ରାୟ ପୁର ସ୍କୁଲରେ ଖେଳ ଛୁଟି ସମୟ। ସେ ଗାଁର ପୂର୍ବ ପଟ ସାହିରେ ଏକ ଝିଅ ବାହାଘର ଯୋଗୁଁ, ବେଶ ଗହଳ ଚହଳ ଲାଗିଥାଏ। ସ୍କୁଲରେ ଖବର ପହଞ୍ଚିଲା ଯେ ଗାଁର ପଶ୍ଚିମ ସାହିକୁ ବାଣୁଆ ଆସିଛି, ମାଙ୍କଡ଼ ମାରିବ ବୋଲି। ମାଙ୍କଡ଼ମାନେ ଗଛ ଉପରର ନାଗରିକ। କେବେ କେବେ ସ୍କୁଲ ପାଖ ପଡିଆରେ ଲମ୍ବ ଡିଆଁ ମାରି, ଗଛମାନଙ୍କ ଉପରକୁ ଉଠିଯାଆନ୍ତି। ଗଛ ଉପରେ ଥାଇ, ଆଁ କରି ତଳେ ଠିଆ ହୋଇଥିବା ପିଲାମାନଙ୍କୁ, ସେମାନେ ତାଙ୍କର ଦାନ୍ତସବୁ, ହସି କରି ଦେଖାନ୍ତି, କି ଆଉ କଅଣ କହି ଦେଖାନ୍ତି, ସେତେବେଳେ ବୁଝି ହେଉ ନଥିଲା। ବାଣୁଆ ଦେଖିବାକୁ କିପରି ଏବଂ ସେ କାହିଁକି ଓ କେମିତି ମାଙ୍କଡ଼ ମାରିବ, ଏ ସବୁ ପ୍ରଶ୍ନ ପିଲାମାନଙ୍କ ମନରେ ବହୁତ କୌତୁହଳ ସୃଷ୍ଟି କଲା। ଖେଳ ଛୁଟିର ଅଧଘଣ୍ଟା ସମୟର ସଦୁପଯୋଗ କରିବାକୁ, ପିଲାମାନେ ବାଣୁଆ ଥିବା ଯାଗାକୁ, ଏକା ନିଶ୍ୱାସରେ ଦୌଡ଼ିଲେ। ବୁଢି ଗୁଡିଆଣିଠାରୁ କିଣିଥିବା
ମୁଢି, କିଛି ହାପପ୍ୟାଣ୍ଟ ପକେଟରୁ ପିଲାଙ୍କ ପାଟିକୁ ଯାଉଥାଏ। ଆଉ କିଛି ପକେଟ ବାହାରକୁ ପଡିଯାଉଥାଏ । ଆଗରୁ ଉପସ୍ଥିତ ଦର୍ଶକମାନେ ହାତଠାରି ପାଟିତୁଣ୍ଡ ନ କରିବାକୁ ତାଗିଦ କରିଦେଲେ। ନ ଦୌଡ଼ିବା ପାଇଁ ମଧ୍ୟ ସଙ୍କେତ ଦେଲେ।
ରାୟପୁର ଗାଁର ଓସାର ଦାଣ୍ଡ, ଦିଅଁଙ୍କ ମନ୍ଦିର ପାଖରେ ସରୁ ହୋଇ ଡାହାଣକୁ ଯାଇଥାଏ । ସେହି ରାସ୍ତାକୁ ଲାଗି ପାଣି ଭରା ଯୋଡ଼ ମଧ୍ୟ ଆଗକୁ ଲମ୍ବିଥାଏ। ଯୋଡ ଧାରରେ ବଡ଼ ବଡ଼ ଆମ୍ବ, ତେନ୍ତୁଳି, ପଣସ ଗଛ। ସେଥିରୁ ଗୋଟିଏ ଗଛରେ ରାସ୍ତା ଆଡ଼କୁ ପଛ କରି, ଚାରି ପାଞ୍ଚୋଟି ବଡ଼ ହନୁ ମାଙ୍କଡ଼, ଦୁଇପ୍ରହରର ଭୋଜନରେ ବ୍ୟସ୍ତ ଥାଆନ୍ତି। ନଡ଼ିଆ ଗଛ ଉହାଡରେ, ବାଇଗଣୀ ରଙ୍ଗର ହାପ୍ ପ୍ୟାଣ୍ଟ୍ ଓ ଖାକି ହାପ୍ ସାଟ୍ ପିନ୍ଧିଥିବା ଲୋକଟିଏ ଠିଆ ହୋଇଥାଏ। ତାର କୁଞ୍ଚିତ କପାଳ, ତୀକ୍ଷ୍ଣ ଆଖି, ସରୁ କଳା ନିଶ, ପାନଖିଆ ଦାନ୍ତ ଓ ହାତରେ ଧରିଥିବା ବନ୍ଧୁକରୁ, ସେ ଯେ ବାଣୁଆ, ଜାଣିବାରେ ଅସୁବିଧା ହୋଇନଥିଲା । ବନ୍ଧୁକର ମୋଟା ପଟକୁ ସେ ତାର ଆଖିକୁ ଲଗାଇ, ବନ୍ଧୁକ ନଳିକୁ ଏପଟ ସେପଟ କରୁଥାଏ।
ସମସ୍ତଙ୍କୁ ଚମକାଇ ଦେଇ, ହଠାତ୍ ବମ୍ବାଜି ବାଣ ଢୋ କରି ଫୁଟିଲା ଭଳି ଶଦ୍ଦ ହେଲା। ଗଛ ଡାଳରୁ ଗୋଟିଏ ମାଙ୍କଡ଼, ଯୋଡ଼ର ପାଣିରେ ଦୁମ୍ କରି ଖସି ପଡ଼ିଲା। ପାଣିର ଛିଟିକା, ରାସ୍ତାରେ ଠିଆ ହୋଇଥିବା କିଛି ଲୋକଙ୍କ ଉପରକୁ ପଡ଼ିଲା। ଗଛରେ ଥିବା ଅନ୍ୟ ମାଙ୍କଡ଼ମାନେ ତାଙ୍କ ଜୀବନର ଦୀର୍ଘତମ ଲମ୍ପ ମାରି, ଆଖି ପିଛୁଳାକେ କେଉଁ ଆଡେ ଅନ୍ତର୍ଧାନ ହୋଇଗଲେ। ଆମେ ମାନେ ସେମାନଙ୍କ ଗତିପଥକୁ ଚାହିଁ ଥିବା ସମୟରେ, କିଏ ଜଣେ ପାଣିରେ ପସି, ଗୁଳିବିଧ୍ୟ ମାଙ୍କଡ଼କୁ ରାସ୍ତା ଉପରକୁ ନେଇ ଆସିଲା । ସେ ଘୋଷଣା କଲା ଯେ, ମାଙ୍କଡ଼ର ଦୁଇ ହାତ ନମସ୍କାର ଭଙ୍ଗିରେ ପାଣି ଭିତରେ ଯୋଡ଼ି ହୋଇଥିଲା। ବେଧେ ତାର ଦେବତାଙ୍କୁ ଶେଷ ପ୍ରଣାମ ଜଣାଉଥିଲା। ଆଉ ପଛକୁ ନ ଚାହିଁ ଆମେ ସ୍କୁଲକୁ ଦୌଡ଼ି ଥିଲୁ।
ଏହା ଭିତରେ ତିରିଶ ବର୍ଷ ବିତିଯାଇଥାଏ। ଏକବିଂଶ ଶତାବ୍ଦୀର ପ୍ରଥମ ବର୍ଷ । ଆମ ନିଜ ଗାଁ । ଗାଁ ଦାଣ୍ଡ ପଶ୍ଚିମରୁ ପୂର୍ବକୁ ଲମ୍ବିଛି। ଦୁଇପଟେ ପ୍ରାୟ ସମସ୍ତଙ୍କରର ଚାଳ ଘର । ଉଚ୍ଚା ପାହାଚ ଓ ଘର ସାମନାରେ ନଡ଼ିଆ ଗଛ। ଗାଁ ଦାଣ୍ଡକୁ, ଆଜିର ଟେଣ୍ଟ ହାଉସ ବାଲା ସବୁଜ କନାର ଆସ୍ତରଣ କଲାଭଳି, ନଡ଼ିଆ ଗଛର ବରଡା ଘୋଡ଼ାଇ ରଖିଥାଏ। ଆମ ଘରଠାରୁ, ତିନିଟି ଘର ପରେ
ଗୋପିନାଥଙ୍କ ମନ୍ଦିର, ପୂର୍ବକୁ ମୁହଁ କରିଛି। ଦାଣ୍ଡଟି ସେହିଠାରୁ ଉତ୍ତରକୁ ବଙ୍କେଇ ଯାଇଛି। ମନ୍ଦିରଟି ଗୋଟିଏ ବର୍ଗାକାର ପଥର ଘର। ଏହାର ଖୁଣ୍ଟି ଓ କାନ୍ଥମାନଙ୍କ ଉପରେ, ଚାରୋଟି ନଡା ଛପର ହୋଇଥିବା ତ୍ରିଭୁଜ ଆକାରର ଚାଳ। ଶହେ ବର୍ଷ ପୁରୁଣା କାଠପଟାର ରୁଅ ଉପରେ ଫୁଟେ ମୋଟର ଛଣର ଛପର।
ଗାଁ ଗ୍ରସ୍ତରେ ଯାଇଥାଏ। ମନ୍ଦିର ପାଖରେ ପ୍ରସସ୍ଥ ଯାଗା ଦେଖି ଗାଡ଼ି ରଖିଥାଏ। ପ୍ରବାସୀ ଗ୍ରାମବାସୀଙ୍କୁ ଦେଖି, ଭାଇ ବନ୍ଧୁମାନେ ବେଢ଼ି ଯାଇ ଥାଆନ୍ତି। ଏତିକିବେଳେ ଆମ ସାହିର ନଡ଼ିଆ ଗଛରୁ, ଏକ ଭୀମକାୟ ସର୍ଦ୍ଦାର ହନୁ ପଛେ ପଛେ, ଦଶଟି ମାଙ୍କଡ଼ ମନ୍ଦିରର ଚାଳକୁ ଡେଇଁ, ସେଠାରୁ ପଛପଟେ ଥିବା ବଗିଚାର ଗଛମାନଙ୍କୁ ଖପ୍ ଖାପ୍ ଡେଇଁ ଉଠିଗଲେ। ମନ୍ଦିରର ଚାଳ ଛପରହେବାର କିଛି ମାସ ହୋଇଥାଏ। ଚାଳରୁ ଛଣ ଓଲରି ଉଠିଥିବା ଯାଗା ଗୁଡ଼ିକୁ, ଗ୍ରାମବାସୀମାନେ ଦେଖାଇ ଦେଇ, ମାଙ୍କଡ଼ ଜନିତ କ୍ଷତି କଥା ବଖାଣିଲେ। ଚାଳର ଗଭୀର କ୍ଷତରୁ ଜଣା ପଡୁଥାଏ, ମାଙ୍କଡ଼ମାନେ ଗୋପିନାଥ ଦିଅଁଙ୍କ ନଡା-ଛପର ଛାତକୁ କିପରି ନୀୟମିତ ବ୍ୟବହାର କରୁଥିଲେ।
ସେଠାରେ ଉପସ୍ଥିତ, ଗାଁର ମୁରବି ବଇଦା ଭାଇନା କହିଲେ- ‘ଏ କଥା ସତ ଯେ, ଆଗେ, ଆମ ଗାଁରେ କିଛିଟା ମାଙ୍କଡ଼ ଥିଲେ, କିନ୍ତୁ ଅଳ୍ପ ଦିନର ଅତିଥି ଭାବରେ। ବର୍ଷକେ ଥରେ ବୁଲିବାଲି, ପାଖ ଗାଁକୁ ଚାଲି ଯାଉଥିଲେ। ଏବେ ପ୍ରାୟ ତିରିଶଟି ମାଙ୍କଡ଼ ଅଛନ୍ତି। ସବୁ ଗଛରୁ ଫୁଲ ଫଳ ଖାଇ ବିଶେଷ କରି, ନଡ଼ିଆ ଗଛର ଚଅଁର ସବୁ ବିଦାରି, ସର୍ବନାଶ କରୁଛନ୍ତି। ନଡ଼ିଆ ପଇଡ଼ଟିଏ ରଖାଇ ଦେଉ ନାହାନ୍ତି’।
ପାଖରେ ଧୋୟା ଭାଇନା ଠିଆ ହୋଇଥିଲେ। ଗାଁର ପ୍ରତି ଘରର ଚାଳରେ, ମାଙ୍କଡ଼ମାନଙ୍କର ଦୌଡ଼, ଲମ୍ପ ଓ ନୃତ୍ୟର କରୁଣ ଦୃଶ୍ୟ, ସେ ବିଶଦ ଭାବେ ବର୍ଣନା କଲେ।
୨୦୦୧ ମସିହାରେ ହିଁ ଗୋପିନାଥଙ୍କ ମନ୍ଦିରରେ ନଡା ଛପର କଢାଯାଇ ଟିଣ ଛପର ହୋଇଗଲା। ମାଙ୍କଡ଼ମାନେ ଟିଣ ଉପରକୁ ଡିଅନ୍ତି ନାହିଁ। ସେମାନେ କରୁଥିବା ଦିନ ଯାକର ଧଡ୍ ଧାଡ୍ ଶଦ୍ଦ ଓ ନୃତ୍ୟ ଜନିତ ଆତଙ୍କରୁ ଗୋପିନାଥ ଦେବ ଓ ତାଙ୍କ ପରିବାରର ଦେବ ଦେବୀମାନେ ରକ୍ଷା ପାଇଗଲେ।
ଏବେ ପୁଣି ଥରେ ଗାଁ ଭ୍ରମଣରେ ଯାଇଥାଏ। ପରିବର୍ତ୍ତନର ଚିହ୍ନ ବାରି ହୋଇ ଯାଉଥାଏ। ଗାଁ ଦାଣ୍ଡଟି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କଂକ୍ରିଟ ହୋଇଯାଇଛି। ଅଧିକାଂଶ ଗ୍ରାମବାସୀ
ନିଜ ଘରର ସାମନା ଭାଗରେ ସିମେଣ୍ଟ ପିଣ୍ଡି, ସିମେଣ୍ଟ ପାହାଚ ବା ଗାରେଜ କରିସାରିଲେଣି। କିନ୍ତୁ ମୁଣ୍ଡରୁ ବାଳ ଉପୁଡି ପତଳା ହୋଇଗଲା ଭଳି, ଗାଁ ଦାଣ୍ଡର ଥିବା ପାଞ୍ଚ ଭାଗ ନଡିଆ ଗଛମାନଙ୍କ ଭିତରୁ ତିନିଭାଗ ଗଛ, ବାର୍ଧକ୍ୟ ବା ଅନ୍ୟ କାରଣରୁ, ସ୍ୱସ୍ଥାନରୁ ବିଦା ହୋଇ ସାରିଥିଲେ। ଦାଣ୍ଡଟା, ପ୍ରର୍ଯ୍ୟାପ୍ତ ଛାଇ ଅଭାବରେ, ଦୁରୁ ଦୁରୁ ଖରାରେ, ନୁଖୁରା ଦେଖାଯାଉଥାଏ। ଗାଁର କିଛିଟା ଘର ଉପରେ କଂକ୍ରିଟ ଛାତ ଓ ବାକି ସମସ୍ତ ଘର ଉପରେ ବିଭିନ୍ନ ରଙ୍ଗର ଟିଣ ଛପର। ନଡା ଛପର ଚାଳ, କେବଳ ଶଙ୍କର ସାରଙ୍କ ଘରେ ଥିବା, ଆଲବମର ପୁରୁଣା ଫଟୋରେ ଦେଖିବାକୁ ମିଳିଥିଲା ।
ଗୋପିନାଥଙ୍କ ବାରଣ୍ଡାରେ ବସିଗଲୁ ଗପସପ କରିବା ପାଇଁ। କିଛି ଯୁବକ ବରମୁଣ୍ଡା ପ୍ୟାଣ୍ଟ ପିନ୍ଧି ଓ କାନ୍ଧରେ ଚେକଥିବା ଗାମୁଛା ପକାଇ, ତାସ ଖେଳୁଥାଆନ୍ତି। ତାଙ୍କ ବାପା ଓ କକାମାନେ ଆଗେ ସେଇଠି ବସି ପଶା ଖେଳୁଥିଲା। ସରପଞ୍ଚ ପାଇଁ ନିର୍ବାଚନ ଲଢ଼ି, ହାରିଯାଇଥିବା ରୁମେଶ ଆସି ପହଞ୍ଚିଲା। ସସମ୍ମାନେ କହିଲା-
‘ନମସ୍କାର ଭାଇନା, ତୁମେ ତ ତମ ଘରକୁ ଆସିଲ ନାହିଁ। ଏବେ ତୁମ ଘରର ଆଟୁ ଭିତରେ, ହନୁମାନେ ଖରାବେଳେ ବିଶ୍ରାମ ନେଉଛନ୍ତି। ବର୍ତ୍ତମାନ ଗାଁରେ ଶହେ ହନୁ । ତିନୋଟି ଦଳ କରି ରହୁଛନ୍ତି। ନଡ଼ିଆ, କଦଳୀ, କଖାରୁ, ବାଇଗଣ ଫସଲକୁ ଖାଇ, ଆମର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଲେଣି। କେତେଟା ହନୁ ଗାଁ କୁକୁରମାନଙ୍କୁ ଏମିତି ଚଟକଣା ମାରୁଛନ୍ତି, କହିଲେ ନସରେ। ସ୍କୁଲ ପିଲାମାନଙ୍କୁ ଖେଙ୍କି ଗୋଡ଼ାଉଛନ୍ତି। କେତେ ବେଳେ ଖଣ୍ଡିଆ ଖାବରା କରିବେ, କହି ହେବନି।’
ସେପଟ ସାହି ମୁନା ବେଶି ନ ଖୋଲିକରି କହିଲା – ‘ହନୁ ଗୁଡାକ ଅତି ଅଭଦ୍ର । ଦେଖିବନି, ଆର ବର୍ଷକୁ ଦୁଇ ଶହ ହୋଇଯିବେ’।
ରୁମେଶ ଜଣାଇ ଦେଲା – ‘ହନୁମାନଙ୍କୁ ସରକାର ‘ପୀଡକ ପ୍ରାଣୀ’ (vermin) ଘୋଷଣା କରି, ନିପାତ କରିବାକୁ ଶୁଣୁ ନାହାନ୍ତି। ଏମାନଙ୍କ ଉତ୍ପାତ ଆଉ ସହି ହେଉନାହିଁ।’
ଏତିକି ବେଳେ ଦୁଇ ବିଦ୍ରୋହୀ ଦଳର କେତୋଟି ଗୁଣ୍ଡା ପ୍ରକୃତିର ହନୁ, ମନ୍ଦିର ଚାରିପଟର ନଡ଼ିଆ ଗଛକୁ ଗଛ ଡେଇଁଲେ ଓ ସକାଳୁ ହୋଇଥିବା ଯୁଦ୍ଧ ବିରତି ଲଙ୍ଘନକରି, ପୁଣି ଯୁଦ୍ଧ ଆରମ୍ଭ କରିଦେଲେ।
ଗାଁରୁ କିଛି ସମୟ ପରେ ଭୁବନେଶ୍ୱର ଫେରି ଆସୁଥିଲୁ। ସାକ୍ଷିଗୋପାଳ ପର ମୋଡ଼ରେ ଦୁଇଟି ହନୁ ବସିଥିବା ଦେଖିଲୁ। ଭାବିଲି, ଏଣିକି ତାଙ୍କୁ ଦେଖିଲେ ପଚାରିବି-
‘ କହ ହନୁ ମୋର ଗାଁର କୁଶଳ,
ମୋ ପୈତୃକ ଘରର ସର୍ବ କୁଶଳ।’
********************************************
ଶ୍ରୀ ଚନ୍ଦ୍ର ଶେଖର ଦାଶ
ଭୁବନେଶ୍ୱର
ତାରିଖ- ୧୨/୯/୨୦୧୭