କାହିଁକି କେଜାଣି ସେ ପଛ କଥା ମନେ ପଡିଲେ ମଧ୍ୟ, ସେ ବିଷୟଟି ମୋର ବ୍ୟକ୍ତିଗତ ସ୍ତରରେ ମାଦକତା ହରାଇ ସାରିଥିଲା। ସେହି ସ୍ମୃତି, ଲିଭି ଲିଭି ଚେନାଏ ପତଳା କୁହୁଡ଼ି ଭଳି ହୋଇସାରିଥିଲା। ସତେ ଯେପରି, ଆପେ ଆପେ ଅଜାଣତରେ ମିଳେଇ ଯିବା ପାଇଁ ଅପେକ୍ଷା କରିଥିଲା । ଏହିପରି ଅବସ୍ଥାରେ, ଆଜି ପୁଣି ସେହି କଥା ଆଡ଼କୁ କିଏ ଯେମିତି ଭିଡ଼ି ନେଇଗଲା।
ଜାନୁୟାରୀ ମାସ ୭ ତାରିଖ, ୨୦୧୮ ମସିହା, ରବିବାର ।
“ଦୈନିକ ଖବର କାଗଜ ‘ସମାଜ’ର ୧୩ ପୃଷ୍ଠା ଦେଖିଲଣି କି? ତୁମ ନାଁ ବାହାରିଛି।” – ସାନ ଭଉଣୀ ପୁରୀରୁ ଫୋନ କରି ଜଣାଇଲା।
ଖବର କାଗଜରେ ନାଁ ବାହାରିଲା ଭଳି କିଛି ନ କରି, ଯଦି ମୋ ସେଥିରେ ନାମ ଲେଖା ହୋଇଛି, ତାହାଲେ କିଏ ଜଣେ, ମତେ ଅସୁବିଧାରେ ପକାଇବାକୁ ଯୋଜନା କରିଛି ବୋଲି ହଠାତ୍ ମନରେ ଆସିଲା। ସେତେବେଳକୁ ‘ସମାଜ’ ପଢା ସରିଯାଇଥିଲା। ସେହି ପୃଷ୍ଠାଟିରେ କେବଳ ଓଡ଼ିଶାର ମାଧ୍ୟମିକ ଶିକ୍ଷା ପରିଷଦ ଉପରେ କିଛି ଲେଖା ଓ ସୂଚନା ରହିଥିଲା । ସେଥିପାଇଁ, ସେ ପୃଷ୍ଠାଟିରେ, ମୋ ପାଇଁ ପଢ଼ିବା ଯୋଗ୍ୟ କିଛି ନାହିଁ ବୋଲି ମନରେ ସ୍ୱତଃ ଧାରଣା ସୃଷ୍ଟି ହୋଇଥିଲା। ସେହି ପୃଷ୍ଠା ପରେ, ‘ସମାଜ’ର ପରବର୍ତ୍ତୀ ପୃଷ୍ଠା ଆପେ ଆପେ ଓଲଟିଯାଇଥିଲା। ଭୁବନେଶ୍ୱରରେ ଇଂଜିନିୟରିଂ ପଢୁଥିବା ଭଣଜା, ସେଦିନର ସେହି ପୃଷ୍ଠାଟି ପଢିଥିଲା ଓ ମୋର ଭଉଣୀ ପାଖକୁ ଫୋନରେ ଜଣାଇଥିଲା ଯେ ସେଥିରେ ମୋ ନାମ ବାହାରିଛି। ଭଉଣୀ ସେହି ସୂଚନା ପ୍ରତି ମୋର ଧ୍ୟାନ ଆକର୍ଷଣ କରିଥିଲା । ସେ ଫୋନ କରି ନ କହିଥିଲେ, ପଢା ସରିଥିବା ଖବରକାଗଜ ଥାକରୁ, ସେଦିନର ‘ସମାଜ’, ଆଉ ପଢା ଟେବୁଲ ଉପରକୁ ଫେରି ନଥାଆନ୍ତା। ସେହି ଖବରର ମର୍ମ ବୁଝିବା ନିମନ୍ତେ ବହୁତ ପଛକୁ ଯିବାକୁ ପଡିବ।
୧୯୭୧ ମସିହା ଜୁନ ୧୭ ତାରିଖ। କ୍ରମାଗତ ଭାବେ ଗତ ଚାରି ପାଞ୍ଚ ଦିନ ଭଳି, ଆଜିର ସନ୍ଧ୍ୟାରେ, ଗାଁରେ ବଡ ଭଉଣୀଙ୍କର ଘରେ ବସିଥାଉ। କୋରା ନଡ଼ିଆ ମିଶିଥିବା ମୁଢି ଓ ତା ସାଙ୍ଗକୁ ଗରମ ଚାହା ପିଇବାର ଆକର୍ଷଣ ମୋ ଭଳି ଆଉ କେତେକଙ୍କୁ, ଭିଣୋଇଙ୍କର ପ୍ରଶସ୍ତ ଅଗଣାକୁ ଟାଣିଆଣୁଥାଏ। ତାଙ୍କ ଘରେ ଏମିତି ଏକାଠି ହେବାର ଆଉ ଏକ କାରଣ ମଧ୍ୟ ଥିଲା। ତାଙ୍କର ତିନି ବ୍ୟାଣ୍ଡ ଥିବା ରେଡ଼ିଓରୁ ସନ୍ଧ୍ୟା ୬ଟା୨୦ମିନିଟରେ ଆକାଶବାଣୀ କଟକରୁ ପ୍ରଚାରିତ ହେଉଥିବା ଆଞ୍ଚଳିକ ସମ୍ବାଦ ଶୁଣିବା। ସମସ୍ତେ ଜାଣିଥିଲେ ଯେ ମାଟ୍ରିକ ପରୀକ୍ଷାର ଫଳ ପ୍ରକାଶ ପାଇଲେ, ଆଞ୍ଚଳିକ ସମ୍ବାଦରେ କହିବ। କାଲି ବା ଦୁଇ ଦିନ ପରେ, ମାଟ୍ରିକ ପରୀକ୍ଷା ଫଳ ବାହାରି ବ ବୋଲି, ନିୟମିତ ଭାବେ କିଛି ଦିନ ହେବ ଗୁଜବ ଶୁଣିବାକୁ ମିଳୁଥିଲା। ହୁଏତ ଆଜି ଫଳ ପ୍ରକାଶ ପାଇଛି ବୋଲି ରେଡ଼ିଓ କହିବ!
ଗାଁ ଆର ପଟ ରାୟ ଚକ୍ରଧର ପୁର ହାଇ ସ୍କୁଲରେ ପଢୁଥିଲି। ଦଶମ ଶ୍ରେଣୀର ଶେଷ ଭାଗରେ, ସେହି ସ୍କୁଲରୁ ଆସି ବୀର ହରେକୃଷ୍ଣ ପୁର ହାଇସ୍କୁଲରେ ନାମ ଲେଖାଇଥିଲି। ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷାର ଫଳ ଦେଖି, ହେଡମାଷ୍ଟ୍ରେ ଜଳଧର ପରିଡା, ଗ୍ରୀଷ୍ମ ଛୁଟିରେ ହଷ୍ଟେଲରେ ରହି ପଢାପଢି କରିବାକୁ, ମତେ ପରାମର୍ଶ ଦେଇଥିଲେ। ଆଂଶିକ ଭାବେ, ତାଙ୍କର ପରାମର୍ଶ ଗ୍ରହଣ କରିଥିଲି। ପଢାପଢି ପାଇଁ ଅନେକ ଉପାଦାନ ମିଳିଯାଉଥାଏ। ଗାଁରେ, ମାଟ୍ରିକ ପରୀକ୍ଷା ଦେଇଥିବା ଅନେକଙ୍କ ଘରୁ, ବହୁତ ଟେଷ୍ଟ ପେପର ମିଳିଯାଇଥିଲା। ଗଣିତ ଉପରେ କୋଡିଏଟି ଟେଷ୍ଟ ପେପର ସଂଗ୍ରହ କରି ସବୁ ପ୍ରଶ୍ନର ସମାଧାନ କରିଦେଇଥିଲି। ଶେଷ ପରୀକ୍ଷା ପର୍ଯ୍ୟନ୍ତ, ଆଉ ଗଣିତ ବହି ଖୋଲିବାକୁ ପଡି ନ ଥିଲା। ଓଡ଼ିଆ ବିଷୟରେ ମୋର ଜଣେ ସହପାଠୀଙ୍କଠାରୁ ଗୋଟିଏ ଟିପାଖାତାରେ ଅନେକ ବିଷୟରେ ଲିଖିତ ପ୍ରଶ୍ନୋତ୍ତର ପଢିବା ପାଇଁ ସୁଯୋଗ ମିଳିଯାଇଥିଲା।
ମୋର ସହପାଠୀ ଭୁବନ ମୋହନ ଚାନ୍ଦ ଆମ ଗାଁ ପାଖର ହେଲେ ମଧ୍ୟ ଭୁବନେଶ୍ବରରେ ପାଠ ପଢୁଥିଲେ, କାରଣ ତାଙ୍କ ବାପା ସେଠାରେ ସେକ୍ରେଟାରୀଏଟରେ ଚାକିରି କରୁଥିଲେ। ପାଠ ପଢାରେ ମନ ନ ଦେବାରୁ, ତାଙ୍କର ସହପାଠୀ ମାନଙ୍କଠାରୁ ତିନି ବର୍ଷ ପଛେଇ ଗଲେ। ସେଥିପାଇଁ ତାଙ୍କ ବାପା ତାଙ୍କୁ ଆଣି ଗାଁ ପାଖ ସ୍କୁଲରେ ତାଙ୍କ ନାଁ ଲେଖାଇ ଦେଇଥିଲେ। ସୌଭାଗ୍ୟକୁ ହଷ୍ଟେଲର ଗୋଟିଏ ଚାରି ଜଣିଆ ରୁମରେ ଆମେ ଦୁହେଁ ରହୁଥିଲି। ଭୁବନେଶ୍ବରରେ ଚାନ୍ଦର ପୁରୁଣା ବନ୍ଧୁ ଥିଲେ ସୁରଜିତ ମିତ୍ର । ସେ ତିନି ବର୍ଷ ଆଗରୁ ଭୁବନେଶ୍ବରର ୟୂନିଟ-୧ ହାଇସ୍କୁଲରୁ ତାଙ୍କ ସମୟରେ ମାଟ୍ରିକରେ ତୃତୀୟ ହୋଇ ପାସ କରିଥିଲେ। ମୋର ସହପାଠୀ ଚାନ୍ଦ, ତାଙ୍କର ସହପାଠୀ ଥିଲା ବେଳେ, ତାଙ୍କର ଓଡ଼ିଆ ପ୍ରଶ୍ନୋତ୍ତର ଖାତା ଟିପି ଆଣିଥିଲେ। ତାହା ଏତେ ଉଚ୍ଚମାନର ଥିଲା ଯେ, ତାକୁ ପ୍ରଥମେ ପଢ଼ି, ଓଡିଆ କି ସଂସ୍କୃତ ବୋଲି ବୁଝିହୋଇନଥିଲା। ସେହି ଟିପା ଖାତାଟି ମୋ ପାଇଁ ଏକ ମାପ ଦଣ୍ଡ ହୋଇଥିଲା। ଏହା ବ୍ୟତିତ, ଅନ୍ୟ ସାରମାନେ ଭଲ ପଢିବା ପାଇଁ ବହୁତ ଉତ୍ସାହିତ କରୁ ଥାଆନ୍ତି।
ପରୀକ୍ଷା ସେଣ୍ଟର ପୁରୀର ବିଶ୍ୱମ୍ଭର ବିଦ୍ୟାଳୟରେ ପଡିଥାଏ। ପରୀକ୍ଷା ପୂର୍ବ ସନ୍ଧ୍ୟାରେ ଆମେ ପରୀକ୍ଷାର୍ଥୀମାନେ ଶ୍ରୀମନ୍ଦିର ଯାଇଥିଲୁ। ଦୀପ ଜଳାଇ ଜଗନ୍ନାଥଙ୍କ ଆଡ଼କୁ ଦେଖାଇ, କଣ ସବୁ ନୀରବରେ କହିବି ବୋଲି ପ୍ରସ୍ତୁତ ହେଲାବେଳକୁ, ଦୀପଟି ହାତରୁ ଖସିପଡିଲା। ଆରମ୍ଭରୁ ବିଘ୍ନ ଘଟିଲା। ତଥାପି ମନରେ ଲାଗିଲା, ଏହା ଏକ ଶୁଭ ସଙ୍କେତ, ଅଶୁଭ ଆଦ୍ୟୌ ନୁହେଁ। ପରୀକ୍ଷାରେ ଭଲ ହିଁ ହେବ ବୋଲି ଐଶ୍ୱରୀୟ ଆଶ୍ୱାସନା ମିଳିଲା ଭଳି ଲାଗିଥିଲା।
ନାନୀ ଘରେ ବସିଥିବା ବେଳେ, ଛଅଟା କୋଡିଏ ମିନିଟରେ ଆଞ୍ଚଳିକ ସମ୍ବାଦ ଆରମ୍ଭ ହେଲା। ଦୁଇ ତିନୋଟି ସମ୍ବାଦ ପଢା ହେବା ପରେ, ଓଡ଼ିଶାର ମାଧ୍ୟମିକ ଶିକ୍ଷା ପରିଷଦ, ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରିଥିବା କଥା ମୁଖ୍ୟ ସମ୍ବାଦରେ ଘୋଷଣା ହେଲା। ବହୁତ ଦିନର ଉତ୍କଣ୍ଠା ଶେଷ ହେଲା। ନାନୀ ଘରର ଅଗଣାରେ ଯେଉଁ ମାନେ ବସିଥିଲେ ସମସ୍ତେ, ଚୁପ ହୋଇଗଲେ। ଘରଟି ନିସ୍ତଦ୍ଦ ହୋଇଗଲା। ଏବେ ଘୋଷକ ମୁଖ୍ୟ ସମ୍ବାଦକୁ ବିସ୍ତୃତ ରୂପେ ପାଠ କରିବା ଆରମ୍ଭ କରିଦେଲେ। ଏକ ଅନ୍ୟ ପ୍ରକାରର ଉତ୍କଣ୍ଠା କ୍ଷୀପ୍ର ଗତିରେ ବଢିବାକୁ ଲାଗିଲା। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ମାନଙ୍କର ଶତକଡ଼ା ହାର, ଇତ୍ୟାଦି ବିଷୟରେ, ଆଞ୍ଚଳିକ ସମ୍ବାଦ ପାଠ ହେଲା। ଏହାପରେ ପ୍ରଥମ ଦଶଜଣଙ୍କର ନାମ ଘୋଷଣା ହେବ।
ମୋର ଅପାଠୁଆ ବୋଉ, ଦଦେଇ ଓ ଦେଠେଇ ଘରେ ଥାଆନ୍ତି। ନନା ହାଓଡାରେ ଥାଆନ୍ତି। ନାନୀ ଘରେ, ତାର ପରିବାରର ସମସ୍ତଙ୍କ ସହ ଗାଁର କିଛି ପିଲା ବସିଥାଆନ୍ତି। ସମ୍ବାଦ ପାଠକ ପ୍ରଥମ ଦଶ ଜଣଙ୍କ ନାମ ଓ ସେମାନେ ପଢ଼ୁଥିବା ସ୍କୁଲର ନାମ ଘୋଷଣା କରି ଦେଲେ। ହଠାତ୍ ସମସ୍ତଙ୍କର ହୋ ହାଆରେ ନାନୀ ଘରଟି କମ୍ପି ଉଠିଥିଲା। ସମ୍ବାଦ ପରିବେଷକ ମୋ ନାମ ଓ ମୋ ସ୍କୁଲର ନାମ, ବୀର ହରେକୃଷ୍ଣ ପୁର ହାଇ ସ୍କୁଲ ବୋଲି, ପାଠ କରିଥିଲେ। ଏହା ଶୁଣିଲା ମାତ୍ରେ, ପାଖରେ ଥିବା ଆମ ଘରକୁ ମୁଁ ଦୌଡ଼ି ଯାଇଥିଲି। ମୋର ଖୁସି ଓ ଆନନ୍ଦରେ, ମୋ ଦଦେଇ,ଦେଠେଇ ଓ ବୋଉ ମଧ୍ୟ ବହୁତ ଖୁସି ହୋଇ ଯାଇଥିଲେ।
ତା ପରଦିନ ସକାଳୁ ସାକ୍ଷିଗୋପାଳ ଯାଏଁ ଚାଲିକରି ଯାଇଥିଲି। ସେଠାରୁ ବସରେ ବସି ବୀର ହରେକୃଷ୍ଣ ପୁରର ବସ ଷ୍ଟାଣ୍ଡରେ ଓହ୍ଲାଇଲା ବେଳକୁ ସକାଳ ଆଠଟା ହୋଇଥାଏ। ‘ବାଟ ଗାଁ’ର ଶାରୀରିକ ଅକ୍ଷମ ବୁଲା ବଳଙ୍କର ଚାହା ଦୋକାନ ସମ୍ମୁଖରେ ହିଁ ବସ ରହେ। ବସରୁ ଓହ୍ଲାଇଛି କି ନାହିଁ, ବୁଲା ବଳ ଦୌଡ଼ି ଆସି କୁଣ୍ଢାଇ ପକାଇଥିଲେ, ଯାହାର ଉଷ୍ଣତା ଆଜି ବି ମୋ ଛାତିର କେଇଁଠି ଲାଗି ରହିଛି। ରାସ୍ତାଠାରୁ ଅନତି ଦୂରରେ ସ୍କୁଲ ଓ ତା ପଛରେ ସ୍କୁଲର ହଷ୍ଟେଲ। ସେହି ହଷ୍ଟେଲର ମଝି ଅଂଶରେ ହେଡମାଷ୍ଟ୍ରେ ଜଳଧର ପରିଡ଼ା, ସେହି ହାଇ ସ୍କୁଲ ଆରମ୍ଭ ହେବାଠାରୁ, ରହୁଥାଆନ୍ତି। ହଷ୍ଟେଲର ପ୍ରବେଶ ପଥଟି ପ୍ରସସ୍ତ ଓ ଦୁଇ ପଟେ ସିମେଣ୍ଟ ଚୌକି। ଡାହାଣ ପଟ ଚୌକିରେ ଆମ ହେଡ଼ମାଷ୍ଟ୍ରେ ବସନ୍ତି। ଛାତ୍ର ଗଢିବା ଓ ସ୍କୁଲ ଗଢିବାର ଦାୟିତ୍ୱ ନେଇଥିବା ସେହି ସୁଦକ୍ଷ ଶିକ୍ଷକ, ରେଡ଼ିଓରୁ ଖବର ଶୁଣି, ପୂର୍ବ ଦିନ ସନ୍ଧ୍ୟାରେ, କଅଣ କରିଥିବେ ଜାଣିବାର ଉପାୟ ନଥିଲା। ବସ ଷ୍ଟାଣ୍ଡରୁ ଆସି ସେହି ପ୍ରବେଶ ପଥ ପାଖରେ ପହଞ୍ଚିଲା ପରେ, ସାରଙ୍କ ପାଦ ଆଡ଼କୁ ହାତ ଦୁଇଟା ଦିଦ୍ୟୁତ ଲାଗିଲା ପରି ଲମ୍ବି ଯାଇଥିଲା। ତାପରେ ସାରଙ୍କ ଓସାରିଆ ଛାତିରେ ତାଙ୍କର ହାତ ଦୁଇଟାର ବନ୍ଧନ ଭିତରେ ରହିଯାଇଥିଲି। ତାଙ୍କର ଆଖିର ଲୁହ ମୋ ଦେହକୁ ଏବେ ବି ଓଦା କରି ରଖିଛି।
ନ କହି ରହି ହେଉନି ଯେ ମୋ ରୁମରେ ରହୁଥିବା ଭୁବନ ମୋହନ, ମାଟ୍ରିକ ପାସ କରିଯାଇଥିଲେ। ସେ ମତେ ଗୁଣାତ୍ମକ ମାପଦଣ୍ଡ ମତେ ଦେଇଥିଲେ। ବଦଳରେ ମୁଁ ତାଙ୍କୁ ଏକ ଲମ୍ବା ବାଡ଼ିରେ କେଞ୍ଚି କେଞ୍ଚି, ପଢା ସମୟରେ ତାଙ୍କ ନିଦ ଭାଙ୍ଗି ଦେଉଥିଲି। ତାହାର ସୁଫଳ ମିଳି ଯିବାରୁ, ସବୁ ସମୟ ପାଇଁ ତାଙ୍କର ବାପା ଓ ମାଙ୍କର ଶ୍ରଦ୍ଧାର ପାତ୍ର ହୋଇଥିଲି।
ଏହାର ଦୁଇ ବର୍ଷ ପରେ, କଟକର ରେଭେନ୍ସା କଲେଜରେ ନାମ ଲେଖାଇଥିଲି। ପଶ୍ଚିମ ଛାତ୍ରାବାସରେ ବିଏ ପଢିବାର ଦୁଇ ବର୍ଷ, ୧୯୭୩-୭୫ ମସିହାରେ, ରହୁଥିଲି । ୧୯୭୧ ମସିହାରେ ମାଟ୍ରିକ ପରୀକ୍ଷାରେ ପ୍ରଥମ ଦଶଜଣଙ୍କର ମଧ୍ୟରୁ ଅନେକ, ସେହି କଲେଜରେ ,ବିଶେଷ କରି ସେହି ହଷ୍ଟେଲରେ, ରହୁଥିଲେ। ସେମାନଙ୍କ ମଧ୍ୟରୁ ମୋର ଘନିଷ୍ଠ ଓ ଆଜିର ପରମ ସାଇ ଭକ୍ତ ଓ ପ୍ରବକ୍ତା, ବନ୍ଧୁ ସୁରେଶ ଚନ୍ଦ୍ର ପଣ୍ଡା, ପରୀକ୍ଷାରେ ତୃତୀୟ ସ୍ଥାନ ରଖିଥିଲେ। ୧୯୭୨ ଓ ୧୯୭୪ ମସିହାରେ ମାଟ୍ରିକ ପରୀକ୍ଷାରେ ପ୍ରଥମ ହୋଇଥିବା ଯଥାକ୍ରମେ ସୁବାସ ଚନ୍ଦ୍ର ଖୁଣ୍ଟିଆ ଓ ପ୍ରଫୁଲ୍ଲ କୁମାର ଦାଶ ସେହି ହଷ୍ଟେଲରେ ରହୁଥିଲେ। ପ୍ରଫୁଲ୍ଲ ମାତ୍ର ୨୪ବର୍ଷ ବୟସରେ ୧୯୮୧ ଏପ୍ରିଲ ୧୫ ତାରିଖରେ ଦେହ ତ୍ୟାଗ କରିଥିଲେ।
ଆମେ ଦୁଇ ମହଲା ବିଶିଷ୍ଟ ପଶ୍ଚିମ ଛାତ୍ରାବସ୍ଥାର ତଳ ମହଲାରେ ରହୁଥାଉ । ୧୯୭୪ ମସିହା ଅକ୍ଟୋବର ମାସରେ, ହଷ୍ଟେଲର ଉପର ମହଲାରେ ଆମର ଜଣେ ବନ୍ଧୁଙ୍କ ରୁମରେ ରାଜକିଶୋର ମିଶ୍ର, ଆଇ.ଏ .ଏସ୍ . ପରୀକ୍ଷା ଦେବା ପାଇଁ, ପଢାପଢି କରୁ ଥାଆନ୍ତି। ୧୯୬୬ ମସିହାରେ ମାଟ୍ରିକ ପରୀକ୍ଷାରେ ସେ ପ୍ରଥମ ହୋଇଥିଲେ। ସେ ବିଭିନ୍ନ ପ୍ରତିଭାରେ ପରିପୂର୍ଣ୍ଣ ଥିଲେ। ଝରକା ଦେଇ ଆସୁଥିବା ସୂର୍ଯ୍ୟ କିରଣରେ, ତଳ ପଟ ବାରଣ୍ଡାରୁ ତାଙ୍କର ଅସ୍ପଷ୍ଟ ଆକୃତି ଆଜି ପର୍ଯ୍ୟନ୍ତ ମନେ ଅଛି। ସମ୍ମୁଖରୁ ତାଙ୍କୁ କେଭେ ଦେଖି ପାରି ନଥିଲି।
ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢୁଥିବା ସମୟରେ (୧୯୭୫-୭୭), ରାମଜସ କଲେଜ ହଷ୍ଟେଲରେ ରହୁଥାଉ। ୧୯୭୩ ମସିହାରେ ମାଟ୍ରିକ ପରୀକ୍ଷାରେ ପ୍ରଥମ ହୋଇଥିବା କିଶୋର କୁମାର ବାସା, ସେହି ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ, ଆମରି ହଷ୍ଟେଲରେ ଆସି ରହିଲେ। ତାଙ୍କ ସହ ସେହି ସମୟରୁ ବନ୍ଧୁତା ବଢ଼ି ଯାଇଛି। ଏହାର କିଛି ବର୍ଷ ପରେ, ଗାଁରେ ଥାଏ। ସମାଜରେ ଏକ ଦୁଃସମ୍ବାଦ ଉପରେ ନଜର ପଡିଗଲା। ୧୯୬୯ ମସିହାରେ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି, ନୂଆ ରେକର୍ଡ କରି, ଲଳିତ କୁମାର ପଣ୍ଡା ଫାଷ୍ଟ ହୋଇଥିଲେ। ସେ ଆମେରିକାରେ ବୈଜ୍ଞାନିକ ଭାବେ କାମ କରୁଥିଲେ। ମେ ମାସ ୨୦ ତାରିଖ ୧୯୮୦ ମସିହାରେ, ଆମେରିକାର ନେଭାଡାରେ ଏକ ସଡକ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିବା କଥା ସେଦିନ ‘ସମାଜ’ରେ ବାହାରିଥାଏ। ତାଙ୍କୁ ନ ଦେଖିଥିଲେ ମଧ୍ୟ, ଓଡ଼ିଶାର ଏକ ଉଦୀୟମାନ ପ୍ରତିଭାର ଏଭଳି ଆକଷ୍ମିକ ବିୟୋଗରେ ମନଟା ଶୋକାକୁଳ ହୋଇଯାଇଥିଲା।
ବିଶାଖାପାଟଣାରେ ୧୯୯୩ ମସିହାରେ ଥିବା ସମୟରେ, ଆୟକର ବିଭାଗର ଆସିଷ୍ଟାଣ୍ଟ କମିସନର ଭାବେ, ଧୀରେନ୍ଦ୍ର ନାଥ ମିଶ୍ର ଯୋଗ ଦେଇଥିଲେ। ସେହି ବର୍ଷ ମୋର ବଦଳି ବ୍ରହ୍ମପୁରକୁ ହୋଇଗଲା। ସେଠାରେ ଥିବା ସମୟରେ, ୧୯୯୬ ମସିହା ମେ ମାସରେ, ଧୀରେନ୍ଦ୍ରଙ୍କର ବାହାଘରରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ମିଳିଥିଲା। ସେ ୧୯୮୦ ମସିହାରେ ମାଟ୍ରିକ ପରୀକ୍ଷାରେ ପ୍ରଥମ ହୋଇଥିଲେ। ପରେ ନିଜ ବିଭାଗରେ ଚାକିରି କରିଥିବା ହେତୁ, ତାଙ୍କ ସହ ସମ୍ପର୍କ ବଢ଼ି ଯାଇଥିଲା।
ଚାକିରି ସମୟରେ ରାଉରକେଲାରେ ୧୯୯୯-୨୦୦୫ ମସିହାରେ ରହୁଥିଲି। ରାଉରକେଲା ଇସ୍ପାତ କାରଖାନାରୁ ଅବସର ନେଇଥିବା ଇ.ଡି., ନରେଶ ଚନ୍ଦ୍ର ନାୟକଙ୍କ ସଙ୍ଗେ ଥରେ କଥା ହେବାର ସୁଯୋଗ ମିଳିଥିଲା। ସେ ତାଙ୍କ ସମୟରେ, ମାଟ୍ରିକ ପରୀକ୍ଷାରେ ପ୍ରଥମ ହୋଇଥିଲେ। ୧୯୫୦ ମସିହା ପୂର୍ବ କଥା। ଯେଉଁ ଦିନ ପରୀକ୍ଷା ଫଳ ଘୋଷଣା ହୋଇଥିଲା ସେଦିନର କଥା ସେ ଯାହା କହିଥିଲେ, ସେଥିରୁ କିଛି ମନେ ଅଛି। ସେ କଟକର ପି ଏମ୍ ଏକାଡେମୀରେ ପଢୁଥିଲେ। ତାଙ୍କର ପରୀକ୍ଷା ଫଳ ଶୁଣି, ସେ ସ୍କୁଲକୁ ଧାଇଁ ଆସିଥିଲେ। ସେତେବେଳେକୁ ସ୍କୁଲ ବେଶ କୋଳାହଳମୟ ହୋଇ ଯାଇଥିଲା।ତାଙ୍କ ହେଡ଼ମାଷ୍ଟ୍ରେ, ତାଙ୍କୁ ଦେଖି କରି, ନ ଦେଖିଲା ଭଳି ହେଉଥାଆନ୍ତି। ଯୁବକ ନରେଶ କିଛି ବୁଝି ପାରୁ ନଥିଲେ। ହେଡ଼ମାଷ୍ଟ୍ରଙ୍କର ଖୁସିର କାରଣ, ଯେମିତି ତାଙ୍କର ଫାଷ୍ଟ ହେବା କଥା ନୁହେଁ, ଅନ୍ୟ କିଛି ଥିଲା। ହେଡ଼ମାଷ୍ଟ୍ରେ ବିଶ୍ୱାସ କରି ପାରି ନ ଥିଲେ ଯେ ସବୁଠାରୁ ଛତରା ଏବଂ ପାଠକୁ ଅବହେଳା କରୁଥିବା, ଘୋଷ ନାମଧାରୀ ତାଙ୍କର ଜଣେ ଛାତ୍ର, ଯିଏ ମାଟ୍ରିକ ପରୀକ୍ଷାରେ ନିଶ୍ଚିତ ଫେଲ ହେବାର ଥିଲା, ସେ ତୃତୀୟ ଶ୍ରେଣୀରେ ପାସ୍ କରିଥିଲା। ସମ୍ପୂର୍ଣ୍ଣ ଅସମ୍ଭବକୁ ସେ ପିଲା ସମ୍ଭବ କରି ପାରିଥିଲା। ସେହି ଖବରରେ ହେଡ଼ମାଷ୍ଟ୍ରେ ଏତେ ଆତ୍ମହରା ହୋଇଯାଇଥିଲେ ଯେ ନରେଶ ଚନ୍ଦ୍ର ନାୟକଙ୍କ ଉପସ୍ଥିତିକୁ ଯେମିତି ଅନେକ ସମୟ ପାଇଁ ଭୁଲି ଯାଇଥିଲେ।
ରାଉରକେଲାରେ ଥିବା ସମୟରେ ଇସ୍ପାତ କାରଖାନାର ପରିଚାଳନା ନିର୍ଦ୍ଦେଶକ ହୋଇ ସନକ ମିଶ୍ର ଆସି ଥାଆନ୍ତି, ମେ ମାସ ୨୦୦୧ ମସିହାରେ। ସେ ୧୯୬୧ ମସିହାରେ ମାଟ୍ରିକ ପରୀକ୍ଷାରେ ପ୍ରଥମ ହୋଇଥିଲେ। ସେତେବେଳେ ତାଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ ହୋଇଥିଲା। ରାଉରକେଲାରେ ରହୁଥିବା ସମୟରେ ଥରେ ଅଧେ, ଶ୍ରୀ ନାୟକ ଓ ଶ୍ରୀ ମିଶ୍ରଙ୍କୁ, କୌଣସି ସାମାଜିକ କାର୍ଯ୍ୟକ୍ରମରେ ଏକ ସାଙ୍ଗରେ ଦେଖିବାକୁ ମିଳିଥିଲା।
ଏ ଯେଉଁ କେତେଜଣଙ୍କ କଥା ଜାଣିଥିଲି, ସେହିମାନଙ୍କର ନାମ ଯାନୁଆରୀ ୬ ତାରିଖର ‘ସମାଜ’ର ୧୩ ପୃଷ୍ଠାରେ ଥିବା ଏକ ଲିଷ୍ଟରେ ପଢ଼ିବାକୁ ପାଇଥିଲି। କିଏ ଜଣେ ବିଶେଷ ପରିଶ୍ରମ କରି ୧୯୫୭ ମସିହାଠାରୁ ୨୦୧୨ ମସିହା ପର୍ଯ୍ୟନ୍ତ, ମାଟ୍ରିକ ପରୀକ୍ଷାରେ ଓଡ଼ିଶାରେ ପ୍ରଥମ ହୋଇଥିବା ଛାତ୍ରମାନଙ୍କ ନାମ, ନମ୍ବର ଓ ସ୍କୁଲ ନାମ ଆଦି ସଂଗ୍ରହ କରିଥିଲେ। ସମୟର ଗତି ଓ ସ୍ରୋତରେ, ସେହି ସୂଚନା ଭିତରୁ କେତେକରେ କଳଙ୍କି ଲାଗିଗଲା ଭଳି ମନେ ହେଲା। ଉପଯୁକ୍ତ ଯତ୍ନର ଅଭାବରେ, ସନକ ମିଶ୍ର ‘ସନଙ୍କ’ ମିଶ୍ର ହୋଇଗଲେ ଓ କିଶୋର କୁମାର ବାସା ‘କିଶୋରୀ’ କୁମାର ବାସାରେ ପରିଣତ ହେଲେ। ଲଳିତ କୁମାର ପଣ୍ଡାଙ୍କ ନାମରୁ ଶେଷ ଦୁଇଟି ଶଦ୍ଦ କଟିଯାଇ ଲଳିତ ‘ମୋହନ ପରିଡ଼ା’ ହୋଇଗଲା। କେତେକଙ୍କର ‘ଦାଶ’ ସାଙ୍ଗିଆ ‘ଦାସ’ ହୋଇଗଲା। ଅତି କମରେ ଜଣଙ୍କର ରଖିଥିବା ନମ୍ବର ମଧ୍ୟ ଭୁଲ ଲେଖାଗଲା। ଅନ୍ୟ ନାମମାନଙ୍କରେ ହୁଏତ ଭୁଲ ଭଟକା ଥାଇପାରେ। ଏହି ସବୁ ସୂଚନା ମୂଳରୁ ଓଡିଆରେ ଥିଲା। ପରେ ହୁଏତ ବିଭିନ୍ନ କାରଣରୁ ଇଂରାଜୀରେ ରୂପାନ୍ତରିତ ହୋଇଥିବ। ପୁଣି ଯେତେବେଳେ ଓଡିଆରେ ଲେଖିବାର ଆବଶ୍ୟକତା ପଡିଛି, ସେତେବେଳେ ମୂଳ ଲେଖା ନ ଦେଖି, ଇଂରାଜୀରୁ ଓଡିଆ ବଦଳାଇଲା ବେଳେ ବ୍ରହ୍ମପୁର ‘ବରହମ୍ ପୁର’ ଭଳି ପ୍ରମାଦପୂର୍ଣ୍ଣ ଭାଷାନ୍ତର ହୋଇଛି। ସମୟର ସ୍ରୋତରେ, ବର୍ଷ ତାରିଖ ମାତ୍ରା ସାଙ୍ଗିଆ ଆଦି ତଥ୍ୟର ଶୁଦ୍ଧତା ଓ ଅଭଙ୍ଗନୀୟ ଗୁଣକୁ ଅକ୍ଷତ ରଖିବାର ସମ୍ପୂର୍ଣ୍ଣ ଦାୟିତ୍ୱ ଲେଖକ ବା ସଂଗ୍ରାହକ, ଅତ୍ୟନ୍ତ ଯତ୍ନବାନ ନ ହେଲେ, ନେଇ ପାରି ନଥାଆନ୍ତି। ସେଇଥିପାଇଁ ‘ସମାଜ’ର ସେହି ଲିଷ୍ଟରେ, କିଛିଟା ବିକୃତିକୁ ଦେଖି, ଅନିଛା ସତ୍ୱେ, ସହି ନପାରି ଏହି ଲେଖାଟି ଲେଖିଦେଲି।
*******************
ଶ୍ରୀ ଚନ୍ଦ୍ର ଶେଖର ଦାଶ
ସ୍ଥାନ- ଭୁବନେଶ୍ୱର
ତାରିଖ- ୦୯/୦୧/୨୦୧୮
ଗାଁର କଥା- (୨୯) ‘ସମାଜ’ରେ ବାହାରିଛି : A beautiful blog in Odia by Chandra Sekhar Dash, don’t miss
- GAIL to setup India’s first coal-to-gas conversion plant in Odisha
- Bollywood Actor, Karisma Kapoor Inaugurates Mohey’s First Store In The City at Saheed Nagar (Janpath)