“ହୋଇ ଏକତ୍ରିତ ସ୍ୱର୍ଗ ଦେବଗଣ
କରିବେ ଯଦି ମୋ ଜୀବନ ହରଣ,
ନ ତେଜିବି ସତ୍ୟପଥ ସଦାଶୟ
ଦେବି ନାହିଁ କେବେ ମିଥ୍ୟା କୁ ପ୍ରଶୟ” ।
ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ଜଣେ ନିର୍ଭୀକ ସ୍ବାଧୀନଚେତା ପତ୍ରିକା ସମ୍ପାଦକଙ୍କର ଏଇ ପଦଟି ଥିଲା ନିଜସ୍ବ ଆଦର୍ଶ । ସେ କେବଳ ପତ୍ରିକା ସମ୍ପାଦକ ନ ଥିଲେ; ଓଡ଼ିଆ ଭାଷାର ଶୁଦ୍ଧ ଉଚ୍ଚାରଣ, ଶୁଦ୍ଧ ଲିଖନ, ଓଡ଼ିଆ ଭାଷା ସୁରକ୍ଷାର ଜାଗ୍ରତ ପ୍ରହରୀ ତଥା ଭାଷା ଆନ୍ଦୋଳନ ର ଅନ୍ୟତମ ପୁରୋଧା । ନିଜର ଅଗାଧ ପାଣ୍ଡିତ୍ୟବଳରେ ସେକାଳର ବହୁ ରାଜାମହାରାଜାମାନଙ୍କୁ ପରାମର୍ଶ ପୂର୍ବକ ଓଡ଼ିଆ ଭାଷାଭାଷୀ ମାନଙ୍କୁ ଏକତ୍ରିତ କରି ଏକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସେ ଥିଲେ ଆଜୀବନ ଚେଷ୍ଟିତ । ନିଜର ଜ୍ଞାନଗାରିମାରେ ହରାଇ ପାରିଥିଲେ ଦୁର୍ଦ୍ଧର୍ଷ ବ୍ରିଟିଶ ସରକାରକୁ, ଅଗଣିତ ଜନତାର ହୃଦୟକୁ ଜିତିଥିଲେ ରତ୍ନତୂଲ୍ୟ ।
ସେ ନୀଳମଣି ମିଶ୍ର, ଲୋକମୁଖରେ ନୀଳମଣି ବିଦ୍ୟାରତ୍ନ ।
ଦାରିଦ୍ର୍ୟର ତାଡନାରେ ବିଦ୍ୟାଳୟ ପାଠ ଶେଷ କରିପାରି ନ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିଷ୍ଠା ଓ ଅଧ୍ୟବସାୟ ବଳରେ ନୀଳମଣି ଉଭୟ ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ ହାସଲ କରିଥିଲେ ଅସାଧାରଣ ବ୍ୟୁତ୍ପତ୍ତି । ୫୦ରୁ ଊର୍ଦ୍ଧ୍ବ କାଳଜୟୀ କାବ୍ୟ, କବିତା ଓ ପ୍ରବନ୍ଧ ମାନ ରଚନା କରି ସେ ଛାଡିଯାଇଛନ୍ତି ନିଜର ଅସାଧାରଣ ପ୍ରତିଭାର ସ୍ବାକ୍ଷର ।
ଜୀବନର ଅର୍ଦ୍ଧାଧିକ କାଳ ରୋଗାକ୍ରାନ୍ତ ଓ ଅର୍ଥାଭାବରେ ଭାରାକ୍ରାନ୍ତ ଥାଇ ମଧ୍ୟ ସାହିତ୍ୟସାଧନା ସହିତ ଭାଷାର ପ୍ରସାର, ସାହିତ୍ୟିକ ମାନଙ୍କର ପୃଷ୍ଠପୋଷକତା ଏବଂ ସମ୍ବାଦପତ୍ରର ସମ୍ପାଦନାରେ ନିରପେକ୍ଷତା ଅବଲମ୍ବନ ଏବଂ ନିର୍ଭୀକତାର ପରିପ୍ରକାଶ ଦିଗରେ ଥିଲେ ସତତ ଚେଷ୍ଟିତ ।
ସମାଜ ସଂସ୍କାରକ ଭାବରେ ସମାଜରୁ ରୁଢିବାଦୀ ଚିନ୍ତାଧାରା ର ବିରୋଧ କରି ସେ ହୋଇଥିଲେ ବୃହତ୍ତର ବ୍ରାହ୍ମଣ ସମାଜ ର ଚକ୍ଷୁଶୂଳ । ଏଇ ମାଟିର ଭାଷା ବଦଳରେ ସମ୍ବଲପୁରରେ ହିନ୍ଦୀଭାଷା ଏବଂ ଗଞ୍ଜାମରେ ତେଲୁଗୁଭାଷା ପ୍ରୟୋଗର ଘୋର ବିରୋଧ ତଥା ପତ୍ରିକା ମାଧ୍ୟମରେ ସଂଗ୍ରାମର ବାର୍ତ୍ତା ପ୍ରେରଣ କରି ସେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ହୀନମନା ହିନ୍ଦୀଭାଷୀ ଓ ତେଲେଙ୍ଗାମାନଙ୍କର । ବ୍ରିଟିଶ ସରକାର ବିରୋଧରେ ପତ୍ରିକା ମାଧ୍ୟମରେ ରଣହୁଙ୍କାର ଦେଇ ଓ ଜନଜାଗରଣ ସୃଷ୍ଟି କରି ସେ ବ୍ରିଟିଶ ସରକାରର ବନିଯାଇଥିଲେ ମହାଶତ୍ରୁ ।
ବ୍ରିଟିଶ ସରକାରର ଚକ୍ରାନ୍ତରେ କଟକର ପ୍ରେସ ବନ୍ଦ ହେବା, ବ୍ରାହ୍ମଣ, ହିନ୍ଦୀଭାଷୀ, ତେଲେଙ୍ଗାମାନଙ୍କ ଦ୍ଵାରା ବାରମ୍ବାର ଧମକଚମକ ଏବଂ ମରଣାନ୍ତକ ଆକ୍ରମଣ ନୀଳମଣିଙ୍କ ମନୋବଳକୁ ଚହଲାଇ ପାରି ନ ଥିଲା । ବରଂ ନୂତନ ପ୍ରେରଣାରେ ସେ ‘ସଂସ୍କାର’, ‘ବିଜୁଳି’, ‘ଆଲୋଚନା’, ‘ପ୍ରଜାବନ୍ଧୁ’, ‘ଗଞ୍ଜାମ ଗୁଣଦର୍ପଣ’, ‘ଉତ୍କଳ ମଧୂପ’, ‘ସମ୍ବଲପୁର ହିତୈଷିଣୀ’, ‘ଉତ୍କଳ ଦୀପିକା’ ପରି ପତ୍ରିକା ଗୁଡିକରେ ନିର୍ଭୀକ ସମ୍ପାଦନାପୂର୍ବକ ସାମାଜିକ ସଂସ୍କାର, ବିଧବା ବିବାହ, ଶିକ୍ଷା ସଂସ୍କାର, ଓଡ଼ିଆ ଭାଷାପ୍ରଚାର ଏବଂ ସର୍ବୋପରି ସାହିତ୍ୟ ତଥା ସାହିତ୍ୟିକ ମାନଙ୍କ ପ୍ରୋତ୍ସାହନ ଦିଗରେ ସେ ନିରନ୍ତର ଯୁଦ୍ଧ କରିଚାଲିଥିଲେ ।
ଆଦର୍ଶ ଦେଶପ୍ରେମୀ ସମ୍ପାଦକ ବ୍ୟତୀତ ସେ ଥିଲେ ପ୍ରତଣ୍ଡ ଗୁଣଗ୍ରାହୀ । ଯେଉଁ କବିବର ଙ୍କ ପାଇଁ ସେ ଦିନେ କଲମ ଧରିଥିଲେ ସେଇ କବିବରଙ୍କୁ ‘କବିବର’ କରାଇବାରେ ପ୍ରଚ୍ଛନ୍ନ ହାତ ଥିଲା ନୀଳମଣି ଙ୍କର । କେବଳ କବିବର ନୁହଁନ୍ତି, ବ୍ୟାସକବି, ଭକ୍ତକବି, ଗଙ୍ଗାଧର, ବାଗ୍ମୀ ବିଶ୍ଵନାଥ, ଚିନ୍ତାମଣି ମହାନ୍ତି ଙ୍କ ସମେତ ବହୁ ପ୍ରତିଷ୍ଠିତ ସାହିତ୍ୟିକ ଙ୍କର ସେ ଥିଲେ ପୃଷ୍ଠପୋଷକ, ସେ ମଧ୍ୟ ସୃଷ୍ଟି କରାଇଥିଲେ ଅଗଣିତ ନୂତନ ସାହିତ୍ୟିକ । ପଠାଣି ସାମନ୍ତଙ୍କ ଅନବଦ୍ୟ ଗ୍ରନ୍ଥ ‘ସିଦ୍ଧାନ୍ତ ଦର୍ପଣ’ ନିମନ୍ତେ ଗବେଷଣା ଜନିତ ଖର୍ଚ୍ଚ ମଧ୍ୟ ତୁଲାଇଥିଲେ ନୀଳମଣି । ସିଦ୍ଧାନ୍ତ ଦର୍ପଣ କୁ ଓଡ଼ିଆ ଭାଷାରେ ଅନୁବାଦ କରି ସେ ପରିଚୟ ଦେଇଥିଲେ ନିଜ ଅଗାଧ୍ୟ ପାଣ୍ଡିତ୍ୟ ର ।
କଟକ ଜିଲ୍ଲାର ସାହିତ୍ୟ ଓ ସଂସ୍କୃତିର ଅନ୍ୟତମ ସଙ୍ଗମସ୍ଥଳ ବାଙ୍କୀର ବ୍ରଜବିହାରୀପୁର ଶାସନରେ ୧୮୬୭ ସାଲ ଡିସେମ୍ବର ୧୪ ତାରିଖରେ ଜନ୍ମିତ ନୀଳମଣିଙ୍କୁ ତାଙ୍କର ଅସାମାନ୍ୟ ପାଣ୍ଡିତ୍ୟ, ଧୀଶକ୍ତି, କାଳଜୟୀ ସୃଷ୍ଟି, ଅଦମ୍ୟ ସାହସ, ନିଷ୍ଠାପରତା, ପରୋପକାରୀତା, ପ୍ରଗାଢ ଦେଶପ୍ରେମ, ସଂସ୍କାରଧର୍ମୀ ଚେତନା, ଜନଜାଗରଣର ଅଖଣ୍ଡ କୌଶଳ, ଭାଷାପ୍ରୀତି ଇତ୍ୟାଦି ନିମନ୍ତେ ତତ୍କାଳୀନ ବଡ଼ମ୍ବା ରାଜ୍ୟ ର ଗୁଣଗ୍ରାହୀ ମହାରାଣୀ “ବିଦ୍ୟାରତ୍ନ” ଉପାଧିରେ ଭୂଷିତ କରିଥିଲେ । ସାହିତ୍ୟ ସଂସ୍କୃତି ପ୍ରତି ସମର୍ପିତ ବାମଣ୍ଡାର ମହାରାଜା ସୁଢଳଦେବଙ୍କ ସହ କେତେ କେତେ ରାଜାମହାରାଜାଙ୍କଠାରୁ ଅସୁମାରୀ ସମ୍ମାନରେ ମଣ୍ଡିତ ହୋଇଥିଲେ ।
ସାରା ଜୀବନ ଭାଷା ସାହିତ୍ୟ ର ପୂଜା କରିଥିବା, ପରର ସେବା କରିଥିବା, ନିଷ୍ଠାପର ଆଦର୍ଶ ଜୀବନ ଜୀଇଁ ଥିବା ଏହି ମହାମନିଷୀ ଜଣକ କିନ୍ତୁ କପର୍ଦକଶୂନ୍ୟ ଅବସ୍ଥା ରେ ରୋଗାକ୍ରାନ୍ତ ହୋଇ ୧୯୨୩ ସାଲ ଜୁଲାଇ ୨୩ ତାରିଖରେ ଇହଧାମ ତ୍ୟାଗ କରିଥିଲେ, ଅଗଣିତ ଭାଷାପ୍ରେମୀଙ୍କୁ ଶୋକର ସାଗରରେ ଭସାଇ ।