‘ରସଗୋଲା’ କହିବା କ୍ଷଣି ଆମ ପାଟିରେ ଲାଳ ଆସିଯାଏ। ଆଉ ଆସିବନି ବା କେମିତି! ପ୍ରକୃତରେ ତା’ ନାଁ ଅନୁଯାୟୀ ତା’ର ଶାରୀରିକ ଗଠନ ମଧ୍ୟ। ହେଲେ ଏହି ପରିପ୍ରେକ୍ଷୀରେ ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ରସଗୋଲାକୁ ନେଇ ଦାବି କରିଆସୁଛି କି “ରସଗୋଲା ଆମର ଓ ଏହାର ଉତ୍ପତ୍ତି ଆମ ରାଜ୍ୟରୁ।” ହେଲେ ଆମ ରାଜ୍ୟ ଓଡ଼ିଶା ମଧ୍ୟ କାହିଁ କେତେଦିନ ହେଲା ଦାବି କରିଆସୁଛି କି “ରସଗୋଲା ଆମର।” ଆଉ ଏହି ରସଗୋଲାର ବିବାଦ ଦୁଇ ପଡ଼ୋଶୀଙ୍କ ଦ୍ଵାରା ଏପରି ମୋଡ଼ରେ ଆସି ପହଞ୍ଚିଥିଲା, ଯାହା ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା ଏବଂ ସେମାନେ ଏହାକୁ ‘ସ୍ୱିଟ ୱାର’ ନାମରେ ନାମିତ ମଧ୍ୟ କରିଥିଲେ।
ହେଲେ ଏହି ଲାଗିରହିଥିବା କଳି ଭିତରେ, ଭାରତ ସରକାରଙ୍କ ନିକଟରେ ଆମ ପଡ଼ୋଶୀ ରସଗୋଲା ଉପରେ ନିଜର ଅଧିକାର ସାବ୍ୟସ୍ତ କରି ଜି.ଆଇ. ଟ୍ୟାଗ ମଧ୍ୟ ହାତେଇ ସାରିଲେଣି। ହେଲେ ତଥାପି ଆମ ରାଜ୍ୟବାସୀ ମାନିବାକୁ ନାରାଜ କି ରସଗୋଲା ପଶ୍ଚିମବଙ୍ଗର ବୋଲି! ପ୍ରକୃତ କଥା ହେଉଛି, ଆମ ଲୋକ ମାନେ ସିନା ଖାଲିଟାରେ ବାଡ଼େଇ ହେଉଛନ୍ତି ରସଗୋଲାକୁ ନେଇ, ହେଲେ ଆମର ଏ ରାଜ୍ୟସରକାରଙ୍କର ଏଥିପାଇଁ ଟିକେ ହେଲେ ମୁଣ୍ଡ ବିନ୍ଧୁ ନାହିଁ। ଆଉ ଯେବେବି ଏ ସମ୍ପର୍କରେ କିଛି କଥା ଉଠେ, ଆମ ସରକାରରେ ବସିଥିବା କିଛି ବାବୁ ମାନେ ଟିକେ କୁମ୍ଭୀର କାନ୍ଦଣା କାନ୍ଦିଥାନ୍ତି। ଠିକ ଏହି ସମୟରେ ବିଭିନ୍ନ ସମ୍ବାଦ ସରବରାହ ସଂସ୍ଥା ମିଛରେ ରସଗୋଲା ପାଇଁ ନିଜର ଆନ୍ତରିକତା ଦେଖାନ୍ତି ଓ ଟି.ଆର.ପି ବଢ଼ାଇବା ଉଦ୍ଦେଶ୍ୟରେ କିଛି ସରକାରୀ ଦଳର ନେତା, ବିରୋଧୀ ଦଳରୁ କିଛି ଛାମୁଆ ନେତା ଓ କିଛି ବୁଦ୍ଧିଜୀବୀଙ୍କୁ ନେଇ କରାଇଥାନ୍ତି ତର୍କ-ବିତର୍କ। ଏବଂ ସେଠାରେ ଦେଖିବାକୁ ମିଳେ କେବଳ ପରସ୍ପର ଉପରକୁ କାଦୁଅ ଫିଙ୍ଗା-ଫିଙ୍ଗି, ଆରୋପ ପ୍ରତ୍ୟାରୋପ। ଆମ ସଂସ୍କୃତି ପାଇଁ ସେଠାରେ କାନ୍ଦନ୍ତି ସମସ୍ତେ, ହେଲେ କାହା ଆଖିରୁ ଲୁହ ଟୋପାଏ ଗଡ଼େନି। ଏସବୁର ପଛରେ ଥାଏ କେବଳ ଗୋଟିଏ ଉଦ୍ଦେଶ୍ୟ, ଯାହାକି ନିଜନିଜ ଦଳର ରାଜନୈତିକ ଫାଇଦା। କାରଣ “ରାଜନୈତିକ ମତବାଦ ଯୋଗୁଁ ଏମାନଙ୍କ ମାନସିକତାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଘଟିଯାଇଛି। ଏମାନେ ପୁଷ୍ପିତ ପଳାଶ ବନରେ ଦେଖନ୍ତି ବିଦ୍ରୋହର ବହ୍ନି, ସ୍ଥଳପଦ୍ମରେ ଦେଖନ୍ତି ଆହବର ରକ୍ତ ଓ ଆନତ କୃଷ୍ଣଚୁଡ଼ାରେ ଦେଖନ୍ତି ଅନାଗତ ଯୁଗର ରକ୍ତକେତନ।”
ମୁଁ ଜଣେ ସାଧାରଣ ଓଡ଼ିଆ ଭଳି ଭାବେକି ରସଗୋଲା ଆମର ବୋଲି। ହେଲେ ଏହାର ସତ୍ୟତା କଣ ମୁଁ ଜାଣିନି। ରସଗୋଲାର ଇତିହାସ ବିଷୟରେ ମୁଁ ସମ୍ପୂର୍ଣ୍ଣ କଥା ନକହି ପାରିଲେ ମଧ୍ୟ ରସଗୋଲା ଆମ ଓଡ଼ିଆ ଜାତି ଓ ସଂସ୍କୃତି ସହ କିପରି କାହିଁ କେଉଁ କାଳରୁ ସଂଶ୍ଲିଷ୍ଟ ତାହା ଉପରେ ନିଶ୍ଚୟ କିଛି ଆଲୋକପାତ କରିପାରିବି। ଯଦି ଆମେ ପୁରୀ ଶ୍ରୀମନ୍ଦିରର ପ୍ରଚଳିତ ପ୍ରଥା ତଥା ରୀତି ନୀତିର ଇତିହାସକୁ ଭଲଭାବରେ ଅନୁଧ୍ୟାନ କରିବା, ତେବେ ବୋଧହୁଏ ଆମେ ଜଗନ୍ନାଥ ସଂସ୍କୃତି ଓ ରସଗୋଲା ମଧ୍ୟରେ ଥିବା ସମ୍ବନ୍ଧରେ ଜାଣିପାରିବା। ଏହି ବିଗତ ଚାରି ବର୍ଷ ହେବ ଆମେ ଓଡ଼ିଆ ମାନେ ନୀଳାଦ୍ରି ବିଜେ ଦିନଟିକୁ ରସଗୋଲା ଦିବସ ରୂପେ ପାଳନ କରିଆସୁଛନ୍ତି। ୩୦ ଜୁଲାଇ୨୦୧୫ରେ (ନୀଳାଦ୍ରି ବିଜେ ଦିନ) ସାମାଜିକ ଗଣମାଧ୍ୟମ ଯଥା ଫେସବୁକ ଓ ଟ୍ୱିଟରରେ କିଛି ଓଡ଼ିଆ ଭାଷା ତଥା ସଂସ୍କୃତି ପ୍ରେମୀ ବୁଦ୍ଧିଜୀବୀମାନେ ରସଗୋଲା ଓଡ଼ିଶାର ବୋଲି କହି ଜଣାଇବା ପାଇଁ #ରସଗୋଲାଦିବସ ଓ #RasagolaDibasa ନାମରେ ରସଗୋଲାର ପ୍ରଚାର ପ୍ରସାର ଆରମ୍ଭ କରିଲେ। ପରେ ପରେ ଏହି ସ୍ରୋତରେ ବିଭିନ୍ନ ପ୍ରତିଷ୍ଠା ସମ୍ପନ୍ନ ବ୍ୟକ୍ତିମାନେ ଯୋଗଦେଇ ଏହି ଧାରାକୁ ଏକ ଜନଆନ୍ଦୋଳନରେ ପରିଣତ କରାଇଲେ। ଏକ ନିର୍ଦ୍ଦିଷ୍ଟ ସମ୍ବାଦପତ୍ର ଓ ରେଡ଼ିଓ ଚ୍ୟାନେଲ ଏବଂ ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ଅପୁର୍ବ ବାଲୁକା କଳା ମାଧ୍ୟମରେ ଏହି ଜନଆନ୍ଦୋଳନର ମୁଖ୍ୟ ସୂତ୍ରଧର ସାଜିଥିଲେ।
ଲୋକମାନେ ଏହିଦିନକୁ ରସଗୋଲାଦିବାସ ରୂପେ ପାଳିବାର କାରଣ ମଧ୍ୟ ରହିଛି। ଏହିଦିନ ଓଡ଼ିଆ ଜାତିର ମଉଡ଼ ମଣୀ ତଥା ଏ ଜାତିର ହୃଦପଦ ମହାବାହୁ ଜଗତର ନାଥ ଜଗନ୍ନାଥ ନିଜ ଜନ୍ମ ବେଦୀରେ ଲୀଳା ଖେଳା ସାରି ଶ୍ରୀମନ୍ଦିରକୁ ଫେରନ୍ତି। ଏଣୁ ଏହି ଦିନଟିକୁ ନୀଳାଦ୍ରି ବିଜେ କହନ୍ତି। ହେଲେ ଆମ କାଳିଆ ସାଆନ୍ତ ମଧ୍ୟ ସାଧାରଣ ଲୋକଙ୍କ ଭଳି ନିଜ ଭାର୍ଯ୍ୟାଙ୍କ ରୋଷର ଶିକାର ହୁଅନ୍ତି। କାରଣ ପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଛାଡ଼ି ବଡ଼ଭାଇ ବଡ଼ଠାକୁର ବଳଭଦ୍ର ଓ ସାନ ଭଉଣୀ ମା’ ସୁଭଦ୍ରାଙ୍କୁ ନେଇ ଜନ୍ମ ବେଦୀ ଗୁଣ୍ଡିଚା ମନ୍ଦିରକୁ ଘୋଷଯାତ୍ରାରେ ରଥା ରୂଢ଼ ହୋଇ ଯାଆନ୍ତି। ହେଲେ ନିଜ ସ୍ତ୍ରୀ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ନିଜ ସାଥିରେ ନେଇନଥାନ୍ତି ଏବଂ ତାଙ୍କୁ ଶ୍ରୀମନ୍ଦିରରେ ଏକୁଟିଆ କରି ଚାଲିଯାଇଥାନ୍ତି। ପରେ ହେରା ପଞ୍ଚମୀ ଦିନ ମା’ ଲକ୍ଷ୍ମୀ ନିଜକୁ ଏକୁଟିଆ ପାଇ ଜଗନ୍ନାଥଙ୍କୁ ଫେରାଇ ଆଣିବାକୁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ହେଲେ ସେ ନଟିଆ ଠାକୁର ଫେରନ୍ତି ନାହିଁ। ଯାହାଫଳରେ ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ ରାଗ ଆହୁରି ବଢିଯାଏ। ଏଣୁ ନୀଳାଦ୍ରି ବିଜେ ଦିନ ପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇଦିଅନ୍ତିନି ଓ ନିଜେ ଆସି ସିଂହଦ୍ୱାରର ସିଂହ ଦରଜାକୁ ବନ୍ଦ କରି ଦିଅନ୍ତି। କାରଣ ମନ୍ଦିରର ମାଲିକାଣୀ ହେଲେ ମା’ ଲକ୍ଷ୍ମୀ। ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ ରାଗକୁ ଶାନ୍ତ କରିବାକୁ ଯାଇ କାଳିଆ ସାଆନ୍ତ ବିଭିନ୍ନ ପ୍ରକାରର ପାଟ ବସ୍ତ୍ର, ନାନା ଅଳଙ୍କାର ଆଦି ଭେଟି ଦିଅନ୍ତି। ହେଲେ ଏଥିରେ ମା’ ସାଆନ୍ତାଣୀ ସନ୍ତୁଷ୍ଟ ହୋଇନଥାନ୍ତି। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବହୁ ବଚସା ପରେ ଶେଷରେ କାଳିଆ ସାଆନ୍ତ, ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଖୁଆଇ ତାଙ୍କ ରାଗକୁ ଶାନ୍ତ କରିଦିଅନ୍ତି ଏବଂ ରାଗ ରୋଷ ତ୍ୟାଗକରି ମହାପ୍ରଭୁ ତଥା ନିଜ ସ୍ୱାମୀଙ୍କୁ ଶ୍ରୀମନ୍ଦିର ଭିତରକୁ ଆସିବାକୁ ଦିଅନ୍ତି।
ଯଦି ଏସବୁକୁ ଦୃଷ୍ଟିରେ ରଖାଯାଏ, ତେବେ ଏଠାରୁ ଜଣାପଡ଼େ ଯେ କେତେ ପୁରୁଣା ଏହି ଜଗନ୍ନାଥଙ୍କ ରଥଯାତ୍ରା ଆଉ କେତେ ପୁରୁଣା ଏହି ରଥଯାତ୍ରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରସଗୋଲାର ବ୍ୟବହାର!
ହେଲେ ଦୁଃଖର ବିଷୟ ଏହାଯେ ଆମ ରାଜ୍ୟ ସରକାର ତଥା ସଂସ୍କୃତି ବିଭାଗ ଏସବୁ ଉପରେ କେବେବି ସ୍ଵତନ୍ତ୍ର ଭାବେ ଧ୍ୟାନ ଦେଲେନାହିଁ। ଯାହାଫଳରେ ବର୍ତ୍ତମାନ ପଶ୍ଚିମବଙ୍ଗ ସାରା ଦେଶକୁ କହିବୁଲୁଛି କି ରସଗୋଲା ତାଙ୍କର ବୋଲି। ଅସିତ ମହାନ୍ତି ନାମକ ଜଣେ ବ୍ୟକ୍ତି ୧୫୦ ପୃଷ୍ଠା ବିଶିଷ୍ଟ ଏକ ଗବେଷଣା ବିବୃତି ଯାହା ରାଜ୍ୟସରକାରଙ୍କ ସଂସ୍କୃତି ବିଭାଗକୁ ଦେଇଥିଲେ ଯେଉଁଥିରେ ସାରଳା ଦାସଙ୍କ ରଚିତ ଓଡ଼ିଆ ମହାଭାରତ ଠାରୁ ଆରମ୍ଭ କରି ବଳରାମ ଦାସଙ୍କ ରଚିତ ଦାଣ୍ଡି ରାମାୟଣ ପର୍ଯ୍ୟନ୍ତ ଏବଂ ଅନ୍ୟାନ୍ୟ ଲେଖକ ଲେଖିକା ମାନଙ୍କ ବିଭିନ୍ନ ସୃଷ୍ଟିକୁ ଉତ୍ସ ରୂପେ ଗ୍ରହଣ କରି ସଂଗ୍ରହ କରିଥିଲେ ରସଗୋଲା ଉପରେ ବହୁ ତଥ୍ୟ। ଯାହା ଦର୍ଶାଉଥିଲା ରସଗୋଲା କିପରି କାହିଁ କେଉଁ ଦିନ ଠାରୁ ଓଡ଼ିଆ ସଂସ୍କୃତି ସହ ଜଡ଼ିତ ଏବଂ ସ୍ପଷ୍ଟ କରୁଥିଲା ରସଗୋଲାର ଜନ୍ମ ଆମ ରାଜ୍ୟ ଓଡ଼ିଶାରୁ। ହେଲେ ଏହାକୁ ନେଇ ସରକାର କଣ କରିଲେ କେଜାଣି, କିଛିବି ଫଳ ମିଳିଲାନି। ଯଦି ଏବେବି ସରକାର ଏହାକୁ ନେଇ କିଛିବି ତତ୍ପରତା ଦେଖାନ୍ତେ ତେବେ ଏବେ ମଧ୍ୟ ବହୁ ଓଡ଼ିଆ ବୁଦ୍ଧିଜୀବୀ ଅଛନ୍ତି ଯେଉଁମାନେ ସରକାରୀ ସହାୟତା ପାଇଲେ ରସଗୋଲା-ଓଡ଼ିଶାର ଇତିହାସକୁ ଲୋକଲୋଚନକୁ ଆଣି ପାରନ୍ତେ। ହେଲେ ଏହା ବିଡ଼ମ୍ବନାର ବିଷୟଯେ ରାଜ୍ୟସରକାର ସେଭଳି କିଛିବି ପଦକ୍ଷେପ ନେଉନାହାନ୍ତି।
ଶ୍ରୀନିବାସ ସାମଲ
ମାଣିତ୍ରୀ, ବାଲିଚନ୍ଦ୍ରପୁର, କଟକ
ଇ-ମେଲ: srinibash.samal3@gmail.com