ପ୍ରତି ଦିନ ସକାଳୁ, ଭୁବନେଶ୍ୱରର ବାଇପାସ ରୋଡ଼ରେ, ଏକ ପନ୍ଦର ଜଣିଆ ପ୍ରାତ ଭ୍ରମଣକାରୀ ଦଳର କିଛି ସଦସ୍ୟ, ସାଇ ମନ୍ଦିର ଛକରୁ ଦୟାନଦୀ ପୋଲ ପର୍ଯ୍ୟନ୍ତ, ରାସ୍ତାରେ ଚାଲନ୍ତି। ମନ ଫୁର୍ତ୍ତି ରହିବ, ଡ଼ଆଇବେଟିସ କମିବ, ସ୍ୱାସ୍ଥ୍ୟ ଭଲ ରହିବ- ଏହି ଭଳି ଅନେକ ମହାନ ଲକ୍ଷ୍ୟ ସମସ୍ତଙ୍କର। ଏମିତି ଏକା ଦୁକା ଚାଲୁ ଚାଲୁ, ପରସ୍ପରକୁ ‘ଜୟ ଜଗନ୍ନାଥ’, ‘ଜୟ ଶ୍ରୀରାମ’, ‘ଜୟ ରାଧେ ରାଧେ’ କହି, ସ୍ୱାଗତ କରୁ କରୁ, ଏ ଦଳଟି ଗଢ଼ି ଉଠିଥିଲା।
ସମୟ କ୍ରମେ ସଦସ୍ୟମାନଙ୍କର ଅନ୍ତର୍ନିହିତ ପ୍ରତିଭା ସବୁ ପ୍ରକାଶ ପାଇବାକୁ ଲାଗିଲା। ଗୋଟିଏ ଗୁଣ ଉପରେ ଏଠାରେ ଆଲୋକ ପାତ କରିବା ଦରକାର। ଖାଦ୍ୟ ପେୟର ଆୟୋଜନ ହେବ ଓ ଅଧିକାଂଶ ସମୟରେ ସ୍ତ୍ରୀମାନେ ସେଥିରେ ଭାଗ ନ ନେଇ, ଘର ସଂସାର ଚଳାଇବାର ସମ୍ପୂର୍ଣ୍ଣ ସ୍ୱାଧିନତା ଉପଭୋଗ କରିବେ ,ଏପରି ପ୍ରସ୍ତାବ ବା ପଦକ୍ଷେପରେ ସମସ୍ତେ ଏକମତ ଥିଲେ।
ଭୋଜି ବନ୍ଦୋବସ୍ତ ହେଲେ, ଭାସ୍କର ବାବୁ କାସିୟର, ସୂର୍ଯ୍ୟ ବାବୁ ଯାନବାହନ, ଗଗନ ଓ ଶଙ୍କର ବାବୁ ବଜାର ସୌଦା, ଦିବ୍ୟ ବାବୁ ମନୋରଞ୍ଜନ, ମହାନ୍ତି ବାବୁ ଉପସ୍ଥାନ, ସେନାପତି ବାବୁ ପାନ ଓ ମୁଖରୁଚି ଆଦି ବିଭିନ୍ନ ଦାୟିତ୍ୱ ନେଇ ଯାଉ ଥିବାରୁ, ପ୍ରାୟ ପ୍ରତି ମାସରେ ଅତି କମରେ ଦୁଇଟି ଭୋଜି, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଯାଏ।
ଗଲା ବର୍ଷ ନଭେମ୍ବର ମାସର କଥା।ସକାଳ ସାଢ଼େ ନଅଟା ବେଳେ ବ୍ରହ୍ମେଶ୍ୱର ଛକରେ ଟେମ୍ପୋ ଟ୍ରାଭେଲର ବସଟିଏ ଅପେକ୍ଷା କରିଥାଏ । ଦଳର ପ୍ରାୟ ସବୁ ସଦସ୍ୟ ମାନେ ସେମାନଙ୍କର ପତ୍ନୀମାନଙ୍କ ସହ ଏକ ନୂଆ ଯାଗାକୁ ବଣ ଭୋଜି ପାଇଁ ଯିବାକୁ ଗାଡ଼ିରେ ଆସି ବସିଗଲେଣି। ତ୍ରିପାଠୀ ବାବୁଙ୍କ ମାଡାମ୍ କ୍ଷୀର ଜାଗାଟା ଗ୍ୟାସ ଚୁଲିରୁ ଓହ୍ଲାଇ ବାକୁ ଭୁଲି ଯାଇଥିଲେ। ତେଣୁ ସେ ବସ ପାଖକୁ ଆସି ମଧ୍ୟ, ଘରକୁ ତରତରରେ ଫେରି ଯିବାରୁ,ଡେରି ହେଉଥାଏ। ଯାହା ହେଉ, ସେ ପହଞ୍ଚି ଯିବାରୁ ବସ ଛାଡ଼ିଲା ପୁରୀକୁ ଲମ୍ବିଥିବା ରାଜପଥରେ।
ଆଉ ଦୁଇଟି କାରରେ, ଦଳର ସଦସ୍ୟ ନଥିବା ଶ୍ରୀହର୍ଷ ବାବୁ, ଯୋଗେଶ ବାବୁ ଓ ତାଙ୍କ ସ୍ତ୍ରୀ ଏବଂ ଶରତ ବାବୁ ଓ ତାଙ୍କ ସ୍ତ୍ରୀଙ୍କ ସାଥିରେ, ଆମେ ଆଗେ ଆଗେ ଯାଉଥାଉ। ମାଳତୀପାଟପୁରଠାରୁ ଗାଡ଼ି ସବୁ ବାମକୁ ବୁଲିଲା। ଗଡ ଗାଁ ଯାଏଁ ଭଲ ପିଚୁରାସ୍ତା। ଦୁଇ ପଟେ ନଡ଼ିଆ, ଆମ୍ବ, ଝାଉଁ, ପଣସ ଗଛ ମାଳମାଳ। କେତେବେଳେ ଏକ ଗାଁ ଭିତର ଦେଇ, ତ କେତେବେଳେ ଶୁଖିଲା ବେଙ୍ଗେଇ ନଈର ଧାର ଦେଇ, ଗାଡ଼ି ସବୁ ଆଗୋଉ ଥାଆନ୍ତି। ଗଡ ଗାଁଠାରେ, ରାସ୍ତା ନୂଆ ନଈ ବନ୍ଧକୁ ଉଠି, ଦୁଇ ଭାଗ ହୋଇଛି। ଗାଡ଼ି ସବୁ, ନୂଆ ନଈ ବନ୍ଧରେ ଚାରି କିଲୋମିଟର ରାସ୍ତାରେ ଆଗେଇ ଚାଲିଥାଆନ୍ତି। ବାମ ପଟେ ଧାନ କ୍ଷେତ, ଦୂର ଦିଗବଳୟ ଯାଏଁ ଲାଗିଥାଏ। ଡାହାଣ ପଟେ ସରୁ ଧାରରେ ନୂଆ ନଈର ନୀଳ ଜଳରାଶି । ମଝି ନଈଟି ଶୁଖିଲା। ମଉଳା କାଶତଣ୍ଡୀ ଫୁଲ ଗଛର ଜଙ୍ଗଲ। ଠାଏ ଠାଏ ଗାଈ ଓ ଛେଳି ଗୋଠ, ଭୋଜନରେ ବ୍ୟସ୍ତ।
ଶେଷକୁ ନୂଆ ନଈର ବନ୍ଧ, ଭାର୍ଗବୀ ନଦୀର ବନ୍ଧକୁ ଛୁଇଁଲା। ସେଇଠି, ଗାଡ଼ି ସବୁ ଭାର୍ଗବୀ ନଦୀ ବନ୍ଧରେ ବାମ ଦିଗକୁ ଚାଲିଲା। ଆମ ଗାଁର ଗଡାଣି, ମହାଦେବ ଓ ରଙ୍ଗଣୀଙ୍କ ମନ୍ଦିର ପାର ହୋଇ, ‘ବୈଦ୍ୟନାଥ ତୋଟା’ ପାଖରେ ଯାତ୍ରା ଶେଷ ହେଲା। ସମସ୍ତେ ନଈ ବନ୍ଧରୁ, ପୁଲାଙ୍ଗ, ପଣସ ଓ ଆମ୍ବ ଗଛରେ ଭରା ନଈର ପଠାରେ ଥିବା ତୋଟା ଭିତରକୁ, ଧିରେ ଧିରେ ଧାଡ଼ି କରି, ବନ୍ଧ ଗଡାଣିରେ ଓହ୍ଲାଇଲେ।
ଦିନ ଏଗାରଟା ବାଜିଥାଏ। ଭାସ୍କର ବାବୁ ନେଇଥିବା ଦୁଇ କିଲୋ କଟକ ମିକଚର ଓ ଦୁଇ ଲିଟରିଆ ପାଞ୍ଚୋଟି ପାନୀୟ, ଯାତ୍ରା ସମୟରେ ବସରେ ଶେଷ ହୋଇଯାଇଥିଲା। ପହଞ୍ଚିବାକୁ ଦଶ ମିନିଟ ଥାଏ, ମଳୟ ସାରଙ୍କୁ ଫୋନ କରି, ଜଣାଇ ଦିଆଯାଇଥାଏ।
ଓଃ କି ଯୋରଦାର ସ୍ୱାଗତ! ଆମ ଗାଁର ଯୁବକମାନେ – ଗୋପ, କାଳିଆ, କୁଶ, ବିନୁ, ମଳୟ ଓ ଅନ୍ୟ ପିଲାମାନେ – ଏହି ଫିଷ୍ଟ ଆୟୋଜନ କରିବାର ଦାୟିତ୍ୱ ନେଇ ଥାଆନ୍ତି। ଭାଇନାଙ୍କର ସାଙ୍ଗସୁଖ ଭୁବନେଶ୍ୱରରୁ ଆସିବେ ଗାଁକୁ ଫିଷ୍ଟ କରିବାକୁ, ଏଭଳି କିଛି ନଜିର ଆମ ଗାଁ ଇତିହାସରେ ନଥିଲା। ତେଣୁ କରି ଗାଁ ଯୁବକମାନେ ପ୍ରସ୍ତୁତିରେ କୌଣସି ହେଳା କରି ନଥାଆନ୍ତି।ସେମାନଙ୍କର ଆନ୍ତରିକ ହସ ଓ ନମସ୍କାର ସମସ୍ତଙ୍କୁ ମୁଗ୍ଧ କରିଦେଲା। ଅବଶ୍ୟ ପ୍ରସ୍ତୁତି ପଥେ ଥିବା ଖାଦ୍ୟ ପଦାର୍ଥର ମହକ, ପବନରେ ଆଗନ୍ତୁକମାନଙ୍କୁ ଛୁଇଁ ଦେଇ, ଦିପହରର ଭୋଜନ ବିଷୟରେ ଅଧିକ ବାୟବୀୟ ଇଶାରା ଦେଉଥିଲା।
ଧାଡ଼ି ହୋଇ ଆସୁଥିବା ଅତିଥୀମାନଙ୍କର ଆଗରେ ଥାଆନ୍ତି ଚିନ୍ତାମଣି ବାବୁ। ଦୁଇଶହ ହାତ ତୋଟାରେ ଆସିଲା ପରେ ଖମାରଘର । ତା ପାଖରେ ଢ଼ିଙ୍କିଆ କଳ ଓ କଡ଼କୁ ଲାଗି ରୋଷେଇ ପାଇଁ ଖଞ୍ଜା ଶାଳ। କିନ୍ତୁ ଚଲା ରାସ୍ତା ପାଖରେ ହିଁ ସୁଆଁଲୋ ଗାଁରୁ ଆସିଥିବା କାରିଗର, ପକଡି ଛଣା ଆରମ୍ଭ କରି ଦେଇଥାଏ। ସଦ୍ୟ ଛଣା ଯାଉଥିବା ଭ୍ରୁଶୁଙ୍ଗା ପତ୍ର ମିଶା ପକଡିର ମହକ, ଚିନ୍ତାମଣି ବାବୁଙ୍କୁ ଆଟକାଇ ଦେଲା। ଲୁଣ ଓ ଅନ୍ୟ ଭାଗମାପ ଠିକ ଅଛି କି ନାହିଁ, ତାକୁ ପରୀକ୍ଷା କରିବାର ଗୁରୁ ଦାୟିତ୍ୱଟି ସେ ସର୍ବଦା ନିଜେ ନିଜେ, ନେଇ ଆସିଛନ୍ତି। ସେଠାରେ ରହି ସେ ପକଡି ପରୀକ୍ଷାରେ ଲାଗିଗଲେ। ଆଉ ଜଣେ ଦିଜଣ ରୋଷେଇ ଦେଖିବାକୁ ସେଇଠି ଅଟକି ଗଲେ।
ଅନ୍ୟମାନେ, ଆମ ଗାଁ ଯୁବକମାନଙ୍କ ନମସ୍କାର ଓ ସ୍ୱାଗତ ହସ ସ୍ୱ?କାର କରି, ଆଉ ଦୁଇ ଶହ ହାତ ଆଗେଇଗଲେ। ସୁଉଚ୍ଚ ପୁଲାଙ୍ଗ ଗଛମାନ ଏମିତି ଛୁଆଁଛୁଇଁ ହୋଇ ଉପରକୁ ବଢ଼ିଛନ୍ତି ଯେ, ତୋଟାର ଚଟାଣରେ ଟିକିଏ ବି ଖରା ପଡି ନ ପଥାଏ। ଚାରିଆଡ଼େ ନରମ ଘନ ଛାଇ
ଆହୁରି କିଛି ବାଟ ଆସିଲା ପରେ, ତୋଟାର ଶେଷ ଭାଗ। ଗଛ ଛାଇରେ ପ୍ଲାଷ୍ଟିକ ଚୌକି ଓ ଟେବୁଲ ପଡିଥାଏ। ମାଟି ଉପରେ ବଡ଼ ବଡ଼ ନୂଆ ନାଲି ଦରି। ପାଖରେ, ବେଶ ବଡ଼ ଖାଲି ଯାଗରେ, ଅନାବନା ଛୋଟ ଛୋଟ ବଣୁଆ ବୁଦା ଓ ଫୁଲ ଗଛ। ଗାଢ଼ ସବୁଜ ପତ୍ରମାନଙ୍କ ଉପରେ ସୂର୍ଯ୍ୟ କିରଣ ଚିକ୍ ଚିକ୍ କରୁଥାଏ। ଦୁର ଆମ୍ବ ଗଛରୁ କୋଇଲି ଓ ଅନ୍ୟ ପକ୍ଷୀଙ୍କର କାକଳି ଶୁଭୁଥାଏ।
ତୋଟାର ଶେଷରେ ଉଚ୍ଚ ଓ ଘଞ୍ଚ କିଆ ବାଡ଼କୁ ଲାଗି ମହିଳାମାନଙ୍କ ପାଇଁ ପରଦାରେ ତିଆରି ହୋଇଥାଏ ‘ଆରାମ ଘର’ । ଅତି ଯନ୍ନର ଓ ଦାୟିତ୍ୱର ସହ ଟେଣ୍ଟ ହାଉସ ମାଲିକ, ବିନୁ, ନିଜ ବୁଦ୍ଧିରେ, ପୁରୁଷ ମାନଙ୍କ ଭ୍ରମ ଦୁର କରିବା ପାଇଁ, ପ୍ୟାରିସରେ ତିଆରି ସୁନ୍ଦରୀ ନର୍ତ୍ତକୀ ମୂର୍ତ୍ତି, ସେଠାରେ ଠିଆ କରାଇଥାଏ।
ସମସ୍ତେ ଜିନିଷ ପତ୍ର ରଖାରଖି କରି ବସୁ ବସୁ, ଗରମ ପକଡି ଓ ଗରମ ଚାହା ଆସିଗଲା। ସର୍ବ କନିଷ୍ଠ ନ ହେଲେ ମଧ୍ୟ, ସାନ ଦିଅର ଭାବେ ପରିଚିତ ଶଙ୍କର ବାବୁ, ସେ ସବୁ ନେଇ ମହିଳା ମାନଙ୍କୁ ପରଶି ଦେବାରେ ଲାଗିଲେ। ଜଳ ଯୋଗ ଚାଲିଥାଏ। ସେତିକି ବେଳେ ଦୁଇ ତିନି ଜଣ, କିଆବାଡ଼ ପାଖରୁ ନଈ ଗର୍ଭକୁ ଚାହିଁ ଦେଇ, ଆଖି ପିଛୁଳାକେ ଭାର୍ଗବୀ ନଦୀର ପ୍ରେମରେ ପଡ଼ି ଗଲେ। ନଈଟି ସେଠାରେ ଲମ୍ବ ହୋଇ ଅଧା କିଲୋମିଟର ବହିଯାଇଥାଏ। ଆରପଟ ପଠାରୁ ନଈ ଭିତରକୁ ଗମ୍ଭାରୀ, ବର, ଓସ୍ତ ଗଛମାନଙ୍କର ଡାଳ ଓ ଓହଳ ମାଡ଼ି ଆସିଥାଏ। ଏ ପଟ ତୋଟାକୁ ଲାଗି ସୁନେଲି ବାଲୁକା ରାଶି। ଦୁଇ ଚାରିଟା ପାଣି କୁଆ ଓ ବଗ ନଈ ଉପରେ ଉଡୁଥାଆନ୍ତି। ପ୍ରକୃତିର ମନ ଲୋଭା ସୌନ୍ଦର୍ଯ୍ୟ।
ଯୋଗେଶ ବାବୁଙ୍କୁ ଆଉ ରୋକି ହେଲା ନାହିଁ। ନଈର ପାଣି ତାଙ୍କୁ ଚୁମ୍ବକ ଭଳି ଟାଣିନିଏ। ସେଥିରେ ସେ ବ୍ୟତିକ୍ରମ ନ କରି, ପେଣ୍ଟ ସାଟ ବଦଳାଇ ନଈ ପାଣିରେ ପଶି ରହିଲେ।
ଜଳ ଯୋଗ ସରୁ ସରୁ, ମହିଳାମାନେ ମଧ୍ୟ ନଈ କୂଳରେ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଶଙ୍କର ବାବୁଙ୍କ, ନେତୃତ୍ବରେ ପହଞ୍ଚି ଗଲେ। ନଈ ଆରପାରିରେ ଅଳ୍ପ ଦୂରରେ ନବନିର୍ମିତ ଜଗନ୍ନାଥ ମନ୍ଦିର ଦିଶୁଥାଏ। ୨୦୧୫ ମସିହା ନବକଳେବର ପୂର୍ବରୁ ତିଆର ହୋଇଥାଏ। ସେହିଠାରେ ୧୯୭୭ମସିହାରେ ଜଗନ୍ନାଥଙ୍କ ଦାରୁ ବାହାରିଥିଲା। ସେଇ ସ୍ମୃତିକୁ ଏ ମନ୍ଦିରଟି ପ୍ରକାଶ କରୁଥାଏ। ଅଧିକାଂଶ ମହିଳା ଏ ଅପୂର୍ବ ସୁଯୋଗ ହାତେଇବା ପାଇଁ ଶଙ୍କର ଓ ଗଗନ ବାବୁଙ୍କ ନେତୃତ୍ବରେ ନଈ ପାର ହେବା ପାଇଁ, ତୋଟାରୁ ନଈ ଗର୍ଭକୁ ଗଡ଼ିଲେ। ଆଣ୍ଠୁ ଯନ୍ତ୍ରଣା ଓ ବପୁର ଭାରା ଯୋଗୁ, କିଛି ମହିଳା ତୋଟାରେ ରହି ବୁଲି ଦେଖିବାକୁ ପସନ୍ଦ କଲେ।
ମଧ୍ୟାହ୍ନ ଭୋଜନରେ ବିଳମ୍ବଥାଏ। ବସରେ ଏସି ଚଲାଇ, ଦେହର ଗରମଟାକୁ ଥଣ୍ଡା କରିବାଟା ଉଚିତ ହେବ ବୋଲି, ତ୍ରିପାଠୀ ବାବୁ, ମହାନ୍ତି ବାବୁ, ସେନାପତି ବାବୁ, ସୂର୍ଯ୍ୟ ବାବୁ ଆଦି, ବନ୍ଧ ଉପରେ ଥିବା ବସ୍ ଭିତରେ ଯାଇ ବସିଲେ। ଦିବ୍ୟ ବାବୁଙ୍କର ମୁହଁ ବସ ଆଡ଼କୁ ଚାହିଁଲା ବେଳକୁ ଉଜ୍ଜ୍ଵଳ ହେଉଥାଏ ଓ ଦରି ଉପରେ ବସିରହିଥିବା ତାଙ୍କ ସ୍ତ୍ରୀଙ୍କ ଆଡ଼କୁ ଚାହିଁଲା ବେଳକୁ, ଦୋଷ ଓ ଭୟରେ, ମଳିନ ପଡୁଥାଏ। ସେ ମୁଣ୍ଡକୁ ଏପଟ ସେପଟ କରି, ଶେଷରେ ଗାଲରେ ହାତ ଦେଇ, ବସି ରହିଲେ। ବସକୁ ଯିବାକୁ ଯିଏ ଯେତେ ଡାକିଲେ, ସେହି ଯାଗାରୁ ଉଠିବାର ସାହାସ, ସେ କରିପାରିଲେ ନାହିଁ।
ପାଣି ଭିତରେ ଶାଢ଼ୀକୁ ବା ଚିପା ପାଣ୍ଟକୁ ଟେକି କରି, ଶଙ୍କର ବାବୁଙ୍କ ପଛେ ପଛେ ଧାଡ଼ି କରି, ମହିଳାମାନେ ନଈ ପାରି ହେଉଥାଆନ୍ତି । ବେଶି ପାଣି ନଥିବାରୁ ପଶି କରି ଯାଇ ହେଉଥିଲା। ମହିଳାମାନଙ୍କ ଭିତରେ ଅପୂର୍ବ ଉନ୍ମାଦନା।
ଆଉ ଦୁଇଚାରିଜଣ ପୁରୁଷ ବନ୍ଧୁ, ତୋଟାରେ ଓ ନଈ କୂଳରେ କୌଣସି ଏକ ପୁରୁଣା ସଭ୍ୟତାର ସନ୍ଧାନ କଲା ଭଳି ବୁଲୁ ଥାଆନ୍ତି ।ନଈ ପଠାର ଏକ ବିସ୍ତୀର୍ଣ ସ୍ଥାନରୁ ମାଟି ଖୋଳା ହୋଇ ଚାଲି ଯାଇଥାଏ। କେଉଁ କାଳର ନଈ ପଠା ମାଟି, ନଈ ବଢ଼ି ଆସୁ ନଥିବାରୁ ଆଉ ପୃରିବ ନାହିଁ। ପାଖ ତୋଟାକୁ ବିପଦ କରିବ, ରଥ ବାବୁ କହି ପକାଇଲେ। ଜେନା ବାବୁ, ନଈ ଭିତରରୁ ବାଲି ଖୋଳା ହୋଇ, ଟ୍ରାକ୍ଟରରେ ଯାଉଥିବା ଦେଖି, ବେଆଇନ ଭାବେ ବାଲି ଚାଲାଣ ହେଉଛି ବୋଲି, ଘୋଷଣା କରିଲେ।
ମହିଳାମାନେ ଦର୍ଶନ କରି ଫେରି ଆସିଲା ବେଳକୁ, ଆମ ଗାଁର ଯୁବକମାନେ ଭୋଜନ ପାଇଁ ଅଗିଲା କଦଳି ପତ୍ର ଟେବୁଲ ଉପରେ ବିଛାଇ ଦେଲେ। ସଲାଟ,ସାଧା ଭାତ, ହରଡ଼ ଡାଲି, ଗାଉଁଲି ସାଧା ତରକାରି, ପରିବା ଚିପିସି, ଛତୁ ତରକାରି, ବଡି ଚୁନା, ନିରାମିଷାଶିଙ୍କ ପାଇଁ ପନିଆରି ଓ ଶେଷକୁ, ଖାସି ମାଉଁସ ତରକାରି, ଯାହାକୁ ଯେତେ। ସବୁ ସରିଲା ପରେ, ଆମ ଗାଁର ସେ ଖିରି- ଓଃ କି ସୁଆଦ। କିଲେ ପାଖାପାଖି ମାଉଁସ ଖାଇଥିବା ଜଣେ, ସେ ଖିରିରୁ ତିନି ଗିଲାସ ପିଇଗଲେ।
ଭୋଜି ଶେଷ ହୋଇ ଆସୁଥାଏ। ଗାଁର ଯୁବକମାନେ କଥାବାର୍ତ୍ତା ହେଉଥାଆନ୍ତି – ଭୋଜି କରିବାକୁ ଗାଁରୁ ଲୋକମାନେ, ଅତି ବେଶିରେ, ରାମଚଣ୍ଡୀ, ଶିରୁଳି ମହାବୀର ବା ବରାଳ ବାଲିଙ୍କେଶ୍ୱର ଯାଉଥିଲେ। ଏବେ ଆମ ଗାଁର ଏହି ପୁଲାଙ୍ଗ ତୋଟାର ଏତେ ମହତ ଅଛି, ଆଜି ଜଣାପଡ଼ିଲା। କାଳିଆକୁ ବିନୁ ପରାମର୍ଶ ଦେଲା – ଏହି ତୋଟାରେ ଫିଷ୍ଟ ସୁବିଧା ଅଛି ବୋଲି, ବିଭିନ୍ନ ଯାଗାରେ ପୋଷ୍ଟର ଲଗାଇବା ପ
ଭୋଜି ସରିଯାଇଥାଏ। ସୂର୍ଯ୍ୟ ବାବୁ, ତାଙ୍କ ଗାଁର ଏକ ଚାଷୀଠାରୁ, ବିଲ ତୋଳା ଫୁଲ କୋବି ଏକ ବସ୍ତା ମଗାଇ ଦେଇଥିଲେ। ମୁହୂର୍ତ୍ତକ ମଧ୍ୟରେ ତାହା ସମସ୍ତେ ବାଣ୍ଟି ନେଲେ।
ଏହି ‘ବୈଦ୍ୟନାଥ ତୋଟା’ର ଶୋଭାରେ ବିଭୋର, ଗ୍ରାମ ଯୁବକଙ୍କ ଆତିଥ୍ୟରେ ମୁଗ୍ଧ, ଇଂଗ୍ରାଜି ସାହିତ୍ୟର ଛାତ୍ର ଓ ଆୟକର ବିଭାଗର ବଡ଼ ଅଧିକାରୀ, ଶ୍ରୀହର୍ଷ ବାବୁ, ସମସ୍ତଙ୍କୁ ଧନ୍ୟବାଦ ଦେଇ କହିଲେ – ‘ଏହି ଗଛମାନଙ୍କ ତଳେ ଛାଇରେ ବସିଲେ, କାଶ୍ମୀରର ଚିନାର ଗଛ ତଳେ ବସିଲା ଭଳି ଲାଗୁଛି। ଗ୍ରୀଷ୍ମ ଦିନେ, ଧୀର ସମୀରରେ ଏ ସ୍ଥାନ ଭୂସ୍ୱର୍ଗ ଭଳି ଲାଗିବ। କାହିଁକି ସହରୀ ଭାଇମାନେ ଏଠାକୁ ଆସୁନାହାନ୍ତି କେଜାଣି !’
ମୋ ଭଳି, କାଶ୍ମୀର ନ ଦେଖିଥିବା, ଆମ ଗାଁ ଯୁବକମାନେ, ବଡ଼ ବଡ଼ ଆଖି କରି, ଆଁ ମେଲାଇ, ତାଙ୍କ କଥା ପିଇ ଯାଉଥିଲେ। ଆମ ଗାଁ ତୋଟାରେ ଏତେ ଭୋଳାକାରୀ ଯାଦୁ ଅଛି, କେହି ବିଶ୍ୱାସ କରି ପାରୁ ନଥିଲେ। ବିଶେଷ କରି ଏ ସମସ୍ତ ବୟସ୍କ ନାଗରିକମାନେ, କଅଣ ଦେଖି, ଏମିତି ଗଦ୍ ଗଦ୍ ହେଉଥାଆନ୍ତି, କେହି ଭାବି ପାରୁ ନଥିଲେ। ଶେଷରେ ଗୋପ ଓ କୁଶ, ଶ୍ରୀହର୍ଷ ବାବୁଙ୍କୁ ଆର ବର୍ଷ ଆଉ ଥରେ ଆସିବାକୁ ପ୍ରସ୍ତାବ ଦେବା ସମୟରେ, ‘କାଶ୍ମୀରୀ ଭୋଜି’ରୁ ଫେରିବା ପାଇଁ ବସରୁ ହର୍ନ ଶୁଭୁଥିଲା।
****************************************
ଶ୍ରୀ ଚନ୍ଦ୍ର ଶେଖର ଦାଶ
ଭୁବନେଶ୍ୱର
ତାରିଖ- ୦୨/୧୦/୨୦୧୭