Bhubaneswar Buzz

ଗାଁର କଥା (୩୬) – ବୃକ୍ଷ ବନ୍ଧନ : beautiful blog in Odia by Chandra Sekhar Dash

 

ଚେନ୍ନାଇଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତାରେ ପ୍ରାୟ ୩୬୦ କିଲୋମିଟର ଗଲା ପରେ ତ୍ରିଚି ସହର ଆସେ। ୨୦୧୨ ମସିହାରେ ପ୍ରମୋସନ ପରେ ମୁଖ୍ୟ ଆୟକର ଆୟୁକ୍ତ ଭାବରେ ସେଠାରେ ଯୋଗ ଦେବାକୁ ମତେ ନିର୍ଦ୍ଦେଶ ମିଳିଥାଏ। ‘ଭଗବତ-ପିତା’ ନଥିବା ଅଫିସର ରୋଦନ କଲେ କେହି ଶୁଣିବାର ନାହିଁ; ତେଣୁକରି ଏ ଖବର ଶୁଣିକରି ପ୍ରଥମ ଦିନଟି ବହୁତ ମନଦୁଃଖ ହୋଇଥିଲା। ଦ୍ୱିତୀୟ ଦିନ ମନକୁ ଦୃଢ କରି ନେଲି। ସାତ ଦିନ ପରେ ଚେନ୍ନାଇର ବିମାନ ବନ୍ଦରରୁ କାରରେ ତ୍ରିଚି ଅଭିମୁଖେ ଯାତ୍ରା ଆରମ୍ଭ ହେଲା। ପାଛୋଟି ନେବାକୁ ଆସିଥିବା ଅଫିସର ତ୍ରିଚି ସହର, ଅଫିସ ଓ ସେଠାକାର ଲୋକମାନଙ୍କ ଉପରେ ଧାରା ବିବରଣୀ ଦେଇ ଚାଲିଥାଆନ୍ତି। ନୂଆ ଅଫିସରଙ୍କ ମନ, ଯେପରି ତାମିଲନାଡୁର ଏହି ଆଭ୍ୟନ୍ତରୀଣ ସହରେ ଲାଗି ରହିବ, ସେଥିପାଇଁ ସେ ବହୁତ ଯତ୍ନବାନ ଥାଆନ୍ତି।
ତ୍ରିଚି ସହର ପାଖେଇ ଆସିଲା। ରାଜପଥରୁ ନଡିଆ ଓ କଦଳୀ ବଗିଚା, ମାଳ ମାଳ ତାଳ ଗଛ, ଘରମାନଙ୍କୁ ଲାଗି ନିମ୍ବ ଓ ସଜନା ଗଛ ଓ ପାର୍ଶ୍ଵବର୍ତ୍ତୀ କୋଠାବାଡି ଦେଖିକରି ମନରେ ଆସିଲା ସତେ ଯେମିତି ମୁଁ ପଚାଶ ବର୍ଷ ଆଗେଇ ଯାଇଥିବା ଓଡିଶାରେ ପହଞ୍ଚି ଯାଇଛି। ମନ ଭିତରେ ଅଶାନ୍ତି ଭାବ ବଦଳିବାକୁ ଲାଗିଲା। ଓଡିଶା ଭଳି ଯାଗାକୁ ତ ଆସିଛି। ବୋଧହୁଏ ଏଠାରେ ରହିଲେ ଏତେ ଅପର ଲାଗିବ ନାହିଁ।
ସେଦିନ ସନ୍ଧ୍ୟା ସମୟରେ ଅଫିସ ପରିସର ଭିତରେ ଥିବା ଅତିଥି କକ୍ଷରେ ରହିଥିଲି। ପର ଦିନ ସକାଳୁ ବୁଲାବଲି କରିବାକୁ ବାହାରକୁ ଆସିଥାଏ। ଏ କଣ! ଅଫିସ ପରିସରରେ ଏତେ ବଡ ଝଙ୍କାଳିଆ ବଉଳ ଗଛ! ଫୁଲ ଝରି ତଳେ ବିଛାଡି ହୋଇ ପଡିଛି। ମାଟିଆ ରଙ୍ଗର ମଉଳା ବଉଳ ଫୁଲର ବାସ୍ନା ଆମ ଗାଁ ନୂଆ ପୋଖରୀ ପାଖ ବଉଳ ଫୁଲର ବାସ୍ନା ଭଳି ତ ଲାଗୁଛି! ଟିକିଏ ଭାରି ଭାରି ଓ ମତୁଆଳିଆ ମହକ ତାର। ଆମ ବଉଳ ଫୁଲଠାରୁ କିଛି ଫରକ ନୁହେଁ। ପିଲା ବେଳେ ମୋ ଭଉଣୀମାନେ ଆମ ସାହିର ଅନ୍ୟ ସାଥିଙ୍କ ସାଙ୍ଗରେ ନୂଆ ପୋଖରୀ ପାଖକୁ ଯାଇ ତଳେ ପଡିଥିବା ସେହି ବଉଳ ଫୁଲ ଭୋଗେଇରେ ଭରି କରି ନେଇ ଆସୁଥିଲେ। ତା ପରେ ଛୁଞ୍ଚି ସୂତାରେ ତାହାକୁ ମାଳ କରି ମୁଣ୍ଡରେ ବାନ୍ଧି ରଖୁଥିଲେ। ଦୁଇ ଦିନଯାଏ ଘର ଭିତରେ ବଉଳ ଫୁଲର ମହକ ଖେଳୁଥିଲା।ସତେ ଯେମିତି ସେ ବଉଳ ଫୁଲର ମାଳ, ମୋ ଭଉଣୀମାନଙ୍କ ଗଭାରୁ ଯିବା ପାଇଁ ଚାହୁଁ ନଥିଲା। ମୟୂର ଦୁଇଟା ପ୍ରାତଃ ଭ୍ରମଣରେ ଉଡିଆସି ପାଚେରୀ ଉପରେ ବସିଗଲେ। ଗାଁ ବଉଳଗଛଟାଠାରୁ ବହୁତ ଦୂରରେ ତ୍ରିଚିରେ ରହିଛି ବୋଲି ମତେ ସତେ ଯେମିତି ସୂଚାଇ ଦେଲେ।
ଗାଁର ସେ ବଉଳ ଗଛ କେତେ ବର୍ଷ ହେଲା ଜଳି ପାଉଁଶ ହୋଇ ଗଲାଣି।
ଅଫିସ ଗେଟ ପାରହୋଇ ବାହାର ରାସ୍ତାକୁ ଆସିଲା ବେଳକୁ ବାମ ପଟେ ଏକ ଡିମିରି ଗଛ। ସେହି ବଉଳ ଗଛ ଭଳି ଉଚ୍ଚ କିନ୍ତୁ ଥୁଣ୍ଟାଳିଆ। ଶାଖା ପ୍ରଶାଖା କମ। ଗଛ ମୂଳରୁ ଅଣ୍ଟେ ଉଚ୍ଚଯାଏ ଡିମିର ଫଳ ପେନ୍ଥା ପେନ୍ଥା। ଆରେ ଏ କଣ! ଆମ ଗ୍ରାମ ଦେବତା ଗୋପୀନାଥଙ୍କ ପାଖ, ବଡ ପୋଖରୀ କୂଳରେ, ନିଶା ଆଈଙ୍କ ବାଡିର ସେହି ଡିମିରି ଗଛ କଥା ମନେ ପଡିଲା। ଡିମିର ଫଳ ଭରିଯାଇଥାଏ ସେ ଗଛରେ। ପାଚିଲା ଡିମିରି କେବେ ବାଦାମି ରଙ୍ଗ ତ କେବେ ଇଷତ ଲାଲ ରଙ୍ଗର ଦେଖା ଯାଏ। ସେହି ଗଛ ପାଖରେ ଠିଆ ହୋଇ ପୋଖରୀରେ ମାଛ ଧରିବା ପାଇଁ ବନିଶି ପକାଇଲା ବେଳେ, ବଙ୍କା ହୋଇ ପୋଖରୀ ଆଡକୁ ମାଡିଆସିଥିବା ତାର ଗଣ୍ଡି ଉପରେ ବସିବାକୁ ଭଲ ଲାଗୁଥିଲା।

ତ୍ରିଚିର ଏ ଡିମିରି ଗଛଟା ବୋଧେ ଜାଣିଥିଲା ଯେ ମୋ ବଡ ପୁଅର ସାହିତ୍ୟ ବହିରେ ଥିବା ଅଖିଳମୋହନ ପଟ୍ଟନାୟକଙ୍କ ଲିଖିତ ‘ଡିମିରି ଫୁଲ’ ଗଳ୍ପଟି ମୁଁ ତାକୁ ବୁଝାଇବାକୁ ଯାଇ ଡିମିରି ଗଛମାନଙ୍କୁ ବେଶି ଭଲ ପାଇ ବସିଥିଲି। ଏ ଦୁନିଆରେ କିଏ ଡିମିରି ଫୁଲକୁ ନ ପାଇବ ବୋଲି ଜାଣି ମଧ୍ୟ ଖୋଜୁଛି; ଆଉ କିଏ କେତେ ଡିମିରି ଫୁଲକୁ ଛାତି ତଳେ ଚାପି ରଖିଛି।
ତ୍ରିଚିର ଏ ଠିଆ ଡିମିରି ଗଛଟା ମତେ ଯେମିତି ବହୁତ ଆଗରୁ ଜାଣିଛି ବୋଲି ଜଣାଇ ଦେଉଛି।
ରାସ୍ତାରେ ଏଥର ଆଗେଇଲି। ମେନ ରୋଡଠାରୁ ଭିତରକୁ ଥିବା ରାସ୍ତା । ଦୁଇପଟେ ତାମିଲ ଲୋକଙ୍କ ଘର। ପ୍ରତି ଘର ପରିସରେ ଓ ରାସ୍ତାର ବାହାରେ ନିମ୍ବଗଛ। ନିମ୍ବଗଛ ସହ ତାମିଲ ଲୋକଙ୍କର ଏକ ଅବିଛେଦ୍ୟ ସମ୍ପର୍କ ରହିଛି ବୋଲି ବହୁ ପରେ ଜାଣିବାକୁ ପାଇଥିଲି। ପବନ, ନିମ୍ବଗଛରେ ବାଜି, ଘରେ ପଶିଲେ ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ସେମାନେ ସେହିଗଛକୁ ଘର ପରିସରରେ ଲଗାଇଥାଆନ୍ତି। ଆମ ଗାଁରେ ହାତ ମୁଠାରେ ଗଣିଦେଲା ଭଳି ଦୁଇ ତିନୋଟି ମହାଦ୍ରୁମ ନିମ୍ବଗଛ ଭାର୍ଗବୀ ନଦୀର ବନ୍ଧରେ ବହୁତ ବର୍ଷ ରାଜତ୍ୱ କରୁଥିଲେ। ନଈ ବନ୍ଧରେ ଯିବା ବେଳେ ସେହି ଗଛରେ ବସିଥିବା ଚଢେଇ ଓ ଗଛରୁ ଝଡି ତଳେ ପଡିଥିବା ଅସଂଖ୍ୟ ନିମ୍ବଫଳ ଦେଖିବାକୁ ମଜା ଲାଗୁଥିଲା।
ପରିତ୍ୟକ୍ତ ଯାଗାରେ ଦ୍ରୁମ ଆକାରର ନିମ୍ବଗଛ ଆମ ଗାଁରେ ଆଉ ଦେଖିବାକୁ ମିଳୁ ନାହିଁ। କିନ୍ତୁ ନୂଆ ନଈର ବନ୍ଧରେ ଏବେ ଛୋଟ ଛୋଟ ନିମ୍ବ ଗଛ , ସରକାରଙ୍କ ବନିକରଣ ନୀତି ଯୋଗୁଁ ଭରି ଯାଇଛି। ତିନି କିଲୋମିଟର ଲମ୍ବର ନଦୀ ବନ୍ଧଟିର ବାହାର ପଟେ ଲାଗିଥିବା ନିମ୍ବଗଛମାନ ଯେପରି ଗୋଟିଏ ସବୁଜ ବନାନୀ ସୃଷ୍ଟି କରିଛନ୍ତି। ଏହା ସତ୍ୱେ ତ୍ରିଚିର ଲୋକଙ୍କ ପାଇଁ ନିମ୍ବଗଛ ଯେଭଳି ଆତ୍ମୀୟ, ଆମ ଗାଁ ତ ଛାଡ, ଓଡିଶା ଲୋକଙ୍କ ପାଇଁ ସେଭଳି ନୁହେଁ। ଏକଥା ଅନୁଭବ କରିବାରେ ବିଳମ୍ବ ହେଲାନାହିଁ।
କେତେକ ଲୋକଙ୍କ ଘର ପରିସରରେ ନଡିଆ ଗଛ ଦେଖି ବେଶ ଖୁସି ଲାଗୁଥିଲା। ସେଦିନ ବେଶି ବୁଲା ବୁଲି ନକରି ଫେରି ଆସିଥିଲି।

ତ୍ରିଚିରେ କିଛି ଦିନ ରହିଗଲା ପରେ ପାଖାପାଖି ସହରକୁ ଯିବା ସମୟରେ ନଡିଆ ବଗିଚା ଦେଖି ଆଖି ଖୋସି ହୋଇ ଯାଉଥିଲା। ଆମମାନଙ୍କ ଗାଁ ଦାଣ୍ଡର ଦୁଇପଟେ, ଆମମାନଙ୍କ ଘର ସାମନାରେ, ନଡିଆ ଗଛ ଆମ ଜନ୍ମରୁ ଦେଖିଆସିଛୁ। ଗାଁର ବାଡି ବଗିଚାରେ ନଡିଆ ଗଛ ଭରପୂର। ନଡିଆରୁ ହେଉଥିବା ଆୟରେ କେତେକ ପରିବାର ନିର୍ଭରଶୀଳ ଥିଲେ। କିନ୍ତୁ ତାମିଲନାଡୁର ନଡିଆ ଚାଷ ଓ ବଗିଚାର ଆକାର ମୋର ଆଖିକୁ ବିଷ୍ଫାରିତ କରି ରଖି ଦେଇଥିଲା। ପଚିଶି ତିରିଶ ଏକର ଜମିରେ ନଡିଆ ଗଛର ଧାଡି ପରେ ଧାଡି। ଏମିତି ଶହ ଶହ ନଡିଆ ବଗିଚା, ତାମିଲ ନାଡୁର ଯେଉଁ ଆଡକୁ ଯିବ ଦେଖିବାକୁ ମିଳେ। ଏପଟେ ଆମ ଗାଁରେ ନଡିଆ ଚାଷ କଥା ଲୋକେ ଭୁଲି ଗଲାଣି। ୧୯୭୫ ମସିହାଠାରୁ ସରକାରଙ୍କର ଏକ ଉଦାର ନୀତିର ଫାଇଦା ଉଠାଇ କିଛି ଲୋକ ନଡିଆ ଚୋରି କରି ଗାଁର ଅର୍ଥ ନୀତିକୁ ଧ୍ୱଂସ କରି ଦେଇଛନ୍ତି। ତାହା ସହ ମାଙ୍କଡମାନଙ୍କ ଉତ୍ପାତରେ ନଡିଆ ଗଛଟିଏ ଲଗାଇବା ପାଇଁ ଗ୍ରାମବାସୀଙ୍କର ଆଗ୍ରହ କମି ଗଲାଣି।
ତ୍ରିଚିର ନିକଟବର୍ତ୍ତୀ ନାମାକଲ ସହରର ପାଖରେ କୋଲି ପାହାଡର ମାଳ। ସେହି ପାହାଡରେ ଆନେକ ଔଷଧୀୟ ଗଛଲତା ଅଛି ଏବଂ ଆକାଶ ଗଙ୍ଗା ନାମକ ଏକ ଜଳପ୍ରପାତ ରହିଛି। ଦିନେ ସେହି ପାହାଡକୁ ବୁଲିଯାଇଥାଏ। ରାସ୍ତାର ଦୁଇ ଧାରରେ ନଡିଆ ଗଛର ମାଳ । କେତେକ ଯାଗାରେ ରାସ୍ତାକୁ ଲାଗି ଆଖୁ ବଗିଚା, ତା ପଛକୁ ଗୁଆ ବଗିଚା, ତାପରେ ନଡିଆ ବଗିଚା ଓ ଶେଷରେ ନୀଳ ପାହାଡ, ଉଚ୍ଚତା ଅନୁସାରେ କିଏ ଯେମିତି ସଜେଇ ରଖି ଦେଇଛି। ଏହି ସବୁ ଚାଷକୁ ବ୍ୟବସାୟିକ ଭିତ୍ତିରେ ତାମିଲନାଡୁର ବହୁତ ଯାଗାରେ କରାଯାଉଥିବାର ଦେଖିଲା ପରେ, ଆମ ଗାଁର ନଡିଆ, ଗୁଆ, ବଗିଚାମାନଙ୍କର ଦୟନୀୟ ଅବସ୍ଥା କଥା ଭାବି ମନ ଦୁଃଖ ହୋଇଯାଉଥିଲା।
ତ୍ରିଚି ସହର ଭିତରେ ଦିନେ କାରରେ ଯାଉଥିବା ବେଳେ ଏକ ରେଳ ପୋଲ ଉପରୁ ରାସ୍ତା କଡରେ ଥିବା ସୁନାରୀ ଫୁଲ ଭରା ଗଛ ଉପରେ ନଜର ପଡିଗଲା। ଆରେ କେତେଆଡେ ତ ସୁନାରୀ ଗଛ ଦିଶୁଛି! ହଳଦିଆ ଫୁଲର ତୋଡା ଗଛର ଡାଳରୁ ତଳକୁ ଝୁଲୁଛି। ଆମ ଗାଁର ନଦୀ ତୋଟାରେ ଦୁଇଟା ଯାଗାରେ ଦୁଇଟି ସୁନାରୀ ଗଛ ଥିଲା। ଖରା ଦିନେ ସୁନା ରଙ୍ଗର ଝୁଲନ୍ତ ଫୁଲ ତୋଡାମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ଲାଗୁଥିଲା। ଆଜି ଭୁବନେଶ୍ବର ଭଳି ଏତେ ବଡ ସହରରେ ସୁନାରୀ ଗଛଟିଏ ଦେଖିବା ସ୍ୱପ୍ନ ହୋଇଯାଇଛି। ଆମ ଗାଁର ସେହି ସୁନାରୀ ଗଛର ଚିହ୍ନ ବର୍ଣ୍ଣ ହିଁ ନାହିଁ।

ତାମିଲନାଡୁର ଯେଉଁ ଆଡେ ଯିବ ତାଳଗଛ ଯେମିତି ଅତିଥିଙ୍କୁ ସ୍ୱାଗତ କରିବାକୁ ଦଣ୍ଡାୟମାନ। ତ୍ରିଚିରୁ ମଦୁରାଇ ଯିବା ରାସ୍ତାର ବାମପଟେ ବିଭିନ୍ନ ଯାଗାରେ ତାଳଗଛ ଭରା ଜଙ୍ଗଲିଆ ସ୍ଥାନ ଦେଖାଯାଏ। ଆମୂଳଚୁଳ ସବୁଜ ଲତା ଦ୍ୱାରା ଘୋଡାଇ ହୋଇଥିବା ଗୋଟାଏ ଗୋଟାଏ ମଧ୍ୟମ ଉଚ୍ଚ ତାଳଗଛ, ମୁହଁ ଘୋଡାଇ ରଖିଥିବା ଏକ ଅଜଣା ମଣିଷର ଭ୍ରମ ସୃଷ୍ଟି କରେ। ଆଉ କିଛି ତାଳଗଛ ଜନ୍ମରୁ ତାଙ୍କର ବାହୁଙ୍ଗାରେ ଆଚ୍ଛାଦିତ ହୋଇ ଜଟାଧାରୀ ସନ୍ୟାସୀ ଭଳି ରାସ୍ତାକୁ ଚାହିଁ ରହିଥାଆନ୍ତି। ବଡ ଛୋଟ ତଳଗଛ ଭରା ଏହି ସ୍ଥାନ ଅପେକ୍ଷା, ଚେନ୍ନାଇରୁ ତ୍ରିଚି ଆସିବା ରାସ୍ତାରେ ଦେଖିଥିବା ଏକ ତାଳ ଦଣ୍ଡାର ଦୃଶ୍ୟ ଏତେ ସୁନ୍ଦର ଯେ ଭୁଲି ହୋଇନି।
ଭିଲ୍ଲିପୁରମ୍ ସହରଠାରୁ କିଛି ଦୂରରେ ଚେନ୍ନାଇରୁ ଆସୁଥିବା ବେଳେ ବାମ ପଟକୁ ଏକ କିଲୋମିଟର ଲମ୍ବର ତାଳଗଛ ଭରା ଏକବନ୍ଧର କିଛି ଅଂଶ ରାଜପଥକୁ ଛୁଇଁଛି। ରାଜପଥରୁ ଏକ କଚ୍ଚା ରାସ୍ତା ବନ୍ଧକୁ କାଟି ଭିତରକୁ ଯାଇଛି। ସେଠାରେ କାର ରଖି ସେହି କଚ୍ଚା ରାସ୍ତାରେ ବନ୍ଧର ଭିତର ପଟକୁ ଯିବା ପରେ ହଜାର ହଜାର ତାଳଗଛ ଭରା ସେହି ଦୀର୍ଘ ବନ୍ଧକୁ ଦେଖି ଆଶ୍ଚର୍ଯ୍ୟ ଲାଗିଲା। ଛୋଟ ବଡ ତାଳ ଗଛ ସବୁ, ସପରିବାରେ ଏମିତି ଯାଗାମାଡି ରହିଛନ୍ତି ଯେ, ଛେଳିଟାଏ ବନ୍ଧ ଉପର ଯିବାକୁ ଡରିବ। ଏକ ବିସ୍ତୀର୍ଣ୍ଣ ଶୁଷ୍କ ନୀଚ ଭୂମିର ଚାରି ପଟେ ତାଳଗଛ ମାନଙ୍କର ଦୃଢ଼ ବଳୟ ସୃଷ୍ଟି ହେଲା ଭଳି ମନେ ହେଉଥାଏ।
ସେହି ତାଳ-ବନ୍ଧ ଦେଖିଲା ବେଳେ ଆମ ଗାଁରେ ଥିବା ଅନେକ ତାଳଗଛମାନଙ୍କ କଥା ଭାବୁଥିଲି। ଗାଁର ପରିଧିରେ ଉଠିଥିବା ତାଳଗଛସବୁ ବହୁ ବର୍ଷ ପୂବରୁ ଭୂପତିତ ହୋଇଗଲାଣି। ଏକଦା ଅଗମ୍ୟ ଗାଁର ଦଣ୍ଡାରେ ଏବେ ଜଣେ ମଟର ସାଇକଲ ଚଲାଇ ଯାଇପାରିବ। ତାଳ, ଖଜୁରି ଗଛମାନେ ଯାଇଛନ୍ତି ଓ ସେମାନଙ୍କ ଚାରିପଟେ ଯେଉଁ ଲଟା, ବୁଦା ଗଛ ହେଉଥିଲେ, ସେମାନେ ମଧ୍ୟ ନିଶ୍ଚିହ୍ନ ହୋଇଯାଇଛନ୍ତି।
ତାଳଗଛ ସହ ଆମର ସମ୍ପର୍କ ଅତି ନିବିଡ। ପକା ଘରରେ ପରିଣତ ହୋଇ ନଥିବା ଆମର ପୁରୁଣା କାଳିଆ ଘରେ, ତାଳ ଗଡର ଓରା, ଆଜିବି ଆଟୁ ଓ ତା ଉପରେ, ନିକଟ ଅତୀତରେ ପଡିଥିବା ଟିଣର ଚାଳକୁ, ଧରି ରଖିଛି। ମୋ ଅନୁମାନରେ ସେହି ତାଳ ଓରାର ବୟସ ଏକ ଶହ ତିରିଶି ହେବ। ସମୟ ଏମିତି ବଦଳି ଯାଇଛି ଯେ ଆଜି ଗାଁରେ ତାଳଗଛ ଦେଖିବାକୁ ମିଳୁ ନାହିଁ। ପାଖ ଗାଁ ମାନଙ୍କରେ ମଧ୍ୟ ଏକା ଅବସ୍ଥା।
ଧାନ କ୍ଷେତର ହିଡ ବା ପାଖ ଦଣ୍ଡାରେ ଥିବା ଦୀର୍ଘକାୟ ତାଳ ଗଛ ବଜ୍ରପାତ ସମୟରେ, ଆକାଶର ବିଦ୍ୟୁତ ଶକ୍ତିକୁ ପୃଥିବୀର ବକ୍ଷକୁ ବୁହାଇ ଆଣି, ଧାନ ବିଲରେ କାମ କରୁଥିବା ଚାଷୀ ଓ ବଳଦଙ୍କ ଜୀବନ ରକ୍ଷା କରେ। ଏବେ ଜଗତସିଂହପୁର ଅଞ୍ଚଳରେ ସରକାରଙ୍କ ତରଫରୁ, ବଜ୍ରପାତ ଜନିତ ଚାଷୀ ମୃତ୍ୟୁ ସଂଖ୍ୟା କମାଇବା ପାଇଁ, ତାଳ ଗଛ ରୋପଣ କରାହେବ ବୋଲି ଖବରକାଗଜରେ ବାହାରିଛି। ଆମ ଗାଁ ଦଣ୍ଡାରେ ପୁଣି ଦିନେ ତାଳ, ଖଜୁରି ଗଛର ବଣ ହେବ, କଣ୍ଟେଇ କୋଳି, ବେତ କୋଳି, କାଙ୍କଡ ଲଟାବୁଦା ବଢିବ; ଗୋଧି, ନେଉଳ, ରଣା ସାପ, କୋକିଶିଆଳି ରହି ବଣ ଗଠି ଉଠିବ, ଏମିତି କଳ୍ପନା କରିବାକୁ, କାହିଁକି କେଜାଣି ସାହାସ ହେଉନାହିଁ।

ତ୍ରିଚିରେ ରହଣି ସମୟରେ ଆମ ଆଡର ସର୍ବବିଦ୍ୟମାନ ବର ଗଛ ଭଳି ଗଛ କମ୍ ଦେଖିବାକୁ ମିଳିଥିଲା। ଯିଏ ବି ଥିଲେ, ଭୁବନେଶ୍ୱରରେ ଥିବା ସହରୀ ବରଗଛ ଭଳି ଛୋଟ ଆକାରର। ସେମାନଙ୍କ ତୁଳନାରେ, ଆମ ଗାଁ ନଦୀ ବନ୍ଧ ତଳେ, ରାସ୍ତାକୁ ଲାଗି ଠିଆ ହୋଇଥିବା ବରଗଛଟି ବହୁତ ବୟସ୍କ ବରଗଛ। ଅନେକ ପକ୍ଷୀ, କ୍ଷୁଦ୍ରଜୀବ ଓ ରାତ୍ରିଚରଙ୍କୁ ଆଶ୍ରୟ ଦେଇ କେତେ ପୁରୁଷ ହେଲା ଠିଆ ହୋଇ ରହିଛି, କେହି କହି ପାରିବେ ନାହିଁ। ନଦୀ ବନ୍ଧର ଅନ୍ୟ ସ୍ଥାନରେ ଯେଉଁ କେତେଜଣ ଗ୍ରାମବାସୀ, ବର ଏବଂ ଓସ୍ତ ଗଛ ବିବାହ କରାଇ ଲଗାଇଥିଲ, ସେମାନଙ୍କ ଭିତରୁ କୌଣସି ଗଛ ଏହି ବୁଢା ବର ଗଛ ତୁଳନାରେ ବିଶାଳ କି ବିସ୍ତୀର୍ଣ୍ଣ ନୁହଁନ୍ତି। ହଁ, ଆମ ଗାଁଠାରୁ ଅଢେଇ କିଲୋମିଟର ଦୁରରେ ଖୁରୁଖୁରି ଲଟା। ଚାରି ପାଞ୍ଚ ଏକର ନଦୀ ପଠାରେ ବର ଗଛର ମୂଳ, ଡାଳ ଓ ଓହଳ ଖେଳାଇ ହୋଇ ରହିଥିବା ଏହି ବର ତୋଟା ଏକ ବହୁ ପୁରାତନ ପ୍ରାକୃତିକ ବିଷ୍ମୟ। ଏହାର ଡାଳ କାଟି ଦେଲେ ଦୁର୍ଗତି ମାଡିଆସେ ବୋଲି ଲୋକକଥା ଥିଲା। ନଈ ବନ୍ଧରେ ପିଚୁ ରାସ୍ତା ତିଆରି ସମୟରେ ସେହି ବରତୋଟାର ସାମାନ୍ୟ କ୍ଷୟକ୍ଷତି ହୋଇଛି। ତଥାପି ଖୁରୁଖୁରି ଲଟା ଭଳି ବରତୋଟା ଏକ ଅନନ୍ୟ ସବୁଜ ପସରା ହୋଇ ଏବେ ବି ଅଛି।

କାବେରୀ ନଦୀ କୂଳରେ ଅବସ୍ଥିତ ତ୍ରିଚି ସହରରେ ଆମ ଆଡ ପରି ନିମ୍ବ, ଆମ୍ବ, ବର, ସୁନାରୀ, ବଉଳ, ନଡିଆ, ତାଳ ଆଦି ବିଭିନ୍ନ ପ୍ରକାରର ଗଛ ଅଧିକ ସଂଖ୍ୟାରେ ଦେଖିକରି ବହୁତ ଖୁସି ଲାଗୁଥିଲା। ଆମ ଗାଁରେ ଅତୀତରେ ଥିବା ଏବଂ ଏବେ ଲୋପ ପାଇଯାଇଥିବା ତାଳ, ବଉଳ, ସୁନାରୀ ଗଛ ସବୁ ଦେଖି ଆହୁରି ଅଧିକ ଖୁସି ଲାଗୁଥିଲା। ମୁଁ ରହୁଥିବା ଅଫିସର ପାଚେରୀକୁ ଲାଗି ଏକ ପୁରୁଣା ଘର ଓ ବିରାଟ ବଗିଚା ଥିଲା। ସେହି ଘରଟିର ମାଲିକ ବିଦେଶରେ ରହୁଥିବା ଜଣେ ତାମିଲ ନାଗରିକ। ତାଙ୍କର ବଗିଚାରେ ଥିବା ଆମ୍ବଗଛମାନଙ୍କରେ କୋଇଲିର ଗୀତ ଓ ସେ ସମ୍ପତ୍ତିର ଜଗୁଆଳି ରଖିଥିବା କୁକୁଡାର ଡାକରେ, ମତେ ବେଳେ ବେଳେ ସନ୍ଦେହ ଲାଗୁଥିଲା ମୁଁ ତାମିଲନାଡୁ ଛାଡି ଓଡ଼ିଶାରେ ଅଛି ବୋଲି। ତ୍ରିଚିରେ ପୋଷ୍ଟିଙ୍ଗ୍ ହୋଇଥିଲା ବୋଲି ପ୍ରଥମେ ଯେଉଁ ମନ ଦୁଃଖ ହୋଇଥିଲା, ସେଠାରୁ ଚାକିରି ଶେଷ ପରେ ଫେରିଲା ବେଳକୁ ଭୁଲି ହୋଇ ଯାଇଥିଲା।

ପରିବେଶ ମନ କିଣି ନେଇଥିଲା।
**************************
ଶ୍ରୀ ଚନ୍ଦ୍ର ଶେଖର ଦାଶ
ଭୁବନେଶ୍ୱର
ତାରିଖ- ୨୦/୩/୨୦୧୮

Comments

comments