ଟ୍ରେନ ଛାଡିବା ସମୟ ହେଲାଣି ଏ ଦିପୁ ଟା କୁଆଡେ ଗଲା କେଜାଣି। ଯେତେବେଳେ ଦେଖିବ ଡେରି। ବାକି ଗୁଣସବୁ ଭଲ ଥିଲେ କି ଲାଭ, ୟାର ସବୁ କାମ ଶେଷ ମୁହୂର୍ତ୍ତ ଯାଏଁ ଗଡିବ। ଏଇ ପିଲାଟିର ସମୟାନୁବର୍ତ୍ତନର ଘୋର ଅଭାବ। ହେଇ ଦେଖୁନ, ଗୋଟେ କମ୍ପିଟେଟିଭ ପରୀକ୍ଷା ପାଇଁ କଲିକତା ଗଲାବେଳେ ବି ଡେରି। ମୁଁ ଜାଣେ ଦିପୁ ଠିକ ପହଞ୍ଚିବ, ହେଲେ ମନଟା ମାନୁ ନଥାଏ। ମୁଁ ବାରମ୍ବାର କଲ କରୁଥାଏ ଆଉ ସବୁଥର ସିଏ ଫୋନ କାଟି ଦେଉଥାଏ। ଶେଷରେ ଟ୍ରେନ ହୁଇସିଲ ମାରି ଗଡିବା ଆରମ୍ଭ କଲା। ମୁଁ ବ୍ୟତିବ୍ୟସ୍ତ ହେଇ ଏପଟେ ସେପଟେ ଦେଖୁଥାଏ। ପାଖାପାଖି ପାଞ୍ଚ ମିନିଟ ପରେ ବି ଦିପୁକୁ ଦେଖିବାକୁ ନପାଇ ମୁଁ ଫୋନ ଲଗେଇଲି ତାକୁ ଜଣେଇ ଦେବାକୁ ଯେ ସେ ଟ୍ରେନ ମିସ୍ କରି ସାରିଛି। ଏଥର ବି ଫୋନ କାଟିଦେଲା। ମୋତେ ଭାରି ବିରକ୍ତ ଲାଗୁଥାଏ। ହଠାତ ଦିପୁ ଆସି ମୋ ସାମ୍ନାରେ ଛିଡା ହେଇଗଲା। ମୁଁ କିଛି କହିବା ପୂର୍ବରୁ କାନ ଧରି ବିକଳ ଚେହେରା ବନେଇଲା। ସବୁ ରାଗ ଭୁଲି ଏବେ ମୋତେ ହସ ମାଡ଼ିଲା। ସିଏ ସାମ୍ନା ସିଟ ରେ ବସିଲା ପରେ ଆମେ ଦୁହେଁ ଖୁବ ହସିଲୁ। ଦିପୁ, ମୋ ପିଲାଦିନର ନିବିଡ଼ ବନ୍ଧୁ। ଅଲଗା ଗାଁ କିନ୍ତୁ ଗୋଟିଏ ସ୍କୁଲର ଛାତ୍ର ଆମେ। ପାଠ ପଢ଼ାରେ ମୁଁ ସବୁବେଳେ ତା ଠାରୁ ପାଦେ ଆଗରେ। ସବୁଥିରେ ତାର ମୋର ପ୍ରତିଯୋଗିତା ହେଲେ ଶତ୍ରୁତା ମୋଟେ ନାହିଁ। ଆମକୁ ଏକାଠି ଦେଖିବା ଲୋକ ଆମକୁ ଦୁଇ ଭାଇ ଭାବନ୍ତି। ସ୍କୁଲ ପରେ କଲେଜ ଆଉ ତାପରେ ଇଞ୍ଜିନିୟରିଂ ସବୁ ଏକାଠି।
କିଛି ଦିନ ପରେ କମ୍ପିଟେଟିଭର ରେଜଲ୍ଟ ଆସିଲା। ଆମ ଦୁହିଁଙ୍କର ଚାକିରୀ ହେଇ ଯାଇଥିଲା। ସେଦିନ ଦୁହେଁ ବହୁତ ଖୁସି ଥିଲୁ। ମୁଁ ଦିପୁକୁ କୁଣ୍ଢେଇ ଧରି କାନ୍ଦି ପକେଇଲି। ତା ଓଠରେ କିନ୍ତୁ ହସ ଥିଲା, ଉପହାସର ନୁହଁ ବରଂ ଏକ ଅଜଣା ଖୁସିର। ଦିପୁ ଠାରୁ ଅଲଗା ହେଲା ପରେ ମୁଁ ଡରି ଡରି ଲିଜାକୁ କଲ କଲି। “ହାୟ ଅମର, ଏତେ ଦିନ ପରେ ମୋ କଥା ମନେ ପଡ଼ିଲା? ଆରେ ହଁ, ତମେ ତ ଟପର ପିଲା, ଆମକୁ କାଇଁ ମନେ ପକେଇବ ଯେ! ଆଉ କଣ ଖବର ସବୁ କୁହ”। “ଲିଜା, ମୋର ଜବ୍ ହେଇ ଯାଇଛି, ଆଉ ପ୍ରଥମେ ତୁମକୁ ଫୋନ କରି ଜଣାଉଛି”। “କଂଗ୍ରାଚୁଲେସନ୍ସ ଅମର, ମୁଁ ତୁମପାଇଁ ବହୁତ ଖୁସି”। “ଲିଜା ବହୁତ ଦିନରୁ ମନରେ ଗୋଟେ କଥା ଅଛି, ଭାବୁଚି ଆଜି କହିଦେବି ବୋଲି”। “କୁହ ଅମର!”। “ଲିଜା…ମୁଁ…ତୁମକୁ…ବହୁତ ଭଲପାଏ”। ଏତିକି କହି ସାରିଲା ପରେ ମୋ ଛାତି ଜୋର ରେ ଧଡ଼ ଧଡ଼ ହଉଥାଏ। ଇଞ୍ଜିନିୟରିଂ ସମୟରୁ ସବୁ ଝିଅଙ୍କ ମଧ୍ୟରେ ମୁଁ ଲିଜା କୁ ପସନ୍ଦ କରୁଥିଲି କାରଣ ତାର ସୁନ୍ଦର ବ୍ୟବହାର ଆଉ ସାବଲୀଳ ଭାଷା। ତା କଥାରେ ଜମାରୁ ଛଳନା ନଥାଏ। ମୋତେ ଲାଗେ ସିଏ ବି ମୋତେ ପସନ୍ଦ କରେ ବୋଲି। ଦିପୁ କିନ୍ତୁ ବହୁତ ସମୟରେ ଲିଜା ସହ ଗପେ ଆଉ ଏ କଥା ମୋ ଦେହରେ ଯାଏନି। ଏକଥା କିନ୍ତୁ ମୁଁ କେବେ ପ୍ରକାଶ୍ୟ ରେ ଦିପୁ କୁ କହିନି ଆଉ ଦିପୁ ମଧ୍ୟ ମୋ ଭଲ ପାଇବା କଥା ଜାଣେନି। ମୋର ପ୍ରପୋଜାଲ ର ଉତ୍ତର ପାଇଁ ମୁଁ ଅପେକ୍ଷା କରିଥାଏ। ଫୋନ ସେପଟେ କିନ୍ତୁ ସବୁ ଶାନ୍ତ ଥାଏ। କିଛି ସମୟ ପରେ ଲିଜା କହିଲା “ଅମର, ମୁଁ ବି ତମକୁ ପସନ୍ଦ କରେ…! ବହୁତଥର କହିବାକୁ ଚେଷ୍ଟା କରି ବି କହି ପାରିନି”।
ସାନବେଳୁ ମୁଁ ଦିପୁ ସହ ସବୁ ଖୁସି ବାଣ୍ଟି ଆସିଛି। ଲିଜା ସହ କଥା ହେଲା ପରେ ଏ ଖୁସି ଖବର ଜଣେଇବା ପାଇଁ ଦିପୁ କୁ ଫୋନ କଲି। ସେ ଫୋନ ଉଠେଇଲାନି। ତା ପରେ ବି କେତେ ଥର ଚେଷ୍ଟା କଲି। ଶେଷରେ ଦିପୁର ଫୋନ ଆସିଲା। ମୁଁ କିଛି କହିବା ଆଗରୁ ସିଏ ଆରମ୍ଭ କଲା, “ଆରେ ଅମର, ଅଲିଭା କୁ ଚିହ୍ନିଚୁ, ସିଏ କୁଆଡେ ମୋତେ ବହୁତ ଭଲ ପାଏ”। “ଓହୋ, ସେଇ ‘ଓଲିଭ ସୁନ୍ଦରୀ’ ତ! ତାରି ସହ ଗପୁଥିଲୁ ତାହେଲେ? ସେଥିପାଇଁ ମୋ ଫୋନ ଉଠଉନୁ କି କଲ କରୁନୁ”? ଦୀର୍ଘଶ୍ଵାସ ନେଇ ଦିପୁ କହିଲା “ନାଇଁ ରେ ଭାଇ କଥାଟା ଟିକେ ଅଲଗା। ମୁଁ ପ୍ରକୃତରେ ଲିଜା କୁ ଭଲ ପାଏ ଆଉ ଚାକିରୀ ହେଲା ପରେ ତାକୁ ଫୋନ ବି କରିଥିଲି ହେଲେ ସିଏ କହିଲା ତାକୁ ତା ପ୍ରେମ ମିଳି ସାରିଛି। ସେଇଥି ପାଇଁ ମନ ଭଲ ନଥିଲା। ଦୁଇ ଦିନ ଧରି କାହା ସହ ବି କଥା ହେଇନି କି ଘରୁ ବାହାରିନି। ଆଜି ଅଲିଭା ଫୋନ କରି ତା ମନ କଥା କହିଲା”। ମୁଁ ବ୍ୟସ୍ତ ହୋଇ ପଚାରି ଦେଲି “ତୁ କଣ କହିଲୁ”? ଦିପୁ କହିଲା “ମୁଁ ବି ହଁ କରିଦେଲି”। ମୋତେ ଏବେ ଟିକେ ଆଶ୍ବସ୍ତି ବୋଧ ହେଲା। ସେ ପୁଣି କହିଲା “ଲିଜା କୁ ଯେତେବେଳେ ତା ପ୍ରେମ ମିଳିଛି, ଅଲିଭା କୁ ବି ତା ପ୍ରେମ ମିଳିବା ଦରକାର”। ଏଥର ମୁଁ ଦିପୁ କୁ ପଚାରିଲି “ଦିପୁ ତୁ ଜାଣିଚୁ ଲିଜାର ପ୍ରେମ କିଏ”? ସେ କହିଲା “ଯଦିଓ ଜାଣିନି କିନ୍ତୁ ମୁଁ ଭାବୁଛି ତୋ ଛଡା କେହି ହେଇ ନ ଥିବ”। କିଛି ସମୟର ନିସ୍ତବ୍ଧତା ପରେ ଆମେ ଦୁହେଁ ଠୋ ଠୋ ହେଇ ହସି ଉଠିଲୁ…!
Read more of his blogs by clicking here :