ଏବେ ଓଡ଼ିଶାର ଉପକୂଳିଆ ଲୋକେ ଯାହାକୁ ଟମାଟୋ (ଇଂରାଜୀ) ଵା ବିଲାତି (ଯାଵନିକ) କହୁଛନ୍ତି ତାହାର ମୂଳ ଓଡ଼ିଆ ଶବ୍ଦ ହେଉଛି ପାତଲଘଁଟା ଵା ପାଚଲଘଣ୍ଟା ବୋଲି ସାରଳା ମହାଭାରତରୁ ପ୍ରମାଣ ମିଳେ । ଏବେ ମଧ୍ୟ ମୟୂରଭଞ୍ଜ, କଟକ, ଅନୁଗୁଳ, ନୟାଗଡ଼ର କିଛିି ସ୍ଥାନରେ କେହି କେହି ବୟସ୍କ ଲୋକମାନେ ଏହି ପାଚଲଘଣ୍ଟା ଶବ୍ଦ ଵ୍ୟଵହାର କରନ୍ତି । ଡେବ୍ରୀ (ଡେଭ୍ରୀ) ହାତ, ତୁଛା (ଛୁଚା) ଇତ୍ୟାଦି ମୌଳିକ ଓଡ଼ିଆ ଶବ୍ଦ ଉପକୂଳଵର୍ତ୍ତୀ ଅଞ୍ଚଳରେ କେଵଳ ନିପଟ ଗାଁ ଗଣ୍ଡାର ପୁରୁଖା ଲୋକଙ୍କ ତୁଣ୍ଡରେ ସୀମିତ । ଇତି ମଧ୍ୟରେ ଆମେ ମୌଳିକ ଓଡ଼ିଆ ଶବ୍ଦଗୁଡ଼ିକୁ ପାସୋରି ଦେବାର କାରଣ କ’ଣ ହୋଇପାରେ ? ଜଗତୀକରଣ ?
ଜାଣନ୍ତିକି? ଏବେ ବି ଅନେକ ମୌଳିକ ଓଡ଼ିଆ ଶବ୍ଦ ପଶ୍ଚିମ ଓଡ଼ିଶାରେ ସବୁ ଵର୍ଗ, ସବୁ ଶ୍ରେଣୀ, ସବୁ ଵୟସର ଲୋକଙ୍କ ତୁଣ୍ଡରେ ସଗୌରଵେ ଶୋଭା ପାଏ !
ଉତ୍ତର, ପୂର୍ଵ ଓ ଦକ୍ଷିଣ ଓଡ଼ିଶାର ସମତଳ ଅଞ୍ଚଳରେ ଗମନାଗମନ ସୁଵିଧା ହେତୁ ବାହ୍ୟ ଶତୃ ଦ୍ୱାରା ପରାଧୀନ ହୋଇଛି, ତେଣୁ ଏହାର ଭାଷା କେବେ ମୋଗଲବନ୍ଦୀ ହୋଇଛି ତ କେବେ ମରହଟ୍ଟାଙ୍କ ଦ୍ୱାରା ଶାସିତ ହୋଇଛି । ତେଣୁ ମୌଳିକ ଓଡ଼ିଆ ବଞ୍ଚି ରହିଲା ସେହି ଉତ୍ତର, ପୂର୍ଵ ଓ ଦକ୍ଷିଣ ଓଡ଼ିଶାର ପାର୍ବତୀୟ ଅଞ୍ଚଳରେ ତଥା ସମଗ୍ର ପଶ୍ଚିମ ଓଡ଼ିଶାରେ । କେଵଳ ଭୌଗଳିକ ସ୍ଥିତି ହିଁ ନୁହେଁ ଭାଷା ତାତ୍ତ୍ୱିକ ଦୃଷ୍ଟିରୁ ଓ ଶବ୍ଦ ସମ୍ଭାର ଦୃଷ୍ଟିରୁ ମଧ୍ୟ ସମ୍ବଲପୁରୀ ଶୈଳୀରେ ରହିଛି ଓଡ଼ିଆର ମୌଳିକତା । ଅନେକ ନିଚ୍ଛକ ଓଡ଼ିଆ ଶବ୍ଦ ଯାହା ଉପକୂଳଵର୍ତ୍ତୀ ଅଞ୍ଚଳରୁ କ୍ରମଶଃ ମରି ହଜି ଯାଉଛି, ତାହାକୁ ବଞ୍ଚାଇ ରଖିଛନ୍ତି ପଶ୍ଚିମ ଓଡ଼ିଶାଵାସୀ । ଭେଁଟ ପଡ଼ମା ପରି ମୌଳିକ ଶବ୍ଦ ସମ୍ବଲପୁରୀ ଲୋକମୁଖରେ ବଞ୍ଚି ରହିଛି ବୋଲି ତ ଆଜି ମାନକୀକରଣ ହୋଇ ଭେଟିବା ଶବ୍ଦ ପ୍ରୟୋଗ ହୁଏ, ଯାଵନିକ ଶବ୍ଦ (ମୁଲାକାତ) ଦ୍ୱାରା ଅପ୍ରଭାଵିତ ପରିଗଣିତ ଓଡ଼ିଆ ତେଣୁ ଶାସ୍ତ୍ରୀୟ ମର୍ଯ୍ୟାଦାରେ ଅଭିଷିକ୍ତ l ମାନକ ଶବ୍ଦ ‘ଏମିତି’ ଓଡ଼ିଶାର ସବୁ ଆଞ୍ଚଳିକ ଶୈଳୀରେ ପ୍ରୟୋଗ ହୁଏ (କଟକରେ ଏନ୍ତି, ବଲାଙ୍ଗୀରରେ ଏନ୍ତା, ଗଞ୍ଜାମରେ ଇନ୍ତି) କିନ୍ତୁ ତାହାର ମୂଳ ଶବ୍ଦ ଏଇ ମିତାନ ଶବ୍ଦକୁ ଅଦ୍ୟାଵଧି ବଞ୍ଚାଇ ରଖିଛନ୍ତି ପଶ୍ଚିମ ଓଡ଼ିଶାଵାସୀ l ଏହା ଅଲୌକିକ ମନେ ହୁଏ ଯେ ଯେଉଁ ମୌଳିକ ଓଡ଼ିଆ ଶବ୍ଦ ରାଜି ଆଜି ଓଡ଼ିଶାର ସବୁ ଜିଲ୍ଲାର କେଵଳ ଗ୍ରାମୀଣ ଓ ବୟସ୍କ ଲୋକଙ୍କ ମୁହଁରେ କ୍ୱଚିତ୍ ଵ୍ୟଵହୃତ ତାହା ପଶ୍ଚିମ ଓଡ଼ିଶା ପରି ଵିଶାଳ ଭୂଖଣ୍ଡରେ ଆବାଳ ଵୃଦ୍ଧ ବନିତା ନିତ୍ୟ ନିରନ୍ତର ପ୍ରୟୋଗ କରିଆସୁଛନ୍ତି ଆଧୁନିକ ଯୁଗ ପର୍ଯ୍ୟନ୍ତ l ଅର୍ଥାତ୍ ଓଡ଼ିଆର ମୌଳିକ ରୂପରେଖର ପୁନରୁଦ୍ଧାର ଲାଗି ଆମକୁ ପ୍ରାଚୀନ ପୋଥିର ଅନୁସନ୍ଧାନର ଆଵଶ୍ୟକତା ନାହିଁ , କେଵଳ ସମ୍ବଲପୁରୀରେ ହିଁ ଏହା ପ୍ରାକୃତ ରୂପରେ ଉପଲବ୍ଧ l ତେବେ ଓଡ଼ିଆକୁ ସମୃଦ୍ଧ କରିବାରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର କଵି ଲେଖକଙ୍କର ଅଵଦାନ ରହିଛି l ଉ.ସ୍ୱ. ସମ୍ବଲପୁରୀରେ କେଵଳ ପ୍ରୟୋଗ ଥିବା ବେଳେ (ବୁଆ ଗୋ ତୁଇ କାହିଁ ଯାଇଥିଲୁ) ତୁମେ ଓ ଆପଣ ସହ କ୍ରିୟାପଦର ଗୁଙ୍କରଣ ଗଞ୍ଜାମୀ ଶୈଳୀରୁ ଆସିଥାଇପାରେ l କୋରାପୁଟ ଓ କଳାହାଣ୍ଡିର ଦେଶିଆ ଓଡ଼ିଆରେ ଏବେ ଶବ୍ଦ ପ୍ରୟୋଗକୁ ମାନକୀକରଣ କରାଯାଇଛି l ମାନକ ଓଡ଼ିଆରେ ସ୍ମରଣ ଅଛିକୁ ମନେ ଅଛି କହିବା ହୁଏତ ଉତ୍ତର ଓଡ଼ିଶା ଉତ୍ସରୁ ଆସିଛି l
ରାଜଭାଷା ମାନ୍ୟତା : ଅଣଓଡ଼ିଆ ରାଜାମାନେ ଉପକୂଳଵର୍ତ୍ତୀ ଓଡ଼ିଶାକୁ ଶାସନ କଲାବେଳେ ସେମାନେ ସଂସ୍କୃତକୁ ରାଜଭାଷା ରୂପେ ଵ୍ୟଵହାର କରୁଥିଲେ (ଏପରିକି ଇଂରେଜ ସମୟରେ ନୟାଗଡ଼ ଜିଲ୍ଲାର ପଠାଣି ସାମନ୍ତ ତାଙ୍କର ସିଦ୍ଧାନ୍ତ ଦର୍ପଣରେ ଓଡ଼ିଆ ବଦଳରେ ସଂସ୍କୃତକୁ ଵ୍ୟଵହାର କରିଛନ୍ତି) l କିନ୍ତୁ ଓଡ଼ିଆକୁ ରାଜଭାଷା ରୂପେ ମଧ୍ୟଯୁଗରେ ପ୍ରଥମେ ପ୍ରୟୋଗ କରିଥିଲେ ପଶ୍ଚିମ ଓଡ଼ିଶାର ଚୌହାନ ରାଜଵଂଶ l ତେଣୁ ପଶ୍ଚିମ ଓଡ଼ିଶାରେ ହିଁ ପ୍ରଥମେ ରାଜନୈତିକ ପୁଷ୍ଟପୋଷକତା ପାଇ ଓଡ଼ିଆ ଲିଖିତ ରୂପ ନେଲା ଓ ପରେ ତାଙ୍କୁ ଅନୁସରଣ କରି ଉପକୂଳଵର୍ତ୍ତୀ ଅଞ୍ଚଳରେ ଓଡ଼ିଆକୁ ସୂଚନା ପ୍ରସାରଣ ପାଇଁ ଵ୍ୟଵହାର କରାଗଲା l
ମାନକୀକରଣ : ଓଡ଼ିଆ ଭାଷାର ପ୍ରଥମ ସାହିତ୍ୟ ଚର୍ଯ୍ୟାଗୀତିର ଅଧିକାଂଶ ଲେଖକ ସମ୍ବଲପୁର ଅଞ୍ଚଳରୁ ଥିଲେ, ଯଦିଓ ତାହାର ଭାଷା ଆଧୁନିକ ଲିଖିତ ଓଡ଼ିଆ ପରି ହୋଇଥାଏ (ଉ.ସ୍ୱ. ଚର୍ଯ୍ୟାଗୀତିରେ କାହିଁକିରେ ବାପୁଡ଼ା … … ଡମ୍ବୀ; ସମ୍ବଲପୁରୀରେ ଡମ୍ବ, ଆମ୍ବ, ସମ୍ବଲ ଯଥାକ୍ରମେ ଡମ, ଆମ, ସମଲ ହୋଇଥାଏ) । ବଲାଙ୍ଗିରର ନୃସିଂହନାଥ ଦେଉଳରୁ ଓଡ଼ିଆ ଲିପି, ତଥା ମାନକ ଓଡ଼ିଆର ପ୍ରତ୍ନତାତ୍ତ୍ୱିକ ଆଵିଷ୍କାର ପ୍ରମାଣ ଦିଏ ଯେ ପଶ୍ଚିମ ଓଡ଼ିଶାରେ ହିଁ ଓଡ଼ିଆ ଭାଷାର ଆଦ୍ୟ ଵିକାଶ ଓ ଉଦ୍ବିର୍ଦ୍ଧନ ଓଡ଼ିଆକୁ ମାନକୀକରଣ କରିଛି ଯାହା ଏବେ ସାରା ଓଡ଼ିଶାର ଆନୁଷ୍ଠାନିକ ଭାଷା ହୋଇପାରିଛି ।
ପ୍ରଥମ ଭାଷା ଆନ୍ଦୋଳନ ୧୯୦୧ ମସିହାରେ ସମ୍ବଲପୁରରୁ ଆରମ୍ଭ ହୋଇଥିଲା । ସୋନପୁର ଉଠାଇଥିଲା ଉତ୍କଳ ଵିଶ୍ୱଵିଦ୍ୟାଳୟ ପ୍ରତିଷ୍ଠାର ପ୍ରଥମ ସ୍ୱର । ଓଡ଼ିଆର ମୌଳିକତାକୁ ବଞ୍ଚାଇ ରଖିଥିବା ଏ ଅଞ୍ଚଳବାସୀଙ୍କୁ ମର୍ଯ୍ୟଦା ଦେବା, ଏଠାର ଶୈଳୀକୁ ସମଗ୍ର ଓଡ଼ିଶାରେ ପ୍ରଚଳନ କରିବା ପାଇଁ ଓଡ଼ିଶାବାସୀ ତତ୍ପର ହେବା ଉଚିତ ।
ଏଥିପାଇଁ ଏହି ସବୁ କରଣୀୟ :-
୧- ସମ୍ବଲପୁରୀ ଶୈଳୀକୁ ପ୍ରମୁଖ ମୌଳିକ ଓଡ଼ିଆର ମାନ୍ୟତା ଦେଇ ତାହାର ସୁରକ୍ଷା ଲାଗି ଓଡ଼ିଶା ସରକାର ଚେଷ୍ଟା କରିବା ଉଚିତ ।
୨- ଏହି ମୌଳିକ ଓଡ଼ିଆ ଶବ୍ଦ ବହୁଳ ଗଦ୍ୟ ଓ ପଦ୍ୟ (ଯଥା: ପାରମ୍ପରିକ ସମ୍ବଲପୁରୀ କଵିତା)କୁ ପାଠ୍ୟକ୍ରମରେ ସ୍ଥାନିତ ହେବା ଉଚିତ ।
୩ – କେଵଳ ପଶ୍ଚିମ ଓଡ଼ିଶାଵାସୀ ହିଁ ନୁହେଁ ସମଗ୍ର ଓଡ଼ିଶାଵାସୀ ହୃଦୟର ସହ, ସମ୍ମାନର ସହ ଏହି ମୌଳିକ ଓଡ଼ିଆ (ଵିଶେଷତଃ ସମ୍ବଲପୁରୀ)କୁ ଶିଖିବା ଓ କହିବାକୁ ଚେଷ୍ଟା କରିବା ଉଚିତ ।
୪- କଵି ଓ ଲେଖକମାନେ ଆରବିକ ପାର୍ସୀ ଇଂରାଜୀ ଶବ୍ଦ ବଦଳରେ ଆମର ମୌଳିକ ଓଡ଼ିଆ ଶବ୍ଦକୁ ଵ୍ୟଵହାର କରିବା ଉଚିତ ।
ଏଥିପାଇଁ ସମ୍ବଲପୁରୀ ଶିଖିବା ଜରୁରୀ ।
ସମ୍ବଲପୁରୀ ଯିଏ ଜାଣେ ନାହିଁ, ଧରିନିଆଯିବା ଉଚିତ ଯେ, ତା’ର ଓଡ଼ିଆତ୍ୱ ପୂର୍ଣ୍ଣାଙ୍ଗ ନୁହେଁ ।
Article by DrDevasisa Jethy