“ହଇଓ ଘର କଥା ଟିକେ ଚିନ୍ତା କର। ବୟସ କଣ ଆସୁଛି? ତମ ସାଙ୍ଗ ମାନେ ପରା ଭୁବନେଶ୍ୱରରେ ଘର କିଣି ସାରିଲେଣି। ଆମ ପିଲାମାନେ ତ ଯେ ଯାହା ରାସ୍ତା ଧରିଲେ, ତମ ଚାକିରୀ ସରିଲେ ଆମେ ରହିବା କୋଉଠି”? ସୁମି ଟିକେ ବଡ ପାଟିରେ କହିଲା। ଆଗରୁ ବି ସିଏ କହିଛି ହେଲେ ଏ କଥାକୁ ମୁଁ କେବେ କାନ କି ମନ ଦେଇନି। ସବୁବେଳେ ହସିକି ବାଁଆରେଇ ଦିଏ। ପିଲା ମାନଙ୍କୁ ପଢେଇ ଲେଖେଇ ଥରେ ଉଡିବା ଶିଖେଇ ଦେଲେ ଆମେ ସ୍ୱାମୀ ସ୍ତ୍ରୀ ଦୁହେଁ ଗାଁରେ ଦି ବଖରା ଘର କରି ରହିବୁ ବୋଲି ମୋର ଆଶା ଥିଲା। ଝିଅର ବାହାଘର ପରେ ସିଏ ଦିଲ୍ଲୀରେ ଆଉ ପୁଅ ବର୍ଷେ ହେଲା ଚାକିରୀ ପାଇ ବିଦେଶ ଯାଇଛି। ସେବା ନିବୃତ୍ତି ପାଇଁ ମୋର ଆଉ ଅଳ୍ପଦିନ ବାକି ରହିଲା। ତିରିଶ ବତିଶ ବର୍ଷ ଚାକିରୀ କାଳରେ ମୁଁ ଏତେ ଦ୍ଵିଧା ବୋଧ କରି ନଥିଲି ଯେମିତି ଆଜି କରୁଛି। ନିଜ କାର୍ଯ୍ୟକାଳ ମଧ୍ୟରେ ଭୁଲ ଠିକ୍ ର ବିଚାର ରେ ବେଶି ସମୟ ଉଚିତ କର୍ମ କରିଥିବା ମୋ ଭଳିଆ ସାଧାରଣ ମଣିଷ ଟିଏ ଯେ ଏମିତି ଦ୍ଵନ୍ଦରେ ପଡିବ ଏକଥା ଆଗରୁ ଭାବି ନଥିଲି। ଆଜି ସକାଳୁ ବାସ୍ ଗୋଟେ କଥା “ଘର କର ନହେଲେ ଘର କିଣ”! ମୁଁ ବୁଝେଇବାକୁ ଚେଷ୍ଟା କଲି “ଆରେ ଆମର ଘର କଣ ହେବ କହିଲ? ଗାଁରେ ଦୁନିଆ ଜାଗାବାଡ଼ି ପଡିଚି, ଦି ବଖରା ଘର କରିଦେଲେ ଆମ ବାର୍ଦ୍ଧକ୍ୟ କଟି ଯିବନି! ସତ କହିବାକୁ ଗଲେ ଏବେ ଯୋଉ ଘର ଅଛି, ତାକୁ ଟିକେ ସଜଡା ସାଇତା କରିଦେଲେ ମଧ୍ୟ ଆମେ ରହି ପାରିବୁ”। ନାଇଁ ଏକା ଜିଦ ଯେ ଘର ଦରକାର ସିଏ ପୁଣି ଭୁବନେଶ୍ୱରରେ, ଯେମିତି ପିଲାମାନେ ସୁବିଧାରେ ଯା ଆସ କରିପାରିବେ। କଣ ଆଉ କହିବି, ମା ମନ ତା’ର ଜମାରୁ ବୁଝିବାକୁ ନାରାଜ।
ଏ ଘର ସମସ୍ୟା ବଡ ଜଟିଳ ହେଲା। ପରିବେଶ କୁ ଟିକେ ହାଲକା କରିବା ଆଶା ନେଇ ଘରୁ ବାହାରିଗଲି ବୁବୁନା ପାନଦୋକାନ ଆଡେ। ପାନ ଭାଙ୍ଗିବାକୁ କହି ଖବର କାଗଜ ଟା ଧରିଲି। ପାନ ଭାଙ୍ଗୁ ଭାଙ୍ଗୁ ବୁବୁନା କହିଲା “କଣ ଭାଇନା, ଭାଉଜ କଣ କହିଲେ କି? ତମ ମନଟା ଭଲ ନଥିଲା ପରି ଲାଗୁଛି”। ମୁଁ କହିଲି “କଣ ଆଉ କହିବି ତୋ ଭାଉଜର ସେଇ ପୁରୁଣା କଥା”। “ଓହୋଃ! ଭାଇନା ତମେ ବି ଅଜବ ଲୋକ ଭୁବନେଶ୍ୱର ରେ ଘରଟିଏ କିଣିଦେଲେ ହୁଅନ୍ତାନି? ଭଗବାନ ତୁମର କୋଉଥିରେ ଉଣା କରିଛନ୍ତି କହିଲ? ପୁଅ ଝିଅ ଦିଟା ତ ସୁନାମୁଣ୍ଢା ଆଉ ଭାଉଜ ଭଳିଆ ଏଠି କେହି ହେବେନି। ତମ କଥା ଆଉ କଣ କହିବି”? ମୁଁ ବିଗିଡ଼ିଲି “ତୁ ପାନ ରେ ଚୂନ ମାର, ମୋତେ ତେଲ ମାରନା। ହଁ ତୋର କିଛି ବାକି ପାଇବାର ଅଛି କି କହ”। ବୁବୁନା ଦାନ୍ତ ଦେଖେଇ ହସିଲା। ମୁଁ ପୁଣି କହିଲି “ଆରେ ଓଡିଶା ମାଟିର ମମତା ମୋ ପାଇଁ ସବୁଠି ସମାନ ସେ କୋରାପୁଟ ହଉ କି ଭୁବନେଶ୍ୱର ଅବା ବାରିପଦା। ହେଲେ ଯୋଉ ଗାଁ ମାଟିରେ ଜନ୍ମ ନେଇ ଆଜି ଆମେ ମଣିଷ ହେଲୁ ସେଇ ମମତାର ମୂଲ କଣ ଆମେ ଦେଇ ପାରୁଛୁ”? ଏମିତିକା ଗପସପ କରି ଘଣ୍ଟାଏ ପରେ ଫେରିଲା ବେଳକୁ ସୁମି ବିଷୟରେ ଭାବୁଥିଲି। ଘରେ ପହଞ୍ଚି ଦେଖେ ତ ସୁମି ଓଠରୁ ହସ ଲୁଚି ଲୁଚି ବାହାରି ଆସୁଥିଲା। ରହସ୍ୟ ଟା ବୁଝିବାକୁ ଇଚ୍ଛା ହେଲେବି ଟିକେ ଶାନ୍ତ ରହିଲି। ସୁମି କିନ୍ତୁ ବେଶି ସମୟ ଚୁପ ରହି ପାରିଲାନି। “ସିପୁ ଫୋନ କରିଥିଲା। ତମ ସହ କଥା ହେବ ବୋଲି କହୁଥିଲା। ତମେ ଫ୍ରି ହେଲେ ତାକୁ ଟିକେ ଫୋନ କରିବ”। ଦ୍ବିପ୍ରହର ଖିଆପିଆ ସାରିଲା ପରେ ସିପୁ (ମୋ ପୁଅ) କୁ ଫୋନ ଲଗେଇଲି। ସିପୁ କହିଲା “ବାପା ତମେ ଘରକିଣିବା କଥା ଚିନ୍ତା କରନି। ମୁଁ ଅନଲାଇନରେ ବୁକ୍ କରିଦେବି, ତମେ ଯାଇ ଖାଲି ଲୋକଲିଟି ଦେଖି ଆସିବ। ଭଲ ଲାଗିଲେ ବିଲଡର କୁ ମୁଁ କନ୍ଫର୍ମ କରିବି। ହଁ ମୁଁ ଇଏମଆଇ ବିଷୟରେ ବି କଥା ହେଇଯାଇଛି”। ମା ପୁଅଙ୍କ ଇଚ୍ଛା ବିରୁଦ୍ଧରେ କିଛି କହିବାକୁ ମନ ବଳିଲାନି। ସିଏ ଯାହା କହିଲା ମୁଁ ହଁ ମାରିଲି।
ରବିବାର ଟା ଗୋଟେ ପ୍ରକାର କଟିଗଲା। ଆଗକୁ ପଣା ସଂକ୍ରାନ୍ତି। ଭାବିଲି ଗାଁ ରୁ ଟିକେ ବୁଲିଆସିବି ଆଉ ଗଲାବେଳେ ଗୋଟେ ଦିନ ଭୁବନେଶ୍ୱରରେ ଦେଈ ଘରେ ରହି ସିପୁ ଠିକ କରିଥିବା ଘର ଯାକ ଦେଖି ଦେଇ ଯିବି। ଯିବା କଥା ଶୁଣି ସୁମି ବି ବାହାରିଲା। ମୁଁ ମନା କଲା ରୁ ସିଏ କହିଲା “ତମେ ଯଦି ଗାଁ କୁ ଯାଅ, ମୋତେ ଦେଇ ଘରେ ଛାଡ଼ି ଦେବ”। ମୋତେ ଏବେ ପ୍ରସ୍ତାବଟା ଟିକେ ଠିକ ଲାଗିଲା। ଚାକିରୀ ସରିଗଲା ପରେ ଦେଈ ଭିଣେଇ ଭୁବନେଶ୍ୱରରେ ରହୁଛନ୍ତି। ତାଙ୍କର ଦୁଇଜଣ ଯାକ ପୁଅ ଇଞ୍ଜିନିୟର, ବିବାହିତ ଓ ପରିବାର ସହ ଓଡିଶା ବାହାରେ ରୁହନ୍ତି। ସଂକ୍ରାନ୍ତିର ଦୁଇଦିନ ପୂର୍ବରୁ ଆମେ ବାହାରିଲୁ। ଦେଈ ଘରେ ଗୋଟେଦିନ ରହି ସବୁ ଲୋକେସନ ଯାକ ବୁଲି ଦେଖିଲୁ। ତନ୍ମଧ୍ୟରୁ ଗୋଟେ ତିନି ବେଡ଼ରୁମ ଵାଲା ଘର କିଣିବା କଥା ସ୍ଥିର ବି ହେଲା।
ସଂକ୍ରାନ୍ତି ଦିନ ସକାଳୁ କାର ଧରି ମୁଁ ଏକା ଗାଁକୁ ବାହାରିଲି। ବାବା ବୋଉଙ୍କ ତିରୋଧାନ ପରେ ଗାଁ ରେ ଦାଦାଙ୍କ ପରିବାରର ସମସ୍ତେ ରୁହନ୍ତି। ସକାଳୁ ଦାଦା ପୁଅ ଭାଇ ଅକ୍ଷୟ କୁ ଫୋନ କରି ଦେଇଥିଲି। ଭାତ ଖାଇବା ସମୟରେ ଗାଁରେ ପହଂଚିଲି। ଧୁଆଧୋଇ ହେଇ ଅକ୍ଷୟର ମୋର ଖାଇବାକୁ ବସିଲୁ। ସାନ ବୋହୂ ପଖାଳ କଂସା ଆଣି ଥୋଇଲା। ଏମିତି ଗରମ ରେ ମୁଁ ଭାତ ଅପେକ୍ଷା ପଖାଳ ପସନ୍ଦ କରେ ବୋଲି ଅକ୍ଷୟ ଜାଣେ। ସକାଳୁ ଚଉରା ପୂଜା ସବୁ ସରିଥିଲା। ସନ୍ଧ୍ୟାରେ ଗାଁ ମନ୍ଦିର ରେ ପଣା ଭୋଗଲାଗି ହେଲା। ବୈଶାଖ ମାସର କୀର୍ତ୍ତନର ଶୁଭାରମ୍ଭ ହେଲା
ଗାଁରେ ଚାରିଦିନ ପାଖପାଖି ରହିଲା ପରେ ଅନିଚ୍ଛା ସତ୍ତ୍ୱେ ମୁଁ ଫେରିଲି। ଦେଈ ଘରେ ଗୋଟେ ଦିନ ରହି ସୁମି ସହ ମୁଁ ଫେରୁଥାଏ। ସୁମି ର ଚିନ୍ତିତ ଚେହେରା ଦେଖି ପଚାରିଲି କଥା କଣ ବୋଲି। ସେ କହିଲା “ଆମେ ତ ସବୁଦିନ ଭୁବନେଶ୍ୱରରେ ରହିବୁନି, ଏତେ ବଡ ଘର କଣ ହବ”? ମୁଁ ବିସ୍ମିତ ହେଲି। ମୋତେ ପୁରା କଥା ବୁଝେଇବାକୁ ସେ କହିଲା “ଜାଣିଛ ଦେଈ ଙ୍କର ଦୁଇପୁଅ ଯାକ ଜମାରୁ ଏଠିକି ଆସୁନାହାନ୍ତି, ମାନେ ଆସି ପାରୁ ନାହାନ୍ତି। ପିଲାଙ୍କ ଛୁଟି ସେମାନଙ୍କ ଛୁଟି ସବୁ ମିଶିଲେ ବର୍ଷକୁ ପରିବାର ସହ ଦଶ ପନ୍ଦର ଦିନ ପାଇଁ ଦୁହେଁ ଆସନ୍ତି। ତା ଭିତରେ ସେମାନେ ଯେ ଯାହା ଶ୍ୱଶୁରଘର ବି ଯାଆନ୍ତି। ଦେଈ ବି ଆମରି ଭଳିଆ ଚିନ୍ତା କରି ଏଠି ଘର କିଣିଥିଲେ। ହେଲେ କଣ ପାଇଲେ? ନାତି ନାତୁଣୀଙ୍କ ସହ ଫୋନ ରେ ଦେଖି କଥା ହେଉଛନ୍ତି। ତୁମ କଥା ମୋତେ ଏବେ ଠିକ ଲାଗୁଚି। ଆର ଥରକୁ ଆମେ ଛୁଟିରେ ଆସିଲେ ଆମ ଗାଁ ଘର ଟିକୁ ଟିକେ ସଜାଡି ଦେବା। ସିପୁ ଯଦି ଚାହୁଁଚି ସିଏ ଭୁବନେଶ୍ୱର ରେ ଘର କିଣୁ”। ସୁମି ର ବାକି କଥା ଗୁଡିକରେ ମୋତେ ମୋ ଗାଁର କୀର୍ତ୍ତନ ଶବ୍ଦ ଶୁଭୁଥିଲା!
ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ, ରାମ ରାମ ହରେ ହରେ…
Read more of his blogs by clicking the link below: