“ଗଣପତି ବପ୍ପା ମୋରୟା, ମଙ୍ଗଳମୂର୍ତ୍ତି ମୋରୟା, ପୁଢ଼ଚ୍ୟାଵର୍ଷୀ ଲବକରୟା”
ଅର୍ଥାତ ‘ହେ ମଙ୍ଗଳକାରୀ ପିତା, ଆର ଥରକୁ ଆହୁରି ଶିଘ୍ର ଆସିବ !’
ଗଣପତି ଗଜଵନ୍ଦନରେ “ମୋରୟା”ର ଏହି ନାଦ କିଛି ଶତାବ୍ଦୀ ମଧ୍ୟରେ ମହାରାଷ୍ଟ୍ରରୁ ଉତ୍ତର ଭାରତରେ ଲୋକପ୍ରିୟ ହୋଇ ଆଜି ଓଡ଼ିଶାରେ ପ୍ରଚଳିତ ହେଲାଣି । ଅଧୁନା ଦେଶରେ ଗଣେଶ ଚତୁର୍ଥୀଠାରୁ ଗଣେଶ ବିସର୍ଜନ ଯାଏଁ “ମୋରୟା” “ମୋରୟା” ଗୁଞ୍ଜରଣରେ ଗଗନ ପବନ ପ୍ରତିଧ୍ୱନିତ ହେଉଅଛି ।
ଗଣପତି ବପ୍ପା ସହ ଯୋଡ଼ା ଯାଉଥିବା ଏହି ମୋରୟା ନାମ ପଛରେ ଅଛି ଜନୈକ ଗଣେଶ ଭକ୍ତଙ୍କ କାହାଣୀ । କୁହାଯାଏ, ୧୪ଶ ଶତାବ୍ଦୀରେ ପୁଣେ ସହର ସମୀପସ୍ଥ ଚିଁଚଵଡ଼ ଅଞ୍ଚଳରେ ମୋରୟା ଗୋସାଵୀ ନାମଧେୟ ଜଣେ ଗଣେଶ ଭକ୍ତ ରହୁଥିଲେ । ଚିଁଚଵଡ଼ରେ ସେ କଠୋର ଗଣେଶ ସାଧନା କରି ଶେଷରେ ଜୀବନ୍ତ ସମାଧି ନେଇଥିଲେ । ସେହିଦିନଠାରୁ ଚିଁଚଵଡର ଗଣେଶ ମନ୍ଦିର ପଶ୍ଚିମ ଭାରତରେ ବିଖ୍ୟାତ ହେଲା ଏବଂ ଗଣପତିଙ୍କର ନାମ ସହ ମୋରୟା ନାମ ଯୋଡାଯାଇ ଭକ୍ତ ଏବଂ ଭଗବାନଙ୍କର ଜୟଘୋଷ ପ୍ରଚଳିତ ହେଲା ।
ଅନ୍ୟ ଏକ ତଥ୍ୟ ଅନୁଯାୟୀ, ‘ମୋରୟା’ ଶବ୍ଦ ମୋରଗାଁଵର ଗଣେଶଙ୍କର ଯୋଗୁଁ ପ୍ରସିଦ୍ଧ ହୋଇଅଛି । ମୋରୟା ଗୋସାଵୀଙ୍କର ପିତା ଵାମନଭଟ ଏବଂ ମାତା ପାର୍ବତୀବାଈ ୧୬ଶହ ଶତାବ୍ଦୀରେ (ମତାନ୍ତରେ ୧୪ଶ ଶତାବ୍ଦୀ) କର୍ଣ୍ଣାଟକରୁ ଚାଲି ଆସି ପୁଣେ ନିକଟସ୍ଥ ମୋରଗାଁଵ ଅଞ୍ଚଳରେ ରହିବାକୁ ଲାଗିଲେ । ମୋରଗାଁଵ ପ୍ରାଚୀନ କାଳରୁ ଗାଣପତ୍ୟ ସମ୍ପ୍ରଦାୟର ପ୍ରମୁଖ କେନ୍ଦ୍ର ଭାବରେ ଜଣାଶୁଣା ଥିଲା । ଵାମନଭଟ ମଧ୍ଯ ଗାଣପତ୍ଯ ସମ୍ପ୍ରଦାୟର ଲୋକ ଥିଲେ ତେଣୁ ଏ ଅଞ୍ଚଳରେ ତାଙ୍କ ପରିବାରକୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥିଲା ।
କୁହାଯାଏ ଆଗେ ମୋରଗାଁଵରେ ବହୁତ ମୟୁର ଥିଲେ, ତେଣୁ ଏ ଅଞ୍ଚଳର ଏଭଳି ନାମକରଣ ହୋଇଅଛି । ଏଠାରେ ଗଣେଶଙ୍କର ସିଦ୍ଧ ପ୍ରତିମା ମଧ୍ଯ ଅଛି ଯାହାକି ମୟୁରେଶ୍ବର ନାମରେ ଖ୍ୟାତ । ମୋରଗାଁଵର ମୟୁରେଶ୍ବର ଭଳି ଥେରୁର, ସିଦ୍ଧଟେକ, ରାଂଜଣଗାଂଵ, ଓଝର, ଲେଣ୍ୟାଦ୍ରି, ମହଡ଼ ଏବଂ ପାଲୀ ଆଦି ଆଠଟି ମୁଖ୍ୟ ଗାଣପତ୍ୟପୀଠଗୁଡ଼ିକୁ ଅଷ୍ଟଵିନାୟକ ପୀଠ କୁହାଯାଏ ।
ଗଣେଶ ପୁରାଣ ଅନୁଯାୟୀ ଦାନଵ ସିନ୍ଧୁର ଅତ୍ୟାଚାରରୁ ରକ୍ଷାହେତୁ ଦେବତାମାନେ ଶ୍ରୀଗଣେଶଙ୍କର ଆହ୍ୱାନ କଲେ । ଗଣେଶ ମୟୂରକୁ ନିଜ ଵାହନ କରି ଷଡଭୂଜଯୁକ୍ତ ଅଵତାର ନେଇ ଦୁଷ୍ଟ ସିନ୍ଧୁକୁ ନିପାତ କରିଥିଲେ ।
ମୋରଗାଁଵରେ ସେହି ମୟୁରେଶ୍ବରଙ୍କର ପ୍ରତିକାତ୍ମକ ପ୍ରତିମାକୁ ପୂଜା କରାଯାଇଥାଏ । ସେହି ମୟୁରେଶ୍ବରଙ୍କୁ ଆଜି ସ୍ଥାନୀୟ ଲୋକେ ମୋରେଶ୍ବର କହୁଛନ୍ତି । କୁହାଯାଏ, ଵାମନଭଟ ଏବଂ ପାର୍ବତୀ ଦେଈଙ୍କୁ ଏହି ମୋରେଶ୍ବରଙ୍କ କୃପାରୁ ପୁତ୍ରଲାଭ ହୋଇଥିଲା । ପରମ୍ପରା ଅନୁସାରେ ନିଜ ଆରାଧ୍ୟ ଦେଵତାଙ୍କ ନାମନୁଯାୟୀ ଵାମନଭଟ ନିଜ ପୁତ୍ରର ନାମ ମୋରୟା ରଖିଲେ । ମୋରୟା ବାଲ୍ୟକାଳରୁ ଗଣପତି ଭକ୍ତ ହୋଇଲେ । ସେ ଥେଊର ଅଞ୍ଚଳକୁ ଯାଇ ସେଠାରେ କଠୋର ତପ କରି ଶେଷରେ ସିଦ୍ଧାବସ୍ଥା ଲାଭକଲାରୁ ତାଙ୍କୁ ଗଣେଶଙ୍କର ପ୍ରତ୍ୟକ୍ଷ ଅନୁଭୂତି ହେଲା । ସେଇଦିନଠାରୁ ତାଙ୍କର ମୋରୟା ବା ମୋରୋଵା ଗୋସାଵୀ ନାମରେ ଖ୍ୟାତ ହୋଇଗଲା ।
ମୋରୟା ଗୋସାଵୀ ଵେଦ-ବେଦାଙ୍ଗ, ପୁରାଣୋପନିଷଦର ଗହନ ଶିକ୍ଷା ପ୍ରାପ୍ତ କରି ଯୁବାବସ୍ଥାରେ ହିଁ ଗୃହସ୍ଥ-ସନ୍ଥ ହୋଇଗଲେ । ମାତା-ପିତାଙ୍କ ସ୍ଵର୍ଗଵାସ ପରେ ସେ ପୁଣେ ସନ୍ନିକଟ ପଵନା ନଦୀକୂଳେ ଚିଁଚଵଡ଼ରେ ଆଶ୍ରମ ସ୍ଥାପନ କରି ଗଣେଶଙ୍କର ଆରାଧନା ଆରମ୍ଭ କରିଦେଲେ । ଦେଶରେ ତାଙ୍କର ଖ୍ୟାତି ଆହୁରି ବଢିଲା । ସମର୍ଥ ରାମଦାସ ଏବଂ ସନ୍ଥ ତୁକାରାମ ବହୁତ ଥର ଚିଁଚଵଡ଼ ଆସି ମୋରୟା ଗୋସାଵୀଙ୍କ ସହ ସମ୍ମିଳିତ ଧର୍ମଚର୍ଚ୍ଚା କରୁଥିବା ପ୍ରମାଣ ମିଳେ । ପ୍ରସିଦ୍ଧ ଗଣପତି ଭଜନ “ସୂଖକର୍ତ୍ତା-ଦୁଃଖହର୍ତ୍ତା ଵାର୍ତ୍ତା ଵିଘ୍ନାଚୀ”ର ରଚନା କଵି ସମର୍ଥ ରାମଦାସ ଚିଁଚଵଡ଼ର ଏହି ସିଦ୍ଧକ୍ଷେତ୍ରରେ ମୋରୟା ଗୋସାଵୀଙ୍କ ସାନ୍ନିଧ୍ୟରେ ହିଁ କରିଥିଲେ । ମୋରୟା ଗୋସାଵୀ ହିଁ ଅଷ୍ଟବିନାୟକ ଯାତ୍ରାର ପ୍ରଵର୍ତ୍ତକ ବୋଲି ଲୋକବିଶ୍ବାସ ରହିଛି । ସେ ଅଷ୍ଟବିନାୟକ ଯାତ୍ରା ମୋରଗାଁଵର ମୟୁରେଶ୍ବର ମନ୍ଦିରରୁ ଆରମ୍ଭ କରିଥିଲେ । ଆଜି ମଧ୍ଯ ସେହି ଧାରା ଅବଲମ୍ବନ ପୂର୍ବକ ସେହିଠାରୁ ଅଷ୍ଟବିନାୟକ ଯାତ୍ରା ହୋଇଥାଏ ।
ଆଉ ଏକ ମତ ଅନୁଯାୟୀ ମୋରୟା ଶବ୍ଦଟି ମୋରୟା ଗୋସାବୀଙ୍କ ନାମରୁ ନୁହେଁ ବରଂ ଦୁଇଟି ଶବ୍ଦର ମିଶ୍ରଣରେ ସୃଷ୍ଟ ବୋଲି କୁହାଯାଇଥାଏ।
ମୋର+ୟା=ମୋରୟା ହୋଇଛି ବୋଲି କିଛି ଲୋକ ମତଦିଅନ୍ତି ।
ତେଣୁ ମୋରୟା ଅର୍ଥ=> come ahead(And bless us)
ଆଉ କିଛି ଭାଷାବିଦ ମରାଠୀ ଶବ୍ଦ “ମ୍ହୋର୍ ୟା” ଅପଭ୍ରଂଶ ହୋଇ ମୋରୟା ହୋଇଥିବା ଅନୁମାନ କରନ୍ତି ।
ମ୍ହୋର ୟାର ଶବ୍ଦିକ ଅର୍ଥ ହେଉଛି =>
Go ahead ( ଯାଉଛ ଯଦି ଯା ….ଆର ବରଷକୁ ଶୀଘ୍ର ଆ)
ତଥାପି ମୋରୟା ଶବ୍ଦର ପ୍ରକୃତ ଅର୍ଥ ଏଯାଏଁ ଜଣାପଡ଼ିନାହିଁ । ଦ୍ବନ୍ଦ୍ୱ ଏଯାଏଁ ଲାଗିରହିଛି । ଆଧୁନିକ ଯୁଗରେ ଶୁଣାକଥାଗୁଡ଼ିକ ଯୁଵପିଢ଼ିଙ୍କ ଦେଇ ଖୁବ ଜୋରେ ବ୍ୟାପୁଛି । ଏହାର ଅର୍ଥ ନଜାଣି ବ୍ୟବହାର କରିବା ଓଡ଼ିଆ ଲୋକଙ୍କ ମଧ୍ୟରେ ବିସ୍ମୟ ଭାଵ ସୃଷ୍ଟି କରୁଛି । କହିପାରିବେ କି ଯଦି ଆପଣ ଏ ପଦକୁ ବ୍ୟବହାର କରୁଛନ୍ତି ତେବେ କି ଅର୍ଥରେ ? ଆପଣ ଏହାର ସଠିକ ଅର୍ଥ କଣ ଭାବୁଛନ୍ତି ? ମତାମତ ଦିଅନ୍ତୁ ।
Article by Sisir Sahoo