Bhubaneswar Buzz

ଗାଁର କଥା – ଛୋଟ ନଈ ନୂଆ ନଈ : beautiful blog in Odia by Chandra Sekhar Dash

 

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଗାଁ ସୁଆଁଣ୍ଡୋ, ଭାର୍ଗବୀ ନଦୀର କୂଳରେ ଅବସ୍ଥିତ। ସେଠାରୁ ଚାରି କିଲୋମିଟର ପରେ ସେହି ନଦୀ କୂଳରେ ଏକ ପୁରାତନ ହାଟ- ଗବକୁଣ୍ଡ ଏବଂ ଆଉ ଏକ କିଲୋମିଟର ପରେ, ଆମ ଗାଁ। ଏ ସବୁ ଭାର୍ଗବୀ ନଦୀର ବାମ ପଟେ ଅବସ୍ଥିତ। ନଦୀଟି ଆମ ଗାଁକୁ ଛୁଇଁ, ଚିଲିକା ହ୍ରଦ ଆଡକୁ ଚନ୍ଦନପୁର ଦେଇ, ବହିଯାଇଛି। କେତେ କଙ୍କାବଙ୍କା ତାର ଗତିପଥ। ଆମ ଗାଁ ଓ ଗବକୁଣ୍ଡ ହାଟ ମଝିରେ, ଦକ୍ଷିଣ ମୁଖା ନଦୀର ସ୍ରୋତଟି, ବଙ୍କା ହୋଇ, ପଶ୍ଚିମ ମୁଖା ହୋଇ ଯାଇଛି ।

ଯେଉଁଠି ନଦୀଟି ବଙ୍କା ହେଇଛି, ସେଇଠି ନଦୀ ବନ୍ଧରେ ବିରାଟ ଏକ ବରଗଛ ଥାଏ। ଶହେ ହେବ ଶାଗୁଣା ସେ ଗଛରେ ବସା କରି ରହି ଥାଆନ୍ତି। ନଦୀ ବନ୍ଧକୁ ଲାଗି ଘଞ୍ଚ ଏକ ଛୋଟ ଜଙ୍ଗଲ ଏବଂ ତା ପରେ ଧାନ କ୍ଷେତ, ଦକ୍ଷିଣ ଆଡକୁ ଲମ୍ବି ଲମ୍ବି, ବଙ୍ଗୋପସାଗର ପର୍ଯ୍ୟନ୍ତ ଯାଇଛି।

ସ୍କୁଲରେ ସଂକୃତ ପଣ୍ଡିତେ ଯେତେବେଳେ ପଢାନ୍ତି- ‘ଅସ୍ତି ଗୋଦାବରୀ ତୀରେ ବିଶାଳ ସାଳମଳୀ ତରୁ’ – କେଜାଣି କାହିଁକି ଭାର୍ଗବୀ ନଦୀ ବନ୍ଧର, ସେ ଭୀମକାୟ ବରଗଛ, ମନରେ ଠିଆହୁଏ ଓ ସେ ଶାଗୁଣାଗୁଡାକ ଖେଚେରେ ମେଚେରେ କରି ଉଠନ୍ତି। ପଣ୍ଡିତଙ୍କ ପାଠ ବୁଝିବା ସହଜ ହୋଇଯାଏ।

ଭାର୍ଗବୀ ନଦୀରେ ପ୍ରବଳ ବନ୍ୟା ଆସେ। ଚିଲିକାରେ ସହଜରେ ନ ମିଶିପାରି, ସେ ବନ୍ୟା ପାଣି ବିସ୍ତୀର୍ଣ ଅଞ୍ଚଳରେ ଅନେକ ଦିନ ଯାଏଁ ରହି, ବହୁତ କ୍ଷତି କରାଏ। ପୁରୀ ଯିବା ରାସ୍ତାରେ, ବାଟମଙ୍ଗଳାଙ୍କ ପାଖରେ ଠିଆ ହୋଇ ପଶ୍ଚିମ ଦିଗକୁ ଚାହିଁଲେ, ମନେହୁଏ ସତେ ଯେମିତି ନୂଆ ଏକ ହ୍ରଦ ( ବଢିଆ) ସୃଷ୍ଟି ହୋଇଛି।

ଶୁଣାଯାଏ ଗୋପବନ୍ଧୁ ଜନତାର ଦୁଃଖ ଦୂର କରିବା ପାଇଁ, ସେହି ଶାଗୁଣା ବରଗଛଠାରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ କୃତ୍ରିମ ନଦୀର ପରିକଳ୍ପନା କରିଥିଲେ । କାରଣ ସେଠାରୁ ସାଗରର ଦୂରତା ମାତ୍ର ପନ୍ଦର କି ଷୋହଳ କିଲୋମିଟର ହେବ। ସେଭଳି ନଦୀଟିଏ ରୂପ ନେଲେ, ପୁରୀ ଜିଲାର ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ବନ୍ୟାଜଳ ମାସ ମାସ ଧରି ଜମି ରହିବ ନାହିଁ। ସେଠାକାର ଲୋକଙ୍କ ଦୁଃଖ ଦୂରହେବ।

୧୯୨୮ରେ ଗୋପବନ୍ଧୁ ଦେହତ୍ୟାଗ କରିଥିଲେ। ତାଙ୍କ କଥା କିଏ ଅବା ମନେରଖିଥିଲା। ୧୯୬୪-୬୫ ମସିହା ପାଖାପାଖି ସମୟ। ଆମେମାନେ ସ୍କୁଲରେ ପଢୁଥାଉ। ଆମ ଗାଁର ପୂର୍ବ ପଟେ ଧାନ ବିଲରେ ମାଟି ଖୋଳିବାକୁ ମୂଲିଆମାନେ ଆସି ସେମାନଙ୍କର ଅସ୍ଥାୟୀ ଶିବିର ପ୍ରତିଷ୍ଠା କରିବା ଦେଖି, ଆମେ କିଛି ବୁଝି ପାରି ନଥିଲୁ। ଆମର ଧାନ ଜମିରେ ଆଉ ଧାନବୁଣା ହେଉନଥାଏ। ବାରଶହ ଫୁଟ ଓସାରର ଏକ ନୂଆ ନଈ, ସେ ଶାଗୁଣା ବରଗଛଠାରୁ ବାହାରି ସମୁଦ୍ରକୁ ଲାଗିବ ବୋଲି ସରକାରୀ ଯୋଜନା ହୋଇଥିବା ଶୁଣିବାକୁ ମିଳିଲା। ବିଲରୁ ମାଟିକାଟି, ନଦୀବନ୍ଧ ତିଆରି ଚାଲିଥାଏ। ଧାନବିଲ ହରାଇଥିବା କିଛି ଲୋକ, ପାଇଥିବା କ୍ଷତିପୂରଣ ଟଙ୍କାରେ ମାଟିଘରମାନଙ୍କୁ ସିମେଣ୍ଟ ବା କୋଠା ଘର କରୁଥାଆନ୍ତି। କେତେ ତ ଭୂମିହୀନ ହୋଇଗଲେ।

ନୂଆ ହୋଇ ତିଆରି ହେଉଥିବା ନଦୀବନ୍ଧର, ବଢୁଥିବା ରୂପକୁ ଦେଖିବାକୁ ଓ ସଦ୍ୟ ଖୋଳା ଖାତରେ ଖେଳିବାକୁ ଆମକୁ ଖୁବ ମଜା ଲାଗୁଥାଏ । ଚାରି କିଲୋମିଟର ଲମ୍ବା, ନୂଆ ତିଆରି ଦୁଇଟି ବନ୍ଧକୁ, ଭାର୍ଗବୀର ବାମପଟ ପୁରାତନ ବନ୍ଧ ସହ ଯୋଡି ଦିଆଗଲା। ସେହି ପୁରୁଣା ବନ୍ଧର କିଛି ଅଂଶ କାଟି ଦିଆଗଲା। ସେହି ଯାଗାର ନାମ ଦିଆଯାଇଥିଲା ଗବକୁଣ୍ଡ କଟ୍।

ଗଛମାନଙ୍କର ଦାଦିବୁଢା, ସେ ଶାଗୁଣା ବରଗଛର ଚିହ୍ନ ରହିଲା ନାହିଁ। ସେ ଶାଗୁଣାମାନେ କେଉଁଆଡେ ସରଣାର୍ଥୀ ହେଲେ, ଖବର ମିଳିଲା ନାହିଁ। ଗବକୁଣ୍ଡ ହାଟ ବା ସୁଆଁଣ୍ଡୋ ଗାଁକୁ ଯିବା ପାଇଁ ଆମକୁ ଏଥର ନୂଆନଈ ପାର ହୋଇ ଯିବାକୁ ହେଲା। ନୂଆ ନଈର ଦୁଇ ବନ୍ଧ ଚାରି କିଲୋମିଟର ଯାଇ, ଅନେକ ବର୍ଷ ପାଇଁ ଆଉ ସମୁଦ୍ର ଆଡକୁ ବଢିଲା ନାହିଁ।

ତା ପରେ ଯେବେ ଭାର୍ଗବୀରେ ବଢି ଆସିଲା, ବାରସହ ଫୁଟ ଓସାରର ଜଳରାସି ସମୁଦ୍ର ଆଡକୁ ମାଡିଚାଲିଲା। ସହ ସହ ଲୋକ ପୁରୁଣା ବନ୍ଧର ଦୁଇ ପଟେ ରହି, ଭାର୍ଗବୀର ନୂଆ ଶାଖାରେ ଉଛୁଳି ଉଛୁଳି ବହୁଥିବା ବଢି ପାଣିର ଦୃଶ୍ୟ ଦେଖିବାକୁ ଆସିଲେ। ଚିଲିକା ପଟେ ଜମା ହେଉଥିବା ପାଣି, ଆମ ଗାଁର ତଳ ଅଞ୍ଚଳରେ ଜମା ହେଲା ଓ ସେଠାକାର ଚାଷୀଙ୍କର କ୍ଷତିକରି, କ୍ରୋଧ ବଢାଇଲା। ଜନତାର ଚାପରେ ଓ ନେତାଙ୍କ ନିର୍ଦ୍ଦେଶରେ, ଶାଗୁଣା ବରଗଛ ଥିବା ଯାଗାରେ, ବର୍ଷେ, କଟା ହୋଇଥିବା ପୁରୁଣା ବନ୍ଧକୁ ଯୋଡି, ଚିଲିକାକୁ ବନ୍ୟାଜଳ ଛଡାଗଲା ତ, ତା ପର ବର୍ଷ, ଚଲିକା ପାଖ ଲୋକଙ୍କ ହିତରେ, ପୁଣି ସେ ପୁରୁଣା ବନ୍ଧକୁ କାଟି, ନୂଆ ନଈରେ ସିଧା ସମୁଦ୍ର ଆଡକୁ ବନ୍ୟାଜଳ ଛଡାଯାଉଥିଲା। ଏମିତି ଓଲଟପାଲଟ କିଛି ବର୍ଷ ଚାଲିଲା।

ପଚିଶି ବର୍ଷରୁ କମ ସମୟ ଲାଗିନି ସେ ପନ୍ଦର କିଲୋମିଟର ଲମ୍ବା ଦୁଇଟା ବନ୍ଧ ସମ୍ପୂର୍ଣ କରିବାପାଇଁ। ଦୁଇ ବନ୍ଧକୁ ଲାଗି ଦୁଇଟି ପାଣିର ଧାର । ଏକଦା ଉର୍ବର ମାଟିରେ ବର୍ତ୍ତମାନ ସଫେଦ ବାଲିର ଆସ୍ତରଣ। କାଶତଣ୍ଡି ଫୁଲ ଫୁଟିବା ଋତୁରେ, ମନେହୁଏ ନଈ ଭିତରେ କିଏ ଯେମିତି ଏକ ଧଳା ଗାଲିଚାରେ ଢେଉ କରାଉଛି ।

ଏବେ ଭାର୍ଗବୀର ଏହି କ୍ଷୁଦ୍ର ଶାଖାଟି ସବୁଦିନ ପାଇଁ ବଢିପାଣିକୁ, ଆମ ଗାଁଠାରୁ ସିଧା ସମୁଦ୍ରକୁ ନେଇଯାଉଛି। ଚିଲିକାର ପାଖ ଅଞ୍ଚଳକୁ ବନ୍ୟାର ଦାଉରୁ ରକ୍ଷାକରୁଛି । ପ୍ରତିବର୍ଷ ସୃଷ୍ଟି ହେଉଥିବା ସେ ‘ବଢିଆ’ ନାମି ଅଳପ ମାସିଆ କୁତ୍ରିମ ହ୍ରଦକୁ ଚିରଦିନ ପାଇଁ ଶୁଖାଇ ଦେଇଛି। ଗୁଗୁଲ୍ ମ୍ୟାପରେ ନୂଆ ନଈର ଧାର, ଗବକୁଣ୍ଡ କଟ୍ ଠାରୁ ସମୁଦ୍ର ପର୍ଯ୍ରନ୍ତ ପରିଷ୍କାର ଦେଖି ହେଉଛି।

ଗବକୁଣ୍ଡ କଟ୍ ଠାରେ ମାଡିଆସୁଥିବା ବଢି ପାଣି ଦୁଇ ଭାଗ ହୋଇ ଭାର୍ଗବୀ ନଈ ଓ ତାର ଶାଖା ନୂଆ ନଈରେ ବହି ଯାଉଥିବାରୁ, ବନ୍ୟା ଜନିତ ଦୁର୍ଦ୍ଦଶା ଦୂର ହେଲେ ମଧ୍ୟ, ଆଉ ଏକ ନୂଆ ବିପଦ ସୃଷ୍ଟି ହେବାକୁ ଯାଉଛି। ସେ କଥା ସରକାର କିମ୍ବା କେହି ଦେଶ ସେବୀ ଭାବି ପାରି ନ ଥିଲେ। ସମୁଦ୍ରରୁ ଲୁଣା ପାଣି, ନୂଆନଈରେ ଆମ ଗାଁ ଆଡକୁ ପ୍ରାୟ ଦଶ କିଲୋମିଟର ପର୍ଯ୍ୟନ୍ତ ମାଡିଆସିଛୁ।

ଏହି ନଈର ପଚାଶ ବର୍ଷ ବୟଷରେ, ପାଖ ଆଖ ଧାନବିଲ ଲୁଣା ଧରିବାର ଆଶଙ୍କା ଦେଖାଦେଇଛି। ଆଉ ପଚାଶ ବର୍ଷ ପରେ, ଚାଷୀଭାଇ ମାଛଧରା ଡଙ୍ଗା ନେଇ ମାଛମାରିବାକୁ ଆମ ଗାଁରୁ ବାହାରି ନୂଆନଈ ବକ୍ଷରେ ସମୁଦ୍ରକୁ ଯାଉଥିବାର ଦୃଶ୍ୟ ମୁଁ କଳ୍ପନା କରିପାରୁଛି, ଯଦିବା ସେତେବେଳକୁ ନଥିବି ଦେଖିବା ପାଇଁ।
*********************
ଶ୍ରୀ ଚନ୍ଦ୍ର ଶେଖର ଦାଶ
ତାରିଖ- ୨୫/୦୭/୨୦୧୭
ସ୍ଥାନ- ଭୁବନେଶ୍ୱର

Comments

comments