ହାଓଡା ଷ୍ଟେସନଠାରୁ ଏକ ରାସ୍ତା ଆସି ହାଓଡା ମଇଦାନ ଦେଇ ବଙ୍ଗବାସୀ ସିନେମା ହଲଠାରେ ଗ୍ରାଣ୍ଡ ଟ୍ରଙ୍କ ରୋଡରେ ମିଶିଛି। ସେହି ଛକରେ ବସ ଓ ଟ୍ରାମ ରହେ। ବଙ୍ଗବାସୀ ସିନେମା ହଲଠାରୁ ହୁଗୁଳୀ ନଦୀ କୂଳ ଯାଏଁ ଆଉ ଏକ ରାସ୍ତା ଲମ୍ବିଛି, ତାହାର ନାମ ନିତ୍ୟଧନ ମୁଖାର୍ଜୀ ରୋଡ। ଏହି ରାସ୍ତାରେ ନଦୀ ଆଡକୁ ଗଲେ, ଡାହାଣ ପଟେ ଆସେ ହାଓଡା ପୁଲିସ ଥାନା, ଓ ନଦୀ ପାଖା ପାଖି ହୋଇଗଲେ, ଆସେ ବର୍ଣ ଷ୍ଟାଣ୍ଡାର୍ଡ କମ୍ପାନୀର କାରଖାନା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ, ବଙ୍ଗବାସୀ ସିନେମା ହଲଠାରୁ ପ୍ରାୟ ଦୁଇଶହ ହାତ ଦୂରରେ ଡାହାଣ ପଟେ ଥିବା ଏକ ପୁରୁଣା କୋଠା ଘରର ଠିକଣା ହେଲା ୪ ନମ୍ବର, ନିତ୍ୟଧନ ମୁଖାର୍ଜୀ ରୋଡ। । ସେହି ପ୍ଲଟ ଉପରେ ଥିବା କୋଠାଟି ଜରାଜୀର୍ଣ୍ଣ, ତାହାର କାନ୍ଥର ପ୍ଲାଷ୍ଟର କଳା ପଡିଯାଇଥାଏ।ଅନେକ ସ୍ଥାନରେ ପ୍ଲାଷ୍ଟର ଖସି କାନ୍ଥର ପାଣିଖିଆ ଇଟା ଦେଖାଯାଉଥାଏ। କୋଠାର କବାଟ ଝରକାରେ ଲାଗିଥିବା ରଙ୍ଗ ସୁଖି ପାଉଁସିଆ ହୋଇଯାଇଥାଏ। ଶହେ ବର୍ଷରୁ ଅଧିକ ଏ ପୁରୁଣା କୋଠା ଘରଟି। ତାହାର ସାମନା ପଟଟି ଦୁଇ ମହଲା ଓ ପଛ ପଟଟି ଏକମହଲା। ସାମନା ପଟ ତଳ ମହଲାରେ ତିନି ବଖରା। ଗୋଟିକରେ ଲାହିରି ବୁଢାଙ୍କ ଦାନ୍ତ ଚିକିତ୍ସାଳୟ, ଦ୍ୱିତୀୟରେ ମଟର ଗାଡିର ଲାଇଟ ଓ ଇଲେକ୍ଟ୍ରି ମରାମତି ଦୋକାନ ଓ ତୃତୀୟରେ ଏକ ସାଇକଲ ମରାମତି ଦୋକାନ। ସାମନା ପଟ ଉପର ମହଲାରେ ଏକ ବଡ ହଲ ଓ ଏକ କୋଠରୀ। ହଲରେ ପ୍ରଜା ସୋଇଆଲିଷ୍ଟ ଦଳର ଅଫିସ। କୋଠରୀରେ ଦୁଇଜଣ ଭଡାଟିଆ। ସେହି କୋଠାର ପୂର୍ବ ପଟେ ନିତ୍ୟଧନ ମୁଖାର୍ଜୀ ରୋଡରୁ ଏକ ଗଳି ରାସ୍ତା ଭିତରକଙ ଯାଇଥାଏ। ଏହି ଗଳିକୁ ଉପରୋକ୍ତ କୋଠାର ପଛ ଏକ ମହଲା ଘରର ବାରଣ୍ଡା ଓ ପ୍ରବେଶ ପଥ ଲାଗିଥାଏ। ଯେଉଁଠି ମୁଖ୍ୟରାସ୍ତାରୁ ଗଳି ଆରମ୍ଭ ହୋଇଥାଏ, ସେଠାରେ ବେଶ ଉଚ୍ଚରେ ଏକ ଟିଣ ନାମ ଫଳକରେ ଓଡ଼ିଆ ଓ ବଙ୍ଗଳା ଲେଖାହୋଇଥାଏ – ‘ଗାୟତ୍ରୀ ହିନ୍ଦୁ ହୋଟେଲ’। ସେହି ପଛ ଏକ ମହଲା ଘରର ପରିଚିତି।
ସେହି ହୋଟେଲ ସହ ଯୋଡି ହୋଇ ରହିଛି ମୋର କିଛି ବାଲ୍ୟକାଳର ସ୍ମୃତି।
ସମୁଦ୍ରରେ ଯେବେ ବିଶାଳ ଜୁଆର ଆସେ, ସେତେବେଳେ ହୁଗୁଳି ନଦୀରେ ‘ବାହନ’ ଆସେ। ସ୍ରୋତର ବିପରୀତ ଦିଗକୁ ନଦୀର ଗୋଳିଆ ପାଣି ଫୁଲି ଫୁଲି ମାଡି ଚାଲେ। ତାହାର ପ୍ରଭାବରେ ହାଓଡାର ନିତ୍ୟଧନ ମୁଖାର୍ଜୀ ରୋଡରେ, ବଙ୍ଗବାସୀ ସିନେମା ହଲ ପର୍ଯ୍ୟନ୍ତ ରାସ୍ତାର ଦୁଇ କଡ଼ର ନାଳରେ ନଦୀ ପାଣି ଉଛୁଳି ପଡେ। ରାସ୍ତା ଉପରେ ମଧ୍ୟ ପାଣି ମାଡିଯାଏ। କିଛି ସମୟ ପରେ ଜଳ ସ୍ତର କମିଯାଏ। ରସ୍ତା ଘାଟରୁ ପାଣି ନଦୀ ଆଡକୁ ଗତିକରେ। ଜଳସ୍ତର କମି, ହୁଗୁଳି ନଦୀ ତାର ପୂର୍ବ ଅବସ୍ଥାକୁ ଫେରିଆସେ।
ହାଓଡାରେ ସନ୍ଧ୍ୟା ନଇଁ ଆସେ। ହାଓଡା ଷ୍ଟେସନ ଆଡୁ ଶିବପୁରକୁ ମଇଦାନ ଦେଇ ଟ୍ରାମ ଯିବା ଆସିବା କରୁଥାଏ। ୪ ନମ୍ବର, ନିତ୍ୟଧନ ମୁଖାର୍ଜୀ ରୋଡରେ ଥିବା ସେହି ପୁରାତନ କୋଠାରୁ ଟ୍ରାମ ଚାଳକର ଠଣ୍ ଠଣ୍ ଘଣ୍ଟା ଶଦ୍ଦ ଶୁଣାଯାଏ। ରାତିର ଅନ୍ଧାରରେ ଟ୍ରାମ ଉପରେ ଥିବା ଆଙ୍କୁଡିର ଚକି, ଇଲେକ୍ଟ୍ରି ତାରରେ ଘସି ହୋଇ ସିଁ ସିଁ ଶଦ୍ଦ କରି ଯାଉଥାଏ। ଯେଉଁଠି ତାରର ଯୋଡେଇଥାଏ, ସେଠାରେ ତାହା ଘସି ହୋଇ, ବିଜୁଳି ମାରିଲା ଭଳି ଚିକ୍ ଚିକ୍ ଆଲୁଅ କରିଦେଉଥାଏ। ସେହି ପୁରୁଣା ଛାତ ଉପରୁ ପଶ୍ଚିମକୁ ଦେଖିଲେ ବଙ୍ଗବାସୀ ସିନେମା ହଲରେ, ସିନେମା ରିଲ ଘୁରୁଥିବାର ଦେଖାଯାଏ। ସିନେମା ଅପରେଟର ସେଠାରେ ବସି କ’ଣ କାମ କରୁଥାଏ।
ଏମିତି ଅଭୁଲା ସ୍ମୃତି କିଛି ଆଜି ଯାଏଁ ମନରେ ସତେଜ ରହିଛି ଏଇଥିପାଇଁ ଯେ, ସେହି ହୋଟେଲଟି ଆମ ଯୌଥ ପରିବାରର ବ୍ୟବସାୟ ପ୍ରତିଷ୍ଠାନ ଥିଲା ଏବଂ ମୋର ଛୋଟ ବୟସ ବେଳେ, ମୁଁ ଗାଁରୁ ସେଠାକୁ ଅନେକ ଥର ଯାଇ ନନାଙ୍କ ପାଖରେ ରହୁଥିଲି।
ଏହି ହୋଟେଲ ଚାଲୁଥିବା ଘର ସହ ପରିଚୟ ଅତ୍ୟନ୍ତ ଆବଶ୍ୟକ। ପୂର୍ବରୁ କହି ରଖିଛି, ସେହି ପୁରୁଣା କୋଠାଘରର ପଛଟି ଏକ ମହଲା ଥିଲା। ସେହି ପଛ ଘରର ଦୁଇଟି ହଲ ଥାଏ, ଗୋଟିଏ ବଡ, ଅନ୍ୟଟି ଛୋଟ। ବଡ ହଲରେ ତଳେ ପଟି ଉପରେ ବସି ଗ୍ରାହକମାନେ ମଧ୍ୟାହ୍ନ ଓ ରାତ୍ରୀ ଭୋଜନ କରନ୍ତି। ଟେବୁଲ ଓ ବେଞ୍ଚ ଉପରେ ବସି ଭୋଜନ କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ, ଛୋଟ ହଲରେ ବ୍ୟବସ୍ଥା ହୋଇଥାଏ। ଭୋଜନ ସମୟ ବିତି ଗଲା ପରେ, ଏହି ହଲ ଦୁଇଟିରେ ହୋଟେଲର କର୍ମଚାରୀମାନେ, ଅପରାହ୍ନରେ ଓ ରାତିରେ, ସେମାନଙ୍କ କାମ ଶେଷକରି ଶୋଇଥାଆନ୍ତି। ସେମାନଙ୍କର ଶୟନ ଜିନିଷ, ସତରଞ୍ଜିରେ ମୋଡା ହୋଇ, ସେହି ହଲ ଭିତରେ ଥିବା କାନ୍ଥର ଖୋଲା ଥାକମାନଙ୍କରେ ରହିଥାଏ। ଛୋଟ ହଲକୁ ଲାଗିଥାଏ ଆଉ ଏକ ଛୋଟ ବଖରା। ସେଇଟି ହୋଟେଲର ଷ୍ଟୋର ଘର ଓ ମାଲିକଙ୍କର ଶୋଇବା ଘର। ତା ପରେ ଏକ ରୋଷେଇ ଘର, ବଡ ଅଗଣା, ଗୋଟିଏ କୂଅ ଏବଂ ଗ୍ରାହକମାନେ ଖାଇସାରି ହାତ ଧୋଇବା ପାଇଁ ଦୁଇଟି ବଡ ପାଣିକୁଣ୍ଡ। ହୋଟଲର ଦୁଇଟି ପାଇଖାନା। ଦିନଯାକର ମଇଳା, ପାଇଖାନା ଚଟାଣର କଣା ଦେଇ ତଳେ ଥିବା ପଲମରେ ଜମା ହୋଇଥାଏ। ଦିନକେ ଥରେ, ମେହେନ୍ତର ଆସି ସେହି ପଲମ ଖାଲିକରି ନିଏ। ଅଗଣାରୁ ଛାତ ଉପରକୁ ଯିବାକୁ ଅଗଣା କାନ୍ଥକୁ ଲାଗି ବାଡ ବିହୀନ ଏକ ସିମେଣ୍ଟ ସିଡ଼ି।
୧୯୫୦ ଦଶକର ଶେଷ ଭାଗରେ ଏହି ହୋଟେଲ ଆମରି ପରିବାରର ଲୋକମାନେ ପ୍ରତିଷ୍ଠା କରିଥିଲେ। ସେମାନେ ହାଓଡାରେ ବିଭିନ୍ନ ପ୍ରକାରର କାମ କରି ଶେଷକୁ ହୋଟେଲ ଖୋଲି ରୋଜଗାର କରିବାର ଏକ ନିର୍ଭରଶୀଳ ଉପାୟ ପାଇଯାଇଥିଲେ। ସେହି ସମୟରେ, ଆମ ଗାଁର ଆଉ ଦୁଇଜଣ, ଦୁଇଟି ହୋଟେଲ ହାଓଡାର ଅନ୍ୟ ସ୍ଥାନରେ ଖୋଲିଥିଲେ। ସେମାନଙ୍କର ହୋଟେଲ, କିଛି ବର୍ଷ ଚାଲି, ବନ୍ଦ ହୋଇଯାଇଥିଲା। ଆମର ଏ ହୋଟେଲ, ଅନେକ ବର୍ଷ ଚାଲିଥିଲା। ମୋର ନନା, ଏହି ହୋଟେଲ କିଛି ମାସ ଚଳାଇବା ପରେ, ଗାଁକୁ ଆସୁଥିଲେ। ତାଙ୍କ ଅନୁପସ୍ଥିତିରେ, ବଡ ଦଦେଇ କୃପାସିନ୍ଧୁ ଦାଶଙ୍କର ସାନ ପୁଅ, ମାଧବ ଚନ୍ଦ୍ର ଦାଶ, ଗାଁରୁ ଯାଇ ହୋଟେଲ ଚଳାଉଥିଲେ। ମୋର ସାନ ଦଦେଇ, ଅଭିନ୍ନ ଦାଶ, ହୋଟେଲ କାମରେ ସହାୟତା କରୁଥିଲେ ଓ ସମୟ ସୁବିଧା ଦେଖି, ଗାଁକୁ ଆସୁଥିଲେ। ଆମ ଗାଁ ପାଖର ରୋଷେଇଆ, ପରସୁଣୀ, ଯୋଗାଣିଆ ଆଦି ଚାରି ପାଞ୍ଚ ଜଣ କର୍ମଚାରୀଙ୍କୁ ନେଇ ଏହି ହୋଟେଲ ଚାଲୁଥିଲା। ହାଓଡାର ସ୍ଥାନୀୟ ଜଣେ ସ୍ତ୍ରୀଲୋକ, ହୋଟେଲର ପରିଷ୍କାର ପରିଛନ୍ନ କାର୍ଯ୍ୟ କରୁଥିଲେ।
ନିକଟସ୍ଥ କାଳିବାବୁ ବଜାରକୁ, ପ୍ରତିଦିନ ସକାଳୁ ନନା ବା ଭାଇନା, ହୋଟେଲର ଦରକାରୀ ଜିନିଷ କିଣିବା ପାଇଁ ଯାଆନ୍ତି। ସେହି ମାର୍କେଟରେ ବଡ ବଡ ପିଣ୍ଡିରେ ମାଛ ଓ ପରିବା ବ୍ୟବସାୟୀମାନେ ବସିଥାଆନ୍ତି। ସେମାନଙ୍କଠାରୁ ମାଛ, ଅଣ୍ଡା, ମାଂସ, ପରିବା, ଲେମ୍ବୁ ଆଦି କିଣାଯାଏ। ତାହାକୁ ଏକ ମୋଟିଆ (ମୁଣ୍ଡରେ ବୋଝ ବୋହୁଥିବା ଲୋକ), ତାର ଗୋଲାକାର ବଡ ଟୋକେଇରେ ମୁଣ୍ଡାଇ ହୋଟେଲକୁ ନେଇଆସେ। ଅନ୍ୟ ବେପାରୀମାନେ, କଦଳୀ ପତ୍ର, ମାଟି ଗିଲାସ ଆଦି ହୋଟେଲରେ ପ୍ରତିଦିନ ପହଁଚାଇ ଦିଅନ୍ତି। ଚାଉଳ, ତେଲ, ଅଟା, ଡାଲି ଓ ମସଲାଆଦି ଜିନିଷ ସପ୍ତାହରେ ଦୁଇତିନିଥର କରି କିଣାଯାଏ। ଗୋଟା ରୋହିମାଛକୁ ନନା ବା ଭାଇନା, ନିଜେ, ବଡ କୁଶଳତାର ସହ ବଡ ପନିକିରେ କୂଅ ପାଖରେ ବସି କାଟନ୍ତି।
ଏହି ବଡ ମାର୍କେଟରେ ଦେଖିଥିବା କଥାଟିଏ ମନେ ଅଛି। ଏଠାରେ ଏକ ପିଣ୍ଡିରେ ବଡ ବଡ କଇଁଛକୁ କାଟି ତାର ମାଂସ ବିକ୍ରି ହେଉଥିବାର ଦେଖିଥିଲି। ଲୋକେ କଇଁଛ ମାଂସ ଖାଆନ୍ତି ବୋଲି ଧାରଣା ନଥିଲା। ଏହି ଘଟଣା ସହ, ୧୯୭୦ ବେଳକୁ ପୁରୀରୁ ରିକ୍ସାରେ ଲଦା ହୋଇ ବଡ ବଡ କଇଁଛ( Olive Ridley) ମାଳତୀପାଟପୁର ଷ୍ଟେସନକୁ ଆସୁଥିବାର ସମ୍ପର୍କ ଅନୁମାନ କରି ପାରିଥିଲି। ହାଓଡା ଗାମୀ ଟ୍ରେନରେ ସେହି କଇଁଛଗୁଡିକୁ ପଠାଯାଉଥିଲା। ପରେ ପରେ,ପୁରୀରୁ ହାଓଡା ବା କଲିକତାକୁ, ସେଭଳି କଇଁଛ ଚାଲାଣ ବନ୍ଦ ହୋଇଗଲା।
ହୋଟେଲରେ ସକାଳ ଏଗାରଟା ବେଳକୁ ଖାଦ୍ୟ ପ୍ରସ୍ତୁତ ହୋଇଯାଏ। କିଛି ଗ୍ରାହକ ଶୀଘ୍ର ଆସି ଭୋଜନ କରି ଅଫିସ ଯାଉଥିଲେ। ଭାତ, ଡାଲି, ଆଳୁ, ପୋଟଳ ବା ବାଇଗଣର ତେଲ ଛଣା ଭଜା, ମାଛ ଝୋଳ ବା କାଲିଆ, ଅଣ୍ଡା ତରକାରୀ, ଆଳୁ ପୋଟଳ ତରକାରୀ, କେବେ କେବ ଧୋକା ତରକାରୀ, କୋବି ତରକାରୀ ଆଦି କରାଯାଇଥାଏ। ଇଲିଶି, ପୋହଳା ବା ବଡ ଚିଙ୍ଗୁଡି ଆସିଥିଲେ, ସେଥିପାଇଁ ବିଶେଷ ପ୍ରସ୍ତୁତି ହୋଇଥାଏ।
ଏହି ହୋଟଲର ଗ୍ରାହକମାନେ ଥିଲେ ସାଧାରଣ ନାଗରିକ। କିଏ ଧୋତି ବା ଲୁଙ୍ଗି ପିନ୍ଧି ଆସିଥାଏ ତ କିଏ ଫୁଲ ପ୍ୟାଣ୍ଟ ସାର୍ଟ। ପ୍ରାୟ ସମସ୍ତ ଗ୍ରାହକ ପୁରୁଷ ଥିଲେ। ହୋଟେଲକୁ ସ୍ତ୍ରୀଲୋକ ଖାଇବାକୁ ଆସିବା ଅତ୍ୟନ୍ତ ବିରଳ ଥିଲା। ଦିନେ ଦିନେ ହୋଟେଲରେ ମିଠା ଦହି ତିଆର କରାଯାଉଥିଲା। ମଙ୍ଗଳବାର ଦିନ, ନିକଟସ୍ଥ ରାସ୍ତାର ଫୁଟପାଥ ଉପରେ ‘ମଙ୍ଗଳା ହାଟ’, ସକାଳୁ ଅପରାହ୍ନ ଯାଏ ବସେ। ସେହି ହାଟରୁ ଲୁଗାପଟା ଜିନିଷ ଶସ୍ତାରେ କିଣିବା ପାଇଁ ବେପାରୀଙ୍କର ଭିଡ ଜମିଥାଏ। ଓଡ଼ିଶାରୁ ବହୁତ ବେପାରୀ ସେଠାରୁ ଧୋତି, ଶାଢ଼ୀ, ଗାମୁଛା, ଗଞ୍ଜି, ଚଡି, ପିଲାଙ୍କ ଡ୍ରେସ, କନା, ମଶାରୀ ଆଦି କିଣିଥାଆନ୍ତି। ସେହି ଓଡିଆ ବେପାରୀମାନଙ୍କ ମଧ୍ୟରୁ ଅନେକ ଏହି ହୋଟେଲରେ ଖାଇବାକୁ ଆସନ୍ତି। ସେମାନଙ୍କ ପାଇଁ,ଏହି ହୋଟେଲରେ ଓଡ଼ିଆରେ କଥା ହୋଇ, ଭୋଜନ କରିବା ବିଶେଷ ଆନନ୍ଦ ଦାୟକ ଥିଲା। ଭଦ୍ରଖଠାରୁ ପୁରୀ ପର୍ଯ୍ୟନ୍ତ, ବହୁ ବେପାରୀ ଏଠାରେ ଖାଇଥିବାରୁ, ହୋଟେଲକୁ ମନେ ରଖିଥିଲେ।
ମାସିକିଆ ଖାଉଥିବା କେତେଜଣ ବଙ୍ଗାଳୀ ଲୋକ, ମୋ ନନାଙ୍କୁ ବହୁତ ଭଲ ପାଉଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ କାଳୀଭକ୍ତ ଓ ସାଧକ, ରାମକିଙ୍କର ଗାଙ୍ଗୁଲି। ଆଉ ଜଣେ ଥିଲେ, ଅବସର ପ୍ରାପ୍ତ ପୁଲିସ ଅଧିକାରୀ, ରବି ବାବୁ। କିଏ ଯଦି ହୋଟେଲରେ ଖାଇକରି ମୂଲ୍ୟ ନଦିଏ ବା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରେ, ଗଳିର ଆରପଟେ ଏକ ବଖରାରେ ରହୁଥିବା ରବିବାବୁ, ଏକ ଠେଙ୍ଗାଧରି ଦୌଡି ଆସୁଥିଲେ। ବାସ୍, ସେତିକିରେ ସବୁ ଶାନ୍ତ ପଡିଯାଉଥିଲା। ୧୯୬୦ ଦଶକର ଶେଷ ସମୟକୁ ହୋଟେଲମାନଙ୍କରେ, ଚାଉଳ ରଖିବା ଉପରେ କଟକଣା ଜାରି ହୋଇଥିଲା। ଜଣେ ସରକାରୀ କର୍ମଚାରୀ ବୋଧହୁଏ ଆଶା ମୁତାବକ ପାଉଣା ପାଇ ନଥିଲେ। ସେଥିପାଇଁ ଥରେ ସେ ହୋଟେଲ ତଲାସ କରି, କିଛି କିଲୋ ଚାଉଳ ଅଧିକ ମହଜୁଦ ଥିବା ପାଇଥିଲେ। ଏହି ଦୋଷ ନିମନ୍ତେ, ପୋଲିସ ନନାଙ୍କୁ ନେଇ, ଦିନକ ପାଇଁ ହାଜତରେ ରଖିଦେଇଥିଲା।
ହାଓଡାରେ କାମ କରୁଥିବା ଓ ଆମ ନନା ବା ଭାଇନାଙ୍କୁ ଜାଣିଥିବା, ଓଡିଶାର ଲୋକମାନେ, ମଝିରେ ମଝିରେ ସନ୍ଧ୍ୟା ସମୟରେ ଆସି, ହୋଟେଲରେ କିଛି ସମୟ କଟାନ୍ତି। ଚାକିରି କରିଥିବା କିଛି ଓଡ଼ିଆ ଲୋକ ମଧ୍ୟ ଖାଇବାକୁ ବା ଅନ୍ୟ କାମରେ ଆସନ୍ତି। ନନାଙ୍କର ବନ୍ଧୁ ଦିବ୍ୟସିଂହ ମହାନ୍ତି, ରେଳ ବିଭାଗର ପୋଷ୍ଟାଲ ମେଲ ସର୍ଭିସରେ କାମ କରୁଥିଲେ। ସେ ହାଓଡା-ପୁରୀ ଏକ୍ସପ୍ରେସରେ ନିୟମିତ ଯାତାୟାତ କରୁଥିଲେ। ତାଙ୍କରି ହାତରେ ନନା, ବହୁତ ଜିନିଷ ଗାଁକୁ ପଠାଉଥିଲେ। ଲୁଗାପଟା, ଡାଲି,ମସଲା, ବିସ୍କୁଟଠାରୁ ଫୁଲ କୋବି, ଏପରିକି ଇଲିଶି ମାଛ ଭଜା, ଗାଁକୁ ଆସିଯାଉଥିଲା। ସାକ୍ଷିଗୋପାଳ ନିକଟ ‘ନୂଆ ଗାଁ’ର ସ୍ୱର୍ଗତ ଯଦୁମଣି ରଥ, ସ୍ୱର୍ଗତ ଲକ୍ଷ୍ମଣ ମିଶ୍ର ଓ ସତ୍ୟବାଦି ମିଶ୍ର ଆମ ହୋଟେଲ ଗଳିର ଆରପଟ ଘରେ, ଏକ କୋଠରୀ ଭଡାନେଇ ରହୁଥିଲେ। ସେମାନେ କଲିକତାରେ ଚାକିରି କରୁଥିଲେ ଓ ଆମ ନନା, ଭାଇନାଙ୍କର ଭଲ ବନ୍ଧୁଥିଲେ। ଖାଦ୍ୟ ପ୍ରିୟ ଯଦୁ ଭାଇନା, ଇଲିଶି ମାଛ ଭଜା ହେଉଥିଲେ, ଆଠ ଦଶଟି ଖଣ୍ଡ, ଗପସପ ହେଉ ହେଉ ଖାଇଦେଉଥିଲେ। ସେ ଓ ଲକ୍ଷ୍ମଣ ଭାଇନା ଆଉ ନାହାଁନ୍ତି।
ହାଓଡା ମୁନିସିପାଲଟି ଅଧୀନରେ ଆମ ଗାଁର ଦୁଇଭାଇ, ସ୍ୱର୍ଗତ ଦୀନବନ୍ଧୁ ଦାଶ ଓ କାଶୀନାଥ ଦାଶ, ସାଲକିଆ ପାଣିଟାଙ୍କିରେ କାମ କରୁଥିଲେ। ଆମେ ହାଓଡାରେ ଥିବା ସମୟରେ ତାଙ୍କ ପାଖକୁ ଯାଉଥିଲୁ। ଆମର ଯେଉଁ ପାରିବାରିକ ବନ୍ଧୁ ହାଓଡା ବା କଲିକତାରେ କାମ କରୁଥିଲେ, ସେମାନେ ବେଳେ ବେଳେ ହୋଟେଲକୁ ଆସୁଥିଲେ। ଏହା ବ୍ୟତୀତ ଆମ ଅଞ୍ଚଳର ଅନେକ ଲୋକ, ଯାହାଙ୍କର କଲିକତାରେ କାମଥାଏ, ସେମାନେ ଆସି, ହୋଟେଲରେ ନିତ୍ୟକର୍ମ ସାରି, ସେମାନଙ୍କ କାମରେ ଯାଉଥିଲେ। ତୀର୍ଥ କରିବାକୁ ଯିବା ବା ଫେରିବା ରାସ୍ତାରେ, କେତେଜଣ ବନ୍ଧୁବାନ୍ଧବ ହୋଟେଲକୁ ଆସୁଥିଲେ। ହାଓଡା ଷ୍ଟେସନକୁ ଦରକାର ପଡିଲେ ଚାଲିକରି ଯାଇ ହେଉଥିବାରୁ, ହୋଟେଲକୁ ଆସିବାକୁ ବହୁତ ଓଡ଼ିଆ ଲୋକ ପସନ୍ଦ କରୁଥିଲେ।
୧୯୬୨ ମସିହା କଥା। ମୁଁ ଛୋଟ ହୋଇଥାଏ ଓ ନନାଙ୍କ ପାଖରେ ହୋଟେଲରେ ଥାଏ। ସେଦିନ ହାଓଡାର ଆକାଶରେ ଅନ୍ୟ ଦିନମାନଙ୍କ ତୁଳନାରେ, ବହୁତ ହେଲିକପ୍ଟର ଓ ଉଡାଯାହାଜ ଉଡୁଥିଲା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବି ସି ରୟଙ୍କର ଦେହାନ୍ତ (ଜୁଲାଇ,୧) ହୋଇଯାଇଥିବାରୁ, ଏପରି ସଂଖ୍ୟାଧିକ ଆକାଶଯାନ ଉଡୁଥିଲା ବୋଲି, ସେଦିନ କିଏ କହିଥିବାର ମନେ ଅଛି। ଛୁଟି ସମୟରେ ହାଓଡା ଯେବେ ଯାଉ, ନନା ଆମକୁ କଲିକତାର ଚିଡିଆଖାନା, ଯାଦୁଘର (ମ୍ୟୁଜିୟମ୍), ଭିକ୍ଟୋରିଆ ମେମୋରିଆଲ, ବେଲୁର ମଠ, ଦକ୍ଷିଣ କାଳୀ ଆଦି ବୁଲାଇ ଦେଖାଉଥିଲେ। ଥରେ ନିକଟସ୍ଥ ବଙ୍ଗବାସୀ ସିନେମା ହଲରେ ‘ନୟା ଦରୌ’ ବୋଲି ଏକ ହିନ୍ଦୀ ସିନେମା ଦେଖିଥିଲି। ହୋଟେଲର ଉତ୍ତର ଦିଗରେ, ଶହେ ହାତ ପରେ ‘ହାଓଡା ମଇଦାନ’। ସନ୍ଧ୍ୟା ସମୟରେ ଏଠାରେ ବହୁତ ଲୋକଙ୍କ ଭିଡ ଜମେ। ଏଠାରେ ଗୁପଚୁପ ବାଲାଠାରୁ ଗୁପଚୁପ ଖାଇବାକୁ ମତେ ଭଲ ଲାଗୁଥିଲା। ମଇଦାନରେ ବିହାରୀ ଲୋକମାନେ ଦଳ ଦଳ ହୋଇ ବସିଥାଆନ୍ତି। ସେମାନେ ପଖଜ ବଜାଇ, ଗୋଟିଏ କାନରେ ହାତ ଦେଇ, ଆର ହାତକୁ ଲମ୍ବାଇ, ସେମାନଙ୍କ ଭାଷାରେ ଗୀତ ବୋଲନ୍ତି। ସେମାନଙ୍କର ଗୀତର ସୁର ଓ ବାଜାର ନାଦ, ମନ ଛୁଇଁ ଯାଉଥିଲା। ସେହି ମଇଦାନରେ ରଥଯାତ୍ରା ପରଦିନଠାରୁ ମେଳା ଲାଗୁଥିଲା। ଆମ ଏଠାକାର ମେଳଣ ଭଳି। ସେହି ମେଳାରୁ ଆମ ଗାଁକୁ ଦୁଇଟି ସୁଗନ୍ଧରାଜ ଫୁଲ ଗଛର ଚାରା ଅଣାଯାଇଥିଲା ଓ ଆମ ଘରର ସାମନା ପଟେ ଲଗାଯାଇଥିଲା। ସେଥିରୁ ଗୋଟିଏ ଗଛରେ ଏତେ ଫୁଲ ଫୁଟୁଥିଲା ଯେ ଗାଁ ଦାଣ୍ଡ ମହକି ଯାଉଥିଲା। ସେହି ସୁଗନ୍ଧରାଜ ଗଛର ଡାଳ ଲୋକେ ଭାଙ୍ଗି ନେଉଥିଲେ। ଆମ ଗାଁ ଘରେ ଆଉ କେହି ରହୁ ନାହାଁନ୍ତି କି ସେ ସୁଗନ୍ଧରାଜ ଫୁଲ ଗଛ ନାହିଁ। କିନ୍ତୁ ଆଜି ଆମ ଗାଁରେ ଓ ଆଖ ପାଖ ଗାଁମାନଙ୍କରେ, ଆମରି ସୁଗନ୍ଧରାଜ ଗଛର ବଂଶଧରମାନଙ୍କର ସଂଖ୍ୟା ଗଣି ହେବନାହିଁ।
ଛୋଟ ସମୟରେ ହାଓଡାରେ ଥିଲା ବେଳେ, ସାଲକିଆ ପୋଲକୁ ଯାଉଥିଲି। ପୋଲ ତଳେ ଅଗଣିତ ଟ୍ରେନ ହାଓଡା ଷ୍ଟେସନକୁ ଯାଉଥାଏ ଓ ଫେରୁଥାଏ। ସେଗୁଡିକୁ ପୋଲ ଉପରେ ଠିଆ ହୋଇ ଦେଖିବାକୁ ଭଲ ଲାଗୁଥିଲା। ଧୁଆଁ ବାହାରୁଥିବା ଇଂଞ୍ଜିନ ନଥାଇ, ଇଲେକ୍ଟ୍ରି ଲୋକାଲ ଟ୍ରେନ ଯିବା ଆସିବା କରୁଥାଏ। ସେଗୁଡିକୁ ଦେଖିବାକୁ ବହୁତ ମଜା ଲାଗୁଥିଲା। ସାଲକିଆ ଷ୍ଟେସନରେ ନ୍ୟାରୋ ଗଜ ରେଳ ଧାରଣାରେ ଛୋଟ ଇଂଞ୍ଜିନ ଓ ଛୋଟ ଡବାର ଗାଡି ଦେଖି ଆଶ୍ଚର୍ଯ୍ୟ ଲାଗୁଥିଲା। ପରବର୍ତ୍ତୀ ସମୟରେ ନ୍ୟାରୋ ଗଜ୍ ଟ୍ରେନ ଚାଲିବା ବନ୍ଦ ହୋଇଯାଇଥିଲା।
ହୋଟେଲର ଆୟରେ, ବଡ ଦଦେଇ ଆମର ଯୌଥ ପରିବାରକୁ କୁଶଳତାରେ ଚଳାଇ ନେଉଥିଲେ। ୧୯୬୦ ଦଶକରୁ ମାସକୁ ମାସ, ଟଙ୍କା ଇନସୁଏଡ ହୋଇ ସ୍ୱତନ୍ତ୍ର ଲଫାଫାରେ ଜଉମୁଦ ହୋଇଇ ଡାକ ଯୋଗେ ଗାଁରେ ପହଞ୍ଚି ଯାଉଥିଲା। ୧୯୭୨ ଜୁଲାଇ ୨୨ ତାରିଖରେ ବଡ ଦଦେଇ କୃପାସିନ୍ଧୁ ଦାଶଙ୍କ ଦେହାନ୍ତ ହୋଇଗଲା। ତାର ବର୍ଷକ ଭିତରେ ପରିବାରରେ ପରସ୍ପର ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହେଲା। ନନା ଆଉ ହାଓଡା ଗଲେ ନାହିଁ। ଭାଇନା ହୋଟେଲ ପରିଚାଳନା କଲେ। ଆମର ଆର୍ଥିକ ସଙ୍କଟ ହେଲେ ମଧ୍ୟ, ସମୟ ଗଡି ଚାଲିଲା।
୧୯୮୩ ମସିହାର ପ୍ରାରମ୍ଭରୁ ୧୯୮୭ ମସିହା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମୁଁ କଲିକତାରେ ଇନକମ ଟାକସ ବିଭାଗରେ ଚାକିରି ଆରମ୍ଭ କଲି। ରହିବା ପାଇଁ ଗରିଆହାଟ ପାଖରେ ସରକାରୀ ଫ୍ଲାଟ ଘର ମିଳିଥାଏ। ବାର ତେର ବର୍ଷ ପରେ, ସେହି ହୋଟେଲକୁ ଯାଇ ଭାଇନାଙ୍କୁ ଅନେକଥର ଦେଖା କରିଥିଲି। ସେହି ହୋଟେଲର ଅନ୍ୟତମ ମାଲିକଙ୍କ ପୁଅ ଭାବରେ କଲିକତାରେ ସରକାରୀ ଚାକିରି କରିବା ମୋ ପାଇଁ ବହୁତ ଗର୍ବର କଥା ଥିଲା। ଭାଇନାଙ୍କୁ ଆମ ସରକାରୀ ଘରକୁ ଆସିବାକୁ ନିମନ୍ତ୍ରଣ କରିଥିଲି। କୌଣସି କାରଣରୁ ସେ ଆସି ପାରି ନଥିଲେ। ୧୯୮୭ ମସିହାରେ ବଦଳି ହୋଇ ଭୁବନେଶ୍ବର ଆସିଥାଏ। ୧୯୮୯ ମସିହାରେ ହାଓଡାରୁ ଟେଲିଗ୍ରାମ ଆସିଲା- ଭାଇନାଙ୍କର ଦେହାନ୍ତ ହୋଇଯାଇଛି। ଭାଇନାଙ୍କର ବୟୋଗ ପରେ, ହୋଟେଲକୁ ତାଙ୍କର ଦାୟାଦମାନେ ଆଉ ଛ’ ବର୍ଷ ଚଳାଇଥିଲେ। ୧୯୯୫ ମସିହାରେ ସବୁଦିନ ପାଇଁ, ହାଓଡାରେ ‘ଗାୟତ୍ରୀ ହିନ୍ଦୁ ହୋଟେଲ’ ବନ୍ଦ ହୋଇଯାଇଥିଲା। ହାଓଡାରେ ଥିବା ଆମ ଅଞ୍ଚଳର ଏହି ଦୂତାବାସର ସ୍ମୃତି, ନନା ଭାଇନା ଓ ସାନ ଦଦେଇଙ୍କର ଚିଠିରେ ସୀମିତ ହୋଇ ରହିଯାଇଛି ଏବଂ ନନା, ଦଦେଇମାନେ, ଓ ଭାଇନା, ହାଓଡାରେ ଉଠାଇଥିବା ବଡ ଫଟୋରେ ବନ୍ଧା ହୋଇ ରହିଯାଇଛନ୍ତି।
ଆଜି ଗୁଗୁଲ ଆର୍ଥରେ ସର୍ଚ କଲେ, ବଙ୍ଗବାସୀ ସିନେମା ହଲ୍ ବନ୍ଦ ହୋଇଥିବାର ଦେଖାଉଛି ଓ ୪, ନିତ୍ୟଧନ ମୁଖାର୍ଜୀ ରୋଡରେ କୌଣସି ନୂତନତ୍ୱର ସଙ୍କେତ ଦେଖାଉନାହିଁ। ହାଓଡାରୁ ଶିବପୁରକୁ ଆଉ ଟ୍ରାମ ଚାଲୁନାହିଁ। ହାଓଡା ମଇଦାନ ଆଶାତୀତ ଭାବେ ସଙ୍କୁଚିତ ହୋଇଯାଇଛି। ସମୟ ବଦଳି ଯାଇଛି କିନ୍ତୁ ସ୍ମୃତି ରହିଯାଇଛି।
*********************************
ଶ୍ରୀ ଚନ୍ଦ୍ରଶେଖର ଦାଶ
ଭୁବନେଶ୍ୱର
ତାରିଖ- ୨୦/୫/୨୦୧୮