ବହୁ ଜାତି, ଧର୍ମ ଓ ଭାଷାର ଦେଶ ଭାରତ। ଏତେ ଯୁଗଯାଏ ଏକାଠି ଥିବାରୁ, ଜ୍ଞାନୀମାନେ କହନ୍ତି ଯେ ବିବିଧତା ଭିତରେ ଏକତା, ଅଦୃଷ୍ଟ ଅଠା ଭଳି ସମସ୍ତଙ୍କୁ ବାନ୍ଧି ରଖିଛି। ଯଦି ଗୋଟିଏ ଉଦାହରଣ ଶୁଣିବାକୁ ଚାହାଁନ୍ତି, ତାହେଲେ ଶୁଣନ୍ତୁ।
୧୯୭୮ ମସିହା ଡିସେମ୍ବର ମାସ। ଆମ ଗାଁରେ ମିଳିମିଳା ରୋଗ ପ୍ରାୟ ସମସ୍ତଙ୍କ ଘରେ ମିଳାମିସା କରି, ଉଭା ହୋଇଯିବାର
ପନ୍ଦର ଦିନ ପରେ, ମୁଁ ଦିଲ୍ଲୀରୁ ଆସି ପହଁଚିଲି ଧାନ କଟା ଛୁଟି କଟାଇବା ପାଇଁ। ଛ ମାସରେ ଥରେ ଗାଁକୁ ଆସୁଥିବାରୁ, ପ୍ରାୟ ସମସ୍ତଙ୍କ ଘରକୁ ବୁଲି ଯାଇ ଦୁଃଖ ସୁଖ ହେବାକୁ ପଡିଲା । ଘରେ, ସାଙ୍ଗ ଓ ବନ୍ଧୁବାନ୍ଧବ ମାନଙ୍କ ସଙ୍ଗେ ମଉଜ କରି, ଛୁଟି ସରିଲାରୁ ଦିଲ୍ଲୀ ଫେରିଗଲି। ସେଠାରେ ଏକ ହଷ୍ଟେଲରେ ରହୁଥିଲି।
ଦୁଇ ଦିନ ପରେ ଦାଢି କାଟିଲା ବେଳକୁ, ଥୋଡ ତଳକୁ, ଛୋଟ ଛୋଟ ଦିଇଟା ଫୋଟକା ! ବାଳୁଆ ଛାତିରେ ହାତ ବୁଲାଇଲା
ବେଳକୁ, ଆଉ ଦିଇଟା ଫୋଟକା! ନିମିଷକେ ଜାଣିଗଲି, ମିଳିମିଳା ଠାକୁରାଣୀ, ମୋ ଭଳି ବିଦେଶୀ ଗାଁ ବାଲାକୁ ମାଫ୍ କରିବାଟା ଠିକ ହେବନି ବୋଲି ଭାବି, ମୋ ଦେହରେ ବିଜେ କରିଛନ୍ତି।
ମୋର ନେଳି ଖୋର୍ଧା ଲୁଙ୍ଗି, ଗାମୁଛା ଆଉ କିଛି ଜିନିଷ ଧରି, କେବଳ ମୋର ସାଙ୍ଗ ଅଶୋକକୁ କହି, ଦିଲ୍ଲୀର କିଙ୍ଗସ ଵୈ କାମ୍ପରେ ଥିବା ଇନଫେକସିଅସ ଡିଜିଜ୍ ହସପିଟାଲରେ ତୁରନ୍ତ ହାଜର ହୋଇଗଲି। ଆଉଟ-ଡୁଅରରେ ବସିଥିବା ଡାକ୍ତରଙ୍କ ନାମ ଡାକ୍ତର ଆର୍ ସି ପଣ୍ଡା ଦେଖି, ଦମ୍ଭର ସହ ଛାତି ଖୋଲି ଦେଖାଇଦେଲି ଫୋଟକାଗୁଡାକୁ। ତାଙ୍କୁ ତାଙ୍କର ସାନ ଭାଇକୁ ଦେଖିଲା ଭଳି ଲାଗିଲା ନା କଅଣ, ଟିକିଏ ହସି କହିଲେ-
‘ମିଳିମିଳା ହେଇଛି, ଆଡମିସନ କରି ଦେଉଛି। ସିଷ୍ଟର ,ଏହାଙ୍କୁ ଷୋହଳ ନମ୍ବର ଵାଡ ଦେଖାଇଦିଅ, ସେଇଠି ତିନି ସପ୍ତାହ
ରହିବେ। ‘
ଵାର୍ଡ଼ରେ ଷୋହଳଟି ବେଡ୍ । ଆଗରୁ ପନ୍ଦର ଜଣ ଥାଆନ୍ତି । ସମସ୍ତେ ପନ୍ଦରରୁ ପଇଁତିରିଶି ବର୍ଷ ଭିତରେ। ଦୁଆର ପାଖରେ ପହଁଚିଛି କି ନାହିଁ, ଭାରତ ମାତା କି ଜୟ କହି ଚିତ୍କକାର କଲା ଭଳି, ସେମାନେ ଏମିତି ମୋର ଜୋରଦାର ସ୍ୱ।ଗତ କଲେ ଯେ, ମୁଁ ଭାବିଲି ମୋର ହଜିଥିବା ପୂର୍ବ ଜନ୍ମର ସାଥିସବୁ ମିଳିଗଲେ। ସେମାନେ ହସ ଖୁସିରେ କ୍ଷଣକେ ମତେ ଆପଣେଇ ନେଲେ। ସେ ସମସ୍ତେ ଥିଲେ କେରଳ ପ୍ରଦେଶର । ଦିଲ୍ଲୀରେ ରହି କାମଧନ୍ଦା କରୁଥିଲେ। ଦୁଇ ତିନି ଜଣଙ୍କୁ ଛାଡିଦେଲେ, ଅନ୍ୟମାନେ ଇଂଗ୍ରାଜୀରେ ଭଲ କହି ପାରୁନଥିଲେ। ମୁଁ ତାଙ୍କ କଥା ବୁଝିପାରିଲି କି ନାହିଁ, ସେଥିପାଇଁ ସେମାନେ ଅପେକ୍ଷା କରନ୍ତି ନାହିଁ ।
ରୋଗୀଙ୍କୁ ସାକ୍ଷାତ କରିବାର ସମୟରେ, ସେମାନଙ୍କର ଯେଉଁ ସାଙ୍ଗସୁଖ ଆସୁଥିଲେ, ସେମାନଙ୍କ ସହ ମୋର ପରିଚୟ କରେଇ ଦେଉଥିଲେ । ପ୍ରଶ୍ନର ଉତ୍ତର ହସରେ ଦେଇ, ସେମାନଙ୍କ ଭିତରୁ ଜଣେ ବୋଲି ପ୍ରତିଷ୍ଠିତ ହୋଇଗଲି। ପ୍ରାୟ କେହି ଜାଣି ପାରୁନଥିଲେ ଯେ ମୁଁ ମାଲାୟାଲମ ଭାଷା ବୁଝୁ ନଥିଲି। ଥୋମାସ ଓ ବିଜୟନ ବୋଲି ଦୁଇ ଜଣକୁ ଛାଡି, ସେ ଵାଡ଼ର ଆଉ କାହା ନାମ ମନେ ନାହିଁ କି ସେମାନଙ୍କ ଭିତରୁ କାହାକୁ ଆଉ କେବେ ଦେଖି ନାହିଁ। ଥୋମାସକୁ ଶ୍ରଦ୍ଧାରେ ସେମାନେ ଥୋମାସା ବୋଲି ଡାକନ୍ତି।
ଓଡିଶାରେ ଜାଣି ପାରି ନଥିଲି ମୋର ବିଶେଷତା- କଳା ରଙ୍ଗ ଓ କେରଳୀ ରୂପ। ଡାକ୍ତରଖାନାରେ ତିନି ସସ୍ତାହର ରହଣି ବେଳେ, ଏ ବିଶେଷତା ମୋର ଅନ୍ୟ ଏକ ଅବିଛେଦ୍ୟ ପରିଚୟ ଦେଇ ଦେଲା।
ଦିଲ୍ଲୀର ଡିଟିସି ବସରେ ଲୋକେ ପଚାରନ୍ତି – ‘ଆପକା ଉଧର ଦଶେରା ହୋତା ହେ?’ ଭାରତକୁ କେବଳ ‘ଉତ୍ତର’ ଓ ‘ଦକ୍ଷିଣ’ ଫାଳିଆ ଦେଶ ବୋଲି ଭାବୁଥିବା ଲୋକ ସେମାନେ। ମୁଁ ଜାଣିଥାଏ ସେମାନଙ୍କୁ କହି କିଛି ଲାଭ ନାହିଁ ଯେ ମେରା ‘ଉଧର’, ଉଧର ନେହିଁ ହେ।
କେରଳର କିଛି ଅଭାବି ଲୋକ ବସଷ୍ଟାଣ୍ଡ ପାଖରେ, ବସକୁ ଉଠିବା ସମୟରେ ସାହାଯ୍ୟ ମାଗନ୍ତି । ମୋ ଭଳି ଜାତି ଭାଇ ଦେଖି ମାଲାୟଲମରେ ବିନୟ କରନ୍ତି। ବଡ ବାଧେ। ମୋର ଏ କେରଳୀ ଖୋଳ ଭିତରେ ଓଡିଆ ଆତ୍ମାଟା ଗଁ ଗଁ ରଡି କରେ। ଥରେ ଥୋମାସାକୁ କହିଥିଲି ଦୁଇଟି ଓଡିଆ ବାକ୍ୟକୁ ମାଲାୟଲମରେ ବଦଳେଇବା ପାଇଁ। ସେ ବତେଇଦେଇଥିଲା ଓ ମୁଁ ତାକୁ ବାଇ-ହାଟ୍ କରି ଦେଇଥଗଲି।
“ମୁଁ ମାଲାୟଲୀ ନୁହେଁ – ନ୍ୟାନ୍ ମାଲାୟଲୀ ଆଲା।
ମୁଁ ମାଲାୟଲମ ଜାଣିନାହିଁ।- ଏଣିକେ ମାଲାୟଲମ ଅରି ଆଲା।”
ଦିଲ୍ଲୀର ଲୋକମାନେ ମତେ ଦକ୍ଷିଣର ବୋଲି, ନ ପଚାରି ଭାବି ନିଅନ୍ତି । ଦକ୍ଷିଣର ଲୋକ ମତେ କେରଳୀ ବୋଲି ଭାବନ୍ତି । ଥରେ ଏକ ଚଲାକ ଦକ୍ଷିଣୀ ଭିକାରୀଟିଏ, ମତେ ତା ପ୍ରାଦେଶିକ ଭାଇ ଭାବିବାକୁ ପଛାଇ ନ ଥିଲା। ରାଗକୁ ଚାପିରଖି ଗାଇଦେଲି ଥୋମାସା ମନ୍ତ୍ର –
“ନ୍ୟାନ୍ ମାଲାୟଲୀ ଆଲା। (ମୁଁ ମାଲାୟଲୀ ନୁହେଁ)
ଏଣିକେ ମାଲାୟଲମ ଅରି ଆଲା।(ମୁଁ ମାଲାୟଲମ ଜାଣିନାହିଁ।)”
ବସର ଚକ ଗଡିବା ପୂର୍ବରୁ, ସେ ବିଚରା ପଛକୁ ନ ଚାହିଁ ଦୌଡି ପଳାଇଲା।
୧୯୮୨ ମସିହାଘଟଣା। କେ କେ ଏକ୍ସପ୍ରେସରେ ଦିଲ୍ଲୀରୁ ନାଗପୁର ଯାଉଥାଏ ବିନା ଟିକଟରେ। ଡର ଓ ଉପାୟ ଶୁନ୍ୟ ହୋଇ ପଶିଯାଇଥାଏ ପାଣ୍ଟ୍ରି ଡବାର ପାଖ ଡବାରେ। ସେଥିରେ ସମସ୍ତ ଯାତ୍ରୀ କେରଳୀ ଥିଲେ। ଓଡିଶାର ସମସ୍ତ ଦେବତା ମୋର ଆକୁଳ ନିବେଦନ ଶୁଣି ଅଭୟ ଦେଲେ । ଯେତେ ଦିନ ଯାଏ ମୋର ଏ କେରଳୀ ଛାଲଟି ଥିବ, କେରଳ ଯାଉଥିବା ଗାଡିରେ ଟିଟି କିମ୍ବା ଅନ୍ୟ କେହି କିଛି ଅସୁବିଧା କରିବେ ନାହିଁ। ବାର ଘଣ୍ଟାର ଯାତ୍ରା ସମୟ ତକ ଅନ୍ୟମାନଙ୍କୁ ହସ ବିନିମୟରେ ହସ, କଥା ବିନିମୟରେ ଠାର, ଏମିତି କରି ନାଗପୁରେ ପହଁଚି ଯାଇଥିଲି। ମୋର କଥା କହିବା ଶକ୍ତି ନାହିଁ ବୋଲି ଭାବି, ପ୍ରଦେଶର ଭାଇକୁ ସହଯୋଗ ଦେବାରେ ଯାତ୍ରୀମାନେ କୌଣସି ଅଭାବ ରଖି ନଥିଲେ।
ମୋର କେରଳୀ ଛାଲ କଲିକତାରେ, ମତେ ଥରେ କିଛି ଵସଯାତ୍ରୀଙ୍କର, ମୋ ପିଠି ଆଡକୁ ଉଠିଆସୁଥିବା ହାତ ଗୁଡାକୁ ରୋକି ଦେଇଥିଲା। ୧୯୮୩ ମସିହାରେ କୋଲକତାରେ ନୂଆ ଚାକିରି। ଦୁଇମହଲା ବସରେ ଜଣେ ଓଡିଆ ବନ୍ଧୁଙ୍କ ସହ ପ୍ରଥମ ଥର ପାଇଁ ଚଢିଥାଏ। ତଳମହଲାରେ ଭିଡ ଦେଖି, ଉପର ମହଲାକୁ ଉଠିଗଲୁ। ସିଟ ନଥିବାରୁ ଠିଆ ହୋଇଥାଉ । ବସର ଆଗ ପଟ ଖାଲିଥିବା ଦେଖି ଆଗେଇଗଲି । ବହୁତ ଯାତ୍ରୀ ପାଟି କରି ଉଠିଲେ। କଣ କହୁଥିଲେ, ବୁଝିପାରୁ ନ ଥିଲି। ଯାତ୍ରୀ ଭରା ଦୋମହଲା ବସର ସାମନା ଆଡକୁ ଯିବା କଥା ନୁହେଁ ବୋଲି ପରେ ଜାଣିଲି। କିନ୍ତୁ ସେଦିନ ମତେ ତାହା ଜଣା ନଥିଲା। ପାଖକୁ ଲାଗି ବସିଥିବା ଜଣେ ମାରୁଆଡି ଭଦ୍ରବ୍ୟକ୍ତି, ମତେ ଚାହିଁ, ଚିହ୍ନି ପକାଇଲେ ଓ ବଙ୍ଗାଳିରେ ଅନ୍ୟମାନଙ୍କୁ କହି ଶାନ୍ତ କରାଇଦେଲେ।
‘ଏ ବୁଝ୍ ତୋ ପାର୍ ଚେନା। ସାଉଥ୍ ଇଣ୍ଡିଆନ୍ ଆଛେ।’
( ଏ ଲୋକ ବୁଝି ପାରୁନି, ଏ ସାଉଥ ଇଣ୍ଡିଆନ ଅଟେ।)
ନିଶ୍ଚିତ ବିପଦରୁ ରକ୍ଷାକରିଥିବାରୁ ସେ ମାରୁଆଡି ଭଦ୍ରବ୍ୟକ୍ତିଙ୍କୁ ନୀରବରେ, କୃତଜ୍ଞତା ଜଣାଇଥିଲି।
କଳିଙ୍ଗ ପୁତ୍ରର କେରଳୀ ରୂପ, ଏ ଦେଶର ବିଭିନ୍ନତାରେ ଏକତାର ଏକ ନୂଆ ଦିଗନ୍ତ।
*******************
ତାରିଖ- ୧୧/୦୭/୨୦୧୭
ସ୍ଥାନ- ଭୁବନେଶ୍ୱର