ଦିଲ୍ଲୀରେ କିଛି ଦିନ ତଳେ ନୂଆଖାଇ ପରବ ପାଳନ ହୋଇଥିଲା। ସେଠାରେ ରହୁଥିବା ସମ୍ବଲପୁରର ଜଣେ ଅନ୍ତରଙ୍ଗ ବନ୍ଧୁ, ଭବାନୀ ଶଙ୍କର ଦୀକ୍ଷିତ ସେ ଉତ୍ସବରେ ଉଠିଥିବା ଅନେକ ଫଟୋ, ଫେସବୁକରେ ଦୁଇ ତିନିଟା କରି, କିଛି ଦିନ ହେଲା ଦେଇ ଚାଲିଥିଲେ। ବନ୍ଧୁ ବନ୍ଧୁଙ୍କ ଭିତରେ କୃତଜ୍ଞତା ଓ ଶୁଭେଛାର ବାର୍ତ୍ତା ବିତରଣ ଚାଲିଥାଏ। ଫଟୋରୁ ଚିହ୍ମାମୁହଁ ଜଣେ ଦିଜଣଙ୍କୁ ଦେଖି ଖୁସି ଲାଗିଲା। କିନ୍ତୁ ସବୁଠାରୁ ବେଶି ଆନନ୍ଦ ଲାଗିଲା ବିଭିନ୍ନ ପ୍ରକାରର ସମ୍ବଲପୁରୀ ଶାଢ଼ୀ ଓ ପୋଷାକ ଦେଖି କରି। ନୀଳ, ଗାଢ଼ ନୀଳ, ଗୋଲାପି, ବାଇଗଣୀ, ଲାଲ, ସବୁଜ – କି ରଙ୍ଗ! ଛୋଟ ବଡ଼ ଚତୁର୍ଭୂଜ, ତ୍ରିଭୂଜକୁ ନେଇ କି ଡିଜାଇନ! ଜାକେଟ, କୁର୍ତ୍ତା ! ମନଲୋଭା ପୋଷାକର ପ୍ରଦର୍ଶନ ତ।
ଅନେକ ବର୍ଷ ତଳେ, ପୁରୀ ଓ କଟକରେ କଲେଜ ପଢ଼ିବା ପର୍ଯ୍ୟନ୍ତ, ସମ୍ବଲପୁରୀ କନା ବା ଶାଢ଼ୀ କେବଳ ଗୋଟିଏ ଦିଇଟା ‘ସମ୍ବଲପୁରୀ ବସ୍ତ୍ରାଳୟ’ ରେ ମିଳେ ବୋଲି ଜାଣିଥିଲୁ। କେଭେ କିଣିବା ଦରକାର ପଡି ନଥିଲା। ଏବେ ସିନା ଭୁବନେଶ୍ୱରେ ସମ୍ବଲପୁରୀ ବସ୍ତ୍ରର ଭଳି ଭଳିକି ଆଖି ଝଲସଉଥିବା ନୂଆ ଦୋକାନ। ପାଖରେ ଟଙ୍କାଥିଲେ, ଦେହ ଝଲସିଯିବ। ହେଲେ ଯେଉଁ ଫଟୋ ଭବାନୀ ଦୀକ୍ଷିତ ଫେସବୁକରେ ଦେଲେ, ସେଥିରେ ଥିବା ପୋଷାକ, ଭୁବନେଶ୍ୱରରେ ମିଳୁଛି କି ନାହିଁ ଖୋଜିବାକୁ ପଡ଼ିବ। ଅନ୍ୟ ଏକ ଦିନ।
ମନେ ପଡ଼ିଲା ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ବିତାଇଥିବା ସମୟର କଥା। ପଶ୍ଚିମ ଓଡ଼ିଶାର ବହୁ ଛାତ୍ରଙ୍କ ସହ ବନ୍ଧୁତା ହୋଇ ଯାଇଥାଏ। କେତେକଙ୍କ ସହ ଖୁବ୍ ଘନିଷ୍ଠତା ମଧ୍ୟ ହୋଇ ଥିଲା। ଶ୍ରଦ୍ଧାରେ ଜଣେ ଦି ଜଣ ବନ୍ଧୁ ସମ୍ବଲପୁରୀ ରୁମାଲ ଓ ଜାମା କନା ଦେଇଥିଲେ। ସେ ରୁମାଲରେ ଓ ସେ କନା ତିଆରି ଜାମାରେ, ଓଡ଼ିଶାର ପ୍ରତିଛବି ବାହାରି ଆସୁଥାଏ। ଓଡ଼ିଶାର ନିଜସ୍ୱ ଆସ୍ତରଣରେ ଶରୀରକୁ ଆରାମ ଓ ମନକୁ ଗର୍ବ ଅନୁଭବ କରିବା ପାଇଁ ଯଥେଷ୍ଟ ଉପାଦାନ ମିଳିଯାଇଥିଲା।
କିଛି ଦିନ ପରେ (ଡିସେମ୍ବର, ୧୯୮୦),ନାଗପୁରରେ ସରକାରୀ ଚାକିରିରେ ଯୋଗଦେବାର ଥିଲା। ସମ୍ବଲପୁର ହୋଇ ଝାରସୁଗୁଡା ଯାଏଁ ବସରେ ଓ ସେଠାରୁ ଟ୍ରେନରେ ନାଗପୁର ଯିବାକୁ ହେବ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ, ସମ୍ବଲପୁରର ବନ୍ଧୁମାନଙ୍କ ସହ ଗଢି ଉଠିଥିବା ସମ୍ପର୍କ ବହୁତ କାମ ଦେଲା। ଭୁବନେଶ୍ୱରରୁ ରାତିରେ ବସରେ ଆସି ସକାଳେ ସମ୍ବଲପୁରରେ ପହଁଚିବି, ଛୁକଲୁଙ୍କ ଘରେ ଅତିଥି ହେବି, ରାତିରେ ରହି, ଅତି ଭୋରରୁ ଝାରସୁଗୁଡାରେ, ଟ୍ରେନ ଆସିବା ପୂର୍ବରୁ ପହଁଚିଯିବି। ଏହାହିଁ ଥିଲା ଯୋଜନା।
ତାହାହିଁ ହେଲା। ଛୁକଲୁ ଓ ସଦ୍ୟ ପରିଚୟ ହୋଇଥିବା, ସରୋଜ ଦାଦାଙ୍କ ଭାଇ ପ୍ରଫୁଲ୍ଲଙ୍କ ସାଙ୍ଗରେ ସମ୍ବଲପୁରରେ ସ୍କୁଟରରେ ବସି ବେଶ ବୁଲା ହେଲା। ସମ୍ବଲପୁରୀ ଜାମାଟିଏ ପିନ୍ଧି ଥାଏ। ଯେଉଁ ସ୍ଥାନକୁ ଯାଉଥାଏ, ମତେ ଲାଗୁଥାଏ ଅନ୍ୟମାନେ ମୋ ଆଡ଼କୁ ଆବଶ୍ୟକତାଠାରୁ ଅଧିକ ଚାହୁଁଥାଆନ୍ତି। ମତେ ଲାଗୁଥିଲା ସେ ଜାମାଟା ଭିତରୁ କିଛି ବିକୃତିଆ ପଣ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିଲା !
ବୁଲିବା ସମୟରେ ଫାଟକ ପାଖରେ ଅଟକି ଥାଉ। ବିପରୀତ ଦିଗରୁ ଆସୁଥିବା ବସରୁ କନିଷ୍ଠ ବନ୍ଧୁ ଦେବାଶିଷ ପାଢ଼ୀ ପାଟି କରି ଡାକିଲେ- ଦାଦା,ଇନ କୁଆଡ଼େ ଆସ୍ ଛ?
ତାଙ୍କ ପଛ ସିଟରେ ବସିଥିବା ଝିଅଟି ଫିକ କରି ହସିଦେଇ ତା ସାଥିକୁ ହାତଠାରି ଦେଖାଇ କହିଲା-
‘ଇ ଆଡେ ଦେଖ୍ । ସେ ପିଲା କାଣା ପିନ୍ଧଛେ ଦେଖ୍।
ଇତାକେ ଆଉର୍ କିଛି ନାଇ ମିଲଲା ପିନ୍ଧବାକେ!
ହିଁ ହିଁ ହିଁ ହିଁ–!’
ଅନୁଭବ କରି ପାରିଲି ବ୍ୟତିକ୍ରମଟିକୁ। ସେ ଏକ ଛୋଟ କାହାଣୀ । ଭୁବନେଶ୍ୱରରେ ଭାଇନାଙ୍କ ଫ୍ଲାଟରେ ଥାଉ। ସେଠାରେ ବନ୍ଧୁ ଟିମା ସାରେ ମଧ୍ୟ ଥାଆନ୍ତି। ଜାମା ପ୍ୟାଣ୍ଟ ତିଆର କରିବା, ତାଙ୍କର ବହୁତ ସଉକ ଭିତରୁ ଗୋଟିଏ। ମୋ ପାଖରେ ଥିବା ସମ୍ବଲପୁରୀ କନାଟି ଦେଖି , ଟିମା ସାରେ, ମୋ ପାଇଁ ଗୋଟିଏ ସାଟ କରିବା ପାଇଁ ପ୍ରସ୍ତାବ ଦେଲେ। ହାପ ସାଟ ହେବ। ହାତର ଶେଷରେ କଳା ବର୍ଡ଼ର, କଲରର ଏପଟ ବକ୍ରମରୁ ସେପଟ ବକ୍ରମ ଯାଏଁ ସେମିତି ବର୍ଡ଼ର, ଛାତି ପକେଟରେ ବି ସେଭଳି ବର୍ଡ଼ର ରହିବ। ଗଳା ପାଖରୁ ସାଟ ତଳ ପର୍ଯ୍ୟନ୍ତ ଏକ କଳା ରିବନ ଭଳି ଲାଗିବ ଓ ଗୋତାମ ପାଇଁ ସେଥିରେ କାଜ ହେବ। ପ୍ରସ୍ତାବରେ ଉଲ୍ଲସିତ ହୋଇଗଲି। ଶସ୍ତା କନାରେ ନୂଆ ଡିଜାଇନ ହେବ। ଆଜିର ନାମକରା ଓଡ଼ିଆ ଡିଜାଇନର ବିଭୁ ମହାପାତ୍ର ଏମିତି ଡିଜାଇନ ଦେଇ ପାରି ନଥାଆନ୍ତେ ! ମନେ ମନେ ବେଶି ଖୁସି ଲାଗୁଥାଏ ଯେ ଦରଜି ମାହାଳିଆରେ ସାଟଟା ସିଲାଇ କରିବେ ବୋଲି।
ସମ୍ବଲପୁରରେ ସେ ଦିନ ଟିମା ସାରଙ୍କ ତିଆରି, ଫିନ ଫିନ ଧଳା ସାର୍ଟଟା ପିନ୍ଧିଥାଏ, ଯାହା ଉପରେ କଳା ପଟିରେ କାମ ହୋଇଥିଲା। ଟିମା ସାରେ ଏମିତି କଳା ଓ ଧଳାର ମିଶ୍ରଣ କରି ଥାଆନ୍ତି ଯେ, ନ ଦେଖିଲା ଲୋକ ଦେଖି ବ । ସେ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବ ନାହିଁ ଯେ ସମ୍ବଲପୁରୀ ଧଳା ଗାମୁଛା ଓ ଗାମୁଛାର କଳା ବର୍ଡ଼ରରେ ଏମିତି ସାର୍ଟ ହୋଇପାରେ ବୋଲି।
ଏବେ ଦିଲ୍ଲୀରେ ଶେଷ ହୋଇଥିବା ନୂଆ ଖାଇ ପରବରେ ଭାଗ ନେଇଥିବା ଲୋକମାନଙ୍କୁ ରଙ୍ଗ ବେରଙ୍ଗର ସମ୍ବଲପୁରୀ କୁର୍ତ୍ତା, ଜାକେଟ ଓ ଶାଢ଼ୀ ପିନ୍ଧିଥିବା ଦେଖି, ବସ୍ତ୍ର ଜଗତରେ ଓଡ଼ିଶାର ନିଜସ୍ୱ ପରିଚୟ ସୁଦୃଢ଼ ହୋଇଯାଇଛି ବୋଲି ଜାଣି ହୋଇ ଯାଉଛି। କିନ୍ତୁ ସଇଁତିରିଶି ବର୍ଷ ତଳର ସେ ଗାମୁଛାରେ ତିଆରି ସାର୍ଟ ପିନ୍ଧି, କିଛି କମ ଆନନ୍ଦ ଲାଗୁନଥିଲା କି କିଛି କମ ଗର୍ବ ଲାଗୁ ନଥିଲା।
********************************************
ଶ୍ରୀ ଚନ୍ଦ୍ର ଶେଖର ଦାଶ
ଭୁବନେଶ୍ୱର
ତାରିଖ- ୨୬/୯/୨୦୧୭