ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପାଳନ କରାଯାଏ । ପଶ୍ଚିମ ଓଡ଼ିଶାରେ ପ୍ରକୃତି ପୂଜାର ପରମ୍ପରା ମଧ୍ୟରେ ନୂଆଖାଇର ମହତ୍ତ୍ୱ, ଗୁରୁତ୍ୱ ବହନ କରି ଆସିଛି ।
ନୂଆ ଧାନର ଚାଉଳରୁ ପ୍ରସ୍ତୁତ ଅନ୍ନ ଓ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟକୁ ସହର, ଗ୍ରାମ ଓ ଘରମାନଙ୍କର ଇଷ୍ଟ ଦେବାଦେବୀଙ୍କ ଠାରେ ଅର୍ପଣ କରାଯାଏ ।ଶ୍ରାବଣ ମାସର ଶେଷ ବେଳକୁ ଖରିଫ ଧାନ ଚାଷ କାର୍ଯ୍ୟ ପ୍ରାୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଯାଇଥାଏ । ଅକ୍ଷୟ ତୃତୀୟା ଓ ଶୀତଳଷଷ୍ଠୀ ସମୟରେ କରାଯାଇଥିବା ଧାନ ଚାଷର ପ୍ରଥମ ଶସ୍ୟ ନବାନ୍ନ ବେଳକୁ ଅମଳକ୍ଷମ ହୋଇଥାଏ । ଏହାକୁ ଖରଡ଼ି ଚାଷ କହନ୍ତି । ସୁରୁଆଁ କିସମର ଧାନ ବିହନ ଏଥିପାଇଁ ଚାଷୀମାନେ ଉପଯୋଗ କରିଥାନ୍ତି । ଭଳ ଜମିରେ ଚାଷୀମାନେ ନବାନ୍ନ ସକାଶେ ଏହି ଧାନ ଚାଷ କଲା ଉତ୍ତାରୁ ଖରିଫ ଫସଲର କାର୍ଯ୍ୟ ଆରମ୍ଭ କରିଥାନ୍ତି ।
ନୂଆଖାଇ ଦିନ ବଡ଼ି ଭୋରରୁ ଗାଁ ମାନଙ୍କରେ ପୀଢ଼ି ପୀଢ଼ି ଧରି ନିର୍ଦ୍ଧିଷ୍ଟ ପରିବାର ନୂଆ ଧାନ ଗ୍ରାମବାସୀମାନଙ୍କୁ ପ୍ରଦାନ କରିଥାନ୍ତି । ଏପଟେ ଗୃହିଣୀମାନେ ମଧ୍ୟ ଘର ଲିପା ପୋଛା କରି ନୂଆଁଖାଇକୁ ସ୍ୱାଗତ କରିବାକୁ ଅନେଇ ବସନ୍ତି । ଘର ଲିପାପୋଛା କରି ନୂଆ ରଂଗ ଲଗାଇ ନୂଆଁଖାଇକୁ ସ୍ୱାଗତ କରନ୍ତି । ପୁଣି କିଏ ନୂଆଁଖାଇ ପାଇଁ ପତ୍ର ତୋଳିବାରେ ଲାଗି ଥିବାବେଳେ ଆଉ କିଏ ନୂଆଁ ଧାନ ସଂଗ୍ରହ କରିବାରେ ବ୍ୟସ୍ତ ରୁହନ୍ତି । ବିଶେଷ କରି ଗୃହିଣୀମାନେ ଘରକୁ ନୂଆ କରି ସଜାଡ଼ିବାରେ ଲାଗି ପଡ଼ନ୍ତି ।
ନୂଆଁଖାଇରେ ଚାଷୀ ପ୍ରଥମେ ତାର ଉତ୍ପାଦିତ ଶସ୍ୟକୁ ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରଂପରା ରହିଆସିଛି । ତେଣୁ ମୁଗ, ବିରିଠାରୁ ଆରମ୍ଭ କରି ପନିପରିବା ଏବଂ ବିଶେଷ ଭାବେ ନୂଆ କରି ଅମଳ କରିଥିବା ଧାନ ନିଜ ଇଷ୍ଟଦେବୀଙ୍କୁ ଅର୍ପଣ କରି ପରିବାରର ସୁଖ ମନାସେ ଚାଷୀ । ତେବେ ଖାଲି ଚାଷୀ ନୁହେଁ ନୂଆଁଖାଇ ପାଳିବାକୁ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଥାଏ ପ୍ରବଳ ଉତ୍ସାହ । ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ନବାନ୍ନ ଦିନ ଘରେ ଉପସ୍ଥିତ ହେବାକୁ ଚେଷ୍ଟା କରିଥାନ୍ତି, ଯେଉଁମାନେ ନିଜ ଭିଟାମାଟିକୁ ଆସି ନ ପାରନ୍ତି, ସେମାନେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରିଥାନ୍ତି ।
ଫସଲ ଅମଳ ହେବା ପରେ ଯଦିଓ ଭାରତର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଇଥାଏ । ନୁଆଁ ଖାଇ ପର୍ବ ପରି କେରଳର ଓଣମ, ଆସାମର ଭୋଗଲି ବିହୁ ପର୍ବ ପାଳନ ହେଉଥିବାର ଦେଖାଯାଏ । ବଲାଙ୍ଗିର, ବରଗଡ଼, ସମ୍ବଲପୁର, କଳାହାଣ୍ଡି ସମେତ ରାଜ୍ୟର ପଶ୍ଚିମାଳର ପ୍ରାୟ ବାରଟି ଜିଲ୍ଲାରେ ‘ନୂଆଖାଇ ପର୍ବ’ ବା ‘ନବାନ୍ନ’ ହେଉଛି ଏକ ପ୍ରମୁଖ ପର୍ବ ।
ସେପ୍ଟେମ୍ବର ମାସରେ ପଡ଼ୁଥିବା ଓଡ଼ିଆ ମାସ ଭାଦ୍ରବର ପ୍ରଥମ ପକ୍ଷର ପ୍ରଥମ ଦିନରେ ପଶ୍ଚିମ ଓଡ଼ିଶାର ଗାଁ ଗହଳିରେ ଅମଳ ହୋଇଥିବା ନୂଆ ଧାନ ପ୍ରଥମେ ଇଷ୍ଟ ଦେବୀଙ୍କ ଉଦ୍ଦେଶ୍ୟରେ ପୂଜା କରାଯାଏ । ଏହି ଦିନ ଚାଷୀ କ୍ଷେତକୁ ଯାଇ କ୍ଷୀର, ଅରୁଆ ଚାଉଳ, ଧୂପ ଦୀପ ଦେଇ ପୂଜା କରିଥାଏ । ଏହି ପୂଜାକୁ ‘ଗୁରସ’ ପୂଜା କୁହାଯାଏ। ନୂଆ ଖାଇ ଦିନ ଭଲ ଗଲେ ବର୍ଷସାରା ଭଲ ଯାଏ ବୋଲି ଲୋକମାନଙ୍କର ବିଶ୍ବାସ ଅଛି ।
ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ପ୍ରସିଦ୍ଧ ପୂଜ୍ୟ ଦେବତା ଯଥା ସମ୍ବଲପୁରର ସମଲେଶ୍ବରୀ, ବଲାଙ୍ଗିରର ପାଟଣେଶ୍ବରୀ, ସୋନପୁରର
ସୋନେଶ୍ବରୀ, କଳାହାଣ୍ଡିର ମାଣିକେଶ୍ବରୀ ଆଦିଙ୍କ ପୀଠରେ ନୂଆଖାଇ ଅବସରରେ ନୂଆ ଧାନକୁ କ୍ଷୀର ସହ ମିଶାଇ ପୂଜା କରାଯାଏ ।
ଘରର ବହୋଜ୍ୟେଷ୍ଠ ବ୍ୟକ୍ତି ବା ମହିଳା ଏହି ପ୍ରଥମ ଧାନରେ ତିଆରି ଭୋଗକୁ ପରିବାରର ସମସ୍ତଙ୍କୁ ବାଣ୍ଟିଥାନ୍ତି ।
ଏହି ଦିନଟିର ଅମୃତବେଳା ବା ଶୁଭବେଳା ଜ୍ୟୋତିଷମାନଙ୍କ ଦ୍ଵାରା ନିର୍ଣ୍ଣୟ କରାଯାଇ ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଭକ୍ଷଣ କରିଥାନ୍ତି । ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ଆରିସା ଓ ମଣ୍ଡାପିଠା ନିଜ ନିଜ ଘରେ ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ (ମାଉଳୀ), ଦେବତା, ଆରାଧ୍ୟ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ଖାଇଥାନ୍ତି ।ଖାଇସାରିବା ପରେ ଭେଟଘାଟ ପର୍ବ ଆରମ୍ଭ ହୁଏ ।
ଗ୍ରାମଦେବତୀଙ୍କ ପୀଠରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ କାମନା କରିଥାନ୍ତି । ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ପରସ୍ପର ମଧ୍ୟରେ ଥିବା ତିକ୍ତତା ଦୁରେଇ ଦେଉଥିବା ଏହି ପର୍ବରେ ନିଜଠାରୁ ବଡ଼ ଲୋକଙ୍କୁ ସମସ୍ତେ ତାଙ୍କର ଭକ୍ତି ପ୍ରଦର୍ଶନ କରିଥାନ୍ତି । ସମସ୍ତେ ମିଳିମିଶି ନୂଆ ପୋଷାକ ପିନ୍ଧିବା ସହ ମଉଜ ମଜଲିସରେ ଦିନଟି ଅତିବାହିତ କରନ୍ତି ।
ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା ।
ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ । ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତାକରାଯାଇ ସର୍ବସମ୍ମତ କ୍ରମେ ଗଣେଶ ଚତୁର୍ଥୀ ପରଦିନ ଅର୍ଥାତ ଋଷ ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି । କଳାହାଣ୍ଡି ଜିଲ୍ଲାର କିଛି ଅଞ୍ଚଳରେ ଏହା ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ । ପୂର୍ବାଞ୍ଚଳରେ ଏହା ଆଶ୍ଵିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେବାର ବିଧାନ ରହିଅଛି । ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଅପରପକ୍ଷ (ମହାଳୟା) ପରଠାରୁ ପିତୃ ପୁରୁଷ ପିଣ୍ଡଦାନ ଶ୍ରାଦ୍ଧରେ ଏହି ନବାନ୍ନ ଦେବାର ବ୍ୟବସ୍ଥା ଅଛି ।
ଏହା ସମଗ୍ର ଓଡ଼ିଶାରେ ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ରାଜା ହେଉ କି ପ୍ରଜା ଧନୀ ହେଉ କି ଗରିବ, ଭାଇଚାରା ଓ ଏକତାର ପର୍ବ ନୂଆଖାଇ କୁ ପାଳନ କରିବା ପାଇଁ ସମସ୍ତଙ୍କ ଉତ୍ସାହ ଦେଖିବାକୁ ମିଳେ ।
ଆପଣ ଜାଣନ୍ତି କି? ବରଗଡ଼ ଜିଲ୍ଲାର ସୋହେଲା ବ୍ଲକର ସମଳେଇଟିକ୍ରା ଗ୍ରାମର ଗ୍ରାମବାସୀମାନେ ପାଳନ୍ତି ନିଆରା ନୂଆଖାଇ ।ପାରମ୍ପରିକ ପୂଜା ସହ ଗାଁକୁ ଆମ୍ବ ତୋରଣରେ ସଜାଯାଏ । ସାରା ଗାଁଲୋକେ ଗ୍ରାମମଝିରେ ଥିବା ମନ୍ଦିର ପଡ଼ିଆରେ ଏକାଠି ମିଶି ନୂଆ ଖାଇଥାନ୍ତି ।
——————————————————————————————————————–
Author NISTHA RANJAN DASH (@DashNistha on twitter)
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPost. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…