Bhubaneswar Buzz

ରେଖାଙ୍କିତ ଶୂନ୍ୟତା : A short story by Prabir Kumar Sahoo

ହୁଇଲ ଚେୟାରରୁ ସମର ର ହାତଟା ଖସିଗଲା ବେଳକୁ ନିଲୁ ଆସି ଧରି ପକେଇଲା।ହୁଏତ ଅତୀତକୁ ମନେ ପକାଉ ପକାଉ ସମର ର ଆଖି ଲାଗି ଯାଇଥିଲା ହୁଇଲ ଚେୟାର ଉପରେ। ବେଡ଼ ପାଖକୁ ଚେୟାରଟାକୁ ନେଇଯାଇ ସମରକୁ ଲମ୍ବ କରି ଶୁଆଇ ଦେଲା, ତା ମୁଣ୍ଡକୁ ତକିଆ ଉପରେ ରଖି ଆଉଁସିଦେଲା। ଦୁହିଁଙ୍କ ଭିତରର ସମ୍ପୂର୍ଣ୍ଣ ନୀରବତା କୁ ଚିରି ସମର ଆଖିରୁ ଅମାନିଆ ଲୁହ ଦୁଇଟୋପା ଗଡ଼ିଗଲା। କିଛି ନକହି ନିଲୁ ସେଇ ଲୁହତକ ପୋଛିଦେଲା। ଦୁହିଁଙ୍କ ମଧ୍ୟରେ ଯେମିତି ଗୋଟେ ମାନସିକ କଥୋପକଥନ ଚାଲିଥାଏ। ସମର ମନର କେତେ ଅବୋଧ ପ୍ରଶ୍ନର ଉତ୍ତରରେ ନିଲୁ ଆଖିର ଗଭୀରତା ଯେମିତି ଖାଲି ବୋଧ ଦେଇଚାଲିଥାଏ।

ନିଲୁ, ଡ଼ଃ ନୀଳିମା ସାହୁ, ଏ ସହରର ଜଣାଶୁଣା ସ୍ତ୍ରୀରୋଗ ବିଶେଷଜ୍ଞ। ଅଭିଜ୍ଞତା ମାତ୍ର ଚାରିବର୍ଷର ହେଲେ ଏଠି ପ୍ରାୟ ସମସ୍ତେ ଚିହ୍ନନ୍ତି। ବାପା ମାଙ୍କର ଏକ ମାତ୍ର ଦାୟାଦ। ବାପା, ହୃଷିକେଶ ହେଲେ ବ୍ୟବସାୟୀ ଆଉ ଅନେକ ସମ୍ପତ୍ତିର ଅଧିକାରୀ। ଡାକ୍ତରୀ ପଢା ସରିଲାପରେ ଚାକିରୀ କରିବା ନିଲୁର ଆବଶ୍ୟକତା ନଥିଲା କି ଇଚ୍ଛା ବି ନଥିଲା। ସେଇ ସମୟରେ ନିଲୁର ମା, ପ୍ରତିମାଙ୍କର ଗର୍ଭାଶୟ ରୋଗ ଜଣାପଡିଲା। ହୃଷିକେଶ ବାବୁ ଅନେକ ଜାଗାରେ ଅନେକ ଡାକ୍ତରଙ୍କ ପାଖରେ ଦେଖେଇ ନୟାନ୍ତ ହେଲେ। ଶେଷରେ ପରିସ୍ଥିତି ଏମିତି ହେଲା ଯେ ପ୍ରତିମା ନିଜ ବଞ୍ଚିବା ଆଶା ପ୍ରାୟ ଛାଡିଦେଲେ। ନିଲୁ ପୁଣି ଥରେ ନିଜକୁ ପ୍ରତିପାଦନ କରିବାକୁ ଅଣ୍ଟା ଭିଡିଲା। ଯା ହେଉ ପଛେ ସେ ତା ମା କୁ ଏମିତି ମରିବାକୁ ଛାଡି ପାରିବନି। ମା ଙ୍କ ଚିକିତ୍ସା ନିଜେ ଆରମ୍ଭ କଲା ଆଉ ଭଗବାନଙ୍କ କୃପାରୁ ପ୍ରତିମାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଦେଖାଗଲା। ବାସ ଏଇଠୁ ଆରମ୍ଭ ହେଲା ନିଲୁର ପେଶାଦାର ଜୀବନ। ବାପା ଇଚ୍ଛାକରି ଛୋଟ ନର୍ସିଂହୋମ ଟିଏ ତୋଳିଦେଲେ। ଆଉ ଏଇ ଚାରିବର୍ଷ ମଧ୍ୟରେ ‘ପ୍ରତିମା ନର୍ସିଂହୋମ’ ର ନାଁ ସହ ଆକାର ବି ବଢ଼ିଗଲାଣି।

ସମ୍ଭ୍ରାନ୍ତ ପରିବାରର ନିଲୁ ସ୍କୁଲ ସମୟରେ ସେତେ ଭଲ ପଢୁନଥିଲା, ସେ କିନ୍ତୁ ସମର ର ବ୍ୟକ୍ତିତ୍ବ ଦ୍ୱାରା ପ୍ରବଳଭାବେ ପ୍ରଭାବିତ ହୋଇଥିଲା। ସମର ଭଲ ପିଲା ବୋଲି କ୍ଲାସରେ ନାଁ ଡାକ ଥିଲା। ସାରମାନେ ସମରକୁ ପ୍ରଶଂସା କରୁଥିଲେ। ଖେଳଠୁ ଆରମ୍ଭ କରି ପାଠପଢା ସବୁଥିରେ ଶୃଙ୍ଖଳତା ପାଇଁ ସମର ନିଜ ପରିଚୟ ସୃଷ୍ଟି କରିଥିଲା। ନିଲୁ ସ୍କୁଲରୁ ଫେରିଲେ ମାଆଙ୍କ ସାମ୍ନାରେ ସମର ଏମିତି ସମର ସେମିତି ସବୁବେଳେ ଗାଉଥିଲା। ଥରେ ପ୍ରତିମା କହିଲେ “ଖେଳକୁଦରେ ନହେଲେ ନାହିଁ ତୁ ଭଲ ପାଠ ପଢିଲେ ପଢିଲେ ସିନା ସମର ସହ ତାଳ ଦେଇପାରିବୁ। ସିଏ ଭଲ ପଢୁଛି କଲେଜ ଗଲେ ବିଜ୍ଞାନ ପଢିବ ଆଉ ତୋର ଯୋଉ ମତିଗତି ମୋତେ ଲାଗୁଛି ତୋତେ କଳା ରେ ନାଁ ଲେଖେଇବାକୁ ପଡିବ”। ପ୍ରତିମା କଥାଟି ଏମିତି ଥଟ୍ଟାରେ କହିଦେଇଥିଲେ କିନ୍ତୁ ନିଲୁ ପାଇଁ ସତେ ଯେମିତି ଗୋଟେ ଲକ୍ଷ୍ୟ ଧାର୍ଯ୍ୟ ହେଇଯାଇଥିଲା ଆଉ କେବଳ ପାଠପଢାହିଁ ତାର ମୁଖ୍ୟକର୍ମ ହେଲା। ଟିଭିଦେଖା ସାଙ୍ଗସାଥି ସବୁ ବନ୍ଦ କରି ଏଥର ନିଲୁ ତାର କର୍ତ୍ତବ୍ୟ ପଥରେ ଆଗେଇ ଚାଲିଲା। ମାଟ୍ରିକରେ ନିଲୁର ଯେ କେବଳ ଭଲମାର୍କ ରହିଲା ତା ନୁହଁ ବରଂ ସେ ସମର ଠାରୁ ବେଶି ନମ୍ବର ରଖି ପାସ କଲା। ସମାନ କଲେଜ ଆଉ ସମାନ କ୍ଲାସରେ ସମରସହ ନିଲୁ ପାଠ ପଢିଲା। ନିଲୁ, ସମରପ୍ରତି ଥିବା ମନ ତଳର ସବୁ ଆକର୍ଷଣକୁ ଚାପି ସମର ସହ ମିଳାମିଶା କଲା ଓ ପାଠ ପଢାରେ ମନ ଦେଲା। ଶେଷ ଦେଖାରେ ନିଲୁ ତା ମନକଥା ସମରକୁ କହିବ ବୋଲି ଭାବିଲା। ତାର ସବୁ ପ୍ରେରଣା ଆଉ ପ୍ରଥମପ୍ରେମ ଯେ କେବଳ ସମର ଏକଥା ଜଣେଇବାକୁ ସ୍ଥିର କଲା। ଶେଷ ଦେଖାରେ କିନ୍ତୁ ସମର ପ୍ରଥମେ ଆରମ୍ଭ କଲା ଆଉ ପ୍ରିୟଙ୍କାକୁ ସେ କେତେ ଭଲପାଏ ଏକା ନିଶ୍ୱାସରେ କହିଗଲା। ନିଲୁ ପାଦ ତଳୁ ଯେମିତି ମାଟି ଖସିଗଲା। ଆଖିରେ ଆଖିଏ ଲୁହ ଆଉ ଭାରି ମାନଟିଏ ନେଇ ଘରକୁ ଫେରିଥିଲା ନିଲୁ। ସମୟକ୍ରମେ ସମର ଇଂଜିନିୟର ହେଲା ଆଉ ନିଲୁ ହେଲା ସ୍ତ୍ରୀରୋଗ ବିଶେଷଜ୍ଞ। ସମର ସରକାରୀ ଚାକିରୀଟିଏ କଲା ଆଉ ନିଲୁ ଠାରୁ ତାର ଦୂରତ୍ୱ ବଢିଗଲା। ଜୀବନରେ ପ୍ରଥମ ପ୍ରେମକୁ ହରେଇ ନିଲୁ ଗୋଟେ ପ୍ରକାର ଭାଙ୍ଗି ପଡିଥିଲା କିନ୍ତୁ ନିଜ ବ୍ୟକ୍ତିଗତ ଜୀବନ ଓ ପେଶାଦାର ଜୀବନକୁ ସିଏ ସମ୍ପୂର୍ଣ୍ଣ ଅଲଗା ରଖିଥିଲା। ରୋଗୀ ସେବାକୁ ଧର୍ମ ଭାବେ ଆଦରି ନେଇଥିଲା।

ସାତ ଦିନ ପୂର୍ବର ଘଟଣା, ଆସନ୍ନ ପ୍ରସବା ପ୍ରିୟଙ୍କାକୁ ନେଇ ସମର ନିଜ କାରରେ ଯାଉଥାଏ। ଠିକ ପ୍ରତିମା ନର୍ସିଂହୋମ ସାମ୍ନାରେ ହଠାତ ଟ୍ରକଟିଏ ନିଜର ଭାରସାମ୍ୟ ହରେଇ ସମର ର କାରକୁ ଧକ୍କା ଦେଲା। ସମର ର ହୋଶ ନଥାଏ ଆଉ ପ୍ରିୟଙ୍କା ଯନ୍ତ୍ରଣାରେ ଚିତ୍କାର କରୁଥାଏ। ଉପସ୍ଥିତ ଲୋକେ କାଳ ବିଳମ୍ବ ନକରି ଦୁହିଁଙ୍କୁ ପ୍ରତିମା ନର୍ସିଂହୋମରେ ଭର୍ତ୍ତି କରିଦେଲେ। ସମର କୁ ଏତେ ଦିନ ପରେ ପୁଣି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ନିଲୁର ଯେମିତି ମୁଣ୍ଡ ବୁଲେଇଦେଲା। କାଳବିଲମ୍ବ ନକରି ନିଲୁ ଦୁହିଁଙ୍କ ଚିକିତ୍ସା ଆରମ୍ଭ କଲା। ସମର ମୁଣ୍ଡରେ ଆଘାତ ଲାଗିଥିଲା। ପୁରା ଦୁଇଦିନ ଅବଚେତନ ଅବସ୍ଥାରେ ରହିଲା ସମର। କିନ୍ତୁ ଶତଚେଷ୍ଟା କରି ବି ନିଲୁ, ପ୍ରିୟଙ୍କାକୁ ବଞ୍ଚେଇ ପାରିଲାନି ଯଦିଓ ତା ଗର୍ଭରେ ଥିବା ପିଲାଟିକୁ ନିଲୁ କୌଣସି ପ୍ରକାରେ ବଞ୍ଚେଇ ନେଇଥିଲା। ଚେତା ଫେରି ପାଇଲାରୁ ସମର ନିଲୁକୁ ଚିହ୍ନିପାରିଲା ହେଲେ ପ୍ରିୟଙ୍କା ପାଇଁ ବିଚଳିତ ହେଲା। ଲୁହଭରା ଆଖି ଆଉ ବାଷ୍ପରୁଦ୍ଧ କଣ୍ଠରେ ନିଲୁ ଜଣେଇ ଦେଇଥିଲା ପ୍ରିୟଙ୍କାର ସ୍ୱର୍ଗବାସ କଥା। ସତେ ଅବା ମୁଣ୍ଡ ଉପରେ ଆକାଶ ଖସି ପଡ଼ିଥିଲା ସମର ର।

ଏଥର ନୀରବତା ଭଙ୍ଗ କରି ନିଲୁ ସମରକୁ ପ୍ରଶ୍ନ କଲା “ତୁମ ପୁଅ କୁ ଭେଟିବନି”? ଗୋଟେ ନିର୍ଜୀବ ପଥରକୁ ଜୀବଦାନ ମିଳିଗଲା ଭଳି ସମର ଉଠି ବସିଲା। “ମୋ ପୁଅ ବଞ୍ଚିଛି? ସିଏ କୋଉଠି ଅଛି? ତା ଦେହ ଭଲ ଅଛି ତ? ତୁମେ ଏକଥା ଆଗରୁ ଜଣେଇ ନାହଁ କଣ ପାଇଁ? “, ଏକା ନିଶ୍ୱାସରେ ପଚାରି ଗଲା ସମର। ନିଲୁ କହିଲା “ବାସ ବାସ, ବ୍ୟସ୍ତ ହୁଅନି। ତମ ପୁଅ ଏବେ ଭଲ ଅଛି, କିନ୍ତୁ ଗତ ଛଅଦିନ ଧରି ସିଏ ଆଇସିୟୁ ରେ ଥିଲା। ଆଜି ହିଁ ସିଏ ବିପଦମୁକ୍ତ ହେଇଚି। ତମେ ଏମିତି ବହୁତ ଦୁଃଖ ଭିତରେ ଥିଲ ଆଉ ତା ଭିତରେ ଯଦି ତୁମ ପୁଅର ଯଦି କିଛି ହେଇଥାନ୍ତା ମୁଁ କଣ ଜବାବ ଦେଇଥାନ୍ତି ତୁମକୁ। ସେଥିପାଇଁ ତୁମ ପୁଅ ଭଲ ହେଲା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିଥିଲି ଆଉ ଏଇ ଖୁସି ହୁଏତ ତୁମକୁ କିଛି ମାତ୍ରାରେ ଦୁଖଃମୁକ୍ତ କରିପାରିବ ବୋଲି ମୋ ଆଶା”। ଏଥର ଛୋଟପିଲା ପରି କାନ୍ଦି ପକେଇଲା ସମର। ଲୁହ କୋହ କିଛି ବି ତା ବୋଲ ମାନୁ ନଥିଲେ ଯେମିତି। “ଟିକେ ଫ୍ରେଶ ହେଇଯାଅ, ମୁଁ ତୁମ ପୁଅକୁ ନେଇ ଆସୁଛି” କହିଦେଇ ନିଲୁ ବାହାରିଗଲା।

ପୁଅକୁ ସମର କୋଳରେ ଦେଇ ତା ଆଖିରେ କିଛି ମାତ୍ରାରେ ଖୁସି ଦେଖି ପାରୁଥିଲା ନିଲୁ। ଏଥର ପିଲାଟି ଜୋରରେ କାନ୍ଦିଉଠିଲା। ନିଲୁ ଆସି ପିଲାଟିକୁ କୋଳକୁ ନେଲା। କୁନିପୁଅ କୁ ବୋକ ଦେଲା, ତା ଆଖିରେ ଦେଖିଲା ଆଉ ନିଜ ଛାତି ଭିତରେ କେମିତି ଗୋଟେ ମାତୃତ୍ୱ ଅନୁଭବ କଲା। ନିଲୁ ଏଥର ତା ମାକୁ ଫୋନ ଲଗେଇଲା “ମା ସୁରେନ୍ଦ୍ର ଅଙ୍କଲଙ୍କୁ ବିବାହ ପାଇଁ ମନା କରିଦିଅ, ରାକେଶ ସହ ମୁଁ କଥା ହେଇଯିବି। ନିଜ ଭଲପାଇବାକୁ ସିନା ଛାତି ତଳେ କବର ଦେଇଦେଲି ହେଲେ ଏବେ ଯୋଉ ମମତା ମୋ ଛାତିତଳେ ଜନ୍ମ ନେଇଛି ତାକୁ ମୁଁ ଛାଡି ପାରିବିନି”। ଏସବୁ ଦେଖି ସମର ଯେମିତି ନିର୍ବାକ ଆଉ ନିର୍ବୋଧ ହେଇ ଯାଇଥିଲା ଆଉ ନିଲୁ ଆଖିର ଲୁହ ସମରକୁ ବହୁତ କିଛି କହି ଯାଉଥିଲା

Author : Prabir Kumar Sahoo (Twitter : https://twitter.com/Odiapuo)

Comments

comments