ମହା ଵିଷୁଵ ସଙ୍କ୍ରାନ୍ତିରୁ ଓଡ଼ିଆ ଵର୍ଷ ଗଣନା ଆରମ୍ଭ ହେଉଥିଵାରୁ ଓଡ଼ିଆ ପରିଵାରରେ ଦେଵଦେଵୀଙ୍କଠାରେ ସ୍ଵତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହିଦିନ ଚଡ଼କ ପୂଜା ହୁଏ ଓ ପାଟୁଆ ନାଚନ୍ତି । ଏହିଦିନ ପଣା ପ୍ରସ୍ତୁତ କରି ବ୍ରାହ୍ମଣଙ୍କୁ ଛତା ଓ ପଙ୍ଖା ଆଦି ସହିତ ଦାନ କରାଯାଏ । ଦେଵତା ଓ ତୁଳସୀ ଗଛ ଉପରେ ଜଳ ପୂର୍ଣ୍ଣ ଵସୁନ୍ଧରା ଘଟ ଦିଆଯାଏ । ଗଡ଼ଜାତରେ ଝାମୁନାଟ ଏହି ଦିନଠାରୁ ହୁଏ ।
ସୂର୍ଯ୍ୟ ମେଷ ବିନ୍ଦୁରେ ପ୍ରତ୍ୟେକ ବର୍ଷ ପ୍ରାୟ ଅପ୍ରେଲ ୧୩/୧୪ ତାରିଖରେ ପ୍ରବେଶ କରନ୍ତି । ଏହିଠାରୁ ହିଁ ଓଡ଼ିଆ ନଵଵର୍ଷର ଆରମ୍ଭ ହୋଇଥାଏ । ଓଡ଼ିଆ ପଞ୍ଜିକାରେ ଏହି ଦିଵସକୁ ମହାଵିଷୁଵ ସଂକ୍ରାନ୍ତି ଭାଵେ ଉଲ୍ଲେଖ କରାଯାଇଥାଏ । ଏହା ଏମିତି ଏକ ପଵିତ୍ର ଦିନ ଯେଉଁଦିନ ସୂର୍ଯ୍ୟ ପରାଗ ସମ୍ଭାଵନା ଆଦୌ ନଥାଏ ।
ପରମ୍ପରା ଅନୁସାରେ ଦୋଳପୂର୍ଣ୍ଣିମାରେ ଓଡ଼ିଆ ହିନ୍ଦୁମାନଙ୍କ ଦ୍ଵାରା ପାଞ୍ଜି ପୂଜା କରାଯାଇ ମହାଵିଷୁଵ ସଂକ୍ରାନ୍ତିଠାରୁ ପାଞ୍ଜି ଚଳେ । ଓଡ଼ିଆ ପାଞ୍ଜିର ଗଣନା ଅନୁସାରେ ମହାଵିଷୁଵ ସଂକ୍ରାନ୍ତି ଶାଳିବାହନ ଶକାବ୍ଦର ଵର୍ଷ ଆରମ୍ଭ ଦିନ । ଏହି ଦିନ ସୂର୍ଯ୍ୟ ଅଶ୍ଵିନୀ ନକ୍ଷତ୍ର ମେଷ ରାଶିକୁ ଗତି କରିଥାନ୍ତି । ଓଡ଼ିଶାରେ ପ୍ରଚଳିତ ପାଞ୍ଜି ଜଗନ୍ନାଥ ସଂସ୍କୃତି ଓ ନୀତି ଅନୁସାରେ ପ୍ରସ୍ତୁତ ହୋଇଥାଏ । ଓଡ଼ିଶାରେ ଶ୍ରୀଜଗନ୍ନାଥ ମନ୍ଦିର ବ୍ୟତିତ ଯାଜପୁରର ଵିରଜା ମନ୍ଦିରର ପାଞ୍ଜିକୁ ସ୍ଵୀକୃତି ଦିଆଯାଇଥାଏ ।
ସୂର୍ଯ୍ୟଙ୍କୁ ପୂଜା କରିବା ପାଇଁ ଏହିଦିନଠାରୁ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଓଡ଼ିଆ ଘର ଚଉଁରାରେ ଠେକି ଵସାଯାଇ ପାଣି ଢଳାଯାଇଥାଏ । ତେଣୁ ଏହି “ସଙ୍କ୍ରାନ୍ତି”କୁ “ଜଳ ସଙ୍କ୍ରାନ୍ତି” ନାମରେ ମଧ୍ୟ ଜଣାଯାଇଥାଏ । ଏହି ସମୟରେ ପଣାଦାନ କରାଯାଉଥିଵାରୁ ଏହାର ଅନ୍ୟ ଏକ ନାମ ମଧ୍ୟ ପଣା ସଙ୍କ୍ରାନ୍ତି ।
କିମ୍ବଦନ୍ତି ଅନୁସାରେ ଏକଦା ହନୁମାନ ସୂର୍ଯ୍ୟଙ୍କୁ ଗିଳିଦେଇଥିଲେ । ତେଣୁ ପ୍ରଚଣ୍ଡ ରୌଦ୍ରତାପ ପ୍ରକୋପରୁ ରକ୍ଷାପାଇଵାପାଇଁ ହନୁମାନଙ୍କ ଆଗରେ ଗୁହାରି କରାଯାଏ । ସମୟକ୍ରମେ ଏହାର ମୂଳ ଉଦ୍ଦେଶ୍ୟ ଲକ୍ଷ୍ୟଚ୍ୟୁତ ହୋଇ ହନୁମାନଙ୍କ ଜନ୍ମଦିନ (ଜୟନ୍ତୀ) ଭାବେ ପାଳନ ହେଉଛି ।
ଏହି ଦିନଠାରୁ ସୂର୍ଯ୍ୟତାପ ପ୍ରଖରରୁ ପ୍ରଖରତର ହେଵା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିଵାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ତେଣୁ ଏହି ସମୟରେ ସୂର୍ଯ୍ୟ ଉପାସନା ସହ, ଦେଵାଳୟରେ ହେଉଥିଵା ପୂଜାର୍ଚ୍ଚନାରେ ଭଜା ଗହମ, ବୁଟ ଓ ଅରୁଆ ଚାଉଳରୁ ପ୍ରସ୍ତୁତ “ଛତୁଆ” ଭୋଗ ସହ “ପଣା” ଭୋଗ ମଧ୍ୟ କରାଯାଏ । “ପଣାରେ” ପାଚିଲା କଦଳୀ, ଛେନା, ଦୁଗ୍ଧ, ପାଚିଲା ବେଲ, ନଡ଼ିଆ, ଗୁଡ଼ ଵା ଚିନି, ଛତୁଆ ମିଶିଥାଏ । “ପଣା” ଭୋଗ ଖରାଦିନିଆ ଉତ୍ତମ ଆହାର ଓ “ଛତୁଆ” ଭୋଗ ଦେହକୁ ସୂର୍ଯ୍ୟତାପରୁ ରକ୍ଷା କରିଵା ପାଇଁ ପଣା ସେଵନ ଵିଧିକୁ ପୂଜାର୍ଚ୍ଚନା ମାଧ୍ୟମରେ ଆମ ଚଳଣି ସହ ଯୋଗକରାଯାଇଛି । ବେଲ ଵୈଶାଖ ମାସକୁ ପାଚେ । ପାଚିଲାଫଳକୁ ପଣା କରି ପିଇଥାନ୍ତି । ଓଡ଼ିଶାରେ ଵିଷୁଵ ସଂକ୍ରାନ୍ତିରେ ଏହି ପଣାକୁ ଦିଅଁଙ୍କ ପାଖରେ ଭୋଗ ଲଗାଯାଏ । ବେଲ ପଣା ଏକ ଲୋକପ୍ରିୟ ପାନୀୟ । ଖରା ଦିନେ ଶିବ ଉପାସନାର ସମୟ । ଖରାଦିନେ ଏହା ପ୍ରଚୁର ମିଳୁଥିବାରୁ ପଣାରେ ଏହାର ଵ୍ୟଵହାର ଦେଖିବାକୁ ମିଳେ ।
ଗ୍ରୀଷ୍ମଦିନେ କେବଳ ମାନଵ ସମାଜ ନୁହେଁ ଉଦ୍ଭିଦ ଓ ପ୍ରାଣୀଜଗତର ମଧ୍ୟ ପ୍ରଚୁର ଜଳ ଆବଶ୍ୟକ ହୋଇଥାଏ । ସହରରେ ଛାତରେ ଗାଁ ଗହଳିରେ ଗିନା ରଖି, ଦାଣ୍ଡ କିମ୍ବା ବାରି ପଟେ ଛୋଟ ଏକ ପୂଜା କରି ଗାତ ଖୋଳି ଜୀବଜନ୍ତୁଙ୍କ ଲାଗି ପଣା ଅର୍ପଣ କରାଯିଵାର ଦେଖାଯାଏ ।
ଦାନ ପୁଣ୍ୟ ଓଡ଼ିଆ ସଂସ୍କୃତିର ମହାନ ଅଙ୍ଗ । ସାମର୍ଥ୍ୟ ଅନୁଯାୟୀ କେହି କେହି ପାଦକୁ ଜୋତା ଓ ଖରା ପାଇଁ ଛତା ବିଞ୍ଚଣା, ପତଳା ଵସ୍ତ୍ର ମଧ୍ୟ ଦାନ କରିଥାନ୍ତି । ସାହିପଡ଼ିଶା, ସାଙ୍ଗସାଥୀମାନଙ୍କୁ ଛତୁଆ ଓ ପଣା ପ୍ରଦାନପୂର୍ଵକ ଭାଵର ଆଦାନପ୍ରଦାନ ମଧ୍ୟ ଏହିଦିନ କରାଯାଇଥାଏ । ଅନେକ ସମୟରେ ଵ୍ୟଵସାୟୀମାନେ ନିଜ ଵ୍ୟଵସାୟସ୍ଥଳୀ ସମ୍ମୁଖରେ ମାଗଣା ପଣା ବଣ୍ଟନ କରିଥାନ୍ତି । ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କ ତରଫରୁ ଜଳ ଛତ୍ର ଖୋଲାଯାଇଥାଏ ।
ପ୍ରତିଟି ଓଡ଼ିଆଙ୍କ ଘର ଅଗଣାରେ ଅଛି ତୁଳସୀ ଚଉରା । ପ୍ରତ୍ୟହ ସକାଳେ ସ୍ନାନ ଅନ୍ତେ ଓଡ଼ିଆମାନେ ଚଉରାରେ ଥିବା ତୁଳସୀ ଗଛ ମୂଳରେ ଜଳ ଢାଳି ପୂଜା କରିଥାନ୍ତି ଓ ଏହି ଗଛର ପତ୍ରକୁ ପ୍ରସାଦ ରୂପେ ଗ୍ରହଣ କରିଥାନ୍ତି । ତୁଳସୀ ଗଛର ନାନାଦି ଅଙ୍ଗ କଫ ଥଣ୍ଡା ଓ ଜ୍ଵର ନିମନ୍ତେ ଆୟୁର୍ଵେଦିକ ଔଷଧ ରୂପେ ଵ୍ୟଵହାର କରାଯାଇଥାଏ । ଗ୍ରୀଷ୍ମଦିନେ ପଥର ଦୁମରୁ ଜଳ ଆହରଣ ନକରି ପାରି ଗଛ ଶୁଖିବାକୁ ଵସେ । ତେନ୍ତୁ ପଣା ସଂକ୍ରାନ୍ତି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ଘଡ଼ିରେ ପାଣି ଭରିଦେଲେ ଅନେକ ସମୟ ଧରି ଏହାର କ୍ଷୀଣ ଜଳଧାର ତୁଳସୀ ମୂଳକୁ ଓଦା ରଖେ, ଜଳତାପରୁ ରକ୍ଷାକରେ । ଏହା ଵସୁନ୍ଧରା ଠେକି ନାମେ ଜଣା । ଅନେକ ସ୍ଥାନରେ “ତୁଳସୀ ପୂଜା” ଏହିଦିନ “ତୁଳସୀ” ଗଛ ଉପରେ ନଡ଼ିଆ ପତ୍ରର ଛାମୁଡ଼ିଆ କରି, ତହିଁରୁ ତୁଳସୀ ଗଛ ଉପର ପର୍ଯ୍ୟନ୍ତ ଏକ ପତଳା ସୁତା ସାହାଯ୍ୟରେ ମାଟି ଘଡ଼ିଟିଏ ବାନ୍ଧି ଓହଳାଇ ଦିଅନ୍ତି । ଏହି ଘଡ଼ିର ନିମ୍ନାଂଶରେ ଛୋଟ ଛିଦ୍ରଟିଏ କରାଯାଇଥାଏ ।
ଏହି ମାସରେ ଖାଦ୍ୟ ପେୟ ସନ୍ତୁଳିତ ରଖାଯାଏ । ଓଡ଼ିଆମାନେ ଆମିଷ ଭକ୍ଷଣଠାରୁ ଦୂରେଇ ରୁହନ୍ତି (ବୈଜ୍ଞାନିକ କାରଣ: ଏହା ତାପ ଓ ଉତ୍ତେଜନା ସୃଷ୍ଟିକାରୀ) । ପଖାଳ, ଶାଗ ଓ ବାଡି ପନିପରିବା ଆଦି ଖାଇ ଦିନଗୁଡ଼ିକୁ ସୁରୁଖୁରୁରେ କଟେଇଦିଅନ୍ତି । ବେଲ, ତାଳସଜ ଆମ୍ବ , ଫୁଟି କାକୁଡ଼ି, ସପୁରୀ, ଖରଭୁଜ ଆଦି ଫଳ ଭଗଵାନ ଯେପରି ଗରମରୁ ତ୍ରାହି ପାଇଵାପାଇଁ ଓଡ଼ିଆମାନଙ୍କ ଲାଗି ଖଞ୍ଜି ଦେଇଛନ୍ତି ।
ଅସହ୍ୟ ଗୁଲୁମୁଳିର ଜୀଵନ ଶୈଳୀରେ ଵ୍ୟାଘାତ ସୃଷ୍ଟି ହୁଏ । ଵିଳମ୍ବିତ ରାତି ଯାଏଁ ନିଦ ନହେଵାରୁ ମନ ମନୋରଂଜନ ପାଇଁ ସୁଯୋଗ ଖୋଜେ । ବୋଧ ହୁଏ ଏଥିରୁ ଦଣ୍ଡ ନାଟର ପରିକଳ୍ପନା ।
ଦଣ୍ଡନାଚ ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ମାନସିକ ପୂରଣ ପାଇଁ ସାଧାରଣତଃ ଏହା କରାଯାଏ । ରୋଗଵୈରାଗ ନିବାରଣ, ପାରିଵାରିକ କଷ୍ଟ ଦୂରୀକରଣ, କୃଷିର ଉନ୍ନତି ବା ମନୋକାମନା ପୂର୍ତ୍ତିର ଫଳ ସ୍ୱରୂପ ଶରୀରକୁ କଷ୍ଟ ଦେଇ ୧୩, ୧୮ ବା ୨୧ ଦିନ ପର୍ଯ୍ୟନ୍ତ ମା’ ଦଣ୍ଡକାଳୀ ଓ ରୁଦ୍ର ମହାଦେଵଙ୍କୁ ଧ୍ୟାନ କରି ଚୈତ୍ରମାସ ପୂର୍ଣ୍ଣିମାପରଠାରୁ ଭକ୍ତମାନେ ରହିଥାନ୍ତି ।
ପାରମ୍ପରିକ ଵିଧି ଅନୁସାରେ ୨୧ ଦିନ ପର୍ଯ୍ୟନ୍ତ ଆମିଷ, ମଦ୍ୟ, ନାରୀସଂସର୍ଗ ପରିହାରର ସଂକଳ୍ପ କରି ୧୩ ଜଣ ଦଣ୍ଡୁଆ ନିଜେ ଦଣ୍ଡ ଭୋଗି ଅନ୍ୟର ମନୋରଂଜନ କରନ୍ତି ।
ଧୂଳିଦଣ୍ଡ, ପାଣିଦଣ୍ଡ ଏବଂ ସୁଆଙ୍ଗ ଏହି ତିନି କ୍ରମରେ ଦଣ୍ଡନାଟ ପ୍ରଦର୍ଶିତ ହୁଏ । ଶିବ ପାର୍ଵତୀ, ଯୋଗିଯୋଗିଆଣୀ, କେଳା କେଳୁଣୀ, ଶବର ଶବରୁଣୀ, ହାଡ଼ି ହାଡ଼ିଆଣୀ, ଚଢ଼େୟା ଚଢ଼େୟାଣୀ, ଵୀଣାକାର ଇତ୍ୟାଦି ସୁଆଙ୍ଗ ଦର୍ଶକମାନଙ୍କୁ ଆକୃଷ୍ଟ କରେ । ପୌରାଣିକ, କୃଷିଭିତ୍ତିକ ଏବଂ ସାଧାରଣ ଜୀଵନ ଦର୍ଶନର ପ୍ରଭାବ ଦଣ୍ଡନାଟ ସୁଆଙ୍ଗରେ ଦେଖିବାକୁ ମିଳିଥାଏ । ଵିଷୁଵ ସଂକ୍ରାନ୍ତି ଦିନ ଦଣ୍ଡନାଚ ଶେଷ ହୁଏ । ଅସହ୍ୟ ଗରମର କଷ୍ଟ ଲାଘବ ପାଇଁ ଖରାଦିନେ ଏହି ନାଟ ଜନମାନସକୁ ଭଲ ମନୋରଂଜନ ଯୋଗାଇଥାଏ ।
ଅନେକ ସ୍ଥାନରେ ନଵ ଵର୍ଷ ଉତ୍ସବ ବା “ଵିଷୁଵ ମିଳନ” ଆୟୋଜନ କରାଯାଇ ବୁଦ୍ଧିଜିଵୀ, ସାହିତ୍ୟିକ ଓ କଵିମାନଙ୍କ ସାହିତ୍ୟ ଆଲୋଚନା ଏବଂ କଵିତା ପାଠ ହୋଇଥାଏ ।
ଓଡ଼ିଶାର ଓଡ଼ିଆ ନଵ ଵର୍ଷ ସହ ପଂଜାବରେ ଵୈଶାଖୀ, ଆସାମର ବିହୁ ପର୍ଵ, ମୈଥିଳି ନଵ ଵର୍ଷ, ବଙ୍ଗର ପହିଲି ଵୈଶାଖ, କେରଳ ଓ ଟୁଡୁନାଡୁର ଵିଷୁ ପରଵ, ତାମିଲନାଡୁର ପୁଥାଣ୍ଡୁ ପର୍ଵ ମଧ୍ୟ ଏହି ଦିନ ଏକ ସମୟରେ ଅତି ଯାକଜମକରେ ପାଳିତ ହୁଏ ।