ଵିଷୁଵ ଵୃତ୍ତର ନିକଟରେ ରହୁଥିବା ହେତୁ ଭାରତ ଏକ ଗ୍ରୀଷ୍ଣପ୍ରବଣ ଦେଶ । ଏପରି ପରିଵେଶରେ ରହୁଥିବା ଅଧିଵାସୀ ଅଧିକ ଜଳୀୟଅଂଶ ଧାରଣ କରିବାପାଇଁ ଆଵିଷ୍କାର କରିଥିଲେ ଏହି ଅନନ୍ୟ ଉପାୟ, ଯାହା ଏକ ଉପାଦେୟ ଖାଦ୍ୟ ଭାବରେ କାଳାତିକ୍ରମେ ପ୍ରସିଦ୍ଧି ଲାଭ କରିଆସିଛି।
ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଵିଶେଷଜ୍ଞମାନେ ଅଧିକ ଜଳୀୟାଂଶ ଥିବା ଖାଦ୍ୟ ଖାଇବାକୁ ପ୍ରସ୍ତାବ ଦେଇଥାନ୍ତି; ସେଥିରେ ପଖାଳ ହେଉଛି ପ୍ରମୁଖ। ଓଡ଼ିଶାର ଏହି ପାରମ୍ପରିକ ଖାଦ୍ୟ ଯୋଗୁଁ ଅନେକାଂଶରେ ଅଂଶୁଘାତକୁ ପ୍ରତିରୋଧ କରିହେଉଛି ।
ଗ୍ରାମାଞ୍ଚଳରେ ପରିଶ୍ରମୀ ଲୋକମାନେ ଦିନକୁ ଦୁଇଓଳି ପଖାଳ ଖାଆନ୍ତି, ତେଣୁ ସେମାନଙ୍କୁ ଅଂଶୁଘାତ ଜନିତ କଷ୍ଟ ଭୋଗିବାକୁ ପଡ଼େନାହିଁ।
ଭାତକୁ ଓଦା କରି ପାଣି କିମ୍ବା ତୋରାଣିରେ ଭିଜେଇ କରି ରଖିବା ଓ ଖାଇବା ଆମ ଓଡ଼ିଆ ଘରେ ଅନେକ ଶତାବ୍ଦୀରୁ ଚଳି ଆସିଛି । ଏହା ଆମର ସାମାଜିକ ଚଳଣୀରେ ଅନ୍ନ ନଷ୍ଟ ନ କରିବାର ପରମ୍ପରାକୁ ବଜାୟ ରଖିବାରେ ସହାୟକ ହୋଇଥାଏ ।
ତ୍ରିପିଟକର ମଝିମ ନିକାୟ ଅନୁସାରେ ବୁଦ୍ଧଙ୍କର ଜଣେ ସାନବାପାଙ୍କ ନାମ ଧୋତଦନ ଥିଲା (ଅର୍ଥ: ‘ଧୁଆ ବା ପଖାଳ ଭାତରେ ଶ୍ରଦ୍ଧା ଯାହାର ସେ’) । ପାଖାପାଖି ଅଢ଼େଇ ହଜାର ବର୍ଷ ଆଗରୁ ବୁଦ୍ଧଙ୍କ ଅମଳରେ ପଖାଳର ଲୋକପ୍ରିୟତା ଥିଲା ବୋଲି ସୂଚନା ମିଳେ । କଵି ଅର୍ଜୁନ ଦାସ ୧୫୨୦-୩୦ ଖ୍ରୀଷ୍ଟାବ୍ଦରେ ତାଙ୍କ ରଚନା ‘କଳ୍ପଲତା’ରେ ପଖାଳ କଥା ଉଲ୍ଲେଖ କରିଛନ୍ତି ।
ଆମ ଠାକୁରଙ୍କ ଛପନ ଭୋଗରେ ଅନେକ ଶତାବ୍ଦୀ ଧରି ପଖାଳ ଅନ୍ତର୍ଭୁକ୍ତ ଅଛି । ମାନଵୀୟ ଲୀଳା କରୁଥିବା ଆମ ଠାକୁର ଗ୍ରୀଷ୍ମ ପ୍ରଵାହରୁ ରକ୍ଷା ପାଇବାପାଇଁ ଚନ୍ଦନଯାତ୍ରା ସମୟରେ ଦହି ପଖାଳ ମଣୋହି କରି ମଦନମୋହନ ରୂପେ ଚାପ ଖେଳିବା ପାଇଁ ବାହାରନ୍ତି । ପ୍ରତିଦିନ ଶ୍ରୀମନ୍ଦିର ପରିସରରେ ଟଙ୍କ ତୋରାଣି ମିଳିଥାଏ, ଯାହା ମହାପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ ।
ମାର୍ଗଶୀରମାସ ମାଣବସା ଗୁରୁଵାର ଓଷାରେ ମହଲକ୍ଷ୍ମୀଙ୍କୁ ପଖାଳ ଓ କଳମଶାଗ ଭୋଗ ଦେବାର ପରମ୍ପରା ଅଛି । ପଶ୍ଚିମ ଓଡ଼ିଶାର ଭାଇଜୀଉନ୍ତିଆ ଓଷା ପରଦିନ ଭଉଣୀମାନେ ପଖାଳ ଖାଇବାର ପରମ୍ପରା ରହିଛି । ଝିଅ ଶାଶୁଘରକୁ ଵିଦାହେବା ପୂର୍ଵରୁ ବନ୍ଧୁବାନ୍ଧଵଙ୍କ ଘର ବୁଲି ତୋରାଣିପିଆ ହେବା ପ୍ରଥା ଓଡ଼ିଶାରେ ପ୍ରଚଳିତ ଅଛି । ବର ସହ କନ୍ୟାଘରର ପାରସ୍ପରିକ ମଧୁର ସମ୍ପର୍କ ଆରମ୍ଭ ହୋଇଥାଏ ପଖାଳରୁ । ବାହାଘର ପରେ କନ୍ୟାଘରେ ବର ଶାଶୁ ଵା ଭାଉଜଙ୍କଦ୍ୱାରା ଶାଳୀ ବା କନ୍ୟାର ସାଙ୍ଗମାନଙ୍କ ଗହଣରେ ଦହି-ପଖାଳ ଖାଇଥାନ୍ତି । ଛତିଶଗଡ଼ ଲୋକ ପ୍ରତି ଵର୍ଷ ମାର୍ଗଶୀର ମାସରେ ପଖାଳ ଚଟଣୀ ପ୍ରସ୍ତୁତ କରନ୍ତି । ଦେଵତାମାନେ ଗୁରୁଵାରିଆ ଆସି ଏଇ ପଖାଳ ଖାଆନ୍ତି ବୋଲି ଲୋକବିଶ୍ୱାସ ଅଛି । ଢେଙ୍କାନାଳର କିଛି ପୂଜା କମିଟି ଗଜଲକ୍ଷ୍ମୀ ପୂଜା ଅବସରରେ ଲକ୍ଷ୍ମୀଙ୍କ ନିକଟରେ ହଣ୍ଡା ହଣ୍ଡା ଦହି ପଖାଳ ପ୍ରସାଦ ଲାଗିକରିଥାନ୍ତି ।
ପଖାଳ ଏକ ପୁଷ୍ଟିକର ଖାଦ୍ୟ ବୋଲି ଆମେରିକାର ଡାକ୍ତରମାନେ ପ୍ରମାଣ ଦେଲେଣି । ୧୦୦ଗ୍ରାମ ଭାତକୁ ୧୨ଘଣ୍ଟା ପଖାଳ ହେଲା ପରେ ଲୌହ ପରିମାଣ ୩.୪ମିଲି ଗ୍ରାରୁ ୭୩.୯୧ମିଲି ଗ୍ରାମକୁ, ପୋଟାସିଅମ ୮୩୯ମିଲିଗ୍ରାକୁ ଓ କ୍ୟାଲସିଅମ ୨୧ମିଲିଗ୍ରାରୁ ୮୫୦ମିଲିଗ୍ରାକୁ ବୃଦ୍ଧି ହୋଇଥାଏ । ସୋଡ଼ିଅମ ୪୭୫ ମିଲିଗ୍ରାରୁ କମି ୩୦୩ମିଲିଗ୍ରା ହୁଏ । ଭାତ ପଚନ ହେଲେ ଡି-ଲାକ୍ଟିକ ଅମ୍ଳ ସୃଷ୍ଟି ହୁଏ ଯାହା ଉପକାରୀ ଅନ୍ତଃନଳୀ ବ୍ୟାକ୍ଟେରିଆ ବୃଦ୍ଧି କରିଥାଏ । ଏହି ବ୍ୟାକ୍ଟେରିଆ ଶରୀରର ଜୀଣ୍ଣ କ୍ଷମତା ବଢ଼ାଏ ।
ପଖାଳ ପିତ୍ତ ନାଶକ । ଚାଇଁ ପଖାଳ ଖାଇ ତା’ ତୋରାଣି ମୁନ୍ଦେ ପିଇଦେଲେ କୋଷ୍ଠକାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟ ଵ୍ୟଥା ଆଦି ଉପଶମ ହୋଇଥାଏ । ହାଣ୍ଡି କାଞ୍ଜିଦ୍ୱାରା ପେଟ ଥଣ୍ଡା ରହେ । ପିତ୍ତ ରୋଗ ଵିସୂଚିକା, ଅତିସାର (Diarrehoea) ଇତ୍ୟାଦିରେ ପଖାଳ ତୋରାଣି ଅତ୍ୟନ୍ତ ପ୍ରଶମନକାରୀ ଓ ଉପକାରୀ ଅଟେ । ମୂତ୍ରକୃଚ୍ଛ (dysurea)ରେ ପଖାଳ ଉପକାରୀ ଅଟେ । ରକ୍ତଚାପ କମାଇଥାଏ ଓ ଶରୀରର ତାପମାତ୍ରା ନିୟନ୍ତ୍ରଣ ମଧ୍ୟ କରିଥାଏ । ପେଟକୁ ଥଣ୍ଡା ରଖିବା ସହ ଦେହକୁ ଆବଶ୍ୟକ ଜଳୀୟଅଂଶ ଯୋଗାଇଥାଏ।
ଓଡ଼ିଆ ଘର ପଖାଳ ଵିନା ଅସମ୍ପୂର୍ଣ୍ଣ । କେବଳ ଓଡ଼ିଶା କାହିଁକି, ଭାରତର ଅନେକ ରାଜ୍ୟ ତଥା ଦକ୍ଷିଣପୂର୍ଵ ଏସିଆର ଅନେକ ଦେଶରେ ପଖାଳ ଖିଆଯାଇଥାଏ । ମାର୍ଚ୍ଚ ୨୦ତାରିଖକୁ ଵସନ୍ତ ଵିଷୁଵ (Spring Equinox) ପଡ଼ିଥାଏ । ଏହିଦିନୁ ରୌଦ୍ର ତାପ ବୃଦ୍ଧି ଘଟୁଥିବାରୁ ଆଗାମୀ ଖରାସମୟଯାକ ପଖାଳ ଖାଇବା ବିଧିବଦ୍ଧ ହୁଏ । ଓଡ଼ିଆ ପାରମ୍ପରିକ ଖାଦ୍ୟ ପଖାଳକୁ ମହିମାବନ୍ତ କରିବା ଉଦ୍ଦେଶ୍ୟରେ ପ୍ରତି ଵର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିଵସ ଭାବରେ ପାଳନ ହେଉଛି । ଏହି ଦିନ ଓଡ଼ିଆମାନେ ନିଜ ଅଣଓଡ଼ିଆ ବନ୍ଧୁମାନଙ୍କୁ ଘରକୁ ନିମନ୍ତ୍ରିତ କରି ପଖାଳ ଆପ୍ୟାୟିତ କରିଥାନ୍ତି ।
ସମୟ ଥିଲା, ପେଟରେ ଭୋକ ଥାଇ ବାହାରେ ହୋଟେଲମାନଙ୍କରେ ପଖାଳ ଅଛି କି ନାଇଁ ପଚାରିବାକୁ ଲାଜ ଲାଗୁଥିଲା । ସମୟ ବଦଳିଗଲାଣି । ପାଖାଳକୁ ଗର୍ଵର ସହ ଖାଇବାକୁ ଓଡ଼ିଆମାନେ ଆହ୍ୱାନ ଦେଲେଣି । ୨୦୧୪ ମସିହାରେ ଟୁଇଟର ଟ୍ରେଣ୍ଡରୁ ଆରମ୍ଭହୋଇ ଵିଶ୍ୱର କୋଣ ଅନୁକୋଣକୁ ଏ ଆହ୍ୱାନ ଵ୍ୟାପିଲାଣି । ହୋଟେଲ ମାଲିକମାନେ ନିଜ ନିଜ ହୋଟେଲ ସାମନାରେ ସଜ ପଖାଳ, ଦହି ପଖାଳ ବିକ୍ରି ହେଉଥିବାର ବିଜ୍ଞାପନ ଦେଲେଣି । ୩୦ଟଙ୍କାରୁ ଆରମ୍ଭ କରି ସ୍ୱାଦ ଓ ସଉକ ଅନୁସାରେ ୬୦୦ ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି ହେଲାଣି । ଏବେ ଭୁଵନେଶ୍ୱର ପୁରୀର ତାରକା ହୋଟେଲଗୁଡ଼ିକରେ ପଖାଳ ପରଷା ଦେଖି କେଉଁ ଓଡ଼ିଆ ବା ଗର୍ଵ ନକରିବ !
ଏକ ଅଦ୍ଭୁତ ଵାସନା ଅଛି ଆପଣାପଣ ଅଛି
ପଖାଳରେ ଓଡ଼ିଆ ସ୍ୱାଭିମାନ ବଞ୍ଚିଛି । ଜୟ ପଖାଳ 🙏