସେକ୍ରେଟାରୀ, ତାଙ୍କ ଦୁଇ ପଟେ ପଡ଼ିଥିବା ଚୌକିରେ ବସିଲେ। ହଲରେ ଛାତ୍ରଛାତ୍ରୀ ଭରପୁର। ଅନ୍ୟ ସାରମାନେ ଓ ପାଖ ଗାଁର ଜଣିଏ ବୟସ୍କ ଲୋକ ସେ ହଲରେ ବସି ଥାଆନ୍ତି।
ହେଡ଼ମାଷ୍ଟ୍ରେ ଆଗନ୍ତୁକଙ୍କ ପରିଚୟ କରାଇଦେଲେ।
ଆମେ ପିଲାମାନେ, ଆଖି ଓ ପାଟି ମେଲାକରି ବସିଥିବା ଅବସ୍ଥାରେ, ହେଡ଼ମାଷ୍ଟ୍ରେ, ତାଙ୍କର ଉପାଧି ଓ ବୈଶିଷ୍ଟ୍ୟ ବିଷୟରେ,କଅଣ କହିଯାଇ ଥିଲେ, ଆଉ ମନେ ପଡୁନାହିଁ। ତାଙ୍କ ପରିଚୟ ପ୍ରଦାନ ସରିଲାମାତ୍ରେ, ଦୁଇଜଣ ଛାତ୍ରୀ ବାମପଟ ଓ ଆଉ ଦୁଇ ଜଣ ଛାତ୍ରୀ ଡାହାଣ ପଟ କାନ୍ଥ ପାଖରୁ, ସେମାନେ ବସିଥିବା ସାମନା ଧାଡ଼ିରୁ ଉଠି ଠିଆ ହେଲେ। ଫୁଲ ମାଳ ହାତରେ ଧରି ସେମାନେ ଅତିଥିଙ୍କ ଆଡ଼କୁ ଅଗ୍ରସର ହେଲେ। ହାରମୋନିୟମ ତାଳେ ତାଳେ, ସେମାନେ ସମବେତ କଣ୍ଠରେ ଗାଇଲେ –
‘ ଆସିଛ ଆଜି ଏ ସୁମଧୁର ଦିବସେ,
– – – – – – – – – – – – – – –
ପାଇଛୁ ଆମେ ନବ ଅତିଥି
ହସି ଉଠଇ ଏ ଅନୁଷ୍ଠାନ ଟି। ‘
ବଳିକାମାନେ ସ୍ୱ।ଗତ ସଙ୍ଗୀତ ଗାଇ ଗାଇ, ଇଞ୍ଚେ ଇଞ୍ଚେ ଆଗେଇ, ଗୀତ ଶେଷ ବେଳକୁ ଅତିଥିଙ୍କ ପାଖରେ ପହଞ୍ଚି ଯାଇଥିଲେ ଓ ତାଙ୍କ କଣ୍ଠରେ ଫୁଲ ହାର ପିନ୍ଧାଇ ଦେଇ ଥିଲେ। ତା ପରେ ମୁଖ୍ୟ ଅତିଥି, ତାଙ୍କର ଭାଷଣ ଆରମ୍ଭ କଲେ।
ଏଡ଼େ ଡେଙ୍ଗା ଅତିଥିଙ୍କ ତୁଳନାରେ ଆମେ, ବହୁତ ଛୋଟ ଲାଗୁଥିଲୁ। ତାଙ୍କ ଆଡ଼କୁ ବକ ବକ କରି ଚାହିଁ ରହିଥାଉ।
ଉତ୍ତମ ପୋଷାକ ପିନ୍ଧିଥିବା ଏତେ ବଡ଼ ଲୋକ, ଆମ ସାରମାନଙ୍କଠାରୁ କଥା ବାର୍ତ୍ତାରେ ସମ୍ପୂର୍ଣ୍ଣ ଅଲଗା। ପାଠ ଛଡା, ଅନ୍ୟ ବିଷୟରେ କହୁଛନ୍ତି ବୋଲି, ଆମେ ତାଙ୍କୁ ମନ ଧ୍ୟାନ ଦେଇ ଶୁଣୁଥିଲୁ। ହେଲେ ପଛଆଡୁ ଟିକିଏ ଖୁଁ ଖାଁ ସହ ଅସ୍ପଷ୍ଟ ଶଦ୍ଦ କିଛି ଶୁଣା ଯିବାରୁ, ହଲର ପଛ ଦୁଆର ପାଖରେ ଠିଆ ହୋଇଥିବା ଭୂଗୋଳ ଶିକ୍ଷକ, ତାଙ୍କ ପାଟିରେ ଓ ନାକରେ ତାଙ୍କର ବିଶି ଆଙ୍ଗୁଠିକୁ ଲଗାଇ, ପଛ ପିଲାମାନଙ୍କୁ ଚୁପ ରହିବାକୁ କଡ଼ା ସଙ୍କେତ ଦେଲେ।
ସେଦିନ ଅତିଥି ଯାହା ସବୁ ଉପଦେଶ ଓ ଉତ୍ସାହ ଦେଇ ଥିଲେ, ଭଲ ମଣିଷ ହେବା ପାଇଁ ଯେଉଁ ମନ୍ତ୍ର ଦେଇ ଥିଲେ, ଭଲ ଛାତ୍ରଛାତ୍ରୀ ହେବା ପାଇଁ ଯେଉଁ ସବୁ ସୂତ୍ର ବତାଇଥିଲେ, ତାହା ଆମକୁ ଅଦିନିଆ ବର୍ଷା ପରି କିଛି ସମୟ ଓଦା କରାଇଥିଲା। ଭାଷଣ ଶେଷ ହେଲା ପରେ ସ୍କୁଲ ଛୁଟି ହୋଇଯାଇଥିଲା।
ରାୟ ପୁର ହାଇ ସ୍କୁଲରେ ଆମ ଗାଁର ସବୁ ପିଲା ପଢ଼ୁଥିଲେ। ଆମ ସମୟରେ ନୂଆ ହୋଇ ଗଢ଼ି ଉଠୁଥିବା ଏ ସ୍କୁଲ ପାଇଁ ଆମେ ମଝିରେ ମଝିରେ ଇଟା ଭାଟିରୁ ମୁଣ୍ଡରେ ଇଟା ଲଦି, ନୂଆ ତୋଳା ହେଉଥିବା ଶ୍ରେଣୀ-ଘର ପାଖକୁ ନେଇ ଆସୁଥିଲୁ। ଏ ଘରୋଇ ସ୍କୂଲର ସାରମାନେ ସେମାନଙ୍କର ନିଷ୍ଠାରେ ଅବହେଳା କରୁ ନଥିଲେ। ସେମାନେ ମଝିରେ ମଝିରେ, ଓଡ଼ିଶାର, ସେ ସମୟର ବିଶିଷ୍ଟ ବକ୍ତାମାନଙ୍କୁ, ସ୍କୁଲକୁ ଭାଷଣ ଦେବାକୁ ଡାକୁଥିଲେ। ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରୁଥିଲେ।
ଉପରେ ବର୍ଣ୍ଣିତ ଅତିଥି ସ୍ୱ।ଗତ, ସତ୍କାର, ସମ୍ବର୍ଦ୍ଧନା ଓ ଭାଷଣ ପ୍ରକିୟା, ଆମେ ପଢ଼ୁଥିବା ବିଭିନ୍ନ ସମୟରେ ଆସିଥିବା ତିନି ଅତିଥିଙ୍କ ପାଇଁ, କ୍ରମ ଅନୁସାରେ ପୁନରାବୃତ୍ତି ହେଉଥିଲା। ସେହି ତିନି ଅତିଥି ଥିଲେ ଗୋଲଖ ବିହାରୀ ଧଳ, ହୃଦାନନ୍ଦ ରାୟ ଓ ଶତ୍ରୁଘ୍ନ ନାଥ। ସେମାନଙ୍କର ଚେହେରା ଆଉ ମନେ ନାହିଁ।
ଗାଁ ଲାଇବ୍ରେରୀରେ ଗୋଲଖ ବିହାରୀ ଧଳଙ୍କ ଲିଖିତ ‘ଲଣ୍ଡନ ଚିଠି’ ଓ ‘ଆମେରିକା ଅନୁଭୁତି’ ବହି ପଢ଼ିବାର ସୁଯୋଗ ମିଳିଥିଲା। ଲୋହିତ ସାଗରରେ ଗୋଲଖ ବିହାରୀ ଧଳଙ୍କ ଜାହାଜ ଯାଉଥିବାର ବର୍ଣ୍ଣନାରୁ ଲାଗୁଥିଲା, ସତେ ଯେମିତି ନିଜେ, ଜାହାଜ ଉପରେ ଠିଆ ହୋଇ, ଆମ ନେଳିଆ ସମୁଦ୍ର ପାଣିଠାରୁ ଅଲଗା, ଲୋହିତ ଜଳରାଶି ମଝିରେ, ଜଳ ଯାତ୍ରା କରୁଛି। ଲେଖକଙ୍କୁ ସଶରୀରରେ ଦେଖି ଥିବାରୁ, ତାଙ୍କ ବହି ପଢ଼ିଲା ବେଳେ ଅନ୍ୟ ଏକ ପ୍ରକାରର ମଜା ଲାଗୁଥିଲା। ଲଣ୍ଡନର ହୋଟେଲରେ ସେ ଥିବା ସମୟରେ, ତାଙ୍କ ବାଥରୁମ କାର୍ପେଟରେ ପାଣି ପଡ଼ି ଓଦା ହୋଇଥିଲା। ହୋଟଲର ସ୍ୱାଗତକାରୀ, ତଳ ମହଲାରେ ବସି , ବିନା ଖବରରେ ଜାଣି ପାରିଥିଲା ବୋଲି ସେ ଲେଖିଥିଲେ। ଏହାକୁ ପଢ଼ି ବିଜ୍ଞାନର ପ୍ରୟୋଗ ବିଷୟରେ ଚକିତ ହୋଇ ଯାଇଥିଲି। ଗୋଲଖ ବିହାରୀ ଧଳଙ୍କୁ ଆଉ କେବେ ଦେଖା ହୋଇନାହିଁ। ଶତ୍ରୁଘ୍ନ ନାଥଙ୍କୁ ମଧ୍ୟ କେବେ ପରେ ଦେଖି ନାହିଁ। କିନ୍ତୁ ହୃଦାନନ୍ଦ ରାୟଙ୍କୁ ବଜେବି ନଗରରେ, ସେ ଯାଉଥିବା ସମୟରେ, ମୋର ଅଧ୍ୟାପକ ଭାଇ ଥରେ ଦେଖାଇ ଦେଇଥିଲେ।
ସ୍କୁଲ ପରେ, ପୁରୀର ସାମନ୍ତ ଚନ୍ଦ୍ରଶେଖର କଲେଜରେ ପଢାଗଲା, ୧୯୭୧-୭୩ ମସିହାରେ। ରାଜନୀତି ବିଭାଗ ତରଫରୁ ଏକ ସନ୍ଧ୍ୟାରେ ସଭା ଆୟୋଜନ କରା ଯାଇଥାଏ। ସେଥିରେ ଭାଷଣ ଦେବାକୁ ଖାତନାମା ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶଙ୍କର ଆସିବାର ଥିଲା। ଦୁଇ ବର୍ଷରେ ଏଇ ଏକମାତ୍ର ସୁଯୋଗ ମିଳିଥିଲା ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଭାଷଣ ଶୁଣିବା ପାଇଁ। ବିଜ୍ଞାନ ପଢ଼ୁଥିଲେ ମଧ୍ୟ ଅନେକ ଆମଭଳି ଛାତ୍ର, ସେ ସନ୍ଧ୍ୟାରେ ସେ ସଭାରେ ଯୋଗ ଦେଇଥିଲେ। ଆର୍ଟସ ବ୍ଳକର କୋଠାଘର ମଧ୍ୟରେ ଥିବା ଯାଗାରେ ଷ୍ଟେଜ୍ ହୋଇଥାଏ ଓ ପଡିଆରେ ଛାମୁଣ୍ଡିଆ କରାଯାଇଥାଏ। ନିର୍ଦ୍ଦିଷ୍ଟ ସମୟରେ କାରରେ ଆସି, ଶ୍ରୀରାମଚନ୍ଦ୍ର ଦାଶ ପହଞ୍ଚିଲେ। କାର୍ଯ୍ୟକ୍ରମ ମଧ୍ୟ ଠିକ ସମୟରେ ଆରମ୍ଭ ହେଲା । ରାଜନୀତି ବିଭାଗର ଛାତ୍ର-ସେକ୍ରେଟାରୀ, ତାଙ୍କର ଇଂଗ୍ରାଜିରେ ଲିଖିତ ରିପୋର୍ଟ ପାଠ କଲେ। ଶ୍ରୋତାମାନେ ବଡ଼ ଉତ୍କଣ୍ଠାର ସହ ଶ୍ରୀରାମଚନ୍ଦ୍ର ଦାଶଙ୍କ ଭାଷଣ ଶୁଣିବା ପାଇଁ ବହୁ ସଂଖ୍ୟାରେ ବସିଥାଆନ୍ତି ଓ ବସିଥିବା ଲୋକଙ୍କ ବାହାରେ, କିଛି ଲୋକ ଘେରିକରି ଠିଆ ହୋଇ ଥାଆନ୍ତି।
ଏତିକି ବେଳେ ପଛରୁ ଏକ ଆକାଶ ବାଣୀ ହେଲା- ‘ଆହେ, ପିତୃ ଭାଷାରେ କାହିଁକି ପଢ଼ୁଛ, ମାତୃ ଭାଷାରେ ପଢ଼ୁନ।’ ପିତୃ ଭାଷାରେ ଲିଖିତ ରିପୋର୍ଟ ପଢ଼ୁଥିବା ସେକ୍ରେଟାରୀ ହଠାତ୍ ରହିଯାଇ, ଶୀଘ୍ର ସେ ରିପୋର୍ଟ ପଢ଼ି ଶେଷ କରି ଦେଲେ। ପ୍ରତୀକ୍ଷାର ଅନ୍ତ ହେଲା। ଶ୍ରୀରାମଚନ୍ଦ୍ର ଦାଶ ତାଙ୍କ ଭାଷଣ ଆରମ୍ଭକଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ, ତାଙ୍କୁ ଦୂର କଥନୀ ଯନ୍ତ୍ରଦ୍ୱ।ରା (telephone) କିପରି ଡକାଇଲେ ଓ ସେ କାହିଁକି ନିମନ୍ତ୍ରଣ ରକ୍ଷା କଲେ, ସେ ବିଷୟରେ କହିଲେ। ଅନେକ ବର୍ଷ ପରେ ପୁରୀରେ, ତାଙ୍କ ଶଶୁର ଘର ଥିବା ସହରରେ, କିଛି କହିବା ପାଇଁ ସୁଯୋଗ ପାଇଥିବାରୁ, ସେ ଆୟୋଜକମାନଙ୍କୁ ବହୁତ ଧନ୍ୟବାଦ ଦେଲେ। ଖାଣ୍ଟି ଓଡ଼ିଆରେ ତାଙ୍କର ଭାଷଣ, ସସ୍କୃତଠାରୁ ଟିକିଏ କମ ଜଟିଳ ଲାଗିଲେ ମଧ୍ୟ, ସମସ୍ତଙ୍କ ମନକୁ ବେଶ ଖୁସି କରିଦେଇଥିଲା। ଜଣେ କହି ପକାଇଲେ- ‘ଖାଣ୍ଟି ଓଡ଼ିଆରେ କହିପାରିଲା ଲୋକ, ୟାଙ୍କ ବ୍ୟତୀତ ସମଗ୍ର ଓଡ଼ିଶାରେ କେହି ନାହାନ୍ତି’। ତାଙ୍କ ଭାଷଣ ଶୁଣିବା ପାଇଁ ଆହୁରି ଆଗ୍ରହ ବଢ଼ିଲା। ଏ ସଭାରେ ବସିଥିବାରୁ ମନେ ମନେ ବହୁତ ଗର୍ବ ବି ଲାଗିଲା। ଶ୍ରୀରାମଚନ୍ଦ୍ର ଦାଶ ତାଙ୍କର ମୁଣ୍ଡକୁ ବାମ ପଟରୁ ଡାହାଣ ପଟକୁ ବୁଲାଇ, ବୁଝାଉ ଥାଆନ୍ତି, ଦେଶ ଓ ପ୍ରଦେଶର କ୍ଷମତା କିପରି ଭିନ୍ନ। ମାଟି ଉପରେ ଯାହା, ସେ ପ୍ରଦେଶର, ମାଟିର ଗର୍ଭରେ ଓ ଆକାଶରେ ଯାହା, ତାହା ଦେଶର। କି ସରଳ ତାଙ୍କ ବୁଝାଇବା ଢ଼ଙ୍ଗ!
ଠିକ୍ ଏତିକି ବେଳେ ତାଙ୍କୁ ସମ୍ମାନ ଜଣାଇ, ଶ୍ରୋତାମାନଙ୍କ ପଛରୁ ଏକ କ୍ଷେପଣାସ୍ତ୍ର- ବାଲିକୁ କାଗଜରେ ଗୁଡିଆ ଯାଇଥିବା ଏକ ପେଣ୍ଡୁ- ଶ୍ରୀରାମଚନ୍ଦ୍ର ଦାଶଙ୍କର ପାଦଠାରୁ ଏକ ଫୁଟ ଦୂରରେ ପଡ଼ିଲା। ପୁରୀବାସୀଙ୍କ ପାଇଁ ଅତିରିକ୍ତ ସ୍ନେହ ଥିବାରୁ, ସେ ଅବିଚଳିତ ହୋଇ ଭାଷଣ ଦେଇ ଚାଲିଲେ। ତାଙ୍କର ପର ବାକ୍ୟ ଶେଷ ହେଲା ମାତ୍ରେ, ଅନ୍ୟ ଦିଗରୁ ଆଉ ଏକ କ୍ଷେପଣାସ୍ତ୍ର ତାଙ୍କୁ ସମ୍ମାନ ଜଣାଇଲା। ପରବର୍ତ୍ତୀ ବାକ୍ୟର ଦୁଇଟି ଶଦ୍ଦ ସରିନାହିଁ, ତୃତୀୟ କ୍ଷେପଣାସ୍ତ୍ର ତାଙ୍କର ଶରୀର ସ୍ପର୍ଶ କଲା। ଅଙ୍ଗରକ୍ଷୀମାନେ ତାଙ୍କୁ ଖେଳ ପଡିଆ ପାଖରେ ଅପେକ୍ଷା କରିଥିବା ତାଙ୍କ କାର ପାଖକୁ, ତୁରନ୍ତ ନେଇ ଆସି, ନିରାପଦରେ କଲେଜ ପରିସର ପାର କରାଇଦେଲେ।
ଆଉ ଅଧିକ ପଢ଼ିବା ପାଇଁ କଟକର ରେଭେନ୍ସା କଲେଜର ଆସିଲି, ୧୯୭୩-୭୫ମସିହାରେ। ଆକବର ଅଲ୍ଲୀ ଖାଁ ଓଡ଼ିଶାର ରାଜ୍ୟପାଳ ହୋଇ ଶପଥ ନେବା ପରେ ପରେ, ଏହି କଲେଜର ପିଲାଙ୍କୁ ଭେଟିବା ପାଇଁ ଆସିଥିଲେ। କନିକା ଲାଇବ୍ରେରୀ ସାମାନାରେ, ସବୁଜ ଘାସ ପଡିଆର ଚାରିଛକିଠାରେ ଅଧକ୍ଷ ମହେନ୍ଦ୍ର କୁମାର ରାଉତ, ଲାଲ ରଙ୍ଗର ସୋଫା ରଖାଇଥାଆନ୍ତି। ଓଡ଼ିଶାର ସର୍ବୋଚ୍ଚ ଅଧିକାରୀ, ରେଭେନସା କଲେଜର ପିଲାମାନଙ୍କର ଖ୍ୟାତି ବିଷୟରେ ଆଗରୁ ଖବର ନେଇ, ସେମାନଙ୍କୁ ଭେଟିବା ପାଇଁ ଆସିବେ। ତେଣୁ ତାଙ୍କର ସ୍ୱାଗତ ସମ୍ବର୍ଦ୍ଧନାରେ, ଅଧ୍ୟକ୍ଷ ଟିକିଏ ବି ତ୍ରୁଟି ରଖି ନଥାନ୍ତି।
ରାଜ୍ୟପାଳ ପହଞ୍ଚିଲେ। ଛାତ୍ରଛାତ୍ରୀମାନେ ତାଙ୍କୁ ଘେରିକରି ଛିଡ଼ା ହୋଇ ରହିଲେ। ସେ ଭାଷଣ ଦେଲେ- ‘ଏ ପବିତ୍ର ଭୂମି ମଧୂସୁଦନ ଦାସଙ୍କର, ଗୋପାଦାସ ବନ୍ଧୁଙ୍କର— (This is the sacred land of Madhusudan Das, Gopadas Bandhu—-)’. ଦାନ୍ତ ଦୁଇ ଭାଡିକୁ ଯୋରରେ ଚାପି, ତାଙ୍କର ମୂଲ୍ୟବାନ ଭାଷଣ ଶେଷ ହେବା ପର୍ଯ୍ୟନ୍ତ ଶୁଣି ଥିଲୁ। ସେ କଲେଜରେ ପଢୁଥିଲୁ ବୋଲି, ଏତେ ବଡ ବ୍ୟକ୍ତିଙ୍କୁ ଦେଖିବାକୁ ତ ସୁଯୋଗ ମିଳିଲା!
ରେଭେନସା କଲେଜର ମୁକ୍ତ ଆକାଶ ଥିଏଟରରେ ଭାଷଣ ଦେବା ପାଇଁ ଶଚ୍ଚି ରାଉତରାୟ ଆସି ଥାଆନ୍ତି। ‘ଛୋଟ ମୋର ଗାଆଁଟି’ କବିତାର ରଚୟିତା ସେ। ବଡ଼ ମନ ଛୁଆଁ କବିତା। ତେଣୁ ଆଗରୁ ତାଙ୍କ ପ୍ରତି ହୃଦୟରେ ଦରଦ ଥାଏ। ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନେ ତାଙ୍କୁ ଶୁଣିବାକୁ ସେ ମୁକ୍ତ ପାହାଚ ମାନଙ୍କରେ ବସି ଥାଆନ୍ତି। ପୁରୀ କଲେଜ ଭଳି ଶଦ୍ଦ ବାଣ ବା ବାଲୁକା କ୍ଷେପଣାସ୍ତ୍ର ପ୍ରୟୋଗର ପ୍ରଶ୍ନ ନଥାଏ। ବାଙ୍ଗଲାଦେଶରୁ ଏକ ଉଚ୍ଚ ରାଷ୍ଟୀୟ ସମ୍ମାନରେ, ଶଚ୍ଚି ରାଉତରାୟ କିଛି ଦିନ ତଳେ ଭୂଷିତ ହୋଇଥାଆନ୍ତି । ସେଦିନ ସେ ବାଙ୍ଗଲାଦେଶର ସ୍ୱାଧୀନତା ସଂଗ୍ରାମ ବିଷୟରେ ଆଲୋକ ପାତ କରିଥିଲେ।
ଥରେ ପଶ୍ଚିମ ଛାତ୍ରାବାସରେ, ଇଂଜିନିୟର ପ୍ରିୟବ୍ରତ ଦାସ ତାଙ୍କର ବେଦଜ୍ଞାନ ଭରା ଭାଷଣ ଦେଇଥିଲେ। ତାଙ୍କର ବେଦରେ ଅଗାଧ ପାଣ୍ଡିତ୍ୟ। ଆଜି ବି ତାଙ୍କୁ ଦେଖିଲେ ମନେ ହୁଏ, ସତରେ କଅଣ, ସେ ଇଂଜିନିୟର ଥିଲେ ।
ଓଡ଼ିଶାରେ ପଢ଼ୁଥିବା ସମୟରେ ଆଉ କୌଣସି ବିଶିଷ୍ଟ ବକ୍ତାଙ୍କୁ ଶୁଣିବାର ଅବକାଶ ମିଳି ନଥିଲା।
******************************
ଶ୍ରୀଚନ୍ଦ୍ର ଶେଖର ଦାଶ
ଭୁବନେଶ୍ୱର
ତାରିଖ- ୧/୯/୨୦୧୭