Bhubaneswar Buzz

#OdiaPost ଦୂତୀବାହନ ଓଷା ଓ ପାଟି ସୁଆଦିଆ ଘାଣ୍ଟ ତରକାରୀ ପର୍ବ

ghanta tarkari odia

ଦ୍ଵିତୀୟା ଓଷା ହେଉଛି ଓଡିଶାର ଏକ ପାରମ୍ପରିକ ପର୍ବ । ଦୂତୀବାହନଙ୍କୁ ପୂଜା କଲେ ଅପୁତ୍ରିକ ନାରୀ ପୁତ୍ରଲାଭ କରେ । ବିଧବା ବ୍ରାହ୍ମଣୀଙ୍କ ଗର୍ଭରୁ ଜନ୍ମିତ ସୂର୍ଯ୍ୟ ଦେବତାଙ୍କ ପୁତ୍ର ଅଟନ୍ତି ଦ୍ବିତୀବାହନ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ ଦ୍ୱିତୀୟା ଓଷା (ଦୂତିୟା ଓଷା) ପାଳନ କରାଯାଏ । ମହିଳାମାନେ ନିର୍ଜଳା ଉପବାସ କରି ପୁଅମାନଙ୍କ ମଙ୍ଗଳ କାମନା କରି ଏହି ଦ୍ୱିତୀୟା ଓଷା କରିଥାନ୍ତି । କେବଳ ଏତିକି ନୁହେଁ ଦ୍ୱିତୀୟା ଓଷା ଦିନ ବିବାହିତା ମହିଳାଙ୍କ ଘରକୁ ପରିବା ଭାର ଯିବାର ବିଧି ରହିଛି । ପ୍ରତ୍ୟେକ ଓଡିଆ ଘରେ ଏହି ପର୍ବ ପାଳନ ହେବା ସହ ଘାଣ୍ଟ ତରକାରୀର ଏକ ସ୍ଵତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଇଷ୍ଟଦେବୀ ଏବଂ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଅର୍ପଣ କରାଯାଇଥାଏ । ଓଷା ପରଦିନ ସବୁ ପରିବା ମିଶାଇ ଘାଣ୍ଟ ତରକାରୀ ରାନ୍ଧି ବନ୍ଧୁବାନ୍ଧବଙ୍କ ମଧ୍ୟରେ ବାଣ୍ଟିବାର ପ୍ରଥା ଓଡ଼ିଶାରେ ଚଳି ଆସୁଛି । ଏହା ଦ୍ଵିତୀୟା ଓଷାର ଘାଣ୍ଟ ତରକାରୀ ରୂପେ ପ୍ରସିଦ୍ଧ ।  (ଦୂତୀବାହନ ଓଷା ପାଳନ ବିଧି ବାବଦରେ ଦେଖନ୍ତୁ : https://or.wikipedia.org/wiki/ଦୂତୀବାହନ_ଓଷା )

ପରମ୍ପରା ଅନୁଯାୟୀ, କଦଳୀ, ବୁଢ଼ା କାକୁଡ଼ି, ଜହ୍ନି, କଖାରୁ, ସାରୁ, ଓଉ, କନ୍ଦମୂଳ, ନଡ଼ିଆ, ମୁଗ, ସୋଲା, କାଙ୍କଡ଼ ଆଦି ପନିପରିବା ପଡ଼ି ଘାଣ୍ଟ ହୁଏ । ବାଇଗଣଠାରୁ ଆରମ୍ଭ କରି ବିନ, ଗାଜର, ମାଟି ଆଳୁ, ସାରୁ, ଅମୃତଭଣ୍ଡା, ପାଣି କଖାରୁ, କାଙ୍କଣ, ଗ୍ରିନ ମଟର ପର୍ଯ୍ୟନ୍ତ ସବୁ ପରିବା ଦରକାର । ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଏହି ଘାଣ୍ଟ ତରକାରିର ସ୍ୱତନ୍ତ୍ର ମହକ ଥାଏ । ଘାଣ୍ଟ ପ୍ରସ୍ତୁତ ହେବା ପରେ ଦ୍ୱୀତିବାହନଙ୍କୁ ଭୋଗ ଦିଆଯାଏ । ଏହାପରେ ବନ୍ଧୁବାନ୍ଧବ ତଥା ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଘାଣ୍ଟ ତରକାରିର ମଜ୍ଜା ନିଅନ୍ତି ।

ବାଡ଼ିରେ ପ୍ରଚୁର ଫଳୁଥିବା ବର୍ଷାଦିନିଆ ପରିବା ବନ୍ଧୁ ବାନ୍ଧାବରେ ଦିଆ ନିଆ ହୁଏ । ଦୂର ଦୁରାନ୍ତରେ ରହୁଥିବା ନିଜର ବିବାହିତା ଝିଅର ଘରେ ପରିବା ପୁଞ୍ଜେ ଥୋଇଦେଇ ଖାଇବା ପିଇବା କଥା ବୁଝି ଆସନ୍ତି ବାପା । ସ୍ଵାସ୍ଥ୍ୟ ସଚେତନ ହେବା ଏହି ଓଷାର ମୂଳ ଉଦ୍ଦେଶ୍ୟ । ସୁସ୍ଵାସ୍ଥ୍ୟ ପାଇଁ ବିଭିନ୍ନ ଋତୁର ଜାତିଜାତିର ପନିପରିବା ଦୈନିକ ଅଭ୍ୟାସରେ ଖାଇବା ପାଇଁ ପରାମର୍ଶ ଦିଆଯାଏ । ଓଡ଼ିଶାରେ ଆମର ପ୍ରଧାନ ଖାଦ୍ୟ ଏବଂ ଓଡ଼ିଆ ପ୍ରଥମ ପସନ୍ଦ ହେଉଛି ଭାତ । ପନିପରିବା ସବୁପ୍ରକାର ମିଳୁଥିବା ହେତୁ ଅଧିକାଂଶ ସୁସ୍ୱାଦୁ ଅନ୍ନବ୍ୟଞ୍ଜନରେ ପନିପରିବା ହିଁ ପ୍ରଧାନ ଜାଗା ଅକ୍ତିଆର କରିଥାନ୍ତି । ଘାଣ୍ଟ ତରକାରୀ ଦିବସଟି ଏହି ମହତ ଉଦ୍ଦେଶ୍ୟକୁ ସତେ ଯେପରି ସତେଜ କରିଦିଏ ।

ଘାଣ୍ଟ ତରକାରୀରେ ପଡୁଥିବା କେତୋଟି ପରିବା ଏବଂ ତାହାର କିଛି ସ୍ବାସ୍ଥ୍ୟ ଉପକାରିତା ଉପସ୍ଥାପନ କରୁଛୁ:

ghanta tarkari content from swetapadma

pic courtesy : Swetapadma satpathy

kakharu ghanta tarkari

କେବଳ ଡାଲମା କିମ୍ବା କୌଣସି ନିର୍ଦ୍ଦିଷ୍ଟ ତରକାରୀ ଲାଗି ହିଁ କଖାରୁ ବ୍ୟବହାର କରାଯାଇଥାଏ । ହେଲେ ଆପଣ ଜାଣନ୍ତି କି, ଏହା ଏଭଳି ଏକ ପାରିବା ଯେଉଁଥିରେ ଲୌହ, ଜିଙ୍କ ପୋଟାସିଅମ, ମାଗ୍ନେସିଅମ ଏବଂ ଫାଇବାର ଭଳି ଅନେକ ପୋଷାକ ତତ୍ତ୍ଵ ଭିରି ରହିଛି । ଯାହାକି ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । ଆମେରିକାସ୍ଥିତ ନାସନାଲ ଇନଷ୍ଟିଟ୍ୟୁଟ ଅଫ ହେଲଥ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ମହିଳାମାନଙ୍କୁ ପ୍ରତିଦିନ ଖାଦ୍ୟରେ ୮ ଗ୍ରାମ ଜିଙ୍କର ଆବଶ୍ୟକତା ହୋଇଥାଏ । ଯାହାକି ସେମାନଙ୍କ ରୋଗ ପ୍ରତିରୋଧ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ତେଣୁ କଖାରୁ ମଞ୍ଜିରେ ପ୍ରଚୁର ପରିମାଣରେ ଜିଙ୍କ ରହିଥିବାରୁ ପ୍ରତିଦିନ ଏହାକୁ ଖାଦ୍ୟ ତାଲିକାରେ ସାମିଲ କରିବା ବେଶ ଉପକାରୀ । ମହିଳାମାନେ ସାଧାରଣତଃ ଅଧିକ କାମର ଚାପରେ ସମୟ ସମୟ ଚିନ୍ତା ବା ଅବସାଦଗ୍ରସ୍ତ ହୋଇପଡନ୍ତି । ଯାହାକି ଅପରପକ୍ଷେ ସେମାନଙ୍କଠାରେ ନିଦ୍ରାହୀନତା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା କାରଣ ସାଜିଥାଏ । ଏଥିପାଇଁ ପ୍ରତିଦିନ ଖାଦ୍ୟ ତାଲିକାରେ କଖାରୁକୁ ସାମିଲ କରିବା ଉଚିତ । ଚାହିଁଲେ କଖାରୁ ମଞ୍ଜିକୁ ଭାଜି ମଧ୍ୟ ଖାଇପାରିବେ । କାରଣ ଏଥିରେ ଥିବା ଏଲ ଟ୍ରିପ୍ଟୋଫାନ ନାମକ ଉପାଦାନ ଆପଣଙ୍କୁ ଅବସାଦଠାରୁ ଦୂରେଇ ରଖିବା ସହ ମନକୁ ଖୁସିରେ ରଖିବାରେ ସାହାଯ୍ୟ କରିଥାଏ । ସାରୁ ରେ ବିଶେଷ  ପରିମାଣର ତନ୍ତୁ ( ଫାଇବର ) ଏବଂ କାର୍ବୋହାଇଡ୍ରେଟ ରେ ଭରପୁର ଆହୁରି ମଧ୍ୟ ଅଧିକ ପରିମାଣରେ  A, C, E, B6, ଏବଂ ଫୋଲେଟ (folate), ମ୍ୟାଗ୍ନେସିୟମ, ଆଇରନ,ଜିଙ୍କ, ଫସଫରସ, ପଟାସିୟମ ଏବଂ କପର ଆଦି ରହିଛି । କଦଳୀର ବହୁ ଔଷଧୀୟ ଗୁଣ ରହିଛି । ଏହାକୁ କେବଳ ସ୍ୱାସ୍ଥ୍ୟପଦ ନୁହେଁ। ଏହା ସୌନ୍ଦର୍ଯ୍ୟ ବଦ୍ଧର୍କ ମଧ୍ୟ । କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ ବି ଓ ଏଣ୍ଟିଅକ୍ସଡାଣ୍ଟ ରହିଛି । ଏହା ତ୍ୱଚାକୁ ପୋଷଣ ଶକ୍ତି ଯୋଗାଇଥାଏ । ଅସମୟରେ ତ୍ୱଚା  କୁଞ୍ଚନ ହେବାରୁ ରକ୍ଷା କରିଥାଏ । ବାଇଗଣ ପନିପରିବାର ରାଜା ଭାବେ ପରିଚିତ । ଭିଟାମିନ B1 ଏବଂ B6 ରେ ଭରପୁର । ମ୍ୟାଗ୍ନେସିୟମ, ଆଇରନ, ଜିଙ୍କ, ଫସଫରସ, ପଟାସିୟମ, ମାଙ୍ଗାନିଜ, ନିଆସିନ, କପର ଏବଂ ଫଲିକ ଏସିଡ଼ ଅଛି ।ଆଳୁ ସହିତ  ବର୍ଷ ସାରା ଅଧିକ ମାତ୍ରାରେ ମିଳୁଥିବାରୁ ଏହି ପରିବା ଘାଣ୍ଟ ତରକାରୀରେ ଅତି ଦରକାରୀ । ଏହା ଶରୀରରେ କୋଲେଷ୍ଟରଲ ମାତ୍ରା କମ କରିଥାଏ, ଯାହା ହୃଦରୋଗ ଆଶଙ୍କାକୁ ଏଡ଼ାଇ ଦେଇଥାଏ । ମଧୁମେହ ନିୟନ୍ତ୍ରଣରେ ଏହା ଏକ ପ୍ରାକୃତିକ ଅବଦାନ । ଟାଇପ ୨ ଡାଇବେଟିସରେ ସର୍କରା ସ୍ତରକୁ କମାଇଦିଏ । ମଏଶ୍ଚର କମ ଥିବାରୁ ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରେ । କ୍ୟାଲୋରୀ କମ ରହୁଥିବାରୁ ଦୈନନ୍ଦିନ ଖାଦ୍ୟ ଭାବେ ରୋଷେଇରେ ଦେଖିବାକୁ ମିଳେ । ମାଟି ଆଳୁ ବା ଖମ୍ବଆଳୁ କାର୍ବୋହାଇଡ୍ରେଟ ଏବଂ ଫାଇବରରେ ଭରପୁର । ତା ସହିତ ଭିଟାମିନ A, ବି କମ୍ପ୍ଲେକ୍ସ, C, ଆଇରନ, ପଟାସିୟମ ଶାରୀରିକ ଅଭିବୃଦ୍ଧି ପାଇଁ ଦରକାରୀ । ଶକ୍ତି ପାଇଁ ଏହା ଏକ ବଢିଆ ପରିବା । ପ୍ରତି ୧୦୦ ଗ୍ରାମ ଖମ୍ବଆଳୁରେ ୧୧୮ ଗ୍ରାମ ଶକ୍ତି ମିଳେ । ଏମିତି ଅନ୍ୟାନ୍ୟ ପରିବା  ଯଥା କାଙ୍କଡ଼,ଆଳୁ, ଅମୃତ ଭଣ୍ଡା, ଝୁଡ଼ଙ୍ଗ, ମଟର, ଛୁଇଁ, ଗଜାମୁଗ,ବୁଟ, ଚଣା, ଶାଗ ଆଦି ତରକାରୀକୁ ସୁସ୍ବାଦୁ କରିବା ସହ ଡାଲିରେ ଥିବା ପୁଷ୍ଟିସାର ତତ୍ତ୍ଵ ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ ।

ଆମ ଓଡ଼ିଶାରେ ନଦୀ, ହ୍ରଦ, ସମୁଦ୍ର ସବୁ ଥିବା ହେତୁ ଓଡ଼ିଆମାନେ ଆମିଷ ପ୍ରିୟ । ଓଡ଼ିଆମାନେ ଆମିଷରେ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା, ଛେଳିମାଂସ, କୁକୁଡ଼ାମାଂସ ମୁଖ୍ୟତଃ ଖାଇଥାଆନ୍ତି । ଘାଣ୍ଟ ତରକାରୀରେ ମାଛ ଚିଙ୍ଗୁଡ଼ି ଆଦି ପଡି ପ୍ରସ୍ତୁତ ଛିଞ୍ଚଡ଼ା ଆମିଷାସୀଙ୍କ ଅତି ପ୍ରିୟ ।

ଏକ ଖାଣ୍ଟି ଓଡ଼ିଆ ବ୍ୟଞ୍ଜନ ହେଉଛି ଡାଲମା ବା ଘାଣ୍ଟ ତରକାରୀ ଯାହା ଓଡ଼ିଆ ଘରେ ଗରମ ଭାତ ସହ ମୁଖ୍ୟ ବ୍ୟଞ୍ଜନ ଭାବେ ପରସା ଯାଏ । ଅତି ଖୁସିର କଥା, କେତେବେଳେ ଭାତ (ଏନ୍ତୁଡ଼ି ଶାଳ ଓଡ଼ିଶା), ଛେନାପୋଡ଼, ଚିତଉ, ମୁଢ଼ି, ପଖାଳ ପରି ଏମିତି ନିଜ ରାଜ୍ୟର ଅନେକ ଖାଇବା ଦରବକୁ ନେଇ ଗର୍ବ କରିବା ଆରମ୍ଭ କରିଛନ୍ତି ଓଡ଼ିଶାବାସୀ । ଖାଦ୍ୟ ପାଇଁ ପାଳନ କରୁଛନ୍ତି ସ୍ବତନ୍ତ ଦିବସ ସବୁ । ତେବେ ଭବିଷ୍ୟତ କହିବ ଓଷା ବ୍ରତ ସହ ଯୋଡ଼ି ହୋଇ ରହିଥିବା ଆମ ନିଆରା ଖାଦ୍ୟ ଘାଣ୍ଟ ତରକାରୀ ରାନ୍ଧଣାକୁ ଆମେ ଦେଶ ଓ ଦେଶ ବାହାରେ ପରିଚିତ କରି କିପରି ନିଜର ପରିଚୟ ସୃଷ୍ଟି କରିପାରୁଛେ ।

ତେବେ ଆପଣଙ୍କୁ #ଘାଣ୍ଟତରକାରୀଦିବସ ର ଅଭିନନ୍ଦନ । ସ୍ବାସ୍ଥ୍ୟ ସଚେତନ ହୁଅନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।

———————————————————————————————————————–

ପ୍ରସଙ୍ଗଟିକୁ ଲେଖିଛନ୍ତି ନିଷ୍ଠା ରଞ୍ଜନ ଦାଶ (@DashNistha on twitter)
ସେ ଜଣେ ଓଡ଼ିଆ ଭାଷା ଓ ସଂସ୍କୃତିପ୍ରେମୀ । #OdiaPost ହାଶଟାଗ ଲଗାଇ Facebook, Twitter ଏବଂ Google ରେ ଖୋଜିଲେ ତାଙ୍କ ଲିଖିତ ପ୍ରସଙ୍ଗ ସବୁ ପାଇ ପାରିବେ । ଆପଣଙ୍କ ମତାମତ [email protected] କିମ୍ବା ଆମ ୱେବସାଇଟରେ (ଏଇଠି ପ୍ରସଙ୍ଗ ତଳେ) ଦେଇପାରିବେ । ଧନ୍ୟବାଦ । Happy reading…

Comments

comments