ଦିପହରର ଭୋଜନ ସରିଲା ପରେ, ପୁଅ ବାହାରିଲା ଗାଁକୁ ଯିବାକୁ। ଓଡ଼ିଆ କହିପାରୁନଥିବା ବୋହୁ ଓ ନାତୁଣୀ ମଧ୍ୟ ଗାଁକୁ ଯିବାକୁ ମିନିଟିକରେ ରେଡି ହୋଇଗଲେ। ଗାଁର ଘର ଦେଖେଇବାକୁ ସେମାନଙ୍କ ସଙ୍ଗରେ ଯିବାକୁ ବହୁତ ଇଛା ହେଲା। କାରରେ ଭୁବନେଶ୍ବରରୁ ଗାଁ, ମାତ୍ର ଘଣ୍ଟାକର ବାଟ। ଗାଁର ଘର ସାମନାରେ ଗାଡ଼ି ରହିବା ମାତ୍ରେ, ସ୍ୱାଗତ କରିବାକୁ, ଘରୁ ନନା ବୋଉ କି ଭଉଣୀମାନେ ଦୌଡି ଆସିଲେ ନାହିଁ; ଯେମିତି ମୁଁ, ସେହି ପୁଅ ଛୋଟ ହୋଇଥିଲା ବେଳେ, ସ୍ତ୍ରୀଙ୍କ ସହ ଗାଁରେ ପହଞ୍ଚିଲେ, ହେଉଥିଲା। କାରଣ ଘରେ କେହି ରହୁ ନଥିଲେ। ନନା ଓ ବୋଉ ଆଉ ଏ ସସାଂରରେ ନ ଥିଲେ। ଭଉଣୀମାନେ ବାହାହୋଇ, ସେମାନଙ୍କର ନୂଆ ବାସସ୍ଥଳୀରେ ରହୁଥିଲେ।
ଏମାନଙ୍କୁ ଦେଖିବାକୁ ସାହି ଲୋକ ବି ମାତ୍ରାଧିକ ଆଗ୍ରହ ଦେଖାଇଲେ ନାହିଁ। ନାତୁଣୀ, ତିନି ବର୍ଷରୁ ଟିକିଏ ଅଧିକ। ମୁମ୍ବାଇରେ କ୍ରେଚରେ ଓ ଡେ କେଆରରେ ଦିନ ବେଳା ରହୁଥିବାରୁ, ତାର ଆକର୍ଷଣ, ଗାଁ ଦାଣ୍ଡରେ ସେତିକି ବେଳେ ଯାଉଥିବା ଛେଳି ଗୋଠ ଉପରେ ଥିଲା। ଛେଳି ମାଲିକାଣୀ, ଗୋଟିଏ ବଡ଼ ଛେଳିକୁ କାଖରେ ଜାବୁଡ଼ି ଧରି, ଗୋଠ ପଛରେ ଯାଉଥିଲା। ସେ ଛେଳିଟି ତାର ସ୍କୁଲକୁ ନଯିବା ପାଇଁ କାନ୍ଦିବାରୁ, ତାକୁ ଟେକି ଟେକି ନିଆଯାଉଛି ବୋଲି, ନାତୁଣୀକୁ ବୁଝାଇ ଦିଆଗଲା । ଏମିତି ଅବୁଝା ଛାତ୍ରଟିଏ ଦେଖି, ସେ ହସି ହସି ଗଡ଼ି ଗଲା। ଛେଳି ଦେଖି ନ ଥିବାରୁ, ସେମାନଙ୍କ ସାଙ୍ଗେ ଖେଳିବାକୁ ଆଗକୁ ପଛ ହେଲା।
ମନେ ପଡ଼ିଲା ଅତୀତ କଥା। ପୁଅ ଥଙ୍ଗେଇ ଥଙ୍ଗେଇ କଥା କହୁଥାଏ। ତାକୁ କାନ୍ଧରେ ବସାଇ, ଗାଁ ଦାଣ୍ଡରେ ନେଲା ବେଳେ ସେ ଛେଳି ଛୁଆଟିଏ ଦେଖି କହି ଉଠିଥିଲା – ‘ଛେଲି, ଆ ଆ, ନନା ହାନ୍ଧରେ ବସିବୁ, ଆ।’ ଆଜି ତାର ଝିଅ ଛେଳି ସହ ଖେଳିବାକୁ ଚାହୁଁଛି।
ସେମାନଙ୍କୁ ଗାଁରେ, କାଲି ଓ ଆଜିର ସ୍ମୃତିର ମିଶାଣ ଫେଡାଣରେ, ଛାଡ଼ି ଦେଇ, ମୁଁ ପ୍ରସ୍ତାବ ଦେଲି ଯେ ମୁଁ ଗାଁଠାରୁ ଚାଲି ଚାଲି ସାକ୍ଷିଗୋପାଳ ଯିବି। ଦୁଇ ଘଣ୍ଟାପରେ ସେମାନେ ଆସିଥିବା ଅନ୍ୟ ରାସ୍ତାରେ, ଭୁବନେଶ୍ୱର ଫେରିଲା ବେଳେ, ମତେ ସାକ୍ଷିଗୋପାଳରୁ ଉଠାଇବେ। ପ୍ରସ୍ତାବକୁ ରହସ୍ୟମୟ ନ କରି, ପିଲା ବେଳଠାରୁ ଚାଲିକରି ଯାଉଥିବା ରାସ୍ତାରେ, ଯିବାର ଇଛା ଥିଲା ବୋଲି, ପରିଷ୍କାର କରି କହିଦେଲି। ସମସ୍ତଙ୍କର ସମ୍ମତି ମିଳିଲା।
ସାକ୍ଷିଗୋପାଳ ଆମ ଗାଁର ପଶ୍ଚିମ ଦିଗରେ। ଧିରେ ଚାଲି ନଡ଼ିଆ ମାଳର ସୀମାରେ ପହଞ୍ଚିଲି। ସେହିଠାରୁ ନଈ ବନ୍ଧ ଯାଏ ସବୁଜ ଧାନ କ୍ଷେତ। ପିଲା ବେଳେ ପ୍ରତି ଦଶ ମିନିଟରେ ଥରେ ସେହିଠାକୁ ଦୌଡ଼ି ଆସି ନଈ ବନ୍ଧକୁ ସକାଳୁ ଚାହିଁ ରହୁଥିଲୁ। ସାକ୍ଷିଗୋପାଳରେ ଡାକଗାଡିରୁ ଓହ୍ଲାଇ, ନନାଙ୍କର ସକାଳୁ ଆସିବାର ଥାଏ । ପାଞ୍ଚ ଛ ମାସ ପରେ ହାଓଡାରୁ ଆସୁଥାଆନ୍ତି। ଦୂରରୁ ନଈ ବନ୍ଧରେ ଧୋବ ଧାଉଳିଆ ମଣିଷ ଜଣେ ଗାଁ ଆଡ଼କୁ ମୁହଁ କରି ଆସୁଥିବା ଦେଖି, ନନା ଆସିଗଲେ ବୋଲି ରଡି କରି, ଘରେ ଖବର ଦେଉଥିଲୁ। ସେହି ରାସ୍ତାରେ ଆଜି ଯିବି।
ଧାନ ଗହିରରେ ଜ୍ୟାମିତିର ଧାର ଭଳି ହିଡ ରାସ୍ତା। ବର୍ଷାରେ ଟିକିଏ ଖସଡ଼ା ହେଇଥାଏ। ଧାନ ଗଛ ଆଣ୍ଠୁଏ ଉଚ୍ଚ। ଗୋଡ଼ରେ ବାଜୁଥାଏ। ସେଦିନ ନଈ ଆର ପାରି ରାୟପୁର ସ୍କୁଲକୁ ଗାଁ ପିଲାମାନେ ଏହି ହିଡ଼ରେ ଗଲା ବେଳେ, ଜଣଙ୍କର ଗୋଡ ଖସିଯାଇଥିଲା। ହିଡ଼ ମୂଳରେ ଥିବା ଗେଣ୍ଡାଟା ତା ପାଦକୁ କାଟି ରକ୍ତ ବାହାର କରି, ସମସ୍ତଙ୍କୁ ସାବଧାନ କରି ଦେଇ ଥିଲା।
ନଈ ବନ୍ଧର ତଳେ ଥିଲା, ବର୍ଷରେ ଦୁଇଥର ଫଳୁଥିବା ଏକ ଆମ୍ବଗଛ। ବନ୍ଧକୁ ଉଠି ଗଲେ, ପୁରୁଣା ବରଗଛ। ପାଖରେ କଇଥ, ସୁନାରୀ, ଓସ୍ତ ଗଛ ଭରି ରହିଥିଲା। ଆଜି ସେ ବରଗଛ ବ୍ୟତୀତ ଆଉ କୌଣସି ଗଛ ନଥିଲା। ବନ୍ଧରୁ ନଈ ତୋଟାକୁ ଓହ୍ଲାଇ ନଈ ଧାରରେ ପହଞ୍ଚି ଗଲି। ନଈରେ ପାଣି କମ। ତେଣୁ ପାରି ହେବା ପାଇଁ ଡ଼ଙ୍ଗାକୁ, ନାଉରୀ ଅଧା ବୁଡ଼ିଆ କରି, କୂଳରେ ବାନ୍ଧି ଥାଏ। ପାଣିରେ ପଶି କରି, ପ୍ୟାଣ୍ଟକୁ ଉପରକୁ ଟେକି, ଆରପଟକୁ ଯିବାକୁ ପଡ଼ିବ।
ନଈ ପଠାରୁ ତଳକୁ ଓହ୍ଲାଇଲା ବେଳେ, ମନେ ପଡ଼ିଲା ସେଦିନ ସେ ଉତ୍ତମ ସ୍ୱ।ସ୍ଥ୍ୟ ଛାତ୍ରୀଟିର କଥା। ନଈ ବଢ଼ି ଛାଡି ଯାଇଥାଏ। ପଠାରେ ପଟୁମାଟିର ଆସ୍ତରଣ। ଜଳସ୍ତର ଖୁବ ତଳେ। ପଠା ଉପରୁ ତଳକୁ, ଟିପ ଚାପି ଚାପି ଓହ୍ଲାଇଲା ବେଳେ, ସେ ଛାତ୍ରୀ ଜଣଙ୍କର ଗୋଡ଼ ଖସିଗଲା। କ୍ଷଣକେ, ଖସି ଖସି ପାଣିରେ। ଲାଜ ଓ ବିରକ୍ତିରେ, ସେ ସ୍କୁଲ୍ ନ ଯାଇ, ଘରକୁ ଫେରି ଯାଇ ଥିଲା।
ନଈ ଆରପଟେ ହାଟ ସାହି ଗାଁ। ସେ ଗାଁର ଅଧିକାଂଶ ଲୋକ ନିଜର କୌଳିକ ପନ୍ଥା ଧରି ନେଇ ଥାଆନ୍ତି। ପୂର୍ଣ ବଣିଆ ଦେଖିଲେ ପଚାରୁଥିଲେ, ଆମ ଗାଁ ଓ ଘର ଖବର। ଲିଙ୍ଗା ବେହେରାଙ୍କୁ ଖବର ଦିଆ ଯାଉଥିଲା ଯେ ସେ ନଈରୁ ବଡ ମାଛ ଧରିଲେ, ଆମ ଘରକୁ ପଠାଇବା ପାଇଁ। ହାଟ ସାହି ଶେଷ ହେଲା। ଜଣେ ହେଲେ ପୁରୁଣା ଲୋକ ଦେଖା ହେଲେନି। ଏ ଗାଁରୁ, ସବୁ ଗାଁ ଭଳି ଚାଳ ଘର ସଂଖ୍ୟା କମିଗଲାଣି।
କିଛି ବାଟ ପରେ ଉପରସାହି ।ରାମ ପ୍ରଧାନଙ୍କର ଘରର ଲମ୍ବା ବାରଣ୍ଡା। ଆମ ଅଞ୍ଚଳର ପ୍ରସିଦ୍ଧ ହୋମିଓପ୍ୟାଥିକ ଡାକ୍ତର। ଯେବେ ଦେଖ, ତାଙ୍କ ଘରେ ଆମ ଗାଁର ଜଣେ କିଏ ନିଶ୍ଚୟ ଔଷଧ ପାଇଁ ବସିଥିବ। ଦାଣ୍ଡକୁ ମୁହଁ କରି, ଟେବୁଲ ସେପଟେ ସେ ବସିଥିବେ। ନଜର ପଡ଼ିଲା ମାତ୍ରେ, ତାଙ୍କ ଘରକୁ ଡାକିବେ। ଦିପଦ କଥା ନ କହି, ଦୁଧ କି ପାଚିଲା କଦଳୀ ନ ଖୁଆଇ ତାଙ୍କ ସ୍ତ୍ରୀ ଛାଡୁ ନଥିଲେ। ଔଷଧ ନେଇ ନେଇ, ତାଙ୍କ ପରିବାର ସହ ଆମର ଘନିଷ୍ଠ ସମ୍ପର୍କ ହୋଇ ଯାଇଥିଲା। ସେ ଯେବେ ଆମ ଗାଁକୁ ଆସୁଥିଲେ, ତାଙ୍କ ସାଇକଲକୁ ଦାଣ୍ଡରେ ରଖି, ଆମ ଘର ଭିତରକୁ ଓଷଦ ବାକସ ଧରି ଆସୁଥିଲେ ଓ ବେଶ କିଛି ସମୟ ବସୁଥିଲେ। ସେହି ମଉକାରେ ତାଙ୍କ ସାଇକଲ ଠେଲି ଠେଲି, ସିଟ ଉପରେ କାଖ ରଖି ଓହଳି କରି, ହାପରେ ସାଇକଲ ଶିଖିଥିଲି। ସାଇକଲ ସିଟ ଉପରେ ବସି ଚଲାଇବାର ଉଚ୍ଚତା ହୋଇ ନଥିଲା। ତାଙ୍କ ସାଇକଲ ଏ ଭଳି ପ୍ରଶିକ୍ଷଣରେ, ବ୍ୟବହାର ହେଉଥିବା, ଜାଣି ମଧ୍ୟ, ରମବାବୁ କିଛି କହୁନଥିଲେ। ରାମବାବୁଙ୍କ ଔଷଧରେ ଆମେ ଅନେକ ରୋଗରୁ ଭଲ ହୋଇଥିବାରୁ ଓ ମୁଁ ତାଙ୍କ ଯୋଗୁଁ ସାଇକଲ ଚଲା ସିଖିଥିବାରୁ, ତାଙ୍କ ଘରକୁ ଚାହିଁ ରହିଥିଲି କିଛି ସମୟ। ଦୁଆରରେ ବଡ଼ ତାଲା। ବାରଣ୍ଡାର ତଳକୁ ଯେଉଁଠି ହାତୀ ଭଳି ବଳଦ ବନ୍ଧା ହେଉଥିଲା, ସେଠି କୁଢ଼ କୁଢ଼ ଅଳିଆ। ଆଗକୁ ବଢ଼ିବା ବ୍ୟତୀତ, ଆଉ ଉପାୟ ନଥିଲା।
ହାଟ ସାହି ଶେଷ ହେଲା ପରେ ଏକ କେନାଲ ଓ ତା ପରେ ଧାନ ଗହିର। ସେଠାରୁ ଶଗଡ଼ ରାସ୍ତା,ପାଣି ଭଣ୍ଡାର ଗାଁକୁ ଲାଗିଥାଏ । ସେ କେନାଲ ପୋଲ ଉପରେ ଠିଆ ହେଲେ, ଦୂର ଦିଗବଳୟରେ, ଜଟଣି ପାଖ ବିଶ୍ୱନାଥ ମୁଣ୍ଡିଆ ପାହାଡ଼ ଉଙ୍କି ମାରୁଥିବା ଦେଖା ଯାଉଥିଲା। ପୁରୀକୁ ଆସୁଥିବା ରେଳ ଗାଡିର ଝୁକ୍ ଝୁକ୍ ଶଦ୍ଦ ଶୁଣାଯାଉଥିଲା। ଗଛମାନଙ୍କ ଉହାଡରୁ,।ଉପରକୁ ଉଠି ଆଗକୁ ଆଗକୁ ମାଡ଼ି ଯାଉଥିବା ଥିବା ଇଞ୍ଜିନର କଳା ଧୁଆଁ, ସେହି କେନାଲ ବନ୍ଧରୁ ଦେଖା ଯାଉଥିଲା। ଆଜି ସେଠାରୁ ବିଶ୍ୱନାଥ ମୁଣ୍ଡିଆ ଦେଖା ଗଲାନି। କୋଇଲା ଇଞ୍ଜିନ ସବୁ ଯାଦୁଘରେ ରହିଲାଣି।
ପାଣିଭଣ୍ଡାର ଗାଁର ଠିକ୍ ପୂର୍ବରୁ ଥିବା ବାଙ୍କ ପାଖରେ ଆସି ପହଞ୍ଚି ଯାଇଥିଲି। ୧୯୭୦ ଦଶକ ପର୍ଯ୍ୟନ୍ତ, ରାସ୍ତାର ସେହି କିଛି ଦୂର, ବର୍ଷା ଦିନେ କାଦୁଅରେ ଫୁଲିଥାଏ। ଦୂର ଗାଁମାନଙ୍କରୁ ନଢ଼ିଆ ବୋଝେଇ ଶଗଡ଼, ସେହି ବାଟରେ ଗଲା ବେଳେ, ଚକ ଅଧା ପର୍ଯ୍ୟନ୍ତ ପଙ୍କରେ ପଶି ଯାଏ। ଏକାଧିକ ଶଗଡିଆ ଲାଗି, ଖୁବ କୌଶଳରେ ବଳଦମାନଙ୍କୁ ଏପଟ ସେପଟ କରାଇ, ଶଗଡକୁ ସେ ଯନ୍ତାରୁ ପାର କରୁଥିଲେ। ସାକ୍ଷିଗୋପାଳର ନଡ଼ିଆ ମାର୍କେଟକୁ ନଈ ପାର ହୋଇ, ଆମ ଅଞ୍ଚଳରୁ ନଡିଆ, ଶଗଡ଼ ଦ୍ୱାରା ଆଉ ଆସୁନାହିଁ। ଏକଦା ସେଠାର ପଙ୍କିଳ ରାସ୍ତା, ପ୍ରତି ମୁହୂର୍ତ୍ତରେ ଆମକୁ ସଭ୍ୟତାଠାରୁ ଦୂରରେ ଥିବା କଥା, ଅଙ୍ଗେ ଲିଭେଇବାକୁ ବାଧ୍ୟ କରୁଥିଲା । ସେ କଥା ଆଜି କାହାକୁ କହିଲେ, କେହି କଳ୍ପନା କରି ପାରିବେ ନାହିଁ। ସେ ରାସ୍ତାର ପିଚୁ ତଳେ, ପଙ୍କ, ସବୁଦିନ ପାଇଁ ଚାପି ହୋଇ ରହିଗଲାଣି।
ପାଣି ଭଣ୍ଡାର ଗାଁର ଅଣ ଓସାରିଆ ଦାଣ୍ଡରେ ଆଗେଇ ଆସି, ତାଙ୍କ ଗାଁ ପୋଖରୀ ପାର ହୋଇ ଯାଇଥାଏ। ଆଉ କିଲୋମିଟର ପରେ ବିଶ୍ୱନାଥ ପୁର ଗାଁ ପଡ଼ିବ। ଏହି ରାସ୍ତାର ଦୁଇ ପଟେ ବଡ଼ ବଡ଼ ଗୋରଡା ଭିତରେ ଦୁଇ ଚାରିଟା ନୂଆ ଶିଳ୍ପର ପ୍ରତିଷ୍ଠା ହେଇଛି। ଏହି ଦୁଇ ଗାଁର ମଝି ରାସ୍ତାରେ, ଗୋଟିଏ ବିରାଟ ବରଗଛ ରାସ୍ତାକୁ ମାଡି କରି ଥିଲା। ୧୯୭୫ ମସିହା ଯାଏଁ ସାକ୍ଷିଗୋପାଳରୁ ବିଶ୍ୱନାଥ ପୁର ଦେଇ ସେହି ବରଗଛ ଯାଏଁ, ରାସ୍ତା ପଙ୍କ ନହେବା ପାଇଁ, ନାଲି ଢେଲା ଓ ମୋରମ ପଡ଼ି ଥିଲା। ଆଉ ଆଗକୁ କାହିଁକି ଭଲ ରାସ୍ତା ହେଇ ନଥିଲା, କାହାକୁ ଜଣା ନଥିଲା।
ବିଶ୍ୱନାଥପୁର ଗାଁ ଆସିଗଲା। ଡାହାଣ ପଟେ, ସ୍କୁଲର ସାହିତ୍ୟ ଶିକ୍ଷକ, ରାମ ସାରଙ୍କ ଘର। ଏବେ ପୁରୀରେ ରହୁଛନ୍ତି। ଘରେ ତାଲା। ତାଙ୍କ ଘରରୁ ଆଠଘର ଛାଡି, କମ୍ପାଉଣ୍ଡର ବନମାଳୀ ମିଶ୍ରଙ୍କ ଘର। ଭିଣୋଇଙ୍କର ମଉସା ହୁଅନ୍ତି, ଦେଖିଲେ ଆଦରର ସହ ଘରକୁ ଡାକି ଚାହା ପିଆଉଥିଲେ। ଆମ ଗାଁର ଅନେକଙ୍କ କଥା ପଚାରୁଥିଲେ। ତାଙ୍କ ସାନ ଝିଅ ପାନରେ ମିଠା ପକାଇ ଡାହାଣ ହାତରେ ସଂଯମରେ ବଢ଼ାଇ ଦେଉଥିଲା। ମଉସା ମାଉସୀ ଆଉ ନାହାଁନ୍ତି। ତାଙ୍କ ଘରେ ମଧ୍ୟ ତାଲା। ସେ ଗାଁରେ ଗୁଡାଏ ହମ୍ପସ୍ । ଓସାରିଆ ଦାଣ୍ଡ। ମନ୍ତ୍ରୀ, ଜଜଙ୍କ ଗାଁ। ଏବେ ବି, ଏହି ଗାଁ ଟି ଅନ୍ୟ ଗାଁ ମାନଙ୍କ ଅପେକ୍ଷା ଅଧିକ ଜୀବନ୍ତ ଲାଗେ।
ବିଶ୍ୱନାଥପୁର ପଛରେ ରହିଲା। ତ୍ରିଛକିଟିଏ ଆସିଲା। ବାମକୁ ଯିବାକୁ ହେବ। ଗାଁଠାରୁ ଏ ପର୍ଯ୍ୟନ୍ତ, ଏହି ରାସ୍ତାରେ ଗତ ଚାଳିଶି ବର୍ଷ ହେଲା ଆସି ନଥିଲି। ନଈଠାରୁ ଏ ପର୍ଯ୍ୟନ୍ତ ପିଚୁ ରାସ୍ତା ହେଲା ପରେ ମଧ୍ୟ। କାରଣ ଗାଁକୁ ଯିବାକୁ ସାକ୍ଷିଗୋପାଳରୁ ଏହି ତ୍ରିଛକିରୁ ସିଧା ଯାଉଥିବା ରାସ୍ତା ୧୯୭୭-୭୮ ବେଳକୁ, ପିଚୁ ହୋଇଥିଲା । ସେ ରାସ୍ତାରେ ବସ ଚାଲିବାରୁ, ସାକ୍ଷିଗୋପାଳକୁ ବିଶ୍ୱନାଥପୁର ଦେଇ ପଦଯାତ୍ରା ବନ୍ଦ ହୋଇଗଲା। ଏକା ମୋର ନୁହେଁ, ଆଖ ପାଖ ପଚିଶି ଗାଁର ଲୋକମାନଙ୍କର।
ତ୍ରିଛକି ପାର ହେଲେଣି । ଅଟୋ, ମଟର ସାଇକଲ, ସ୍କୁଟର ପେଁ ପାଁ କରି ଯାଉଛନ୍ତି ଓ ଆସୁଛନ୍ତି। ଆଜି ସାଇକଲ ଆରୋହିଙ୍କ ସଂଖ୍ୟା ଢେର କମି ଗଲାଣି। ଚାଲିକରି ଯିବା କଥା, କେବଳ ଡାକ୍ତର ପରାମର୍ଶ ଦେଲା ପରେ, ଲୋକେ ଚିନ୍ତା କରୁଛନ୍ତି।
ଏଇ ସେଇ ବାଉଁଶ ବୁଦା ଓ ପାଞ୍ଚ ଛଅଟା ଗଛଥିବା କାହାର ସେ ଯାଗା, ରାସ୍ତାକୁ ଲାଗିଥିଲେ ବି ପରିବର୍ତ୍ତନକୁ ଭ୍ରୃକ୍ଷେପ ନ କରି ସେମିତି ରହିଛି। ୧୯୭୪ ମସିହାରେ, ରାତିର ଅନ୍ଧାରରେ ବେଉ ପାହାଚରେ ପଡିଯାଇଥିଲା। ଆଣ୍ଠୁରେ ରକ୍ତ ଜମି ଅସହ୍ୟ ଯନ୍ତ୍ରଣା ଭୋଗୁଥିଲା । ତା ପରଦିନ ଶଗଡ ଗାଡ଼ିରେ ସାକ୍ଷିଗୋପାଳ ଡାକ୍ତରଖାନାକୁ ଆଣିଲା ବେଳେ, ଏଇଠି ଓହ୍ଲାଇବାକୁ କହିଥିଲା।
ଓଃ, ବୋଉ କଅଣ ସେ ଗଛ ପାଖରେ ଠିଆ ହୋଇଛି ନା କଅଣ!
ଟିକିଏ ଆଗକୁ ଗଲା ପରେ, ନାରଣ ପାଟଣା ଗାଁ।
ଦିନେ ସକାଳେ ଗାଁଠାରୁ ଚାଲି ଚାଲି ଏଇଠି ପହଞ୍ଚିଥାଏ। ଭଉଣୀର ବାହାଘର ପାଇଁ ସକାଳ ସାତଟାରେ ସାକ୍ଷିଗୋପାଳ ବସ ଷ୍ଟାଣ୍ଡରେ ରହିବାକୁ, ମଧ୍ୟସ୍ଥି ତାଗିଦା କରିଥିଲେ। ଏତେ ସକାଳୁ କିମିତି ଆସିବି, ସେ କଥା ତାଙ୍କୁ ଲଗା ନଥିଲା। ମତେ ତ ଆସିବାକୁ ହିଁ ହେବ। ସେଦିନ ଭୋର ସାଢେ ଚାରିଟାରୁ ଉଠି, ନିତ୍ୟକର୍ମ ସାରି, ଠିକ ସାଢେ ପାଞ୍ଚଟାରେ ଗାଁଠାରୁ ପଦଯାତ୍ରା କରିଥଲି। ଏହି ଗାଁ ପାଖରେ, ଆମ ଗାଁର ହରି ଭାଇନାଙ୍କ ସହ ଦେଖା ହୋଇଥିଲା।ସେ ତାଙ୍କ ସାଇକଲରେ ସାକ୍ଷିଗୋପାଳ ଯାଉଥାଆନ୍ତି। ମତେ ଦେଖି ଆଶ୍ଚର୍ଯ୍ୟ ହେଲେ ଓ ତାଙ୍କ ସାଇକଲରେ ବସେଇ ଆଣିବାକୁ କହିଥିଲେ। ଲକ୍ଷ୍ୟ ସ୍ଥାନ ପାଖ ହୋଇ ଆସୁଥିବାରୁ, ତାଙ୍କୁ ମନାକରିଥିଲି। ଆଜି ଦୁଇ ଚକିଆ ଯାନରେ ଯାଉଥିବା, ସେମିତି କେହି ଦରଦୀ ଲୋକ ମତେ ପଦଯାତ୍ରା କରୁଥିବା ଦେଖି, ତରଳିଲେ ନାହିଁ।
୧୯୭୩-୭୫ ମସିହାରେ ରଜଭେନସା କଲେଜରେ ପଢିଲା ବେଳେ, ଏ ରାସ୍ତାରେ ନିୟମିତ ପଦଯାତ୍ରା କରି, ମାରାଥାନ୍ ପ୍ରତିଯୋଗିତାରେ ଭାଗ ନେବାର ଦକ୍ଷତା ହାସଲ କରିସାରିଥିଲି। ରବିବାର ଉପରବେଳା ଘରେ କପେ ଚା ପିଇ, ମୁଢି ଗଣ୍ଡେ ଚୋବାଇ, ସାଢ଼େ ଚାରିଟାରେ, ସାକ୍ଷିଗୋପାଳ ଅଭିମୁଖେ ଯାତ୍ରା ଆରମ୍ଭ କରୁଥିଲି। ସନ୍ଧ୍ୟା ଛଟାରେ ପହଞ୍ଚି ଯାଉଥିଲି। କଟକ ବସରେ ଯାଇ, ଆଠଟା ବେଳକୁ – ଠିକ ଡିନର ବେଳକୁ- ପଶ୍ଚିମ ଛାତ୍ରାବାସରେ ହାଜର।
ଆଜି ପାଦ ଦୁଇଟିରେ ସେଦିନର ବଳ ଠାରୁ ଟିକିଏ ବି ବଳ କମି ନାହିଁ। ଏଇ ତ ଜୟପୁର ଗାଁ ହେଇଗଲା। ସାକ୍ଷିଗୋପାଳ ଦେଇ ରାଜପଥରେ ଯାଉଥିବା ଗାଡ଼ି ମଟରଙ୍କ ଶଦ୍ଦ ଶୁଣା ଗଲାଣି। ଛକ ପାଖ ଚା ଦୋକାନକୁ ଖୋଜିଲେ, ସେ ମିଳେ କୁଆଡୁ। ରାସ୍ତା ଚାରି ଲେନ ହେବାରୁ, ତାଭଳି ଅନେକ ଦୋକାନ ଓ ଘର ଭଙ୍ଗା ହୋଇଗଲା। ଆଉ ଏକ ଦୋକାନରେ ଚା କପେ ପିଇ, ଚାରିଥାକିଆ ଓଭର ବ୍ରିଜ ଉପରେ ଯାଇ ଠିଆ ହେଲି।
ସାକ୍ଷିଗୋପାଳ ମନ୍ଦିରକୁ ଲାଗିଥିବା ରାସ୍ତାରେ ଗହଳି ଅଧିକ। ପଛ ପଟେ ପୋଷ୍ଟ ଅଫିସ ସାମନାରୁ, ବକୁଳବନକୁ ଦେଖୁଥିବା ପଞ୍ଚଶଖାଙ୍କୁ, ପଛକଥା ନଭାବିବାକୁ ପରାମର୍ଶ ଦେଇ, କେହି ଜଣେ ଅଧିକାରୀ, ସେମାନଙ୍କୁ , ଲୋକଙ୍କ ନଜର ନପଡିବା ଯାଗାକୁ ନେଇଯାଇଛନ୍ତି । ନୂଆ ସମୟର ନୂଆ ସହର ଗଢିଉଠିଛି।
ବେଶ କିଛି ସମୟ ଭାବୁକ ହୋଇ, ଏପଟ ସେପଟ ହେଲା ପରେ, ପୁଅ ଆସି କାର ରଖିଲା। ଭୁବନେଶ୍ୱର ଫେରିଯିବି; ଆଉ ଥରେ ସାକ୍ଷିଗୋପାଳରୁ ଗାଁକୁ ପଦଯାତ୍ରା କରିବି; ଏଇ ଆଶା ରଖି କରି। ସେଦିନ ଭଳି ଓ ଆଜି ଭଳି, ଦେଢ଼ ଘଣ୍ଟା ଲାଗୁଛି କି ନାହିଁ, ଦେଖିବି।
***********************************
ଶ୍ରୀ ଚନ୍ଦ୍ର ଶେଗଖର ଦାଶ
ଭୁବନେଶ୍ୱର
ତାରିଖ- ୨୭/୮/୨୦୧୭