୧୮ ମଇ ଥିଲା ଵିଶ୍ଵ ସଂଗ୍ରହାଳୟ ଦିଵସ । ସଂଗ୍ରହାଳୟ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ଵୃଦ୍ଧି କରେ । ସମୟେ ସମୟେ ସଂଗ୍ରହାଳୟମାନ ବୁଲି ଗବେଷଣାତ୍ମକ ଜ୍ଞାନ ଆହରଣ କରିଵାକୁ ଆମେ ଛାତ୍ରଛାତ୍ରୀଙ୍କୁ ପ୍ରଵର୍ତ୍ତାଇଥାଉ । କିନ୍ତୁ ଦୁଃଖର କଥା ଯେ, ଵିଦେଶରେ ଏପରି ସୁବିଧା ହାତ ପାଆନ୍ତରେ ଥିଵା ଵେଳେ, ଓଡ଼ିଶାରେ ଅଧିକାଂଶ ସଂଗ୍ରହାଳୟମାନ ପ୍ରମୁଖ ସହରଗୁଡ଼ିକରେ ସ୍ଥାପିତ ହୋଇଥିଵାରୁ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କପାଇଁ ଏସବୁ ଅପହଞ୍ଚ ହୋଇଥାଏ । ଆର୍ଥିକ ଦୂରଵସ୍ଥା, ଯୋଗାଯୋଗରେ ଅସୁବିଧା କାରଣରୁ ମହାଵିଦ୍ୟାଳୟ ସ୍ତରରେ ନପହଞ୍ଚିଵା ପର୍ଯ୍ୟନ୍ତ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀମାନେ ଏସବୁ ପ୍ରାୟ ବୁଲି ଦେଖିପାରନ୍ତି ନାହିଁ ।
ଏହି ଅଭାଵକୁ ଅନୁଭଵ କରି ୧୮ ମଇ – ଵିଶ୍ଵ ମ୍ୟୁଜିୟମ ଡେ ଅଵସରରେ ସେଣ୍ଟର ଫର ୟୁଥ ଏଣ୍ଡ ସୋସିଆଲ ୱେଲଫେୟାର, ସଂସ୍ଥା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କପାଇଁ ଏକ ସଂଗ୍ରହାଳୟ ଭ୍ରମଣ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ଏଥିରେ ଵିଜ୍ଞାନରେ ରୁଚି ରଖୁଥିଵା ୨୦ରୁ ଉର୍ଦ୍ଧ୍ବ କିଶୋରକିଶୋରୀ ଅଂଶଗ୍ରହଣ କରିଥିଲେ ।
ସେମାନଙ୍କ ଅଞ୍ଚଳର ଅଳ୍ପ ପରିଚିତ ଓ ବିଜ୍ଞାନ କ୍ଷେତ୍ରରେ ଗୁରୁତ୍ତ୍ୱ ବହନ କରୁଥିଵା ଆଞ୍ଚଳିକ ସଂଗ୍ରହାଳୟ ଵାଵଦରେ ସେମାନଙ୍କୁ ଅଵଗତ କରାଇଵା ଏହି ଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଚୟନ ହୋଇଥିଵା ସ୍ଥାନଟି ଥିଲା ପ୍ରଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଉଦ୍ଦେଶ୍ୟରେ ନିଜ ଖଣ୍ଡପଡ଼ା ଵାସ ଭାବନରୁ ସ୍ୱଳ୍ପ ଦୂରରେ ସ୍ଥାପନ ହୋଇଥିଵା ‘ପଠାଣି ସାମନ୍ତ ମ୍ୟୁଜିୟମ’ ।
ପଠାଣି ସାମନ୍ତଙ୍କ ସିଦ୍ଧାନ୍ତରେ ପର୍ଯ୍ୟଵେସିତ ଅତ୍ୟାଧୁନିକ ମଡେଲ ଓ ତାଙ୍କ ନିଜସ୍ୱ ଉଦ୍ଭାଵିତ ଛଅଟି ଉପକରଣ ଏହି ସଂଗ୍ରହାଳୟର ମୁଖ୍ୟ ଆକର୍ଷଣ ଅଟେ । ଦେଶୀୟ ଯନ୍ତ୍ରାଂଶକୁ ଵ୍ୟଵହାର କରି ସମୟ, ଦୂରତା, ଉଚ୍ଚତା, ଗ୍ରହ ନକ୍ଷତ୍ରଙ୍କ ଅବସ୍ଥିତି, ଆଵର୍ତ୍ତନ ଓ ପରିକ୍ରମଣ ସମୟ ନିର୍ଭୁଲ ନିର୍ଦ୍ଧାରଣ କରିଵାରେ ସେ ଥିଲେ ସିଦ୍ଧହସ୍ତ । ତାଙ୍କର ଖଗୋଳ ଯନ୍ତ୍ର, ସୂର୍ଯ୍ୟ ଘଡ଼ି, ଜଳ ଘଡ଼ି, ମାନ ଯନ୍ତ୍ର, ଚାପ ଯନ୍ତ୍ର ଵିଜ୍ଞାନ କ୍ଷେତ୍ରରେ ଗୋଟିଏ ଗୋଟିଏ ମଇଲଖୁଣ୍ଟ ।
ଭାରତୀୟ ଜ୍ୟୋତିର୍ଵିଦ୍ ଆର୍ଯ୍ୟଭଟ୍ଟ, ଵରାହ ମିହିର, ବ୍ରହ୍ମଗୁପ୍ତ, ଭାସ୍କରାଚାର୍ଯ୍ୟ ଗଵେଷଣାକୁ ଆହୁରି ଆଗେଇ ନେଇଥିଲେ ପଠାଣି ସାମନ୍ତ । କେହି କେହି ତାଙ୍କୁ ଦ୍ଵିତୀୟ ଭାସ୍କରାଚାର୍ଯ୍ୟ, ଦ୍ଵିତୀୟ ଟେକବ୍ରାହେ (ଡେନମାର୍କ ଜ୍ୟୋତିର୍ବିଦ)ଙ୍କ ଅଖ୍ୟା ଦେଇଛନ୍ତି । ସେ ହେଉଛନ୍ତି ଖାଲି ଆଖିରେ (ଦୂରବୀକ୍ଷଣ ଯନ୍ତ୍ରବିହୀନ) ଗ୍ରହ ନକ୍ଷତ୍ରକୁ ଅନୁଧ୍ୟାନ କରିଥିଵା ପୃଥିବୀର ଶେଷ ଜ୍ୟୋତିର୍ଵିଦ । ଆହୁରି ମଧ୍ୟ ନିଜର ମୃତ୍ୟୁର ଠିକ କାଳ ନିର୍ଦ୍ଧାରଣ କରି, ଜଣେ ବ୍ରିଟିଶ ଅଧିକାରୀ ‘ପାହାଡ଼ର ଉଚ୍ଚତା କେତେ’ ପଚାରନ୍ତେ ତ୍ୱରିତ ଉତ୍ତର ଦେଇ ବ୍ରିଟିଶମାନଙ୍କୁ ଚକିତ କରିଥିଲେ । ସ୍ୱଲିଖିତ ସିଦ୍ଧାନ୍ତ ଦର୍ପଣ ଓ ଆଗାମୀ ୧୦,୦୦୦ ଵର୍ଷ ପାଇଁ ନିର୍ଭୁଲ ଓଡ଼ିଆ ପଞ୍ଜିକା ତାଙ୍କର ଅମୂଲ୍ୟ ଅଵଦାନ ଅଟେ । ପ୍ରଗାଢ଼ ଗଣିତ ଓ ସଂସ୍କୃତ ଜ୍ଞାନ ନିର୍ଭୁଲ ଗଣନାପାଇଁ ସେ ‘ମହାମହୋପାଧ୍ୟାୟ’ରେ ଭୂଷିତ ହୋଇଥିଲେ ।
ତାଙ୍କ ଉଦ୍ଭାବିତ ଉପକରଣଗୁଡ଼ିକୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସ୍ତରରୁ ଜାଣିଲେ ସେମାନଙ୍କଠାରେ ଵିଜ୍ଞାନ ପ୍ରତି ରୁଚି ବଢ଼ିବା ସହ ନୂଆ କିଛି ଉଦ୍ଭାବନପାଇଁ ପ୍ରେରଣା ମିଳିଵ ବୋଲି ସିୱାଇଏସଡବ୍ଲୁ ( CYSW,Odisha )ର ସମ୍ପାଦକ ନିତୁରଞ୍ଜନ ଦାଶ କୁହନ୍ତି ।
ଏହି ସଂଗ୍ରହାଳୟଟି ସୁସଂଯୋଜିତ ଓ ଅତ୍ୟାଧୁନିକ ମଡେଲଗୁଡ଼ିକରେ ପରିପୂର୍ଣ୍ଣ । ସେଠାରେ କୋମଳମତି ଛାତ୍ରଛାତ୍ରୀଙ୍କୁ ବୁଝାଇଵାପାଇଁ ଗାଇଡ଼ ଵିଵେକାନନ୍ଦ ରଥ ପିଲାମାନଙ୍କୁ ମଡେଲଗୁଡ଼ିକ ସହ ପରିଚିତ କରାଇ ସେମାନଙ୍କ ଆଗ୍ରହ ଵୃଦ୍ଧି କରିଥିଲେ ।
– Article By Nitu Ranjan Dash