Bhubaneswar Buzz

ଗାଁର କଥା — ଭାଷାର କାନ୍ଦ : A beautiful Blog in Odia by Chandra Sekhar Dash

ଅନେକ ଫ୍ଲାଟଥାଇ ବହୁ ମହଲା କୋଠାଘରର ପ୍ରବେଶ ପଥରେ ଫାଟକ ଯଗିଥିବା ଯଗୁଆଳି, ବନ୍ଧୁଙ୍କୁ ଦେଖା କରିବାକୁ ଗାଡି ନେଇ ଯାଉଥିବା ସମୟରେ ଅଟକାଇଲା । ଖାତାରେ ନାମ, ଠିକଣା, ଓ ଦେଖା କରିବାକୁଥିବା ବ୍ୟକ୍ତିଙ୍କ ନାମ ଆଦି ଲେଖିବାକୁ କହିଲା ।
ଓଡିଆରେ ସବୁ ତକ ଗୋଲ ଗୋଲ କରି ଲେଖିଦେଇ, ଖାତା ଟି ଜଗୁଆଳିକୁ ବଢାଇଦେଲି । ଏ ଭଳି ଲେଖା ଦେଖି, ତା ଆଖିରେ ସନ୍ଦେହ ବେଶୀ ଓ ଆଶ୍ଚର୍ଯ୍ୟ ଭାବ କମ ଥିଲା ।

‘ଆରେ, ବେଶୀ ପାଠ ପଢିନି ବୋଲି ତ ଏ ଖାତାରେ, ଅନ୍ୟ ମାନଙ୍କ ଭଳି, ଇଂଗ୍ରାଜିରେ ଲେଖିପାରିଲିନି । କାହିଁକି ଆଉ ଚାହୁଁଛୁ?’

କିଛି ଭାବନା ଭିତରେ ଥିବା ଜଗୁଆଳି, କଅଣ ଭାବି ଛାଡି ଦେଲା ପରେ, ଗୋଟାଏ ଗଡ ଜିଣିଲା ଭଳି ଲାଗିଲା। ଯେତେ ଯଗୁଆଳି ଥିବା ଜନପଦକୁ ଯାଇଛି, ଏକ ପ୍ରକାର ଖାତା, ଏକା ପ୍ରକାର ଲେଖା ଓ ଏକା ପ୍ରକାର ମୋ ଅମାନିଆ କଲମ।

ଆଉ ଅନନ୍ୟମାନଙ୍କ କଥା । ଡାକ ପିଅନ ଓ କୋରିଅର ବାଲା ପାର୍ସଲ ବା ଚିଠି ଦେଲା ବେଳେ, ସେମାନଙ୍କର ଖାତା ବା କାଗଜରେ ଦସ୍ତଖତ କରିବାକୁ କହନ୍ତି। ଘର ପରିସର ଭିତରକୁ ଆସିଥାଆନ୍ତି ବୋଲି, ଓଡିଆରେ ନାଁ ଲେଖିଦେଲେ, ସେମାନେ ଚିନ୍ତିତ ହୁଅନ୍ତି ନାହିଁ କି କିଛି ପ୍ରକାଶ କରନ୍ତି ନାହିଁ।

କ୍ଳବରେ କିନ୍ତୁ ଟିକିଏ ଉଷ୍ଣତା ଭାବ ବେଶୀ ।ଆତିଥୀ ନେଇ କରି ଗଲେ ତାଙ୍କର ନାଁ, ଠିକଣା, ବୃତ୍ତି ଆଦି ରେଜିଷ୍ଟରରେ ଲେଖିବାକୁ ହେବ। ସେ ରେଜିଷ୍ଟରର ପୂର୍ବ ପୃଷ୍ଟା ଓଲଟାଇଲେ, ଓଡିଆର ଛାଇ ବି ଦେଖାଯାଏନି । ନିଜ କଲମ କାଢି, ସବୁ ତଥ୍ୟକୁ ଓଡିଆରେ ଲେଖିଲା ବେଳେ, ରିସେପ୍ସନିଷ୍ଟ କଣେଇ କଣେଇ ଚାହୁଁଥିବା ଜଣାପଡେ।

‘କେହି ବୋଧେ ଓଡିଆରେ ଲେଖନ୍ତିନାହିଁ?’

‘ସାର୍, ଆପଣ ଓ ଆଉ ଜଣେ ଓଡିଆରେ ଲେଖନ୍ତି। ସେ କେବଳ ଓଡିଆରେ ଦସ୍ତଖତ କରନ୍ତି,ବାକି ସବୁ ଇଁଗ୍ରାଜିରେ ।’

ଏମିତି ଅନୁଭୂତି ନିତିଦିନିଆ ହୋଇଗଲାଣି । ଦିନଥିଲା ଷ୍ଟେଟ୍ ବ୍ୟାଙ୍କ୍ ଓଡିଆ ଅକ୍ଷରେ ଜମା ସ୍ଳିପ୍ ଯୋଗାଇ ଦେଉଥିଲା । ସେହି ଓଡିଆ ସ୍ଳିପ୍ ବ୍ୟବହାର କରୁଥିବା, ଏକମାତ୍ର ଗ୍ରାହକଙ୍କ ସହ ସେ ବ୍ୟାଙ୍କ୍ ଶାଖାର ମାନେଜରଙ୍କର ପରିଚୟ ହୋଇଗଲା। ବ୍ୟାଙ୍କକୁ ଗଲେ, ସେ ଟିକିଏ ଗପନ୍ତି ଓ ଚା କପେ ଦେଇ ଆପ୍ୟାୟିତ କରନ୍ତି । ସେ ଦିନ ସେ କହୁ କହୁ କହି ଦେଲେ- ଦୈନିକ କାର୍ଯ୍ୟ ଓଡିଆରେ ଲେଖିବାକୁ ଲୋକେ ପସନ୍ଦ କଲେ ହେବ ସିନା, ନହେଲେ, ଭାଷା ଆଗେଇ ପାରିବନି ।

ଓଡିଆକୁ ହତାଦର କଲେ ଭାରି ବାଧେ। ଆଦର କଲେ, ସେ ସେ ସଫା ହୋଇଥିବା ସୁନା ଭଳି ଝଟକିଥାଏ। ମୋ ବୋଉ ପାଠ ପଢି ନଥିଲା। ମୋ ନନା କେବଳ କରଣି ଅକ୍ଷରରେ ଲେଖିବା ଜାଣିଥିଲେ। ସ୍କୁଲ୍, କଲେଜ, ଗ୍ଳାସ୍, ପେନସିଲ୍, ବ୍ୟାଗ, ପେଣ୍ଟ, ସାଟ୍ ଆଦି ଓଡିଆ ଧର୍ମ ଗ୍ରହଣ କରିଥିବା କେତେକ ଶଦ୍ଦକୁ ଆମ ଗାଁର ଆଉ ସମସ୍ତଙ୍କ ଭଳି, ମୋ ନନା ବୋଉ ବୁଝି ପାରୁଥିଲେ। ପାଠ ପଢୁଆ ଅନେକଙ୍କ ମୁହଁରୁ ଅନାୟସରେ ସରି, ସର୍ପରାଇଜ୍, ସିଟ୍, ଶିଟ୍ ଆଦି ଶହ ଶହ ଇଁଗ୍ରାଜି ଶଦ୍ଦ, ବାହାରି ଆସେ। କେତେକଙ୍କ ବାକ୍ୟରେ ଅତି କମରେ ଚାରି ଭାଗରୁ ଭାଗେ ଇଁଗ୍ରାଜିର ଖଣ୍ଡିଆ ଅଂଶଟାଏ ରହିଲା ପରେ ପୂର୍ଣ ଛେଦ ପଡେ। ଜନ୍ମ ଦାତା ଯାହା ବୁଝି ପାରିବେ ନାହିଁ, ସେମିତି ଶଦ୍ଦ ବା ଖଣ୍ଡିଆ ବାକ୍ୟ ମୋ ପାଟିରେ ପସୁ ନଥିଲା।
ମୋର ଏତେ ଓଡିଆ ସରାଗ ପଛରେ ମୋର ଭାଉଜଙ୍କର ବିଶାଳ ଅବଦାନ ଅଛି । ଭାଇନା ଭଦ୍ରଖରେ ଚାକିରି କରୁଥାଆନ୍ତି । ଭାଉଜ ଗାଁରେ ଥାଆନ୍ତି। ଦିନେ ଭାଉଜ ଇନଲାଣ୍ଡ ଲେଟରରେ ଚିଠି ଲେଖି, ମୁହଁରେ ଅଠାମାରି, ପାଠ ପଢୁଆ ଦିଅରକୁ ଡ଼କାଇଲେ।

‘ହେଇଟି, ଏ ଚିଠିରେ ଭାଇନାଙ୍କ ଠିକଣା ଲେଖି ଦିଅ, ସେ ଲୋକଟି ହାଟ କୁ ଯାଉଛି, ସେ ଚିଠିଟି ନେଇ ଡାକ ଘରେ ପକାଇ ଦେବ ।’

ଭାଉଜଙ୍କର ଆଦେଶ ପାଇ ଲେଖିଦେଲି—- ଶ୍ରୀ ଜଗନ୍ନାଥ ଦାଶ, ଏ ୟେ ଏ ୟେ, ,ପୋଷ୍ଟ -ଭଦ୍ରଖ, ଜିଲା- ବାଲେଶ୍ୱର।

‘ ଏ ତେ କଷ୍ଟରେ ଜରୁରୀ କାମ ପାଇଁ ଭାଇନାଙ୍କ ପାଖକୁ ଚିଠି ଲେଖିଲି, ତୁମେ ଓଡିଆରେ, ଠିକଣା ଲେଖି ଦେଲ ! ଏ ଚିଠି କଅଣ ତାଙ୍କ ପାଖକୁ ଯିବ?’

କାନ୍ଦ କାନ୍ଦ ଓ ରାଗ ରାଗରେ ଗର ଗର ହେଉଥିବା ଭାଉଜଙ୍କୁ, ଯେତେ ବୁଝାଇଲି ଯେ ଓଡିଶା ଭିତରେ ଯେ କୌଣସି ଯାଗାକୁ ଓଡିଆରେ ଠିକଣା ଲେଖା ଥିବା ଚିଠି ନିଶ୍ଚୟ ଯିବ, ସେ ମତେ ବିଶ୍ୱ ଆସ କରି ନଥିଲେ କି ମୋ ଅପରାଧ କ୍ଷମା କରି ନଥିଲେ ।

ନିପଟ ମଫସଲ ଗାଁରେ ୧୯୭୦ ମସିହାରେ ଓଡିଆ ପ୍ରତି ଥିବା ମନୋଭାବ, ଆଜି ସହରରେ ନିଜେ ଶୋଭା ପାଇବ ସ୍ଥାନରେ, ଓଡିଆ ଭାଷା କେତେ ଯେ ହତାଦର ହେଉଛି, ସହି ହେଉନି।

Comments

comments