Bhubaneswar Buzz

ରାବଣ ମରିବନି : An Odia short story by Prabir Kumar Sahoo on this Dussehra

“ସାର ନମସ୍କାର। ଭୋଜି ତାରିଖ ଫାଇନାଲ କଲେ ମୋତେ କହିବେ ମୁଁ ଆପଣଙ୍କ ପସନ୍ଦର ଜିନିଷ ମଗେଇ ଦେଇଛି”। ରାଜେଶ ବାବୁଙ୍କ ଅଫିସରେ ପସିଲା ବେଳକୁ ଆଗପଛ ବିଚାର ନକରି ଅମୂଲ୍ୟ କହିଗଲା। ରାଜେଶ ବାବୁ ଫୋନରେ କାହା ସହିତ କଥା ହେଉଥିଲେ। ଫୋନ ରଖି କଡା ଦୃଷ୍ଟିରେ ଅମୁଲ୍ୟକୁ ଚାହିଁଲେ। “କିହୋ ତମର କଣ୍ଟ୍ରାକ୍ଟରି କରି ଏତେବର୍ଷ ହେଲାଣି, ଜାଣି ପାରୁନ କେତେବେଳେ କୋଉ କଥା କୁହାଯାଏ। ହଉ ଶୁଣ, ଆମ ବଡ଼ସାରଙ୍କର ଏବେ ଗୋଟେ ସାଇଟରେ ଟିକେ ଟେନ୍ସନ ଚାଲିଛି। ସିଏ ଫ୍ରି ହେଲେ ମୁଁ ଖବର ଦେବି। ହଁ ଦେଶୀ କୁକୁଡ଼ା ଦୁଇଟା ଯୋଗାଡ଼ କରିଥିବ, ବିଡ଼ିଓ ସାର ବି ଆସିପାରନ୍ତି”। ଅମୂଲ୍ୟ ତାର ଚିରାଚରିତ ଢଙ୍ଗରେ ଦାନ୍ତ ନେଫେଡି କହିଲା “ସେ କଥା ଆଉ କହିବାକୁ ଅଛି, ଖାଲି ଆପଣ ତାରିଖ କହିଲେ ହେଲା”।
ଆଗକୁ ପୂଜାଛୁଟି, ସବୁ ଅଫିସର ସମୟ ସୁବିଧା ଦେଖି ପାରି ହେଇଯିବେ। ତା ପୂର୍ବରୁ ଅମୂଲ୍ୟ ପୁରୁଣା ବିଲ ସବୁ ପାସ କରେଇବାକୁ ବ୍ଲକ ଅଫିସରେ ହାଜର। କିଛି ରନିଙ୍ଗ ବିଲ ମିଳିଗଲେ ବି ଚଳିବ। ଲେବର ପେମେଣ୍ଟ ସହ ପିଲାମାନଙ୍କର ବି ଗୁଡ଼ାଏ ବରାଦ ଅଛି ପୂଜା ପାଇଁ। ତା ବୋଉର ବାକି ଥିବା ମେଡ଼ିସିନ ବିଲ ବି ବଢ଼ିଗଲାଣି। ପୂଜାରେ ସାନଶାଳୀ ଓ ସଡୁ ବୁଲିଆସିବେ ବୋଲି ଖବର ଦେଇଛନ୍ତି। ସେପଟେ ତା ଭାରିଯା ବି ଅନେଇ ବସିଛି କାନକୁ ସୁନା କାନଫୁଲ ଯୋଡ଼େ କରିବ। ହାତଯୋଡିକି ହେଉ କି ଗୋଡଭାଙ୍ଗିକି ହେଉ କିଛି ଯୋଗାଡ଼ ନିଶ୍ଚୟ କରିବାକୁ ହେବ। ଅବଶ୍ୟ ଏ କଳା ସିଏ କୋଉ କାଳରୁ ଶିଖିଗଲାଣି। ଏଇ ଅଲଜ୍ଜ୍ୟା କଳା ଶିଖିବା ପାଇଁ କେତେଥର ଯେ ସିଏ ବ୍ଲକ ଅଫିସ ଦୌଡିଥିବ ତା ହିସାବ କରିବା କଷ୍ଟ। ଟେବୁଲ ସେପଟେ ବସିଥିବା ବାବୁମାନଙ୍କ ପାନରୁ ଚୂନ ଯଦି ଖସିଲା, ତାଙ୍କ ଟେବୁଲ ଉପରେ ପଡିଥିବା ଫାଇଲର ଡୋରି ଆଉ ଖୋଲିବନି। ଆଗପଛ ବିଚାର କରିବାକୁ ପଡୁଛି। ସାହି ପିଲାଙ୍କ ପୂଜାଚାନ୍ଦା କମିଲେ ବି ଝାମେଲା। ସେଇ ଦୃଷ୍ଟିରୁ କଣ୍ଟ୍ରାକ୍ଟରିରେ ସେମିତି ଭଲ ମାର୍ଜିନ ରହୁନି। ସବୁକାମ ସାରି ଫେରିଲା ବେଳକୁ ସନ୍ଧ୍ୟା ଗଡିଯାଇ ରାତି ନଅଟା। ୟା ଭିତରେ ଭଲରକମ ଅସରାଏ ବର୍ଷା ବି ହେଇ ଯାଇଥାଏ। ଗାଁ ରାସ୍ତାରେ ଭିଡ଼ ନଥାଏ। କାଁ ଭାଁ ଗୋଟେ ଅଧେ କିଏ ଗାଁ ମୁହାଁ ହେଉଥାଆନ୍ତି। ଅମୂଲ୍ୟ ମନରେ ଆଜି ଟିକେ ଖୁସି ଥାଏ। ଯାହା ଚାରଣା ଆଠଣା ଲାଗୁ ପଛେ କିଛି ବିଲ ରିଲିଜ ହେଲା। ପୂଜା ଟା ଭଲରେ କାଟିବ ତା ପରିବାର। ଫେରିଲା ବେଳକୁ ମନରେ ମୁଠେ ସ୍ୱପ୍ନ ନେଇ ଫେରୁଥାଏ।
ରଣାବାବୁ ବଡ କଣ୍ଟ୍ରାକ୍ଟର, ଅମୂଲ୍ୟକୁ ହାତଧରି କାମ ଶିଖେଇଥିଲେ। ନିଜେ କିଛି କାମ ପାଇଲେ କରେ ଆଉ ରଣା ବାବୁଙ୍କ ଦୟାରୁ ବି ଅମୂଲ୍ୟ କିଛି କାମ ପାଇଯାଏ। ଛଅମାସ ତଳେ ଏଇ ରାସ୍ତାର ପେଟିକଣ୍ଟ୍ରାକ୍ଟ ସିଏ ରଣା ବାବୁଙ୍କଠୁ ପାଇଥିଲା। ମରାମତି ନାଁ ରେ ଯାହା ବ୍ୟୟବରାଦ ହେଇଥିଲା, ବାବୁମାନେ ବେଶିଭାଗ ଚଳୁ କରିଦେଲେ। ନିଜଭାଗ ବଞ୍ଚେଇ ବାକି ପଇସାରେ ଅମୂଲ୍ୟ ଯେନତେନ ପ୍ରକାରେ କାମ ପୁରା କଲା। ବର୍ଷାଦିନ ଆହୁରି ବାକି ଥାଏ,  ରାସ୍ତାଟି କିନ୍ତୁ ନିଜ ପୁରୁଣା ରୂପକୁ ଫେରି ଯାଇଥିଲା। ଠାଏ ଠାଏ ଖାଲ ଖମଣ ସୃଷ୍ଟି ହେବାଦ୍ୱାରା ରାସ୍ତାଟି ବିକୃତ ହେଇ ପଡିଥାଏ। ଗାଁ ରାସ୍ତା ସହ ସମ୍ପୂର୍ଣ୍ଣ ଅଭ୍ୟସ୍ତ ଅମୂଲ୍ୟ ଧ୍ୟାନଦେଇ ବାଇକ ଚଲାଉଥାଏ, ଠିକ ସର୍କସର ବାଇକ ଚଳାଳୀ ଭଳିଆ। ରାସ୍ତାର ଖାଲଗୁଡିକରେ ଯଦିଓ ପାଣି ଭର୍ତ୍ତି ହେଇଥାଏ ତେବେ ନିଜର ସତର୍କତା ଓ ପୁରୁଣା ଅଭିଜ୍ଞତା ଦ୍ୱାରା ସେ ଗୃହାଭିମୁଖେ ଆଗେଇ ଚାଲିଥାଏ। ହଠାତ ବାଇକର ଆଗଚକ ଗୋଟିଏ ବଡ଼ ଖାଲରେ ପଡିଲା ଆଉ ଭାରସାମ୍ୟ ହରେଇ ଅମୂଲ୍ୟ କଚାଡି ହେଇ ତଳେ ପଡ଼ିଲା। ହାତ କହୁଣୀ ଆଉ ଆଣ୍ଠୁ ବି ଛିଡିଗଲା। ସୌଭାଗ୍ୟ ବଶତଃ ବର୍ଷା ଦାଉରୁ ବର୍ତ୍ତିବାପାଇଁ ଲଗେଇଥିବା ହେଲମେଟ ପାଇଁ ମୁଣ୍ଡଟି ମାଡ଼ ହେବାରୁ ବଞ୍ଚିଗଲା। ସିଏ ଜାଣିନଥିବା ଜାଗାରେ ପୁଣି ନୂଆ ଖାଲଟେ ସୃଷ୍ଟି ହେଇଛି ବୋଧେ। ଉଠିକି ଭଲଭାବରେ ବାଇକ ଆଲୁଅ ଜଳେଇ ଦେଖିଲାରୁ ଜାଣିଲା ଯେ ଖାଲଟି କୃତ୍ରିମ। ରାସ୍ତକାମର ସାମ୍ପଲ କଲେକ୍ସନ କରାଯାଇଥିଲା। ଅମୂଲ୍ୟ ଭାବିଲା ଆଜି ଦିନଟି ବୋଧେ ଭଲ ନାହିଁ।
କୌଣସି ପ୍ରକାରେ ଘରେ ପହଞ୍ଚିଲା। ପଡିଶାଘର ଫାର୍ମାସିଷ୍ଟ କୁ ଡାକି କ୍ଷତ ସବୁ ଡ୍ରେସିଂ କରେଇଲା। ତା ପରଦିନ ଅମୂଲ୍ୟର ପୁରା ଦେହ ପରାସ, ଉଠିବାକୁ ବଳ ପାଉ ନଥାଏ। କୌଣସି ପ୍ରକାରେ ଲେବର ପେମେଣ୍ଟ କଲା। ପୁଅ ହାତରେ ଗାଁ ଔଷଧ ଦୋକାନୀକୁ ବାକି ପଇସା ଦେଇ ପଠେଇଲା। ବନ୍ଧୁବର୍ଗ ଆସି ସନ୍ଧ୍ୟାରେ ପହଞ୍ଚିଲେ। ସେମାନଙ୍କ ବୁଲାବୁଲି ଯୋଗେ ଅମୂଲ୍ୟ ଗାଡିବ୍ୟବସ୍ଥା କରିଦେଲା। କିଣାକିଣି ଓ ବାକି ଖର୍ଚ୍ଚପାଇଁ ଭାରିଜା ହାତରେ ଟଙ୍କା ଦେଲା। ଉଠିବାକୁ ଅକ୍ଷମ ଅମୂଲ୍ୟ ଘରେ ଶୋଇରହିଲା। ଦଶହରା ଦିନ ବେଳକୁ ତା ଦିହ ଟିକେ ସାଷ୍ଟାମ ହେଲା। ପିଲାମାନଙ୍କ ସହ ରାବଣପୋଡି ଦେଖି ବାହାରିଲା। ବିଭିନ୍ନ ପ୍ରକାର ବାଣ ରୋଷଣୀ ପରେ ରାବଣପୋଡି ଆରମ୍ଭ ହେଲା। ମାଇକରେ ଘଣ୍ଟ ଘଣ୍ଟା ମୃଦଙ୍ଗର ତାଳସହ ତାଳଦେଇ ରାବଣର ଗୋଟିଏ ପରେ ଗୋଟିଏ ମୁଣ୍ଡ ଫୁଟିବା ଆରମ୍ଭ ହେଲା। ତାପରେ ସମ୍ପୂର୍ଣ୍ଣ ରାବଣ ଦେହରେ ନିଆଁ ଲାଗିଲା। ସମସ୍ତେ ଖୁସି ହେଉଥାନ୍ତି ହେଲେ ଅମୂଲ୍ୟ ମନରେ ଦୁଃଖ କି ଆନନ୍ଦ କିଛି ନଥାଏ। ସିଏ ଭାବୁଥାଏ ଆମ ଭିତରର ଲୋଭ  ଆଉ ବଡଲୋକ୍ ହେବାର ହତାଶା ସବୁ ଏମିତି ଜଳିପୋଡ଼ି ପାଉଁଶ ହେଇ ଯାଆନ୍ତାନି? ଅନ୍ୟକୁ ଖାଲରେ ପକେଇ ନିଜେ ଉଠିବାର ମିଥ୍ୟା ପ୍ରଚେଷ୍ଟା ସବୁ ପ୍ରଶମିତ ହୁଅନ୍ତାନି? ଗଣି ଗଣି ପୋଡି ପକାଉଥିବା ଦଶଟି ମୁଣ୍ଡ ଦେଇ କଣ ଏହା ସମ୍ଭବ? ବିଜୟୋତ୍ସବର ଏଇ ଆନନ୍ଦ କେତେ କ୍ଷଣ? କାଲିଠାରୁ ପୁଣି ଚିରାଚରିତ ଦୈନନ୍ଦିନ ଜୀବନ ଆଉ ସେଇ ବ୍ଲକ ଅଫିସରେ ଗୋଡ଼ଘସରା। ଅଫିସର ବଦଳନ୍ତି ଅଫିସ ର ନିୟମ ବଦଳେ ହେଲେ ବଦଳେନି ଟଙ୍କା ବଣ୍ଟାର ଅନନ୍ୟ ପିସି ବ୍ୟବସାୟ!
Author : Prabir Kumar Sahoo (Twitter : https://twitter.com/Odiapuo)

Comments

comments