Bhubaneswar Buzz

#OdiaPost ଭିକାରୀ ବଳ – ଜୀବନର ଚାରି ଦଶନ୍ଧି ଥିଲା ସଙ୍ଗୀତ ସାଧନାରେ ଲୀନ

bhikari bala bhubaneswar buzz22

Born in Sobala village under Pattamundei block in Kendrapara on May 25, 1929, Bhikari Bal was attracted to music since childhood. He was trained at the Gokula Chandra Sangeet Sadan in Kendrapara as an adolescent. But his voice was refined under the tutelage of Odissi maestro late Balakrushna Das, who was known as Sangeet Sudhakar in the early ’60s when he came to Cuttack.

ମଇ ମାସ ୨୫ ତାରିଖ ୧୯୨୯ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ସୋବଳାଠାରେ ଭିକାରୀ ବଳଙ୍କ ଜନ୍ମ । ରାମଚନ୍ଦ୍ର ବଳ ଓ ତାଙ୍କ ଦ୍ବିତୀୟ ପତ୍ନୀ ଗେହ୍ଲାରାଣି ବଳଙ୍କ ଅନେକ ସନ୍ତାନ ମଧ୍ୟରୁ ଏକମାତ୍ର ଜୀଇଁ ରହିଥିଲେ ଭିକାରୀ । ସେ ସମୟର ଅନ୍ଧବିଶ୍ବାସ ମତେ ତାଙ୍କ ଜୀବନ ରକ୍ଷା ପାଇଁ ତାଙ୍କୁ ଏକ ଅସ୍ପୃଶ୍ୟ ପରିବାରକୁ ଟେକିଦିଆଯାଇଥିଲା । ଓଡ଼ିଶାରେ ପ୍ରଥମ କେତୋଟି ସନ୍ତାନ ମରିଯାଉଥିଲେ ବଞ୍ଚୁଥିବା ଶେଷ ସନ୍ତାନକୁ ‘ଭିକାରି’ ଭଳି ଘୃଣ୍ୟ ନାମ ଦେବାର ବିଧି ଥିଲା । ସେହି ସମୟରୁ ତାଙ୍କ ନାମ ଭିକାରୀ ରହିଥିଲା । ବଞ୍ଚିଗଲେ ସିନା ହେଲେ ବାଲ୍ୟକାଳରୁ ବାପ ମା’ଛେଉଣ୍ଡ ହୋଇ ବସିଲେ । ତାଙ୍କ ବାପାଙ୍କ ପ୍ରଥମ ପତ୍ନୀଙ୍କ ପୁଅ ଧନେଶ୍ଵର , ଭିକାରୀଙ୍କ ଠାରୁ ବୟସରେ ବହୁତ ବଡ଼ ଥିଲେ । ଧନେଶ୍ବର ଓ ତାଙ୍କ ପତ୍ନୀଙ୍କ ଭିକାରୀଙ୍କ ଲାଳନପାଳନ ଭାର ଉଠାଇଥିଲେ ।

ପ୍ରାଥମିକ ଶିକ୍ଷା ପରେ ଭିକାରି କେନ୍ଦ୍ରାପଡ଼ାର କଦଳୀବଣ ହାଇସ୍କୁଲରେ ନାମ ଲେଖାଇଥିଲେ ଓ ସେଠାରେ ନବମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ଅନ୍ୟ ଏକ ତଥ୍ୟ ଆଧାରରେ ପିତାଙ୍କ ମୃତ୍ୟୁ ଅନ୍ତେ ମାତ୍ର ତୃତୀୟ ଶ୍ରେଣୀରୁ ସେ ପାଠ ଛାଡ଼ିଥିଲେ । ପିଲାବେଳୁ ସଂଗୀତ ପ୍ରତି ଆସକ୍ତି  ଥିଲା ତାଙ୍କର । ପରେ ନିଜ ଗାଁର ଯାତ୍ରା ଦଳରେ ଯୋଗ ଦେଇଥିଲେ । ସେଠାରେ ସେ ଗୀତ ଗାଇବା, ହାରମୋନିଅମ ବଜାଇବା, ଅଭିନୟ ଆଦି ଶିଖିଥିଲେ । ସେତେବେଳେ ଯାତ୍ରାମାନଙ୍କରେ ପୁଅ ମାନେ ଝିଅ ବେଶ ହୋଇ ନାଟ କରୁଥିଲେ । ସେମାନଙ୍କୁ ଗୋଟି ପୁଅ କୁହାଯାଉଥିଲା ।୧୯୫୧ ମସିହାରେ ଯୁବକ ଅବସ୍ଥାରେ ସେ ଏକ ପାଖ ସ୍କୁଲ, ଗୋକୁଳ ଚନ୍ଦ୍ର ସଙ୍ଗୀତ ସଦନରେ ସଙ୍ଗୀତ ଶିକ୍ଷା କରିଥିଲେ । ସେ ମାତ୍ର ୨୦ ବର୍ଷ ବୟସରେ ଉଷାରାଣୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ସଙ୍ଗୀତ  ବୃତ୍ତି ପାଇଁ କଟକ ଚାଲି ଆସିଥିଲେ ।

 

ଗୁରୁ ଖିତିଜ ମିତ୍ରଙ୍କ ତତ୍ବାବଧାନରେ ସେ ଓଡ଼ିଶୀ ସଂଗୀତ ଶିକ୍ଷା କରି କଟକସ୍ଥିତ କଳାବିକାଶ କେନ୍ଦ୍ରରେ ଶୀଘ୍ର ଜଣେ ଶିକ୍ଷକ ଭାବେ ଯୋଗ ଦେଇଥିଲେ । ଉନ୍ନବିଂଶ ଶତାବ୍ଦୀର ଷଷ୍ଠ ଦଶକ ପ୍ରାରମ୍ଭ ବେଳକୁ ସେ ଜଣେ କଳାକାର ଭାବେ ତିଷ୍ଠିରହିବାକୁ ଅକ୍ଲାନ୍ତ ଉଦ୍ୟମ କରୁଥିଲେ । କଳାବିକାଶ କେନ୍ଦ୍ର ସହ ଜଡ଼ିତଥିବା ଫଳରେ କାଳୀଚରଣ ପଟ୍ଟନାୟକ ଓ ପ୍ରତିଷ୍ଠିତ ସଂଗୀତଜ୍ଞ ବାଳକୃଷ୍ଣ ଦାସଙ୍କ ନଜରକୁ ଆସିଲେ । ବାଳକୃଷ୍ଣଙ୍କ ଅଧିନରେ ଭିକାରୀଙ୍କ ସ୍ବରରେ ଚମକ ଭରିଗଲା । ଫଳରେ ୧୯୬୩ ମସିହା ବେଳକୁ ଆକାଶବାଣୀରେ ସେ ଜଣେ ଏ-ଗ୍ରେଡ଼ର ଗାୟକ ଭାବରେ ପ୍ରତିଷ୍ଠିତ ହେଲେ । ତାଙ୍କର ବ୍ରଡ଼କାଷ୍ଟ ହୋଇଥିବା ପ୍ରଥମ ଗୀତ ପ୍ରାଣ ମିତଣି ବାରେ ଚାହାଁରେ … ପାଇଁ ସେ ସେଠାରେ ଅନେକ ପ୍ରସଂଶା ପାଇଲେ । ହେଲେ ପରେ କୋଠ ଭୋଗଖିଆ  ମୋ ଚକା ଆଖିଆ… ଗୀତରୁ ତାଙ୍କ ଲୋକପ୍ରିୟତା ଅନେକ ବଢ଼ିଯାଇଥିଲା ଯାହା ୭୦ ଦଶକରେ ଏକ ବହୁଳ ଲୋକପ୍ରିୟ ଗୀତର ମାନ୍ୟତା ପାଇଥିଲା । ସେହିପରି ୯୦ ଦଶକରେ ମୁଁ ତ ବଡ଼ ଦେଉଳର ପାରାରେ… ଅନ୍ୟ ଏକ ଅତି ଲୋକପ୍ରିୟ ଭଜନ ଥିଲା ।

 

ଦୀର୍ଘ ଚାରି ଦଶନ୍ଧି ଧରି ୨୦,୦୦୦ରୁ ଅଧିକ ଭଜନରେ କଣ୍ଠଦାନ କରିଛନ୍ତି । ପୁରାତନ ରଚନାରୁ ସେ ବହୁ ସଙ୍ଗୀତ ଗାନ କରିଛନ୍ତି । ଗୋପାଳକୃଷ୍ଣ, ଦୀନକୃଷ୍ଣ ଦାସ, ବଳଦେବ, ବନମାଳୀ ଦାସ, ଓ ସାଲବେଗ ଆଦି ମହାନ କବିଙ୍କ ବହୁ ଭଜନରେ ସେ କଣ୍ଠଦାନ କରିଛନ୍ତି । ସେ ମଧ୍ୟ ଡ. ପ୍ରସନ୍ନ ସାମଲ, ପ୍ରସନ୍ନ ସାମଲ , ଅରବିନ୍ଦ ମୁଦୁଲି, ଶୀର୍ଷାନନ୍ଦ ଦାସ କାନୁନଗୋ,କ୍ଷିରୋଦ ଚନ୍ଦ୍ର ପୋଥାଳ,  ଅଲେଖ ବିଶ୍ବାଳ, ଗୌରହରି ଦଳାଇ ଓ ଶ୍ରୀକାନ୍ତ ଗୌତମଙ୍କ ଅନେକ ଗୀତରେ କଣ୍ଠଦାନ କରିଛନ୍ତି । ସେ ଅନେକ ପଲ୍ଲୀଗୀତ, ଛାନ୍ଦ, ଚମ୍ପୁ ଓ ପୁରାତନ ରଚନାକୁ ଗୀତ ରୂପାନ୍ତର କରି ଗୀତ ବୋଲିଛନ୍ତି । ତାଙ୍କର ଜଗନ୍ନାଥ ଭଜନ ଓ ଗୀତ ଗୋବିନ୍ଦର ପଦାବୃତି ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ସେ ଅନେକ ଚମ୍ପୁ, ଛାନ୍ଦ, ଲୋକଗୀତ  ମଧ୍ୟ ଗାଇଥିଲେ । ୧୯୬୮ ରୁ ୧୯୯୩ ପର୍ଯ୍ୟନ୍ତ ଅଭିଳାଷ, ଭକ୍ତ ସାଲବେଗ, ଅଗ୍ନି ପରୀକ୍ଷା, ଅପରିଚିତା, ମଥୁରା ବିଜୟ, ଶ୍ରୀକୃଷ୍ଣ ରାସଲୀଳା, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଅନୁତାପ, ଅମରପ୍ରେମ, କନକଲତା ଓ କିଏ କାହାର ଆଦି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ପ୍ରଛଦପଟ୍ଟ ଗାୟକ ଭାବେ କଣ୍ଠଦାନ କରିଥିଲେ ।

ପୁରୀ ରଜା ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କୁ “ଭଜନ ସମ୍ରାଟ” ଉପାଧିରେ ଭୂଷିତ କରିବା ସହ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କ ସେବା ପାଇଁ ଅନୁମତି ଓ ଅନେକ ସୁବିଧା ସୁଯୋଗ ଖଞ୍ଜି ଦେଇଥିଲେ । ଜଣେ ଅଣ ସେବାୟତ ଭାବେ ସେ ଜଗନ୍ନାଥଙ୍କ ଚାମର ସେବା କରିବା ନିମନ୍ତେ ମଧ୍ୟ ଏକଦା ସୁଯୋଗ ପାଇଥିଲେ ଯାହା ଥିଲା ଏକ ଭାଗ୍ୟର କଥା ।

ଭିକାରୀ ବଳ ଶ୍ରୀଛାମୁ ସୁରସେବକ, ଭଜନ ମଉଡ଼ମଣି, ଭକ୍ତକଣ୍ଠ, ଭଜନ ସମ୍ରାଟ ଆଦି ଉପାଧି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ କବିଚନ୍ଦ୍ର ପୁରସ୍କାର ଆଦି ପ୍ରାପ୍ତ କରିଛନ୍ତି ।

ଜଗନ୍ନାଥଙ୍କ ମହିମା ବାବଦରେ ଭିକାରୀ ବଳ ଥରେ କହିଥିଲେ, ଯେ ସେ ଏକ ରାମ ନବମୀ ତିଥିରେ ଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ସେବନ ପାଇଁ ମନ ବଳାଇଥିଲେ । ସେଠାରେ ସେ କିଛି ଯୋଗାଡ଼ କରିବା ପୂର୍ବରୁ ଜଣେ ସୁସ୍ଥ ସବଳ ଯୁବକ ତାଙ୍କ ସମ୍ମୁଖକୁ ଆସି ତାଙ୍କୁ ମହାପ୍ରସାଦ ଦେଇ ଯାଇଥିଲା । ଜଗନ୍ନାଥଙ୍କ ସହ ଭକ୍ତି ଭାବରେ ବନ୍ଧା ହୋଇ ତାଙ୍କ କରୁଣାକୁ ଅନୁଭବ କରିପାରୁଥିଲେ ସେ ।

ତାଙ୍କ ଦେଇ ବୋଲାଯାଇଥିବା ଶେଷ ଆଲବମ ଭଜନ ଥିଲା ୨୦୦୫ର “ଚଗଲା ମନ” ଓ ଶେଷ ସଙ୍ଗୀତ ପରିବେଷଣ ଥିଲା ୨୦୦୬ରେ । ତାହା ପରେ ସେ ପାରକିନସନ୍ସ ରୋଗରେ ପିଡ଼ିତ ହୋଇ ଦୀର୍ଘ ତିନି ବର୍ଷ ଶଯ୍ୟାଶାୟୀ ହୋଇ କଟକ ଏସସିଭି ମେଡିକାଲରେ ଚିକିତ୍ସିତ ହେଉଥିଲେ । ନଭେମ୍ବର ୩, ୨୦୧୦ରେ ତାଙ୍କର ପରଲୋକ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଖଣ୍ଡୁଆରେ ମର ଶରୀରକୁ ଢାଙ୍କି ସମ୍ମାନ ଜଣାଇଥିଲେ । ପରେ ଗାର୍ଡ଼ ଅଫ ଅନର ସହ ପୁରୀ ସ୍ବର୍ଗଦ୍ବାରରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା ।

ପରଲୋକ ପରେ ତାହାଙ୍କ ସ୍ମୃତିରେ “ଭିକାରି ବଳ ଫାଉଣ୍ଡେସନ” ନାମରେ ଏକ ସଙ୍ଗଠନ ଗଠିତ ହୋଇ ପ୍ରତି ବର୍ଷ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି ।  ତାହାଙ୍କୁ ପଦ୍ମ ଉପାଧିରେ ଭୂଷିତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ ଏବେବି ପଡ଼ି ରହିଛି ।

ଭିକାରୀ ବଳ ନିଜ ଗୁରୁ ବନମାଳୀ ଦାସ ଓ ବେଣୁଧର ପରିଡ଼ାଙ୍କ ନାମରେ ଏକ ଆଶ୍ରମ ନିଜ ଗାଁରେ ପ୍ରତିଷ୍ଠା କରିଛନ୍ତି । ମୃତ୍ୟୁ ପର୍ଯ୍ୟନ୍ତ ବର୍ଷକୁ ଅତିକମରେ ସପ୍ତାହେ ସେଇ ଆଶ୍ରମରେ କାଟିଆସୁଥିଲେ । ତାଙ୍କ ଭଜନ ଯେପରି, ଜୀବନଶୈଳୀ ବି ସେପରି ନିରାଡମ୍ବର ଥିଲା ।

bhikari bala bhubaneswar buzz 1

 

ତାଙ୍କର ପ୍ରସିଦ୍ଧ ଭଜନ ଗୁଡ଼ିକ ମଧ୍ୟରୁ କୋଠ ଭୋଗଖିଆ, ଜଗନ୍ନାଥ ହେ, କିଛି ମାଗୁନାହିଁ ତୋତେ, ଭଜୁ କି ନା ରାମ ନାମ, ଭକତ ବିଦୁର ଶାଗ ଭଜା ଦେଇ, ହାତରେ ମୋ ମୁଠା ମୁଠା ଶରଧା ବାଲି, ତୋର ସାଆନ୍ତପଣକୁ କିଏ ସରିକି, ଶ୍ରୀକ୍ଷେତ୍ରେ କରିଛି ଘର, କାଳିଆ ମୋ ବନ୍ଧୁ, ଅଜା ଥାଉ ଥାଉ ନାତି ଯାଏ ଚାଲି, ତୋତେ ବାହୁଡ଼େଇ ନେବି ଆସିଛି, ତୋ ଦାଣ୍ଡଧୁଳି ମୁ ନହେଲେ ନାହିଁ, ଏମିତି ଏ ବଡ଼ ଦାଣ୍ଡେ ହାତ ପାତି ବସିଥିବି, ଧନ ମାଗୁନାହିଁ ଜନ ମାଗୁନାହିଁ ମାଗୁଛି ଶରଧାବାଲିରୁ ହାତେ ଆଦି ଅନ୍ୟତମ ।

ଭିକାରୀ ବଳଙ୍କ ଭଜନଗୁଡ଼ିକରେ ଭାବ ଓ ଭକ୍ତି ସମାହିତ ରହିଥିବା ଏକ ସ୍ବତନ୍ତ୍ର ପରିଚୟ ମିଳେ । ଏମିତି କେହି ଓଡ଼ିଆ ନଥିବେ ଯିଏ ଭିକାରି ବଳଙ୍କ ଗୀତ ଶୁଣି ଭାବରେ ହଜିଯାଇନଥିବେ । ପରିବେଶକୁ ଭକ୍ତିମୟ କରି ତୋଳେ ଭିକାରୀବଳଙ୍କ ଭଜନ । ହାରମୋନିଅମ, ତବଲା, ବଂଶୀ ଆଦି ସାଧାରଣ କେତୋଟି ବାଦ୍ୟଯନ୍ତ୍ର ଆଉ ଭାବପୂର୍ଣ ଶବ୍ଦ ସଂଯୋଜନା ମଧ୍ୟରେ ଭିକାରି ବଳଙ୍କ ସ୍ବର ଦିଏ ପରମ ତୃପ୍ତି । ଭଜନର ଶୀତଳ ସ୍ପର୍ଶରେ ମନ ନିଜ ସତ୍ତା ଭୁଲି ନିସ୍ଵ ଭାବନାରେ କାଳିଆର ଚରଣାଶ୍ରିତ ହୋଇଥାଏ ।

bhajan Samrat bhikari bal 2 bhubaneswar buzz

 

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPost. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments