Bhubaneswar Buzz

ସନ୍ନିରୋଧନ (Lockdown) ମଧ୍ୟରେ ଆପଣ ଘରେ ଅଛନ୍ତି, ଆଉ ସୁରକ୍ଷିତ ଅଛନ୍ତି । ଏଥିସହ ଆପଣ ପର୍ଯ୍ୟାପ୍ତ ସମୟ ନିଜ ପରିଵାର ପାଇଁ ଦେଉଛନ୍ତି । ଏହି ସମୟ ଯାକ ଆପଣଙ୍କ ପିଲା ଆପଣଙ୍କ ପ୍ରତ୍ୟକ୍ଷ ସ୍ନେହ ଯତ୍ନ ପାଇ ଖୁସି ହେଉଥିଵ ନିଶ୍ଚୟ । ଆପଣ ଜାଣନ୍ତି କି ?, ପିଲାମାନଙ୍କୁ ଖେଳରେ ଖେଳରେ ଅନେକ କଥା ଶିଖାଇ ହୁଏ । ପିଲାଙ୍କ ସହ ନିବିଡ଼ତା ଵୃଦ୍ଧି ପାଇଁ ତାଙ୍କ ସହିତ କିଛି ସମୟ ଖେଳାଖେଳିରେ ବିତାନ୍ତୁ । ଆମେ ସାଧାରଣତଃ ଗପ କାହାଣୀ, ବଡ଼ ଲୋକଙ୍କ ଜୀଵନୀ ଓ ଆଦର୍ଶ କଥା ମାଧ୍ୟମରେ ପିଲାଙ୍କଠାରେ ଶିଷ୍ଟାଚାର ଵିକଶିତ କରିଥାଉ । ଖାଲି ସେତିକି ନୁହେଁ, ସେଇ ଗପ କାହାଣୀ ଶୁଣିଵା ଦ୍ୱାରା ପିଲାଙ୍କଠାରେ ଭାଷା ଓ ଶବ୍ଦ ଜ୍ଞାନ ମଧ୍ୟ ଵୃଦ୍ଧି ହୋଇଥାଏ । ପିଲାମାନଙ୍କୁ ପ୍ରତିଦିନ କିଛି ଗପ ଓ କାହାଣୀ ଶୁଣାନ୍ତୁ, ସେମାନଙ୍କ ମନରେ ଉଙ୍କି ମାରୁଥିଵା ପ୍ରଶ୍ନର ଉତ୍ତର ଦିଅନ୍ତୁ । କୌଣସି ଜିନିଷ ବାବଦରେ କ’ଣ କାହିଁକି, କିପରି, କେଉଁଠି, କେତେ ଆଦିର ଧାରଣା ଦିଅନ୍ତୁ । ପିଲାଙ୍କୁ ମଧ୍ୟ ଅନୁରୂପ ପଚାରନ୍ତୁ, ସେ କେଉଁଠିକୁ ଗଲେ, କ’ଣ ଦେଖିଲେ, କ’ଣ କଲେ, ସେଇଟା କେମିତି ହେଲା ଇତ୍ୟାଦି । କୌଣସି ଜିନିଷ ବୁଝାଇଲା ଵେଳେ ପିଲାର ଵୟସ ଓ ଵିକଶିତ ବୁଦ୍ଧିକୁ ଧ୍ୟାନ ଦେଇ ଵିଷୟକୁ ସରଳ କରି ବୁଝାନ୍ତୁ । ପିଲାମାନଙ୍କୁ ପ୍ରତିଦିନ ତାଙ୍କ ପଢ଼ା ବହିର ଗୋଟିଏ ପୃଷ୍ଠା ବଡ଼ ପାଟିରେ ପଢ଼ିଵାକୁ କୁହନ୍ତୁ । ପିଲା ଯଦି କୌଣସି ଶବ୍ଦ, ଵାକ୍ୟ ମନେରଖିପାରୁନି, ତାହାକୁ ସୂତ୍ର (Clue) ଦେଇ କିପରି ମନେ ରଖିହେଵ, ଶିଖାନ୍ତୁ । ପିଲା କୌଣସି ଉଚ୍ଚାରଣ ଭୁଲ କଲେ, ତାକୁ ତୁରନ୍ତ ଠିକ ଉଚ୍ଚାରଣଟି ଜଣାଇ ଆଉଥରେ ଠିକ ଉଚ୍ଚାରଣ ସହ ପଢ଼ିଵାକୁ କୁହନ୍ତୁ । ପିଲାର ଉଚ୍ଚାରଣଗତ ତ୍ରୁଟି ଅଧିକ ରହୁଥିଲେ, ଆପଣଙ୍କ ପଛକୁ ପାଳି ଧରି ପଢ଼ିଵାକୁ କୁହନ୍ତୁ । ସମାଲୋଚନା କରନ୍ତୁ ନାହିଁ, ସର୍ଵଦା ଉତ୍ସାହିତ କରନ୍ତୁ । ପଢ଼ିଲା ଵେଳେ ଶବ୍ଦ ମଧ୍ୟରେ ଉଚିତ ସମୟ ଵ୍ୟଵଧାନ ରହୁଛି ବୋଲି ନିଶ୍ଚିତ ହୁଅନ୍ତୁ । କମା, ପୂର୍ଣ୍ଣଛେଦ, ବିସ୍ମୟ ଆଦି ଵିରାମ ଚିହ୍ନ (punctuation)ର ଉପଯୁକ୍ତ ପ୍ରୟୋଗ ହେଵା ଉଚିତ । ପଢ଼ା କେଵଳ ପଢ଼ା ନହୋଇ ଵାକ୍ୟକୁ ଭାଵପୂର୍ଣ୍ଣ ଓ ସୁଲଳିତ ହେଵା ପ୍ରତି ଧ୍ୟାନ ଦିଅନ୍ତୁ ।

 

ଯଦି ଆପଣଙ୍କ ପିଲା ଶ୍ରଵଣ ବାଧିତ ହୋଇ ଶ୍ରଵଣ ସହାୟକ ଯନ୍ତ୍ର (Hearing Aid)/ ଗେଣ୍ଡାସ୍ଥି ପ୍ରତିରୋପିତ ଯନ୍ତ୍ର (Cochlear Implant Device) ଵ୍ୟଵହାର କରୁଛି, ପ୍ରତ୍ୟକ୍ଷ ତତ୍ତ୍ୱାଵଧାନରେ ତାହାର ବ୍ୟାଟେରୀ, ପରିଛନ୍ନତା ଓ କାର୍ଯ୍ୟକାରିତା ପ୍ରତିଦିନ ତନଖି କରନ୍ତୁ । ଯନ୍ତ୍ରକୁ ଦୈନିକ ଅନୁନ୍ୟ ୮ରୁ ୧୦ ଘଣ୍ଟା ଵ୍ୟଵହାର କରାଯିଵା ଵିଧେୟ । ଏଵେ ସମସ୍ତଙ୍କ ପାଇଁ ତୁଣ୍ଡି (mask) ଵ୍ୟଵହାର ବାଧ୍ୟତାମୂଳକ ହୋଇଥିଵା ଯୋଗୁଁ, ତୁଣ୍ଡି ପିନ୍ଧିଥିଵା ଵକ୍ତାର ଉଚ୍ଚାରଣ ଅସ୍ପଷ୍ଟ ହୋଇଥାଏ । ତେଣୁ ଶ୍ରୋତା ଯଦି ଶ୍ରଵଣ ବାଧିତ ହୋଇଥିଵ, ଵକ୍ତା ତାଙ୍କର ଉଚ୍ଚ ସ୍ୱର ଉପଯୋଗ କଲେ, ଏହା ଶ୍ରୋତା ପାଇଁ ସହାୟକ ହୋଇପାରିଵ ।

ପିଲାମାନଙ୍କଠାରେ କୌଣସି ଵାକ୍ ଅକ୍ଷମତା ଯଥା ଉଚ୍ଚାରଣ ଅସ୍ପଷ୍ଟତା (Misarticulation), ପାଟି ଖନିମାରିଵା (Stammering), କଥା କହିଵାରେ ଡେରି ହେଵା (DSL), ମାଂଶପେଶୀ/ସ୍ନାୟଵିକ ଦୁର୍ବଳତା(CP), ବଡ଼ମାନଙ୍କୁ ଉଚିତ ଧ୍ୟାନ ନଦେଇ ନିଜ ଭିତରେ ବୁଡ଼ିରହିଵା (ADHD/Autism), ମାନସିକ ଅନଗ୍ରସରତା (Intellectual Disability) ଶୁଣିନପାରିଵା/ଅନ୍ୟର କଥା ବୁଝିନପାରିଵା(Hearing Impairment), ଲେଖାଶିଖାରେ ଵ୍ୟତିକ୍ରମ(Learning Disability) ଆଦି ପ୍ରମୁଖ ଲକ୍ଷଣଗୁଡିକ ଚିନ୍ତାଜନକ ଅଟେ । ଏଥିପାଇଁ ନିକଟସ୍ଥ ଜ଼ିଲ୍ଲା ଆଶୁମଧ୍ୟକ୍ଷେପ କେନ୍ଦ୍ର (DEIC)ରେ ଵାକ୍ ଚିକତ୍ସକଙ୍କୁ ସମ୍ପର୍କ କରନ୍ତୁ । ରାଜ୍ୟର ସମସ୍ତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସୁଵିଧା ମାଗଣାରେ ଉପଲବ୍ଧ ଅଛି ।

ଵାକ୍ ଅକ୍ଷମତା ଲାଗି କୌଣସିଠାରେ ଥେରାପି ଅଵ୍ୟାହତ କରୁଥିଲେ, ଏହି ସନ୍ନିରୋଧନ ସମୟଯାକ ଶ୍ରଵଣ ଵିଶେଷଜ୍ଞ ଓ ଵାକ୍ ଚିକିତ୍ସକଙ୍କ ସମ୍ପର୍କରେ ରୁହନ୍ତୁ । ଜାଣି ରଖନ୍ତୁ, ପ୍ରତ୍ୟେକ ପିଲା ପାଇଁ ଥେରାପି ଯୋଜନା ଅଲଗା ଅଲଗା । ଆପଣଙ୍କ ପିଲାପାଇଁ ଦିଆଯାଇଥିଵା ସାପ୍ତାହିକ ଘରକାମର ପ୍ରଗତି ବାବଦରେ ଥେରାପିଷ୍ଟଙ୍କ ସହ ନିୟମିତ ଆଲୋଚନା କରନ୍ତୁ, ତାହାକୁ ନିର୍ଦ୍ଦେଶ ଅନୁସାରେ ପାଳନ କରନ୍ତୁ । ଆଉ ଜାଣିରଖିଵେ, ଵାକ୍ ଓ ଭାଷା ଵିକାଶ ଲାଗି କିଛି ସମୟ ଲାଗିଵ । ଆପଣ ଓ ଆପଣଙ୍କ ପିଲା ତରଫରୁ ଶତପ୍ରତିଶତ ଚେଷ୍ଟା ଜାରିରଖନ୍ତୁ ଏଵଂ ଧୈର୍ଯ୍ୟ ରଖନ୍ତୁ ।

Comments

comments